Unknown

 

 

 

 

 

 

 

 

 

 

 

ମୃଗତୃଷ୍ଣାର ଇତିକଥା

ଶ୍ରୀମତୀ ଗାୟତ୍ରୀ ବସୁମଲ୍ଲିକ

 

 

 

 

 

 

 

 

 

 

 

 

 

ମୋର ପ୍ରିୟ ପାଠକ ଓ ପାଠିକାଙ୍କୁ......

 

ଏକ

 

‘‘ଡାକ୍ତର’’–

 

–କୁହନ୍ତୁ

 

–ଆସ ମୋ ପାଖରେ ବସ ।

 

–କିଛି କହିବେ ?

 

–ନା, କ’ଣ ଆଉ କହିବି । ଆଚ୍ଛା ଡାକ୍ତର, ତୁମ ନାମ କ’ଣ ଟି ? ଏ ତିନିମାସ ଭିତରେ ବି ମୋର ମନେରହୁନି । ତୁମେ କହିଲି ବୋଲି କିଛି ଭାବୁନ ତ ? ତୁମେ ତ ମୋର ପୁଅ ସାଙ୍ଗର ହେବ । ମୋ ବଡ଼ ପୁଅ ଶୁଭେନ୍ଦୁ–ତାକୁ ହେଲା ପଚିଶ, ଆଉ ସାନ ନୀଳେନ୍ଦୁ...ତାକୁ ହେଲା ତେଇଶ । ତୁମେ ତ ତାଙ୍କରି ସାଙ୍ଗର ହେବ–ନା କ’ଣ କହୁଛ ?

 

ଆପଣ ଠିକ୍‌ କହିଛନ୍ତି । ମୁଁ ଆପଣଙ୍କ ବଡ଼ ପୁଅଠାରୁ ଏକ ବର୍ଷ ବଡ଼ ହେବି । ଆଉ ତୁମେ କହିଲେ କିଛି ଭାବିବି କି ନାହିଁ ବୋଲି ପଚାରୁଛନ୍ତି ! ନା, ତୁ କହିଲେ ବି କିଛି ଭାବିବିନି । ହୁଏତ ଭାବନ୍ତି–କିନ୍ତୁ ଆପଣଙ୍କ ଚେହେରା ପ୍ରତି ମୋର ଗୋଟାଏ ଦୁର୍ବଳତା ଆସିଛି ।

 

କି ଦୁର୍ବଳତା ଡାକ୍ତର ?

 

ଆପଣ ଠିକ୍‌ ମୋ ସାନ କକାଙ୍କ ପରି ଦେଖିବାକୁ । ସେ ମୋତେ ଭାରି ସ୍ନେହ କରୁଥିଲେ । ଏଇ ଗତ ବର୍ଷ ସେ ଚାଲିଗଲେ । ତାଙ୍କରି ଯୋଗୁ ଆଜି ମୁଁ ଡାକ୍ତର । ତାଙ୍କରି ସ୍ନେହର ସ୍ପର୍ଶରେ ଏଇ ଦେହ ମୋର ଗଢ଼ା । ସେ ମୋର ନମସ୍ୟ । ଆପଣ ଅବିକଳ ତାଙ୍କରି ପରି ଦେଖିବାକୁ । ସେ ମୋତେ ଡାକୁଥିଲେ ‘ବୁଲୁ’ । ଆଉ ସମସ୍ତେ ଡାକୁଥିଲେ ‘ମନ’, କାରଣ ମୋ ନାଁ ମନୋରଞ୍ଜନ । କକାଙ୍କ ଡାକ ନାଁଟି କିନ୍ତୁ ମୋର ଭାରି ପ୍ରିୟ ।

 

ବୁଲୁ–

 

–ଏ କ’ଣ କହିଲେ ?

 

–ହଁ, ଯେତେଦିନ ବଞ୍ଚିଥିବି ମୁଁ ତୁମକୁ ବୁଲୁ ଡାକିବି ।

 

ଆପତ୍ତି ନାହିଁ ତ ?

 

–ନା, ଖୁସି ହେବି ।

 

କ’ଣ ଏତେ ଭାବୁଛ ?

 

ନା,–କିଛି ଭାବୁନି । କକାଙ୍କ କଥା ମନେପଡ଼ୁଛି ।

 

–ପଡ଼ିବା କଥା । ସେ ଏତେ ଭଲପାଉଥିଲେ ।

 

–ହଁ ସେ ଭାରି ଭଲପାଉଥିଲେ ।

 

–ବୁଲୁ–ରାତି କେତେ ହେଲା ? –ଘରକୁ ଏଥର ଯାଅ ।

 

–ଯିବି ମଉସା, ଏଇ ସାଢ଼େ ନଅଟା ହେଲା ଦେହ କିପରି ଲାଗୁଛି ? ଦେଖେ ଜ୍ୱର ଅଛି କି ନାହିଁ । ନା–ଆଜି ଟିକେ କମ୍‌ ଜଣାପଡ଼ୁଛି । ଏଥର ଭଲ ହୋଇଯିବ ଯେ । ଜ୍ୱର ନ ଛାଡ଼ିଲେ ମୋର ଭଲ । ମୁଁ ଭଲ ହୋଇଗଲେ ତୁମେ କ’ଣ ଆଉ ଆସିବ ?

 

କ’ଣ କହୁଛନ୍ତି–ମଝିରେ ଏଇ ପଡ଼ିଆଟା ଛାଡ଼ିଦେଲେ ଆମ ଘର । ଆଉ ଏଇ ବାଟ ଟିକକୁ ଡରି ମୁଁ ଆସିବିନି ?–ଏପରି କ’ଣ ହୋଇପାରେ ?

 

–ପାରେ ଡାକ୍ତର ପାରେ । ମୋ ଭଳିଆ ନିଷ୍କର୍ମା ଲୋକ କଥା ଅଲଗା । ତୁମ୍ଭେମାନେ ହେଲ କର୍ମୀ । କେତେ ଆଡ଼କୁ ଯିବାକୁ ପଡ଼ିବ, କେତେ କାହାର ବ୍ୟଥା କାତର ଦେହ ତୁମର ସ୍ନେହ ସ୍ପର୍ଶ ଲୋଡ଼ିବ । କେତେ ମୃତ୍ୟୁ ପଥ ଯାତ୍ରୀ ତୁମର ଅଭୟ ଆଶ୍ୱାସ ବାଣୀ ଶୁଣି ପଥ ମଝିରେ ଠିଆହୋଇ ରହିବେ ଆଉ କିଛିଦିନ–କେତେ ଅବା ଲୋଉଟିବେ ଘରକୁ । ତୁମେ ଡାକ୍ତର, ତୁମେ ସଭିଙ୍କର । ତୁମର ଆସିବ କେତେ ଭାବନା–କେତେ ଚିନ୍ତା–କେତେ ସମସ୍ୟା । ତୁମର ସେବା ହେବ ନିଟୋଳ, ମନ ହେବ ନିରନ୍ଧ୍ର । ତୁମେ ଡାକ୍ତର । ସଭିଏ ତୁମର । ସେଇ ସଭିଙ୍କ ଭିତରେ ମୁଁ ହଜିଯିବି । ଆଉ ପାଞ୍ଚଜଣଙ୍କ ସେବା କରୁ କରୁ ତୁମେ ଭୁଲିଯିବ ମୋତେ । ଆଉ ତୁମ ଲାଗି ସେଇଆ ହିଁ ମୋର କାମ୍ୟ । ଯିଏ ଗଲା ସିଏ ଯାଉ । ଚେଷ୍ଟା କଲେ ଯିଏ ରହିବ, ତା’ର ସେବାରେ ମନପ୍ରାଣ ଢାଳିଦିଅ । ଆରେ–କେତେ ରାତି ହେଲା ?

 

ଏଇତ ମୋଟେ ସାଢ଼େ ଦଶଟା ।

 

ବାଃ–ମୋତେ କହୁନ । ମୁଁ ଖାଇପିଇ ବେଶ୍‌ ଆରାମରେ ଶୋଇ ପିକ୍‌ନିକ୍‌ କରୁଛି, ଆଉ ତୁମେ ଭୋକଶୋଷ ନେଇ ସୁନା ପିଲାଟି ପରି ଛିଡ଼ାହୋଇ ମୋର ଅବାନ୍ତର ପ୍ରଳାପ ଶୁଣୁଛ । କି ଆଶ୍ଚର୍ଯ୍ୟ ! ଯାଅ ଯାଅ, ଘରକୁ ଯାଅ । ଏ ଭୀମ ଗଲୁ–ବାବୁଙ୍କୁ କିଛି ବାଟ ବଳେଇ ଦେଇ ଆସିଲୁ । କେତେ ରାତି ହେଲାଣି–ପିଲାଟା କେମିତି ଯିବି ଏତେ ରାତିରେ ।

 

–ମଉସା ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କ କଥା ମୋତେ ଭଲଲାଗୁଛି । ସେଥିପାଇଁ ମୁଁ ଠିଆ ହୋଇଛି । ତା’ ଛଡ଼ା ମୋତେ ଭୋକ ନାହିଁ । ଆପଣ ଜଳଖିଆ ନାଁରେ ସନ୍ଧ୍ୟାବେଳେ ଯାହା ଖୁଆଇଛନ୍ତି ସେତକ ବାରଟା ପର୍ଯ୍ୟନ୍ତ ହଜମ ହେବନି । ଆଉ ଭୋକ କ’ଣ ?

 

–ଡାକ୍ତର ମିଛ କହୁଛ ।

 

–ନାଇଁ ମଉସା–ତୁମକୁ ଅନ୍ତତ ମିଛ କହିବିନି ।

 

–ତା’ ସତ, ଏଇ ତିନିମାସ ଭିତରେ ଯାହା ଦେଖିଲି ଏବଂ ଯେତିକି ଦେଖିଲି ତୁମକୁ ତାପରେ ଆଉ ସେକଥା କହିବା ମୋର ଠିକ୍‌ ହୋଇନି ।

 

ଆଚ୍ଛା ମୁଁ ତାହେଲେ ଆସେ । ନମସ୍କାର ।

 

ନମସ୍କାର ।

 

ଦୁଇ

 

ମଉସା କ’ଣ ଏତେ ଭାବୁଛନ୍ତି ? ଏଇ ସକାଳଟାରେ କ’ଣ ଏତେ ଭାବନ୍ତି ଆପଣ । ଯେତେବେଳେ ଆସେ ଆକାଶଆଡ଼େ ଚାହିଁ ଚୁପ୍‌ କରି ବସିଥାନ୍ତି । ଆକାଶ ପାତାଳ କ’ଣ ଏତେ ଭାବନ୍ତି କୁହନ୍ତୁ ତ । ମୋର ମନେହୁଏ ଆପଣଙ୍କର ବହୁତ ଦୁଃଖ । ଆଉ ମୋତେ ବୁଲୁ ବୋଲି ଡାକିଲେ ବି ମୋତେ ଆପଣ ବହୁତ କିଛି କହନ୍ତିନି । ଜାଣନ୍ତି–ମୋ କକା ମୋତେ ସବୁ କଥା କହୁଥିଲେ ।

 

–ଏଁ କ’ଣ କହିଲ, ‘‘ବୁଲୁ’’ ଡାକିଲେ ସବୁ କହିବାକୁ ପଡ଼ିବ ? ନା, ନା, ମୋର କହିବାର କିଛି ନାହିଁ । ମୁଁ କ’ଣ କହିବି, ମୁଁ ଗୋଟାଏ ଦଣ୍ଡ ପାଉଥିବା ଶକ୍ତିହୀନ ବୃଦ୍ଧ । ସେ ତ ତୁମେ ଦେଖିପାରୁଛ । ଆଉ କହିବି କ’ଣ କୁହ ?

 

–ଦଣ୍ଡ ପାଉଥିବା ମାନେ କ’ଣ ମଉସା ?

 

–ଏଇ ଦେଖ, ତୁମେ ଏକରକମ ଶିଶୁ । ଦଣ୍ଡ ନୁହେଁ ? ଭଗବାନ ଯାହାକୁ ଭଲପା’ନ୍ତିନି, ତାକୁଇ ତ ଦୀର୍ଘଜୀବୀ କରନ୍ତି । ସେ କହନ୍ତି–ତୁ ସଭିଙ୍କର ମନ୍ଦ ଚିନ୍ତା କରିଛୁ, ସଭିଙ୍କ ହୃଦୟ ଜାଳିପୋଡ଼ି ଦେଇଛୁ । ତୋ ହାତରେ ସଂସାରର ଅମଙ୍ଗଳ–ଅନାଚାର ଛଡ଼ା ଆଉ କିଛି ହୋଇନି । ଅତଏବ ତୁ ସେଇ ସଂସାରରେ ଅଲୋଡ଼ା ଅଖୋଜା ହୋଇ ପଡ଼ିଥା, ଏବଂ ଗୋଡ଼ ଥାଇ ନଥିଲା ଭଜି, ହାତ ଥାଇ ନ ଥିଲା ଭଳି, ଆଖି ଥାଇ ନଥିଲା ଭଳି, ପଡ଼ି ପଡ଼ି ଦୁଃଖ ଯନ୍ତ୍ରଣା ଭୋଗ କର । ଆଉ ଯିଏ ତା’ର ବିପରୀତଗୁଡ଼ିକ କରିଛି ଭଗବାନ ତାକୁ ତା’ର ଦୁର୍ଭାଗ୍ୟ ଆସିବା ପୂର୍ବରୁ ନେଇଯାଇଛନ୍ତି । ଆହା–କେଡ଼େ ସୁଖୀ ସିଏ, ଆଉ ମୁଁ–

 

–ଆପଣ କ’ଣ ମଉସା ?

 

–ମୁଁ ?, ମୁଁ ସେଇ ପ୍ରଥମ ଜଣକ ।

 

–ମୁଁ ବିଶ୍ୱାସ କରେନି ।

 

–କ’ଣ ବିଶ୍ୱାସ କରନି ବୁଲୁ ?

 

–ଆପଣ ସେଇ ପ୍ରଥମ ଜଣକ ବୋଲି ।

 

–ଓଃ–କେତେବେଳେ ସେ ପଦକ କହିଦେଇଛି ପରା । ବୁଲୁ ମୋ ମୁଣ୍ଡ ଠିକ୍‌ ରହୁନି । ଦେଖିଲ ମୋତେ ଜ୍ୱର ଆସୁଛି କି ?

 

ବୁଲୁ ବୁଝିଲା, ମଉସା ପ୍ରସଙ୍ଗ ବଦଳାଇ ସୁଖୀ ହେବେ । ଧୀରେ ହାତ ବଢ଼ାଇ ନାଡ଼ି ଦେଖିଲା । ମୁହଁ ଶୁଖିଗଲା । –କନକ ନାରାୟଣ ହସିଲେ । କହିଲେ–

 

କିରେ ବୁଲୁବାବୁ, ଲଢ଼େଇରେ ହାରିଯାଉଛୁ କି ? ବୁଲୁ କିଛି କହିଲାନି ।

 

ତା’ ମୁହଁ ଦେଖି ତାଙ୍କର ମାୟା ହେଲା । କହିଲେ–ତୁ ଡାକ୍ତର, ଆଉ ମୁଁ ରୋଗୀ, ମୋ ମୁହଁର ଭାବ ତୋ ମୁହଁକୁ କିପରି ଗଲାରେ ? ପାଗଳା । ମନରେ ଆହୁରି ଜୋର ଆଣେ, ଆହୁରି ଲଢ଼େଇ କରେ, ଭୁଲିଯାଆନା ତୁ ଡାକ୍ତର ।

 

–ମଉସା ସେ ଜୋର୍‍ଟା ମୁଁ ଏକା ଆଣିଲେ ହେବ !

 

–ଆରେ ନା ନା, ମୁଁ ବି ସହଯୋଗ କରିବି ।

 

–କିନ୍ତୁ ତୁମର ଜ୍ୱର ଯେ ଆଜି ବଢ଼ିଛି ।

 

–ବଢ଼ୁ, ବଢ଼ିଲେ ତ କମିବ । ବୁଲୁ କେତେବେଳୁ ଆସିଲୁଣି ମନେଅଛି । ଆ କିଛି ଜଳଖିଆ ଖାଇବା । ମାନେ ତୁ ଖାଇବୁ । ମୁଁ ଖାଲି ଟିକିଏ ଚା ପିଇବି ।

 

ଖାଇ ଆସିଛି କହିବାକୁ ବୁଲୁର ଇଚ୍ଛାହେଲାନି । ଚୁପ୍‌ କରି ଖାଇବସିଲା । ତା’ ବସିବା ଭଙ୍ଗୀଟିରେ ଗୋଟିଏ ଆତ୍ମୀୟତାର ଛାପ ଥିଲା । କନକ ନାରାୟଣଙ୍କୁ ଭାରି ଭଲ ଲାଗିଲା ସେଇ ଭଙ୍ଗୀଟି । ମନୋରଞ୍ଜନର ଖାଇବା ଦେଖୁଥିଲେ । କହିଲେ–ଆଉ ଗୋଟାଏ ଓମ୍‌ଲେଟ ଆଣୁ ?

 

–ନା...ଥାଉ ।

 

–ଥାଉ କାହିଁକି, ଘରୁ ଖାଇଆସିଛୁ, ଇଚ୍ଛା ନାହିଁ ?

 

–ନା, ପେଟରେ ଜାଗା ନାହିଁ । ଆପଣ ଏଥର ରେଡ଼ି ହୋଇଯାନ୍ତୁ । ଇନ୍‌ଜେକ୍‌ସନ ଦେବି, ମୋର ସଇଲା ।

 

–ନା, ମୁଁ ରେଡ଼ି ହେବିନି, ମୋର କିଛି ଦରକାର ନାହିଁ ।

 

–ମୋର ଅଛି ।

 

–ତୋ’ର କି ଦରକାର ?

 

–ମୋତେ ଦୁଇବେଳା ଏପରି ଭୋଜନ କିଏ ଦେବ ?

 

–ତୁ ଥଟ୍ଟା କରୁଛୁ ।

 

–ମୁଁ ଆପଣଙ୍କ ବୁଲୁ, ଆପଣ ମୋ କକାଙ୍କ ପରି ଦେଖିବାକୁ, ଆପଣ ମୋର ମଉସା–ଫେର ଆପଣ କହିଲୁ–ଆଚ୍ଛା ହାତ ଦେଖାଅ । ଓ୍ୱାନ୍‌, ଟୁ, ଥ୍ରୀ,–ଆଚ୍ଛା ଏଥର ଆସେ ।

 

–ସନ୍ଧ୍ୟାରେ ଚାହିଁ ରହିବି ବୁଲୁ ।

 

ତିନି

 

–କ’ଣ କରୁଛ ମଉସା ? ସେଟା କାହା ଫଟୋ ? ଇସ୍‌ କେତେ ଝୁଲ ଜମିଛି ତା’ ଉପରେ । ତୁମ୍ଭେ ବା କାହିଁକି ସେ ସବୁ କରୁଛ ? ଭୀମ ଗଲା କୁଆଡ଼େ ? କେତେକରି କହିଯାଇଥିଲି ଯେ ତୁମେ ଚୁପ୍ ହୋଇ ଶୋଇବ । ଦେହ କେତେ ଦୁର୍ବଳ ହେଲାଣି । ଦେଖେ ଜ୍ୱରଟା–ନା, ଜ୍ୱର ନାହିଁ । ନାହିଁ ବୋଲି କ’ଣ ଏସବୁ କରିବାକୁ ପଡ଼ିବ । ତୁମେ ବଡ଼ ଅସ୍ଥିର ମଉସା, ଟିକିଏ ଭଲ ଥିଲେ ଟେବୁଲ୍‌ ଝାଡ଼, ଚେୟାର ଝାଡ଼, ୟାକୁ ପୋଛ, ତାକୁ ସଫା କର । ସତରେ ତୁମକୁ ଆଉ ପାରିହେବନି । ଆରେ–ଇଏ କାହା ଫଟୋ ମଉସା । ବୋଧହୁଏ ଆପଣଙ୍କ ଝିଅର ।

 

ମୋ ଝିଅ ଅଳକା କଥା କହୁଛ । ନା ଡାକ୍ତର, ଇଏ ତା’ ମା ଚିରଦୁଃଖିନୀ ଛାୟାର ଫଟୋ । ଜାଣ ଡାକ୍ତର ଏଇ ଫଟୋଟି ଝାଡ଼ୁ ଝାଡ଼ୁ ଗୋଟିଏ ବଙ୍ଗଳା ଗୀତର ଦୁଇଧାଡ଼ି ମନେପଡ଼ି ଯାଉଛି–

 

‘‘ଜୀବନେ ଯାରେ କଉ ଦାଔନି ମାଲ,

ମରନେ କେନ ତାରେ ଦିତେ ଏଲେ ଫୁଲ’’,

 

ଜାଣ ଡାକ୍ତର, ଆତ୍ମା ବୋଲି ଯଦି କିଛି ଥାଏ, ତାହେଲେ ମୋର ଏଇ ଫଟୋ ଝଡ଼ା ଦେଖି ଆଉ ମୋ ପାଟିରୁ ଏଇ ଦୁଇଧାଡ଼ି ଶୁଣି ସେଇ ମୋର ଛାୟାର ଆତ୍ମା ବିଦ୍ରୂପର ହସ ହସୁଥିବ । ଆଉ ମନେମନେ କହୁଥିବ–‘‘ବିଧାତା ଅନେକ ଲୋକଙ୍କୁ ଷୋଳକଳାରେ ଗଢ଼ନ୍ତି । ମୋ ସ୍ୱାମୀଙ୍କୁ ବିଧାତା କିନ୍ତୁ ବତିଶ କଳାରେ ଗଢ଼ିଛନ୍ତି ।’’ ନହେଲେ ଏଇ ଘରେ ଯେବେ ତା’ର ଆତ୍ମା ଥାଏ ତା’ହେଲେ ହୁଏତ କିଛି ନ ଭାବି ବିଦ୍ରୂପର ହସ ନ ହସି ଦୁଃଖୀ ଆତ୍ମା ତା’ର ଘର ଛାଡ଼ି କିଛି ସମୟ ପାଇଁ ବାହାରକୁ ଚାଲିଯିବ । ସହିପାରିବନି ମୋର ଏତେ ଛଳା କଳା । କିନ୍ତୁ ବଶ୍ୱାସ କର ଡାକ୍ତର, ଅନୁତାପ ନିଆରେ ଅହୋରାତ୍ର ଅନ୍ତର ମୋର ଜଳୁଛି ପୋଡ଼ୁଛି । ଆତ୍ମା ତ ସବୁ ଦେଖିପାରେ, ଜାଣିପାରେ । ଛାୟାର ଆତ୍ମା କ’ଣ ମୋ ଭିତରଟାକୁ ଅନୁଭବି ପାରୁନଥିବ ? ସେ କ’ଣ ମୋତେ କ୍ଷମା ଦେବନି ? ଏଇ ପୃଥିବୀ ବକ୍ଷରେ ଦୁଃଖୀ ଛାୟା ମୋର ସୀତା ହେବାକୁ ମନ କରିଥିଲା, ଆଉ ସ୍ୱାମୀ ତା’ର ହେବ ରାମଚନ୍ଦ୍ର । ମୁଁ ରାମଚନ୍ଦ୍ର ହୋଇପାରେନା । ମୋ ମନ ଭିତରେ ତାଙ୍କୁଇ ଏକମାତ୍ର ସୋହାଗୀ କରି ରଖିପାରିନି, ମୋର ଯୌବନ ବୀଣାରେ ମୃଦୁ ଝଙ୍କାର ଉଠିଲାନି–ଯାହା ସେ ଭଲପାଉଥିଲେ । ସବୁ ତାରଗୁଡ଼ିକ ଝଙ୍କାର ଉଠିଲେ । ଡାକ୍ତର, ସେ ଝଙ୍କାର ନୁହେଁ । ସେ ଏକ ଆର୍ତ୍ତନାଦ ।

 

ଏଥର କନକ ନାରାୟଣ ଫଟୋଟିକୁ ଦୁଇ ହାତରେ ଜାବୁଡ଼ି ଧରିଲେ । ପରିବେଶକୁ ଭୁଲିଗଲେ । ବ୍ୟାକୁଳ ଭାବରେ ଫଟୋଟି ନିଜର କପୋଳ ଏବଂ ବକ୍ଷରେ ଘଷୁ ଘଷୁ କହିଲେ–କ୍ଷମା କର ଛାୟା, କ୍ଷମା କର । ମୁଁ ଜାଣେ ତୁମେ ମନେ ମନେ କହୁଥିବ ଯେ–ଏଇ ପୃଥିବୀରେ ଯେତେ ବୈଧ ଏବଂ ଅବୈଧ ରସ ସବୁ ତୁମେ ପାନ କରିଛ । କୌଣସି ବରଣ ମାନିନ । ଯୌବନ ମୃଦଙ୍ଗ ତୁମର ବାଜିନି କୌଣସି ଦେବାଳୟ ପ୍ରାଙ୍ଗଣେ, ଗାଇଲନି ଦିନେହେଲେ ଶ୍ରୀ ରାଧାର ଗୀତି-। ତୁମ ମୃଦଙ୍ଗର ତାଳେ ତାଳେ ଗାଇଲେ ବାରାଙ୍ଗନା, ତୁମ ମନ ଭରିଯାଇଥିଲା ସେଥିରେ । ତୁମେ ହୋଇଥିଲ ସୁଖୀ । ପରିପୂର୍ଣ୍ଣ ଆତ୍ମା ତୁମର ଆଜି କ୍ଷମା ଚାହୁଁଛି । କିନ୍ତୁ ମୁଁ ? ମୋର ଏଇ ଅତୃପ୍ତ ଅନାଦୃତ ଆତ୍ମା, ଦୁଃଖୀ ଆତ୍ମା ତୁମକୁ କ୍ଷମାଦେବ କିପରି କହିଲ ? ନବକିଶଳୟ ସଦୃଶ ମନଟି ଥିଲା ମୋର-। ସେଇ ମନ ମୋର ତୁମରି ଅନାଚାର ଅଗ୍ନିରେ ଜାଳିପୋଡ଼ି ପାଉଁଶ ହୋଇଯାଉଛି । ଆଉ ସେଇ ପାଉଁଶ ଭିତରୁ ତୁମେ ଖୋଜୁଛ କ୍ଷମାର ସବୁଜିମା । କାହୁଁ ପାଇବ ? –ପାଇବ ପାଇବ ଛାୟା । ମୁଁ ଯେ ତୁମର ସ୍ୱାମୀ । ଜନ୍ମଜନ୍ମାନ୍ତରର ସ୍ୱାମୀ । କୁହ କୁହ, କ୍ଷମା କରିଛ ବୋଲି ଥରେ କୁହ । ଉତ୍ତେଜିତ କନକ ନାରାୟଣ ଏଥର ଜ୍ଞାନ ହଲାଇଲେ ।

 

ମଉସା, ମଉସା, ନା, ତାଙ୍କର ଜ୍ଞାନ ନାହିଁ । ବୃଦ୍ଧ କନକ ନାରାୟଣଙ୍କ ପ୍ରଳାପରୁ ସବୁ ନ ବୁଝିଲେ ବି କିଛି କିଛି ବୁଝିଲେ, ଆଉ ବୃଦ୍ଧଙ୍କ ଦେହ ଖୋଳ ଭିତରେ ଗୋଟିଏ ଅଶାନ୍ତ ଦୁର୍ଦ୍ଦାନ୍ତ ଯୁବକକୁ ଦେଖିବାକୁ ପାଇଲେ ଡାକ୍ତର ମନୋରଞ୍ଜନ ।

 

ବହୁତ ଯତ୍ନ ପରେ ବୃଦ୍ଧଙ୍କର ଜ୍ଞାନ ଫେରିଲା । କହିଲେ–

 

ବୁଲୁ, ମୋତେ ଭାରି ଦୁର୍ବଳ ଲାଗୁଛି । ମୁଁ ଶୋଇବି ।

 

ବେଶ୍‌ ତ ଶୁଅନ୍ତୁ । ମୁଁ ପରେ ଆସିବି ।

 

ଅତି ଯତ୍ନର ସହିତ ବୃଦ୍ଧଙ୍କୁ ଦୁଇ ବାହୁଦ୍ୱାରା ତୋଳି ଆଣି ଖଟଉପରେ ଶୁଆଇ ଦେଲେ-। ଦେହରେ ଫୁଲ ପକା ଦାମୀ ଗ୍ରୀନ ରଙ୍ଗର କାଶ୍ମୀର ସାଲ ଘୋଡ଼ାଇଦେଲେ । ଭୀମକୁ ଡାକି କହିଲେ–ହଜୁରଙ୍କ ନିଦ ଭାଜିଲେ ଗରମ ଦୁଧ ଗିଲାସେ ପିଆଇଦେବୁ । ଆଉ ଯଦି ବ୍ୟସ୍ତ ହୁଅନ୍ତି ତାହେଲେ ଏଇ ମୋ ଫୋନ ନମ୍ବର ରଖିଥା । ଦରକାର ହେଲେ ଡାକିବୁ । ମୁଁ ସାଙ୍ଗେ ସାଙ୍ଗେ ଚାଲିଆସିବି । ବୁଝିଲୁ ।

 

–ବୁଝିଲି ଆଜ୍ଞା ।

 

କବାଟ ଦେଇଦେ ମୁଁ ଯାଏ ।

 

ଆଉ ଯଦି କିଛି ଖାଇବାକୁ ମାଗନ୍ତି ମୁଁ କ’ଣ ଦେବି ?

 

କିଛି ପାଉଁରୁଟି, ଟୋଷ୍ଟ, ଓମଲେଟ୍‌ ।

 

ଦୁଧ ମାଗିଲେ ଦୁଧ ଦେବୁ । ହଁ, ସବୁ ଗରମ ଗରମ ଦେବୁ । ଆରେ ଭୁଲିଯାଉଛି, ଟେବୁଲ ଉପରେ ଧଳା କାଗଜ ମୋଡ଼ା ଯେଉଁ ଟ୍ୟାବଲେଟ୍‌ ଦୁଇଟା ଅଛି ହଜୁର ଖାଇବା ପରେ ତାଙ୍କୁ ଗରମ ପାଣି ସହିତ ଖୁଆଇ ଦେବୁ । ମନେରହିବ ତ ?

 

ରହିବ ଆଜ୍ଞା ।

 

ରାତି ଦଶଟା ବାଜିଲା । ମୁଁ କାଲି ସକାଳେ ଆସିବି । ହଜୁରଙ୍କୁ କହିବୁ ମୁଁ ନ ଆସିଲାତକ ସେ ଖଟରୁ ଓହ୍ଲାଇନଥିବେ । କହିବୁ ଏକଥା ନ ମାନିଲେ ବୁଲୁବାବୁ ରାଗିବେ । ବୁଝିଲୁ-?

 

ବୁଝିଲି ଆଜ୍ଞା ।

 

ଚାରି

 

ଗେଟ ଭିତରେ ପଶୁ ନ ପଶୁଣୁ ଛୋଟପିଲାଟିଏ ଧାଇଁଆସିଲା । କହିଲା–ତୁମେ କିଏସେ ?

 

ଡାକ୍ତର ପଚାରିଲେ ତୁମେ କିଏସେ ?

 

ମୁଁ ଟୁଲୁ । ତୁମେ କିଏସେ କୁହ ?

 

ଡାକ୍ତର କହିଲେ–ମୁଁ କିଏ ତୁମେ କୁହ । ଦେଖିବା ତୁମର କେତେ ବୁଦ୍ଧି ।

 

କଜଳକଳା ଟଣାଟଣା ଆଖିଦୁଇଟି ମେଲି ଚାହିଁ ରହିଲା ଟୁଲୁ ଡାକ୍ତରଙ୍କ ମୁହଁକୁ । ଆଉ ଡାକ୍ତର ବେକରେ ଝୁଲୁଥିବା ଷ୍ଟେଥୋସ୍‌କୋପଟିକୁ ଦୁଇହାତରେ ନେଇ ଖେଳୁ ଖେଳୁ କିଛି ସମୟ ପରେ କହିଲା ତୁମେ ଡାକ୍ତର, ନୁହେଁ ? ଆଉ ତୁମେ ମୋ ଅଜାଙ୍କୁ ଦେଖିବାକୁ ଆସିଛ । ମୋ ଅଜା ଭଲ ଅଛନ୍ତି ।

 

ଡାକ୍ତର ପଚାରିଲେ, ତୁମେ କିପରି ଜାଣିଲ ତୁମର ଅଜା ଭଲ ଅଛନ୍ତି ବୋଲି ?

 

ବା’ରେ–ସେ ତ ହସି ହସି ମୋ ମାମିଙ୍କ ସହିତ କଥା କହୁଛନ୍ତି । ଯେଉଁମାନେ ହସନ୍ତି ସେମାନଙ୍କ ଦେହରେ କ’ଣ ଜ୍ୱରଥାଏ ? ସେଇଥିରୁ ମୁଁ ଜାଣିପାରିଲି ଅଜା ଭଲ ଅଛନ୍ତି ।

 

–ଆଚ୍ଛା କହିଲ ଯା’ର ଜ୍ୱରଥାଏ ସେ କ’ଣ କରେ ?

 

–ସେ ଖାଲି କାନ୍ଦେ । ମତେ ଦିନେ ଜ୍ୱର ହୋଇଥିଲା ଯେ ମୁଁ ଖାଲି କାନ୍ଦିଲି । ମାମି ବିରକ୍ତି ହେଲେ । ଆଉ ଆଜି ମାମି ଅଜାଙ୍କ ସହିତ ହସୁଛନ୍ତି । ଅଜାଙ୍କୁ ଜ୍ୱର ହୋଇଥିଲେ ମାମିତ ବିରକ୍ତ ହୁଅନ୍ତେ । ଆଉ ଥରକୁଥର କୁହନ୍ତେ–ବାପରେ ବାପ, ମୋ ଜୀବନଟାକୁ ଜଳାଇ ଖାଇଗଲେ-

 

ଆଚ୍ଛା ଡାକ୍ତର ବାବୁ ତୁମ ନାଁ କ’ଣ ?

 

ମୋ ନାଁ ବୁଲୁ ।

 

ବେଶ୍‌ ବେଶ୍‌ ବଢ଼ିଆ–କହି ଟୁଲୁ ଦୁଇହାତରେ ତାଳିବଜାଇ ନାଚିଗଲା ।

 

ଡାକ୍ତର ପଚାରିଲେ କ’ଣ ବଢ଼ିଆ ଟୁଲୁ ? ଏଇ ତୁମ ନାଁ ବୁଲୁ ଆଉ ମୋ ନାଁ ଟୁଲୁ । କି ମଜା ? କ’ଣ ବୋଲି ଡାକିବି ତୁମକୁ ?

 

ଡାକ୍ତର କୋଳକୁ ନେଲେ ଟୁଲୁକୁ, କହିଲେ ଟୁଲୁ ତୁ କ’ଣ ବୋଲି ଡାକିବୁ ମୋତେ କହିଲୁ ?

 

କ’ଣ ବୋଲି ପଚାରୁଛି ପରା ?

 

ମାମୁଁ ।

 

ସତରେ କି ମଜା । ମୋର ତିନିଟା ମାମୁଁ । ଅଜା ତ ଭଲ ଅଛନ୍ତି । ମୋତେ ନେଇ ଘରକୁ କାହିଁକି ଯାଉଛ ? ଏଇଠି ବସ ଖେଳିବା ।

 

ନା ଚାଲେ । ତୋ ମାମିଙ୍କୁ ଦେଖିଆସେ, ଅଜାଙ୍କୁ ଦେଖିଆସେ ।

 

ଅଜା, ଦେଖ କିଏ ଆସିଛନ୍ତି । ମୋ ମାମୁଁ ବୁଲୁ । ମାମି’ ତୁମେ ୟାଙ୍କୁ ଚିହ୍ନିଛ ? ଇଏ ହେଉଛନ୍ତି ଜଣେ ଡାକ୍ତର ? ଆରେ ମାମି ତୁମେ ଚାଲିଯାଉଛ କାହିଁକି ? ଏ ପରା ମୋ ମାମୁଁ ।

 

କନକନାରାୟଣ ଡାକିଲେ–ମା’ ଅଳକା, ତୁ ଯା’ନା, ଏ ତୋ ବଡ଼ଭାଇପରି । ଲାଜ କ’ଣ । ଅଳକା ନମସ୍କାର କଲେ ।

 

ଡାକ୍ତର ଆଶ୍ଚର୍ଯ୍ୟ ହେଲେ । ଅଳକା ଅବିକଳ ଛାୟାଦେବୀଙ୍କପରି । ମୁଣ୍ଡର କୁଞ୍ଚିକୁଞ୍ଚିଆ କେଶଠାରୁ ଯେ ପାଦର ନଖପର୍ଯ୍ୟନ୍ତ । ଆଖିଦୁଇଟି ଗଭୀର । ସତେଯେପରି ଭ୍ରମରକଳା ପାଣିଭରା ଦୁଇଟି ତଡ଼ାଗ । ଛାୟାଦେବୀଙ୍କ ଦେହର ବର୍ଣ୍ଣ କ’ଣ ଏହିପରି ଅଳକା ରଙ୍ଗର ଥିଲା । ଫଟୋରେ ଠିକ୍‌ ବୁଝିହୁଏନି । ଏହି ବର୍ଣ୍ଣ ଯୋଗୁଁ ହିଁ ବୋଧହୁଏ ଝିଅର ନାଁ ଦେଇଥିଲେ ଅଳକା । ସୁନ୍ଦର ନାଁଟି–ସାର୍ଥକ ନାଁଟି । ଡାକ୍ତରଙ୍କୁ ଚାହିଁରହିବା ଦେଖି ଅଳକା ବିବ୍ରତ ବୋଧକଲେ ।

 

କନକ ନାରାୟଣ କିନ୍ତୁ ହସିଲେ । କହିଲେ–ଡାକ୍ତର, କ’ଣ ଏତେ ମୁଗ୍‌ଧ, ବିସ୍ମୟରେ ତୁମେ ଚାହିଁ ରହିଛ ମୁଁ ଜାଣେ । ଛାୟାର ଏଇ ପ୍ରତିମୂର୍ତ୍ତୀଟିକୁ, ନୁହେଁ ? ହଁ ଅଳକା ଠିକ୍‌ ତା’ର ମା’ର ଅନୁରୂପ ।

 

ଡାକ୍ତରଙ୍କ ଚମକ ଭାଙ୍ଗିଗଲା । ଆଉ ଅଳକା ମା’ଙ୍କ ଫଟୋଆଡ଼େ ବିସନ୍ନ ଦୁଇଆଖି ତୋଳି ଚାହିଁରହିଲେ କିଛିସମୟ । ତାପରେ ଅନ୍ୟ ଘରଆଡ଼େ ଧୀରେ ଧୀରେ ଆଗେଇ ଯାଉ ଯାଉ କହିଲେ ବାପା, ଡାକ୍ତରବାବୁଙ୍କ ପାଇଁ ଚା ଜଳଖିଆ ଆଣେ । ସେ କେତେବେଳୁ ଆସିଲେଣି ।

 

ନିଶ୍ଚୟ । ସେ ବହୁତବେଳୁ ଆସିବଣି । ନଜାଣେ ତୋର ଏ ଟିକି ଡକେଇତଟା ତାଙ୍କୁ କେତେବେଳେ ଅଟକାଇଥିବ ବଗିଚାରେ । ଅଳକା ହସିଲେ । କହିଲେ–ସତେ ସେ ଭାରି ଦୁଷ୍ଟ ।

 

ଡାକ୍ତର କହିଲେ–ଭାରି ବୁଦ୍ଧିଆ ବି । ମୋ ବେକରେ ଥିବା ଏଇ ମଣିମୁକ୍ତାହୀନମାଳାଟି ଦେଖି ସାଙ୍ଗେ ସାଙ୍ଗେ କହିଦେଲି–ମୁଁ ଡାକ୍ତର । ତାପରେ ବଗିଚାରେ ହୋଇଥିବା କଥାଗୁଡ଼ିକ କହିଲେ । ସମସ୍ତେ ହସିଲେ । ଏମାନଙ୍କ ହସ ଦେଖି ଟୁଲୁ ହୁଏତ ରାଗିଥାନ୍ତା । କିନ୍ତୁ ସେ ସେତେବେଳେ ରୋଷେଇଘରେ ପଶି ଭୀମକୁ ଉପଦେଶ ଦେଉଛି–ଦେଖ, ସେ ହେଲେ ଡାକ୍ତର । ଟ୍ରେ’ଟା ଆହୁରି ପରିଷ୍କାର କର । ଜଳଖିଆ ବାଢ଼ିବା ପୂର୍ବରୁ ପ୍ଲେଟ୍‌ଗୁଡ଼ିକ ଭଲକରି ଧୋଇଛୁ ତ ? ଚା ରଙ୍ଗଟା ଏମିତି କାଳିଆ କାହିଁକି ଦିଶୁଛ । ମାମି ତ ଚାହା କରନ୍ତି କି ସୁନ୍ଦର ଦେଖାଯାଏ । ଅଳକା ପଶିଆସିଲେ ଘରକୁ । କହିଲେ–ଟୁଲୁ ତୁ ଏଠି କାହିଁକି ? ଭାରି ଦୁଷ୍ଟ ହେଲୁଣି, ରହ ତତେ ଦେଉଛି ଧରି ।

 

–ବା’ରେ । ଏ ଭୀମକୁ ତ କିଛିବୋଲି କିଛି ଆସୁନି । ମୁଁ ତ ତାକୁ ସବୁ ଶିଖାଇ ଦେଉଥିଲି । ତେବେଯାଇ ସେ କରିପାରୁଛି ।

 

–ହଉ, ହଉ, ବହୁତ ହେଲାଣି । ତୁ ଏବେ ଗଲୁ, ବଗିଚାରେ ଦେଖିବୁ ଯା, ଗନ୍ଧରାଜ ଗଛରେ କିମିତି ଯୋଡ଼ିଏ ବୁଲ୍‌ ବୁଲ୍‌ ଚଢ଼େଇ ଖେଳୁଛନ୍ତି । ଶୁଣୁଶୁଣୁ ଟୁଲୁ ନିଜେ ଗୋଟିଏ ଚଢ଼େଇପରି ସାଙ୍ଗେ ସାଙ୍ଗେ ବଗିଚାଆଡ଼େ ଉଡ଼ିଗଲା । ତା’ ଯିବା ବାଟକୁ ସସ୍ନେହ ଦୃଷ୍ଟିରେ ଚାହିଁ ରହିଲେ ଅଳକା ଓ ଭୀମ ।

 

ସମସ୍ତେ ଚାଲିଗଲା ପରେ କନକ ନାରାୟଣ କର ଲେଉଟାଇ ଚାହିଁଲେ ।–ଡାକ୍ତର ମୁଁ ଏଥର ଶଯ୍ୟାରୁ ଅବତରଣ କରିପାରେ କି ?

 

ଡାକ୍ତର ବିବ୍ରତ ବୋଧକଲେ । କହିଲେ–କି ଆଶ୍ଚର୍ଯ୍ୟ ! ଆପଣ ଏପର୍ଯ୍ୟନ୍ତ ଖଟରୁ ଓହ୍ଲାଇନାହାନ୍ତି ! ଉଠନ୍ତୁ, ଉଠନ୍ତୁ କହି ଡାକ୍ତର ନିଜେ ହାତଧରି ଓହ୍ଲାଇଦେଲେ । ମୁହଁ ଧୋଇବାର ସବୁ ସରଞ୍ଜାମ ହାତରେ ଧରିଲେ ଆଉ ଗୋଟିଏ ହାତରେ ବୃଦ୍ଧଙ୍କ ହାତଧରି ଚାଲିଲେ ବାଥରୁମ୍‍ଆଡ଼େ ।

 

ଡାକ୍ତରଙ୍କ ଆଡ଼େ ଦୁଇଟି ସ୍ନେହଝରା ଆଖିତୋଳି କିଛିସମୟ ଚାହିଁ ଠିଆ ହୋଇଗଲେ କନକ ନାରାୟଣ ।

 

ଡାକ୍ତର ପଚାରିଲେ–କିଛି କହିବେ ?

 

–ତୁମେ କେତେ କରୁଛ ମୋ ପାଇଁ ବୁଲୁ । ମୁଁ ତୁମକୁ ବହୁତ ହଇରାଣ କଲି । ଭୀମ କୁଆଡ଼େ ଗଲା ?

 

–ଭୀମ ବୋଧହୁଏ ଅଳକାଦେବୀଙ୍କୁ ସାହାର୍ଯ୍ୟ କରୁଛି । ଆଉ ମତେ ହଇରାଣ କରୁଛନ୍ତି ବୋଲି ଭାବୁଛନ୍ତି, କାହିଁକି ? ହଇରାଣ ନ ହେବାରୁ ଜଣେ ମନକଲେ ତାକୁ ହଇରାଣ କେହି କରାଇ ପାରିବେନି । ଆଉ ୟେ ତ ମୋର ଆନନ୍ଦର ହଇରାଣ । ଯାହା ମୁଁ ସ୍ୱଇଚ୍ଛାରେ ହେଉଛି । ହେଇ ଦୁଃଖ ପାଉନି ।

 

ବୃଦ୍ଧ ବାଥ୍‌ରୁମ୍‌ ଭିତରେ ପଶୁ ପଶୁ ଭାବିଲେ–ଏଡ଼େ ଉଦାର ଆଉ ପ୍ରଶସ୍ତ ମନ ନେଇ ପିଲାଟି କ’ଣ ତିଷ୍ଠିପାରିବ ଏ ଜଟିଳ ଦୁନିଆଁରେ । ଠିକ୍‌ ଏମିତି ମନ ଥିଲା ଛାୟାର । ସେଥିପାଇଁ ସିନା ଏଇ ସୁନ୍ଦର ପୃଥିବୀରୁ ତାକୁ ଶୀଘ୍ର ବିଦାୟ ନେବାକୁ ପଡ଼ିଥିଲା । କବି ଗୁରୁ କହିଥିଲେ–

 

‘‘ମରିତେ ଚାହିଁନା ଆମି ସୁନ୍ଦର ଭୂବନେ

ତଥାପି ସେ ମଲେ ।

‘‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି

ଦେବତା ହୋଇଲେ ମରଇ ।।’’

 

ମରିବାରେ ଆଶ୍ଚର୍ଯ୍ୟ କଥା କ’ଣ ଅଛି । ପୃଥିବୀର ସମସ୍ତ ସୌନ୍ଦର୍ଯ୍ୟ ଯେତେବେଳେ ମଣିଷର ଜ୍ୟୋତିହୀନ ଆଖିଆଗରୁ ଧୀରେ ଧୀରେ ଅପସରିଯାଏ, ବିହଗର କଣ୍ଠ ଗୀତି ଯେତେବେଳେ ମଣିଷର କର୍ଣ୍ଣ ବିବରରୁ ଧକ୍‌କା ଖାଇ ଫେରିଆସେ, ଯେତେବେଳେ ମଣିଷ ପାଖରେ ମଣିଷ ହୁଏ ଅନାବଶ୍ୟକ, ଠିକ୍‌ ସେତିକିବେଳେ ସ୍ୱଇଛାରେ ଅପାରଗ ଅଥର୍ବ କହେ–ପଳାଏ ପଳାଏ । ବହୁତ ଦେଖିଲି, ବହୁତ ଅନୁଭବ କଲି, ସ୍ପର୍ଶ କଲି । ଆଉ କାହିଁକି । ଭଗବାନ ମତେ ନେଇଯାଅ, ଯାହା ମୁଁ ଆଜି ନିଜେ ଚାହୁଁଛି । କିନ୍ତୁ ଛାୟା ମୋର ଚାଲିଗଲା କ’ଣ ପରିପୂର୍ଣ୍ଣ ହୃଦୟ ନେଇ ? ଆତ୍ମା ତା’ର କହିଥିଲା କ’ଣ ପଳାଏ ପଳାଏ ? ଏଇ ସୁନ୍ଦର ଭୂବନ କ’ଣ ତାକୁ ଅସହ୍ୟ ଲାଗିଥିଲା ? କିଏ ତାକୁ ବିଦାୟ ଦେଲା ଏଇ ପୃଥିବୀରୁ ?

 

–ମଉସା !

 

ସ୍ତବ୍‌ଧତାର ବୁକୁ ଚିରିଗଲା ଖଣ୍ଡ ଖଣ୍ଡ ହୋଇ । ସେଇ ଗୋଟିଏ ଡାକର ପ୍ରତିଧ୍ୱନିରେ ଅପରିସର ବାଥରୁମ୍‌ଟା ରିନ୍‌ ରିନ୍‌ ଶବ୍ଦ କରିଉଠିଲା । ଭାବନାମଗ୍ନି ବୃଦ୍ଧଙ୍କର ଚେତନା ଫେରିଲା । ମନେ ମନେ ଲାଜ ପାଇ ସେଇ ବାଥ୍‌ରୁମ୍‌ କବାଟ ଖୋଲି ବାହାରିଆସିଲେ । ସାମ୍ନାରେ ଡାକ୍ତର । ଟିକିଏ ଲାଜ ମିଶା ହସ ହସିଲେ । କହିଲେ–ଟିକିଏ ଡେରି ହୋଇଗଲା ବୁଲୁ ।

 

ଡାକ୍ତର ଗମ୍ଭୀର ହୋଇ କହିଲେ–ଆହୁରି ହୋଇଥାନ୍ତା । ସେକଥା ମୁଁ ଜାଣେ । ଆଉ ସେଇଥିପାଇଁ ଏପରି ଅଭଦ୍ର ଭାବରେ ଡାକିଦେଲି । କିଛି ଭାବିବେନି । ଆପଣ ମାଉସୀଙ୍କ କଥା ଭାବି ବସିଲେ କାଣ୍ଡଜ୍ଞାନ ହରାନ୍ତି ।

 

ଚମକିଉଠିଲେ କନକ ନାରାୟଣ । କିନ୍ତୁ ପଚାରିଲେନି ତୁମେ କିପରି ଜାଣିଲ ବୋଲି । ଖାଲି ଅଳ୍ପ ସମୟ ଠିଆ ହୋଇଗଲେ ।

 

ଡାକ୍ତର ତାଙ୍କ ମନକଥା ବୁଝିଲେ । କହିଲେ ଶୀଘ୍ର ଚାଲନ୍ତୁ । ଅଳକା ଦେବୀ ବୋଧହୁଏ ଡାଇନିଙ୍ଗ୍‌ ହଲରେ ଆମକୁ ଅପେକ୍ଷା କରିଛନ୍ତି । ଭୀମ କେତେବେଳୁ ଆସି ଆମକୁ ଖୋଜି ଗଲାଣି-। ଆସନ୍ତୁ ।

 

–ଡାକ୍ତର ତୁମେ ଅଦ୍ଭୁତ ।

 

ସମସ୍ତେ ଟେବୁଲ୍‌ ଘେରି ବସିଲେ । ଖାଇବା ଟେବୁଲ ପାଖରେ ବସି ବହୁଦିନ ପରେ କନକ ନାରାୟଣଙ୍କ ନିଷ୍ପ୍ରଭ ମୁହଁଟି ଝଲମଲ ହୋଇଉଠିଲା । ଭାରି ଖୁସି ହୋଇପଡ଼ିଲେ । ଅଳକା ଦେବୀଙ୍କ ମୁଣ୍ଡ ଆଉଁସୁ ଆଉଁସୁ, କହିଲେ–କେତେ କ’ଣ ରାନ୍ଧିଛୁ ମା’ ? କେତେଦିନ ଯେ ଏପରି ଖାଦ୍ୟ ଖାଇବା ଦୂରେ ଥାଉ ଦେଖିବି ପାରିବି । ସ୍ୱାଦ ବି ଚମତ୍କାର ହୋଇଛି । ନା କ’ଣ କହୁଛ ବୁଲୁ-। ତୁମକୁ ନିଶ୍ଚୟ ଭଲ ଲାଗୁଛି ।

 

ଡାକ୍ତରଙ୍କ ମୁହଁରେ ସମର୍ଥନର ସ୍ୱାକ୍ଷର । ଓଠରେ ତୃପ୍ତିର ହସ ।

 

ଅଳକାର ଶ୍ରମସାର୍ଥକ ମୁହଁରେ ଉଦୟସୂର୍ଯ୍ୟର ଆଭା ।

 

ଆଉ ଟୁଲୁ, ତାକୁ ଏ ସବୁ କିଛି ଭଲ ଲାଗୁନି । ସେ ମାମି ହାତରୁ ଏହାଠାରୁ ଉତ୍କୃଷ୍ଟ ପଦାର୍ଥ ଖାଇଛି । ଅଜାଙ୍କ ପରି ସେ ବିକଳିଆ ନୁହେଁ । ବର୍ତ୍ତମାନ ତା’ ମନ ପଡ଼ିଛି ଗେଟ୍ ଦରୱାନ୍ ଦେବକୀନନ୍ଦନ ପାଖରେ । କି ସୁନ୍ଦର ରାମା ହୋ ରାମା ହୋ ଗୀତ ସେ ଗାଉଛି । ଆଉ କି ସୁନ୍ଦର ତା’ର ଦେଶ୍‌ କି କାହାନୀ ଶୁଣାଉଛି । ଟୁଲୁ ବହୁତ ବେଳୁ ଗଲାଣି ।

 

କନକ ନାରାୟଣ ଶୋଇବା ଘରକୁ ଫେରିଲେ । ଅଳକା ଗାଧୋଇବାକୁ ଗଲେ ବୋଧହୁଏ । ଗୋଟିଏ ବୁଲାଣିଆ ରାସ୍ତାଦେଇ ଏ ଘରକୁ ଆସିଲାବେଳେ ଅଳକାଙ୍କ ଶୋଇବା ଘରର କିଛି ଅଂଶ ଦେଖାଯାଏ । ପ୍ରଶସ୍ତ ବାରଣ୍ଡାର ପୂରାପୂରି ମଧ୍ୟ । ଅଳକା ତାଙ୍କର ଲମ୍ବା କୁଞ୍ଚିତ କେଶରେ ବସି ବସି ତେଲ ଦେଉଥିଲେ । କି ତେଲ କେଜାଣି, ଅପୂର୍ବ ସୁଗନ୍ଧ । ଆଉ ତାଙ୍କର ପିନ୍ଧା ଶାଢ଼ିଟା କି ସୁନ୍ଦର ! ସନ୍ଧ୍ୟା ଆକାଶର ରଙ୍ଗ ସେଇ ଶାଢ଼ିର । ଆଉ ତା’ ଉପରେ ସରୁସରୁ ବାଉଁଶ ପତ୍ରର ଜାଲିଦିଆ ସବୁଜ ଛାପା । ରୂପ ତ ନୁହେଁ ଅପରୂପ । ଡାକ୍ତର ଆଖି ନୋଇଁଲେ । ଅଳକାଙ୍କର ସେ ରୂପ କାହାରି ବୁକୁରେ ଜ୍ୱାଳା ସୃଷ୍ଟି କରେନି । ଡାକ୍ତର ସେଥିପାଇଁ ଆଖି ନୁଆଁଇ ନାହାନ୍ତି । ସେ ଘର ଭିତରେ ପଶି ଯାଇଥିଲେ । ସାମ୍ନାରେ ପଡ଼ିଲା ପ୍ରକାଣ୍ଡ ମେହେଗାନି କାଠର ଗଦିଦିଆ ଚେୟାର । ବୃଦ୍ଧଙ୍କୁ ହାତ ଧରି ଧୀରେ ବସାଇଦେଲେ ଏବଂ ଭଲ କରି ପରୀକ୍ଷା କରି ଔଷଧ ଖୁଆଇଲେ । ଛାତିଟା ଭାରି ଦୁର୍ବଳ ହୋଇଯାଇଛି । ମଝିରେ ମଝିରେ ଜ୍ୱରଟା ତାଙ୍କୁ ଭାରି କଷ୍ଟ ଦିଏ । ତଥାପି ବହୁଦିନ ପରେ ବୃଦ୍ଧଙ୍କୁ ବଡ଼ ସରସ ଦେଖାଯାଉଥିଲା । ତାଙ୍କର ନିଃସଙ୍ଗ ଜୀବନର ପାତ୍ରକୁ ଭରି ଦେଇଥିଲେ ଅଳକା ଓ ଟୁଲୁ ସଙ୍ଗ ଦାନକରି । ଆହା ଏମାନେ ସବୁଦିନ ରହିପାରନ୍ତେକି !

 

ମଉସା ମୁଁ ଏଥର ଆସେ । ବହୁତ ସମୟ ରହିଗଲି । ଆପଣ ଆଜି ବହୁତ ସୁସ୍ଥ ଅଛନ୍ତି-

 

କନକ ନାରାୟଣ ହସି ହସି କହିଲେ ବୁଲୁ ବାବୁଙ୍କ ହାତ ବାଜିଲେ ମଲା ମଣିଷ ଜିଇଁଉଠିବ । ଆଉ ମୁଁ ତ କି ଛାର୍‌ ସଂଧ୍ୟାରେ ଆସୁଛ ତ ? –ନିଶ୍ଚୟ ।

 

ପାଞ୍ଚ

 

ଖାଇବା ପିଇବା ସରିଯାଇଛି । ପିତା ପୁତ୍ରୀ ବିଶ୍ରାମ ନେଉଥିଲେ । କନକ ନାରାୟଣ ଖଣ୍ଡେ ମାଗାଜିନ ପଢ଼ୁଥିଲେ । ଭାରି ସୁସ୍ଥ ବୋଧ କରୁଛନ୍ତି । ଜ୍ୱର ନାହିଁ ବିଲକୁଲ୍‌ । ଖାଦ୍ୟରସିକ କନକ ନାରାୟଣ ଝିଅ ହାତର ଅମୃତରନ୍ଧା ଖାଇଥିଲେ ପରିତୃପ୍ତ ହୋଇ ।

 

ଅଳକା ଗୋଟେ ସୋଏଟ୍‌ର ବୁଣୁଥିଲେ । ଅଧା ସୋଏଟରଟାକୁ ଆଣିଥିଲେ ବୋଧହୁଏ ସାଙ୍ଗରେ । ଟୁଲୁ ଶୋଇପଡ଼ିଥିଲା ।

 

କନକ ନାରାୟଣ ଆଖିମେଲି ଚାହିଁଲେ ଧ୍ୟାନମଗ୍ନା କନ୍ୟାଆଡ଼େ । ପଚାରିଲେ–ଝିଅ, ଦେଖିଲୁ ଡାକ୍ତରଙ୍କୁ । କିପରି ପିଲା କହିଲୁ ?

 

ଅଳକା ହସିଲେ । କହିଲେ–ବାପା ଗୋଟିଏ ଦିନର ଆଂଶିକ ସମୟ ମୁଁ ତାଙ୍କୁ ଦେଖିଛି-। ଆଉ ସେ କିପରି ପିଲା ମୁଁ କିପରି ଜାଣିବ ? ତେବେ ବେଶ୍‌ ଭଲବୋଲି ମନେହେଲା ।

 

ତୁ ଠିକ୍‌ କହିଛୁ ମା’ । ସେ ଭାରି ଭଲ ପିଲା । ସେପରି ପିଲା କୋଟିକରେ ଗୋଟିଏ ମିଳନ୍ତି । କାହିଁକି ନା, ମୁଁ ତ ତାକୁ ଚାରିମାସ ଧରି ଦେଖୁଛି । ମୋ ପାଇଁ ବହୁତ କଲା ।

 

–ବାପା ଡାକ୍ତର ହିସାବରେ ତାଙ୍କ ଅଭିଜ୍ଞତା ଏତେ ବେଶି ହୋଇନଥିବ । ତୁମେ ଏତେ ଭୋଗୁଛ, ଆଉ ତାଙ୍କ ହାତରେ ଚାରିମାସ ଧରି ରହିଲାଣି ବୋଲି କହୁଛ, ଅଥଚ ତୁମ ଅସୁସ୍ଥତାର କିଛି ମାତ୍ର ଉପଶମ ହୋଇଛି ବୋଲି ତ ମୋର ମନେହେଉନି । ବଡ଼ଭାଇ ଓ ସାନଭାଇଙ୍କ ସହିତ ମୁଁ ଆସିଥିଲି ପ୍ରାୟ ଛଅମାସ ତଳେ । ବରଂ ସେତେବେଳେ ତୁମେ ଟିକିଏ ଭଲ ଦେଖାଯାଉଥିଲ । ଆଉ ଏଥର ଆସି ଦେଖୁଛି ତୁମେ ଏକଦମ ଶୁଖିଯାଇଛ । ସୁନାପରି ଦେହ ବର୍ଣ୍ଣ ତୁମର କଳାପଡ଼ି ଗଲାଣି । ଏ ଯେପରି ଆସୁଛନ୍ତି ଆସନ୍ତୁ । ଆଉ ଜଣେ ଅଭିଜ୍ଞ ଡାକ୍ତର ଆସିଲେ ହୁଅନ୍ତାନି ? ତୁମ ପାଇଁ ମନ ମୋର ମୋଟେ ଭଲ ରହେନି ।

 

କାହିଁ ଦିଲ୍ଲୀ, ଆଉ କାହିଁ ଭୁବନେଶ୍ୱର । ତୁମକୁ ଛାଡ଼ି କେତେ ବାଟରେ ଯାଇ ରହିଲି କହିଲ ବାପା । ଦିଲ୍ଲୀରେ ଥିଲେ ମଧ୍ୟ ମନ ପଡ଼ିଥାଏ ଏଇ ଭୂବନେଶ୍ୱରରେ, ତୁମରି ପାଖରେ । କହୁ କହୁ କାନ୍ଦି ପକାଇଲା ଅଳକା । ମନ ହାଲୁକା କରିବାର ଅମୋଘ ଉପାୟ ହେଉଛି ଝିଅମାନଙ୍କର ଏଇ କାନ୍ଦ ।

 

କନକ ନାରାୟଣ ବ୍ୟସ୍ତ ହେଲେ । ଝିଅର ମଥାଟି ଆଣି ଛାତିରେ ଥାପିଲେ । କହିଲେ–ବାୟାଣୀ କି ତୁ । କାନ୍ଦୁଛୁ କାହିଁକି ? ଦେଖିବୁ ମୁଁ ଏଇ ଡାକ୍ତର ହାତରେ ଭଲ ହୋଇଯିବି । ତୁ ଦେଖିନୁ କାଲିଠାରୁ ମୋତେ ଜ୍ୱର ଆସୁନି, ଛାତିର କଷ୍ଟଟା ବି ନାହିଁ, ମୋ ଦେହ ଭାରି ଭଲ ଲାଗୁଛି ମୋତେ । ପ୍ରସଙ୍ଗ ବଦଳାଇବାକୁ ଯାଇ କହିଲେ–ସୂର୍ଯ୍ୟକାନ୍ତ ଭଲ ଥିଲା ମା’ ? ଇଞ୍ଜିନିୟର ମଣିଷ, ତାକୁ କ’ଣ ଛୁଟି ମିଳିବ । ଦେଖିବାକୁ ଭାରି ମନହେଉଛି ତାକୁ । ଆଉ ତୋ ଶ୍ୱଶୁର–କେଉଁଠାରେ ଅଛନ୍ତି, ତୋ ପାଖରେ ନା କଟକରେ ?

 

ଅଳକା ଆସ୍ତେ ଆସ୍ତେ ମଥା ତୋଳିଲେ । କହିଲେ ବାପା ତୁମେ ଭାରି ସିଆଣା । ଏଆଡ଼ୁ ସେଆଡ଼ୁ କହି ମୋତେ ଭୁଲାଇ ଦେଉଛ । ମୁଁ ତୁମର କୌଣସି କଥାର ଉତ୍ତର ଦେବିନି । ତୁମେ ଆଗ କୁହ ବଡ଼ ଡାକ୍ତର ଆଣିବ କି ନାହିଁ ?

 

ଝିଅକୁ ଶାନ୍ତ କରିବାକୁ ଯାଇ ବୃଦ୍ଧ କହିଲେ, ଆଛା ହେଉ ଏଥର ତୋରି କଥା ଶୁଣିବ । ତୁ କିନ୍ତୁ ଆଉ ଏପରି କାନ୍ଦିବୁନି । ତୁ କାନ୍ଦିଲେ ମୁଁ ବି କାନ୍ଦିବି । ସେଉଠୁ ଟୁଲୁଟା ହସି ହସି ଗଡ଼ିବ । ମୋତେ ଲାଜ ଲାଗିବ । ଦେଖିଲୁ ମା’ କେତେଟା ବାଜିଲା, ୬ଟା ବାଜିବାକୁ ଆଉ କେତେ ସମୟ ବାକି ।

 

ଅଳକା ମୁଣ୍ଡ ବୁଲାଇ ଓ୍ୱାଲ କ୍ଲକ ଆଡ଼େ ଚାହିଁଲେ । ସାଢ଼େ ଚାରିଟା ବାଜିଲାଣି । ଇସ୍‌ ସମୟ କେତେ ଶୀଘ୍ର ଚାଲିଯାଉଛି । ଆଉ ବାପା ସମୟ ନେଇ କାହିଁକି ଏତେ ବ୍ୟସ୍ତ ତା ବି ବୁଝିପାରିଲେ । ଡାକ୍ତରଙ୍କ ଆସିବା ସମୟ ହେଲାଣି କି ନାହିଁ ଏଇଆ ବାପା ଜାଣିବାକୁ ଚାହୁଁଛନ୍ତି । ଆଉ ଦେଢ଼ ଘଣ୍ଟା ପରେ ଡାକ୍ତର ଆସିଯିବେ । ବାପାଙ୍କ ସ୍ନେହ ଶୀତଳ ଝରଣାରେ ସ୍ନାନ କରିଛନ୍ତି ଡାକ୍ତର । ସାରାଦିନ ପରେ ଶ୍ରାନ୍ତ ଓ କ୍ଳାନ୍ତ ଡାକ୍ତର ସଂଧ୍ୟାରେ ଆସି କିଛି ସମୟ ବୁଡ଼ି ରହିବେ ସେହି ଝରଣାରେ । ଈର୍ଷା ବୋଧକଲେ ଅଳକା । ଭାବିଲେ ଆମର ଅନୁପସ୍ଥିତିରେ ବାପାଙ୍କ ସ୍ନେହ ସିଂହାସନ ଶୂନ୍ୟ ରହିଲା । ସେଇ ସୁଯୋଗ ନେଇ ଡାକ୍ତର ହେଲେ ରଜା । ମନ ହେଲା ଅଶାନ୍ତ ।

 

କିନ୍ତୁ ସେ ବୁଦ୍ଧିମତୀ, ଜ୍ଞାନବତୀ, ସ୍ନେହମୟୀ ମଧ୍ୟ । ସଙ୍ଗେ ସଙ୍ଗେ ମନର ପରିବର୍ତ୍ତନ ଆଣିଲେ । ଭାବିଲେ ଆହା ବାପା କେଡ଼େ ଏକୁଟିଆ । ଭାଇମାନେ ଓ ମୁଁ ସମସ୍ତେ ରହିଲୁ ଦିଲ୍ଲୀରେ-। ବାପାଙ୍କ ପାଖରୁ କାହିଁ କେତେ ଦୂରରେ । ଭାଇମାନେ ଦାୟୀତ୍ୱସମ୍ପନ୍ନ ଚାକିରି କରନ୍ତି-। ସେମାନେ ସହଜେ ଆସିପାରିବେନି । ନୂଆବୋହୂମାନେ ପାଳିକରି ବାପାଙ୍କ ପାଖରେ ରହିବାକୁ କେତେ ମନ କରିଥିଲେ । ବାପା କିନ୍ତୁ ନାହିଁ କରିଥିଲେ, କହିଥିଲେ ତୁମେମାନେ ମୋ ପୁଅମାନଙ୍କ ପାଖରେ ଥିଲେ ମୁଁ କେତେ ଆନନ୍ଦ ପାଇବି । ସେମାନେ ସେଠି ରହିବେ ଆଉ ତୁମେମାନେ ଏଠି ରହିବ, ତା’ ହୋଇପାରିବନି ମା’ । ଲକ୍ଷ୍ମୀ, ସରସ୍ୱତୀ ପରି ଦୁଇବୋହୂ କାନ୍ଦି କାନ୍ଦି ଫେରିଥିଲେ । ବାପାତ ମନ୍ଦ କଥା କହିନଥିଲେ । ସ୍ୱାର୍ଥପର ପରି ନିଜ କଥା ନ ଭାବି ସେଇମାନଙ୍କର ସୁଖ ଚିନ୍ତା କରି ଏପରି କହିଥିଲେ । ସେମାନେ ମଧ୍ୟ ବାପାଙ୍କୁ ଭାରି ଭଲପା’ନ୍ତି । କେତେ ଫଳ ମୂଳ ମୋ ହାତରେ ପଠାଇଲେ, କେତେ କାନ୍ଦିଲେ । ଭାଇମାନେ କେତେ ଦୁଃଖ କଲେ । ସେମାନେ ଆସିବେ ଆଉ ଦୁଇମାସ ପରେ । ମୁଁ ରହିବି ଆଉ ପନ୍ଦର ଦିନ ମୋଟେ । ତାପରେ ଚାଲିଯିବି । ବାପା ମୋର ଏକୁଟିଆ । ଡାକ୍ତର ନ ଆସିଲେ ବାପା କ’ଣ କରନ୍ତେ, କେତେ କଷ୍ଟ ପାଆନ୍ତେ । ଆହା ଡାକ୍ତର ଭଲ ଲୋକ । ଡାକ୍ତରମାନଙ୍କ ଯିବା ଆସିବାରେ କେତେ ହିସାବ ନିକାଶ । ଅଥଚ ତାଙ୍କର ସେ ସବୁ ନାହିଁ । ମୋ ବାପାଙ୍କୁ କେତେ ଭଲପାନ୍ତି । ଆଉ ମୋ ମନଟା କେତେ ଛୋଟ ଛି, ଛି ଇମ୍‌, ବହୁତ ବେଳ ହୋଇଗଲା । ଯାଏ ଦେଖେ ଭୀମ କୁଆଡ଼େ ଗଲା । ସେ ତ ଏଇକ୍ଷଣି ଆସିବେ-। କିଛି ଜଳଖିଆ କରିବାକୁ ପଡ଼ିବ । ଟୁଲ୍‍ଟାକୁ ସଫା କରିବାକୁ ପଡ଼ିବ । ସକାଳେ ଆଜି କେଡ଼େ ମଇଳା ଜାମା ପ୍ୟାଣ୍ଟ ପିନ୍ଧିଥିଲା । ଉଲ୍‌ ଆଉ କଣ୍ଟା ଦୁଇଟା ଯତ୍ନ କରି ଥୋଇଦେଇ ଚେୟାର ଉପରୁ ଉଠି ଠିଆହେଲେ ।

 

ମାଗାଜିନଟାରେ ଗୋଟିଏ କ’ଣ ଭଲ କଥା ଥିଲା ବୋଧହୁଏ, ସେଥିପାଇଁ ଲକ୍ଷ୍ୟ କରିନାହାନ୍ତି ବୃଦ୍ଧା କନ୍ୟା ତାଙ୍କର ହାତ ଦୁଇଟି ବୁଣାରୁ ବନ୍ଦ କରି କେତେବେଳୁ ଅନ୍ୟମନସ୍କା ହୋଇ ବସିଛନ୍ତି । ଟେବୁଲ୍‌ ଉପରେ ଉଲ୍‌ବୁଣା କଣ୍ଟାର ଠୁକ୍‌ଠାକ ଶବ୍ଦ ଶୁଣି ଆଖି ତୋଳି ଝିଅଆଡ଼େ ଚାହିଁ କହିଲେ–ଉଠିଲୁ ମା’ ? ଦେଖତ କେତେଟା ବାଜିଲା । ଡାକ୍ତରର ଆସିବା ବେଳ ହେଲାଣି । ଅଳକା ହସିଲା ମୁକ୍ତାଝରା ହସ । କହିଲେ–ବାପା ତୁମର ଏ ଡାକ୍ତରଙ୍କ ପ୍ରତି ସ୍ନେହ ଦେଖି ମୋର ଈର୍ଷାହେଉଛି । ବୃଦ୍ଧ ହସିଲେ, କହିଲେ–ମିଛ କଥା, ମୋ ଝିଅ କାହାକୁ ହିଂସା କରେନି । ମୋ ଝିଅ କୋଟିକରେ ଗୋଟିଏ ।

 

ଅଳ୍ପ ସମୟ ଆଗର କଥା ଭାବି ଅଳକା ମନେ ମନେ ଲାଜ ପାଇଲେ । କାଳେ ମୁହଁ ଦେଖି ବାପା ଜାଣିପାରିବେ ଯେ ସତରେ ଝିଅ ତାଙ୍କର କିଛିକ୍ଷଣ ଆଗେ ଈର୍ଷାରେ ଜଳିପୋଡ଼ି ଯାଉଥିଲେ । ସେଥିପାଇଁ ତର ତର ହୋଇ ପଳାଇ ଯାଉ ଯାଉ କହିଲେ–ବାପା, ମୋର ବହୁତ କାମ ଅଛି, ମୁଁ ଯାଉଛି । ଏଇକ୍ଷଣି ଟୁଲୁକୁ ତୁମ ପାଖକୁ ପଠାଇ ଦେବି । ତୁମେ ସେ ବହିଟା ପଢ଼ୁଥାଅ । ବୃଦ୍ଧ କରୁଣ ଆଖିରେ ଚାହିଁ ରହିଲେ ଝିଅର ଯିବା ବାଟକୁ । ତାଙ୍କୁ ଟିକିଏ ଖୁସି କରିବାକୁ କେତେ ଚେଷ୍ଟା କରୁଛ ଝିଅ । ଟୁଲୁକୁ ପଠାଇ ମୋତେ ବ୍ୟସ୍ତ ରଖିବାକୁ ଚାହୁଁଛି । ଛାୟାର ଗର୍ଭଜାତ ଯେ–ଏପରି ହେବ ତ ।

 

ଛଅ

 

ସୁନ୍ଦର କମ୍ପାଉଣ୍ଡ ଘେରା ଘରଟିଏ । ଘରର ଚାରିପଟ ଘେରି ଫୁଲ ଓ ଫଳ ବଗିଚା । ଫଳ ବଗିଚାଟି ଘରର ପଛପଟକୁ, ଆଉ ସାମ୍ନାରେ ଫୁଲ କିଆରି । ସୁର୍କୀଢଳା ଲାଲ ରାସ୍ତାଟି ଲମ୍ବିଯାଇଛି ଗେଟ୍‌ଠାରୁ ଘରର ପାହାଚ ପର୍ଯ୍ୟନ୍ତ । ଡାକ୍ତର ତରତର ହୋଇ ଗେଟ୍‌ ଖୋଲିଲେ । ଭିତରକୁ ପଶି ଯାଉ ଯାଉ ହାତ ଓଲଟାଇ ଘଡ଼ି ଦେଖିଲା । ଇସ୍‌, ସାଢ଼େ ବାରଟା ହେଲାଣି । ବାପା, ବୋଉ, ତନୁ–ସମସ୍ତେ ବସିଥିବେ ମୋରି ଅପେକ୍ଷାରେ । ବଡ଼ ଡେରି ହୋଇଗଲା । ଏ ରଘୁ–ଏ ଗୁଡାକ କ’ଣ କିରେ ?

 

ଆଜ୍ଞା ମାଛ କାତିଗୁଡାକ । ଅପା କହିଲେ, ସେ ନୂଆ ଗୋଲାପ ଗଛ ମୂଳେ ପୋତି ଦେବାକୁ ।

 

ଅପା କଲେଜରୁ ଆସିଲେଣି ? ହଇରେ ବାପା ଖାଇଲେଣି ?

 

ଆଜ୍ଞା, ଆପଣ ନ ଆସିଲେ ବାପା କେଉଁଦିନ ଖାଆନ୍ତି ? ଖବରକାଗଜ ପଢ଼ୁଛନ୍ତି ବସି-

 

ଡାକ୍ତର ବିରକ୍ତି ମନ ନେଇ ଆଗେଇ ଗଲେ । କେତେଥର କହିଛି–ବାପା, ମୋର ଡେରି ହୋଇଯାଉଛି, ଆପଣ ଖାଇନେବେ । ନା, ନହେଲା, ସେଇ ଗୋଟେ କଥା–ତୁ ମୋ ସାଙ୍ଗରେ ନ ବସିଲେ ମୁଁ ଖାଇବି କେମିତି । ତୋର ଡେରିହୋଇ ହୋଇ ଖୁବ୍‌ ହେଲେ ଦୁଇଟା ବାଜିବ । ହଉ ମୁଁ ରହିପାରିବି, ତୁ ବ୍ୟସ୍ତ ହୋ’ନା । ସକାଳୁ ପାଟି ଆଁ କଲେ ଖାଦ୍ୟ ଦିଶିବା ପର୍ଯ୍ୟନ୍ତ ତୋ ବୋଉ ମୋତେ ଖୁଆଇଥାନ୍ତି । ଆଉ ଦୁଇଟା ପର୍ଯ୍ୟନ୍ତ ନ ରହିପାରିବାର କି କାରଣ ଅଛି କହିଲୁ ?

 

ବାପା ଭାରି ପରିହାସ ପ୍ରିୟ । ଏହିପରି କଥା କହି ଅଝଟିଆ ଭାଇ ଭଉଣୀ ଯୋଡ଼ିକୁ ପିଲାଦିନୁ କୋଳରୁ କାଖରେ ମଣିଷ କରିଆଣିଲେ । ଏ ବୟସରେ ବି ଆମକୁ ଏହିପରି କଥା କହି ଶାନ୍ତ କରନ୍ତି, ହସାନ୍ତି । କେବେହେଲେ ଦିନେ ମାରିନାହାନ୍ତି କି ଗାଳି ଦେଇନାହାନ୍ତି । ଆଉ ବୋଉ ଛୋଟ, ମଣିଷଟି, ଆମରି ସୁଖ ତା’ରି ସୁଖ, ଆମରି ଦୁଃଖ ତା’ରି ଦୁଃଖ । ଖାଲି ଗୋଟିଏ କଥା ତା’ର ନିଜସ୍ୱ–ରାଗ ଦୁଃଖ ଅଭିମାନ ।

 

–ଏ ତନୁ କେତେବେଳୁ ଆସିଲୁଣି ? ବୋଉ କ’ଣ କରୁଛି ? ତମକୁ ସବୁ ଭାରି ଭୋକ ହେବଣି ନୁହେଁ ? ସତରେ ଭାରି ଡେରି ହୋଇଯାଉଛି ।

 

ଆଚ୍ଛା ଭାଇନା–ତୁମକୁ ସେ ବୁଢ଼ା ଶୁଆ କଟର କଟର ଶୁଣିବାକୁ ଏତେ ଭଲଲାଗୁଛି କାହିଁକି ? ସେଠିକି ଗଲେ ଆଉ ତ ଫେରିବାକୁ ଚାହୁଁନ ।

 

ତନୁ–ବୋଲି ଗର୍ଜିଉଠିଲେ ଡାକ୍ତର ମନୋରଞ୍ଜନ । ଦୁଇଦିନ କଲେଜ ଯାଇଛୁ କି ନାହିଁ ଏହାରି ଭିତରେ ଏତେ ଫାଜିଲ ହୋଇଯାଉଛୁ । ଭୁଲିଯାଆନା ରିଟାୟାର କଲେ ମଧ୍ୟ ତୁ ନିଜ ଦିବ୍ୟେନ୍ଦୁ ମିଶ୍ରଙ୍କ ଝିଅ । ଆମ ବଂଶରେ ଯେ ଏପରି କଥା କିଏ କୌଣସି ଗୁରୁଜନଙ୍କୁ ନେଇ କହିପାରେ, ଏ ଧାରଣା ମୋର ନ ଥିଲା । ଭଦ୍ରହେବାକୁ ଶିଖ୍‌, ନହେଲେ କଲେଜ ଛାଡ଼୍‌ ।

 

ମନୁ, ସେ ନଖାଇ, ନ ପିଇ, ବସିଛି ତୋ ବାଟଚାହିଁ, ତୋ ସାଙ୍ଗରେ ଖାଇବ ବୋଲି, ଆଉ ତୁ ସିଆଡ଼ୁ ଆସି ତାକୁ ଗାଳିଦେଲୁ କାହିଁକି ?

 

ପଚାର ତୁମ ଗେହ୍ଲା ଝିଅଙ୍କୁ । କାହିଁକି ଗାଳିଦେଲି । ଏ ଘରେ ସେ ଅଭଦ୍ରାମି ଚଳିବନି । କହିଦେଉଛି, ହଁ ।

 

ଦିବ୍ୟେନ୍ଦୁ ପୁଅ ପାଟି ଶୁଣି ଦୋତାଲା ଉପରୁ ଓହ୍ଲାଇଆସିଲେ । ପାହାଚ ଉପରେ ଠିଆହୋଇ ସବୁ ଶୁଣୁଥିଲେ । ମନେ ମନେ ଝିଅପ୍ରତି ଅସନ୍ତୁଷ୍ଟ ହେଲେ । ଆସ୍ତେ ଆସି ପୁଅପିଠିରେ ହାତରଖି କହିଲେ–ଚାଲ–ଲୁଗାପଟା ବଦଳାଅ । ତନୁ ଗଲା କୁଆଡ଼େ ? ତନୁ...ହେ ତନୁ...

 

ଅପରାଜିତା କହିଲେ–ସେ ବୋଧେ ତା’ ଶୋଇବାଘରେ ପଶିଛି । ଭାରି ନାକ କାନ୍ଦୁରୀ, ଟିକିଏ କଥାରେ କାନ୍ଦ । ମୁଁ ବାବା ତାକୁ ପାରିବିନି, ତୁମେ ଯାଇ ଡାକ ।

 

ତନୁ ସେତେବେଳେ ଖଟଉପରେ ମୁହଁମାଡ଼ି ଶୋଇ ଫୁଲି ଫୁଲି କାନ୍ଦୁଛି । ଭାଇ ଭଉଣୀଙ୍କର ସବୁବେଳେ ଖିଟିମିଟି ଲାଗିଥାଏ ଆଜିକାପରି । କିନ୍ତୁ, କେଉଁଦିନ ହେଲେ ଭାଇଙ୍କର ଏପରି ମୁର୍ତ୍ତୀ ଦେଖିନଥିଲା ତନୁ । ତେଣୁ ଆଜି ତାକୁ ଭାରି କାଟିଛି ।

 

ଦିବ୍ୟେନ୍ଦୁ ସସ୍ନେହରେ ଝିଅ ପିଠିରେ ହାତଦେଇ ଡାକିଲେ–ମା’, ଆଇଲୁ, ଖାଇବୁ ବଡ଼ଭାଇ ଉପରେ ଏପରି ରାଗକରି କାନ୍ଦନ୍ତି ? ଆଇଲୁ ମା’, ଚଞ୍ଚଳ ଆ ।

 

ନା, ମୁଁ, ଖାଇବିନି । ମୁଁ ତ ଅଭଦ୍ର, ପୁଣି ଫାଜିଲ୍‌, ମୁଁ ତ ଜମା ଖାଇବିନି । ମୋତେ କାହିଁ ସେ ସେମିତି କହିଲେ । ମୁଁ ତ କିଛି କହିନି ।

 

–ଯାହା କହିଛୁ, ସେତକ କହିବା ଉଚିତ ହୋଇନି ମା’ ତୋର ।

 

–ନ ହେଲେ ନାହିଁ, ମୁଁ ତ ଖାଇବିନି, ତୁମେ ଗଲ ।

 

–‘‘ଖାଇବି ନାହିଁ ଖାଇବି ନାହିଁ

କରିଛି ଆଜି ରାଗ

ଖାଇବି ମୁହିଁ ତୁମର ଭାଇ

କାଟିଲେ ନାକ ଆଗ ।।’’

 

ଦିବ୍ୟେନ୍ଦୁ ହସି ହସି କହିଲେ–ଚାଲେ, ଭାଇକି ଏଇ କଥାଟି ଶୁଣାଇ ଦେବୁ । ତାପରେ ଭାଇ ଡରିଗଲେ ତୋତେ ଖୋସାମତି କରି ଖୁଆଇବ । ସେତେବେଳକୁ ଜିତା ଆଉ ମନୁ ଆସୁଥିଲେ ତାଙ୍କମାନଙ୍କୁ ଡାକିବାକୁ । ଏତକ ଶୁଣି ସେମାନେ ହସିବ ପୂର୍ବରୁ ତନୁଶ୍ରୀ ହସି ହସି ଗଡ଼ିଗଲା । ମନୋରଞ୍ଜନ ପେଟେ ହସନେଇ ଲେଉଟିଗଲେ ଡାଇନିଙ୍ଗ୍‌ ହଲକୁ । ଜିତା ବି ହସି ହସି ଘୁଞ୍ଚିଗଲେ ।

 

ଦିବ୍ୟେନ୍ଦୁ ପୁଣି ଡାକିଲେ ଝିଅକୁ ।–ଚାଲେ ଚାଲେ, ମୋତେ ଭାରି ଭୋକ କଲାଣି । ଆସି ଗୋଟାକ ଉପରେ ହେଲାଣି । ଚାଲ ତୁ ଭାଇକୁ ସେଇଆ କହିବୁ ।

 

ଗାଲଫୁଲାଇ ତନୁଶ୍ରୀ କହିଲା–ହଁ, ଏଇଆ ତ ଖାଲି କହିବି । ହଉ ଚାଲ ।

 

–ତନୁ, ତୁ ରାଗିଛୁ ମୋ ଉପରେ ?

 

ତନୁ ଭାଇ କଥାର ଉତ୍ତର ଦେଲାନି ।

 

ମନୁ କହିଲେ–ନହେଲେ ବାପା ଯାହା ମୋତେ କହିବାକୁ କହୁଥିଲେ ତୁ ସେଇଆ କହୁନୁ ।

 

ଏଥର ତନୁ ହସିଉଠିଲା । କହିଲା–ସତେ, ବାପା କେମିତି କେଡ଼େ ଶୀଘ୍ର ପଦକୁ ପଦଯୋଡ଼ି ଦିଅନ୍ତି କହିଲ ଭାଇନା ? ବାପା ତୁମେ କିମିତି ଏପରି କରିପାର ।

 

ଜିତା କହିଲେ–ଖାଲି ଏତିକି କରିପାରନ୍ତି କ’ଣ, ତୁମପରି ପୁଅଝିଅ ଥିଲେ ଆହୁରି କେତେ କ’ଣ କରିବାକୁ ପଡ଼ିବ ।–ମନୁ ତରକାରୀ କେମିତି ହୋଇଛିରେ ?

 

ସବୁ ଭଲ ହୋଇଛି ବୋଉ । କିନ୍ତୁ ତୁମେ କେତେ ଖଟୁଛ, ଗ୍ରୋଟେ ପୂଜାରୀ ରଖି ତାକୁ ବତାବତି କରିଦେଲେ ହୁଅନ୍ତାନି ?

 

ଜିତା ମୁହଁ ଭାରିକରି କହିଲେ–ନ ହେବ କାହିଁକି । କିନ୍ତୁ, ତୋ ଜିଦ୍‌କୁ ମୋ ଜିଦ । ଦେଖିବା କିଏ ଜିତୁଛି । ତୁ ଯେତେଦିନ ମୋତେ ଗୋଟେ କୁନିବୋହୂ ନ ଆଣିଦେବୁ ସେତେଦିନଯାକ ମୁଁ ରୋଷେଇଘରେ ପଡ଼ିଥିବି ।

 

–ହଉ ପଡ଼ିଥାଅ । ଆମକୁ ବି ଭଲ ସୁବିଧା ।

 

ନାଇଁମ ବୋଉ, ଭାଇନା ଏଇନେ କାହିଁକି ବାହାହେବେ । ବିଚରା ନୂଆବୋଉ ଆସିଲେ ଖାଇବାବିନା ମରିଯିବେ । ଦିନ ଦୁଇଟାପର୍ଯ୍ୟନ୍ତ ୟାଙ୍କୁ ଚାହିଁ ଚାହିଁ ତାଙ୍କର ନାଡ଼ା ଉଠିବ । ସେଉଠୁ ତାଙ୍କ ସେବା କରିବାକୁ ପଡ଼ିଲେ ଡାକ୍ତର ବାବୁଙ୍କୁ ଘରେ ଅଟକି ରହିବାକୁ ପଡ଼ିବ । ବାହାର ବୁଲାଟି ବନ୍ଦ ହୋଇଯିବ । ନୁହେଁ ଭାଇନା ?

 

–ପେଟ ତ ଜଳୁଥିଲା । ଜାଣିଲ ବୋଉ । ଯେମିତି ଗଣ୍ଡେ ପଡ଼ିଗଲା ସେମିତି ବାହାରି ପଡ଼ିଲେ ଧନୁର୍ଦ୍ଧର ବୀରବର ରଣ କରିବାକୁ ଭାରି କଜିଆଖୋରଣୀ ।

 

ଦିବ୍ୟେନ୍ଦୁ କହିଲେ–ବୀରବର ନୁହେଁ, ତତେ ତ କଥାକହି ଆସେନି ବୋଲି ସେ ତୋ ଉପରେ ରାଗେ ।

 

ତନୁ ମୁହଁ ଭାରିକରି କହିଲା–ତାଙ୍କୁ ନ ଆସିଲେ ତୁମେ ତ ଶିଖାଇ ଦେବାକୁ ଅଛ ବାପା-। ମୁଁ ଜାଣେ ଯେ ମୋଠୁ ତୁମେ ଭାଇନାକୁ ବେଶୀ ଭଲପାଅ । ବୋଉ, ମୁଁ ଆଉ ଖାଇବିନି-

 

ବଡ଼ ବ୍ୟସ୍ତହେଲେ ଜିତା । କହିଲେ–ଆଉଦିଟା ଖାଇଲୁନି ମା’ ! ଏ ବାପପୁଅ ଏକାଠି ହେଲେ ମଣିଷକୁ ବଡ଼ ବିରକ୍ତ କରିପକାନ୍ତି ।

 

ମନୋରଞ୍ଜନ ଗାଲଫୁଲାଇ କହିଲେ–ବୋଉ, ତୁମେ ମୋଠୁ ଝିଅକୁ ବେଶୀ ଭଲପାଅ । ମୁଁ ଜାଣେ ଯେ ।

 

ତନୁ ବୁଝିଲା ତା’ର କଥାଟି ଭାଇନା ତାକୁ ଫେରାଇଦେଲେ । ବେଶିନ୍‌ରେ ହାତ ଧୋଉ, ଧୋଉ କଣେଇ କଣେଇ ଭାଇନାକୁ ଚାହିଁଲା । ଭାଇନା ବି ସେତକ କହିଦେଇ ତାରି ଆଡ଼କୁ ଚାହିଁଥିଲେ । ଦୁଇ ମୁହଁ ଏକାଠି ହୋଇଗଲାରୁ ଦୁହେଁ ହସିଉଠିଲେ ।

 

ବାପା କହିଲେ–ରକ୍ଷାହେଲା, ମେଘ ଭାଙ୍ଗି ଗଲା । ତନୁ ଚାଲିଗଲା । ବୋଉ ବି ଚାଲିଗଲେ । ପିତା ଓ ପୁତ୍ର ପ୍ରତିଦିନ ଖାଇସାରି ହାତଧୋଇ ସେଇଠି ଟିକେ ବସନ୍ତି । ଆଜି ବି ବସିଲେ । ଦିବ୍ୟେନ୍ଦୁ ପଚାରିଲେ–ଚୌଧୁରୀ କିପରି ଅଛନ୍ତି ?

 

ଦିନେ ଯାଇ ପରିଚୟ କରିଆସିବି ବୋଲି ଆଉ ଦେଇପାରୁନି । ଭଦ୍ରଲୋକ ଭାରି ଭଲ ମଣିଷ, ନାରେ ? ଆଉ କୁଆଡ଼େ ଯାଇଥିଲୁ ଆଜି ?

 

ହଁ ବାପା ସେ ଭାରି ସ୍ନେହଶୀଳ, ମୋତେ ଭାରି ଭଲପା’ନ୍ତି, ଯିବାକୁ ଡେରିହେଲେ ଭାରି ବ୍ୟସ୍ତ ହୋଇପଡ଼ନ୍ତି ।

 

ଦିବ୍ୟେନ୍ଦୁ ହସିଲେ । କହିଲେ–ବୁଝିପାରୁଛି । ଆଉ କୁଆଡ଼େ ଯାଇଥିଲୁ ?

 

(ହଁ ଆଉ ଦୁଇଟି ଜାଗାକୁ ଯାଇଥିଲି । କଲ୍ ପାଇଥିଲି । ସେଥିପାଇଁ । ଡେରିହେଲା) ମନୋରଞ୍ଜନ ଟଙ୍କା ପଇସା ଯାହା ଯେଉଁଠୁ ପାଆନ୍ତି, ବୋଉଙ୍କୁ ଦେଇଦିଅନ୍ତି । ବାପା ସେସବୁ ଖବର ନିଅନ୍ତିନି ।

 

ଦିବ୍ୟେନ୍ଦୁ କହିଲେ–ଚାଲ ଏଥର ଉଠିବା । ମନୁ କହିଲେ–ହଁ ବାପା ଟିକିଏ ଶୋଇପଡ଼ନ୍ତୁ ଯାଇ ।

 

ସାତ

 

ଦେବକୀନନ୍ଦନ ମାଳି କାମ ବି କରେ ଗେଟ୍‌ ବି ଜଗେ । ବହୁତ ପୁରୁଣା ମଣିଷ । ଚୌଧୁରୀଙ୍କୁ ଭଲପାଏ । ମଝିରେ ମଝିରେ ଦେଶକୁ ଯାଏ । ଭୀମ ବି ବହୁତ ଦିନର । ଅଳକାର ଦୁଇବର୍ଷବେଳୁ ଆସି ଭୀମ ଏଠି ଅଛି । ତାକୁ ସେତେବେଳେ ଦଶବର୍ଷ । ମା’ ବାପ ନ ଥିବା ଦୁଃଖୀପିଲାଟି, ରହୁ ରହୁ ରହିଗଲା । ତାପରେ ଚୌଧୁରୀଏ ତାକୁ ବାହାକରାଇ ଦେଇଥିଲେ । ଘରର ପଛପଟ ବଗିଚାର ଉତ୍ତରକୋଣକୁ ତାପାଇଁ ଘରଟିଏ ବି ତୋଳି ଦେଇଥିଲେ । ବୋହୂଟି ସେଇଠିଥାଏ । ଧୀର ଶାନ୍ତ ମଣିଷଟି । ଚୌଧୁରୀଏ ବୋହୂ ମୁହଁ ଦେଖି ସେଦିନ ସୁନାହାର ସୁନାବଳା ଦେଇଥିଲେ । ବାସ୍‌ ସେତିକି । ଏ ଦୁଇବର୍ଷ ଭିତରେ ଆଉଦିନେ ତାକୁ ଦେଖିନାହାନ୍ତି । ଆହା, ବିଚାରୀର ପିଲାପିଲି କିଛି ହୋଇନାହାନ୍ତି । ଭୀମ ବିଶ୍ୱସ୍ତ, ନିର୍ଭରଶୀଳ । ଏକାଧାରରେ ଚାକର, ପୂଜାରୀ ସବୁକିଛି । ଆଉ ଯେତେଥିଲେ, ସମସ୍ତଙ୍କୁ ବିଦାୟ ଦେଇଛନ୍ତି । ନିଃସଙ୍ଗ ଜୀବନ ବେଳେବେଳେ ଦୁର୍ବିସହ ଲାଗେ । ବଚାଳ ଅତୀତ ରାକ୍ଷସ ରୂପଧରି ସାମ୍ନାରେ ଆସି ଉଭାହୁଏ । ଛାତି ଥରିଉଠେ । ଡାକଛାଡ଼ନ୍ତି–ଦେବକୀ, ଭୀମା ।

 

ଦୁଇଜଣ ଆସି ହାତଯୋଡ଼ି ଛିଡ଼ା ହୁଅନ୍ତି ପାଖରେ । ତାପରେ ଚାଲେ ଅବାନ୍ତର ପ୍ରଶ୍ନ ଘଣ୍ଟାଘଣ୍ଟା ଧରି ।

 

ଆଖିବୁଜିଲେ ଆସନ୍ତି ଛାୟା । ରୁକ୍ଷିଲା କବରୀରେ ଶୁଖିଲା ମଲ୍ଲିମାଳ । ଆଖିପଲ୍ଲବରୁ ଝରୁଛି ମୁକ୍ତାପରି ଅଶ୍ରୁଧାରା । ଷୋଳବର୍ଷଧରି ଏହିପରି ପ୍ରତି ରାତ୍ରରେ ଆସି କନକ ନାରାୟଣଙ୍କ ମୁଦିଲା ଆଖିଆଗରେ ଉଭାହୁଅନ୍ତି ନିର୍ବାକ୍‌ ନିଶ୍ଚଳ ହୋଇ । ଯେତେ ଅଭିମାନ ଯେତେ ଅଭିଯୋଗ–ସବୁ ପ୍ରକାଶପାଏ ସେଇ ଆଖିରେ । ଆହା ଅପୂର୍ବ ଥିଲା ତାଙ୍କର ସେହି ଭ୍ରମରକୃଷ୍ଣ ଆଖିଯୋଡ଼ିକ ।

 

–ଅଜା !

 

ପାହାନ୍ତି ବିହଗର ସ୍ୱରମୂର୍ଚ୍ଛନାରେ ନିଦ ଭାଜିଲାପରି କନକ ନାରାୟଣ ବାହାରିଆସିଲେ ଅତୀତର ଅନ୍ଧକାର ପୁରୀରୁ, ଗୋଟିଏ ବୀଣାନନ୍ଦିତ କଣ୍ଠର ଡାକଶୁଣି । କହିଲେ, କିଏସେ ?

 

–ଏଁ, ଶୋଇଥିଲି କି ? ମୁଁ ପରା ଟୁଲୁବାବୁ । ଆସ୍ତେ ଆସ୍ତେ ଫେରିଆସିଲା କନକ ନାରାୟଣଙ୍କ ମୁହଁର ସଜୀବତା । କହିଲେ ଆସ, ଆସ ଟୁଲୁବାବୁ, ମୁଁ ତ ତମକୁ ଚାହିଁ କେତେବେଳୁ ବସିଛି ।

 

–ହଁ, ମୋତେ ଚାହିଁ ବସିଥିବ ତ ? ପ୍ରବାଳ ସଦୃଶ ଓଠ ଦୁଇଟି ଫୁଲାଇ ପୁଣି କହିଲା–ମୁଁ ପରା କେତେଥର ଡାକିଲିଣି । ଶେଷଥରକ ଡାକିଲି ପରେ ତୁମେ କହୁଛ–ଏଁ, କିଏ ସେ ! ଯା, ମୁଁ ତୁମକୁ କଥା କହିବିନି ।

 

ମୋ ସୁନାଭାଇଟି ପରା ଆସ । ଆସ–ମୁଁ ବୋଧହୁଏ ଟିକିଏ ଶୋଇପଡ଼ିଥିଲି ।

 

ଟୁଲ୍‌ ଶାନ୍ତହେଲା । ଫେରିଆସି କହିଲା–ଅଜା ଗୋଟେ ଗପ କୁହ ।

 

ମୁଁ ପରା ବୁଢ଼ାହେଲିଣି, ଆଉ କି ଗପ କହିବି ?

 

ଏଁ, ଅଜା ତୁମେ ମିଛକହୁଛ ? ତୁମେ କେତେବେଳେ ବୁଢ଼ାହେଲ । ବୁଢ଼ାମାନଙ୍କର ତ ଦାଢ଼ିଥାଏ । ମୋ ଜେଜେଙ୍କର ଏବେ ବଡ଼ ଦାଢ଼ିଅଛି, ସେ ବୁଢ଼ା ହୋଇଯାଇଛନ୍ତି । ତୁମେ ବୁଢ଼ାହୋଇନ, ମିଛକହୁଛ, ମିଛ କହିଲେ ପରା ମା’ ମରିଯାଏ । ତୁମର ବି ମା’ ମରିଯିବ, ଜାଣିଥା, ତୁମ ମା’ କାହାନ୍ତି ?

 

ସେ ସ୍ୱର୍ଗ ବୁଲି ଯାଇଛନ୍ତି ।

 

ତାହେଲେ, ସେଠୁ ସେ ଆସିଲେ ମରିଯିବେ । ତୁମେ ଚଞ୍ଚଳ ଗପ କୁହ । ନ ହେଲେ ମୁଁ ଚାଲିଯିବି ।–ଆଚ୍ଛ, ଆଚ୍ଛା, ଶୁଣ । ଗୋଟିଏ ଥିଲେ ରାଜା,–। ଟୁଲୁ, ଦେଖିବୁ ଯା ଭୀମ କେମିତି ବିଲେଇ ଛୁଆଟେ ଧରି ଟୋକେଇ ଘୋଡ଼େଇ ରଖିଛି ।

 

ଏକଥା ଶୁଣୁ ଶୁଣୁ ଟୁଲୁ ଅଣନିଃଶ୍ୱାସୀ ହୋଇ ଧାଇଁଗଲା । ଯାଉ ଯାଉ କହିଲା–ଆଜି ଗପ ଥାଉ ଅଜା, କାଲି ଶୁଣିବି ।

 

ଅଳକା ଏହି ବ୍ୟବସ୍ଥା କରିଆସିଥିଲେ । ନହେଲେ ଟୁଲୁ ଆଉ ବାପାଙ୍କ ସହିତ କଥା କୁହାଇ ଦିଅନ୍ତା ନାହିଁ । ଗପ ତା’ର ବଡ଼ ପ୍ରିୟ ।

 

ଅଳକା ସବୁ କାମ ସାରି ଲୁଗା ପାଲଟି ଆସିଥିଲେ । ଘନ ନୀଳ ଶାଢ଼ିଟି ଭାରି ମାନୁଥିଲା ତାଙ୍କୁ । ନୀଳ ଜଳରାଶୀରେ ସଦ୍ୟସ୍ନାତ ମୁହଁଟି ତାଙ୍କର ପଦ୍ମ ପରି ଦେଖାଯାଉଥିଲା । ଅଳକା ବ୍ୟସ୍ତ ହୋଇ କହିଲା–ବାପା, ଟୁଲୁ ବହୁତ ବିରକ୍ତ କରିଥିବ, ନୁହେଁ ?

 

–ସେ କି କଥା ମ, ସେ ତ ମୋର ଦେବଦୂତ । ବାପାଙ୍କର ଏ ଉକ୍ତି ଅଳକା ବୁଝିପାରିଲେନି । କହିଲେ ଗୋଟିଏ କଥା କହିବି ବାପା ?

 

–କହ ମା’, କ’ଣ କହିବୁ କହ ।

 

–ଆଚ୍ଛା ବାପା, ଡାକ୍ତର ବାବୁଙ୍କ ଘର କେଉଁଠି ? ମୁଁ ତ ପିଲାଦିନୁ ତାଙ୍କୁ ଦେଖିନଥିଲି, ଅଥଚ ତୁମେ କହୁଛ ତାଙ୍କ ଘର ଏଇଠି ।

 

ଆରେ ମା’, ସେମାନେ ତ ଏବେ ଏଠି ଘର ତୋଳାଇ ରହିଛନ୍ତି । ତାଙ୍କର ଆଦିବାସ ଥିଲା ବାଲେଶ୍ୱରରେ । ଡାକ୍ତରଙ୍କ ବାପା ହେଉଛନ୍ତି ରିଟାୟାଡ଼୍‌ ଜଜ୍‌ ଦିବ୍ୟେନ୍ଦୁ ମିଶ୍ର, ଆଉ ଡାକ୍ତର ମିଶ୍ର ହେଉଛନ୍ତି ତାଙ୍କର ଏକମାତ୍ର ପୁତ୍ର । ଝିଅଟିଏ ବି ଅଛି । କାହିଁକି ପଚାରୁଛୁ ଏ କଥା ।

 

ନାଇଁ, ମୋ ନଣନ୍ଦ ମୌସୁମୀ କଥା କହୁଥିଲି । ଡାକ୍ତରଙ୍କ ସାଥିରେ ତାହାର ବିଭାଘର ହେଲେ କିପରି ହୁଅନ୍ତା ?

 

ତୋର ପୁଣି ନଣନ୍ଦ କେଉଁଠୁ ଆସିଲା ? ତୋ ଶ୍ୱଶୁରଙ୍କର ତ ସୂର୍ଯ୍ୟକାନ୍ତ ଏକମାତ୍ର ପୁତ୍ର-

 

ବାପା, ତୁମେ ଏବେ ସବୁ ଭୁଲିଯାଉଛ ! ମୋ ଖୁଡ଼ୀ ଶାଶୂଙ୍କ ଝିଅ ମୌସୁମୀ । ବିଚରା ମା’ ବାପ ମଲା ଝିଅଟି, ଭଗବାନ ତାକୁ ସୁଖରେ ରଖନ୍ତେକି !

 

ତା’ର ମା’ ବାପ ମରିଗଲେ କେଉଁଦିନ ?–ଯା, ବାପା ତୁମେ ସବୁକଥା ଏତେ ଭୁଲିଯାଅ କାହିଁକି ? ସେଇ ଯେଉଁ ଖୁଡ଼ୁତାଶୁର ତିନିଦିନ ଜ୍ୱରରେ ମଲେ, ଆଉ ଖୁଡ଼ୀ ଶାଶୂ ବେକରେ....

 

–ମଉସା.....

 

–ଥାଉ ମା’, ପରେ କହିବୁ । ଡାକ୍ତର ଆସିଲେଣି ।

 

ଅଳକା ବୁଝିଲେ, ବର୍ତ୍ତମାନ ବାପାଙ୍କୁ ଆଉ କୌଣସି କଥା ଭଲଲାଗିବ ନାହିଁ ।

 

ବୃଦ୍ଧ ଆନନ୍ଦ ଭରା କଣ୍ଠରେ ଡାକିଲେ–ଆସ ବୁଲୁ, ମୋତେ ଆଜିକୁ ତିନିଦିନ ଧରି ଜ୍ୱର ଆସୁନି । ଛାତିଟା ଭଲ ଅଛି, ବସ ।

 

ଡାକ୍ତର ପରୀକ୍ଷା କରି ଖୁସିହେଲେ । ଅଳକାଙ୍କ ଆଡ଼େ ଚାହିଁ କହିଲେ–ବୁଝିଲେ, ଏକଥା ଆପଣଙ୍କ ଯୋଗୁ ସମ୍ଭବ ହୋଇଛି । ଏ ଅସୁସ୍ଥତା ଛଡ଼ାଇବା ମୋ ପକ୍ଷରେ ସମ୍ଭବ ହୁଅନ୍ତାନି । ଆପଣ ଯଦି ବେଶ୍‌ କିଛିଦିନ ରହିଯାଆନ୍ତେ, ତାହେଲେ ମଉସା ଏକଦମ୍‌ ସୁସ୍ଥ ହେଇଯା’ନ୍ତେ ।

 

ଆପଣ ଭୁଲ୍ କହୁଛନ୍ତି । ବାପା ମୋ ଲାଗି ଭଲ ହୋଇନାହାନ୍ତି, କି ଆପଣଙ୍କ ଔଷଧରେ ମଧ୍ୟ ଭଲ ହୋଇନାହାନ୍ତି, ବାପା ଭଲ ହୋଇଛନ୍ତି–ଖାଲି ଆପଣଙ୍କ ସହଚର୍ଯ୍ୟା ପାଇଁ । ନୁହେଁ ବାପା ?

 

କନକନାରାୟଣ ମୁହଁରେ କପଟ କାରୁଣ୍ୟ ଫୁଟାଇ କହିଲେ ମା’ ତୁ ତୋ ବାପାଙ୍କ ପ୍ରତି ଅବିଚାର କରୁଛୁ ଏପରି କଥା କହ । ମୁଁ ତୁମ ସମସ୍ତଙ୍କ ପାଇଁ ଭଲ ଅଛି । ସନ୍ଧ୍ୟା ଗଡ଼ିଯାଉଛି, ଗଲୁ ମା’ ବୁଲୁ ପାଇଁ କିଛି ଜଳଖିଆ ଆଣିବୁ ।

 

ଡାକ୍ତର ବୁଝିଲେ ବୃଦ୍ଧ ବଡ଼ ଅଡ଼ୁଆରେ ପଡ଼ିଯାଇଛନ୍ତି । ସେଥିପାଇଁ ଝିଅକୁ କାମରେ ଲଗାଇଦେଲେ । ମନେ ମନେ ଅଳ୍ପ ହସିଲେ, ତାପରେ କହିଲେ–ମଉସା, ନିଦ ହେଉଛି ତ ?

 

ବୃଦ୍ଧ ନିଷ୍ପ୍ରଭ ବିଷନ୍ନ ଆଖି ତୋଳି ଚାହିଁଲେ ଡାକ୍ତରଙ୍କ ଆଡ଼େ । କହିଲେ,–ମୁଁ ହେଲି ଅଭିଶପ୍ତ ଚକୋର । ଆଉ କେବେହେଲେ ନିଦ ଆସି ମୋ ଆଖିପତା ଛୁଇଁବନି । ଡାକ୍ତର, ତୁମେ ଆଉ ମୋ ପାଇଁ ଏତେ ଭାବନି ।

 

–ବାପା ଆସ । ଆସନ୍ତୁ ଡାକ୍ତର ବାବୁ । ଭୀମ, ଏଇଠି ରଖ ଟ୍ରେ ଦୁଇଟା । ଦୁଇଜଣ ଖାଉ ଖାଉ ବହୁତ କଥା ହେଲେ । ଅଳକା ପାଖରେ ଠିଆ ହୋଇଥାନ୍ତି । ବୃଦ୍ଧଙ୍କ ମନ ସହଜ ହୋଇଆସିଛି । କହିଲେ–ବାଃ, ସୁନ୍ଦର ହୋଇଛି ଏଇ ମାଂସ ଚପ୍‌ଟା ଅଣ୍ଡା ପୁଡ଼ିଙ୍ଗଟା ବି । କେତେବେଳେ ଏତେ ରନ୍ଧା ଶିଖିଲୁ ମା’ ?

 

ଅଳକା ହସିଲେ । କଥା କହିବା ଅପେକ୍ଷା ଟିକିଏ ହସିଦେବା ତାଙ୍କ ପକ୍ଷରେ ସୁବିଧା ବୋଧହୁଏ ।

 

ଡାକ୍ତର ବ୍ୟସ୍ତହୋଇ ହଠାତ୍‌ କହିଲେ–ମଉସା, ଆଜି ଟିକେ କାମ ଅଛି, ମୁଁ ଯାଏ ।

 

ବୃଦ୍ଧ ବ୍ୟସ୍ତ ହେଲେ । କହିଲେ–କାମ ଅଛି ? ଆଚ୍ଛା, ତା’ହେଲେ ଆଉ ଅଟକାଇବିନି । ସକାଳେ ଆସୁଛି ତ ଡାକ୍ତର ?

 

ଡାକ୍ତର ହସିଲେ । କହିଲେ–ଆପଣଙ୍କୁ ନ ଦେଖି ମୁଁ କ’ଣ ରହିପାରିବି ? ତେଣୁ ନିଶ୍ଚୟ ଆସିବି ।

 

ରାତିର ଖାଇବା ପିଇବା ସରିଛି । ବାପା ଖଟଉପରେ ଶୋଇ ମ୍ୟାଗାଜିନର ପତ୍ର ଓଲଟାଉଥିଲେ । ଅଳକା ଆସି ବାପାଙ୍କ ଖଟ ପାଖକୁ ଚେୟାର ଟାଣି ବସିଲେ । ଟୁଲୁ ଆର ଘରେ ଶୋଇ ଭୀମ ସହିତ କ’ଣ ବକର ବକର ହେଉଛି । ସେ ଶୋଇ ସାରିଲେ ଅଳକା ଏ ଘରକୁ ଆସି ଫେରିଗଲା ପରେ ଭୀମ ଚାଲିଯାଏ ।

 

କନକ ନାରାୟଣ ମୁଣ୍ଡବୁଲାଇ ଝିଅଆଡ଼େ ଚାହିଁଲେ । ପଚାରିଲେ–ଟୁଲୁ ଶୋଇଲାଣି ମା’ ।

 

ନାହିଁ ବାପା ସେ ଶୋଇନି । ତୁମ ଦେହ କିପରି ଲାଗୁଛି ବାପା ?–ଭାରି ଭଲ ଲାଗୁଛି ମା’ । ବହୁତଦିନ ଧରି ଏତେ ସୁସ୍ଥ ବୋଧ କରିନଥିଲି । ତୋ ହାତର ରାନ୍ଧଣା ଖାଇଲେ ମୁଁ ତ ଅଳ୍ପଦିନ ଭିତରେ ଭଲ ହୋଇଯିବି । ତୁ କ’ଣ ସେଠି ରାନ୍ଧୁ ? ନା, ପୂଜାରୀ ରାନ୍ଧେ ?

 

ନାହିଁ ବାପା, ମୁଁ ନିଜେ ରାନ୍ଧେ । ସେମାନେ ବାପପୁଅ ସୁଖପାନ୍ତିନି ପୂଜାରୀ ରନ୍ଧା ଖାଇବାକୁ । ରନ୍ଧାଟା ଛାଡ଼ିଦେବାକୁ କାହାରି ହାତରେ ମୁଁ ବି ଭଲପାଏନି । ଖାଲି ସେତିକି ନୁହେଁ, ବହୁତ କାମ କରିବାକୁ ପଡ଼େ । ସମୟ ଅସମୟରେ କହି ଯେବେ ଶ୍ୱଶୁରଙ୍କ ବିଛଣା ପାରିଦେଇଛି, ତାହେଲେ ଶ୍ୱଶୁର ଅଶାନ୍ତ ହୁଅନ୍ତି । ଡାକପକାନ୍ତି । କହନ୍ତି–ଦେଖିଲୁ ମା’, ବିଛଣାଟା କିଏ ପକାଇଛି ଯେ ମୋତେ ଶୋଇବାକୁ ଅସଜ ଲାଗୁଛି । ତୁ କରିନୁ କି ?

 

ମୁଁ କହେ–ଆପଣଙ୍କର ଡେରି ହୋଇଯିବ ଭାବି ସୁରିଆକୁ ପଠାଇଥିଲି । ମୁଁ ଟିକେ ରୋଷେଇ ଘରେ ବ୍ୟସ୍ତ ଥିଲି । ତାପରେ ବିଛଣା ସଜାଡ଼ି ଦିଏ । ଶଶୁର ଶାନ୍ତିରେ ଶୋଇପଡ଼ନ୍ତି । କହନ୍ତି–ମା’, ତୋର କଲ୍ୟାଣ ସ୍ପର୍ଶ କାହିଁରେ ନ ଲାଗିଲେ ମୁଁ ଶାନ୍ତିପାଏନି । ତୋର ରନ୍ଧା ବଢ଼ା, ଚାଲି, ଚଳଣ, କାମଦାମ–ସବୁ କିଛି ତୋ ଶାଶୂଙ୍କ ପରି । ତୁ ଏ ଘରକୁ ଆସିଲୁ ବୋଲି ତ, ସେ ଯିବାପରେ ବି, ଏତେଦିନ ଧରି ତୋ ପାଖରେ ରହିଗଲି । ମୋର ଭାରି ଜଞ୍ଜାଳ । ତୋ ଛଡ଼ା ଆଉ କିଏ ସହନ୍ତା ମୋତେ । ଦେଖୁନୁ, ତତେ କେତେ କଷ୍ଟ ହେଉଛି । ତୁ ଖଟି, ଖଟି ସିଆଡ଼େ ହଇରାଣ ହେଉଛୁ, ଆଉ ମୁଁ ପୁଣି ତୋର ହାତରେ ବିଛଣା କରାଇ ଶୋଇଲି । କେହି ସହନ୍ତେନି ମୋତେ ମା’, କେହି ସହନ୍ତେନି । ମୋର କିଛି ଦୋଷ ନ ଥିଲା । ତୋରି ଶାଶୂ, ମୋର ଏପରି ଗୁଡ଼ିଏ ମନ୍ଦ ଅଭ୍ୟାସ କରାଇ ଯାଇଛନ୍ତି । ମୋର ସୌଭାଗ୍ୟ ଯେ ତୋ ପରି ଲକ୍ଷ୍ମୀଟିଏ ଏ ଘରକୁ ଆସିଲା, ନ ହେଲେ ମୋର କ’ଣ ହୋଇଥାନ୍ତା କହିଲୁ ।

 

ଏହିପରି କେତେ କଥା କହନ୍ତି ସେ । ବଡ଼ ସ୍ନେହ କରନ୍ତି ମୋତେ । ଏହି ଯେ, ମୁଁ ଏଠାକୁ ଆସିଲି–ଗଲେ କେତେ ଅଭିମାନ କରିବେ ।

 

କନ୍ୟା ଗୌରବରେ ଗର୍ବ ଅନୁଭବ କଲେ କନକନାରାୟଣ । ହସିଲା ଆଖିରେ ଚାହିଁଲେ ଝିଅକୁ । କବିହାକୁ ଯାଉଥିଲେ–ତୋ ମା’ କିପରି ଥିଲେ ! କିନ୍ତୁ ଅପରାଧୀ ମନ ତାଙ୍କର ବାକ୍ୟ ହରାଇଲା । ଭାବିଲେ–ଝିଅକୁ ସେ ମା’କୁ ଦେଖିବାକୁ ଦେଲେନି । ଜାଣିବାକୁ ଦେଲେନି, ଅନୁଭବ କରିବାକୁ ଦେଲେନି । ସେଇ ଝିଅକୁ ତା’ର ମା’ କଥା କହିବାର କି ଅଧିକାର ଅଛି ତାଙ୍କର-

 

କେହି ନ ଜାଣନ୍ତୁ ସେ ତ ଜାଣନ୍ତି । ସନ୍ତାନ, ସନ୍ତିତ ନିକଟରେ ତାଙ୍କର ଅପରାଧର ସୀମା ନାହିଁ । ମନେ ମନେ ଆଜି ଯେତେ ସେ ଝୁରନ୍ତି ଛାୟାକୁ, ଯେତେ କ୍ଷମା ମାଗନ୍ତି କିନ୍ତୁ ପିଲାମାନଙ୍କ ପାଖରେ, ତାଙ୍କର ମା’ଙ୍କ ନାଁ ଧରିବାର ସାହସ ତାଙ୍କର ନାହିଁ । ମନରେ ଆସିଲେ ମଧ୍ୟ ମୁହଁରେ ଆଣି ପାରନ୍ତିନି । ଆଉ ନ ଆଣି ପାରିବାରୁ କି, ଏକ ଅବସାଦରେ ଦେହ ମନ ତାଙ୍କର ଭାଙ୍ଗି ଭାଙ୍ଗି ପଡ଼େ । ଆଜିବି ଭାଙ୍ଗିପଡ଼ିଲେ ।

 

ଆନନ୍ଦ ମନ ନେଇ ଝିଅ ତାଙ୍କ ପାଖରେ ବସିଛି । ସ୍ନେହମୟୀ ମାତୃ ରୂପେ । ନିଜର ଅକଥ୍ୟ ଯନ୍ତ୍ରଣା ଠିକ୍‌ ଏତିକିବେଳେ ପ୍ରକାଶ କରି ତା’ର ସେଇ ମନଟିକୁ ଭାଙ୍ଗିଦେବାକୁ କନକ ନାରାୟଣଙ୍କର ମାୟା ହେଲା । ସମ୍ଭାଳି ନେଲେ ନିଜକୁ ।

 

କହିଲେ–ମା’, ସନ୍ଧ୍ୟାରେ କ’ଣ କହୁଥିଲୁ କି ତୋ ଖୁଡ଼ୀଶାଶୂଙ୍କ କଥା, ଆଉ ଥରେ କହିଲୁ ।

 

ହଁ ବାପା–ସେମାନେ ଏକ କରୁଣ କାହାଣୀ ରଚିଗଲେ ସେ ଘରେ । ଖୁଡ଼ୀତାଶୁର ଯେମିତି ମରିଗଲେ ତିନିଦିନ ଜ୍ୱରରେ ଖୁଡ଼ୀଶାଶୂ ତାଙ୍କ ବଡ଼ ଜାଆଙ୍କୁ ମାନେ ମୋ ଶାଶୂଙ୍କୁ କହିଲେ–ନାନୀ, ମୁଁ ଲଙ୍ଗଳା ହାତ ଆଉ କୁମାରୀ ସୁନ୍ଥା ନେଇ ବଞ୍ଚିପାରିବିନି ତ ।–ମୋ ମୌସୁମୀ ତୁମକୁ ଲାଗିଲା । ମୁଁ ଯେପରି ହେଲେ ତାଙ୍କ ପାଖକୁ ଯିବି ବାହାରି । ଟିକିଏ କୁଆଡ଼େ କାନ୍ଦିଲେନି; ନିତିଦିନିଆ ଜୀବନ ପରି ସେ ଦିନଟା ବି କଟାଇଦେଲେ ।

 

ଶାଶୂ ମୋର ଆବାକାବା ଚାହିଁଥାନ୍ତି ତାଙ୍କରି ଆଡ଼େ । ଜଣେ କାନ୍ଦିଲେ କି ବ୍ୟସ୍ତ ହେଲେ ସିନା ମଣିଷ ତାଙ୍କୁ ବୋଧ କରେ । ଆଉ ଏଡ଼େବଡ଼ ଦୁଃଖଦିନରେ ଯେ ମଣିଷ ଦାରୁଭୂତ ପାଲଟେ, ତାକୁ ଚାହିଁରହିବା ଛଡ଼ା ଆଉ କି ଉପାୟ ଅଛି ! ରାତିରେ ଖୁଡ଼ୀ କହିଲେ–ନାନୀ, ଝିଅ ତୁମରି ପାଖରେ ଶୋଉ । ଶାଶୂ କହିଲେ–ତୁ ବି ମୋ ପାଖରେ ଶୋ । ଖୁଡ଼ୀଶାଶୂ ବାଧ୍ୟ ପିଲାଟି ପରି ଶାଶୂଙ୍କ ପାଖରେ ଶୋଇଲେ ।

 

ତା’ପରେ, ରାତିରେ କେତେବେଳେ ଉଠିଯାଇ ବେକରେ ଦଉଡ଼ିଦେଇ ବାରିଆଡ଼ ଆମ୍ବଗଛରେ ଝୁଲୁଛନ୍ତି । ଶାଶୂ ଭାଷାହୀନ ଆଖିରେ ଚାହିଁ ରହିଲେ ସେହି ନିର୍ମମ ଆଉ କରୁଣ ଦୃଶ୍ୟକୁ । କହିଲେ–କାଲି ଦିନସାରା ଏଇ ଦମ୍ଭ ନେଇ ନକାନ୍ଦି ଘରସାରା ପ୍ରେତିନୀ ପରି ଘୂରି ବୁଲିଲୁ ? କେଡ଼େ ବୁଦ୍ଧିଆ ଲୋ ତୁ । କି କାଳନିଦ ଆସିଲା ମୋତେ ! ଝିଅଟି ବି ରାତିସାରା ଟିକିଏ ହେଲେ କାନ୍ଦିଲାନି ! ତୋରି ପରି କାଠୋଇ ହେବ ଲୋ ସେ । ତା’ପରେ, ସେଇ ଟିକ ମୌସୁମୀକୁ ଶାଶୂ ଦେଇଗଲେ ଶ୍ୱଶୁରଙ୍କ ହାତରେ, ଶ୍ୱଶୁର ତୋଳିଦେଲେ ମୋରି ହାତକୁ । କହିଲେ–ମାଆ, ଏଇ ଅଭାଗୀ ଝିଅଟିକୁ ମୋରି ତୁମରି ହାତରେ ତୋଳିଦେଲି । ନଣନ୍ଦ ନମଣି ଝିଅ ବୋଲି ମଣିବ-। ତା’ର ସବୁ ଭଲମନ୍ଦ ଭାର ତୁମରି ହାତରେ ନ୍ୟସ୍ତ କଲି । ବଡ଼ ଦୁଃଖୀ ଝିଅଟି । ଶ୍ୱଶରଙ୍କୁ ମୁଣ୍ଡିଆ ମାରି ମୌସୁମୀକୁ ତୋଳିନେଲି, ନେଇ ଛାତିରେ ଲଗାଇଲି । ସେଇ ମୋର ମୌସୁମୀ-। କୋଟିକରେ ଗୋଟିଏ, ନଣନ୍ଦ ନୁହେଁ ସେ ମୋର ଝିଅ । ଭଲ ପାତ୍ରଟିଏ ପାଇବାକୁ କେତେ ଠାକୁରଙ୍କୁ ଡାକୁଛି । ଡାକ୍ତରବାବୁ ମୋ ମନକୁ ପାଇଛନ୍ତି, ମୋର ବିଶ୍ୱାସ ତୁମ କଥା ସେ ଶୁଣିବେ-

 

ଭଲକଥା ମ, ତୁ ଗୋଟିଏ କାମ କର୍ । ତାଙ୍କ ଘରକୁ ଯାଇ ବୁଲୁ ମା’ଙ୍କୁ ସେକଥା କହ । ଆଉ ସୂର୍ଯ୍ୟକାନ୍ତ ତ ଆସିବେ । ତୁ ଲେଖିଦେ ମୌସୁମୀକୁ ସେ ସାଙ୍ଗରେ ଆଣନ୍ତୁ । କ’ଣ ଭଲ କହୁନି ?

 

ହଁ ବାପା ଯାହା ତୁମେ କହୁଛ ସେଇଆ କରିବି । ମୌସୁମୀକୁ ଏଠାକୁ ନେଇଆସିବି । ମୋର ବିଶ୍ୱାସ ସେମାନେ ଅରାଜି ହେବେନି । ମୌସୁମୀ ମୋର ଏକାଧାରରେ ଗୁଣରେ ଲକ୍ଷ୍ମୀ ରୂପରେ ସରସ୍ୱତୀ । ବାପା ବହୁତ ରାତି ହେଲା । ଏଇ ଔଷଧ ଟିକକ ଖାଇ ଶୋଇପଡ଼ । କାଲି ଯିବ, ତୁମେ ସୁସ୍ଥ ଥାଅ, ତାହାହେଲେ ଟିକେ କେଦାରଗୌରୀ ଆଡ଼େ ବୁଲିଯିବା ।

 

ମୋତେ ବହୁତ ସୁସ୍ଥ ଲାଗୁଛି ମା’ । କାଲି ନିଶ୍ଚୟ ତୋ ସାଙ୍ଗରେ ଯିବି ।

 

ବାପା, ମୁଁ ଏଥର ଯାଏ ?

 

ହଁ ମା’, ଯା–ମୋତେ ବି ନିଦ ଲାଗୁଛି । ତୋ ଖୁଡ଼ୀଶାଶୂଙ୍କ କଥା । ମୋତେ ଅଭିଭୂତ କରିଛି । ତାଙ୍କର ପୂର୍ଣ୍ଣ ଚରିତ କଥା ଭାବି ଆଜି ପରମ ଆନନ୍ଦରେ ଶୋଇପଡ଼ିବି । ବାପଘରକୁ ଆସି ଟିକିଏ କୁଆଡ଼େ ବିଶ୍ରାମ ନିଅନ୍ତୁ ନା–ବୁଢ଼ା ପୁଅଟି ପାଇଁ ଖଟି ଖଟି ସାରା ହେଲୁ । ସ୍ତ୍ରୀ ଲୋକଙ୍କୁ ବିଶ୍ରାମ ଶୋଭାପାଏନି ବାପା, କର୍ମ ଭିତରେ ଆମେ ଆମକୁ ଅନୁଭବ କରୁ । ତା ଯେଉଁଠି ନ କରିପାରୁ, ସେଠି ନିଜକୁ ଅବାଞ୍ଛିତା, ଅବହେଳିତା ମନେକରୁ । ଜୀବନ ସାର୍ଥକ ହୁଏ ଆମର— ପିତା ପୁତ୍ର, ସ୍ୱାମୀ ଶ୍ୱଶୁରଙ୍କ ସେବାରେ, ନିରନ୍ଧ୍ର ଶ୍ରମରେ । ଆଚ୍ଛା, ମୁଁ ଏଥର ଯାଏ ବାପା ।

 

ସ୍ନେହମୟୀ କର୍ମପରାୟଣା କନ୍ୟାର ଅନ୍ତରକୁ ନିରେଖି ଦେଖିଲେ କନକନାରାୟଣ । ତାପରେ ପରମ ଶାନ୍ତିରେ ନିଦ୍ରାଗଲେ ।

 

ଆଠ

 

ଏ କ’ଣ ବାପା, ତୁମେ ଦୋ’ତାଲା ଉପରେ ଆଜି ଓହ୍ଲାଇଆସିଛ ? ମୋତେ କାହିଁକି ଡାକିଲନି ? ଏକୁଟିଆ କାହିଁକି ଆସିଲ ? ତା’ ଛଡ଼ା ବଗିଚାରୁ ଘାସଗୁଡ଼ିକ ଶିଶିର ପଡ଼ି ଭିଜି ରହିଛି, ତୁମକୁ ଥଣ୍ଡା ଲାଗିବ । କେତେ କଷ୍ଟରେ ଜ୍ୱର ଟିକେ ଛାଡ଼ିଛି ।

 

କନ୍ୟାର ଉଦ୍‌ବିଘ୍ନ ମୁହଁକୁ ଚାହିଁ ହସିଲେ କନକନାରାୟଣ । କହିଲେ–ମା’, ବ୍ୟସ୍ତ ହୁଅନ୍ତା, ପାଦ ଦୁଇଟିରେ ଏପର୍ଯ୍ୟନ୍ତ ବଳ ଅଛି ଜାଣି ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ଖୁସି ହୋଇପଡ଼ିଲି । ତେଣୁ, କ’ଣ କରିବି କିଛି ନଭାବି ନଚିନ୍ତି ଏଇଆଡ଼କୁ ପଳାଇ ଆସିଲି । ତୁ ରାଗ୍‍ନା ମାଆ ।

 

–ଏ ଭୀମ, ଦୁଇଟା ଚେୟାର ଦେଇଗଲୁ, ହଁ ଏଇ କରବୀ ଗଛ ତଳକୁ ପକା । ଗଛଟା ବେଶି ଝଙ୍କାଳିଆ ଅଛି । ଗହଳି ପତ୍ର ଭେଦି ଥଣ୍ଡାଟା ଏଠି ସହଜେ ପଡ଼ିବନି । ତୁ ଏଥର ଯା, ଚୁଲି ଲଗା, ମୁଁ ଯାଉଛି ଯେ । ଦେବକୀ ଶୁଣ; ତୁମେ ଯାଅ କେଜିଏ ମାଂସ, ଅଧକେଜି କିମା, ବାରଟା ଅଣ୍ଡା, କିଛି ଭଲ ପରିବାପତ୍ର ନେଇଆସ ।

 

ବାପା, ଆସ ତୁମେ ଏଇଠି ବସ । ପାଦ ଦୁଇଟି ଚେୟାର ଉପରକୁ ତୋଳିଦିଅ, ନହେଲେ ଥଣ୍ଡା ଲାଗିବ–ହଁ ହେଲା, ତୁମକୁ କେତେ ଖୋଜିଲି ବାପା, ଏଘର ସେଘର ହୋଇ, ତା’ପରେ ତ ଡରିଗଲି । ମୋ ଶୋଇବା ଘର ଝରକାରେ ଚାହିଁ ଦେଖେ ତ ତୁମେ ଏଇଠି ବୁଲୁଛ ।

 

ଡରିଗଲୁ କାହିଁକି ବା ?

 

କେଜାଣି ବାପା କାହିଁକି ଡରିଗଲି ମୁଁ ଠିକ୍‌ ବୁଝାଇପାରିବିନି—ତଥାପି ମୁଁ ଡରିଯାଇଥିଲି-। ଟୁଲୁଟା ଉଠିଲାଣି କି ନାହିଁ ମୁଁ ଟିକେ ଦେଖିଆସେ । ତୁମେ ଏଇଠି ବସ । ପାଞ୍ଚ ମିନିଟ୍‌ ପରେ ପୁଣି ଥରେ ଫେରିଆସିଲେ ଅଳକା ।

 

ଝିଅକୁ ଫେରିଆସିବାର ଦେଖି ବାପା ପଚାରିଲେ–ଟୁଲୁ ଉଠିଲାଣି ମାଆ ?

 

ନାହିଁ ବାପା ଟୁଲୁ ଉଠିନି । ମୁଁ ତୁମପାଇଁ ଆଜିକାର କାଗଜଟି ଆଣିଲି । ତୁମେ ଏକୁଟିଆ ନବସି ଏଇଠି ପଢ଼ୁଥାଅ । କାଗଜଟି ଦେଇ ଫେରିଗଲେ ଅଳକା ।

 

ଝିଅର ଗତିପଥକୁ ଚାହିଁ ରହିଲେ କନକ ନାରାୟଣ । ଭାବିଲେ–ଯାହାର ମୁଁ ଅନେକ ଛଡ଼ାଇନେଲି, ସେ ମୋତେ କେତେ ଦେବାକୁ ବ୍ୟସ୍ତ । ମୁଁ ଖାଲି କ’ଣ ନେବାକୁ ଜନ୍ମ ହୋଇଥିଲି ! କାହାକୁ କିଛି ଦେବାପାଇଁ ଭଗବାନ ତୁମେ କ’ଣ ମୋ ଶୂନ୍ୟ ହାତରେ କିଛି ଟିକିଏ ଦେଇ ପୂର୍ଣ୍ଣ କରିପାରିବ ? କାଗଜ ପଢ଼ିବାକୁ ଭୁଲିଗଲେ । ଉଦାସ ଦୁଇଆଖି ମେଲି ଚାହିଁରହିଲେ ମହାଶୂନ୍ୟକୁ-। କରବୀ ଗଛର ପତ୍ର ନିଗାଡ଼ି ଝରୁଥିଲା ବିନ୍ଦୁ ବିନ୍ଦୁ ଶିଶିର କଣା, ଟପ୍‌ ଟାପ୍‌ ହୋଇ ମୃଦୁ ଏକ ଶବ୍ଦର ସୃଷ୍ଟି ହେଉଥିଲା ତହିଁରୁ । କିନ୍ତୁ କନକ ନାରାୟଣଙ୍କ ମନହୋଇଥିଲା ମହାଶୂନ୍ୟରେ ସେ ଥିଲେ–ଯେପରି ଜୀବଜଗତର ବାହାରେ, କୌଣସି ଶବ୍ଦ ତାଙ୍କର ଅଚେତନ ମନକୁ ସ୍ପର୍ଶ କରିପାରୁନଥିଲା । ବହୁ ସମୟ ଧରି ସେ ଏହିପରି ମନ ନେଇ ବସିରହିଥିଲେ ।

 

–ଅଜା, ଅଜା, ଅଜା ମ....

 

–ଏଁ, କିଏ ସେ ?

 

–ତୁମ ଆଖିକୁ ଦିଶୁନି କି ଆଉ ? ମୁଁ ପରା ଟୁଲୁ, ତୁମେ ଏ ସକାଳଟାରୁ କ’ଣ ଶୋଇପଡ଼ିଲ ?

 

ଉଡ଼ିଗଲା ମନର ଡେଣା ବାନ୍ଧିଲେ ଏଥର କନକ ନାରାୟଣ । ସ୍ୱପ୍ନିଳ ଆଖିଦୁଇଟିରେ ଲାଗିଲା ବାସ୍ତବତାର ସ୍ପର୍ଶ । ଟୁଲୁର ମଣି ପରି ଉଜ୍ଜ୍ୱଳ ଆଖି ଯୋଡ଼ିକୁ ଚାହିଁ କହିଲେ–ମୁଁ ଶୋଇନିରେ, ମୁଁ ଭାବୁଥିଲି ତୁ କେତେବେଳେ ଆସିବୁ । ମୁଁ ଚୁପ୍‌ ହୋଇ ବସି ଏକ ଦୁଇ କରି ସଂଖ୍ୟା ଗଣିଯାଉଥିଲି । ତୁ କିନ୍ତୁ ଭାରି ଡେରିରେ ଆସିଲୁ ।

 

–କେତେ ଗଣିବା ପରେ ମୁଁ ଆସିଲି ଅଜା ?

 

–ପ୍ରାୟ ତିନିଲକ୍ଷ ।

 

ଏତେଗୁଡ଼ାଏ ଗଣିବା ପରେ ମୁଁ ଆସିଲି ! ନିଜକୁ ଅପରାଧ ମଣିଲା ଟୁଲୁ, କହିଲା–ମାମି ମୋ ମୁହଁ ଧୁଆଇଦେଲେ, ଜାମା ପ୍ୟାଣ୍ଟ ବଦଳାଇଦେଲେ । ଏତେକଥା କରୁ କରୁ ମୋର ଡେରି ହୋଇଗଲା । ଆଉ କ’ଣ କରିବି ଯେ ।

 

ଟୁଲୁର ଦୋଷୀ ଦୋଷୀ ଭାବ ଦେଖି ବୃଦ୍ଧ ହୃଷ୍ଟ ହେଲେ । କାରଣ ଟୁଲୁ ତାଙ୍କୁ ସର୍ବଦା ଦୋଷୀ ସାବ୍ୟସ୍ତ କରିଆସୁଛି । ଆଜି ସେ ତାକୁ ଦୋଷୀ କରିପାରିଛନ୍ତି । ତେଣୁ ଉଦାର ମନରେ କହିଲେ–ଆଚ୍ଛା, ଆଚ୍ଛା, ମୁଁ ଆଜି ତୋତେ କ୍ଷମା କରିଦେଲି । ଆଉ ଏପରି କରିବୁନି ।

 

–ନାଁ, ଅଜା ତୁମେ ଆଜି ଏଠାକୁ ଆସିଛ ଶୁଣି ଭାରି ଖୁସିହୋଇ ମୁଁ ପଳାଇଆସିଛି । ଦେଖୁନ, ମୁଁ ଆହୁରି ପାଉଡର ଟିକିଏ ଲଗାଇନି । ତେବେ ବି ମୋର ଡେରି ହୋଇଗଲା ।

 

ଚଞ୍ଚଳ ପାଦରେ ପାଖକୁ ଆଗେଇଆସିଲେ ଅଳକା । କହିଲେ–ବାପା, ଆସ ତୁମେ, ଆଉ ଉପରକୁ ଯାଅନା । ଏଇନେ ବାଥ୍‌ରୁମରେ ଯାଇ ମୁଁହ ହାତ ଧୋଇପକା । ମୁଁ ସବୁ ସଜାଡ଼ିଦେଇଛି । ଆସ ।

 

ଟୁଲୁ ଗାଲ ଫୁଲାଇ କହିଲା–ମୁଁ ଯେତେବେଳେ ତୁମ ପାଖରେ ବସିଲି ଅଜା, ସେତେବେଳେ ମାମି ତୁମକୁ ଡାକିଲେ । ମୁଁ ଆଉ ତୁମ ପାଖକୁ ଆସିବିନି ।

 

ତା’ କଥାରେ କାନ ନଦେଇ ଅଳକା ଡାକିଲେ–ଆସ ବାପା ।

 

ଆଉ ଟିକିଏ ଯାଉ ମା’ । କେତେଟା ବାଜିଲା ? ତୋର କ’ଣ ସବୁ କାମ ସରିଗଲାଣି ?

 

ହଁ ବାପା, ସବୁ ସରିଆସିଲାଣି । ଆଉ ଯାହା ଟିକିଏ ବାକିଅଛି ତୁମର ବାଥ୍‌ରୁମ୍‌ କାମ ସରୁ ସରୁ ମୋର ବି କାମ ସରିଯିବ ।

 

ତୁ ଯାଆ, ମୁଁ ଯାଉଛି । କେତେଟା ବାଜିଲା ?

 

ଆଠଟା ବାଜିଲା ପରା । ମୁଁ ଧରିବି କି ତୁମ ହାତ ?

 

କନକ ନାରାୟଣ ହସିଲେ । କହିଲେ–ବୋଧହୁଏ ଦରକାର ହେବ ନାହିଁ । ତୋ ବାପା ଦେହରେ ବହୁତ ବଳ ଆସିଯାଇଛି ମା’ । ତୋପରି ମା’ ଯାହାର ଥିବ, ତା’ ପୁଅ ପାଦରେ ବଳ ମନକୁ ଆସିଯିବ ଯେ ।

 

କନ୍ୟା ଲାଜମିଶା ହସ ହସି କହିଲେ, ତୁମେ ସବୁବେଳେ ଏପରି କଥା କହି ମତେ ଲଜ୍ଜା ଦେଉଛ । ମୁଁ ଯେ ତୁମପାଖରୁ ଦିନେ ଚାଲିଯିବି ତୁମକୁ ଅସହାୟ ଅବସ୍ଥାରେ ଛାଡ଼ିଦେଇ, ସେଇ କଥାଟି ମୋର ମନେପଡ଼ିଯାଏ ତୁମର ଏପରି କଥା ଶୁଣିଲେ । ଏହି କଥା କହୁ କହୁ ତାଜା ଜୁଇଫୁଲ ସ୍ତବକ ମୁହଁଟି ତାଙ୍କର ଝାଉଁଳିପଡ଼ିଲା ।

 

କନକ ନାରାୟଣ ଝିଅର ମନକଥା ବୁଝିଲେ । ଝିଅର ବ୍ୟଥାକୁ ଅନୁଭବ କଲେ । ଝିଅ ଦୁଃଖରେ ଦୁଃଖିତ ହେଲେ । ପ୍ରାଣ–ପ୍ରତିମା କନ୍ୟା କେଉଁ କଥା କହିଲେ ପୁଣି ଖୁସି ହୋଇଉଠିବ, ସେକଥା ବି ତାଙ୍କୁ ଜଣା । କହିଲେ–ମା’, ମୋଲାଗି ଆଜି କ’ଣ ଜଳଖିଆ କରିଛୁ !

 

ଅଳକାଙ୍କର ଆଖିପଲ୍ଲବରୁ ଝରିଆସିଲା କେଇଟୋପା ଲୁହ । ଲୁଗାଅଞ୍ଚଳରେ ସେହି ଲୁହ ପୋଛୁ ପୋଛୁ ହସିଲେ ସିଏ । ବାପାଙ୍କ କଥାର କାଇଦା ଝିଅକୁ ବି ଜଣା । ତଥାପି ନ ବୁଝିବାର ବାହାନାକରି କହିଲେ–କହିବିନି ତ । ହସି ହସି ବାରଣ୍ଡା ଉପରୁ ଓହ୍ଲାଇଆସିଲେ । ବାପାଙ୍କ ହାତଧରି ଚେୟାରରୁ ଉଠାଇନେଲେ । କହିଲେ–ଆସ ଡେରି ହୋଇଯାଉଛି । ଟୁଲୁଆଡ଼େ ଚାହିଁ କହିଲେ, ଦେବକୀକୁ କହ, ଚେୟାରଗୁଡ଼ା ନେଇ ରଖିଆସୁ । ତୁ ବିସ୍କୁଟ୍‌ ଖାଇଥିଲୁ ? ଦେଖିବୁ ଯା, ଚାଉଳ ବୁଣି ଭୀମ କିପରି ଗୋଟିଏ ବଗିଚଢ଼େଇ ଧରିଛି ତୋ ପାଇଁ । ଏ କଥା ଶୁଣୁ ଶୁଣୁ ଟୁକ ଅନ୍ତର୍ଦ୍ଧାନ ହୋଇଗଲା । ଅଳକା ବାପାଙ୍କଆଡ଼େ ମୁହଁ ବୁଲାଇ କହିଲା–ଆଜି ଟିକିଏ ଡାକ୍ତର ବାବୁଙ୍କ ଘରକୁ ବୁଲିଯିବା କି ବାପା ?

 

ବେଶ୍‌ କହିଛୁ ମା’, ଆଜି ଆଉ କୁଆଡ଼େ ନ ଯାଇ ତାଙ୍କରି ଘରକୁ ଯିବା । ସେ ଆମ ପଡ଼ୋଶୀ ହୋଇ ରହିଲେ ଅଥଚ ଆଜିପର୍ଯ୍ୟନ୍ତ ଆମର କାହାରି ସହିତ କାହାରି ପରିଚୟ ହେଲାନି-। ଶୁଣିଥିଲି ଡାକ୍ତର ବାବୁଙ୍କ ବାପା ଭାରି ଭଲ ମଣିଷ । ଏତିକି କହି ଘରଆଡ଼କୁ ଆଗେଇ ଚାଲିଲେ କନକ ନାରାୟଣ, ପଛରେ ଅଳକା ।

 

ଅଳକା ତର ତର ହୋଇ ରୋଷେଇ ଘରକୁ ପଶିଗଲେ । ପଚାରିଲେ–ଭୀମ ଘୋଡ଼େଇ ରଖିଛୁ ତ ଜଳଖିଆଗୁଡାକ ? ଆଉ ମସଲା ବାଟି ସାରିଲୁଣି ତ ?

 

ଭୀମ ଆଖିନୁଆଇଁ ଉତ୍ତର ଦେଲା ଯେ, ଜଳଖିଆ ସେ ଘୋଡ଼ାଇ ଦେଇଛି, ଆଉ ମସଲା ବି ବାଟିଦେଇଛି । ହଠାତ୍‌ ତା’ର ଆଖିପଡ଼ିଲା ଡାକ୍ତର ବାବୁଙ୍କ ଉପରେ । ଚଞ୍ଚଳ କଣ୍ଠରେ ସେ କହିଉଠିଲା–ହେଇଟି ନାନୀ ଡାକ୍ତରବାବୁ ଆସିଲେଣି ।

 

ଅଳକା ମୁହଁବୁଲାଇ ଚାହିଁଲେ ଏବଂ ସ୍ମିତ ହସି କହିଲେ–ଆସନ୍ତୁ ଡାକ୍ତରବାବୁ । ବାପା ଏଇଠି ତଳେ ଅଛନ୍ତି । ବାଥ୍‌ରୁମ୍‌ରେ । ଏଇକ୍ଷଣି ଆସିବେ । ଆପଣ ବସନ୍ତୁ । ଭୀମଆଡ଼େ ମୁହଁବୁଲାଇ କହିଲେ–ଏଇଠିକୁ ଚେୟାରଟା ଆଣିଦେ ଭୀମ । ତା’ପରେ ଡାକ୍ତରବାବୁଙ୍କ ଆଡ଼କୁ ପୁଣି ମୁହଁ ବୁଲାଇଲେ । ପଚାରିଲେ–ଆଜି ଏତେ ଡେରିହେଲା କାହିଁକି ? ବାପା ଆପଣଙ୍କୁ ଚାହିଁ ଚାହିଁ ବ୍ୟସ୍ତ ହୋଇପଡ଼ିଲେଣି । ବାପାଙ୍କର ଇଚ୍ଛା ଆପଣ ସବୁବେଳେ ତାଙ୍କ ପାଖରେ ଥାନ୍ତେ କି ? ସତେ, ସେ ଆପଣଙ୍କର ଉପସ୍ଥିତିକୁ ଭାରି କାମନା କରନ୍ତି । ଆଉ, ଆପଣ ନ ଥିଲେ ତାଙ୍କୁ ଭାରି କଷ୍ଟ ହୁଅନ୍ତା । ଆମେ ସବୁ ରହିଲୁ କାହିଁକେତେ ଦୂରରେ, ବାପା ବି ଏ ଘରଛାଡ଼ି କେଉଁଆଡ଼େ ଯିବାକୁ ଚାହାନ୍ତିନି । ଭାଇନାମାନେ ସାଙ୍ଗରେ ନେଇଯିବାକୁ କେତେ ଚେଷ୍ଟାକଲେ, କେତେକରି କହିଲେ । ବାପା କିନ୍ତୁ କାହାରି କଥାକୁ କାନରେ ନେଲେ ନାହିଁ । କହିଲେ–ମୋତେ ଏ ଘରୁ ନେଇଯିବାକୁ ଚାହିଁଲେ ମୁଁ ନାହିଁ କରିବି । ତୁମେ ସବୁ ଦୁଃଖ ପାଇବ । ମୋତେ ଜୋର କରି ନେଲେ ମୁଁ ଦୁଃଖ ପାଇବି । ତେଣୁ ତୁମେମାନେ ମୋ କଥାମାନ । ଏ ଘରୁ ମୋତେ କେଉଁଆଡ଼େ ନିଅନାହିଁ । ତୁମେମାନେ ଯାଅ । ମଝିରେ ମଝିରେ ଆସି ମୋତେ ଦେଖି ଯାଉଥିବ ଏବଂ ଦେଖାଦେଇ ଯାଉଥିବ ସେତିକରେ ମୋର ପରମ ଶାନ୍ତି । ତା’ଛଡ଼ା, ମୁଁ ଏଇକ୍ଷଣି ମରୁନିରେ, ତୁମେ ସବୁ ବ୍ୟସ୍ତ ହୁଅନି । ଏଇ ମୋର ଦେହ ପଞ୍ଜୁରୀ ବଡ଼ ଶକ୍ତ, ଭାରି ନିବୁଜ, ସେଥିରୁ ପ୍ରାଣପକ୍ଷୀ ପଳାଇବା ବଡ଼ ସହଜକଥା ନୁହେଁ । ବାପାଙ୍କର ସବୁବେଳେ ଏହିପରି କଥା । ଭଗବାନ ଜାଣନ୍ତି, ଏପରି ନିଃସଙ୍ଗ ଜୀବନଯାପନ କରିକି ସୁଖ ସେ ପାଆନ୍ତି । କିମ୍ବା ନିଜକୁ ଏପରି ନିର୍ଯ୍ୟାତୀତ କରି କାହାପ୍ରତି ପ୍ରତିଶୋଧ ନିଅନ୍ତି । କିଛି ମୁଁ ବୁଝିପାରେନି ଡାକ୍ତରବାବୁ । ମୋର ଯିବାସମୟ ପାଖେଇ ଆସିଲା । ବାପାଙ୍କଲାଗି ମନ ଘାଣ୍ଟି ହଉଛି । ତେବେ ଏତିକି ସାନ୍ତ୍ୱନା ଯେ ଆପଣ ପାଖରେ ଅଛନ୍ତି ।

 

ମନୋରଞ୍ଜନ ଗୋଟିଏ ଯୋଡ଼ିଏ ଛଡ଼ା ଏକାଠି ଏତେ କଥା କହିବାର କେବେହେଲେ ଶୁଣିନାହାନ୍ତି ଅଳକାଙ୍କ ମୁହଁରେ । ସେ ଅଛନ୍ତି ଜାଣି ଅଳକା ସାନ୍ତ୍ୱନା ପାଇବେ ! କି ସେ ସାନ୍ତ୍ୱନା–ପଚାରିଲେ ଡାକ୍ତରବାବୁ ! ଦୀର୍ଘ ନିଶ୍ୱାସ ତ୍ୟାଗ କରି ଅଳକା କହିଲେ–ଆପଣ ସକାଳ ଆଠଟାରୁ ଦିନ ଦଶଟା ପର୍ଯ୍ୟନ୍ତ ବାପାଙ୍କ ପାଖରେ ଥାନ୍ତି ଏବଂ ସନ୍ଧ୍ୟା ସାତଟାରୁ ରାତ୍ରି ଦଶଟା ପର୍ଯ୍ୟନ୍ତ ବି । ଏଇ କଥା ମୁଁ ଦେଖିଗଲି । ଏହି ଦୁଇଟି ସମୟ ମୋର ମନେପଡ଼ିବ । ଆଉ ବାପାଙ୍କର ହସ ଖୁସି ମୁହଁଟି ବି ଏଇ ସମୟ ଭିତରେ ମୋ ଆଖିରେ ଭାସିବ । ମୁଁ ଶାନ୍ତି ପାଇବି । ବାକି ସମୟଗୁଡ଼ିକ ମୋର ବଡ଼ ଅଶାନ୍ତିରେ କଟିବ ଡାକ୍ତରବାବୁ । ସେଥିପାଇଁ କହୁଥିଲି ଯେ କିଛିଟା ସାନ୍ତ୍ୱନା ଆପଣ ମୋତେ ଦେଇଛନ୍ତି । ହେଇଟି, ବାପା ଆସିଲେଣି ।

 

–ଦେଖନ୍ତୁ ବାପା, କେତେବେଳୁ ଆସି ଡାକ୍ତରବାବୁ ବସିଲେଣି ଆଉ ଆପଣ କେତେ ଡେରିକଲେ । ଜାଣିଛନ୍ତି ଡାକ୍ତରବାବୁ–ବାପା ଆଜି ଉପରୁ ଓହ୍ଲାଇଆସି ଚୁପ୍‌ଚାପ୍‌ ହୋଇ ଚାଲିଯାଇଛନ୍ତି ବଗିଚା ବୁଲିବାକୁ ଏକ୍‌ଦମ୍‌ ସକାଳଟାରୁ । ବହୁତ ଥଣ୍ଡା ଲାଗିଛି ଆଜି, କ’ଣ ହେବ କେଜାଣି ।

 

କିଛି ହେବନି ମା’, କିଛି ହେବନି । ବୁଝିଲେ ଡାକ୍ତରବାବୁ–ମାଆ ମୋର ମରିଯାଇଛନ୍ତି ବହୁତ ଦିନ ହେଲା । ସନ୍ତାନ ଲାଗି ମା’ର ବ୍ୟାକୁଳତା ତୁମେ ନିଶ୍ଚୟ ଅନୁଭବ କରୁଥିବ, ବୁଝିପାରୁଥିବ ସେଇ ବ୍ୟାକୁଳତା ସନ୍ତାନ ସନ୍ତତିର କେତେ କାମ୍ୟ । ସେଇ ବ୍ୟାକୁଳତା ମୁଁ ଏଇ ବୁଢ଼ାଦିନ ପର୍ଯ୍ୟନ୍ତ ପାଇଯାଉଛି । କେଡ଼େ ଭାଗ୍ୟବାନ ମୁଁ କହିଲି । ମୋ ଲାଗି ମୋ ଟିକି ମାଆ ମନ ଆହୁରି ବ୍ୟାକୁଳ ହେଉ ଏଇଆ ମୁଁ ଚାହେଁ । ତେଣୁ ମୁଁ ଏତେ ଅବାଧ୍ୟ ହୁଏ । ମୋ ଟିକି ମା’ ଭିତରେ ମୋର ହଜିଗଲା ବୋଉକୁ ମୁଁ ଖୋଜିପାଇଛି । କହୁ କହୁ ଚୁପ୍‌ ହୋଇଗଲେ ବୃଦ୍ଧ । ସତେଯେପରି ପ୍ରାଣହୀନ ଏକ ଷ୍ଟାଚ୍ୟୁ ।

 

ଅଳକା ଚାଲିଯାଇଥିଲେ ରୋଷେଇ ଘରକୁ ।

 

ଡାକ୍ତର ପଚାରିଲେ–କ’ଣ ହେଲା ମଉସା ! ଚୁପ୍‌ ହୋଇ ରହିଗଲେ କାହିଁକି ?

 

–ଏଁ, ଚୁପ୍‌ ହୋଇ ରହିଗଲି କାହିଁକି ପଚାରୁଛ ? ଡାକ୍ତର, ମେଘ ଦେଖି ମୟୂର ନାଚେ, ଖୁବ୍‌ ନାଚେ । ନାଚୁ ନାଚୁ ଏକ ସମୟରେ ତା’ର ନିଜର ଗୋଡ଼ ପ୍ରତି ନଜର ପଡ଼େ । ତାପରେ ସେ ଆଉ ନାଚେନି । ଭାବେ ମୁଁ ଏତେ ସୁନ୍ଦର ଆଉ ମୋ ଗୋଡ଼ ଦୁଇଟି କି ଅସୁନ୍ଦର । ଏ ଗୋଡ଼ରେ ନାଚିଲେ ମୋତେ କ’ଣ ସୁନ୍ଦର ଦିଶୁଥିବ । ତାପରେ ସେ ମୋରି ପରି ଚୁପ୍‌ ହୋଇଯାଏ, ସ୍ଥିର ହୋଇଯାଏ । ମୋର ମାତୃହରା କନ୍ୟା ପାଖରେ ମୁଁ ଆଙ୍କି ବସିଲି ଗୋଟିଏ ସ୍ନେହମୟୀ ଜନନୀର ଚିତ୍ର । ଅଥଚ, ତା’ର ମାଆ ନ ଥିବାର କାରଣ ହୋଇଛି ମୁଁ ନିଜେ । କି ନିଷ୍ଠୁର ଡାକ୍ତର ମୁଁ, କି ନିଷ୍ଠୁର ।

 

–ମଉସା, ନିଜର ଦେହ ମନକୁ କାହିଁକି ଏତେ କଷ୍ଟ ଦିଅନ୍ତି, ମୁଁ ଜାଣେନା । କି ଅବ୍ୟକ୍ତ ଯନ୍ତ୍ରଣା ଆପଣଙ୍କ ବୁକୁରେ ଅହୋରାତ୍ର ଗୁମୁରି ଗୁମୁରି ଉଠେ । ଆପଣ ନ କହିଲେ ମୁଁ ବି ଜୋର କରି ଜାଣିବାକୁ ଚାହିଁବିନି । ତଥାପି କହୁଛି–ଏପରିକି ସେ ବ୍ୟଥା, ଯାହା ଆପଣ ମନରୁ ତଡ଼ି ପାରୁନାହାନ୍ତି । ସେ ବ୍ୟଥାର ଓଜନ ଯେତେ ଗୁରୁ ହେଉନା କାହିଁକି ଆପଣ ଭୁଲିଯିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ପୁଅ, ଝିଅ ଆଉ ମୁଁ–ହଁ, ମୁଁ–ଆମେ ସମସ୍ତେ କେତେ ଖୁସି ହବୁ, ଆପଣଙ୍କୁ ସୁସ୍ଥ ଆଉ ସହଜ ଦେଖିଲେ ।

 

ସୁସ୍ଥ ଆଉ ସହଜ ! ନା ଡାକ୍ତର ନା, ଜୀବନ ସାୟାହ୍ନରେ ପହଞ୍ଚି କୈଶୋରର ସୂର୍ଯ୍ୟକୁ ମୁଗ୍‌ଧ ଆଖିରେ ଚାହିଁବାର ଆକାଂକ୍ଷା ମୋର ଆଉ ନାହିଁ । ଏଇ ମୋର ଘୁଣଖିଆ ହାଡ଼, ତା’ର ପୁଣି ସୁସ୍ଥତାର କି ପ୍ରୟୋଜନ ! ଆଉ ସହଜତା କଥା କହୁଛ, ମୁଁ କ’ଣ ବଡ଼ ବେଶୀ ଅସହଜ ! ଛାୟା ତ ମୋତେ ବେଶ୍‌ ବୁଝିପାରୁଥିଲା, ସେ ମୁହଁ ଦେଖିତ ଅନ୍ତର ଜାଣିପାରୁଥିଲା । ମୁଁ କ’ଣ କରିଆସିଲି ଆଉ କ’ଣ କରିବାକୁ ଯାଉଛି, ସବୁ ସେ ଜାଣିପାରୁଥିଲା । ଆଶ୍ଚର୍ଯ୍ୟ ତା’ର ଆଖି । ସେ ତା’ ଆଖି ଦୁଇଟିରେ ମତେ ଦେଖି ଦେଖି ସେ ସବୁ ଜାଣିପାରୁଥିଲା । ମୁଁ ତ ତାହାହେଲେ ଅସହଜ ନୁହେଁ ।

 

ମଉସା, ଅଳକା ଦେବୀ ଆସୁଛନ୍ତି । ସେ ଦୁଃଖ କରିବେ । ଆପଣ ଚୁପ୍‌ ହୋଇଯାଆନ୍ତୁ-

 

–ବାଃ, ଭାରି ସୁଗନ୍ଧ । ଆଜି ପୁଣି କ’ଣ ନୂଆ ଜଳଖିଆ ତିଆରି କଲେ । ଆମ ପାଇଁ କେତେ ପରିଶ୍ରମ କରୁଛନ୍ତି ।

 

ପରିଶ୍ରମ ଆଉ କ’ଣ ଡାକ୍ତର ବାବୁ ! ଆପଣମାନେ ଆନନ୍ଦରେ ଖାଇଲେ ମୋର ଶ୍ରମ କରିବା ସାର୍ଥକ ହେବ । ଖାଆନ୍ତୁ, ବାପା ଆପଣ ବି ଖାଆନ୍ତୁ, ଥଣ୍ଡା ହୋଇଯିବ । ଆଚ୍ଛା ବାପା ଆମର ବୁଲିଯିବା କଥା ଡାକ୍ତରବାବୁଙ୍କୁ କହିଛନ୍ତି ନା ?

 

ଏଁ, ହଁ, ନା କହିନି । ଆସ୍ତେ ଆସ୍ତେ ବିସ୍ମୃତିର ଅତଳ ଗର୍ଭରୁ ବାହାରିଆସିଲେ କନକ ନାରାୟଣ ।

 

ଡାକ୍ତର ପଚାରିଲେ–କୁଆଡ଼େ ବୁଲିଯିବା କଥା ପଚାରୁଛନ୍ତି ଆପଣ ?

 

ଏଇ ଆମେ ସବୁ ଆଜି ଆପଣଙ୍କ ଘରକୁ ଯିବୁ ବୋଲି ଠିକ୍‌ କରିଛୁ ।

 

ଭାରି ଭଲ କଥା । ଆମେ ସମସ୍ତେ ଖୁସି ହବୁ । କେତେବେଳେ ଯିବେ ? ସ୍ମିତ ହସି ଅଳକା କହିଲେ–ଏଇ ଚାରିଟା ପରେ ଯିବୁ ବୋଲି ଭାବୁଛୁ ନୁହେଁ, ବାପା ?

 

ଡାକ୍ତରଙ୍କ ମୁହଁକୁ ଚାହିଁ କନକ ନାରାୟଣ କହିଲେ–ହଁ ବୁଲୁ, ଆମେ ଚାରିଟା ପରେ ଯିବୁ । ତାପରେ–ମାଂସ କଚୁରି ଖାଉ ଖାଉ କହିଲେ–ବାଃ, କି ସୁନ୍ଦର ହୋଇଛି । ଡାକ୍ତର, ମୋ ଝିଅକୁ କେତେ ପ୍ରକାର ରାନ୍ଧି ଆସେ ଦେଖୁଛ, ସେ ଗଲାପରେ ପୁଣି ଭୀମ ହାତରେ ଲୁଣି ଅଲଣା ଖାଉ ଖାଉ ଜୀବନ ଯିବ ।

 

ସମସ୍ତିଙ୍କ ଅଜ୍ଞାତରେ ଅଳକାଙ୍କ ନୟନ ଦୁଇଟି ଶିକ୍ତ ହେଇଉଠିଲା ।

 

କଥା କହିବା ଭିତରେ ଖାଇବା ସରିଗଲା । ଡାକ୍ତରବାବୁ କନକ ନାରାୟଣଙ୍କ ଛାତି ପରୀକ୍ଷା କରି, ଜ୍ୱର ଦେଖି ଆସ୍ୱସ୍ତ ହେଲେ । ତାପରେ ଆଉ କିଛି ସମୟ କଥା କହି ଚାଲିଗଲେ ସିଏ, କନକ ନାରାୟଣ ମଧ୍ୟ ଉପରକୁ ଚାଲିଗଲେ ।

 

ଅଳକା ରୋଷେଇ ଖବର ଆଉ ଟିକେ ବୁଝି ଗାଧୋଇବାକୁ ଚାଲିଗଲେ । ଟୁଲୁ ବଣୀ ଛୁଆ ନେଇ ବ୍ୟସ୍ତ ଥିଲା । ତାକୁ ବି ଗାଧୋଇ ଦେବାକୁ ନେଇଗଲେ ।

 

ନଅ

 

ଅପରାଜିତା ଗୋଟିଏ କାଚ ଜାର ଧରି ଷ୍ଟୋର ରୁମ୍‍ଆଡ଼େ ଯାଇଥିଲେ ।

 

ତନୁ ଦୁଇହାତ ମେଲାଇ ବୋଉ ସାମନାରେ ଠିଆହୋଇ ବାଟ ଓଗାଳିଲା । ପଚାରିଲା–ସେଥିରେ କ’ଣ ଅଛି ବୋଉ ?

 

କ’ଣ ଅଛି ତହିଁରେ ମୁଁ ଜାଣେନି । ତୁ ଗଲୁ ସିଆଡ଼େ । ମୋତେ ବାଟ ଛାଡ଼େ, ବିରକ୍ତ କରନା । ଅପରାଜିତାଙ୍କ କଣ୍ଠରେ ବିରକ୍ତି ।

 

ନ କହିଲେ ବାଟ ଛାଡ଼ିବିନି, ଛୁଇଁଦେବି କହୁଛି ।

 

ଧୁଆ ଲୁଗା ପିନ୍ଧି ଆଚାର ଧରିଛନ୍ତି ଅପରାଜିତା । ଝିଅ କହୁଛି ଛୁଇଁଦେବ, ଶୁଣି ଶଙ୍କିଗଲେ । ଅବିଶ୍ୱାର କଥା ନୁହେଁ, ଝିଅକୁ ଜାଣନ୍ତି ଅପରାଜିତା । ଏଡ଼ୁଟିଏ ହେଲେ କ’ଣ ହେବ, ବୁଦ୍ଧି ବୋଲି କାଣିଚାଏ ନାହିଁ । ତା’ ବୟସରେ ସିଏ ନିଜେ ଦୁଇବର୍ଷ ଧରି ଘର କଲେଣି । ଅଥଚ, ବାପ, ଭାଇ, କହୁଛନ୍ତି ସେ ପିଲାଟା ପାଠ ପଢ଼ୁ । ତମ ଯୁଗ ଗଲାଣି । ତନୁକୁ ବିଭା ଦେବା କଥା ଏଇକ୍ଷଣି ଆଉ ମୁହଁରେ ଧରନି । ନ ଧରିଲେ ନାହିଁ, ଯାହା ସେମାନଙ୍କ ମନ ସେଇୟା କରନ୍ତୁ ।

 

ବୋଉ, ତନୁଶ୍ରୀ ଗଳାରେ ଅଳି ।

 

ଆରେ କ’ଣ ?

 

କ’ଣ ଅଛି ସେଥିରେ ?

 

ତୁ ଜମା ଜାଣିନୁ ? ତୁ ଭଲ ହେବୁ କେଉଁଦିନ । ବଡ଼ ହବୁ କେଉଁଦିନ ? ଗଳାରେ ଅଭିମାନ କରି ତନୁଶ୍ରୀ କହିଲା–କାହିଁକି, ବାପା ଆଉ ଭାଇନା ତ କହନ୍ତି ମୁଁ ଭାରି ଭଲଝିଅ, ଆଉ ତୁମରି ପାଖରେ ଖାଲି ମୁଁ ମନ୍ଦ । ଦିଅ ଖଣ୍ଡେ, ଦେଲ ମୁଁ ଯାଏ ବାହାରି ।

 

ଗଳାରେ ଜିଦ୍‌ ଭରି ଅପରାଜିତା କହିଲେ–ନାହିଁ କରୁଛି ପରା । ତୁ କ’ଣ ପିଲା ହୋଇଯାଉଛୁ ?

 

କେତେବେଳୁ ପଛପଟୁ ଆସି ଠିଆ ହୋଇଛନ୍ତି ଦିବ୍ୟେନ୍ଦୁ । ମାଆ ଝିଅଙ୍କ କଥା ଶୁଣିଥିଲେ ଠିଆହୋଇ । କହିଲେ–ଆରେ ଦିଅ ଟିକେ ତାକୁ । ପିଲା ସେମାନେ, ସିଏ ଖାଇବେନି, ତେବେ ସେଗୁଡାକ କିଏ ଖାଇବ ଶୁଣେ ?

 

କାହିଁକି ମ ଖାଇବାକୁ କ’ଣ ଆଉ କିଏ ନାହାନ୍ତି ? ତେବେ ତୁମେ ଯେତେବେଳେ ଆସିଲଣି ସେ ଗେଲବସର ଝିଅ ଠିକ୍‌ ମୋତେ ଛୁଇଁଦେବ । ତୁମରି ମୁହଁ ପାଇ ସେ ସେମିତି ହେଉଛି । ଦେଖା, ହାତ ଦେଖା ।

 

ଗେହ୍ଲାଳିଆ କଣ୍ଠରେ ତନୁଶ୍ରୀ କହିଉଠିଲା–ନା ନା, ସେଇଟା ନୁହେଁ । ସେ ଖଣ୍ଡକ । ହଁ, ସେଇ ବଡ଼ ଆଚାରଟା । ବାପ୍‌ରେ ବାପ୍‌ ଏଇ ଟିକକ ପାଇବାକୁ ମଣିଷ ଦେହରେ ଝାଳ ଭାସିଗଲାଣି ।

ଦିବ୍ୟେନ୍ଦୁ ଝିଅକୁ ଚାହିଁ ଟିକିଏ ହସିଦେଇ ଅନ୍ୟଆଡ଼େ ଚାଲିଗଲେ । ଝିଅବି ହସିଲା, ବିଜୟିନୀର ହସ ।

ତାପରେ ଏଡ଼େବଡ଼ ଜିଭ ବାହାର କରି ଆଚାର ଖଣ୍ଡକ ଚାଟୁ ଚାଟୁ ବୋଉ ପଛେ ପଛେ ଗଲା । କହିଲା–ବୋଉ, ଗୋଟିଏ କଥା କହିବି ।

କଣ୍ଠରେ ବିରକ୍ତି ଭରି ଅପରାଜିତା କହିଲେ–ପୁଣି କ’ଣ ?

ଗଳାରେ ଅଭିମାନ ଭରି ତନୁ କହିଲା–ନାଇଁମ ମୁଁ ଆଉ ଆଚାର ମାଗୁନି । ବୋଉ, ଭାଇନା ଏ ପର୍ଯ୍ୟନ୍ତ ଆସିଲେନି ତ ? ସେଇ ଚଉଧୂରୀ ବାବୁଙ୍କ ଘରେ ତ ଅଟକିଥିବେ । ନାଇଁଲୋମା ଆଉ ସେ ଘର ନାଁ ଧରିବିନି; ସେଦିନ ଯାହା ହେଲାନା, ଭାଇନାଙ୍କର କି ରାଗ । ବୋଉ, ଚଉଧୁରୀ ବାବୁଙ୍କ ଝିଅ ପରା ଆସିଛନ୍ତି ଆମର ଟିକେ ଗଲେ ହୁଅନ୍ତାନି ? ଏ ଘରୁ କ’ଣ କୁଆଡ଼େ ଟିକେ ଯାଇହେବ ! ଖାଲି କଲେଜ ଆଉ ଘର, ଫେର୍‌ ଘର ଆଉ କଲେଜ । ବୋଉମ, ଗୋଟେ କଥା କହିବି ?

ଅପରାଜିତା କବାଟରେ ଶିକୁଳି ଦେଉ ଦେଉ କହିଲେ–ତୋ କଥା ଆହୁରି ସରିନି ? ଆଉ କ’ଣ ଅଛି କହିପକା ଚଞ୍ଚଳ ମୁଁ ଯିବି । ମୋର ବହୁତ କାମ ଅଛି ।

ଗଳାରେ ଅଳି ଭରି ତନୁ କହିଲା–କହିଥିଲି କି, ରବି ଟକିଜ୍‌ରେ କୁଆଡ଼େ ଭଲ ଛବି ଆସିଛି । ସନ୍ଧ୍ୟା ବୀଥି, ଅଶୃ, ଜୁଇ ଏମିତି ଆହୁରି ବହୁତ ଝିଅ ଯାଉଛନ୍ତି । ମୋତେ ଡାକୁଥିଲେ ଯିବାକୁ ।

ମୁଁ କିଛି କହିନି । ବାପାଙ୍କ ଉପରେ ଭରସା ଅଛି । ତେଣୁ କହୁଥିଲି ତୁମେ ଟିକେ ଭାଇନାକୁ କହନ୍ତନି ?

କାହିଁକି, ତୁ କହୁନୁ ?

ଇଲୋ ବାପାଲୋ !

କହିଲେ ତୁମେ କୁହ ବୋଉ, ହଁ କି ନାହିଁ, ଯାହା କହିବାର ଭାଇନା ତୁମକୁ କୁହନ୍ତୁ । ତୁମେ ମୋତେ କହିବ । ଏଇକ୍ଷଣି ମୁଁ ଯେବେ ପଚାରିବି ତେବେ ନାକପୁଡ଼ା ଫୁଲାଇ ବକ୍ତୃତା ଆରମ୍ଭ କରିଦେବେ–ତୁ ଭୁଲିଯାଅନା ଯେ ତୁ ଅମୁକ ମିଶ୍ରଙ୍କ ଝିଅ, ତମୁକ ମିଶ୍ରଙ୍କ ଭଉଣୀ । ଯିବାକୁ ହେଲେ ବୋଉଙ୍କ ସାଙ୍ଗରେ ଯିବୁ । ଆଉ କାହା ସହିତ ଯାଇପାରିବୁନି । ଖବରଦାର୍‌ କହିଦେଉଛି । ନା, ମୁଁ କହିପାରିବିନି ବାବା ତାଙ୍କୁ ।

ଝିଅର କଥା କହିବା ଧରଣ ଦେଖି ଅପରାଜିତା ହସି ପକାଇଲେ । କହିଲେ–ଆଚ୍ଛା, ଆଚ୍ଛା, ତୋର ଯିବା ପାଇଁ ମୁଁ ଚେଷ୍ଟା କରିବି । ତୁ ଏଥର ଗଲୁ ।

ସତରେ ବୋଉ, ଭାଇନା ଭାରି କଡ଼ା ମଣିଷ । ଆମ କଲେଜର ଝିଅମାନେ କେତେ ରକମର ମୁଣ୍ଡ ବାନ୍ଧି ଆସନ୍ତି । ମତେ ପଚାରିନ୍ତି–ସବୁବେଳେ ବେଣୀ ଛାଡ଼ୁ କାହିଁକି ତନୁ ? ତୋତେ କ’ଣ ମୁଣ୍ଡ ବାନ୍ଧି ଆସିନି ? ମୁଁ ଆଉ କ’ଣ କହିବି । ହସିଦିଏ, କିନ୍ତୁ ମନେ ମନେ କୁହେ–ତୁମେ ତ ସବୁ ଜାଣିନା ମୋ ଭାଇନାଙ୍କୁ, ଯେମିତି ଫେସନ କରୁଛି ଦେଖିଦେବେ ଆଖିଦୁଇଟି ଛୋଟ ଛୋଟ ହୋଇଯିବ ସାଙ୍ଗେ ସାଙ୍ଗେ । ସେଇଠୁ ଡାକ ଛାଡ଼ି କହିଲେ–ତନୁ....କଲେଜ ଛାଡ଼୍‌ । ଦୁଇଦିନ ଯାଇଛୁ କି ନାହିଁ । ଏତେ ରକମ ମୁଣ୍ଡ ବାନ୍ଧି ଶିଖିଲାଣି । ଆମ ଘରେ ସେ ସବୁ ଚଳିବନି । ସତେ ଯେମିତି ଘରଟା ତାଙ୍କରି । ମୋର ଯେମିତି ଏ ଘରେ କିଛି ନାହିଁ ।

 

ପୁଅ ଫେରିଲାରୁ ବାପ ପୁଅ ଦୁହେଁ ଏଇଆଡ଼କୁ ଆସୁଥିଲେ । ତନୁ ମୁହଁର କଥାଗୁଡ଼ିକ ଶୁଣି ଆସ୍ତେ ଆସ୍ତେ ଘୁଞ୍ଚିଗଲେ । ପରସ୍ପରକୁ ଚାହିଁ ହସିଲେ ମଧ୍ୟ ।

 

ଦିବ୍ୟେନ୍ଦୁ କହିଲେ–ସତେ ମନୁ, ସେ ତୋତେ ଭାରି ଡରେ । ମନୋରଞ୍ଜନ ଗମ୍ଭୀର ସ୍ୱରରେ କହିଲେ–କାହାକୁ ଜଣକୁ ହେଲେ ଡରିବା ଭଲ ବାପା । ଯେତେହେଲେ ତ ଝିଅ । ତାପରେ ଡାକ ପକାଇଲେ ମନୋରଞ୍ଜନ–କୁଆଡ଼େ ଗଲୁ ତନୁ...ଦେଖେ ତୋ ପାଇଁ କ’ଣ ଆଣିଛି ।

 

କ’ଣ ମୋପାଇଁ ଆଣିଛ ଭାଇନା ? ଇସ୍‌ କି ସୁନ୍ଦର ଶାଢ଼ି ! ଫିକା ସବୁଜ ନାଇଲନ୍‌ । ମୁଁ ଭାରି ଭଲପାଏ ଏଇ ରଙ୍ଗଟା । ଆମ କଲେଜରେ ଆଜି ଗୋଟିଏ ଝିଅ ଭାରି ସୁନ୍ଦର ଶାଢ଼ିଟିଏ ପିନ୍ଧି ଆସିଥିଲା । ଏଇଟା କିନ୍ତୁ ତାଠୁ ବି ସୁନ୍ଦର । ତା’ପରେ ଶାଢ଼ିଟି ଧରି ଦଉଡ଼ି ଦଉଡ଼ି ବୋଉଙ୍କ ପାଖକୁ ପଳାଇଲା । ଆନନ୍ଦିତ ସ୍ୱରରେ କହିଲା–ଦେଖିଲଣି ବୋଉ, ଭାଇନା ମୋପାଇଁ କ’ଣ ଆଣିଛନ୍ତି । ସୁନ୍ଦର ନୁହେଁ ?

 

ଅପରାଜିତା ତନୁଆଡ଼କୁ ମୁହଁ ବୁଲାଇଲେ । ତା’ର ଆନନ୍ଦଭରା ମୁହଁରେ ଆଖିରଖି କହିଲେ–ତୁ ପରା ତା’ ଉପରେ ରାଗୁଥିଲୁ । କିନ୍ତୁ ଦେଖେ ଭାଇନା ତୋତେ କେତେ ଭଲପାଏ । ତା’ପରେ ଶାଢ଼ିଟିକୁ ନିରେଖି ନିରେଖି ଚାହିଁଲେ । ଖୁସିହେଲେ । କହିଲେ–ତୋତେ ବେଶ୍‌ ମାନିବି-

 

ମନୁ ଡାକ ପକାଇଲେ–ଭାତଆଣ ବୋଉ । ଭାରିଭୋକ ଲାଗୁଛି ।

 

ବ୍ୟସ୍ତ ହୋଇପଡ଼ିଲେ ଅପରାଜିତା । କହିଲେ–ଦଉଛି, ଦଉଛି, ତୁମେ ଯାଇ ବସ ।

 

ଖାଉ ଖାଉ ଦିବ୍ୟେନ୍ଦୁ ପଚାରିଲେ–ଚଉଧୂରୀ ସାହେବ କିପରି ଅଛନ୍ତି ?

 

ଭଲଅଛନ୍ତି ବାପା । ସେମାନେ ଆଜି ଆସିବେ ଆମ ଘରକୁ । ବୋଉ ତୁମେ କିଣା ଜିନିଷ ମୋଟେ ତାଙ୍କୁ ଖୁଆଇବନି । ଅଭିମାନ କଲେ ଅପରାଜିତା । ଭାରିଗଳାରେ କହିଲେ–କାହିଁକିରେ, ତୋ ବୋଉ କ’ଣ କିଛି ଜାଣେନି ଯେ କିଣି ଖୁଆଇବ ? ତମକୁ ସବୁ ଏତେକରି ଖୁଆଇ ପିଆଇ ଶେଷକୁ ଏଇଆ କହୁଛୁ ? ବାପ ଯେମିତି ତାଙ୍କ ପିଲାଏ ତ ପୁଣି ସେମିତି ହେବେ-। ମୋ ଭାଗ୍ୟ ।

 

ମନୁ ବିରକ୍ତିହୋଇ କହିଲେ–ସାମାନ୍ୟ ଗୋଟେ କଥାର କଥାକୁ ଏତେ ବଢ଼ାଇଦେଲ କାହିଁକି ? ତୁମେ ଖୁଆଇବ, ତୁମେ କରିପାରିବ । ତାହାହେଲେ ପାରେ କିଏ, କରେ କିଏ ? ଏତିକି କହି ମନୁ ଚାଲିଗଲେ ଅନ୍ୟଘରକୁ ।

 

ଅବୁଝା ଅପରାଜିତାଙ୍କ କଥାରେ ଦିବ୍ୟେନ୍ଦୁ ଦୁଃଖ ପାଇଲେ । କହିଲେ–ମନୁ, ଏଇମିତି ସାଧାରଣ କଥା ପଦିଏ କହିଛି । ଏଥିରେ ତୁମେ ଦୁଃଖ କଲ କାହିଁକି ? ପୁଅଝିଅଙ୍କ କଥାକୁ ବୁଝିବାକୁ ଚେଷ୍ଟା କରିବି । ତାଙ୍କମାନଙ୍କ କଥାକୁ ଭୁଲ୍ ବୁଝି ଦୁଃଖପାଇବା ଠିକ୍‌ ନୁହେଁ । ମାଆ ବାପ ହୋଇ ଆମେ ଯେବେ ତାଙ୍କମାନଙ୍କୁ ନ ବୁଝିବା ତାହାହେଲେ ଆଉ ବୁଝିବ କିଏସେ ? ଏହି ଭୁଲ୍ ବୁଝାବୁଝି ଯୋଗୁ କେତେ ସୁନ୍ଦର ସଂସାର ଛାରଖାର ହୋଇଯାଏ । ତୁମେ ବହୁତ ଜାଣ । ମୁଁ ବା ତୁମକୁ କ’ଣ ବୁଝାଇବି ।

 

ସ୍ୱାମୀ ଦୁଃଖ ପାଇଛନ୍ତି ଜାଣି ଅପରାଜିତା ଲାଜ ପାଇଲେ । ତାଙ୍କ ଜୀବନରେ ଯେତେ ଛୋଟ ଛୋଟ ସମସ୍ୟା ଆସିଛି, ସବୁ କିଛିର ସମାଧାନ କରିଛନ୍ତି ଏଇ ସ୍ୱାମୀ । ଏତେ ଟିକିଏ ମନରେ ପ୍ରଶ୍ନ ଜାଗିଲେ ସେଇଟି ପଚାରନ୍ତି ସ୍ୱାମୀଙ୍କୁ । ସହଜ ଓ ସୁନ୍ଦର ଉତ୍ତର ପାଇ ନିଶ୍ଚିନ୍ତ ହୁଅନ୍ତି-। ସବୁ ଦୁଃଖ ତାଙ୍କର ଧୋଇ ହୋଇଯାଏ ସ୍ୱାମୀଙ୍କ ସ୍ନେହ ଝରଣାରେ । ଉଭୟଙ୍କ ପ୍ରତି ଉଭୟଙ୍କର ମମତାର ଅନ୍ତ ନାହିଁ । ନବବଧୂ ପରି ଲାଜ ଲାଜ ଆଖି ତୋଳି ଚାହିଁଲେ ଅପରାଜିତା ସ୍ୱାମୀଙ୍କ ଆଡ଼କୁ । ସେହି ଆଖି ଯୋଡ଼ିକି କହୁଥିଲା–ମୋତେ କ୍ଷମା କର ।

 

ଏ ଆଖିକୁ ଚିହ୍ନନ୍ତି ଦିବ୍ୟେନ୍ଦୁ ମିଶ୍ର । ଏ ଆଖିର ସବୁ ଭାଷା ପଢ଼ିପାରନ୍ତି ସିଏ । ତାଙ୍କର କଥାରେ ସ୍ତ୍ରୀ ନିଜର ଭୁଲ୍ ବୁଝିପାରନ୍ତି, ତାଙ୍କର କଥାରେ ଖୁସି ହୁଅନ୍ତି । ତାଙ୍କରି କଥା ସ୍ତ୍ରୀଙ୍କ ପାଖରେ ବେଦର ଗାର । ଆଜି ବି ବୁଝିଲେ ତାଙ୍କରି କଥାରେ ସ୍ତ୍ରୀ ତାଙ୍କର ଅବୁଝା ରାଗ ପାଇଁ ଲଜ୍ଜା ପାଇଛନ୍ତି । କେହି ନାହାନ୍ତି ଦେଖି ସ୍ତ୍ରୀଙ୍କ ମଥାଟି ଆଉଁସିଦେଇ କହିଲେ–ଯାଅ ଅଳ୍ପଟିକେ ବିଶ୍ରାମ ନିଅ । ସେମାନେ କହିଛନ୍ତି ସାଢ଼େ ଚାରିଟାବେଳେ ଆସିବେ ବୋଲି । ତୁମକୁ ବହୁତ କାମ କରିବାକୁ ପଡ଼ିବ । ଆମର ବଡ଼ ଅନ୍ୟାୟ ହୋଇଗଲା ଜିତା, ଆମେ ଯେତେବେଳେ ଏଠାକୁ ନୂଆ ହୋଇ ଆସିଛୁ ସେତେବେଳେ ଆମରି ଉଚିତ ଥିଲା ତାଙ୍କ ଘରକୁ ଆଗ ଯିବା । ତା’ ଛଡ଼ା ଚୌଧୂରୀଏ ଯେତେବେଳେ ଖୁବ୍‌ ଅସୁସ୍ଥ ଥିଲେ ପ୍ରତିବେଶୀ ହିସାବରେ ମୋର କର୍ତ୍ତବ୍ୟ ଥିଲା ତାଙ୍କ ପାଖକୁ ଯାଇ ଭଲମନ୍ଦ ବୁଝିବା । ହେଲାନି, ବଡ଼ ଅଯୋଗ୍ୟ ମୁଁ ।

 

ଅପରାଜିତା ବିରକ୍ତ ହୋଇ କହିଲେ–ତୁମେ ତ ବହି ଖଣ୍ଡିଏ ଧରିଲେ ବିଶ୍ୱ ଭୁଲିଯାଅ, ଆଉ କରିବ କ’ଣ । ଆସ ଯିବା । ମୁଁ ଟିକେ ବିଶ୍ରାମ ନିଏ । ଦେଖ ସେମାନେ ଆସିବେ ବୋଲି ତନୁ କି ସୁନ୍ଦର ଘର ସଜାଉଛି, ଇସ୍‌ ସେ ଫୁଲଦାନୀଟା ଫୁଲପତ୍ର ଦେଇ କି ସୁନ୍ଦର ସଜାଇଛି ଦେଖୁଛ ? କହୁକହୁ ଚାଲିଗଲେ ଜିତା ଶୋଇବା ଘରକୁ । ଦିବ୍ୟେନ୍ଦୁ ମୁଗ୍‌ଧ ଆଖିରେ ଘରର ସାଜସଜ୍ଜା ଦେଖୁ ଦେଖୁ ଅନ୍ୟଘରକୁ ଚାଲିଗଲେ ।

 

ଦଶ

 

ଚିନାବାଦାମର ପତଳା ଚୋପାର ଯେଉଁ ରଙ୍ଗ ଠିକ୍‌ ସେଇ ରଙ୍ଗର ଶାଢ଼ିରେ ସୁନେଲୀ ଜରି ଧଡ଼ି । ତନୁଶ୍ରୀ ଦେହ ବଲ୍ଲରୀ ଘେରି ସେଇ ଶାଢ଼ି ଆଉ ଧଡ଼ିର ସୌନ୍ଦର୍ଯ୍ୟ ବଢ଼ିଯାଇଛି । ଘରର ସାଜସଜ୍ଜା ସହିତ ନିଜକୁ ବି ଅଳ୍ପ ଟିକିଏ ସଜାଇ ନେଇଛି ତନୁ ।

 

ବାପ ପୁଅ ଝିଅ ସମସ୍ତେ ବସି ରହିଛନ୍ତି ଡ୍ରଇଁ ରୁମ୍‌ରେ ଅତିଥିମାନଙ୍କୁ ଅପେକ୍ଷା କରି । ଅପରାଜିତା ମଧ୍ୟ ତାଙ୍କ ସହିତ ଯୋଗଦେଲେ, ରୋଷେଇଘରର ସବୁ କାମ ସାରି । ସେମାନେ ବସିବାର କିଛି ସମୟ ପରେ ତାଙ୍କ ଗେଟ୍‌ ପାଖରେ ଛୋଟ ଫିଆଟ୍‌ ଗାଡ଼ି ଗୋଟିଏ ଆସି ଠିଆହେଲା । ସେମାନେ ଡ୍ରଇଁ ରୁମ୍‌ରୁ ବାହାରି ଗେଟ୍‌ ପର୍ଯ୍ୟନ୍ତ ଆଗେଇଆସିଲେ ।

 

ଟୁଲୁ ଆଗ ଗାଡ଼ିରୁ ଡେଇଁପଡ଼ି ମନୋରଞ୍ଜନକୁ କୁଣ୍ଢେଇ ପକେଇଲା । ତାପରେ ଓହ୍ଲାଇଆସିଲେ ଅଳକା । ରୂପର ଐଶ୍ୱର୍ଯ୍ୟରେ ଚାରିଆଡ଼ ଝଲମଲ ହୋଇଉଠିଲା । ଭାଓଲେଟ୍‌ ରଙ୍ଗର ଶାଢ଼ିଟାରେ ଅପୂର୍ବ ଦେଖାଯାଉଥିଲା ତାଙ୍କୁ । ଗହଣାର ବାହୁଲା ନାହିଁ । ଦୁଇଟି ହାତଯୋଡ଼ି ସମସ୍ତଙ୍କୁ ନମସ୍କାର କଲେ ।

 

ଦିବ୍ୟେନ୍ଦୁ ଆଗେଇଯାଇ ହାତ ଧରି ଓହ୍ଲାଇ ଆଣିଲେ କନକନାରାୟଣଙ୍କୁ । ତାପରେ ତାକୁ କୁଣ୍ଢାଇ ପକାଇଲେ । ନିଷ୍କପଟି ଦିବ୍ୟେନ୍ଦୁଙ୍କ ଅନ୍ତରରେ ଆନ୍ତରିକତା । କହିଲେ–ମତେ କ୍ଷମା କରନ୍ତୁ ଚଉଧୂରୀ ବାବୁ ! ଆପଣଙ୍କ ଅସୁସ୍ଥ ଅବସ୍ଥାରେ ଦିନେ ଯାଇ ଦେଖିପାରିଲିନି । ବଡ଼ ଦୁଃଖର କଥା । ବଡ଼ ଅଳସୁଆ ମୁଁ । ପ୍ରତିଦିନ ଯିବି ଯିବି କରି ଶେଷକୁ ଆପଣ ଆସିଲେ । ଏ ଲଜ୍ଜା ରଖିବାକୁ ଜାଗା ନାହିଁ ମୋର ।

 

କିଛି ନାଇଁ, କିଛି ନାଇଁ ମିଶ୍ରେ । ଲଜ୍ଜା ପାଇବାର କିଛି ନାଇଁ । ଆପଣଙ୍କ ପୁଅ ଭିତରେ ମୁଁ ଆପଣଙ୍କୁ ଦେଖିଛି । ଆପଣଙ୍କ ସ୍ତ୍ରୀଙ୍କୁ ମଧ୍ୟ ଦେଖିପାରିଛି । ଆଉ ଦେଖିଛି ଆନନ୍ଦମୁଖର ଛାୟା ଶୀତଳ ସଂସାରଟିଏ । ଯେପରି ସଂସାର ସଭିଙ୍କ ମନରେ ସ୍ୱପ୍ନ ଜଗାଏ, ଜୀବନକୁ ସାର୍ଥକ କରେ, ନୟନ ପତାରେ ଭରିଦିଏ ମାୟାଞ୍ଜନ । ଠିକ୍‌ ସେପରି ସଂସାର ତୁମର । ମନୁକୁ କିଛିଦିନ ଦେଖିବା ପରେ ତୁମର ଏଇ ଅଦେଖା ସଂସାରଟିକୁ ଦେଖିପାରିଥିଲି ମୁଁ ମୋର ମାନସ ଚକ୍ଷୁରେ । ସାର୍ଥକଜୀବନ ତୁମର । ସେମାନେ କଥା କହୁ କହୁ ଡ୍ରଇଁରୁମ୍‌ରେ ପହଞ୍ଚି ସାରିଥିଲେ ।

 

ଦିବ୍ୟେନ୍ଦୁଙ୍କୁ ଏପରି କଥା କିଏ କହିଲେ ସେ ଲଜ୍ଜା ବୋଧ କରନ୍ତି । ଦିବ୍ୟେନ୍ଦୁ ବୁଝିଲେ–

 

ସ୍ତ୍ରୀ ହୀନ ସଂସାରରେ ଚଉଧୁରୀଏ ବହୁତ କଷ୍ଟ ପାଉଛନ୍ତି । ନିଃସଙ୍ଗ ଜୀବନର ବ୍ୟଥାରେ ସେ ମର୍ମାହତ । ଆହା, କେତେଦିନ ହେଲା ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲି ଗଲେଣି । ପିଲାମାନେ କେତେ ଛୋଟ ଛୋଟ ଥିଲେ । ଇଚ୍ଛା କରିଥିଲେ ପୁଣି ସେ ବିବାହ କରିପାରିଥାନ୍ତେ; କ୍ତିନ୍ତୁ ତା’ ସେ କରିନାହାନ୍ତି । ପିଲାଙ୍କ ପାଇଁ କଣ୍ଟା ପୋତିନାହାନ୍ତି ଯେଉଁ କଣ୍ଟା ମାଡ଼ି ପିଲାଏ ତାଙ୍କର ଅହୋରାତ୍ର ରକ୍ତାକ୍ତ ହୋଇଥାନ୍ତେ । ଏଇଥିରୁ ସେ କେଡ଼େ ସ୍ନେହଶୀଳ, କେଡ଼େ ଭଲ ଜଣାପଡ଼େ । ମନେ ମନେ ଏତେ କଥା ଭାବିଲେ ମଧ୍ୟ ଦିବ୍ୟେନ୍ଦୁ ମୁହଁରେ କହିଲେ–ଆପଣଙ୍କ ମନ ଯେପରି ଆପଣ ସବୁ କିଛି ଦେଖନ୍ତିୁ ସେପରି । ଆପଣ ଅତି ଭଲ ବୋଲି ଭଗବାନ ଆପଣଙ୍କ ଭାଗ୍ୟରେ ରାଶି ରାଶି ଦୁଃଖ ଢାଳି ଦେଇଛିନ୍ତି । କାହାକୁ ହେଲେ ଅଖଣ୍ତ ସୁଖ ମିଳେନି ।

 

ଅପରାଜିତା କଥାର ଖିଅ ଧରି କହିଲେ–ଏଇ ଦେଖୁନାହାନ୍ତି, ମୋର ଗୋଟିଏ ବୋଲି ପୁଅ, ମୋ ମନରେ କେତେ ଦୁଃଖ ଦେଉଛି । ବାପ ମାଆ ଆମେ କେତେ ମନ କରିଛୁ ବୋହୂଟିଏ ଦେଖିବୁ ବୋଲି । ପୁଅର ଏକା ଜିଦ୍‌ ଏଇକ୍ଷଣି ବିଭାହେବନି । ଆଉ କିଛିଦିନ ଯାଉ । ଆଉ କେତେଦିନ ଯିବ ଭଗବାନ ଜାଣନ୍ତି । ମୁଁ ମଲା ପରେ ବୋଧହୁଏ ସେଦିନ ଆସିବ ।

 

ଅଳକା ହାତ ଧରି ଅପରାଜିତାଙ୍କୁ ଡାକିଲେ । କହିଲେ–ଆସନ୍ତୁ ମାଉସୀ ଘର ଦେଖିବି-। ଆସ ତନୁ । ଏତେ ବସି ବସି ଏ ଘର ସଜାଏ କିଏ ? ଏ ଘର ସୁନ୍ଦର ଦିଶୁଛି ମେତେ । କେବେଠୁଁ ଆସିବାକୁ ମନ କରୁଛି ମାଉସୀ; କିନ୍ତୁ ଆସିପାରୁନି । ବାପାତ ସବୁବେଳେ ଅସୁସ୍ଥ ରହିଲେ, ଆଉ ଆସିବି କୁଆଡ଼େ । ଏଠାକୁ ଆସିବାଦିନୁ ଏଇ ମୋର ପ୍ରଥମ ବାହାରକୁ ବୁଲିଆସିବା-। ଏପର୍ଯ୍ୟନ୍ତ ଲିଙ୍ଗରାଜଙ୍କୁ ସୁଦ୍ଧା ଦର୍ଶନ କରିପାରିଲିନି । ଯାହା ହେଉ ବାପା ଟିକେ ଚାରିଦିନ ହେଲା ଭଲ ଅଛନ୍ତି-। ଡାକ୍ତର ବାବୁଙ୍କ ଲାଗି ଜାଣ ସେ ଭଲ ଅଛନ୍ତି । ସେ ନଥିଲେ ବାପା ମୋର କେତେ କଷ୍ଟ ପାଉଥାନ୍ତେ । ଟଙ୍କା ନେଇ ବହୁତ ଡାକ୍ତର ଆସନ୍ତେ, ବାପାଙ୍କୁ ପରୀକ୍ଷା କରାନ୍ତେ, ଔଷଧ ଖୁଆନ୍ତେ, କର୍ତ୍ତବ୍ୟ ପାଳି ଚାଲିଯାଆନ୍ତେ । କିନ୍ତୁ ମନୋରଞ୍ଜନ ଡାକ୍ତରଙ୍କ ପରି ପୁଅ ଆସନରେ ବସି, ସେବା କରି, ସଙ୍ଗଦାନ କରି କେହି ବାପାଙ୍କର ସୁଖ ଦୁଃଖରେ ମିଶି ଯାଆନ୍ତେନି । ବାପାଙ୍କର ଏକୁଟିଆ ରହିବାର ସବୁ କାରଣ ତ ଶୁଣିଥିବେ ଡାକ୍ତରବାବୁଙ୍କ ପାଖରୁ । ଏକା ଜିଦ୍‌ ତାଙ୍କର–ଏ ଘର ଛାଡ଼ି ସେ କୁଆଡ଼େ ଯିବେନି । କହନ୍ତୁ ତ ମାଉସୀ, ଏତେ ଦୂରରେ ରହି ଆମ ମନ କେମିତି ହେଉଥିବ ତାଙ୍କ ପାଇଁ । କିଛି ସେ ବୁଝୁନାହାନ୍ତି । କିଛି ବୁଝିବାକୁ ବି ସେ ରାଜି ନୁହନ୍ତି । କହୁ କହୁ ଅଳକାଙ୍କର ନୟନାକାଶରୁ ଝରିପଡ଼ିଲା ଶ୍ରାବଣର ବାରିଧାରା ।

 

ସସ୍ନେହରେ ପୋଛିଦେଲେ ଅପରାଜିତା ସେହି ଅଶ୍ରୁ । କହିଲେ–କାନ୍ଦନି ମା’, କାନ୍ଦନି । ବାପା ଭଲ ହୋଇଯିବେ । ନଯାନ୍ତୁ ସେ କୁଆଡ଼କୁ, ଆମେ ତ ଅଛୁ । ଆଜି ପର୍ଯ୍ୟନ୍ତ ନଯାଇ, ଅଚିହ୍ନା ରହି ଯାହା ଅପରାଧ କରିଛୁ ଏଥର ଦୁଇବେଳା ଯାଇ ସେହି ଅପରାଧର ସୀମାକୁ ସଂକୀର୍ଣ୍ଣ କରି ଆଣିବୁ । ଭାବନି ଆଉ ତୁମେ ।

 

ତନୁ କହିଲା–ଅଳକା ନାନୀ, ଆଉ କିଏ ଯାଆନ୍ତୁ ଅବା ନ ଯାଆନ୍ତୁ, କାଲିଠାରୁ ସବୁଦିନେ ମୁଁ ଚାରିଟା ବେଳେ ଭାଇନାଙ୍କ ସଙ୍ଗେ ଯିବି ।

 

ନିଶ୍ଚୟ ଯିବ । ଗଲେ ମୁଁ ଭାରି ଖୁସିହେବି ଭଉଣୀ । ତନୁର ଗୋଲାପ ପାଖୁଡା ସଦୃଶ ଚିବୁକଟି ଧରି ଆଦର କଲେ ଅଳକା । ତା’ପରେ କହିଲେ–

 

ମାଉସା, କାହା ଘରକୁ ଏ ରତ୍ନ ପଠାଇବେ ? ଯାହା ଘରକୁ ଗଲେ ତା’ ଘରଟି ଆଲୁଅ ହୋଇଯିବ ।

 

ନାଇଁ ମା’, ସେଡ଼େ ଭାଗ୍ୟ ଆଉ ଯାହାର ଥାଉ ଅନ୍ତତ ମୋର ନାହିଁ । ମୁଁ ବୋହୂ ବି ଦେଖିବିନି, କି ଜ୍ୱାଇଁ ବି ଦେଖିବିନି । ପୁଅ ଗୁଣମଣି ସମୟ ପାଉନାହାନ୍ତି । ଝିଅ ଗୁଣମଣି ବି ଏ. ପାଶ୍‌ କରିବେ । ପାଠ ପଢ଼ିବେ । ସେ କୁଆଡ଼େ ଏଇନେ ପିଲା । ବାହାହେବାର ସମୟ ହୋଇନି । ତା’ ସମ୍ପର୍କରେ ତା’ ବାପ ଭାଇଙ୍କର ମତ ହେଲା ଏଇଆ । ଭାଗ୍ୟ ଝିଅ ଭାଗ୍ୟ, ବସୁ ମୋ ଭାଗ୍ୟ । ତୁମେ ଆଉ କେତେ ବଡ଼ ହେବ ତାଠାରୁ କହିଲେ ? ତାକୁ ଆସି କୋଡ଼ିଏ ହେଲାଣି । ତଥାପି ସେ କୁଆଡ଼େ ପିଲା ।

 

ଅଳକା ଅପରାଜିତାଙ୍କର ସ୍ୱଚ୍ଛ ନିର୍ମଳ ମନର ପରିଚୟ ପାଇଲେ, ଦିବ୍ୟେନ୍ଦୁଙ୍କର କଥାରେ ଆଉ ବ୍ୟବହାରରେ ତାଙ୍କ ମନକୁ ବି ଚିହ୍ନିପାରିଥିଲେ । ସଭିଙ୍କ ହୃଦ ସାଗରରେ ସ୍ନେହ ପ୍ରେମର ମଣିମୁକ୍ତା ପରିପୂର୍ଣ୍ଣ ହୋଇରହିଛି । ଏ ଘରକୁ ମୌସୁମୀ ଆସି ସେଇ ମଣିମୁାକ୍ତା ଯଦି ଉପଯୁକ୍ତ ହୃଦ ବିନିମୟରେ କିଣିପାରନ୍ତା ତାହେଲେ ଏଇ ସଂସାର ସିଂହାସନରେ ସେ ହୋଇପାରନ୍ତା ରାଣୀ ।

 

ଏଥର ପ୍ରସଙ୍ଗ ବଦଳାଇ ଅଳକା କହିଲେ–ମାଉସୀ ଗୋଟିଏ କଥା କହିବି ।

 

ହସିଲେ ଅପରାଜିତା । କହିଲେ–କୁହ ମା’, କ’ଣ କହିବ କୁହ । ଯାହା କହିବାର ତ କହିବ ତୁମ ମାଉସୀକୁ, ଆଉ କହିବି ବୋଲି ପଚାରୁଛ କ’ଣ ?

 

କହୁଥିଲି କି ମୋର ଗୋଟିଏ ନଣନ୍ଦ ଅଛନ୍ତି । ତାକୁ ମୋରି ଝିଅ ବୋଲି ମୁଁ ଭାବେ । ସେ ଭଲ ଘରକୁ ଯିବ, ଭଲ ଲୋକଙ୍କ ହାତରେ ଟେକିଦେବି ତାକୁ । ଏଇଆ ମୋର ଠାକୁରଙ୍କ ପାଖରେ ପ୍ରାର୍ଥନା । ତାଙ୍କୁ ଯଦି ଆପଣ ବୋହୂ କରିନିଅନ୍ତି ତାହାହେଲେ ପ୍ରାର୍ଥନା କାମନା ସବୁ ମୋର ସପଂଳ ହେବ । ରଖିବେ ମୋ କଥା ?

 

ମା’, ଏ ତ ମୋର ସୌଭାଗ୍ୟର କଥା ! କିନ୍ତୁ ଏତେ ଭାଗ୍ୟ କ’ଣ ମୋର ହେବ ? ମୁଁ ତୁମ ପରି ଝିଅର ନଣନ୍ଦକୁ ବୋହୂ କରି ଆଣିବି । ହେଲେ–ତୁମ ସ୍ୱାମୀ ତ ତୁମ ଶ୍ୱଶୁରଙ୍କର ଏକମାତ୍ର ପୁଅ, ତାହାହେଲେ ଏଇ ନଣନ୍ଦଟି କିଏ ?

 

ଅଳକା ତାଙ୍କ ଘରର ସେଇ କରୁଣ କାହାଣୀଟି ଶୁଣାଇଲେ ଅପରାଜିତାଙ୍କୁ ନରମ ମନଟି ଅପରାଜିତାଙ୍କର ଭାଙ୍ଗି ଗୁଣ୍ତ ହୋଇ ଝରିପଡ଼ିଲା ଆଖିପତା ଦେଇ ଅଶ୍ରୁ ରୂପରେ ।

 

ଆଖିରେ ଲୁଗା ଚାପିଲେ ଅପରାଜିତା ।

 

ଅଳକାଙ୍କ କଥା ଶୁଣି ତନୁଶ୍ରୀ ପରି ବାଚାଳ, ଅସ୍ଥର, ଚଞ୍ଚଳ ଝିଅଟି ମଧ୍ୟ ନିଶ୍ଚଳ ପାଷାଣ ପାଲଟି ଯାଇଥିଲା ।

 

ଅପରାଜିତା ଦୀର୍ଘଶ୍ୱାସ ଛାଡ଼ି କହିଲେ–ଭାରି ଲୋଭ ହେଉଛି ମା’ ! ସେଇ ମା’ର ସେଇ ଝିଅଟିକୁ କୋଳ କରି ଏ ଘରକୁ ଏଇକ୍ଷଣି ନେଇଆସିବାକୁ । ପୁଅ କ’ଣ ମୋର ଏଇ ଛୋଟିଆ ଇଚ୍ଛାଟିର ମୂଲ୍ୟ ଦେବ ! ପଚାରିବି, ତାକୁ ଆଜି ପଚାରିବି । ତୁମେ ମା’ ତାକୁ କ’ଣ ଟିକିଏ ବୁଝାଇ କହିବ ? ଠାକୁରେ–ରାଜି ହୁଅନ୍ତା କି କହି ଶୂନ୍ୟକୁ ଚାହିଁ ହାତଯୋଡ଼ି ପ୍ରଣାମ କଲେ ସବୁ କରିପାରିବାର କ୍ଷମତା ଯାହାର ଅଛି ସେଇ ଶକ୍ତିମାନ ପୁରୁଷ ଉଦ୍ଦେଶ୍ୟରେ ।

 

ବାହାରୁ ଡାକଆସିଲା–

 

ସମସ୍ତେ ଉଠିଲେ । ଅପରାଜିତା ହାତଧରି ଅଳକାଙ୍କୁ ନେଇଗଲେ ଡାଇନିଂ ହଲକୁ । ଅନ୍ୟମାନେ ଆଗରୁ ଆସି ବସିଥିଲେ । ଆରମ୍ଭ ହେଲା ଖାଇବା ପିଇବା । ଖାଦ୍ୟ ରସିକ କନକନାରାୟଣ ଅକୁଣ୍ଠଚିତ୍ତରେ ପ୍ରଶଂସାକଲେ ଅପରାଜିତାଙ୍କୁ, ତାଙ୍କର ରୋଷେଇ ପାଇଁ । ଆହୁରି କେତେ କ’ଣ ଗଳ୍ପକରି ସେମାନେ ବିଦାୟନେଲେ । ରଖିଗଲେ ସାରା ଘରେ ମଧୁର ଏକ ଗୁଞ୍ଜନ । ସୁଖି ପରିବାରଟି ତାଙ୍କରିମାନଙ୍କ କଥା କହୁ କହୁ ଚାଲିଗଲେ ଶୋଇବାକୁ । ଗୁରୁଭୋଜନ ଯୋଗୁ ଆଉ ବସିପାରିଲେନି ।

 

ଏଗାର

 

ଟୁଲୁ, ସେଇଟା କ’ଣରେ ?

 

ମା–ଆ–ଆ ମୁଁ । ଦେଖ ଏଇଟା ମୋର ଗାଈ ।

 

ଆରେ, ଏତେବଡ଼ କଙ୍କଡ଼ାର ଗୋଡ଼ଟା ବାନ୍ଧିଲା କିଏ । ତୋ ଆଙ୍ଗୁଳିକୁ ଧରି ଯଦି କାମୁଡ଼ିଦିଏ ତାହାହେଲେ ଏକଦମ୍‌ ଦୁଇଖଣ୍ତ କରିଦେବ । ତୋ ଗାଈ ଚରେଇବା ଛାଡ଼ିଯିବ ।

 

ତୁମେ ତାହାହେଲେ ଡାକ୍ତର ହୋଇଚ କାହିଁକି ମ ? ମୋ ଆଙ୍ଗୁଳି କଟିଗଲେ ତୁମେ ପୁଣି ଯୋଡ଼ିଦେବ ।

 

ହସିଲେ ମନୋରଞ୍ଜନ । କହିଲେ–କଟିଗଲେ ତୋ ହାତରୁ କେତେ ରକ୍ତ ଚାଲିଯିବ । ସେ ରକ୍ତ କେଉଁଠାରୁ ମୁଁ ଆଣିବି । ତୋ ଦେହ ତ ଝଡ଼ିଯିବ ।

 

ଝଡ଼ିଯିବି କାହିଁକି ମ । ତୁମେ ଭିଟାମିନ୍‌ ଟାବଲେଟ୍‌ ଦେବ । ତା’ପରେ ଭଲ ଭଲ ଫଳରସ ଖାଇବି । ପୁଣି ରକ୍ତହେବ । ଟୁଲୁ ମୁହଁରେ ଅନାବିଳ ହସ ।

 

ଡାକ୍ତର ହାର୍‌ ମାନିଲେ । କହିଲେ–ତୋତେ ପାରିହେବନି । ତୁ ଖେଳୁଥା । ମୁଁ ଯାଉଛି ଅଜାଙ୍କ ପାଖକୁ । ଅଜା ଭଲ ଅଛନ୍ତି ତ ?

 

ଓଠରେ ହସଟାଣି କହିଲା–

 

ବାରେ, ଅଜାଙ୍କ ପରି ତୁମକୁ ବି ଏବେ ଆଉ ଦିଶୁନି କି ? ଅଜା ପରା ସେଇ କରବୀ ଗଛମୂଳେ ବସିଛନ୍ତି । ତୁମ କଥା କେତେଥର ପଚାରିଲେଣି । ତୁମେ ଯାଅ ।

 

ଆଜି ଆଉ ଟୁଲୁକୁ କଙ୍କଡ଼ାଟି ଛଡ଼ା କିଛି ଭଲଲାଗୁନି । ସେଥିପାଇଁ ତା’ର ଅତି ପ୍ରିୟ ମାମୁଁଙ୍କର ଉପସ୍ତିତି ମଧ୍ୟ ତା’ ପାଖରେ ବିରକ୍ତିକର ।

 

ତା’ମନ ବୁଝି ସେଠାରୁ ଚାଲିଗଲେ ମନୋରଞ୍ଜନ । ମୁହଁ ବୁଲାଇ ଦେଖିନେଲେ ମଉସାଙ୍କ ବସିବା ସ୍ଥାନଟି । କହିଲେ, ଏଇଠି ଆଜି ବସିଛନ୍ତି ମଉସା । ଏ ଜାଗାଟି ଗଛ ପତ୍ରଯୋଗୁଁ ଭାରି ଗହଳିଆ ହୋଇଛି । ଥଣ୍ତା ଲାଗୁଛି ବେଶ୍‌ । ଏଠାରେ ପବନ ବି ବହୁଛି ଭାରି ସୁନ୍ଦର ।

 

କନକନାରାୟଣ ଡାକ୍ତରଙ୍କ ମୁହଁକୁ ଚାହିଁ ଶୁଣୁଥିଲେ ଡାକ୍ତରଙ୍କ କଥା । ଉତ୍ତରଦେଲେ–ଖାଲି ସେତିକି ନୁହେଁ ବୁଲୁ, ପବନ ସହିତ ଭାସିଆସୁଛି ରାତିଫୁଟା ହେନାର ପ୍ରାଣ ମତାଣିଆ ସୁରଭି-

 

ଡାକ୍ତର ଲକ୍ଷ୍ୟକଲେ–

 

କନକନାରାୟଣଙ୍କ ନିର୍ଜୀବ କଣ୍ଠସ୍ୱର ଭାସିଆସୁଛି କେଉଁ ଏକ ଅତଳ ଗହ୍ୱର ଭିତରୁ । ଦିପ୍ତିହୀନ ଚକ୍ଷୁରେ ସୀମାହୀନ ଶୁନ୍ୟତା । ହଜିଯାଇଛନ୍ତି । ସିଏ ଭାବନାର ଗହନ ଅରଣ୍ୟରେ ଡାକ୍ତର ବୁଝିଲେ ସେଇ ଅରଣ୍ୟରୁ ତାଙ୍କୁ ଖୋଜିଆଣିବାକୁ ଅନେକ ସମୟ ଲାଗିବ । ଡାକ୍ତର ପୁଣି ପଚାରିଲେ–

 

ମଉସା, ଆପଣ ଟିକେ ଚାଲବୁଲ କରିପାରୁଛନ୍ତି ନା ? ବେଶି ଆଉ ଦୁର୍ବଳ ଲାଗୁନି ତ-? ପାଦରୁ ଘୋଳାବିନ୍ଧା କମିଛି ନା ଟିକେ ?

 

ଆକାଶର ମହାଶୂନ୍ୟରେ ଆଖିଦୁଇଟି ଭସାଇଦେଇ ଆନମନା ସ୍ୱରରେ କନକ ନାରାୟଣ କହିଲେ–

 

ଏଁ, ପାଦକଥା ପଚାରୁଛ ?

 

ନାଁ, ହଁ, ଟିକିଏ ଚାଲିବୁଲି ପାରୁଛି । ଜାଣ ଡାକ୍ତର, ଯେତେବେଳେ ଏସ.ପି. ଥିଲି ସେତେବେଳେ ଏଇ ମୋର ସେଇ ପାଦ ଯାହାର ଭାରାରେ ମେଦିନୀ କମ୍ପୁଥିଲା । ଏଇ ପାଦ କେତେ ନିର୍ବାକ ଦୋଷୀ ଆଉ ନିର୍ଦ୍ଦୋଷକୁ କଥା କୁହାଇଛି । ଅବଶ୍ୟ ସେତେବେଳ ମୋ ଆଖିରେ କେହିହେଲେ ନିର୍ଦ୍ଦୋଷୀ ନ ଥିଲେ । ମୋର ଏଇ ପାଦକଥା ଏବେ ମୁଁ ଅନେକ ଭାବେ । ସେତେବେଳେ ସିମେଣ୍ଟ ଚଟାଣରେ ଠକ୍‌ ଠକ୍‌ ଶବ୍ଦକରି ଚାଲିଗଲାବେଳେ ଅଧିନସ୍ଥ କର୍ମଚାରୀମାନେ ବିବର୍ଣ୍ଣ ମୁହଁରେ ତଟସ୍ଥହୋଇ ଠିଆ ହୋଇଯାଉଥିଲେ । ସେତେବେଳେ ମୁଁ ଭାରି ଖୁସିଥିଲି ଡାକ୍ତର । ଇଚ୍ଛାକରି ମୁଁ ମୋର ପାଦଦୁଇଟିକୁ କଚାଡ଼ି କଚାଡ଼ି ଚାଲୁଥିଲି । ସେମାନଙ୍କର ଭୀତି ବିହ୍ୱଳ ମୁହଁ ଦେଖିବାରେ ମୋର ଥିଲା ଗୋଟାଏ ନିଷ୍ଠୁର ଆନନ୍ଦ । ବୁଝିଲ ଡାକ୍ତର, ଏଇସବୁ କଥା ସେତେବେଳେ ମୁଁ ଆସି ଛାୟାକୁ କହେ । ଫୁଲି ଫୁଲି ହସେ । ମୋ ପଦମର୍ଯ୍ୟାଦା କଥା ତାକୁ ଜଣାଇ ଖୁସିହୁଏ । ସେ ବି ଖୁସିହେଉ । ଏଇଆ ମୁଁ ଚାହେଁ । କିନ୍ତୁ ସେ ଘୃଣାରେ ନାକଫୁଲାଏ । ଲାଲ ହୋଇଯାଏ ତା’ର ଗୋରା ମୁହଁଟା । ବେଳେବେଳେ ସେକଥା ତା’ର ମୁହଁର ପ୍ରତ୍ୟେକଟି ରେଖାରେ ସୁସ୍ପଷ୍ଟହୋଇ ଜଣାପଡ଼େ । ମୁଁ ବିରକ୍ତ ହୁଏ ତା’ ଉପରେ । ଭଲଲାଗେନି ତା’ର ଏଇ ନରମ ନରମ ଭାବଟା । ଡାକ୍ତର, ମୋ ପାଦର ଏଇ ଚିତ୍ତଶଂକାକାରୀ ଶବ୍ଦ ସବୁଦିନେ ରହିବନି ଏ କଥା ସେ ଜାଣିପାରୁଥିଲେ । ଜାଣିପାରୁଥିଲେ ଦିନେ ମୋର ଏଇ ପାଦର ଗତି ଶିଥିଳ ହୋଇଆସିବ । ମୋତେ ଦିନେ ଅନ୍ୟର କାନ୍ଧରେ ଭରାଦେଇ ପଥ ଅତିକ୍ରମ କରିବାକୁ ପଡ଼ିବ । ଆଉ ତା’ପରେ ଦିନେ ପାଦଦୁଇଟି ମୋର ନିଶ୍ଚଳା ନିଥର ହୋଇଯିବ । ସବୁ ସେ ଜାଣିପାରୁଥିଲେ-। ଏକା ମୁଁ ଥିଲି ନିର୍ବୋଧ, ମୁଁ ଥିଲି ଅନ୍ଧ, ଆଉ ବଧିର ।

 

ଘୃଣାରେ ଡାକ୍ତର ମନୋରଞ୍ଜନଙ୍କର ଅନ୍ତର ତିକ୍ତ ହୋଇଉଠିଲା । ବହୁତ ସମୟ ଧରି ସେ ସ୍ତବ୍‌ଧହୋଇ ବସିରହିଲେ । ତା’ପରେ ତାଙ୍କର ମନେପଡ଼ିଲା ସେ ଡାକ୍ତର, ତାଙ୍କର କାହାକୁ ହେଲେ ଘୃଣା କରିବା ଉଚିତ ନୁହେଁ । ଆଉ କନକନାରାୟଣ ଭୀଷଣ ଅସୁସ୍ଥ ।

 

ମନୋରଞ୍ଜନ ଡାକିଲେ–ମଉସା, ମାଉସା ଶୁଣନ୍ତୁ ।

 

କିନ୍ତୁ କିଏ ଚାହିଁବ, କିଏ ଶୁଣିବ !

 

ଏହି ସମୟରେ ଅଳକା ଆସିଲେ । କହିଲେ ଆରେ ଡାକ୍ତରବାବୁ ତ ! ଆପଣ କେତେବେଳୁ ଆସିଲେଣି ? ଟୁଲୁଟା ଯାଇ କହେ, ସେ ତ ଆଜି କଙ୍କଡ଼ାନେଇ ବ୍ୟସ୍ତ । ଆସନ୍ତୁ ଯିବା ଘରକୁ । ବାପା ଆସନ୍ତୁ ବୋଲି କହି ବାପାଙ୍କ ହାତଧରି ଉଠାଇଦେଲେ ।

 

କନକନାରାୟଣ ଝିଅ ହାତର କୋମଳ ସ୍ପର୍ଶ ପାଇ ଚେତନା ଲଭିଲେ । କହିଲେ–ଚାଲେ ମା’, ଚାଲେ । ଡାକ୍ତରଙ୍କର ବି ଗୋଟିଏ ହାତ ଧରିଲେ । କହିଲେ ଚାଲ ବୁଲୁ । କେତେ କ’ଣ ଗପି ଗଲି କିଛି ମନେକରନି । ବେଳେବେଳେ ମୋର କ’ଣ ହୋଇଯାଏ । ମନ ମୋର ବାଉଳା ବକେ । ଆସ ।

 

Unknown

ଡାକ୍ତର କିନ୍ତୁ ବୁଝିପାରିଛନ୍ତି ଏ ସବୁ ବାଉଳା କଥା ନୁହେଁ । ଏ ହେଲା ମନ ବନର ବାଣବିଦ୍ଧା ଅତୀତ ହରିଣୀ । ଛଟପଟ ହୋଇ ସେଇ ହରିଣୀକୁ ବାହାରି ଆସିବାକୁ ପଡ଼ିବ କାହାରି ନା କାହାରି ଆଗକୁ । ରକ୍ତକ୍ଷରୀ ଘାଆ ଦେଖାଇବାକୁ ପଡ଼ିବ ଏବଂ ତା’ର ଆତ୍ମା ଚାହିଁବ ତା’ର ସେଇ କ୍ଷତରେ କେହି ସାନ୍ତ୍ୱନାର ପ୍ରଲେପ ବୋଳୁ । ଡାକ୍ତର ଧିରେ ଧିରେ ଆଗେଇଗଲେ ।

 

କନକନାରାୟଣଙ୍କୁ ପରୀକ୍ଷା କଲେ ।

 

ବହୁତ ଦୁର୍ବଳ ହୋଇପଡ଼ିଛନ୍ତି ଆଜି କାହିଁକି ? ଔଷଧ ଦେଲେ । ତାପରେ ଏଆଡ଼ୁ ସେଆଡ଼ୁ କଥାବାର୍ତ୍ତା କଲେ । ସେତେବେଳକୁ କନକନାରାୟଣ ସହଜ ହୋଇଯାଇଥିଲେ । ଦିବ୍ୟେନ୍ଦୁଙ୍କର କେତେ ପ୍ରଶଂସା କଲେ । ଅପରାଜିତାଙ୍କର ମଧ୍ୟ । ଡାକ୍ତର ଚାଲି ଆସିଲାବେଳେ ଅଳକା କହିଲେ–

 

ସନ୍ଧ୍ୟାରେ ଆସିଲାବେଳେ ତନୁକୁ ନିଶ୍ଚୟ ସାଙ୍ଗରେ ଆଣିବେ ।

 

ଡାକ୍ତର ହସ ହସ ମୁହଁରେ ହଁ ଭରିଲେ । ଅଳକାଙ୍କ ପ୍ରତି ମନରେ ତାଙ୍କର ଦିନକୁଦିନ ଶ୍ରଦ୍ଧା ବଢ଼ି ଚାଲିଥିଲା ।

 

ବାର

 

–ମନୁ, ଏ ମନୁ, ଶୋଇଥିବୁ କି ଆଜି ? ଅପରାଜିତାଙ୍କ ଡାକରେ ଆଖି ମେଲିଲେ ଡାକ୍ତର ।

 

ଛଅଫୁଟ ଲମ୍ବ ମଣିଷଟିଏ । ଶୀତ ଲାଗି ଯାକି ଯୁକି ଏତେ ଟିକେ ହୋଇ ଶୋଇରହିଛନ୍ତି । ଅପରାଜିତା ସ୍ନେହପୂର୍ଣ୍ଣ ଆଖିମେଲି ଚାହିଁଥିଲେ । ଦେଖିଲେ ପୁଅ ପୁଣି ଶୋଇବା ଲାଗି ଉପକ୍ରମ କରୁଛି ଏବଂ ହାତ ବଢ଼ାଇ ଆଲୁଆନ୍‌ଟା ମାଗୁଛି । ଆଉ ଆଖିବୁଜି କହୁଛି–ଏତିକିବେଳୁ ମୁଁ ମୋଟେ ଉଠିବିନି ବୋଉ । ଆଉ ଟିକିଏ ଖରା ଆସୁ ।

 

ଅପରାଜିତା ହସିଲେ, କହିଲେ–ତୁ ପାଗଳା ହେଲୁକି ? ଆଜି ଆଉ ଖରା ଆସିବନି । ତତେ କ’ଣ ଶୁଣାଯାଉନି ବାହାରର ଝଡ଼ ବର୍ଷାର ଗର୍ଜନ ? ଏଇ ମେଘୁଆ ପାଗରେ ଖରା ଆସିବ କୁଆଡ଼ୁ ? କାଲି ଚାରିଟା ବେଳଠୁ ଯେ ଆଜି ଏପର୍ଯ୍ୟନ୍ତ ହେଲା ପାଣି ପବନ ବନ୍ଦ ହୋଇନି ! କି ବର୍ଷାରେ ବାବା । ତନୁଟା ବି ଉଠୁନି । ମୁଁ ଆଉ ତାକୁ ଡାକି ପାରିବିନି । ତୁ ଉଠିଲୁ ବାବା, ଉଠୁ ଆଠଟା ବାଜିଲାଣି ।

 

ଏଁ, ଆଠଟା ବାଜିଗଲାଣି । ଇସ୍‌ ହଉ ଆଉ ଅଳ୍ପ ଟିକେ ଯାଉ । ମୁଁ ଆଉ ଟିକିଏ ଶୋଇପଡ଼େ । ତୁମେ ଯାଆ, ମୁଁ ଯାଉଛି । ଅଙ୍ଗୁର ପେନ୍ଥା ପରି ପୁଅର କୁଞ୍ଚକୁଞ୍ଚିଆ ଗହଳିଆ କେଶଗୁଚ୍ଛରେ ହାତ ବୁଲାଉ ବୁଲାଉ ଅପରାଜିତା କହିଲେ–ଆରେ, ବାପା ପାରା ଖାଇବେ ବୋଲି ହାତଟେକି ବସିଛନ୍ତି ।

 

ଏଥର ତରତର ହୋଇ ଡାକ୍ତର ବିଛଣା ଛାଡ଼ିଲେ । କହିଲେ–

 

ଚାଲି, ଚାଲି ତୁମେ, ମୁଁ ଯାଉଛି । ଇସ୍‌ କି ବର୍ଷା, ଆକାଶଆଡ଼କୁ ଚାହିଁଲେ ଡାକ୍ତର । ଆକାଶର ଘନଘଟା ଦେଖି ଖୁସି ହୋଇଉଠିଲେ । ନିର୍ଣ୍ଣିମେଷ ନୟନରେ ଚାହିଁ ରହିଲେ ଝରକାରେ ଦେଖାଯାଉଥିବା ଛୋଟ ଟିକିଏ ଆକାଶଆଡ଼େ । ମୁଗ୍‌ଧ ହୋଇଗଲେ ଡାକ୍ତର ।

 

ବହୁତଦିନ ପରେ ଗୀତ ଗାଇ ଗାଇ ଓହ୍ଲାଇଗଲେ ତଳକୁ । ମୁହଁ ହାତ ଧୋଇ ଲୁଗା ପାଲଟି ଡାଇନିଂ ହଲରେ ପହଞ୍ଚିଲା ବେଳକୁ ବେଶ୍‌ କିଛି ଡେରି ହୋଇଯାଇଥିଲା । ଲଜ୍ଜିତ ମୁହଁରେ ଯାଇ ବାପାଙ୍କ ପାଖରେ ବସିପଡ଼ିଲେ ।

 

କିଛି କହିଲେନି ଦିବ୍ୟେନ୍ଦୁ ।

 

ତେଣେ ତନୁକୁ ଉଠାଇବାକୁ ଯାଇ ଅପରାଜିତା ନାକେଦମ ହୋଇଯାଇଥିଲେ ।

 

ତନୁଶ୍ରୀ ବାପାଙ୍କ ପାଖକୁ ଆସିଲାବେଳକୁ ମୁହଁଟା ତା’ର ଭାରି ଦିଶୁଥିଲା ।

 

ସଙ୍ଗେ ସଙ୍ଗେ ଦିବ୍ୟେନ୍ଦୁ ବୁଝିପାରିଲେ ଝିଅର ବିଗଡ଼ା ମିଜାଜ୍‌ କଥା । ହସିଦେଇ ଗାଇଉଠିଲେ–

 

ହେ, ରାଜକନ୍ୟହେ, ରାକୁମାରୀ

ବସ ଆସି ମୋର ପାଶେ,

ତୁମରି ବଦନ ଦେଖି, ବୃଦ୍ଧର–

ଅନ୍ତର ଥରେ ତ୍ରାସେ ।

 

ହସିଉଠିଲେ ଭାଇ ଭଉଣୀ ଦୁଇଜଣ । ପରିବେଷଣ କରୁ କରୁ ଅପରାଜିତା ମଧ୍ୟ ହସିଲେ ବେଦମ ହୋଇ । ତନୁଶ୍ରୀର ମୁହଁରୁ ଉଡ଼ିଗଲା ମେଘର ପରଦା । ପ୍ରଭାତ ସୂର୍ଯ୍ୟ ପରି ଝଲମଲ ହୋଇଉଠିଲା ମୁଖଶ୍ରୀ ତା’ର । କହିଲା–ବାପା ଆଜି ସକାଳଟା କି ସୁନ୍ଦର ଦିଶୁଛି ନୁହେଁ ।

 

କଣ୍ଠରେ ବିଦ୍ରୂପଭରି ଦିବ୍ୟେନ୍ଦୁ କହିଲେ–

 

ହଁ, ମା, ମେଘଟା ଆଜି ଦିନ ନଅଟାକୁ ମଧ୍ୟ ବଡ଼ି ସକାଳ କରି ରଖିଦେଇଛି । ତୁ ଆଜି ବାରଟାରେ ଉଠିଥିଲେ ମଧ୍ୟ ଏଇ ସକାଳଟାକୁ ପାଇପାରିଥାନ୍ତୁ ।

 

ଚିଡ଼ିଉଠିଲା ତନୁ ।

 

ଓଜନିଆ ଗଳାରେ କହିଲା–ବାରଟା ପର୍ଯ୍ୟନ୍ତ କିଏ ଶୁଏ, ନା ମୁଁ ଶୋଇଥାନ୍ତି । ଭାଇନା ବି ତ ଏଇକ୍ଷଣି ଉଠିଲେ । ତାଙ୍କୁ ତ ତୁମେ କିଛି କହିବନି ।

 

ହସିଲେ ଦିବ୍ୟେନ୍ଦୁ । କହିଲେ–

 

କହିଛି କହିଛି । ମୁଁ ଦୁଇଜଣଙ୍କୁ ଏକା କଥା ହିଁ କହିଛି ।

 

–କହିଥିବେ ତ, କ’ଣ କହିଛ ? ତନୁଶ୍ରୀ ଗଳାରେ ଅଭିମାନ । କିନ୍ତୁ ସେଇ ଅଭିମାନ ସ୍ଥାୟୀ ହୋଇପାରିଲାନି । କ୍ଷଣକ ମଧ୍ୟରେ ତନୁଶ୍ରୀ ପୁଣି କହିଉଠିଲା–ବାପା, ଆଜି ଏ ବର୍ଷ ଛାଡ଼ିବନି ନା ? ଭାଗ୍ୟଟା ମୋର ଭାରି ଖରାପ । ଟିକିଏ ଚୌଧୁରୀ ବାବୁଙ୍କ ଘରକୁ ଯାଇଥାନ୍ତୁ ଯେ, ଏ ମେଘ କେଉଁଠିଥିଲା ମାଡ଼ିଆସିଲା । ମଣିଷ କୁଆଡ଼େ ଟିକେ ଯାଇପାରିବନି । କେହି ତ କୁଆଡ଼େ ଯାଇ ଦେବେନି । ଏ ପ୍ରକୃତି ବି ବାଦ ସାଧୁଛି ।

 

–ଆହା, ବିଚାରୀକୁ କେହି ଭଲପାଉନାହାନ୍ତି । ମଣିଷ ଯଦି ବା ରାଜିହେଲା ତେବେ ପ୍ରକୃତି ଅରାଜି । ବିଚାରୀ କ’ଣ କରିବ ? କଥା କହୁ କହୁ ହସୁଥିଲେ ମନୋରଞ୍ଜନ । ଶେଷରେ କହିଲେ–ତୁ ପୁଣି କେଉଁଦିନ ମଣିଷ ହେଲୁ ତନୁ ?

 

ଭାଇନାଙ୍କର ଏପରି କଥା ଶୁଣି ରାଗିଉଠିଲା ତନୁ । ନାକପୁଡ଼ା ଫୁଲାଇ କହିଲା–ତୁମେ କହିବନି କାହିଁକି ? ଦିନରାତି ତ ବୁଲୁଛ, ଘରେ ମୋ ପରି ଏଇମିତି ବସି ରହିଥିଲେ ଜାଣିଥାନ୍ତ । ଆଉ ମଣିଷ ହେଲି କେଉଁଦିନ ବୋଲି ପଚାରୁଛ ? ମଣିଷ ଆଉ କେତେବଳେ ହେଲି । ମୁଁ ଡାକ୍ତରି ପାଶ୍‌ କରିନି । କଲେ ସିନା ହେବି ।

 

ଗଳାରେ ଅଭିମାନ ଭରିଯାଇଥିଲା ତନୁଶ୍ରୀର ।

 

ତାହାହେଲେ ଡାକ୍ତରୀ ପଢ଼ି ମଣିଷ ହୋଇସାରେ, ତା’ପରେ ଯେଉଁଆଡ଼େ ଯିବୁ । ଓଠ ଚିପି ହସୁଥିଲେ ମନୋରଞ୍ଜନ ।

 

ଦିବ୍ୟେନ୍ଦୁ ଦେଖିଲେ ଏ ଦୁଇଜଣ ବର୍ତ୍ତମାନ ଏହି ଚା ଟେବୁଲରେ ଝଡ଼ ବୁହାଇଦେବେ । ସେଇଠୁ କହିଉଠିଲେ–ଶୁଣୁଛ ହଇଓ, ମନୁକୁ କହିଥିଲ ନା ଅଳକାର ସେଇ ଖୁଡ଼ୁତାଶୁର ଆଉ ଖୁଡ଼ୀଶାଶୂଙ୍କ କଥା ? ସତରେ ତୁମେ କହିଲା ପରଠୁ ମୋର ବାରମ୍ବାର ସେଇ କଥାଟି ମନେପଡ଼ୁଛି-। ପ୍ରକୃତରେ ସେମାନେ ଗୋଟିଏ ଇତିହାସ ରଚନା କରିଗଲେ ସେଇ ଘରେ ।

 

ମନୋରଞ୍ଜନ କହିଲେ–

 

ସେକଥା ମୁଁ ଶୁଣିଛି ବାପା । ବୋଉ ମୋତେ କାଲି ରାତିରେ କହିଥିଲେ । ରାତିରେ ଯେତେଥର ନିଦ ଭାଙ୍ଗିଛି ମୋର କେବଳ ବାରମ୍ୱାର କରି ସେଇ କଥାଟି ମନେପଡ଼ିଛି । ସତ କଥା–

 

ଅପରାଜିତା ଯେତେଦୂର ପାରନ୍ତି କାରୁଣ୍ୟଭରି ସେଇ କଥାଟି ପୁଅ ଆଗରେ କହିଥିଲେ । କଞ୍ଚାମାଟି ପରି ନରମ ମନଟି ପୁଅର ଯେ ଓଦାହୋଇ କାଦୁଅ ହୋଇଯାଇଛି, ସେକଥା ଜାଣି ମନ ତାଙ୍କର ପ୍ରଫୁଲ୍ଲ ହୋଇଉଠିଲା । ମନେ ମନେ ଠାକୁରଙ୍କୁ ଡାକିଲେ ।

 

ସହଜ ଗଳାରେ ମନୋରଞ୍ଜନ ପଚାରିଲେ–ତାଙ୍କର ସେଇ ଝିଅଟି କ’ଣ ପଢ଼ୁଛି ବୋଉ-?

 

ହଁରେ ପୁଅ । ତମକୁ ସବୁ ସେକଥା କହିବାକୁ ମନେନାହିଁ । ଅଳକାକୁ ପଚାରିଥିଲି । ମୌସୁମୀ ମାଟ୍ରିକ୍ ପାଶ୍‌ କରିଛି । ଆଉ ପଢ଼ିବାକୁ କହିବାରୁ କୁଆଡ଼େ କହିଲା–ଭାଉଜ ମୋତେ ଆଉ ପାଠପଢ଼ା କଥା କହନି । ଦେଖୁଛ ତ ବହୁତ କଷ୍ଟରେ ଥାର୍ଡ଼ ଡିଭିଜନରେ ମାଟ୍ରିକ୍‌ ଖଣ୍ତକ ପାଶ୍‌ କଲି । ଆଉ ଗୋଟେ ପଢ଼ିବି କ’ଣ ? ମୁଁ ବରଂ ତୁମରି ସାଙ୍ଗରେ କାମଦାମ କରି ତୁମକୁ ସାହାଯ୍ୟ କରି ଖୁସିହେବି । ମୋ ହାତରେ ସେ ପାଠଫାଟ ହୋଇପାରିବନି । ତା’କଥା ଶୁଣି ଭାଇଭାଉଜ ହସିଉଠିଥିଲେ । ଆଉ ତାରି କଥା ରଖିଥିଲେ ।

 

ଗଳାରେ ଆଗ୍ରହ ଭରି ଦିବ୍ୟେନ୍ଦୁ କହିଲେ–

 

ପାଠ ପଢ଼ୁ, କି ନ ପଢ଼ୁ ସେ ଯେ ଗୁଣର ହୋଇଥିବ, ଲକ୍ଷ୍ମୀଟିଏ ହୋଇଥିବ, ସେକଥା ମୁଁ ଅଳକାକୁ ଦେଖି ବୁଝିପାରିଛି । ଅଳକାପରି ଝିଅଟିଏ ମୁଁ ମୋର ଏତେବୟସ ପର୍ଯ୍ୟନ୍ତ କେଉଁଠି ହେଲେ ଦେଖିଲିନି । ତା’ରି ହାତ ତିଆରି ଝିଅ ସେ । ନିଶ୍ଚୟ ଭଲ ଝିଅ ହୋଇଥିବ । ଅଳକା ପରି ଝିଅକୁ ମୁଁ ଭାରି ପସନ୍ଦ କରେ । ମୌସୁମୀକୁ ଅଳକା ନିଶ୍ଚୟ ତା’ରି ମନୋମତକରି ଗଢ଼ିଥିବ । ସେଇପରି ଝିଅଟିଏ ଘରକୁ ଆସନ୍ତା କି ।

 

ଚମକିପଡ଼ି ଚାହିଁଲେ ମନୋରଞ୍ଜନ ବାପାଙ୍କ ଆଡ଼କୁ । ଏପରି କଥା ଶୁଣିବା ବାପାଙ୍କ ମୁହଁରୁ ତାଙ୍କର ଏଇ ପ୍ରଥମ । ବୋଉ ବହୁତ ବ୍ୟସ୍ତ କରୁଛନ୍ତି । ବହୁତଥର ଏହିପରି କଥା କହିଛନ୍ତି । କିନ୍ତୁ ବାପା ! ହଁ, ବାପା ଆଜି ପ୍ରଥମକରି ଏପରି କଥା କହିଲେ ।

 

ଅପରାଜିତା ମୁହଁ ଭାରିକରି କହିଲେ–ହିଁ ଆମର ପୁଣି ଏପରି ବୋହୂ ଆସିବ ! ଆମେ ପୁଣି ତାକୁ ନେଇ ଘର କରିବୁ ! ଏଡ଼େ ଭାଗ୍ୟ ଆମେ କରିଛୁ ଯେ, ମୌସୁମୀ ଆସିବ ଏ ଘରକୁ ପୁଣି ବୋହୂହୋଇ !

 

ମନୋରଞ୍ଜନ ବୋଉଙ୍କର ବେଦନାଭରା ମୁହଁକୁ ଚାହିଁଲେ । କିନ୍ତୁ ମନେ ମନେ ଗୁଣିହେଲେ ଗୋଟିଏ ନାଆଁ–ମୌସୁମୀ, ମୌସୁମୀ, ବାଃ ଭାରି ସୁନ୍ଦର ନାଁଟିଏ ତ ।

 

ଭାଇନା କ’ଣ ଭାବୁଛ ? ବାପା ବୋଉଙ୍କର କେଡ଼େ ମନଦୁଃଖ ତୁମ ସକାଶେ ଦେଖୁଛଟି ? ବୋହୂଟିଏ ଆସିଲେ ଆମ ଘର କେଡ଼େ ସୁନ୍ଦର ଦିଶନ୍ତା, ତୁମେ ନାହିଁ କରନି । କିନ୍ତୁ ଦେଖିବାକୁ ସିଏ କିପରି କେଜାଣି । ନାଁଟା ତ ଭାରି ସୁନ୍ଦର । ନାଁ ସାଙ୍ଗକୁ ରୂପଥିଲେ ସିନା ହେବ । ଆଜି ଯଦି ବର୍ଷା ଛାଡ଼ିଯାଏ, ତାଙ୍କ ଘରକୁ ଯିବି ଆଉ ଅଳକା ନାନୀକି ମାଗିବି ମୌସୁମୀର ଖଣ୍ତିଏ ଫଟୋ । ଭଲ ହେବନି ବୋଉ ?

 

ପାଟିକରି ଉଠିଲେ ମନୋରଞ୍ଜନ–

 

ତୁ ଚୁପ୍‌କର । ତତେ ଆଉ ବାହାଦୁରି ଦେଖାଇବାକୁ ହେବନି ।

 

ଚିଡ଼ିଉଠିଲେ ଅପରାଜିତା । କହିଲେ–କାହିଁକି ସେ ଚୁପ୍‌ କରିବ ଶୁଣେ ? ସେ ବାହାଦୁରି ଦେଖାଉଛି ନା ତୁ ବାହାଦୁରି ଦେଖାଉଛୁ ।

 

ଦିବ୍ୟେନ୍ଦୁ କହିଲେ–ତାରି ତ କହିବା କଥା, ତା’ରି ତ ବ୍ୟସ୍ତ ହେବା କଥା, ତା’ରି ତ ଖୁସିହେବା କଥା । ସେ କିପରି ଚୁପ୍‌ ରହିବ କହିଲୁ ?

 

ଡାକ୍ତର ଦେଖିଲେ–

 

ତନୁଆଡ଼େ ଭୋଟ ବେଶି । ହେବାକଥା ବାପାବୋଉ ଉଭୟଙ୍କ ମନକଥା ତନୁ କହୁଛି । ତେଣୁ ତନୁର ବର୍ତ୍ତମାନ ସବୁକଥା ଠିକ୍‌ । ଛାଡ଼ ତା’ କଥା । ଆସ୍ତେ ଆସ୍ତେ ଘର ଛାଡ଼ି ନିଜର ଶୋଇବା ଘରକୁ ଚାଲିଗଲେ ଆଉ ଦୁଇଥର ମନେ ମନେ କହିହେଲେ ମୌସୁମୀ, ମୌସୁମୀ । ଇସ୍‌ କି ବର୍ଷା ବର୍ଷାଛିଟରେ ପିଣ୍ତାଟା ଏକବାରେ ଓଦା ହୋଇଯାଇଛି । ଆଜି ଆଉ ମଉସାଙ୍କ ପାଖକୁ ଯାଇହେବନି । ଏପର୍ଯ୍ୟନ୍ତ ପବନ ପିଟୁଛି । ସୁ, ସୁ, ଗର୍ଜନ ଛାଡ଼ି । ଆକାଶର ଚିହ୍ନ ବର୍ଣ୍ଣ ନାହିଁ । ସ୍ତର ସ୍ତର ହୋଇ ପାଣିଭରା ମେଘ କାହାକୁ ଖୋଜିଲାପରି ଏଣେତେଣେ ଭାସି ବୁଲୁଛନ୍ତି । ଆଉ ସେଇ କଳାମେଘର ଫାଙ୍କରେ ଡାକ୍ତର ଦେଖୁଛନ୍ତି କଳ୍ପନାରେ ଗୋଟିଏ ସୁଷମାମଣ୍ତିତ କମନୀୟ ମୁଖଛବି । ଯେଉଁ ମୁହଁଟିର ଅଧିକାରିଣୀର ନାଆଁ ମୌସୁମୀ । କେଜାଣି କାହିଁକି ଏଇ କଥାଟି ଭାବିଲାପରେ ହଠାତ୍‌ ଡାକ୍ତର ଲାଜ ପାଇଲେ । ଭାବିଲେ–ଗୋଟିଏ କୁମାରୀ ଝିଅକୁ ନେଇ ଏପରି ଭାବିବା ଠିକ୍‌ ନୁହେଁ । ମନେ ମନେ କାନ ମୋଡ଼ିହେଲେ । ନିଜକୁ ଛି ଛି କଲେ । ବାପା ବୋଉ ସିନା ଏପରି କହୁଛନ୍ତି । ସେମାନେ ନିଶ୍ଚୟ କୌଣସି କଥା ଉଠାଇନଥିବେ । କଥାଛଳରେ ଅଳକା ହୁଏତ ତାଙ୍କ ଘରର ସେଇ ଦୁଃଖପୂର୍ଣ୍ଣ କଥାଟି କହିଛନ୍ତି । ଆଉ ସେଇ କଥା କହୁ କହୁ ହୁଏତ ସେଇ ଝିଅଟି କଥା କହିଥିବେ । ମୌସୁମୀ କଥା ! କାହିଁକି ତେବେ ମନେ ମନେ ଉଚ୍ଚାରଣ କରୁଛନ୍ତି । ତା’ର ସେଇ ମୌହମୟୀ ନାଁଟିକୁ । ଛି ଛି, ଭାରି ଅନ୍ୟାୟ ହୋଇଗଲା । ନୀତିପରାୟଣ ମନୋରଞ୍ଜନ ବ୍ୟସ୍ତ ହୋଇପଡ଼ିଲେ । ଉଦାସ ଦୁଇଆଖି ତୋଳି ଚାହିଁରହିଲେ ମେଘର ରୁଦ୍ର ରୂପଆଡ଼େ ।

 

ଅପରାଜିତା ଆସ୍ତେ ଆସ୍ତେ ପୁଅ ପିଠିରେ ହାତଦେଇ କହିଲେ–ସେଠୁ ପଳାଇଆସି ଏଠି ଚୁପ୍‌ ହୋଇ ଠିଆ ହେଲୁ କାହିଁକି ?

 

ଚମକିପଡ଼ିଲେ ମନୋରଞ୍ଜନ । ଭାବନାର ସୁତାଖିଅ ଉଡ଼ିଯାଇଥିଲା କାହିଁ କେଉଁ ଅସୀମକୁ । ସେଇ ସୁତା ବଣ୍ତିଲଟା ଘୂରିଗଲା ଛାତିଭିତରେ ଠିକ୍‌ ଗୋଟିଏ ଛୁଆ ଖେଳ ଲଟୁ ପରି । ବାକି ସୁନାତକ ଛିଣ୍ତିଯାଇ ମିଶିଗଲା ମହାଶୂନ୍ୟରେ । ଧିରେ ଧିରେ ବୋଉଙ୍କ ଆଡ଼କୁ ମୁହଁ ବୁଲାଇଲେ ମନୋରଞ୍ଜନ ।

 

ପୁଅର ଛାତି ପଟଟା ଏକଦମ୍‌ ଓଦା ହୋଇଯାଇଛି । ବିରକ୍ତିରେ ମନଟା ଭରିଗଲା ଅପରାଜିତାଙ୍କର । ଭ୍ରୂକୁଞ୍ଚିତ କରି କହିଲେ–ଏ କ’ଣ ? ଝରକାବାଟେ ପାଣି ଛାଟ ଆସୁଛି । ତତେ ଜଣାପଡ଼ୁନି ? କ’ଣ ହୋଇଛି ଇଏ ? ମୁଣ୍ତ ଛାତି ସବୁ ଓଦା ହୋଇଗଲା । ଜ୍ୱର ଯଦି ହୁଏ କ’ଣ ହେବ କହିଲ ? ହୁଁ, ଇଏ କୁଆଡ଼େ ଡାକ୍ତର ହୋଇଛି । ତୁମ ଡାକ୍ତରି ବହିରେ କ’ଣ ଅଛି ଏପରି ବର୍ଷାରେ ନିଜକୁ ତିନ୍ତାଇବା । ଛି ଛି ଟିକିଏ ହେଲେ ବୁଦ୍ଧି ତୋର ନାହିଁରେ ?

 

ଭାଇ ଭଉଣୀ ଦୁହେଁଯାକ ମୋତେ ଜଳେଇପୋଡ଼ି ଖାଇଲ । କହୁ କହୁ ଲୁଗା ଅଞ୍ଚଳରେ ଘସି ଘସି ପୋଛିଦେଲେ ପୁଅର ଦେହକୁ ।

 

ଡାକ୍ତରଙ୍କ ଓଠରେ ସ୍ମିତ ହସ ।

 

ବୋଉଙ୍କ ମମତା ଭରା ସ୍ପର୍ଶ ଛାତି ଭିତରର ପ୍ରତିଟି ରକ୍ତକଣିକା ତାଙ୍କର ଅନୁଭବ କରୁଥିଲା । ଠିଆ ହୋଇଥିଲେ ଚୁପ୍‍ହୋଇ । ଚାହିଁ ରହିଥିଲେ ବୋଉଙ୍କର ମମତା ବୋଳା ଛୋଟିଆ ମୁହଁଟିକୁ ।

 

ଅପରାଜିତା ପୁଅକୁ ଖଟଉପରେ ବସାଇଦେଇ ତରତର ହୋଇ ଚାଲିଗଲେ ତଳକୁ ପୁଣି ଫେରିଆସିଲେ ପନ୍ଦର ମିନିଟ୍‌ ପରେ । ହାତରେ ଧୁମାୟିତ ଚା ପୂର୍ଣ୍ଣ କପ୍‌ ପିଆଲା । ସେଥିରେ ବୋଧହୁଏ ଅଦା ପଡ଼ିଥିଲା । ସୁଗନ୍ଧରେ ଭରିଗଲା ସାରା ଘର । କହିଲେ–ନେ ଜଲଦି ଏଇଆକୁ ପିଇଦେ । ଡାକ୍ତର ହସୁ ହସୁ କହିଲେ–।

 

ଜାଣିଲେ ବୋଉ–ମୁଁ ଜାଣିଥିଲି । ତୁମେ ବର୍ତ୍ତମାନ ମୋ ପାଖକୁ ଆସିବ ଏବଂ ପଚାରିବ- କି ତରକାରୀ କରିବିରେ ! ଆଉ ମୋର ଠିକ୍‌ ଏଇକ୍ଷଣି ଟିକିଏ ଅଦାଦିଆ ଚା ଖାଇବାକୁ ଭାରି ମନହେଉଥିଲା । ସେଥିପାଇଁ ଜାଣି ଜାଣି ଓଦାହେଲି । ମୋତେ ଓଦା ହେବାର ଦେଖିଲେ ତୁମେ ଠିକ୍‌ ବ୍ୟସ୍ତହୋଇ ମୋ ପାଇଁ ଅଦାଦିଆ ଚା କରିଆଣିବ । ଇଚ୍ଛାମୋର ସଫଳ ହେଲା । ଛୋଟ ପିଲା ପରି ଶବ୍ଦ କରି ହସିଉଠିଲେ ଡାକ୍ତର ମନୋରଞ୍ଜନ ।

 

ପୁଅ କଥା ଶୁଣି ବିରକ୍ତ ହୋଇଉଠିଲେ ଅପରାଜିତା । ଗଳାରେ ରୋଷଭରି କହିଲେ ଆହାଃ, କଥା କହିବାର କି ଢଙ୍ଗ ! ଓଦା ନହୋଇ ମୋତେ କହିଥିଲେ ସତେଯେପରି ମୁଁ ଚା କରି ଦେଇନଥାନ୍ତି ।

 

ଡାକ୍ତର କହିଲେ–କରି ନଦିଅନ୍ତ କାହିଁକି ? କିନ୍ତୁ ମୁଁ କ’ଣ ଏଇକ୍ଷଣିକା ପରି ଏତେ ଆନନ୍ଦ ପାଇଥାନ୍ତି ।

 

–ଏଥିରେ ପୁଣି ଆନନ୍ଦ ହେବାର କ’ଣ ରହିଲା ?

 

ଡାକ୍ତର ହସିଲେ, କହିଲେ–

 

ତୁମେ ତ ପୁଅ ନୁହଁ । ତୁମେ ମାଆ । ତୁମେ କିପରି ଜାଣିବ ପୁଅମାନେ ତୁମ ପରି ମାଆ ପାଇଲେ କିପରି ଆନନ୍ଦ ଅନୁଭବ କରନ୍ତି ।

 

ହସିଲେ ଅପରାଜିତା । କହିଲେ–

 

ଦେଖ, କେତେ କଥା କହି ଶିଖିଲାଣି । ହଉ ତୁ ଥାଆ ମୁଁ ଯାଉଛି । ଚାଲି ଯାଉ ଯାଉ ପୁଣି ଫେରିଆସିଲେ ଅପରାଜିତା । ଥଙ୍ଗ ଥଙ୍ଗ ଗଳାରେ କହିଲେ, ଗୋଟିଏ କଥା କହିବି ମନୁ ? ଯଦି ତୁ ନ ରାଗୁ ତେବେ କହିବି । ସତେଯେପରି କି ଗୋଟାଏ ଅନ୍ୟାୟ କଥା କହିବାକୁ ଯାଉଚନ୍ତି । ସିଏ ! ସେହିପରି ଅପରାଧି ଭଙ୍ଗୀରେ ଠିଆହୋଇ ରହିଲେ ପୁଅ ମୁହଁକୁ ଚାହିଁ ।

 

ସେହି ଭଙ୍ଗୀଟି ଦେଖି ମାୟାହେଲା ଡାକ୍ତରଙ୍କର । କହିଲେ–କହୁନ, ରାଗିବି କାହିଁକି ? ମୁଁ ଖାଲି ତୁମ ଉପରେ ରାଗେ ନାଁ ?

 

–କହୁଥିଲି କି, ଅଳକା କହିଥିଲା ତା’ର ସେଇ ନଣନ୍ଦଟିକୁ ତୋ ହାତରେ ତୋଳି ଦେଇପାରିଲେ ସେ ବହୁତ ଖୁସି ହେବ । ତତେ ସିଏ ଭାରି ମନେ ମନେ ପସନ୍ଦ କରିଛି । ତାପରେ ସେ କହୁଥିଲା ନଣନ୍ଦ ତା’ର ତୋର ଯୋଗ୍ୟ ନୁହେଁ, ପାଠ ପଢ଼ିଲାନି । ମୂର୍ଖଟେ । ତଥାପି ଡାକ୍ତରବାବୁ ଯଦି ଦୟା କରି ଗ୍ରହଣ କରନ୍ତି ତା’ହେଲେ ସେ ଜାଣିବ ଯେ ଠାକୁରଙ୍କର ଅସୀମ କରୁଣା ତା’ ମୌସୁମୀ ଉପରେ । ତା’ ନିଜ ଉପରେ ବି । ମୋତେ କହିଥିଲା ତତେ କହିବାକୁ । ମୋର ମୁଁ କହିଦେଲି । ଏଥର ତୋର ଯାହା ଇଚ୍ଛା । କ୍ଷଣେ ନୀରବରେ କଟାଇ ଦେବା ପରେ ଅପରାଜିତା ପୁଣି ପଚାରିଲେ, କ’ଣ ତାଙ୍କୁ କହିବି, କହିଲୁ ?

 

ଡାକ୍ତରଙ୍କ ମନ ହଠାତ୍‌ କି ଏକ ଅଜଣା ଆନନ୍ଦରେ ପରିପୂର୍ଣ୍ଣ ହୋଇଗଲା । ମନେ ମନେ ଭାବିଲେ–ରୂପ ନଥିଲେ ମଣିଷର କ’ଣ ଏପରି ନାଁ ହୁଏ ! ସେ ପାଠ ପଢ଼ିନି, ନ ପଢ଼ୁ । ମୋ ବୋଉ ତ ପାଠ ପଢ଼ିନାହାନ୍ତି । କିନ୍ତୁ ସେଇ ବୋଉକୁ ମୋର ବୋଉ ବୋଲି ଡାକିଦେଲେ ମନଟା ଅଜଣା ପୁଲକରେ ଭରିଯାଏ । ବୋଉଙ୍କର ଟିକିଏ ଅନୁପସ୍ଥିତି ସାରା ଘରେ ଶୂନ୍ୟତା ଭରିଦିଏ । ମୋ ବୋଉଙ୍କର ଛାତି ତଳେ ବିଛି ହୋଇ ରହିଛି ସ୍ନେହ ମମତାର ଗାଲିଚା, ଯେଉଁ ଗାଲିଚାରେ ନାଚି କୁଦି ଆମେମାନେ ଏଡ଼େଟିରୁ ଏଡ଼େଟିଏ ହେଲୁ । ପାଠ, କ’ଣ ହେବ ପାଠ ! ଯାହା ଭିତରେ ମୋ ବୋଉ ନ ଥିବେ ତା’ର ପାଠ ଥାଇ କେତେ ନ ଥାଇ କେତେ । ଅଳକାଙ୍କ ହାତ ତିଆରି ଝିଅ ହେଲା ସେଇ ମୌସୁମୀ । ଅଳକାଙ୍କର ସବୁ ମୋ ବୋଉଙ୍କପରି ।

 

–କ’ଣ ଭାବୁଛୁ ? ଅପରାଜିତାଙ୍କ ଗଳାରେ ବ୍ୟାକୁଳ ବ୍ୟଗ୍ରତା । କିଛି କହିବୁ ତ, ନା ନାହିଁ ? ମୋର ତେଣେ କେତେ କାମ ବାକି ପଡ଼ିଛି । କିଛି ତୋର କହିବାର ଥିଲେ ଜଲ୍‌ଦି କହ । ତଳକୁ ମଥା ପୋତିଲେ ଡାକ୍ତର ।

 

ଲଜ୍ଜା–ନମ୍ର ଆଖିମେଲି ଥରଟିଏ ଚାହିଁନେଲେ ବୋଉଙ୍କର ଆଗ୍ରହଭରା ମୁହଁଟିକୁ । ଲାଜମିଶା ସ୍ୱରରେ କହିଲେ–ମୁଁ କ’ଣ କହିବି । ତୁମକୁ ଯାହା ଭଲଲାଗୁଛି ବା ତୁମର ଯାହା ଇଚ୍ଛା ହେଉଛି ତୁମେ ଯାଇ କର । ମତେ କାହିଁକି ପଚାରୁଛ ?

 

ଅପରାଜିତାଙ୍କ ସାରା ଦେହ ମନରେ ବୋହିଗଲା ଏକ ଆନନ୍ଦର ଝଡ଼ । ପୁଅକୁ କୁଣ୍ଢାଇ ପକାଇଲେ । ମୁହଁରେ ଆନନ୍ଦର ପୂର୍ଣ୍ଣିମା । ଆଖିତଟରେ ଅଶ୍ରୁର ପ୍ଳାବନ । ତା’ପରେ, ଛୋଟ ଝିଅଟିପରି ଦଉଡ଼ିଗଲେ ତଳକୁ ସ୍ୱାମୀ ଓ କନ୍ୟାଙ୍କୁ ଶୁଣାଇ ଦେବାକୁ ଏହି ଅପ୍ରତ୍ୟାଶିତ ବାର୍ତ୍ତା !

 

ତେର

 

ଚଞ୍ଚଳ କଣ୍ଠରେ ଡାକ ପକାଇଲେ ମନୋରଞ୍ଜନ ଭଉଣୀକୁ । ତୋ ଲୁଗା ପିନ୍ଧା ସରିଲା ତନୁ । ମୋର ପରା ସମୟ ହୋଇଯାଉଛି । ମୋତେ ପୁଣି ଆଉ ଗୋଟିଏ ଜାଗାକୁ ଯିବାକୁ ପଡ଼ିବ-। ଠିକ୍‌ ସାତଟାରେ ଚୌଧୁରୀଙ୍କ ଘରୁ ବାହାରି ନ ଆସିଲେ ହେବନି । ଓହୋଃ, କେତେ ଡେରି ଯେ ତୁ କରୁ । ମୋର ପୁଣି ଆଜି ବହୁତ କାମ । ନିତିଟା, ଚାରିଟା କଲ୍‌ ପାଇଛି ।

 

ଚଞ୍ଚଳ ପାଦରେ ଧାଇଁଆସିଲା ତନୁ । କହିଲା–

 

ହେଇଟି ଭାଇନା ମୁଁ ଆସିଗଲି । ଚାଲ ଏଥର । ଏଇକ୍ଷଣି ତ ମନ ତୁମର ତାଙ୍କରି ଘରେ ପଡ଼ିଥିବ । ଆଉଟିକେ ଯେବେ ତାଙ୍କୁ ଦେଖିଥାଆନ୍ତ ନା, କହନ୍ତ ତାଙ୍କରି ଘରେ ରହିବି । ଆଉ ଏଠିକି ଆସିବିନି ।

 

ଚନ୍ଦ୍ରମା କାଳି କି ଗୋରୀ ତା’ର ଠିକ୍‌ ନାହିଁ । ତୁମେ ଖାଲି ଉଚ୍ଛନ୍ନ ହୋଇପଡ଼ୁଛ । ଲୁଗାଟାକୁ କାନ୍ଧ ଉପରେ ସଜାଡ଼ୁ, ସଜାଡ଼ୁ ତନୁ ଏତକ କହି ଭାଇନାଙ୍କ ମୁହଁକୁ ଚାହିଁ ହସିଦେଲା । ରୋଷକୟିତ ନୟନରେ ଥରେ ଭଉଣୀ ମୁହଁକୁ ଚାହିଁଲେ ଡାକ୍ତର ।

 

ତାପରେ ଚୌକିରେ ବସିପଡ଼ି ବୋଉକୁ ଡାକି କହିଲେ–

 

ମୁଁ ଯିବିନି ବୋଉ । ତନୁ ତା’ର ଏକା ଯାଉ । କେଦାରଗୌରୀଆଡ଼େ ମୋର ଜଣେ ରୋଗୀ ଅଛନ୍ତି, ମୁଁ ସେଇଆଡ଼େ ଯାଉଛି ।

 

ସାଙ୍ଗେ ସାଙ୍ଗେ ହାତ ଯୋଡ଼ିଲା ତନୁ । କହିଲା–

 

ହଉ ହଉ ବାବା ମୋର ଦୋଷ ହୋଇଯାଇଛି, ମୁଁ ଆଉ ତୁମକୁ କେବେ କିଛି କହିବିନି । ହେଲାତି ? ଚାଲ ଏଥର ।

 

ଡାକ୍ତରଙ୍କ ଓଠରେ ବିଜୟର ହସ ।

 

ଭଉଣୀ ସାଙ୍ଗରେ ଚାଲିଗଲେ ମନୋରଜ୍ଞନ । ଅପରାଜିତା ଓ ଦିବ୍ୟେନ୍ଦୁ ସ୍ନେହଝରା ନୟନରେ ଚାହିଁ ରହିଲେ ସେମାନଙ୍କ ଯିବା ବାଟକୁ ।

 

ଦିବ୍ୟେନ୍ଦୁ କହିଲେ ଓହୋଃ, ଦୁଇଟାଯାକ ସବୁବେଳେ କଜିଆ କଲେ । କିନ୍ତୁ ଜାଣ ଜିତା, ମନୁଟା ଯେତେ ରାଗୁ ତନୁ ଉପରେ, ଅନ୍ତରରେ କିନ୍ତୁ ତାକୁ ଭାରି ଭଲପାଏ ସେ । ତନୁଟା ବି ଭାଇକୁ କ୍ଷଣେ ନଦେଖିଲେ ଅସ୍ଥିର ହୋଇଉଠେ । ଆସ ଯିବା ।

 

ଚିନ୍ତା ଜଡ଼ିତ କଣ୍ଠରେ ଅପରାଜିତା କହିଲେ–ଗୋଟେ କଥା କହିବି ?

 

ଦିବ୍ୟେନ୍ଦୁ ଅକାଳ ବିସ୍ମୟରେ ଚାହିଁଲେ ଥରେ ସ୍ତ୍ରୀଙ୍କ ମୁହଁଆଡ଼କୁ । ତାପରେ ହସି ହସି କହିଲେ–ତୁମେ କ’ଣ ପିଲା ହୋଇଯାଉଛ ଜିତା । ଏପରି କଥା କୁହ କିପରି ? ଯାହା ତ କହିବାର ମତେ କହିବ । ତେବେ ଏତେ ସଙ୍କୋଚ କର କାହିଁକି ?

 

–ନାଇଁ, କହୁଥିଲି କି.....

 

ମନୁ ତ ସେ ଝିଅଟିକି ଆଦୌ ଦେଖିନି, ଏପରିକି ଫଟୋ ଖଣ୍ତିଏ ବି ତା’ର ଦେଖିନି, ଆଉ ଏକା କଥାରେ ହଠାତ୍‌ କିପରି ରାଜି ହୋଇଗଲା ?

 

ମୁଁ ତ କିଛି ବୁଝିପାରିଲିନି ତା’ କଥା, ସେଥିପାଇଁ ତୁମକୁ ପଚାରିଲି ।

 

ଦିବ୍ୟେନ୍ଦୁ ହସିଲେ–ସର୍ବଜ୍ଞର ହସ । କହିଲେ–ବୁଝିପାରିଲନି ? ଆରେ ସିଏ କାହାର ପୁଅ ! ସେ ହେଲା ମୋ ପୁଅ, ମୋ ପୁଅ କେବେ ରୂପ ଖୋଜିବନି, ଗୁଣ ଖୋଜିବ ଜିତା । ଅଳକା ତାଠାରୁ ବୟସରେ ବହୁତ ସାନ । କିନ୍ତୁ ସେଇ ଅଳକା ସମ୍ପର୍କରେ ସେ ଯେତେବେଳେ କଥା କୁହେ-। ସତେଯେପରି ଅଳକା ତା’ର ଗୁରୁଜନ ସ୍ଥାନୀୟା । ସେଇ ଅଳକାର ହାତଗଢ଼ା ଝିଅ ସେଇ ମୌସୁମୀ । ତା’ପରେ ଝିଅଟିର ବାପମାଆ କଥା ମନୁର କଅଁଳିଆ ମନରେ ଗଭୀର ଗାର ପକାଇଛି । ସେଥିପାଇଁ ପୁଅ ମୋର ଏକା କଥାରେ ରାଜି ହୋଇଛି । ଏଥର ବୁଝିଲ ? ତାକୁ ବୁଝିବାରେ ଆଦୌ ଅସୁବିଧା ନାହିଁ ଜିତା । ସେ ଭାରି ସହଜ, ଭାରି ସରଳ ପିଲା ।

 

ଚଉଦ

 

ଗୋଟିଏ ଗଛଡାଳରେ ଦୋଳି ଟାଙ୍ଗି ଭୀମ ଟୁଲୁକୁ ଝୁଲାଉଥିଲା । ଗେଟ୍‌ଆଡ଼େ ଆଖିପଡ଼ିବାରୁ ଚଞ୍ଚଳ କଣ୍ଠରେ କହିଲା–ତୁମେ ନିଜେ ଟିକିଏ ଝୁଲୁଥାଅ ଟୁଲୁବାବୁ, ମୁଁ ଘରକୁ ଯାଇ କହେ ଡାକ୍ତରବାବୁ ଆସିଛନ୍ତି । ଚଞ୍ଚଳ ପାଦରେ ଚାଲିଗଲା ଭୀମ ।

 

ଟୁଲୁ ଓଉ ଫଡ଼ା ପରି ଗାଲକୁ ଫୁଲାଇ ଡାକ୍ତରଙ୍କୁ ଚାହିଁଲା, ମୋଟେ ହସିଲାନି ।

 

ଡାକ୍ତର ପାଖକୁ ଆସି ଟୁଲୁକୁ ଆଦର କଲେ । ସ୍ନେହବୋଳା କଣ୍ଠରେ ପଚାରିଲେ, ତୁମେ ରାଗିଛ କି ?

 

–କାହା ଉପରେ ରାଗିଛ ମ ? ଡାକ୍ତରଙ୍କ ଗଳାରେ କୌତୂହଳ ।

 

–ତୁମ ଉପରେ ।

 

ତୁମେ କାହିଁକି ଆସିଲ ? ମୁଁ କେତେଥର କହି କହି ଭୀମ ଆଜି ଦୋଳି ଟଙ୍ଗାଇ ମୋତେ ଟିକିଏ ଝୁଲାଉଥିଲା । ତୁମେ ଆସିଲାରୁ ସେ ଘରକୁ ପଳାଇଲା ତୁମେ ଆସୁଛ ବୋଲି କହିଦେବାକୁ । ତୁମେ କ’ଣ ଏକା ଯାଇପାରନ୍ତନି ? ସେ କାହିଁକି ଗଲା ? ମତେ ଝୁଲାଇବ କିଏ ?

 

ଆଚ୍ଛା ଆଚ୍ଛା ବାବୁ ମୁଁ ଝୁଲାଇବି । ତନୁ ତୁ ଯାଆ ଭିତରକୁ, ମୁଁ ଏଇଠି ଟିକିଏ ରହିଲି । ତାପରେ ଟୁଲୁଆଡ଼େ ମୁହଁ ବୁଲାଇ ପଚାରିଲେ ଜୋରରେ ଝୁଲାଇବି, ନା ଆସ୍ତେ ଝୁଲାଇବି ?

 

କାହିଁକି ମ, ମୁଁ କ’ଣ ଡରେକି । ମୋତେ ଜୋର୍‌ରେ ଝୁଲାଅ । ଦେଖିବ ମୁଁ କେମିତି ମୋଟେ ଡରିବିନି ।

 

ହସିଲେ ଡାକ୍ତର । କହିଲେ–ନାହିଁ ତୋର ଭାରି ସାହସ । କହୁ କହୁ ବେଶ୍‌ ଜେର୍‌ରେ ଝୁଲାଇବାକୁ ଆରମ୍ଭ କରିଦେଲେ । ଟୁଲୁ ମୁହଁରେ ଆନନ୍ଦର ଚନ୍ଦ୍ରମା । ତରତର ହୋଇ ସେଠାକୁ ଧାଇଁଆସିଲେ ଅଳକା । ଟୁଲୁ ଉପରେ ବିରକ୍ତ ହୋଇ କହିଲେ–ତୁ ଏଣେ ଅଟକାଇ ଦେଇଛୁ ? ଭାରି ଦୁଷ୍ଟ ହେଲୁଣି ତ । ପଢ଼ାପଢ଼ି କିଛି ତ ଆଉ ନାହିଁ । ତେଣୁ ଏଇସବୁ ହେଉଛି ।

 

ଅଳକା ପଛେ ପଛେ ତନୁ ବି ଚାଲିଆସିଥିଲା । ଅଳକା ବରାଦରେ ଭୀମ ଚେୟାର ଗୁଡ଼ିଏ ଆଣି ସେଇ ବଗିଚାରେ ପକାଇଦେଲା । ମଝିରେ ଗୋଟାଏ ଟେବୁଲ୍‌ବି ପକାଇଲା । ତନୁକୁ ନେଇ ଅଳକା ଚେୟାରରେ ବସାଇଦେଲେ । ଡାକ୍ତରଙ୍କୁ ବି ଅନୁରୋଧ କଲେ ଆସି ବସିବାପାଇଁ । ତାପରେ କପାଳରୁ ଝାଳ ପୋଛୁ ପୋଛୁ କହିଲେ–ଉଃ, ସକାଳେ ବି ବର୍ଷା ! କାଲି ସନ୍ଧ୍ୟାବେଳେ ଡାକ୍ତରବାବୁ ଆସିଲେନି । ଆଜିକାର ବର୍ଷା ଦେଖି ଭାବିଲି ଏ ବର୍ଷା ଆଉ ଛାଡ଼ିବନି । ଯାହାହେଉ ଆମ ଭାଗ୍ୟ ଭଲ ଯେ ଦିନ ଦୁଇଟାବେଳେ ବାର୍ଷାଟା ଛାଡ଼ିଗଲା । ପୁଣି ଆଖିପଡ଼ିଲା ଡାକ୍ତରଙ୍କ ଉପରେ । ପୂର୍ବ ପରି ଟୁଲୁକୁ ଝୁଲାଉଛନ୍ତି ଡାକ୍ତର । ଭ୍ରୂକୁଞ୍ଚିତ କରି ଅଳକା ଅସହିଷ୍ଣୁ କଣ୍ଠରେ କହିଲେ–ତାକୁ ଗୋଟାଏ ଝୁଲାଉଛନ୍ତି କାହିଁକି ? ସେ କ’ଣ ନିଜେ ଝୁଲିପାରିବନି । ଆସନ୍ତୁ ଏଥର-। ବସନ୍ତୁ ଟିକେ ।

 

ଡାକ୍ତର ଗମ୍ଭୀର ହୋଇ କହିଲେ, ଟୁଲୁବାବୁଙ୍କୁ ଛାଡ଼ି ମୁଁ ଆଦୌ ଏଠାରୁ ଯିବିନି ।

 

ଟୁଲୁ କିନ୍ତୁ ମାଆଙ୍କ କଥା ଶୁଣୁ ଶୁଣୁ ଦୋଳିରୁ ଓହ୍ଲାଇପଡ଼ି କହିଲା–ମାମୁଁ ତୁମେ ଭଲ ନୁହଁ । ଦୋଳିଟା ବି ଭଲ ନୁହେଁ । ମାମି ମଧ୍ୟ ଭଲ ନୁହନ୍ତି । ଆମ ଭୀମ ଭଲ । ଆଉ ମୋ ବଣିଚଢ଼େଇ ଭଲ । ମୁଁ ଆଉ ତୁମକୁ ମୋ ବଣିଚଢ଼େଇ ଦେଖାଇବିନି । ମୁଁ ଯାଉଛି, ମୋର ମୁଁ ଏକା ଖେଳିବି । ଅଭିମାନର ଗ୍ୟାସଭରି ଟୁଲୁର ଫୁଲା ଫୁଲା ମୁହଁଟା ଆହୁରି ବେଶି ଫୁଲା ଦିଶୁଥିଲା । ଦୌଡ଼ି ଦୌଡ଼ି ପଳାଇଲା ଟୁଲୁ । ଟୁଲୁ ଲାଗି ଡାକ୍ତାରଙ୍କ ମନରେ ମାୟା ସଞ୍ଚାରିଲା । ତେଣୁ ପଳାଇ ଯାଉଥିବା ଟୁଲୁଆଡ଼େ ଚାହିଁ ଡାକପକାଇଲେ ଡାକ୍ତର ।

 

ଡାକ୍ତରଙ୍କଆଡ଼େ ଚାହିଁ ଅଳକା କହିଲେ–ଯାଉ ସେ ଡାକ୍ତରବାବୁ, ଆପଣ ବସନ୍ତୁ । ଏଠିକୁ ଆସି ସେ ପିଲାଟା ବହୁତ ଦୁଷ୍ଟ ହୋଇଗଲାଣି । ହେଇଟି ବାପା ଆସିଲେଣି ।

 

ଉଠି ଠିଆହେଲେ ଅଳକା ।

 

ବାପାଙ୍କ ହାତଧରି ଗୋଟିଏ ଆରାମ ଚେୟାରରେ ବସାଇଦେଇ କହିଲେ–ତୁମେ ଏଇଟାରେ ବସ ବାପା । ତୁମକୁ ଟିକେ ଆରାମ ଲାଗିବ ।

 

ବସିଲେ କନକନାରାୟଣ । ବସୁ ବସୁ କହିଲେ–

 

ଏ ବର୍ଷା ଆଜି ଆଉ ଛାଡ଼ିବବୋଲି ମୋର ଆଶା ନ ଥିଲା । ଆଜି ପୁଣି ତୁମକୁ ନ ଦେଖିଥିଲେ ମୁଣ୍ତ ମୋରି ଖରାପ ହୋଇଯାଇଥାନ୍ତା । ଆଜି ମୋ ଦେହଟା ଟିକିଏ ଭଲ ଲାଗୁଛି ଡାକ୍ତର ।

 

ଏଥର ତନୁଆଡ଼େ ଆଖି ଫେରାଇଲେ କନକନାରାୟଣ । କହିଲେ–ତା’ପରେ ତନୁ ମା’, ପଢ଼ାପଢ଼ି କିପରି ଚାଲିଛି ? ମନଦେଇ ପଢ଼ । ତୁମେ ସବୁ ଆସିବା ବେଳକୁ ତୁମର ବାପା ବୋଉ କ’ଣ କରୁଥିଲେ ?

 

ତନୁ ଦୁଇଟା କଥାର ଉତ୍ତର କିପରି ଦେବବୋଲି ଟିକିଏ ଭାବିଲା । ତା’ପରେ ପଢ଼ାପଢ଼ିର କଠିଣ ପ୍ରଶ୍ନଟିକୁ ଆଡ଼େଇଯାଇ ସହଜ କଥାର ଉତ୍ତର ଦେଲା କହିଲା, ଆସିବାବେଳେ ବାପା ବୋଉ ଦୁହେଁ ଗେଟ୍‌ପାଖରେ ଠିଆହୋଇଥିଲେ ଆମରି ଆସିବା ବାଟକୁ ଚାହିଁ ।

 

ଏତିକିବେଳେ ଅଳକା କହିଲେ–

 

ବାପା ଆଉ ଡାକ୍ତରବାବୁ ବସି ବସି କଥାବାର୍ତ୍ତା ହୁଅନ୍ତୁ । ଆମର ଆସ ତନୁ ଘର ଭିତରକୁ ଯିବା । ସ୍ନେହର ନିଦର୍ଶନ ସ୍ୱରୂପ ଦୁହିଁଙ୍କ ହାତକୁ ଦୁହେଁ ନିବିଡ଼ଭାବରେ ଧରାଧରିହେଇ ଭିତରକୁ ଚାଲିଗଲେ ।

 

ଅବାକ୍‌ ନୟନରେ ପ୍ରତିଟି ଘରକୁ ନିରେଖି ନିରେଖି ଚାହୁଁଥିଲା ତନୁ । କହିଲା ଆମ ଘର ଦେଖି ତୁମେ କେତେ ପ୍ରଶଂସା କରୁଥିଲ । କିନ୍ତୁ ତୁମେ ନିଜେ କି ସୁନ୍ଦର କରି ସଜାଇଛ ଏହି ଘରଗୁଡ଼ିକ ।

 

ନା ନା ତୁମେ କିଛି ବୁଝିନ ତନୁ । ମୁଁ ନଥିଲେ ବି ବାପା ଏ ଘରକୁ ଏହିପରି ସୁନ୍ଦରକରି ସଜାଇ ରଖିଥାନ୍ତି । ତାଙ୍କର ଧାରଣା ମୋ ବୋଉ ଏ ଘରକୁ ପ୍ରତି ରାତ୍ରରେ ଆସନ୍ତି । ଅତଏବ ସେ କିପରି ଏ ଘରକୁ ଅସଜଡ଼ା ରଖିବେ ? କିନ୍ତୁ ଆଜିକାଲି ବାପା କିପରି ଅନ୍ୟମନସ୍କ ହୋଇଯାଇଛନ୍ତି-। ମଝିରେ ମଝିରେ ବେଡ୍‌ କଭରଟା ବି ବଦଳାଇ ଶୋଇବାକୁ କହିଲେ ସେ ଚିଡ଼ି ଉଠୁଛନ୍ତି । ବୟସ ହେବା ସାଙ୍ଗେ ସାଙ୍ଗେ ସେ କିପରି ବଦଳି ଯାଇଛନ୍ତି । କେବଳମାତ୍ର ସେଇ ଫଟୋଟି ବେଳେବେଳେ ଝାଡ଼ନ୍ତି, ପୋଛନ୍ତି । ଦିନକୁଦିନ ବହୁତ ଉଦାସ ହୋଇଯାଉଛନ୍ତି । ଏହି ସବୁକଥା ଦେଖି ଆଖିରୁ ମୋର ଲୁହ ସୁଖେନି ।

 

କହୁ କହୁ ଆଖିପୋଛନ୍ତି ଅଳକା ।

 

କଣ୍ଠରେ ବିସ୍ମୟଭରି ତନୁଶ୍ରୀ ପଚାରିଲା,କେଉଁ ଫଟୋଟା ନାନୀ ? କାହାର ଫଟୋ ?

 

–ମୋ ବୋଉଙ୍କର ।

 

କଣ୍ଠରେ ବ୍ୟଗ୍ରତାଭରି ତନୁ କହିଲା–ଚାଲ ତେବେ, ମୋତେ ଆଗ ସେଇ ଫଟୋଟି ଦେଖାଇବ ।

 

ତନୁର ହାତଧରି ଅନ୍ୟଗୋଟିଏ ଘରକୁ ନେଉ ନେଉ କହିଲା, ବାପାଙ୍କ ଶୋଇବା ଘରେ ସେ ଫଟୋଥାଏ ।

 

ତନୁ ଫଟୋଦେଖି ଆଶ୍ଚର୍ଯ୍ୟ ହେଲା । କହିଲା–ଇସ୍‌ କି ସୁନ୍ଦର ଦେଖିବାକୁ ବୋଉ ତୁମର ନାନୀ । ଅବିକଳ ତୁମରି ପରି ଥିଲେ, ନା ?

 

ଅଳକା କରୁଣ ହସି ହସି କହିଲେ–ବାପା ବି ସେଇଆ କହନ୍ତି । ସେଥିଲାଗି ଅଇନାରେ ମୁଁ ମୋ ମୁହଁ ଭିତର ଦେଇ ମୋ ବୋଉର ମୁହଁକୁ ଦେଖେ । ଥର ଥର କରି ଅନେକଥର । ଦେଖେ-

 

ଦ୍ୱାର ମୁହଁରେ ଭୀମ ଆସି ଠିଆହେଲା । ପଚାରିଲା ନାନୀ, ଆଳୁ ଗୁଡାକ ସିଝାଇ ଦେବି ।

 

ଅଳକା ହଁ ଭରିଲେ ।

 

ଚାଲିଗଲା ଭୀମ ।

 

ଅଳକା ତନୁଆଡ଼େ ଚାହିଁ କହିଲେ–

 

ଜାଣ ତନୁ, ମୁଁ ଆଠଦିନ ପରେ ଚାଲିଯିବି । ଆଜି ସେ ଚିଠିୁ ଦେଇଛନ୍ତି । କାଲି ସନ୍ଧ୍ୟାରେ ସେମାନେ ଏଠାକୁ ଆସୁଛନ୍ତି । ଆଚ୍ଛା ତନୁ, ତୁମ ଭାଇନା ମୌସୁମୀକୁ ବିଭା ହେବା ସମ୍ପର୍କରେ କ’ଣ କିଛି କହୁଥିଲେ କି ? ତୁମେ କିଛି ଶୁଣିଛ ?

 

ନିର୍ମଳ ହସରେ ଉଦ୍ଭାସିତ ହୋଇଉଠିଲା ତନୁଶ୍ରୀର ଗୋରା ମୁହଁଟି । କହିଲା ଜାଣିଛି ନାନୀ, ମୁଁ ଜାଣିବିନି ତ ଆଉ ଜାଣିବ କିଏ । ଭାଇନା ମୌସୁମୀ କଥା ଶୁଣି ଏକାଥରେ ରାଜି । ଆମ ଘରେ ଏଇକ୍ଷଣି ସମସ୍ତ ଆନନ୍ଦ ଦରିଆରେ ଭାସୁଛନ୍ତି । ବୋଉଙ୍କର ଖୁସିକଥା ତ କହିଲେ ନ ସରେ । ସାକାଳୁ ଆନନ୍ଦରେ କେତେବେଳେ ହସୁଛନ୍ତି ତ କେତେବେଳେ କାନ୍ଦୁଛନ୍ତି । ଗୋଟିଏ ବୋଲି ପୁଅ ହୋଇ ସେ ଯଦି ତା’ ମା’ ପାଇଁ ଠିକ୍‌ ସମୟରେ ବୋହୂଟିଏ ଆଣି ନ ଦିଏ ତେବେ ସେଇ ମା’ ମନ କ’ଣ ହେବ ନିଶ୍ଚୟ ତୁମେ ବୁଝିପାରୁଥିବ । ଭାଇନାଙ୍କ ଯୋଗୁଁ ଘରେ ଆଜିପର୍ଯ୍ୟନ୍ତ ବୋଉଙ୍କ ମନରେ ବହୁତ ଦୁଃଖ ଜମି ଯାଇଥିଲା । ତେଣୁ ଏଇ ହସକାନ୍ଦର ସମାବେଶ ।

 

ଆଚ୍ଛା ନାନୀ, ତୁମ ନଣନ୍ଦଙ୍କର ଫଟୋ ତୁମ ପାଖରେ ନାହିଁ ? ବୋଉଙ୍କର ଭାରି ମନ ତାଙ୍କର ଗୋଟିଏ ଫଟୋ ଦେଖିବାକୁ । ଯଦି ଥାଏ ମୋତେ ଖଣ୍ତିଏ ଦିଅ, ଯଦି ନ ଥାଏ ସେଠାକୁଯାଇ ନିଶ୍ଚୟ ଖଣ୍ତିଏ ପଠାଇବ । ବୋଉ କହୁଥିଲେ, ଏଇ ମାର୍ଗଶିର ମାସରେ ବିଭାଘରୁ ସାରିଦେବାକୁ । ଭାଇନା ତ ବାୟା ମଣିଷ, କେତେବଳେ ନାହିଁକରି ବସିବେ । ବୋଉ ଡରୁଛନ୍ତି । ଆଉ ଦେଖ ନାନୀ, ମୋ ଭାଗ୍ୟ କେଡ଼େ ଖରାପ । ଘରୁ ତ କୁଆଡ଼େ ଯାଇପାରେନି । ଆଜି ଯଦି ଏଠିକି ଟିକିଏ ବୁଲି ଆସିବାକୁ ସୁବିଧା ପାଇଲି ତମେ ତେଣେ ଦିଲ୍ଲୀକି ଟିକଟ୍‌ କାଟି ବସିଲଣି ।

 

ଅଳକା ହସିଲେ, କହିଲେ–ଫଟୋ କାହିଁକି ! କାଲି ତ ତାଙ୍କ ସହିତ ମୌସୁମୀ ଆସୁଛି-। ତୁମ୍ଭେମାନେ ସମସ୍ତେ ତାକୁଇ ଦେଖିନେବ ।

 

ତନୁ ତାଳିବଜାଇ ନାଚିଉଠିଲା, କହିଲା–ସତରେ ସେମାନେ କାଲି ଆସିବେ ? କି ମଜା-! ଆମେ ପଅରଦିନ ସମସ୍ତେ ଆସି ତାଙ୍କୁ ଦେଖିଯିବୁ । ଆଚ୍ଛା ନାନୀ, ତାଙ୍କୁ ଦେଖି ଆମର ତ ନିଶ୍ଚୟ ପସନ୍ଦ ହେବ । ବାହାଘର ବି ନିଶ୍ଚୟ ହେବ ତା’ପରେ ମାର୍ଗଶିରମାସ ତ ଆସିଯାଉଛି । ତୁମେ ଆଉ ଦିଲ୍ଲୀ ଯିବ କିପରି ! ଆସ ଗୋଟାଏ ମାସପାଇଁ ଏତେ ବାଟକୁ ଯିବାଆସିବା କରିବାରେ ପଇସା ଖର୍ଚ୍ଛକରି କି ଲାଭ ।

 

ଅଳକା ହସି ହସି କହିଲେ–ସତରେ ଯଦି ତୁମମାନଙ୍କର ମୌସୁମୀ ପସନ୍ଦ ହୁଏ, ତେବେ ମୋ ଯିବା ପ୍ରଶ୍ନ ଏହିକ୍ଷଣି ଆଉ ଉଠିବନି । ମଝିରେ ଗୋଟେ ମାସପାଇଁ ଆଉ କାହିଁକି ଯିବି-। ବରଂ ମୋ ଶ୍ୱଶୁରଙ୍କୁ ଏଠାକୁ ଆସିବାକୁ ଲେଖିଦେବି । ସେ ବି ବହୁତ ଦିନ ଧରି ଖଣ୍ତଗିରି, ପୁରୀ, କୋଣାର୍କ ଏହିସବୁ ଦେଖିବେ ବୋଲି ବ୍ୟସ୍ତ ହେଉଛନ୍ତି । ଏକାଥରକେ ସବୁ କାମ ହୋଇପାରିବ-। ବେଶ୍‌ ଭଲ ହେବ ।

 

ଏତିକିବେଳେ ଡାକ୍ତର ଡାକପକାଇ କହିଲେ–ଆଜି ଏଇଠି ରହିବୁ କି ତନୁ ? ସାଡ଼େ ଛଅଟା ପରା ବାଜିଗଲା । ଆ ଯିବା । ମୋତେ ପୁଣି ମୋର ପେସେଣ୍ଟ୍‌ ଅପେକ୍ଷା କରିଥିବେ ।

 

–ଯାଉଛି ଭାଇନା ।

 

ଘରୁ ବାହାରିଲା ତନୁଶ୍ରୀ । ପଛେ ପଛେ ଅଳକା ବି ଆସିଲେ । ବଗିଚାରେ ସେତେବେଳେ ଆଶ୍ୱିନର ଗଙ୍ଗଶିଉଳିର ସୁବାସଭରା ସନ୍ଧ୍ୟା । ମନରେ ମୋହ ଜାଗୁଛି । ସଦ୍ୟସ୍ନାତ ଗଛଲତା ଗୁଡ଼ିକ ଧ୍ୟାନମଗ୍ନ ଋଷିପରି ନିଶ୍ଚଳ । ପବନ ବୋଲି ଟିକିଏ ବି ନାହିଁ । ତଥାପି ବେଶ୍‌ ଥଣ୍ତା ଥଣ୍ତା ଲାଗୁଛି । ବଗିଚାରୁ ଉଠିପଡ଼ି ସମସ୍ତେ ଚାଲିଗଲେ ଘର ଭିତରକୁ ।

 

ଭୀମ ନାନାପ୍ରକାର ଖାଦ୍ୟ ସମ୍ଭାରରେ ଟେବୁଲ୍‌ଟାକୁ ପରିପୂର୍ଣ୍ଣ କରି ରଖିଛି । ଗୋଟିଏ ଗୋଟିଏ ଚେୟାରଧରି ସମସ୍ତେ ବସିପଡ଼ିଲେ । ପରିବେଷଣ କଲେ ଅଳକା ।

 

ଡାକ୍ତର ଖାଉ ଖାଉ କହିଲେ–ସତରେ ଅଳକା ଦେବୀ, କି ସୁନ୍ଦର ଯେ ରାନ୍ଧନ୍ତି ଆପଣ-! ଥରେ ଖାଇଲେ ଭୁଲିବାର ନୁହେଁ ।

 

କଥା ଛଡ଼ାଇନେଇ ତନୁ କହିଲା–ତୁମେ ତ ସବୁଦିନ ତାଙ୍କ ହାତରୁ ଏଥର ଖାଇବାର ସୌଭାଗ୍ୟ ଅର୍ଜନ କରୁଛ । ଆଉ ଚିନ୍ତା କ’ଣ । ଘରେଥିଲେ ବୋଉ, ଦିଲ୍ଲୀ ଗଲେ ନୂଆବୋଉ । ବାସ୍‌, ତୁମର ଭାରି ମଜା ।

 

ଲାଲ୍ ପଡ଼ିଗଲା ଡାକ୍ତରଙ୍କ ମୁହଁଟି ।

 

ଆଜି ଆଉ ରାଗରେ ନୁହେଁ, ଲାଜରେ ।

 

ଡାକ୍ତରଙ୍କ ଲାଜବୋଳା ମୁହଁକୁ ଚାହିଁ ପରିତୃପ୍ତ ହୋଇଉଠିଲା ଅଳକାଙ୍କର ମାତୃ ହୃଦୟ-। ଛଅଫୁଟ୍‌ ମଣିଷଟି ଭିତରେ ଛୋଟ ଗୋଟିଏ ଶିଶୁକୁ ନିରେଖି ନିରେଖି ଦେଖିଲେ ଅଳକା-। ଆଖିରେ ତାଙ୍କର ଝରିଆସିଲା ଆଶାର ଝରଣା । ସଂଗୋପନରେ ପୋଛିନେଲେ ବିଶାଳ ଦୁଇ ଆଖିପତା ।

 

ଡାକ୍ତର ଆଉ କାଥା କହିନାହାନ୍ତି । ହେଲେ, ଆଖିରେ ପଡ଼ିଛି ତାଙ୍କର ଅଳକାଙ୍କର ଆନନ୍ଦାଶ୍ରୁ । ଚଉଡ଼ା ଛାତିଟା ଡାକ୍ତରଙ୍କର ଆହୁରି ଚଉଡ଼ା ହୋଇଗଲା ସେଇ ଦୃଶ୍ୟ ଦେଖି ।

 

କନକନାରାୟଣ ଡାକିଲେ–ବୁଲୁ !

 

ତନୁ ମା’ ଯାହା କହିଛି ତାହା କ’ଣ ସତ ? ମୋ ଅଳକା ମାର ଇଚ୍ଛା କ’ଣ ତୁମେ ପୂର୍ଣ୍ଣ କରୁଛ ?

 

ନିବୃତ୍ତ ରହି ମୁହଁପୋତିଲେ ଡାକ୍ତର ।

 

ତନୁ କହିଲା–କାହିଁକି ଆଉ ପଚାରୁଛନ୍ତି ମଉସା ! ଦେଖୁନାହାନ୍ତି ମଉନେ ସମ୍ମତିର ଲକ୍ଷଣ ।

 

ଖାଇବା ପାଖରୁ ଉଠିପଡ଼ିଲେ ଡାକ୍ତର । କହିଲେ–ମୁଁ ଆଉ ଖାଇବିନି ।

 

ବ୍ୟସ୍ତ ହୋଇପଡ଼ିଲେ ଅଳକା । କହିଲ–ଇଏ କ’ଣ ! କିଛି ଖାଇଲେନି । ମୁଁ କେତେ କଷ୍ଟକରି ଏ ସବୁ କରିଥିଲି । ପୁଣି ତନୁଆଡ଼େ ମୁହଁବୁଲାଇ କହିଲେ–ତନୁ, ତୁମରି ପାଇଁ ସେ ଖାଇଲେନି । କାହିଁକି ତାଙ୍କୁ ଏପରି କଥାକହି ବିରକ୍ତ କଲ, ଖାଇବା ପାଖରୁ ଉଠାଇଦେଲ, କହିଲ-?

 

ତନୁ ଜିଭରେ ଟକର ଫୁଟାଇ ହସି ହସି କହିଲା, ନ ଖାଆନ୍ତୁ ସେ ନୂଆବୋଉ । ମୋର କ’ଣ ଗଲା । ସେ ତ ମୋତେ କେତେଥର ଖାଇବା ପାଖରୁ ଉଠାଇଦେଇଛନ୍ତି । ଆଜି ଏବେ ମୁଁ ଟିକେ ସୁବିଧାପାଇ ତାଙ୍କୁ ଉଠାଇଦେଲି, କ’ଣ ହେଇଯାଉଛି ସେଠୁ । ମୋତେ କିନ୍ତୁ ଆଜି ଭାରି ଖୁସି ଲାଗୁଛି ଏପରି ସୁସ୍ୱାଦୁ ଖାଦ୍ୟ ପାଖରୁ ତାଙ୍କର ଉଠିଯିବା ଦେଖି ।

 

–ଯାଃ, ତୁମେ ଭାରି ଦୁଷ୍ଟ ତନୁ ।

 

ଆଉ ଆଜିଠୁ ମୋତେ ନୂଆବୋଉ ବୋଲି ଡାକୁଛ କାହିଁକି ? କପଟ ରାଗରେ ମୁହଁ ଫୁଲାଇଲେ ଅଳକା ।

 

ତନୁ ବେଶ୍‌ ଆରାମରେ ଖାଇପିଇ ଉଠି ହାତଧୋଇ ଆସିଲା । କହିଲା–ଆଉ ନାନୀବୋଲି ଡାକିବି କାହିଁକି ? ଭାଉଜ ଡାକଟା ଆଜିଠୁ ଅଭ୍ୟାସ କରିବା ଭଲ । ଭାଇନାଆଡ଼େ ଚାହିଁ କହିଲା, ତୁମେ ବି ଭାଉଜ ଡାକିବାକୁ ଅଭ୍ୟାସ କରୁନ ।

 

ଜାଣିଲ ଭାଉଜ, ଭାଇନା ରାଗି ନିଆଁ ହୋଇଗଲେଣି । ଖାଲି ଏଠି ବୋଲି ସୁନାପୁଅ ପରି ବସି ରହିଛନ୍ତି । ଘରକୁ ଗଲେ ମୋ ଦଫା ରଫା କରି ଛାଡ଼ିବେ । ଯାହାହେଉ, ମୋର ଗୋଟାଏ ଆଜି ଶୁଭଦିନ । ଭାଇନାଙ୍କୁ ଚୁପ୍‌କରି ବସାଇ ଦବାର ସୁଯୋଗପାଇ ମନ ଆଜି ମୋର ବହୁତ ବହୁତ ଖୁସି ।

 

ମୁହଁ ଭାରିକରି ଡାକ୍ତର କହିଲେ–ହଉ ବହୁତ ଖୁସି ହେଲ । ଏଥର ଚାଲ । ମଉସା, ଆମେ ଯାଉଛୁ ଏଥର । କାଲି ସକାଳେ ଆସିବି ।

 

ଚାଲିଗଲେ ଭାଇ ଭଉଣୀ ଦୁହେଁ ।

 

କନକନାରାୟଣ ପାଟିକରି କହିଲେ–ତୁମର ବାପା ବୋଉଙ୍କୁ ମୋର ନମସ୍କାର ଜଣାଇଦେବ । ତନୁକୁ ନେଇଆସୁଥିବ ବେଳେ ବେଳେ । ଅଳକା ମାଆ ମୋର ବଡ଼ ଏକୁଟିଆ ହୋଇଥାଏ ।

 

ଭାଇ ଭଉଣୀ ଦୁହେଁ ମିଳାଇଗଲେ ଉତ୍ତୀର୍ଣ୍ଣ ସନ୍ଧ୍ୟାର ଗାଢ଼ ଅନ୍ଧକାରରେ । ବାପ ଝିଅ ଦୁହେଁ ଚାହିଁରହିଲେ ତାଙ୍କରି ଯିବାବାଟକୁ ।

 

ପନ୍ଦର

 

ଭାଇନା, ଭାଇନା କବାଟ ଖୋଲି । ଦେଖିବ ଆସ ସାରା ଆକାଶଟା କିପରି ବହଳିଆ ମେଘରେ ଛାଇ ହୋଇଯାଇଛି । ଭାଇନା, ଦେଖ ମୁଁ ଆଜି ଚଞ୍ଚଳ ଉଠିଛି । ଧେତ୍‌, ମୁଁ ଆଉ ଡାକି ପାରିବିନି । ବୋଉ ଆସି ତାଙ୍କ ଗେହ୍ଲା ପୁଅକୁ ଉଠାନ୍ତୁ । ମନେ ମନେ ସ୍ୱର୍ଗତୋକ୍ତି କଲା ପରି ଗୁଣୁ ଗୁଣୁ ହେଲା ତନୁ । ତାପରେ ନାଚି ନାଚି ତଳକୁ ଓହ୍ଲାଇଗଲା ।

 

ଅପରାଜିତା ଲୁଗା ଆଞ୍ଚଳରେ ହାତଟା ପୋଛୁ ପୋଛୁ ଏଆଡ଼କୁ ଆସୁଥିଲେ । ଝିଅର ବିରକ୍ତି ଭରା ମୁହଁକୁ ଚାହିଁ ପଚାରିଲେ–ତୋର ପୁଣି କ’ଣ ହେଲା ? ମୁହଁକୁ ସକାଳୁଟାରୁ ଏପରି ଭାରି କରୁ କାହିଁକି ?

 

–କାହିଁକି ପୁଣି । ତୁମ ଗେଲବସର ନନ୍ଦନଙ୍କୁ ଡାକି ଡାକି ଉଠିଲେନି । କି ନିଦରେ ବାବା-!

 

ତୁ ସେମିତି ହଅନା । ମୁଁ ଯାଉଛି ଡାକିଦେବି । ଆଇଲୁ ମୋ ପାଖକୁ । ଆଖିର କଳାଗୁଡାକ ମୁହଁ ସାରା ନେସି ହୋଇଯାଇଛି । ଆ, ପୋଛିଦିଏ ଆ ।

 

ବୋଉଙ୍କର କୋମଳ କଥା ଆଉ ସ୍ନେହ ସ୍ପର୍ଶରେ ତନୁର ଗରମ ମୁଣ୍ଡଟା ଥଣ୍ଡା ପଡ଼ିଗଲା-। କହିଲା–ବୋଉ, ତୁମେ ତ କାଲି ରାତିରେ ମୋତେ କିଛି ପଚାରିଲନି ? ମୌସୁମୀର ଫଟୋ ପାଇଲି କି ନାହିଁ, ଅଳକା କ’ଣସବୁ ମୋତେ ପଚାରିଲେ ? ମୁଁ ଭାବିଥିଲି ମୁଁ ଆସୁ ଆସୁ ତୁମେ ମୋତେ ସବୁ କଥା ପଚାରି ବୁଝିବ । କିନ୍ତୁ ତୁମେ କିଛି ନ ପଚାରି ଏକଦମ ଚୁପ୍‌ ହୋଇ ରହିଗଲ । କାହିଁକି ପଚାରିଲନି ?

 

ଆରେ ତୁ ଓଲିଟାକି, ତୁ ପରା ଘରେ ପଶୁ ପଶୁ ପ୍ରିତୀ, ଅଶ୍ରୁ, ରେଖା ଏମାନେ ସବୁ ଆସି ପହଞ୍ଚିଲେ, ଆଉ ତୁ ଗପୁଡ଼ି ବହୁତ ରାତିଯାଏଁ ତାଙ୍କ ସାଙ୍ଗେ ଗପିଲୁ । ପୁଣି ସେମାନେ ଯାଉ ଯାଉ କେତେ ରାତି ହେଇଗଲା । ତାପରେ ତୁମେମାନେ ତ ଖାଇବସିଲ । ମୁଁ ଆଉ ପଚାରିଥାନ୍ତି କେତେବେଳେ ? ଏଡ଼ୁଟିଏ ହେଲୁଣି ସିନା, ଛୁଆଙ୍କ ପରି ଖାଇ ସାରୁ ସାରୁ ତୁ ତ ଯାଇ ଶୋଇପଡ଼ୁ-। ଛାଡ଼ ତୋ କଥା, କ’ଣ ହେଲା ସେ ଫଟୋ କଥା କହିବୁଟି । ଅଳକା ପାଖରେ ଫଟୋ ଅଛି, ନା ସେ ଗଲେ ପଠାଇଦେବେ ?

 

ସେ ନାହିଁ କଲେ । କହିଲେ–ମୌସୁମୀ ଏହିକ୍ଷଣି ପିଲା ଲୋକ । ସେ ତାକୁ ବିଭା ଦେବେନି । ମୁହଁ ଶୁଖାଇ ତନୁ ଏତକ କହି ତଳକୁ ଚାହିଁଲା ।

 

ଅପରାଜିତା ସ୍ତବ୍‌ଧ ହୋଇଗଲେ । ପାଟିରୁ ତାଙ୍କର କଥା ବାହାରିଲାନି । ଆଖିଦୁଇଟିରେ ନଇଁଆସିଲା ମେଘର କାରୁଣୀମା ।

 

ତନୁ କହିଲା–କ’ଣ ହେଲା ବୋଉ ? ତୁମେ ବ୍ୟସ୍ତ ହେଉଛ କାହିଁକି ? ଭାଇନାଙ୍କ ପରି ପୁଅକୁ କ’ଣ କନ୍ୟା ଅପୂର୍ବ ହୋଇଛନ୍ତି ?

 

ଅପରାଜିତା ଗଳାରେ ବିଦ୍ରୂପ ଭରି କହିଲେ–ଆହାଃ, କେତେ ଗଣ୍ଡା କନ୍ୟା ଆସି ଦୁଆରେ ତୁମର ଗଡ଼ୁଥିବେ ।

 

–ଗଡ଼ିବେନି କି । ଭାଇନା ଏଥର ଯେପରି କହିଲେ–ତୁମର ଯାହା ଇଚ୍ଛା କର, ମୋତେ କାହିଁକି ପଚାରୁଛ, ସେହିପରି ଆଉଥରେ କୁହନ୍ତୁ, ଦେଖିବ କୋଡ଼ିଏ ଗଣ୍ଡା ଝିଅ ଏ ଦ୍ୱାରେ ଗଡ଼ିବେ-। ଅଶ୍ରୁତ ଏ ଘରକୁ ବୋହୂ ହୋଇ ଆସିବାକୁ ଗୋଡ଼ଟେକି ବସିଛି । ଆଣିବ ତାକୁ ବୋହୂକରି ?

 

ଅପରାଜିତାଙ୍କର ମେଘୁଆ ଆଖି ଦୁଇଟିରେ ଚମକିଗଲା ଘୃଣାର ବିଦ୍ୟୁତ୍‌ । କହିଲେ–ଲକ୍ଷ ଟଙ୍କାର ଯୌତୁକ ଧରି ସେ ଯଦି ଆସିବାକୁ ଚାହେଁ ତେବେ ବି ତାକୁ ମୋ ଘରେ ମୁଁ ପୁରାଇଦେବିନି । ଫାଜିଲ୍‌ ଝିଅଗୁଡାକ ।

 

ପୂର୍ବ ପରି ମୁହଁ ଶୁଖାଇ ତନୁଶ୍ରୀ କହିଲା–ଆଉ ଭାଇନା ଯଦି ସେଇ ଅଶ୍ରୁକୁ ଏ ଘରକୁ ବୋହୂ କରି ଆଣିବାକୁ ମନ କରନ୍ତି ତେବେ ତୁମେ କ’ଣ କରିବ ?

 

ଏଥର ଡରିଗଲେ ଅପରାଜିତା ଭିତ୍ତିବିହ୍ୱଳ ନୟନରେ ଚାହିଁଲେ ସେ ଝିଅର ମୁହଁକୁ । ମନେ ମନେ ଭାବିଲେ–ମନୁ କ’ଣ ତାହେଲେ ଅଶ୍ରୁ କଥା କହିଛି ତନୁ ଆଗରେ ! ମନୁ ରୁଚି ଉପରେ କେତେ ଶ୍ରଦ୍ଧା ମୋର ଥିଲା । ଆଉ ସେ ହାତଧରି ଘରକୁ ଆଣିବ ଅଶ୍ରୁପରି ଗୋଟିଏ ନିର୍ଲଜ୍ଜୀ ରୁଚିହୀନା ଝିଅକୁ ! କି ଜାମା ପିନ୍ଧେ ସେଇ ପେଟ ପିଠି ସବୁ ଦେଖାଯାଏ ଦିନେ ଦେଖିଲି ନିଜ କାନ୍ଧଟାକୁ ଆଞ୍ଚଳରେ ଢାଙ୍କି ବାଟ ଚାଲୁଛି ଓଟ ମୁହିଁ ଝିଅଟା । ସେଇ ଝିଅ ପୁଣି ମନକୁ ପାଇବ ମନୁର ! ଅସମ୍ଭବ । କହିଲେ–ମନୁ ପଛେ ମୋଟେ ବାହା ନ ହେଉ ତୁ କିନ୍ତୁ ମୋତେ ଡରାନା ସେମିତି । କହୁ କହୁ ଆଖିଯୋଡ଼ିକ ତାଙ୍କର ଢଳ ଢଳ ହୋଇଆସିଲା ।

 

ବୋଉ ଆଖିରେ ଲୁହ ଦେଖି ତନୁର ଅଭିନୟ ପର୍ବର ସମାପ୍ତି ହୋଇଗଲା । ଦୁଇ ହାତରେ ଅପରାଜିତାଙ୍କୁ କୁଣ୍ଢାଇ ପକାଇ ଚକା ଭଉଁରି ଖେଳିଗଲା ତିନି ଚାରି ଘେରା । ତାପରେ ବତିଶଟିଯାକ ଦାନ୍ତ ଦେଖାଇ ହସି ହସି କହିଲା–ବୋଉ ମୁଁ ତୁମକୁ ମିଛ କହିଛି । ଦେଖିଲ କିମିତି ଡରାଇ ଦେଲି ତୁମକୁ ।

 

କ୍ଷଣେ ଚାହିଁଲେ ଅପରାଜିତା । ତନୁର ହସ ଭରା ମୁହଁକୁ । ତାପରେ ହସିପକାଇ କହିଲେ–ଆରେ, ଛାଡ଼୍‌ ଛାଡ଼୍‌ ମୁଁ ପଡ଼ିଯିବି ଯେ । କି ଦୁଷ୍ଟ ତନୁ ତୁ । ସକାଳୁଟାରୁ ମୋତେ ତୁ କନ୍ଦାଇ ଦେଲୁ । ହଉ ବହୁତ ହେଲାଣି, ଏଥର ଦୟାକରି ତୋ ସତ କଥା ଟିକକ ଶୁଣାଇଦେଲୁ । ଇସ୍‌, ଏ ପର୍ଯ୍ୟନ୍ତ ଛାତିଟା ମୋର ଧଡ଼ ଧଡ଼ ହେଉଛି । ମୋ ମନୁ ତା’ ଉପରେ କେତେ ମୋର ବିଶ୍ୱାସ, କେତେ ମୋର ଆଶା । ମାଲୋ ଡରିଯାଇଥିଲି । ହଁ କ’ଣ ହେଲା କହିଲୁ ? କ’ଣ କହିଲା ଅଳକା-?

 

ଆନନ୍ଦଭରା କଣ୍ଠରେ ତନୁଶ୍ରୀ କହିଲା...କହିଲେ ଫଟୋ ଦେଖିବା ଦରକାର ନାହିଁ । ତାଙ୍କୁ ନେବାକୁ ତାଙ୍କ ସ୍ୱାମୀ ଆସୁଛନ୍ତି । ଖଣ୍ଡଗିରି ଆଉ ଉଦୟଗିରି ଦେଖିବାକୁ ସ୍ୱୟଂ ନଣନ୍ଦ ବି ଆସୁଛନ୍ତି । ସେମାନେ ସବୁ ଆଜି ସଂଧ୍ୟାରେ ଆସି ପହଞ୍ଚିବେ । ତାପରେ ମୁଁ ଯେତେବେଳେ କହିଲି ବୋଉଙ୍କର ଇଚ୍ଛା ଏଇ ମାର୍ଗଶିରରେ ବିଭାଘର ସାରିଦେବାକୁ, ସେ କହିଲେ–ତାହାହେଲେ ମଝିରେ କାର୍ତ୍ତିକ ମାସଟି । ଆଉ ଏତେ ପଇସା ସାରି ମୁଁ ଯିବି କାହିଁକି । ଏଇଠି ରହି ଏକାଥରେ ବାହାଘର ସାରିଦେଇ ଯିବି । ହେଲା । ଯାଅ ଏଥର ଭାଇନାକୁ ଡାକିଆଣ । ଇସ୍‌, ମୋର କଲେଜ ସମୟ ହୋଇଗଲା । ସେ ତାଙ୍କର ଏକୁଟିଆ ବସି ଖାଉଥାନ୍ତୁ । ମୋର ମୁଁ ଖାଇଦେଇ ପଳେଇ ଯିବି ।

 

ଅପରାଜିତା ପ୍ରସନ୍ନ ମନରେ ପୁଅକୁ ଉଠାଇବାକୁ ଚାଲିଯାଉଥିଲେ । ତନୁ ଧାଇଁଆସିଲା ପଛେ ପଛେ । ଫିସ୍‌ଫିସ୍‌ କରି ବୋଉଙ୍କୁ ଡାକି କହିଲା–ଶୁଣ, ସେମାନେ ଆଜି ସଂଧ୍ୟାରେ ଏଠାକୁ ଆସୁଛନ୍ତି ବୋଲି ଭାଇନାକୁ କିଛି କହିବନି । ଯେମିତି ପୁଅ ଖଣ୍ଡେନା ମୌସୁମୀ ଆସିଛି ବୋଲି ଜାଣିଲେ ସେ ଆଉ ତାଙ୍କ ଘରକୁ ଯିବେନି । ଏମିତି ଅତର୍କିତ ଥରେ ସେ ଯାଇ ଦେଖିଆସିଲେ ଭଲ ହେବ । ହେବନି ? ଆଚ୍ଛା ମୁଁ ଯାଉଛି ।

 

–ହଁ ଲୋ ମାଆ, ଠିକ୍‌ କଥାଟି ମନେପକାଇଛୁ । ମୁଁ ତ ଏଇକ୍ଷଣି ଯାଇ ସବୁ କହିପକାଇଥାନ୍ତି । ସତେ ତ, ସେକଥା ଶୁଣିଲେ ସେ କ’ଣ ଆଉ ସେଠାକୁ ଯାଇଥାନ୍ତା ।

 

ତନୁ ଡାଇନିଂ ହଲରେ ପଶିଲା । ଦେଖିଲା–

 

ବାପା ଚୁପ୍‌ ଚାପ ବସି ଖବରକାଗଜ ପଢ଼ୁଛନ୍ତି । କହିଲା–ବାପା, ତୁମର ସେ ଗେଲବସରର ନନ୍ଦନକୁ ଡାକି ଡାକି ହଇରାଣ ହୋଇଗଲି । ତଥାପି ଉଠିଲେନି । ବୋଉ ଯାଇଛନ୍ତି ଡାକିବାକୁ, ସେ ଖାଉ ଖାଉ ବହୁତ ଡେରି ହୋଇଯିବ । ଆମର ଆସ ଖାଇବା, ମୁଁ କଲେଜ ଯିବି । ଆଉ ଡେରିକଲେ ମୋଟେ ମୋର ଚଳିବନି ।

 

ଦିବ୍ୟେନ୍ଦୁ କାଗଜଟାକୁ ଭାଙ୍ଗି ରଖୁ ରଖୁ କହିଲେ–ତୁ ଖାଇନେ ମାଆ, ଭାଇନା ଆସୁ ମୁଁ ଖାଇବି ।

 

ତନୁ ଗାଲ ଫୁଲାଇ କହିଲା–ହଁ ମ, ମୁଁ କ’ଣ ସେକଥା ଜାଣିନି, ସେ ନ ଖାଇଲେ ତୁମେ ଖାଇବନି, ଯେତେହେଲେ ସେ ହେଲେ ପୁଅ । ମୁଁ ଝିଅଟା, ମୋ ପାଇଁ କ’ଣ ତୁମର ସ୍ନେହ ମମତା ଅଛି । ତୁମେ ଭାଇନାଙ୍କୁ ଯେତେ ଭଲପାଅ ମୋତେ ଯେବେ ତହିଁରୁ କାଣିଚାଏ ଭଲପାଉଥାନ୍ତ ! ଅଭିମାନରେ ତନୁର ଗଳାଟା ଭାରି ହୋଇଆସିଲା । ଗାଁଉ ଗାଁଉ କରି ଅଳ୍ପଟିକେ ଖାଇ ହାତ ଧୋଇ ପଳାଇଗଲା ।

 

ଦିବ୍ୟେନ୍ଦୁଙ୍କୁ ପଦେ କଥା କହିବାର ସୁଯୋଗ ସେ ଦେଲାନି । ହସିଲେ ଦିବ୍ୟେନ୍ଦୁ । ମନେ ମନେ କହିଲେ–ବାୟାଣୀଟା । ଅପରାଧି ଭଙ୍ଗିରେ ଘରେ ପଶିଲେ ମନୋରଞ୍ଜନ, କହିଲେ–ମୋର ଟିକିଏ ଡେରି ହୋଇଗଲା ବାପା । ତନୁ କ’ଣ ବାହାରିଗଲାଣି ? ବାପା, ତୁମେ ତା’ସାଙ୍ଗରେ ଖାଇଲନି ? ସେ ବିଚାରୀ ଆଜି ଏକୁଟିଆ ଖାଇଲା । ବହୁତ ରାଗିଥିବ ମୋ ଉପରେ । ସେ ଫେରିଲେ ଠିକ୍‌ ଦୁଇଘଣ୍ଟାଧରି ମୋତେ ଆଉ କଥା କହିବନି । ବାହାରୁ ମୁଁ ଆସିଲାବେଳେ ତା’ପାଇଁ ଭଲ ଦେଖି ବ୍ଲାଉଜ୍‌ପିସ୍‌ ଗଣ୍ଡେ ଆଣିଥିବି । ତାହାହେଲେ ଦୁଇଘଣ୍ଟାଟା ଦେଢ଼ଘଣ୍ଟା ହୋଇପାରେ ।

 

ଅପରାଜିତା ହସି ହସି କହିଲେ–ତୁ ତାକୁ ରଗାଉ କାହିଁକି, ପୁଣି ଜୋରିମାନା ଗଣୁ କାହିଁକି ?

 

ଦିବ୍ୟେନ୍ଦୁ କହିଲେ–ଖାଲି କ’ଣ ଆଜି ସେ ତୋରି ଉପରେ ରାଗିଛି ? ମୋ ଉପରେ ମଧ୍ୟ ରାଗିଛି । ମୋତେ ସେ ସାଙ୍ଗରେ ଖାଇବାକୁ ଡାକୁଥିଲା । ମୁଁ ତ ଟିକିଏ ଡେରିକରି ଖାଏ, ତା’ପରେ କଥା କହୁ କହୁ ନ ଖାଇଲେ ମୋତେ ଶାନ୍ତି ଲାଗେନି । ସେ ତ ତା’ର ତର ତର ହେଉଛି କଲେଜ ଯିବବୋଲି । ତେଣୁ ମୁଁ କହିଲି ତୁ ଖାଇନେଇ ଚାଲିଯା, ମୁଁ ପରେ ଖାଇବି । ମୋ ପାଟିରୁ ଏ କଥା ଶୁଣି ଗୁଣୁ ଗୁଣୁ ହେବାକୁ ଆରମ୍ଭ କରିଦେଲା । ଭାଇନାଙ୍କୁ ତୁମେ ଭଲପାଅ । ମୋତେ ଭଲପାଅନି । ମୋତେ ଦେଖିପାରନି । ମୁଁ ତ ଝିଅଟେ । ଦେଖିଲୁ ଭଲ, କେଡ଼େ ବାୟାଣୀ ସେ । ସେ ନ ଥିଲେ ଏ ଘର କ’ଣ ଘରପରି ଲାଗନ୍ତା । ଯେଉଁ ଘରେ ଝିଅନାହିଁ ସେ କି ଘର । ତାକୁ କ’ଣ ଏ ଘରକଥା ମୁଁ ବୁଝାଇପାରିଲି । ସେ କ’ଣ ମୋତେ କିଛି କହିବାର ସୁଯୋଗ ଦେଲା । ଗାଉଁ ଗାଉଁ ହୋଇ ଚାଲିଗଲା । ସେ ଆସିଲେ ମୋତେ ବି କଥା କହିବନି ।

 

ଅପରାଜିତା କହିଲେ–କଥା କହିବନି ବୋଲି ଏତେ ବ୍ୟସ୍ତ ହେଉଚ କାହିଁକି ? ଭାଇ ତ ଚଣ୍ଡି ତୁଷ୍ଟି ଲାଗି ବ୍ଳାଉଜପିସ୍‌ ଆଣୁଛି । ତୁମେ ଦିପଦ ଛାନ୍ଦ ଲେଖି ରଖିଦିଅ । ଏତକ କହି ମୁହଁ ବଙ୍କେଇ ଚାଲିଗଲେ ସିଏ ।

 

ଅପରାଜିତଙ୍କ କଥା ଶୁଣି ହସିଉଠିଲେ ଦିବ୍ୟେନ୍ଦୁ ।

 

କ’ଣ ପଦିଏ କହିବାକୁ ଯାଉଥିଲେ । ହଠାତ୍‌ ବାଜିଉଠିଲା ଫୋନ୍‌ଟା ।

 

ଉଠିଯାଇ ମନୋରଞ୍ଜନ ଫୋନ୍‌ ଧରିଲେ । ‘‘ହ୍ୟାଲୋ’’, ‘‘ହ୍ୟାଲୋ’’ ।

 

ଅପରପଟୁ ଭାସିଆସିଲା ସୁମଧୁର କଣ୍ଠ । କିଏ ତୁ ? ତନୁଟି ?

 

ମଜାକରିବାକୁ ଯାଇ ମନୋରଞ୍ଜନ କହିଲେ–ହୁଁ ।

 

ଆଖି ଉହାଡ଼ରେ ଥାଇ ତନୁର ସାଙ୍ଗମାନଙ୍କ ସହିତ ପ୍ରାୟ ସେ ଏହିପରି ତାମସା କରିଥାନ୍ତି । ସାମନା ସାମନି ହେଲେ ପଳାନ୍ତି ବାଟଭାଙ୍ଗି, ଆଜି ବି ତନୁର ପ୍ରିୟ ବାନ୍ଧବୀ ପ୍ରୀତିର କଣ୍ଠସ୍ୱର ଚିହ୍ନିବାରେ ତାଙ୍କର ହେଳା ହେଲାନି । ତେଣୁ ସେ କହିଲେ–‘‘ହୁଁ’’ ।

 

ସେ ପଟୁ କଳ କଳ କଣ୍ଠରେ କହିଉଠିଲା ପ୍ରୀତି, ତୁ କାହିଁକି କାଲି କଲେଜ ଆସିଲୁନି । ଆମର ଗୋଟେ ପିକ୍‌ନିକ୍‌ ହେବ । ସେଇକଥା କାଲି ପଡ଼ିଥିଲା । ତୁ ନ ଆସିବାରୁ ଅଶ୍ରୁ ଚିଡ଼ୁଥିଲା । କହିଲା–ସବୁଦିନ ଆସେ, ଅଥଚ ଆଜି ତାକୁ ଆମର ପ୍ରୟୋଜନ ବୋଲି ସେ ଆସିଲାନି । କାଲି ରାତିରେ ସେଇଆ କହିବାକୁ ଆମ୍ଭେମାନେ ଯାଇଥିଲୁ ତୁମ ଘରକୁ । କିନ୍ତୁ ତମ ଘରର କଟକଣା ଆମକୁ ଜଣା । ତୋ ବାପା ଆମ ପାଖରେ ବସିରହିଲେ । ବୋଉ ତୋର ଏପଟ ସେପଟ ହେଉଥିଲେ । ଆମ ସହିତ ସେ ତୋତେ ଖଣ୍ଡଗିରି ଛାଡ଼ିବେ କି ନାହିଁ । ଆମେ ଏ କଥା ଉଠାଇଲେ କାଳେ ବାପା ବୋଉ ତୋର ଆମ ଉପରେ ରାଗିଉଠିବେ ଏହିପରି ସାତପାଞ୍ଚ ଭାବିଲା ବେଳକୁ ତୋ ଭାଇନା ଆସିଗଲେ ! ଅଶ୍ରୁଟା ତାଙ୍କୁ ଦେଖି କିଲିକିଲା ଛାଡ଼ି ବାହାରକୁ ବାହାରି ଆସିଲା ତା’ ଚାଲି ଆସିବା ଦେଖି ମୋତେ ଭାରି ଚିଡ଼ିମାଡ଼ିଲା । ଆମେ ବି ବାଧ୍ୟହେଲୁ ପଳାଇ ଆସିବାକୁ । ଅଦ୍ଭୁତ ଝିଅଟେ ସେଇ ଅଶ୍ରୁ । ବନ୍ଧୁର ଭାଇ, ସେ ତ ଆମର ବି ଭାଇ । ଏତେ ଗୋଟାଏ ଲାଜ କ’ଣ ମ । ମୋତେ ଏସବୁ ଭଲ ଲାଗେନି । ତୁ ଯାହାକହ ତନୁ, ତୋ ଭାଇନାଙ୍କ ଉପରେ ତା’ର ଭାରି ଲୋଭ । ତୋ ଭାଇନାକୁ ସେ ଡାହାଣୀପରି ଟିକିଏ ଟିକିଏ ଚାହୁଁଥାଏ ପୁଣି ଚାଲି ଆସିଥାଏ । ଗୋଟାଏ ଢଙ୍ଗ । ତା’ପରେ ତୁ ଦେଖିଛୁ ନା ? କ୍ଲାସରେ ତୁ ତୋ ଭାଇନାଙ୍କ କଥା କହିଲେ ଅଶ୍ରୁ ମୁହଁଟା କିପରି ଲାଲ ପଡ଼ିଯାଏ ? ତୁ ଦେଖିଛୁ କି ନାହିଁ, ମୁଁ କିନ୍ତୁ ତାକୁ ଲକ୍ଷ୍ୟ କରିଛି । କହିବୁନି ଲୋ ତା’ ଆଗରେ ଏ ସବୁ କଥା, ମୋ ରାଣ ରହିଲା । ଯେତେହେଲେ ଆମେ ଗରିବ । ସେମାନେ ହେଲେ ବଡ଼ଲୋକ । ଆଶା ତାଙ୍କର ଅନେକ । ଇଚ୍ଛା ତାଙ୍କର ଲଗାମ ଛଡ଼ା । ସେମିତି ହୁଅନ୍ତି ସେମାନେ । ଆଲୋ, ଆଲୋ ମୋର ତ ଭୁଲ୍ ହୋଇଗଲା । ତୁ ବି ତ ବଡ଼ ଲୋକ । ଅଥଚ, ମୁଁ ତୋରି ପାଖରେ ଏ ପଦକ କହିଦେଲି । କ୍ଷମା କରିବୁ ମୋତେ । ମୋ ମୁଣ୍ଡଟା ଆଜି ଭାରି ବିନ୍ଧୁଛି । କଲେଜ ଗଲିନି । ତୋର ଆଜି ଦଶଟା ବେଳେ କ୍ଲାସ । ତୁ ଘରେ ଅଛୁ ଜାଣି ତୋତେ ଫୋନ କଲି-। ମିନତୀ କଲେଜ ଚାଲିଯାଇଛି । ତାଙ୍କରି ଘରେ ବସି ତୋତେ ଫୋନ କରୁଛି । ଆଚ୍ଛା ତନୁ...ଫୋନଟା ରଖିଦେଲେ ଡାକ୍ତର ।

 

ତନୁ କାଲି କଲେଜ ଯାଇନି ଏହି ସମ୍ୱାଦ ତାଙ୍କୁ ସ୍ତବ୍‌ଧ କରିଦେଇଥିଲା । ଫୋନଟା ଧରିଥିଲେ ମଧ୍ୟ ସେ ପ୍ରଥମରୁ ହୋଇଯାଇଥିଲେ ଅନ୍ୟମନସ୍କ । ଆଉ କିଛି ଶୁଣିବାର ଧୈର୍ଯ୍ୟ ତାଙ୍କର ଆଜି ନଥିଲା । ତେଣୁ ପ୍ରୀତିର କଥା ନ ସରିବା ଆଗରୁ ରଖିଦେଲେ ସେ ଫୋନଟା । ଅନ୍ୟଦିନ ହୋଇଥିଲେ ହସି ହସି ଗଡ଼ି ଯାଇଥାନ୍ତେ । ତନୁ କାଲି କଲେଜ ଯାଇନି, ତେବେ କୁଆଡ଼େ ଯାଇଥିଲା ସେ । ଆଉ ଆଜି, ଦଶଟାରେ ତାର କ୍ଳାସ୍‌ । ଅଥଚ ସେ ଚାଲିଯାଇଛି ଆଠଟା ପୂର୍ବରୁ । କୁଆଡ଼େ ଯାଇଛି ସେ ! ପ୍ରଶ୍ନଭରା ଆଖିରେ ଚାହିଁ ରହିଲେ ଡାକ୍ତର ଘରର କଡ଼ି ବର୍ଗା ଆଡ଼େ । ମୁହଁରେ ତାଙ୍କର ଅମାବାସ୍ୟାର ଅନ୍ଧକାର ।

 

ଦିବ୍ୟେନ୍ଦୁ ଚାହିଁ ରହିଥିଲେ ପୁଅଆଡ଼େ ।

 

ପୁଅର ଭାବନା ଭରା ମୁହଁରେ ଚିନ୍ତାର ଜାଲ ସୃଷ୍ଟି କରୁଛି କେତେଗୋଟି ସୂକ୍ଷ୍ମ ସୂକ୍ଷ୍ମ ରେଖା । ଉଦ୍‌ବିଗ୍ନ କଣ୍ଠରେ ସେ ପଚାରିଲେ–କ’ଣ ହେଲାରେ ତୋର ? କ’ଣ ଭାବୁଛୁ ? କିଏ ଫୋନ୍‌ କଲା ତୋତେ ?

 

ଡାକ୍ତର ଜାଣିଲେ ବାପା ଏହିପରି ପ୍ରଶ୍ନ ଏହିକ୍ଷଣି କରିବେ । ପ୍ରଶ୍ନର ଯଥାଯଥ ଉତ୍ତରଦେବାକୁ ତାଙ୍କର ଶକ୍ତି ନାହିଁ । ମିଛର ଆଶ୍ରୟ ନେବାକୁ ପଡ଼ିବ । ମିଛ ସେ କହିପାରିବେନି; କିନ୍ତୁ ବାପ ମାଆଙ୍କ ମନରେ ଦୁଃଖ ସେ ଦେଇପାରିବେନି । ତନୁ କଲେଜ ନଯାଇ ଆଉ କୁଆଡ଼େ ଯାଇଛି, ଏ କଥା ଆଦୌ ସହିପାରିବେନି ବାପା । ସେ ଯେତେ ଶାନ୍ତ, ସେତେ ରୁଦ୍ର । ଆମମାନଙ୍କୁ ମନୋମତ କରି ଗଢ଼ିବାକୁ ଯାଇ ଛାତି ତାଙ୍କର ହୁଏ କଠିଣ ବରଫ ଖଣ୍ଡ ପରି ପୁଣି, ଆମକୁ ଯେତେବେଳେ ଆଦର କରନ୍ତି ସେତେବେଳେ ସେଇ ବରଫ ଖଣ୍ଡ ତରଳି ଝରିଆସେ ସ୍ନେହର ନିର୍ଝର । ଆଉ ମୋର ଇଚ୍ଛାରେ ତନୁ କଲେଜରେ ପଢ଼ିଲା । ବାପା ଆପତ୍ତି କରିଥିଲେ । ସେ ଏସବୁ ପାଠ ପଢ଼ା ପଢ଼ି ପସନ୍ଦ କରନ୍ତି ନାହିଁ । ମୁଁ କହିଲି କେତେ ଝିଅ ତ ପଢ଼ୁଛନ୍ତି ସେ ନ ପଢ଼ିବ କେମିତି । ଯୁଗର ନିୟମ ନ ମାନିଲେ କ’ଣ ଚଳିବ ? ପାତ୍ର ତ ଆଗ ପଚାରିବେ ଝିଅ କଣ ପଢ଼ିଛି-? କି ଉତ୍ତର ଦେବ ସେତେବେଳେ ? ବାପା ରାଜିହେଲେ । ଅଥଚ....

 

–ମନୁ, କିରେ, ମୁଁ ପରା ପଚାରୁଛି କିଏ ଫୋନ୍‌ କଲା ? ଏଁ, ଶୁଭୁନାହିଁ କି ତୋତେ । ବାପାଙ୍କ ଆଡ଼କୁ ମୁହଁ ବୁଲାଇ ଏଥର ଚାହିଁଲା ମନୋରଞ୍ଜନ । କହିଲା ମୋର ଗୋଟିଏ ପେସେଣ୍ଟ ପାଖରୁ । ବଡ଼ ସାଂଘାତିକ ଅବସ୍ଥା ହୋଇପଡ଼ିଥିଲେ ସେ ।

 

–ବର୍ତ୍ତମାନ ସେ କ’ଣ କହୁଛନ୍ତି ? ଉଦ୍‌ବିଗ୍ନ ଗଳାରେ ପଚାରିଲେ ଦିବ୍ୟେନ୍ଦୁ ।

 

–ରୋଗୀଟି ମରିଗଲେ ବାପା । କହୁ କହୁ ଉଠି ଚାଲିଗଲେ ମନୋରଞ୍ଜନ ବାହାରକୁ । କେତେ ରୋଗୀ ତାଙ୍କୁ ଚାହିଁ ବସିଥିବେ । ଇସ୍‌ କି ମେଘ ! ସାଇକେଲଟା ଗେଟ୍‌ ପାଖରେ ରଖିଦେଇ ଓ୍ୱାଟର ପ୍ରୁଫ୍‌ଟା ନେବାପାଇଁ ପୁଣି ଘରକୁ ଫେରିଲେ । ତା’ ପରେ ଚାଲିଗଲେ । ସବୁ କିଛିରେ ଡାକ୍ତର ଆଜି ଅନ୍ୟମନସ୍କ ।

 

ଅପରାଜିତା ଆସି ପଚାରିଲେ ସ୍ୱାମୀଙ୍କୁ–ମନୁଟା ଆଜି ମୁହଁ ଶୁଖାଇଛି କାହିଁକି ?

 

ଦିବ୍ୟେନ୍ଦୁ ବିସର୍ଣ୍ଣକଣ୍ଠରେ କହିଲେ–ତା’ର ଗୋଟିଏ ପେସେଣ୍ଟ ଆଜି ମରିଗଲେ । ନରମ ମନ ତ, ସେଥିପାଇଁ ହୁଏତ ଦୁଃଖ ପାଇଛି ।

 

ଅପରାଜିତା କହିଲେ–ଆହାଃ !

 

ଘଣ୍ଟାରେ ବାରଟା ବାଜିଲା । ତନୁ ଡେଇଁ ଡେଇଁ ଘରେ ପଶିଲା । କହିଲା–ବୋଉ ଭାଇନା ଆସିନାହାନ୍ତି ? କହୁ କହୁ ଦେଖିଲା ମନୋରଞ୍ଜନ ଗେଟ୍‌ ବନ୍ଦକରି ସାଇକେଲ ଧରି ଆସୁଛନ୍ତି । ହାତରେ କାଗଜର ସରୁ ଗୋଟିଏ ବଣ୍ଡିଲ୍‌ । ମୁହଁ କିନ୍ତୁ ଶୁଖିଲା । ସେଇ ବଣ୍ଡିଲଟା ତନୁ ହାତରେ ତୋଳିଦେବାର ଇଚ୍ଛା ଆଜି ତାଙ୍କର ଆଦୌ ନଥିଲା । ବାପା ବୋଉଙ୍କ ସାମନାରେ ତନୁ ପାଇଁ ବ୍ଳାଉଜ୍‌ ପିସ୍ ଆଣିବେ ବୋଲି କହିଥିଲେ, ତେଣୁ ଆଣିଛନ୍ତି । ମନେ ନାହିଁ ଆଣିଲିନି ଏକଥା କହିବାକୁ ତାଙ୍କୁ ଭଲ ଲାଗେନି । ଆଜି କିପରି କହିବେ ଅବା ଭୁଲିଗଲି ବୋଲି । କିନ୍ତୁ ହସ ହସ ମୁହଁରେ ତନୁ ହାତକୁ ଦରବଟି ବଢ଼ାଇ ସେ ପାରିଲେନି । ପାରିବା ବି ଦରକାର ପଡ଼ିଲାନି ।

 

ତନୁ ନିଜେ ହାତରୁ ଟାଣିନେଇ ଦେଖିପକାଇଲା । ଖୁସିରେ ନାଚିଗଲା ପରସ୍ତେ । ଡାକ୍ତର କିନ୍ତୁ ଖୁସି ହୋଇପାରିଲେନି ଆଜି ଏକମାତ୍ର ଭଉଣୀର ଖୁସି ଦେଖି । ଗମ୍ଭୀର ହୋଇ ଥରେ ଚାରିଆଡ଼କୁ ଚାହିଁଲେ–ଆଖ ପାଖରେ କେହି ନାହାନ୍ତି ଦେଖି ପଚାରିଲେ–କାଲି କଲେଜ ନଯାଇ କୁଆଡ଼େ ଯାଇଥିଲୁ ? ଯାଇଥିଲୁ କଲେଜ ?

 

ସ୍ତବ୍‍ଧ ହୋଇଗଲା ତନୁ ଭାଇନାଙ୍କ ପ୍ରଶ୍ନରେ । ଢୋକ ଗିଳୁ ଗିଳୁ କହିଲା,–ଯାଇଥିଲି ତ ।

 

ଡାକ୍ତର ଏଥର ଅଗ୍ନିଝରା ଆଖିରେ ଭଉଣୀକୁ ଚାହିଁଲେ । କହିଲେ–ଆଉ ଥରେ ପଚାରୁଛି, କହ, ଯାଇଥିଲୁ କାଲି କଲେଜ ?

 

ତନୁ ପ୍ରଦୀପ ଶିଖା ପରି ଧିରେ ଧିରେ କମ୍ପିଲା କହିଲା–ନାଇଁ, ମୁଁ ଯୁଇଙ୍କ ଘରେ ଥିଲି ।

 

ଡାକ୍ତର ସ୍ଥିର ଆଖିରେ ଚାହିଁ ରହିଲେ ଭଉଣୀର ମୁହଁକୁ । ସେ ଆଖିରେ ପଲକ ପଡ଼ୁନି-। ସତେଅବା ଦୁଇଟି କାଚର ଆଖି । ତାପରେ, ବଜ୍ର କଠିଣ କଣ୍ଠରେ କହିଲେ ଏଥର ତୁ ମିଛ କହିଲୁ । ତୋ ମୁହଁ ଦେଖି ସବୁ ମୁଁ ଜାଣିପାରିବି । ମୋତେ ସତ କହିବାର ସାହସ ତୋର ନାହିଁ-? ଯାହାହେଉ, ମୁଁ କାହାକୁ କହିନି । ବାପା ଶୁଣିଲେ ଏକାଥରେ ହାଣିଦେବେ ।

 

ତନୁର ଗୋରା ମୁହଁଟି ପାଉଁଶିଆ ପଡ଼ିଯାଇଥିଲା ।

 

ଲୁଗାପଟା ବଦଳି ସମସ୍ତେ ଖାଇବସିଲେ । ସବୁଦିନର ଆନନ୍ଦମୟ ସମୟଟି ନିରାନନ୍ଦରେ ନିଷ୍ପ୍ରାଣ ହୋଇଉଠିଥିଲା । ଡାକ୍ତର କିନ୍ତୁ ବୁଝିପାରିଛନ୍ତି ତାଙ୍କର ନୀରବତା ଯୋଗୁଁ ଆଜିକାର ଏଇମିତି ପରିବେଶ । ମନରେ ବହୁତ ଦୁଃଖ ପାଇଲେ; କିନ୍ତୁ ତନୁ ସମ୍ପର୍କରେ ମନ ତାଙ୍କର ଏତେ ବିଚଳିତ ହୋଇପଡ଼ିଛି ଯେ, ସେ ଆଦୌ ଆଜି ସହଜ ଭାବରେ ଦୁଇପଦ କଥା କହିପାରୁନାହାନ୍ତି । ତନୁ ପରି ଝିଅ ସେ ବି ଆଜି ନୀରବ । ସତରେ, ତନୁ କେବଳ ଗୋଟିଏ କଥା ଭାବି ଚାଲିଛି ଯେ ଭାଇନା କିପରି ଜାଣିଲେ ସେ କାଲି କଲେଜ ଯାଇନି ବୋଲି ।

 

ଦିବ୍ୟେନ୍ଦୁ ଆଉ ଅପରାଜିତା ଭାବୁଛନ୍ତି ସକାଳର ରାଗ ବର୍ତ୍ତମାନ ତନୁ ଗୁମୁରୁଛି ।

 

ଷୋହଳ

 

ମନୋରଞ୍ଜନ ଖାଇ ସାରି ମଧ୍ୟାହ୍ନରେ ଟିକିଏ ଶୋଇପଡ଼ନ୍ତି । ଆଜି ଆଉ ଆଖି ପତାକୁ ନିଦ ଛୁଉଁ ନାହିଁ । କଡ଼ ଲେଉଟାଇ ଖାଲି ଏପଟ ସେପଟ ହେଉଛନ୍ତି । ଖାଲି ସେଇ ଗୋଟିଏ କଥା ମନକୁ ଘାରୁଛି । ତନୁ କଲେଜ ନ ଯାଇ କୁଆଡ଼େ ଯାଇଥିଲା ? କୁଆଡ଼େ ସେ ଯାଇପାରେ ? ଛୋଟ ଭଉଣୀଟି ସମ୍ପର୍କରେ ମନ୍ଦ କଥା ଭାବିବାକୁ ମନ ତାଙ୍କର ବିକଳ ହୋଇପଡ଼ୁଥିଲା । ଆହାଃ, ସାନ ଭଉଣୀଟି, ଗୋଟିଏ ବୋଲି ଭଉଣୀ । ତା’ ଉପରେ କେତେ ରାଗୁଛି ମୁଁ । କିନ୍ତୁ କ’ଣ କରିବି, ମନ ତ ମାନୁନି । କୁଆଡ଼େ ଯାଇଥିଲା ସେ ? କାହିଁକି ଯାଇଥିଲା ? ଯେତେ ଚେଷ୍ଟା କଲେ ମଧ୍ୟ ଏଇ ପ୍ରଶ୍ନ ତ ମନରୁ ଆଦୌ ଏଡ଼ିପାରୁନି । ଏଇ ଗୋଟିଏ ପ୍ରଶ୍ନ ପାହାଡ଼ର ଓଜନ ନେଇ ମନରେ ମୋର ଚାପି ବସିଲା ମୁଁ କ’ଣ କରିବି ? ଆଚ୍ଛା, ଯୁଇ ସହିତ ସେ ଆଉ କ’ଣ ସିନେମା ଯାଇଥିଲା-? ଠିକ୍‌ କଥା, ସେଇଆ ହୋଇଥିବ । ଆଉ କୁଆଡ଼େ ଅବା ଯିବ । ବୋଉ କହୁଥିଲେ ସେ ସିନେମା ସିନେମା ହେଉଛି, ତାକୁ ଟିକେ ନେଇଯା । ତା’ ସାଙ୍ଗମାନେ ସବୁବେଳେ ଯାଉଛନ୍ତି । ତା’ ମନରେ କଷ୍ଟ ହେବନି ? ତୋ ବାପା, କି ମୁଁ ସେସବୁ ଆମେ ଭଲପାଉନା । ତୁ ଟିକିଏ ସାଙ୍ଗରେ ନ ନେଲେ କାହା ସଙ୍ଗରେ ଯିବ ସେ । ସାଙ୍ଗସାଥି ସାଙ୍ଗରେ ଗଲେ ବାପ ଭାଇ ତୁମେ ଦିହେଁ ତ ରାଗିଉଠିବ-। ଆଉ ମୁଁ ତ ସେ ହିନ୍ଦି ଫିନ୍ଦି ବୁଝେନି । ନେଇଯିବୁ ତିରେ ତାକୁ ।

 

ମୁଁ ବୋଉଙ୍କ କଥାରେ ଆଦୌ କାନ ଦିଏନି । କାରଣ ମୁଁ ବି ଭଲପାଏନି ସେ ସିନେମା ଥିଏଟର । ତଥାପି ତାକୁ ନ ନେଇଯିବା ମନେହେଉଛି ମୋର ଅନ୍ୟାୟ ହୋଇଛି । କାରଣ ଆମକୁ ଭଲଲାଗିବ ବୋଲି ତାକୁ ଯେ ଭଲ ଲାଗିବନି ଏ କଥାର କିଛି ମାନେ ହୁଏନି । ଅନ୍ୟାନ୍ୟ ଝିଅଙ୍କ ତୁଳନାରେ ସେ ଥାଏ କେତେ ଆକଟରେ । କାହା ସହିତ ଛାଡ଼ିବିନି । ନିଜେ ବି ନେଇ ଯିବନି । ସତେ ଭାରି ଅନ୍ୟାୟ ହୋଇଛି । କହିବାକୁ ଗଲେ କଲେଜ ଛଡ଼ା କେଉଁ ଆଡ଼ିକି ସେ ଯାଏ ? କେଉଁଆଡ଼େ ବି ନୁହେଁ । ଏଇ ସ୍ୱାଧୀନ ଯୁଗରେ ଆମେମାନେ ତା’ ପ୍ରତି ଟିକିଏ ବେଶି କଡ଼ା ନଜର ଦେଲୁ । ଏତେଟା ବୋଧହୁଏ ଭଲ ନୁହେଁ । ନାଃ, ଆଜି ଆଉ କୁଆଡ଼େ ଯିବନି । ତାକୁ ନେଇ ଆଜି ଟିକିଏ ସିନେମା ଦେଖାଇ ଆଣିବି । କେଉଁ ହଲରେ କି ଛବି ହେଉଛି କେଜାଣି ? ଯାହା ତାହା ଦେଖିବା ଆଦୌ ଉଚିତ୍‌ ନୁହେଁ । ତିନି ତିନିଟା ହଲ୍‌ । କେଉଁଟାରେ ହେଲେ ନିଶ୍ଚୟ ଭଲ ଛବିଟିଏ ଥିବ । ନା, ଆଦୌ ତା’ ଉପରେ ମୁଁ ରାଗିବିନି । ସେ ନିଶ୍ଚୟ ଲୁଚି ଲୁଚି ସାଙ୍ଗଟିଏ ଧରି ସିନେମା ପଳାଇଥିଲା । ହସିଲେ ଡାକ୍ତର । ହଠାତ୍‌ ହାଲୁକା ହୋଇଗଲା ମନଟା । ଅଶାନ୍ତିର ମସ୍ତବଡ଼ ପାହାଡ଼ଟା ବୁଡ଼ିଗଲା ପ୍ରଶାନ୍ତିର ମହାସାଗରରେ । ବିଛଣା ଛାଡ଼ିଲେ ଡାକ୍ତର ।

 

ଉଚ୍ଛ୍ୱାସ ପ୍ରକାଶ କରିବା ତାଙ୍କର ସ୍ୱଭାବ ବିରୁଦ୍ଧ ।

 

ମନର ମମତା ମନ ତଳେ ଚାପି ରଖି ଆଗେଇଗଲେ ଡାକ୍ତର ତନୁର ଶୋଇବା ଘରକୁ-। କିନ୍ତୁ କି ଆଶ୍ଚର୍ଯ୍ୟ, ଆଜି ତନୁ ଶୋଇନି । ମୁହଁଟି ଶୁଖିଯାଇଛି । ବସି ବସି କ’ଣ ଏତେ ଲେଖୁଛି ସିଏ ? ଏକଦମ୍‌ ତନ୍ମୟ ହୋଇଯାଇଛି । ମୁଁ ଆସିବାର ବି ଜାଣିପାରୁନି । ଡାକିଲେ ସିଏ ସ୍ନେହକୋମଳ କଣ୍ଠରେ, ତନୁ.....

 

ତନୁଶ୍ରୀ ଭାଇନାଙ୍କର ସବୁ ରକମର କଣ୍ଠସ୍ୱର ସହ ପରିଚିତ । ଏଇକ୍ଷଣିକାର ସ୍ନେହଝରା କଣ୍ଠସ୍ୱରକୁ ଚିହ୍ନିବାରେ ତାକୁ ମୋଟେ ସମୟ ଲାଗିଲାନି । ପୂର୍ଣ୍ଣ ଆଖି ମେଲି ଚାହିଁଲା ସିଏ ଭାଇନାଙ୍କ ମୁହଁକୁ । ଅଭିମାନ ଭରା କଣ୍ଠରେ ପଚାରିଲା–କ’ଣ କହୁଛ ?

 

–କ’ଣ କରୁଛୁ ? ବୋଉ ଉଠିଲେଣି ? ଗଲୁ ରୁମ୍‍କୁ କହିବୁ ମୋ ପାଇଁ ଟିକିଏ ଚା ବସାଇବ । ମୁଣ୍ଡଟା ଭୀଷଣ ବିନ୍ଧୁଛି ।

 

ଭାଇନାଙ୍କର ସହଜ କଥାରେ ତନୁର ମନ ଟିକେ ହାଲୁକା ହେଲା । ମନରେ ଜମିଥିବା ଭୟର ମେଘ ଉଡ଼ିଗଲା କାହିଁ କେତେ ଦୂରକୁ ସ୍ନେହର ଦକ୍ଷିଣା ପାଇ । ଧଡ଼ପଡ଼ ହୋଇ ଉଠିପଡ଼ି କହିଲା–ମୁଁ କରି ଆଣୁଛି ଭାଇନା, ସେ ଶୋଇଥିବ କି କ’ଣ ।

 

ହଉ, ତାହେଲେ ଯା ଚଞ୍ଚଳ କରି ଆଣିବୁ । ତୁ କ’ଣ ଲେଖୁଥିଲୁ ? ଦେ ମୋତେ ମୁଁ ଲେଖିଦିଏ ।

 

ଆନନ୍ଦରେ ଉଜ୍ଜ୍ୱଳ ହୋଇଉଠିଲା ତନୁର ମୁଖ ଚନ୍ଦ୍ରମା । କହିଲା–ତୁମେ ଲେଖିଦେବ ଭାଇନା ? ଦିଅ ତାହାହେଲେ । ମୋ ହାତ ବ୍ୟଥା ହୋଇଗଲାଣି । ସେ ନୋଟ ଖାତାଟା ମାଗି ଆଣିଥିଲି । କାଲି ପୁଣି ସନ୍ଧ୍ୟାକୁ ଫେରାଇଦେବାକୁ ପଡ଼ିବ । ଓଃ, କେତେ ଲେଖିବାକୁ ପଡ଼ୁଛି ! ଆଉ ଚାରିମାସ ଗଲେ ବେଶ୍‌ ମୋର ଛୁଟି । ଆଉ ପଢ଼ିବିନି ଭାଇନା । ବି.ଏଟା ଖାଲି ପାଶ୍‌ କଲେ ଯଥେଷ୍ଟ । ଆଉ କିଛି ଦରକାର ନାହିଁ ।

 

ତନୁ କଥା ଶୁଣି ହସିଲେ ଡାକ୍ତର । କହିଲେ କାଇଁକିରେ । ତୋତେ ଯେ ମୁଁ ଏମ୍‌. ଏ ପଢ଼ାଇବି ବୋଲି ମନ କରିଛି । ଆଉ ତୁ ଆଜିଠୁ କ’ଣ ଏପରି କହିଲୁଣି ?

 

ନାଇଁ ଭାଇନା, ଆଉ ମୋ ହାତରେ ହେବନି । ମସ୍ତବଡ଼ ମୋଟା ବେଣୀଟା ବେକ ଚାରିପଟେ ଗୁଡ଼ାଇ ଚାଲିଗଲା ତନୁ ।

 

ତା’ ଯିବା ବାଟକୁ ସ୍ନେହମୁଗ୍‌ଧ ଆଖିରେ ଟିକିଏ ଚାହିଁ ଲେଖାରେ ମନଦେଲେ ଡାକ୍ତର । ବେଶ୍‌ କିଛିକ୍ଷଣ ଲେଖିବାପରେ ତନୁ ଲେଉଟିଲା ବାଷ୍ପପୂର୍ଣ୍ଣ କପ୍‌ପିଆଲା ହାତରେ ଧରି ।

 

କହିଲା–ନିଅ ।

 

ଅଦାଦେଇ ଚା କରି ଆଣିଛି । ବାପରେ ବାପ୍‌ ଏ ରଘୁଟାର କି ନିଦ । ରୋଷେଇ ଘରେ ଗୋଟେ କଣକୁ ଶୋଇଛି ଯେ ଠିକ୍‌ ତା’ ମୁଣ୍ଡ ଉପରେ ଗୋଟେ କୁଲା ଝୁଲୁଛି ଆଉ ତା’ ନାକ ଏତେ ଜୋରରେ ଘଡ଼ ଘଡ଼ ହେଉଛି ଯେ ସେଇ କୁଲାଟା ପବନରେ ଦୋହଲିଲା ପରି ମନେହେଉଛି । କହୁ କହୁ ସ୍ୱଭାବ ଆନନ୍ଦମୟୀ ଚଞ୍ଚଳା ତନୁ ହସି ହସି ଗଡ଼ିଗଲା ।

 

ମନୋରଞ୍ଜନ ବି ହସିଲେ ।

 

ଚା ପିଇଲେ ପରମ ପରିତୃପ୍ତିରେ । ତା’ପରେ କହିଲେ–ତନୁ, ସେ ଘରୁ ମାତୃଭୂମିଟା ନେଇଆସିବୁ ।

 

ଧାଇଁଯାଇ ନେଇଆସିଲା କାଗଜଟା ତନୁ ।

 

ଭାଇନାଙ୍କ ହାତକୁ ବଢ଼ାଇ ଦେଉ ଦେଉ ନିଜର ନୋଟଖାତା ଉପରେ ଟିକିଏ ଝୁଙ୍କିପଡ଼ିଲା । କହିଲା–ଇସ୍‌, କେତେଟିକିଏ ସମୟ ଭିତରେ କେତେ ତୁମେ ଲେଖିପକେଇଛ ! ତୁମର ତ ଆଉ ଲେଖାଲେଖିରେ ଅଭ୍ୟାସ ନାହିଁ । ଏତେ ଲେଖିପାରିଲ କିପରି ଭାଇନା ? ଆଉ ଲେଖାଗୁଡାକ କି ସୁନ୍ଦର ତୁମର ! ମୁଁ ଏତେ ଲେଖୁଛି । ଅଥଚ ମୋ ଲେଖାଗୁଡ଼ିକ ସତେଯେପରି ବିଲେଇ ଆମ୍ପୁଡ଼ା ।

 

ଡାକ୍ତର ସେକଥାର ଉତ୍ତର ଦେଲେନି । ମନଦେଇ କାଗଜରୁ ସିନେମା ଖବର ସଂଗ୍ରହ କରୁଥିଲେ । କହିଲେ–ଏଇଠି ଦେଖିଲୁଣି ତନୁ । ଭି. ସାନ୍ତାରାମ୍‌ଙ୍କର ‘‘ନବରଙ୍ଗ’’ ହେଉଛି ରୂପ ମନ୍ଦିରରେ । ଭାରି ଭଲ ଛବି । ତାଙ୍କର କୁଆଡ଼େ ପ୍ରତ୍ୟେକଟି ଛବି ବେଶ୍‌ ଆଦର୍ଶପୂର୍ଣ୍ଣ । ଚାଲ ଯିବା ତୋର ମୋର ।

 

ତନୁ ତୀର୍ଯ୍ୟକ ଦୃଷ୍ଟିରେ ଚାହିଁଲା ଭାଇନାଙ୍କ ମୁହଁକୁ । କହିଲା–ଆଜି ଏ କି ନୂଆ କଥା ଭାଇନା, ତୁମେ ଯିବ ସିନେମା ? ହଁ, ତୁମେ ସିନା ଭଲପାଉନଥିଲ, ଭାଉଜ କାଳେ ଦେଖିବାକୁ ଭଲପାଉଥିବେ ? ସେଥିପାଇଁ ଆଗରୁ ଅଭ୍ୟାସ କରିବା ଭଲ । ଓଠ ଚିପି ହସିଲା ତନୁ ।

 

ତୁ ବକର, ବକର ହେବୁ, ନା ଯିବୁ ? ଯିବୁ ତ ଚାଲ୍‌ । ମୁଁ ଆଜି ନିଶ୍ଚୟ ଯିବି । ଯିବୁ ଯଦି କାମ ସାରେ ।

 

ତନୁର ଲୋଭିଲା ମନ ଚଞ୍ଚଳ ହୋଇଉଠିଲା । ତଥାପି ଆବେଗ ଚାପି କହିଲା–ମୋର ଆହୁରି ତ କେତେ ଲେଖା ବାକି ଅଛି । ମୁଁ କ’ଣ କରିବି ? କାଲି ଭୋର୍‌ ସାଢ଼େ ଛଅଟାରେ ମୋର କ୍ଳାସ୍‌ । ନୋଟ୍ ଖାତାଟା ଫେରାଇ ନେବାକୁ ସନ୍ଧ୍ୟା ହାତ ବଢ଼ାଇବ ।

 

ହାତରେ କଲମଟା ଉଠାଇନେଇ ଡାକ୍ତର, କହିଲେ–ହଉ ତୁ ଯା, ମୁଣ୍ଡ ବାନ୍ଧେ, ଲୁଗା ପଟା ପିନ୍ଧ୍‌ । ମୁଁ ତୋ ଖାତା ଲେଖିଦେଉଛି । ବୋଉଙ୍କୁ ଉଠା ଯାଇ ।

 

ତନୁ ଖାତା କଲମ ଫୋପାଡ଼ିଦେଇ ହାୱାରେ ଉଡ଼ିଗଲା । ଗୋଡ଼ ତଳେ ଲାଗୁନି । ବାପା ବୋଉଙ୍କୁ ଉଠାଇଦେଲା ଯାଇ । ସିନେମା ଯିବା କଥା ଶୁଣି ଅପରାଜିତା ଆଉ ଦିବ୍ୟେନ୍ଦୁ ଆଶ୍ଚର୍ଯ୍ୟ ହୋଇଗଲେ । କହିଲେ....ତୁ ଜିଦ୍‌ କଲୁ ନା ଭାଇନା ନିଜକୁ କହିଲା ?

 

ଓଠ ଫୁଲାଇଲା ତନୁଶ୍ରୀ । କହିଲା–ନାଇଁରେ ବାବା, ମୁଁ କିଛି କହିନି । ସେ ନିଜେ ନିଜେ କହିଲେ ସନେମା ଯିବା କଥା । ତା’ ଛଡ଼ା, ତୁମେ ତ ସବୁ ମୋତେ ମୁଣ୍ଡରେ ବସେଇଛ କି ନା ମୁଁ କହିଦେଲା ମାତ୍ରେ ଧାଇଁଯିବ ସବୁ । କହୁ କହୁ ମୁଣ୍ଡ କୁଣ୍ଡାଇବାକୁ ଚାଲିଗଲା ତନୁ । ଦିବ୍ୟେନ୍ଦୁ ଅପରାଜିତାଙ୍କ ମୁହଁକୁ ଚାହିଁ ହସିଦେଲେ । କହିଲେ–ଯାଡ଼ିଏ ବୋଲି ପୁଅ ଝିଅ । ସେଥିରୁ ଗୋଟେ ବାୟା ଆଉ ଗୋଟିଏ ବାୟାଣୀ ।

 

ତନୁ କିଛି ସମୟ ପରେ ଡେଇଁ ଡେଇଁ ତଳକୁ ଆସିଲା, କହିଲା–ତୁମର ସରିଲା ଭାଇନେ ? ମୁଁ ରେଡ଼ି । ଛଅଟା ବାଜିବାକୁ ଆଉ ମୋଟେ ଦଶ ମିନିଟ୍‌ ରହିଲା । ଆସ ଜଲ୍‌ଦି । ତୁମର ଲେଖା ସରିଛି ?

 

ହଁ ସରିଛି । ଚାଲେ ।

 

ଲୁଗା ପିନ୍ଧିବାକୁ ଚାଲିଗଲେ ଡାକ୍ତର ।

 

ତନୁ ଦେଖିଲା ସତରେ ଭାଇନା ସବୁ ଲେଖିଦେଇଛନ୍ତି । କେଡ଼େ ଚଞ୍ଚଳ ଲେଖିଦେଲେ-। ଭାଇନା ମୋର କେତେ ଭଲ । ପ୍ରୀତିକୁ କିଏ କହୁଥିଲା ଫୋନ କରିବାକୁ ! ନିଶ୍ଚୟ ସେ ଫୋନ କରିଥିବ, ଆଉ ତାରି ଫୋନରୁ ଭାଇନା ସବୁ ଜାଣିପାରିଲେ । ପ୍ରୀତିକୁ କିଛି କିନ୍ତୁ ପଚାରି ହେବନି । ସାରୁ ଖୋଳୁ ଖୋଳୁ ସାପ ବାହାରିବ । ହେଲେ ଭାଇନା ବଡ଼ ଦୁଃଖ ପାଇଲେ । ଯାହାହେଲେ ବି ସିଏ ଆଉଦିନେ କଲେଜ ବନ୍ଦ କରିବନି । କେତେ ରାଗିଥିଲେ ଭାଇନା । କିନ୍ତୁ କ’ଣ ବୁଝି ମନକୁ ସାନ୍ତ୍ୱନା ଦେଲେ ? କିପରି ଅବିଶ୍ୱାସୀକୁ ବିଶ୍ୱାସ କଲେ ! ପ୍ରଶ୍ନର ଝଡ଼ ବହୁଛି ତନୁ ମନରେ ।

 

ଡାକ୍ତର ସାର୍ଟ ପ୍ୟାଣ୍ଟ ପିନ୍ଧି ଆସିଲେ । କହିଲେ–ଚାଲେ ଦେଖିଆସେ ଶନ୍ତାରାମଙ୍କର କଳ୍ପନାର ରୂପ । ବାପା ବୋଉଙ୍କୁ କହି ଚାଲିଗଲେ ସେମାନେ ।

 

ଅପରାଜିତା କହିଲେ–ଆହାଃ, ସକାଳେ କେତେ ମନ ଦୁଃଖ କରିଥିଲା । ସିନେମା ଗଲା । ଭଲ ହେଲା । ମନ ଟିକେ ହାଲୁକା ହେଲା ।

 

ଦିବ୍ୟେନ୍ଦୁ କହିଲେ–ସେ ଯେମିତି ପିଲା, ଆଉ ତା’ର ଯେମିତି ମନ ! ସେଇ ମନ ବଦଳେଇବାକୁ ହୁଏତ ସେ ସିନେମା ଗଲା ।

 

ଅପରାଜିତା କହିଲେ–କିନ୍ତୁ, ଆଜିତ ମୌସୁମୀ ଏମାନେ ଆସୁଛନ୍ତି । ସେ ଟିକିଏ ତାଙ୍କ ଘରଆଡ଼େ ଯାଇଥିଲେ ଭଲ ହୋଇଥାନ୍ତା ।

 

ତୁମେ ଏତେ ବ୍ୟସ୍ତ ହୋଇପଡ଼ୁଛ କାହିଁକି ? ଆଜି ତ ସେମାନେ ଆସିଥିବେ କ୍ଳାନ୍ତ ହୋଇପଡ଼ିଥିବେ । କାଲି ଗଲେ କ’ଣ ହେବନି । ସେମାନେ ତ ଚଟ୍‌ କରି ଚାଲିଯିବା ପାଇଁ ଆସିନାହାନ୍ତି । ଏତେ ଅଥୟ ହଉଛ କାହିଁକି ? ମୁଁ ଦେଖୁଛି ତୁମେ ପୁଅକୁ ବିଭା ଦେବା ପାଇଁ ବହୁତ ବ୍ୟସ୍ତ ହୋଇପଡ଼ିଲଣି ।

 

ନିଜର ଅସ୍ଥିରତା ପାଇଁ ଦିବ୍ୟେନ୍ଦୁଙ୍କ କଥାରେ ଲାଜ ପାଇଲେ ଅପରାଜିତା । କହିଲେ–ହଁ, ସତ କଥା । ତା’ର ସେଠାକୁ କାଲି ସକାଳେ ଗଲେ ମଧ୍ୟ ଚଳିବ ।

 

କଥା କହୁ କହୁ ସେମାନେ ଭିତରକୁ ଚାଲିଗଲେ ।

 

ସତର

 

କାଲି ଆସିନାହାନ୍ତି ଡାକ୍ତର–ଏହି କଥା ଭାବି ଭାବି ମଉସା ଅସ୍ଥିର ହୋଇପଡ଼ିଲେଣି । ଦିନେ ନ ଆସିଲେ ମଉସା ଯୁଗ ମଣନ୍ତି । ଦୁଃଖ ପାଆନ୍ତି । ଏହି ସବୁ କଥା ଭାବୁ ଭାବୁ ଗେଟ୍‌ ଖୋଲି ତରତର ହୋଇ ଭିତରକୁ ପଶିଆସିଲେ ଡକ୍ତର ମନୋରଞ୍ଜନ । ଆଠ ଦଶପାହୁଣ୍ଡ ଗଲା ପରେ ତାଙ୍କୁ ଥମକି ପଡ଼ି ଠିଆ ହେବାକୁ ପଡ଼ିଲା ।

 

ଗେଟ୍‌ ଆଡ଼କୁ ପଛକରି ଝିଅଟିଏ ଟୁଲୁକୁ ଦୋଳିରେ ଝୁଲାଉଛି ଦେହରେ, ତା’ର ହାଲୁକା ଗୋଲାପିରଙ୍ଗୀର ଶାଢ଼ି ସେହି ଶାଢ଼ି ଉପରେ ଲମ୍ବିଆସିଛି ମୁଣ୍ଡରୁ ଆଣ୍ଠୁଯାକେ ଗୋଟାଏ ମୋଟା ଲମ୍ବା ବେଣୀ । ତନୁ ଛଡ଼ା ଭୁବନେଶ୍ୱରରେ ଏପରି ସୁନ୍ଦରର ବେଣୀ ଡାକ୍ତର ଆଉ କେଉଁଠି ହେଲେ ଦେଖିନାହାନ୍ତି । ସୌନ୍ଦର୍ଯ୍ୟ ଅପେକ୍ଷା କେଶଗୁଡ଼ିକ ତାଙ୍କ ଆଖିରେ ପଡ଼େ । ଲମ୍ବା ଆଉ ଗହଳିଆ କେଶ ତାଙ୍କର ଭାରି ପ୍ରିୟ । ତନୁ ଯେତେବେଳେ ତା’ର ସଙ୍ଗିନୀମାନଙ୍କ ଜନ୍ମଦିନରେ ନିମନ୍ତ୍ରିତା ହୁଏ, ସେତେବେଳେ ଆଗ ପଚାରେ–କ’ଣ ପ୍ରେଜେନ୍‌ଟେସନ୍‌ ନେବି ଭାଇନା ?

 

ସେତେବେଳେ ଡାକ୍ତର ଗମ୍ଭୀର ହୋଇ କହନ୍ତି–ତାଙ୍କର ନାହିଁ କ’ଣ ଯେ ତୁ ନେବୁ କ’ଣ-? ଯଦି ଖାଲିହାତରେ ନିହାତି ନଯାଉ ତାହାହେଲେ ପୁଳେ ଖଣ୍ଡେ ଟ୍ୟାସ୍‌ଲ୍‌ ନେଇଯା । ତୋ ବାନ୍ଧବୀର ସେ ବଡ଼ି ପରି ଖୋସାଟା ଦେଖିଲେ ମୋ ହାଡ଼ ଜଳେ । ଭାରି ଚିଡ଼ା ଲାଗେ ମୋତେ-। ତେଣୁ ପୁଳାଏ ଖଣ୍ଡେ ଟ୍ୟାସ୍‌ଲ୍‌ ନେଲେ ଭଲହେବ ।

 

ଭାଇନା କଥା ଶୁଣି ରାଗିଉଠେ ତନୁ । କହେ–ତୁମେ ଆଉ ମୋ ବାନ୍ଧବୀମାନଙ୍କୁ ବାହା ହେଉନ, ତେବେ ତୁମକୁ ଚିଡ଼ି ଲାଗୁଛି କାହିଁକି ?

 

ଡାକ୍ତର ହସି ହସି କହନ୍ତି–ମୋତେ ତ ମୋଟେ ସୁଖ ଲାଗେନି ଅସୁନ୍ଦର କିଛି ଦେଖିବାକୁ । ସେମାନଙ୍କର କେଶ ବିରଳ ମଥା ଆଖିରେ ପଡ଼ିଗଲେ ମୋତେ ଲାଗେ ସତେ କି ମୁଁ ଅଜ୍ଞାନ ହୋଇଯିବି । ତୁ ବରଂ ସେମାନଙ୍କୁ କହିବୁ ସେମାନେ ମୁଣ୍ଡରେ ଲୁଗାଦେଇ ଆମ ଘରକୁ ଆସିବେ ।

 

ଭାଇନାଙ୍କ କଥା ଶୁଣି ରାଗିବାକୁ ଯାଇ ହସି ପକାଇଥିଲା ତନୁ । ଆଜି ସକାଳୁ–ଗୋଟିଏ କେଶବତୀ କନ୍ୟା ଦେଖି ଡାକ୍ତରଙ୍କ ମନ ଆନନ୍ଦିତ ହୋଇଉଠିଲା । ମୁଗ୍‌ଧ ଆଖିରେ ଚାହିଁ ରହିଲେ ସିଏ ସେଇଆଡ଼କୁ । ସେଦିନ ସେ ଭୁଲି ଯାଇଥିଲେ ସୌଜନ୍ୟବୋଧ ।

 

–ସଲାମ ସାହାବ !

 

ଦେବକୀ ନନ୍ଦନର କଣ୍ଠ ସ୍ୱରରେ ଚମକିପଡ଼ିଲା ସେଇ ଝିଅଟି ମଧ୍ୟ । ମୁହଁ ବୁଲାଇ ଚାହିଁଲା ସିଏ ଡାକ୍ତରଙ୍କ ଆଡ଼େ ନିର୍ବାକ ହୋଇ ଚାହିଁ ରହିଥିଲା । ଦୀର୍ଘକାୟ ସୁଠାମି ମଣିଷକୁ ଦେଖି ମୁଗ୍‌ଧ ହୋଇଯାଇଥିଲା ତା’ର ଆୟତ ନୟନ ଦୁଇଟି । ସତେଅବା ଉଦିତ ସୂର୍ଯ୍ୟଙ୍କୁ ସ୍ୱାଗତ ଜଣାଇଲା ନମନୀୟା ସୂର୍ଯ୍ୟମୁଖୀ ।

 

ତାପରେ, ସେଇ ସ୍ୱର୍ଣ୍ଣବର୍ଣ୍ଣା ଦିଘଳ–ଦେହୀ ଝିଅଟି ନୁଆଇଁ ଦେଲା ତା’ର ବିସ୍ତୃତ ଦୁଇଟି ଆଖିପତା । ଅଣ୍ଟାରୁ ଅଞ୍ଚଳଟି ଟାଣି ଘୋଡ଼ାଇ ଦେଲା ଗୌର ମସୃଣ ଦକ୍ଷିଣ ବାହୁଟି ।

 

ଟୁଲୁ ଡେଇଁପଡ଼ିଲା ଦୋଳିରୁ । କହିଲା–ନାନୀ, ତୁମେ ଆଙ୍କୁ ନମସ୍କାର ହେଉନ ? ଇଏ ପରା ମୋର ଡାକ୍ତରମାମୁଁ । ଦିନକୁ ଦିନ ଯେତେ ବଡ଼ ହେଉଛ ସେତେ ତୁମର ବୁଦ୍ଧି ହଜି ଯାଉଛି । ଟୁଲୁର ମାମି ତାକୁ ଯାହା ସବୁ କହି ଶାସନ କରନ୍ତି ସେ ଆଜି ତା’ ପିଉସୀକୁ ସେଇଆ କହି ଶାସନ କରିଦେଲା । ହୋ ହୋ ହୋଇ ହସିଉଠିଲେ ଡାକ୍ତର ଟୁଲୁର କଥା ଶୁଣି । ମୌସୁମୀ ତା’ର ଫଗୁବୋଳା ମୁହଁରେ ହସ ଧାରେ ଟାଣିଆଣିଲା । ପଦୁକଳିକା ପରି ହାତ ଦୁଇଟି ଯୋଡ଼ି ନମସ୍କାର କଲା । ତାପରେ ଆସ୍ତେ ଆସ୍ତେ ଯାଉ ଯାଉ କହିଲା–ଆସନ୍ତୁ, ମଉସା ଏଇତ ଡ୍ରଇଂ ରୁମରେ ବସିଛନ୍ତି । ତାପରେ ଦଉଡ଼ିଲା ରୋଷେଇ ଘରଆଡ଼କୁ । ଭାଉଜ ବାର ବାର କରି କହିଯାଇଛନ୍ତି ଡାକ୍ତରବାବୁ ଆସିଲେ ଯତ୍ନ କରି ଚା ଜଳଖିଆ ଦେବୁ । ଡାକ୍ତରବାବୁ ଯେ ଖାଲି ଡାକ୍ତର ଏ କଥା ଛଡ଼ା ବିଚାରା ଆଉ କିଛି ଜାଣେନି, ଜାଣେନି ଯେ ତା’ର ମହୁବୋଳା ନାଆଁଟି ଇତି ମଧ୍ୟରେ ଏଇ ଡାକ୍ତରଙ୍କ ମନରେ ସ୍ୱପ୍ନ ସୃଷ୍ଟି କରିଛି ବୋଲି । ପ୍ରଗାଢ଼ ନିଦ୍ରାରେ ବି ଡାକ୍ତର ଶୁଣନ୍ତି ତାରି ପାଦର ନୁପୁରର ରୁଣୁଝୁଣୁ ଶବ୍ଦ । ସେଥିପାଇଁ ନିଃସଙ୍କୋଚରେ ଧାଇଁଗଲା ଚା ଜଳଖିଆ ସଜାଡ଼ିବାକୁ ।

 

ଏହି ଅବସରରେ–ଡାକ୍ତର ପଚାରିଲେ ସେ କିଏକିରେ ଟୁଲୁ ! ଗଳାରେ ତାଙ୍କର ଲଜ୍ଜା ବୋଳା ଫିସ୍ ଫିସ୍ ଶବ୍ଦ ।

 

ଟୁଲୁ କହିଲା–ତୁମେ ଚିହ୍ନିନ ! ସେ ପରା ମୋର ମୌସୁମୀନାନୀ, ମୋ ବାପାଙ୍କ ସାଙ୍ଗରେ ଆସିଛନ୍ତି । କେତେ ଜାଗାକୁ ବୁଲିଯିବେ । ଖଣ୍ଡଗିରି, ଉଦୟଗିରି, ପୁରୀ, କୋଣାର୍କ, ତାପରେ ସବା ଶେଷରେ କେଦାରଗୌରୀ । ଏହିସବୁ ଦେଖିବେ ବୋଲି ସେ ପରା ଆସିଛନ୍ତି । ବାପା ଏଇନେ ସ୍ୱାମୀଙ୍କୁ ସାଙ୍ଗରେ ନେଇ ଲିଙ୍ଗରାଜ ଦର୍ଶନ କରି ଯାଇଛନ୍ତି ।

 

ଟୁଲୁ ଏତେ କଥା କହିଗଲେ ବି ଡାକ୍ତରଙ୍କ କାନରେ କିଛି ହେଲେ ପଡ଼ୁନଥିଲା । ସେ ମାନସଚକ୍ଷୁରେ ଦେଖୁଥିଲେ ମୌସୁମୀ ନାଁର ଝିଅଟିକୁ ।

 

ଯାହାର ରୂପରେ କମନୀୟତା, ଯାହାର ଭାଙ୍ଗିରେ ନମନୀୟତା, ଯେଉଁ ଝିଅଟି ଏଇ କେତେଦିନ ହେଲା ସ୍ୱପ୍ନରେ ତାଙ୍କର ଉଭା ହୁଏ, କଳ୍ପନା ତାଙ୍କର ସାର୍ଥକ ହୋଇଛି । ମାନସୀ ତାଙ୍କର ମନୋମତ । କେତେଦିନ ଧରି ଗୋଟିଏ ଅଦେଖା କୁମାରୀ କନ୍ୟାର ରୂପକୁ ନାନା ରଙ୍ଗରେ ନାନା ବର୍ଣ୍ଣରେ ଚିତ୍ରିତ କରୁଥିଲେ ମନ ଇଜେଲରେ । ଆଜି ଜୀବନ୍ତକନ୍ୟାକୁ ଦେଖି କଳ୍ପନାର ଛବି ଆଙ୍କିବାରେ ପରିସମାପ୍ତି ଘଟିଲା । ଏଥର ସିଏ ନୂଆ ଇଜେଲରେ ନୂଆ ଛବି ଆଙ୍କିବେ । ସେ ଛବି ବଧୂ ମୌସୁମୀର । ଡାକ୍ତରଙ୍କ ହୃଦୟ କୁମ୍ଭରେ ଅମୃତର ପରିପୂର୍ଣ୍ଣତା । ଆଗେଇଗଲେ ଡାକ୍ତର କନକ ନାରାୟଣଙ୍କ ପାଖକୁ । ପଚାରିଲେ–

 

ଦେହ କିପରି ଲାଗୁଛି ମଉସା ? କାଲି ଆସିପାରିଲିନି । ତନୁଟା ବ୍ୟସ୍ତ କଲା ସିନେମା ଦେଖିବାକୁ । ବାଧ୍ୟ ହୋଇ ଗଲି । କାଲି କିଛି କଷ୍ଟ ହୋଇନି ତ ?

 

ହସିଲେ କନକ ନାରାୟଣ । କହିଲେ–କିଏ ଆଉ ପଚାରୁଛି ଏଇ ବୁଢ଼ାଟାକୁ କୁହ ? ଜୀବନ ପ୍ରଦୀପର ତେଲ ତ ସରିଆସୁଛି ବୁଲୁ । ଆଉ କେତେଟା ଦିନ । କାଞ୍ଚନ ଫୋପାଡ଼ି କାଚ ଗୋଟେଇଲି, ସେଇ କାଚରେ ଟିକି ଟିକି ହୋଇ କଟିଗଲା କଲିଜାଟା । ଅହରହ ସେଠାରୁ ଝରୁଛି ରକ୍ତ । କିଏ ପୋଛିବ ସେଇ ରକ୍ତ ? ମୁଁ ତ ଜାଣି ଜାଣି ବରିନେଲି ନିଃସଙ୍ଗ ଜୀବନ । ସେଦିନ ମନେହୋଇଥିଲା ସାରା ଜୀବନ ଧରି ଭାସି ବୁଲିବି, ମୁଁ ଯୌବନର ଉତ୍ତାଳ ତରଙ୍ଗରେ । କିନ୍ତୁ କାଳର ଜୁଆରରେ ଯେ ଦିନେ ଭଟ୍ଟା ଆସିବ ତାହା ଦିନେହେଲେ ଭାବିନଥିଲି । ମୋ ପରି ନିର୍ବୋଧ ଆଉ ତୁମେ ଦେଖିଛ କି ଡାକ୍ତର ? କିନ୍ତୁ ଗୋଟିଏ କଥା ବିଶ୍ୱାସ କର ଡାକ୍ତର, ମୁଁ ମୋର ସ୍ତ୍ରୀଙ୍କୁ ଅତ୍ୟନ୍ତ ଭଲପାଏ । କିନ୍ତୁ କ’ଣ ଯେ ହୋଇଗଲା କିଛି ବୁଝିପାରିଲିନି । ମୋ ପ୍ରତି ନିୟତିର କି ନିଷ୍ଠୁର ନିର୍ଦ୍ଦେଶ ।

–ମଉସା, ଚା ଜଳଖିଆ ଆଣିଛି । ଖାଇନିଅନ୍ତୁ । ଖାଇସାରି ଗପ କରନ୍ତୁ ।

ଗୋଟିଏ ବୀଣା ବିନିନ୍ଦିତ କଣ୍ଠ ସ୍ୱରରେ ଫେରି ଚାହିଁଲେ ଡାକ୍ତର ସୁନାର ପ୍ରତୀମାଆଡ଼େ, ଆଖିରେ ତାଙ୍କର ପୂଜାର ପଞ୍ଚପ୍ରଦୀପ ଜାଳି ।

ପ୍ରତୀମା କିନ୍ତୁ ନିର୍ବିକାର ।

କନକ ନାରାୟଣ ଅନ୍ୟମନସ୍କ ଭାବେ କହିଲେ–ହଁ ମାଆ, ଖାଉଛି ଏଥର । ଭାଉଜ ତୋର ଫେରିଲେଣି ?

ନାଇଁ ମଉସା, ଫେରିନାହାନ୍ତି । ହୁଏତ ଆସୁଥିବେ ବାଟରେ । ମୌସୁମୀର ସ୍ୱର୍ଣ୍ଣଭାଲରେ ବିନ୍ଦୁ ବିନ୍ଦୁ ଶ୍ରମଝାଳ ସିକ୍ତ ଚୂର୍ଣ୍ଣ–କୁନ୍ତଳଗୁଡ଼ିକ ଜଡ଼ାଇ ଯାଇଛି । ଅପୂର୍ବ ଦିଶୁଛି ମୌସୁମୀର ମୁଖଶ୍ରୀ । ଅଞ୍ଚଳରେ ବେକ ଆଉ କପାଳର ଶ୍ୱେଦବିନ୍ଦୁଗୁଡ଼ିକ ପୋଛିନେଲା ମୌସୁମୀ-। ଗୋଟିଏ ଚେୟାର ଦୂରକୁ ଟାଣିନେଇ ବସିଲା ସେ । ହାତରେ ତୋଳିନେଲା ଖଣ୍ଡିଏ ପତ୍ରିକା-। ଖାଇବାକୁ ଦେଇ ଚାଲିଯିବା ଅଭଦ୍ରତା । ତେଣୁ ବସିବାକୁ ବାଧ୍ୟହେଲା । ମନ କିନ୍ତୁ ପଡ଼ିଛି ଯାଇ ଟୁଲୁର ଦୋଳି ପାଖରେ । ସକାଳୁ ସେ ନିଜେ ବହୁତ ଝୁଲିଛି । ଟୁଲୁ କାନ୍ଦିବାରୁ ବାଧ୍ୟହୋଇ ତାକୁ ଝୁଲାଉଥିଲା । ଡାକ୍ତର ଚାଲିଗଲେ ସେ ପଳାଇବ । ଅସ୍ଥିର ମନରେ ସେଇଠି ବସି ରହିଛି ମୌସୁମୀ ।

ଡାକ୍ତର ଖାଇସାରି କନକ ନାରାୟଣଙ୍କୁ ପରୀକ୍ଷା କଲେ । ତାପରେ ପଚାରିଲେ ରାତିରେ ନିଦ ହୋଇଛି ତ ?

ନା ନିଦ ହେଉନି ଡାକ୍ତର । ସେଥିପାଇଁ ବହୁତ କଷ୍ଟ ହେଉଛି ମୋର । ଆଉ ପାରୁନି । ଡାକ୍ତର ବ୍ୟାଗରୁ କେତୋଟି ‘‘ସୋନେରିଲ୍‌’’ ବାହାର କରିଦେଲେ । କହିଲେ–ରାତିରେ ଶୋଇଲାବେଳେ ଗୋଟିଏ ଲେଖାଏଁ ଖାଇ ଶୋଇବେ । ନିଶ୍ଚୟ ନିଦ ଆସିବ । ଦୁଇ ଚାରିଦିନ ଦେଖାଯାଉ । ଅଳକା ଦେବୀ ତ ଆସିଲେନି, ମୁଁ ଏଥର ଯାଏ । ରୋଗୀ ସଂଖ୍ୟା ତ ବଢ଼ିଚାଲିଛି । ବସିବାର ଆଉ ଉପାୟ କାହିଁ । ବର୍ଷା ନ ହେଲେ ସନ୍ଧ୍ୟାରେ ଆସିବି ଆଉଥରେ । ତାପରେ କଣେଇ କଣେଇ ଚାହିଁଲେ ସେ ପ୍ରତୀମା ରୂପିଣୀ ମୌସୁମୀଆଡ଼େ । ମୌସୁମୀ ବି ଡାକ୍ତରବାବୁଙ୍କ ଯିବା କଥା ଶୁଣି ଚେୟାର ଛାଡ଼ି ଉଠିପଡ଼ିଲା । ନୀରବରେ ଡାକ୍ତରଙ୍କୁ ଆଗେଇ ଦେଇ ନମସ୍କାର କରି ଫେରିଆସିଲା । ଆଗେଇ ଗଲେ ଡାକ୍ତର–ଗୋଟିଏ ତନ୍ଦ୍ରାତୁର ମନରେ । ଚାଲିରେ ତାଙ୍କର ଜଡ଼ତା ।

ଗୁଣୁଗୁଣୁ ହୋଇ କ’ଣ ପଦିଏ ଗୀତ ଗାଇ ଗାଇ ଘରେ ପଶିଲେ ଡାକ୍ତର । ଚାଲିଚଳନରେ ତାଙ୍କର କୈଶୋରର ଚାପଲ୍ୟ ।

ଅପରାଜିତା ଉଦ୍‌ବିଘ୍ନ ମନ ନେଇ ଚାହିଁ ରହିଥିଲେ ପୁଅର ଫେରିବା ବାଟକୁ । ମାଆ ସେ । ମୁହଁ ଦେଖି ଠିକ୍‌ ସେ ଜାଣିପାରିବେ ପୁଅର ମନକଥା । ଝିଅଟିକୁ ନିଶ୍ଚୟ ଦେଖିଆସିଥିବ ମନୁ । ତା’ର ପସନ୍ଦ ହୋଇଥିଲେ ସେକଥା ଜାଣିପାରିବେ । ନ ହୋଇଥିଲେ ତା’ବି ଜାଣିପାରିବେ । ଜାଣିପାରିଲେ ମଧ୍ୟ । ପୁଅ ଆସୁଛି ଗୀତ ଗାଇ ଗାଇ । ମନୁ ପାଟିରେ ଗୀତ । ଯାହାଥିଲା ତାଙ୍କର ସ୍ୱପ୍ନର ଅଗୋଚର । ଆଉ ତା’ର ସରସ ମନର ପରିଚୟ ଦେଉଛି ତା’ର ଚାଲିଚଳନ ଭାବ ଆଉ ଭଙ୍ଗୀ । ହାତରେ ଧରିଥିବା ବ୍ୟାଗଟାକୁ ଜୋରରେ ଝୁଲାଇ ଆସୁଛି । ପୁଅର ମନୋବଚନରେ ବସନ୍ତର ଉତ୍ସବ । ପୁଅର ଆଖି ତାଙ୍କ ଉପରେ ପଡ଼ିବା ଆଗରୁ ସେ ସ୍ଥାନ ଛାଡ଼ି ଚାଲିଗଲେ ।

ତନୁ କଲେଜରୁ ଆଜି ଶୀଘ୍ର ଚାଲିଆସିଛି । ଚାଲି ଆସିନି ଯେ ପଳାଇ ଆସିଛି ଭାଇନାକୁ କିପରି ମନ ଓ ମିଜାଜ ନେଇ ଫେରିବାର ଦେଖିବ ବୋଲି । ଅପରାଜିତାଙ୍କ ଆଖି ନେଇ ସେ ବି ଦେଖିଲା ଭାଇନାଙ୍କୁ । ଦେଖିଲା ଭାଇନାଙ୍କ ମନନଦୀରେ ଆନନ୍ଦର ଜୁଆର । ତାପରେ, ଟିକିଏ ଗମ୍ଭୀର ହୋଇ ଲାଗିଆସିଲା ଭାଇନାଙ୍କ ପାଖକୁ । ହାତରୁ ବ୍ୟାଗଟା ନେଉ ନେଉ କହିଲା–ଆରେ ଏଇଟାକୁ ଏତେ ଝୁଲାଉଛ କାହିଁକି ? ଯଦି ଏହା ଭିତରେ ଛୋଟ ଛୋଟ ବୋତଲ ଫୋତଲ ଥାଏ, ତେବେ ଭାଙ୍ଗିଯିବ ଯେ । ଖୁସି ହେଲେ କ’ଣ ଏପରି ହୁଅନ୍ତି ।

ଡାକ୍ତର ଭଉଣୀର ଆଖିରେ ଉପହାସର ସୂଚନା ପାଇ ଠିଆ ହୋଇପଡ଼ିଲେ । ଆଶ୍ଚର୍ଯ୍ୟ ହେଲେ ମଧ୍ୟ । ଭାବିଲେ–ସେଠିକା ଖବର ଏମାନେ କ’ଣ ଜାଣନ୍ତି ! ସେମାନେ ତ କାଲି ରାତିରେ ଆସିଛନ୍ତି । ମୁଁ ସକାଳୁ ଗଲି, ଆଉ ଏଙ୍କୁ ଖବର ଦେଲା କିଏ ! ତନୁ ଥଟ୍ଟା କଲା ପରି ମନେହେଉଛି-! ନା ବୋଧହୁଏ ଏମିତି । ଦୁଷ୍ଟଟେ ତ !

ତନୁଶ୍ରୀ ଓଠ ଚିପି ହସି କହିଲା–ଭାଇନା, ଏଇନେ ଯେଉଁ ଗୀତଟା ଗାଉଥିଲ ସେଟା କି ଗୀତ ମ ? ଟିକେ ଜୋରରେ ଜୋରରେ ଗାଉନ । ମୁଁ ଶୁଣିବି । ସତରେ ମ ତୁମେ ଏଡ଼େ ସୁନ୍ଦର ଗୀତ ଗାଇପାର ବୋଲି ମୋତେ ମୋଟେ ଜଣାନଥିଲା । କେବେଠୁଁ ତୁମେ ଗୀତ ଶିଖିବାରେ ମନଦେଲଣି । ଆଖି ତରାଟି ମନୋରଞ୍ଜନ ଚାହିଁଥିଲେ ଭଉଣୀର ମୁହଁକୁ । କିନ୍ତୁ ଡାକ୍ତର ସେମିତି ଚାହିଁବାରେ ଆଜି ଆଉ ଡରିଗଲାନି ତନୁ । ଗେହ୍ଲାଳିଆ ଗଳାରେ କହିଲା–କ’ଣ ଏମିତି ଚାହିଁଛ ମ । ଗାଅନା ଟିକେ । ବୋମା ପରି ଫାଟି ପଡ଼ିଲେ ମନୋରଞ୍ଜନ । କହିଲେ–ଏଇ, ମୋତେ ରଗାନା କହୁଛି । ମୋର ଭୋକ ବେଳ, ମୁଁ ରାଗିଲେ ବିଶ୍ୱ ପ୍ରଳୟ କରିଦେବି । ତୁ ଜାଣିଛୁଟି ମୁଁ କିଏ ବୋଲି-?

ତନୁ ଆଦୌ ବିଚଳିତ ହେଲାନି । କହିଲା–ହଁ, ଜାଣିଛି ଯେ, ହେଲେ ଏଇଆ ବି ଜାଣେ ଯେ ଆଜି ଯେତେ ଯାହା କଲେବି ତୁମେ ମୋଟେ ମୋ ଉପରେ ରାଗିବନି । କାରଣ, ମନଟା ବହୁତ ଖୁସିଥିଲେ ମଣିଷ ଅତି ବଡ଼ ଅସହ୍ୟ କଥାକୁ ବି ସହ୍ୟ କରିଯାଏ । ଆଚ୍ଛା, କେମିତି ଦେଖିଲ କହିଲ ? ଗୋରା ନା କଳା, ସୁନ୍ଦର ନା ଅସୁନ୍ଦର । ମୋଟା ନା ପାତଳୀ, ଡେଙ୍ଗୀ ନା ଗେଡ଼ୀ । ମୋଟ ଉପରେ ମନକୁ ତୁମର ପାଇଲା କି ନାହିଁ ଶୁଣାଇଦେଲ ଟିକେ ଆଗ । ସେହି କଥା ଶୁଣିବା ପାଇଁ କେତେବେଳୁ ମୁଁ ଅପେକ୍ଷା କରି ବସି ରହିଛି ।

ଆକାଶରୁ ପଡ଼ିଲେ ଡାକ୍ତର ।

ଗଳାରେ ବିସ୍ମୟ ଭରି କହିଲେ–କ’ଣ ଯେ ତୁ ଏସବୁ କହିଯାଉଛୁ କିଛି ତ ବୁଝିପାରୁନି ମୁଁ । ତୋ ମୁଣ୍ଡ ଫୁଣ୍ଡ ଖରାପ ହୋଇଯାଇଛି କି ?

ଗାଲ ଫୁଲାଇଲା ତନୁଶ୍ରୀ । କହିଲା–ମୋ କଥାର ଉତ୍ତର ଯଦି ତୁମେ ଏମିତି ଭାବରେ ଦିଅ ତେବେ–ସତରେ ମୋ ମୁଣ୍ଡ ଖରାପ ହୋଇଯିବ । କୁହନା, ମୌସୁମୀକୁ କିପରି ଦେଖିଲ । ମନକୁ ତୁମର ପାଇଲା ତ !

–କୋଉ ମୌସୁମୀ ? ଡାକ୍ତରଙ୍କ ଗଳାରେ ବିସ୍ମୟ ।

–ତୁମ ମୌସୁମୀ । ପଛକୁ ଦୁଇହାତ ଘୁଞ୍ଚିଗଲା ତନୁଶ୍ରୀ ।

ଏଥର ଚିଡ଼ି ଉଠିଲେ ଡାକ୍ତର । ଆଖି ତରାଟି କହିଲା–ଏ, କଣ ଫାଜିଲାମି ହଉଛି । ମୋ ମୌସୁମୀ କ’ଣ ? ତୋର କ’ଣ ଗାଳି ଖାଇବାକୁ ଇଚ୍ଛା ହଉଛି । ଯା ପଳା ଏଠୁ କହୁଛି ।

ହଁ ଯିବି ଯେ–ତନୁ ଗଳାରେ ଅଭିମାନ । ତଥାପି ସେ ଅନୁନୟ କଲା, କୁହ ଟିକିଏ । କେମିତି ଦେଖିଲ ତାକୁ । ସେଇଠି ଗୋଟାଏ ଚେୟାରରେ ବସିପଡ଼ିଲେ ଡାକ୍ତର । କହିଲେ, କହିଲୁ ଆଗ ସେମାନେ ଆସିଛନ୍ତି ବୋଲି ତୁ କିମିତି ଜାଣିଲୁ ?

ପଅରଦିନ ଆମେ ପରା ଯାଇ ଶୁଣି ଆସିଥିଲୁ ସେମାନେ ଆସିବେ ବୋଲି । ତନୁଶ୍ରୀ ଓଠରେ ଦୁଷ୍ଟାମି ଭରା ହସ ।

ଅବାକ ହେଲେ ଡାକ୍ତର । କହିଲେ–କାହିଁ ମୋତେ କିଛି ତ କହିନୁ ?

ଓଠ ଚିପି ହସିଲା ତନୁଶ୍ରୀ । କହିଲା–ମଲା, ମୁଁ କିମିତି ଜାଣିବି ମ ଏକଥା ଜାଣିବାକୁ ତୁମ ଭିତରେ ଏତେ ଆଗ୍ରହ ଅଛି ବୋଲି ! ମୋତେ ଆଗରୁ କହିଲନି ଯେ, ତନୁ ତୁ ସେଠାକୁ ଯାଇ ଯାହା ଯାହା ଶୁଣିବୁ ଘରକୁ ଆସି ଗୋଟି ଗୋଟି କରି ସବୁ ମୋତେ କହିବୁ ।

ଡାକ୍ତରଙ୍କ ଶ୍ୟାମଳ ମୁହଁରେ ଗୋଲାପି ଆଭା । ଅପୂର୍ବ ଦେଖାଯାଉଥିଲା ସେ ମୁଖଶ୍ରୀ । ଡାକ୍ତର କୃତ୍ରିମ କ୍ରୋଧ ପ୍ରକାଶି କହିଲେ–ଫାଜିଲ୍‌ଟା । ତା’ପରେ ତର ତର ହୋଇ ଚାଲିଯାଉଥିଲେ ଘର ଭିତରକୁ । ତନୁଶ୍ରୀ ହସିଉଠିଲା ଭାଇନାଙ୍କ ପଳାୟନରେ ।

ବାପା ବୋଉ ଆଢ଼ୁଆଳରେ ରହି ସବୁ ଶୁଣିଲେ । ପରସ୍ପରକୁ ଚାହିଁ ହସିଲେ । ଖାଇବା ପିଇବା ସାରି ଯେ ଯାହାର ରୁମ୍‌ରେ ବିଶ୍ରାମ ନେଉଥିଲେ । ତନୁର ନିଦ ଆଗ ଭାଙ୍ଗିଲା । ପଢ଼ାପଢ଼ି ନ ଥିଲା । ଧିରେ ଧିରେ ବୋଉଙ୍କୁ ଯାଇ ଉଠାଇଲା । ବୋଉ, ଉଠ୍‌ମ । ଚାରିଟାବେଳ ହେଲାଣି, ଶୋଇଥିବୁ କି ?

ଚିଡ଼ିଲା କଣ୍ଠରେ ଅପରାଜିତା କହିଲେ–

କ’ଣ କରିବି ? କାହିଁକି ଉଠଉଛୁ ମୋତେ ?

ଗାଲ ଫୁଲାଇ ତନୁଶ୍ରୀ କହିଲା–

ଆରେ, ଯିବାପରା ଚୌଧୁରୀବାବୁଙ୍କ ଘରକୁ । ଅଳକା ନାନୀ ଜାଣିଛନ୍ତି ଆମେ ସବୁ ଆଜି ଯିବୁ ବୋଲି । ଘର କାମ ଯାହା କରିବାର ରଘୁକୁ ବତାଇ ଦିଅ । ତୁମେ ଚାଲ ଲୁଗାପଟା ପିନ୍ଧିବ । ଦିନ ଥାଉ ଥାଉ ଗଲେ ଭଲକରି ଦେଖିପାରିବା ।

ତର ତର ହୋଇ ଉଠିପଡ଼ିଲେ ଅପରାଜିତା । କହିଲେ–ଓଃ, ଗୋଡ଼ ହାତ ଭାରି ବିନ୍ଧୁଛି ଲୋ । ପାଦପାଖରେ ବସିପଡ଼ିଲା–ତନୁଶ୍ରୀ । ବୋଉଙ୍କ ପାଦଦୁଇଟି ଘସି ଦଉ ଦଉ କହିଲା–ଘରର କାମସବୁ ବଢ଼ାଇ ଦେଇ ଆହୁରି ବେଶିକରି ଖଟୁନ ।

ହସିଲେ ଅପରାଜିତା । କହିଲେ–ଆଉ ତ ଗୋଟେ ମାସ । ତୋ ଭାଉଜ ଆସିଲେ ଖଟିବନି କି । ମୁଁ ଏଥର ଖାଲି ଶୋଇବି ଯେ । ଦୀର୍ଘ ଅଠେଇଶ ବର୍ଷ ଖଟିଲିଣି ଏଇ ତୁମରି ଘରେ-। ଆଉ ଏଣିକି ପାରିବିନି ।

ତନୁଶ୍ରୀ ମୁହଁମୋଡ଼ି କହିଲା–ତୁମେ ଯାହା ଶୋଇବଟି ମୋତେ ତାହା ଜଣାଅଛି । ହଉ ଉଠିଲ ଏଥର, ଯିବା । ବେଳ ଗଡ଼ିଯାଉଛି । ଗଙ୍ଗଶିଉଳି କଢ଼ଗୁଡ଼ିକ କିମିତି ବଡ଼ ବଡ଼ ଦେଖାଗଲାଣି । ଉଠିପଡ଼ ତୁମେ, ମୁଁ ଯାଏ ବାପାଙ୍କୁ ଲୁଗା ପିନ୍ଧିବାକୁ କହେ । ହେଇଟି ତ ବାପା ଆସିଲେଣି । ବାପା, ତୁମେ ବି ଶୀଘ୍ର ଲୁଗା ପିନ୍ଧିନିଅ ।

ଦିବ୍ୟେନ୍ଦୁ ବହିଟା ଥୋଇ ଦେଉ ଦେଉ କହିଲେ–ଚାଲେ, ତୋ ବୋଉ ଉଠିଲେଣି, ଚାହାଖାଇ ସାରିଲେଣି ?

ଚାଲି ଯାଉ ଯାଉ ତନୁଶ୍ରୀ କହିଲା–ହଁ । ତା’ପରେ ଯାଇ ବସିଲା ଭାଇନାଙ୍କ ଘରେ ଭାଇନା ମ ! –ଭାଇନା, ଡାକିଲା । ଉଠୁନ, ଯିବାପରା ।

ନିଦଭରା ଆଖି ମେଲି ଚାହିଁଲେ ଡାକ୍ତର ଭଉଣୀର ଦୁଷ୍ଟାମୀଭରା ମୁହଁଟିକୁ । ତା’ପରେ ପଚାରିଲେ–ଯିବା ? କୁଆଡ଼େ ଯିବା ?

ଆଖି ମିଟି ମିଟି କରି ହସିଲା ତନୁଶ୍ରୀ । କହିଲା–ଚୌଧୁରୀବାବୁଙ୍କ ଘରକୁ ପରା ? ବାପା ବୋଉ ମୁଁ ସମସ୍ତେ ଲୁଗା ପିନ୍ଧି ସାରିଲୁଣି । ଖାଲି ତୁମେ ଯାହା ବାକି ।

କ୍ରୋଧରେ ଥମ ଥମ ହୋଇଉଠିଲା ଡାକ୍ତରଙ୍କ ମୁହଁଟା । ଚିଡ଼ିଉଠି କହିଲେ–ଏଇ ମୋତେ ରଗାନା କହିଦେଉଛି । ମୁଁ ରାଗିଲେ କେମିତି ସାଙ୍ଘାତିକ ହୁଏ ଜାଣିଛୁ ତ ? କର ଲେଉଟାଇ ପୁଣି ଆଖି ମୁଦିଲେ ଡାକ୍ତର ମନୋରଞ୍ଜନ ।

ଓଠ ବଙ୍କେଇ ହସିଲା ତନୁଶ୍ରୀ । କହିଲା–ହଉ ବାବା ନଯାଅ । ତୁମେ ତ ସକାଳେ ଯାଇ ଭଲକରି ଦେଖିଆସିଥିବ । ଆଉ ଯିବାରେ କି ଦରକାର । ତା’ଛଡ଼ା ଆମ ସାଙ୍ଗେ ତ ଯାଇ ଭଲକରି ଟିକିଏ ଚାହିଁ ବି ପାରିବନି । ଯାଇ କ’ଣ ଲାଭ । ମୁଁ ବାଟ ଦେଖିଛି । ଆମେ ଚାଲିଯିବୁ ଯେ-। କହୁ କହୁ ଚାଲିଗଲା ତନୁଶ୍ରୀ । ସେ ଜାଣିଥିଲା ଭାଇନା ଏହିପରି ରାଗିବେ, ଆଉ ଯିବେନି ମଧ୍ୟ । ଖାଲି ଟିକିଏ ଚିଡ଼େଇବାକୁ ଯାହା ଡାକୁଥିଲା ସିଏ ।

 

ଊଣେଇଶ

 

କନକ ନାରାୟଣ ଆଉ ସୂର୍ଯ୍ୟକାନ୍ତ ବଗିଚାରେ ଚେୟାର ପକାଇ ବସି ଗପ କରୁଥିଲେ-। କନକନାରାୟଣଙ୍କୁ ବଡ଼ ଉତ୍‌ଫୁଲ୍ଲ ଦେଖାଯାଉଥିଲା । କିଛି ଦୂରରେ ଟୁଲୁକୁ ମୌସୁମୀ ଝୁଲାଉଥିଲା । ତାକୁ ତା’ ବାହାଘର କଥା ଏପର୍ଯ୍ୟନ୍ତ ଜଣାନାହିଁ । ସେଥିପାଇଁ ମନଖୁସିରେ ପୁତୁରା ସହିତ ଖେଳୁଛି ମନରେ ଦୀଆଲି ଦିନର ଲକ୍ଷେ ପ୍ରଦୀପ ଜାଳି । ଭାଉଜ ସହିତ ଘଣ୍ଟାକ ଆଗେ ବହୁତ କାମ କରିଛି । ତା’ପରେ ଅଳକା କହିଲେ–ତୁ ଏଥର ଯାଆ । ଭଦ୍ରଲୋକ ସବୁ ଆସିବେ-। ମୁଣ୍ଡଟା ସୁନ୍ଦର କରି ବାନ୍ଧିନେ । ଆଉ ନେ ଚାବି । ମୋର ସେ ନୀଳ ସିଲ୍‌କି ଶାଢ଼ିଟା କାଢ଼ି ପିନ୍ଧିପକା, ଯେଉଁଥିରେ ଚୂନା ଚୂନା ରୂପେଲି ଜରିଫୁଲ ପଡ଼ିଛି । ତାରି ସାଙ୍ଗରେ ସେ ପଥରଦିଆ ହାର, କାନର ଦୁଲ୍‌, ବ୍ରେସଲେଟ୍‌ ଦୁଇଟା ବି ପିନ୍ଧିପକା । ବୁଝିଲୁ, ଏପରି ଦିଶିବୁ ଯେମିତି ତୋ ପାଖରେ ରମ୍ଭା ମେନକା ବି ହାର୍‌ ମାନନ୍ତି । ମୋର ଆହୁରି ବହୁତ ଡେରି ଅଛି, ଚଞ୍ଚଳ ଯା-। ଅଳକା ଏତକ କହି ଚାଲି ଯାଉ ଯାଉ ଭାବିଲେ–ହଁ, ସଜହେଲେ କେତେ, ନହେଲେ କେତେ-। ମୌସୁମୀ ମୋର ରାଜେନ୍ଦ୍ରାଣୀ ।

 

ମୌସୁମୀ ଭାଉଜ ହାତରୁ ଚାବିନେଲା । ନ ନେଲେ ବା ପ୍ରତିବାଦ କଲେ ଭାଉଜ ରାଗିବେ । ତେଣୁ ଫିକ୍‍କରି ହସିଦେଇ ନେଇନେଲା । ମନେ ମନେ ଭାବିଲା ମୁଁ ଏତେ କାହିଁକି ସଜହେବି ମ ! ନିଜର ଶାଢ଼ି ଆଉ ବ୍ଳାଉଜକୁ ଚାହିଁଲା । ଫିକା ସବୁଜ ରଙ୍ଗର ଶାଢ଼ି ଆଉ ଫିକା ଗୋଲାପୀ ରଙ୍ଗର ବ୍ଳାଉଜ୍‌ । ଟିକେ ମଇଳା ହୋଇଯାଇଛି । ହଉ । ମୁଣ୍ଡଟା ?–ଠିକ୍‌ ଅଛି । ମୁକୁଳା କେଶଗୁଡ଼ିକ ଟିକେ ସାଉଁଳି ଦେଇ ହାତରେ ମୋଡ଼ି ଖୋସା ପାରିଦେଲା । କଳା, କୁଙ୍କୁମ ତ ସକାଳେ ପିନ୍ଧିଥିଲି, ଥିବ ଯେ, ହାତରେ ପଟେ ପଟେ ବାଲା, କାନରେ ହାଲୁକା ଦୁଇଟି ଛୋଟ ଛୋଟ ପଥରବସା ଦୁଲ୍ । ବେକରେ ଗୋଟିଏ ବଡ଼ ପେଣ୍ଡେଣ୍ଟ୍‌ ଦିଆ ସରୁ ହାର । ହାତ ମାରି ସବୁ ଦେଖିଲା । ତା’ପରେ କହିଲା–ଠିକ୍‌ ଅଛି ବାହାରିଆସିଲା ବଗିଚାକୁ । ଦିନାନ୍ତର ଶେଷ ସୁନେଲି ଆଲୋକରେ ସୁନାଦେହ ତା’ର ଝଲ୍‌ମଲ୍‌ ହୋଇଉଠିଲା । ଯାହା କିଛି ଅଳଙ୍କାର ଦେହରେ ଥିଲା ସେଗୁଡ଼ିକ ତା’ର ଦେହ ବର୍ଣ୍ଣରେ ମିଶି ଏକାକାର ହୋଇଗଲା । ଅଳ୍ପ ଦୂରରୁ ବି ମନେହେବ ଯେମିତି ଦେହରେ ତା’ର କୌଣସି ଅଳଙ୍କାର ନାହିଁ । ମୁହଁରେ ବିଞ୍ଚିହୋଇ ରହିଛି ଛୋଟ ଛୋଟ କେଶଗୁଚ୍ଛ । କୁଙ୍କୁମର ଜ୍ୟୋତି ନାହିଁ । ମସୃଣ ଛୋଟ କପାଳରେ ଦରଲିଭା କୁଙ୍କୁମ ବିନ୍ଦୁଟି ଦେଖାଯାଉଛି ଠିକ୍‌ ଅସ୍ତସୂର୍ଯ୍ୟପରି ।

 

ପରିପାଟୀ–ହୀନ ସଜ୍ଜା ବି ତା’ ରୂପକୁ କରିଛି ଅପରୂପ । ପିଣ୍ଡା ଉପରେ ଠିଆହୋଇ ବଗିଚାଆଡ଼କୁ ଚାହିଁଲା, ଦେଖିଲା ମଉସା ଆଉ ସୂର୍ଯ୍ୟକାନ୍ତ କ’ଣ କଥା ହଉଛନ୍ତି । ଆଉ ଏପଟେ ଦୋଳିରେ ଟୁଲୁ ଏକା ଏକା ଖେଳୁଛି । ଦୌଡ଼ିଆସିଲା ମୌସୁମୀ ଟୁଲୁ ପାଖକୁ । ତାକୁ କିଛି ସମୟ ଝୁଲାଇବା ପରେ କହିଲା–ଟୁଲୁ, ତୁ ଏଥର ଟିକେ ଓହ୍ଳା, ମୁଁ ଟିକେ ଝୁଲିବି ।

 

ଟୁଲୁ ଦୋଳିଟାକୁ ଆହୁରି ଜୋରରେ ଭିଡ଼ି ଧରି ବସି ରହି କହିଲା–ମୁଁ ଉଠିବିନି । ତୁମେ ମୋତେ ଆଉ ଅଧଘଣ୍ଟେ ଝୁଲାଇଲେ, ତାପରେ ଉଠିବି ।

 

ମୌସୁମୀର ଧୈର୍ଯ୍ୟ ତୁଟିଛି । ଏଥର ନାକରେ କଥା କହିଲା ସିଏ ଅନୁରୋଧ ମିଶାଇ–ଟୁଲୁଁ, ତତେଁ କେଁତେ ଝୁଲାଇଲି, ଆଁ ଉଁ ତୁଁ ଉଠିବୁଁନି । ପଛରେ ଠିଆ ହୋଇଥିଲେ ତନୁ ଆଉ ଅପରାଜିତା । ତାକୁ ଦେଖି ସେମାନେ ଜାଣିପାରିଥିଲେ ଏଇଟିହିଁ ତାଙ୍କର ଆକାଙ୍‍କ୍ଷିତା ଝିଅ । ଦିବ୍ୟେନ୍ଦୁ ଚାଲିଯାଇଥିଲେ କନକ ନାରାୟଣ ବସିଥିବା ସ୍ଥାନକୁ ।

 

ତନୁ ମୁଗ୍‌ଧ ଆଖିରେ ତା’ର ଭାବି ଭାଉଜକୁ ଦେଖୁ‌ଥିଲା । କହିଲା ଟୁଲୁବାବୁ ତୁମେ ଟିକେ ଓହ୍ଳାଅ । ସେ ଟିକେ ବସନ୍ତୁ । ଦେଖୁନା, ସେ କାନ୍ଦି ପକାଇଲେଣି ।

 

ଟୁଲୁ ଧଡ଼ ପଡ଼ ହୋଇ ଓହ୍ଳାଇପଡ଼ି ଏଙ୍କୁ ସବୁ ଦେଖି ହସି ପକାଇଲା । ତାପରେ କହିଲା–ସତରେ ତନୁ ନାନୀ ଦେଖ, ମୌସୁମୀ ନାନୀ ଏଡ଼େବଡ଼ ହୋଇ କେମିତି କାନ୍ଦୁଛନ୍ତି । ତାଙ୍କୁ ଲାଜ ଲାଗୁନି । ମୌସୁମୀର ସୁନା ରଙ୍ଗ ମୁଁହରେ ଉକୁଟି ଉଠିଲା ପାଟଳି ଫୁଲର ବର୍ଣ୍ଣମାଧୁରୀ-। ଜୁଇ ଫୁଲ ପରି ମୁଠା ମୁଠା ହସ ଝରିଆସିଲା ମୁହଁରୁ । ହଠାତ୍‌ କିପରି ବୋକା ବୋକା ଦେଖାଯାଉଥିଲା ତାକୁ । ହସିଲା ପରେ ମୁହଁର ରଙ୍ଗ ହେଲା ସ୍ୱାଭାବିକ । ଆଗରୁ ଭାଉଜ କହିଥିବା କଥା ମନେପଡ଼ିଗଲା । ମୁଣ୍ଡ ନୁଆଇଁ ଭଦ୍ରମହିଳାଙ୍କ ପାଦରେ ପ୍ରଣାମ କଲା ।

 

ଅପରାଜିତାଙ୍କ ଆଖିଦୁଇଟି ଢଳ ଢଳ ହୋଇଆସିଲା ଆନନ୍ଦାଶ୍ରୁରେ । ମୌସୁମୀକୁ ତଳୁ ଉଠାଇ ଛାତିରେ ଜାକିଲେ । ମନହେଲା ଉତ୍‌ଫୁଲ୍ଲ । କହିଲେ–ଚାଲ୍ ଘର ଭିତରକୁ ଯିବା ।

 

ଅଳକା ଟୁଲୁ ପାଖରୁ ଖବର ପାଇ ଧାଇଁଆସିଲେ ବଗିଚାକୁ । ଗୋଟିଏ ହାତରେ ତନୁର ହାତ ଆଉ ଗୋଟିଏ ହାତରେ ଅପରାଜିତାଙ୍କ ହାତ ଧରି ଘରକୁ ନେଇଯିବାକୁ ବସିଲେ । ଆଖିପଡ଼ିଲା ମୌସୁମୀ ଉପରେ । ଅଲରା ବେଶ, ମୁକୁଳା କେଶ ଦେଖି ଗମ୍ଭୀର ହୋଇଗଲେ ।

 

ମୌସୁମୀ ଭାଉଜଙ୍କ ମୁହଁ ଦେଖି ମନ ଜାଣିପାରିଲା । କ’ଣ କହିବାକୁ ଯାଉଥିଲା । ଏତିକିବେଳେ ତନୁ କହିଉଠିଲା–ତୁମେ ବୋଉଙ୍କୁ ନେଇ ଘରକୁ ଯାଅ ନାନୀ, ଆମେ ଟିକେ ପରେ ଯାଉଛୁ । ଆସ ମୌସୁମୀ, ସେ କରବୀ ଗଛ ତଳେ ଯେଉଁ ସିମେଣ୍ଟ ବେଞ୍ଚ ଅଛି, ସେଠି ଟିକେ ବସିବା ଆମେ ।

 

ଚାଲିଗଲେ ଦୁହେଁ ସେଆଡ଼କୁ ।

 

ତନୁ ବହୁତ କଥା କହିଲା । ତାପରେ ମୌସୁମୀର ଗହଳିଆ ଲମ୍ବା କେଶଗୁଚ୍ଛ ଗୁଡ଼ିକ ହାତରେ ଖେଳାଉ ଖେଳାଉ କହିଲା–ମୁଣ୍ଡ ବାନ୍ଧିନ କାହିଁକି ?

 

–ଭାଉଜ ଏହିକ୍ଷଣି ସେଥିପାଇଁ ପରା ମୋ ଉପରେ ରାଗିଛନ୍ତି । ସେ ମୋତେ କହିଥିଲେ ଲୁଗାପଟା ବଦଳାଇ ମୁଣ୍ଡ ବାନ୍ଧିବାକୁ । ମୁଁ ଟୁଲୁ ପାଖକୁ ଆସି ତାରି ସହିତ ଟିକେ ଖେଳୁ ଖେଳୁ ସବୁ ଭୁଲିଗଲି । ତାପରେ, ତୁମେମାନେ ତ ଘରର ଲୋକ । ତୁମ ପାଖରେ ତ ସାଜସଜ୍ଜା କରି ବାହାରିବାର କ’ଣ ଅଛି । ଭାଉଜ ଅଯଥାରେ ରାଗୁଛନ୍ତି ।

 

ତନୁ ବୁଝିପାରିଲା ମୌସୁମୀ ବିଭାଘରର କୌଣସି ଖବର ପାଇନି । ତାକୁ ନେଇ ଥଟ୍ଟା ପରିହାସ କରିବାକୁ ଆଉ ମନହେଲାନି । ପଚାରିଲା–ପଢ଼ିଲନି କାହିଁକି ?

 

ମୌସୁମୀ ହସିଲା । କହିଲା–ମୋ ହାତରେ ସେ ସବୁ ହେବନି । ହେଲେ ମୁଁ କିନ୍ତୁ ଭାଉଜଙ୍କ ପାଖରୁ ସବୁ ରକମର ଜଳଖିଆ, ସବୁ ରକମର ତରକାରୀ ଶିଖି ପକାଇଛି । ଏଇଠି ମୁଁ ନିଜେ ତୁମମାନଙ୍କୁ ଦିନେ ସବୁ କରି ଖୁଆଇବି ।

 

ମୌସୁମୀର ସରଳତାରେ ତନୁ ମୁଗ୍‌ଧ ହେଲା । ତଥାପି ରସିକତା କରି କହିଲା–କେଉଁଠି, ତୁମର ଏ ଘରେ ନା ଆମ ଘରକୁ ଯାଇ ?

 

ନିଃସଙ୍କୋଚରେ ଅମଳିନ ମୁହଁଟି ତୋଳି ମୌସୁମୀ ତନୁଆଡ଼େ ଚାହିଁ କହିଲା–ନା ଏଇ ଘରେ । ସେଠାକୁଗଲେ ତ ଟିକେ ବୁଲିଯିବି । ରାନ୍ଧିବି କେତେବେଳେ । ତୁମ ଘରେ ଫିଷ୍ଟ୍‌ କଲେ ଅବଶ୍ୟ ଅଲଗା କଥା । ତେବେ ଖଣ୍ଡଗିରି ପରି ଜାଗାମାନ ଥାଉ ଥାଉ ଘର ଭିତରେ ବା କାହିଁକି ରାନ୍ଧି ଖାଇବା !

 

ତନୁ ଭାଉଜର ଚନ୍ଦ୍ରମା ପରି ମୁଖ ମୁକୂରରେ ନିର୍ମଳ ମନର ଛାଇ ଦେଖି ହୃଷ୍ଟ ହେଲା । ପଚାରିଲା–ତୁମେ ସିଲାଇ ଫିଲାଇ ବହୁତ ଜାଣିଥିବ ତ ।

 

–ହଁ, ଏମ୍ବ୍ରଡ଼ରି, ଉଲ୍‌କାମ, ସାର୍ଟପ୍ୟାଣ୍ଟ, ବ୍ଳାଉଜ୍‌ ଫ୍ରକ୍‌ କାଟିବା ଏଇ ସବୁ ପାରେ । ପାରେନି ଖାଲି ପଢ଼ାପଢ଼ି କରି । ଏତକ କହି ହସିଉଠିଲା । କୁଳୁ କୁଳୁ ଝରଣା ପରି ସେଇ ହସ ତନୁର ଗାମ୍ଭୀର୍ଯ୍ୟର ଗମ୍ବୁଜ ଭାଙ୍ଗି ଗୁଣ୍ଡା ଗୁଣ୍ଡା କରିଦେଲା । ସିଏ ବି ହସିଉଠିଲା ମନଖୋଲା ହସ ।

 

କଥା ଛଳରେ ସବୁ ଖବର ସେ ଜାଣିନେଲା । ତାପରେ କହିଲା–ଆଚ୍ଛା ତୁମକୁ ଭୁବନେଶ୍ୱର ଭଲ ଲାଗୁଛି ନା ଦିଲ୍ଲୀ ଭଲଲାଗେ ।

 

ମୌସୁମୀ ନିର୍ବିକାର ଉତ୍ତର ଦେଲା–ମୋ ଭାଉଜ ଯେଉଁଠି ଥିବେ ମତେ ସେଇଠି ଭଲଲାଗେ । ଦିଲ୍ଲୀରେ ସେ ଏଠାକୁ ଚାଲିଆସିବା ପରେ ଯେଉଁ କେତୋଟି ଦିନ ଏକୁଟିଆ ରହିଲି, ମତେ ଲାଗିଲା–ସତେକି ମୁଁ ଗୋଟାଏ ଅତଳାନ୍ତ ଖାଦରେ ପଡ଼ିଛି । ମୋ ନିଃଶ୍ୱାସ ରୁନ୍ଧି ହୋଇଆସିଲା । ଭାଇନାଙ୍କ ସହିତ ପଳାଇ ଆସିବାକୁ ବାଟ ପାଇଲିନି ।

 

ତନୁ ହସିଲା । କହିଲା–ତୁମେ ତ ନିଶ୍ଚେ ଶାଶୂ ଘରକୁ ଯିବ । ସେତେବେଳେ କିପରି ରହିବ ତୁମ ଭାଉଜଙ୍କୁ ଛାଡ଼ି ।

 

ନିର୍ବାକ ହୋଇ କିଛି ସମୟ ତନୁ ମୁହଁକୁ ଚାହିଁ ରହିଲା ମୌସୁମୀ । ତା’ ପରେ ଆଖି ଦୁଇଟି ବନ୍ଦ କଲା ।

 

ତନୁସ୍ମିତ ହସି କହିଲା–କ’ଣ ହେଲା । ଚୁପ୍‌ ରହିଲ କାହିଁକି ? ମୋ କଥାର ଉତ୍ତର ଦିଅ ? ତଥାପି ମୌସୁମୀ ମୁଣ୍ଡ ତଳକୁ ଝୁଲାଇ ରହିଛି ଦେଖି ତନୁ ଦୁଇ ହାତରେ ତା’ର ଝାଉଁଳା ମୁହଁଟି ତୋଳି ଧରିଲା । ଦେଖିଲା ମୌସୁମୀର ବିଶାଳ ନୟନରେ ଶ୍ରାବଣର ବାରିଧାରା । ତନୁର ଦୁଇଟି ହାତ ପାପୁଲିରେ ବିନ୍ଦୁ ବିନ୍ଦୁ ହୋଇ ଅଶ୍ରୁକଣା । ଓଦା ହୋଇଗଲା ପାପୁଲି ଦୁଇଟି । ମନ ବି ହେଲା ଓଦା । ସସ୍ନେହ କଣ୍ଠରେ ତନୁ କହିଲା–ଛି, ଛି, ଏ ସାମାନ୍ୟ କଥାରେ ଏପରି କାନ୍ଦନ୍ତି । ମୁଁ ଏମିତି ଗୋଟେ କହିଦେଲିନା ।

 

ମୌସୁମୀ ହାତ ଓଲଟାଇ ଲୁହ ପୋଛୁ ପୋଛୁ କହିଲା–ଏଇ ଗୋଟିଏ କଥାକୁ ମୁଁ ଭାରି ଡରେ । ଆମ ଘରଛାଡ଼ି ମୁଁ ଆଉ କେଉଁଆଡ଼େ ଚାଲିଯିବି ଏ କଥା ଭାବିପାରେନି ନାନୀ ।

 

ଏଆଡ଼େ ଅଳକା ଆଉ ଅପରାଜିତାଙ୍କର ସବୁ କଥା ସରିଥିଲା । ଆଉ ଆଠଦିନ ପରେ ନିର୍ବନ୍ଧ । ସବୁ ସ୍ଥିର ହୋଇଗଲା ପରେ ଅପରାଜିତା କହିଲେ–ମୌସୁମୀକୁ ଡାକ ମାଆ, ତାକୁ ଆଉ ଟିକେ ଦେଖି ଚାଲିଯାଏ । ରାତି ହୋଇଗଲାଣି । କେତେ ଯେ ତାକୁ ଭଲଲାଗୁଛି ମୋତେ, କ’ଣ କହିବି ଆଉ । ଦିନ ପରେ ଦିନ ତାକୁ ଦେଖୁଥିଲେ ବି ମୋର ଆଖି ପୁରିବନି କି ମନ ଭରିବନି । ତନୁ ଦିନେ ଘର ଖାଲିକରି ଚାଲିଯିବ । ମୌସୁମୀ ମାଆ ମୋର ଏକାଧାରରେ ଝିଅ ହୋଇପାରିଛି ଆଉ ବୋହୂ ହୋଇପାରିଲେ ମୁଁ କେତେ ଖୁସିହେବି । ବୋହୂହୋଇ ଆସନ୍ତି ସମସ୍ତେ । ଝିଅହୋଇ ପାରନ୍ତିନି ଅନେକେ ।

 

ଅଳକାଙ୍କ ମୁହଁରେ ଦୃଢ଼ତାର ଛାପ । କହିଲେ–ମାଉସୀ, ଆପଣ ଯାହା ଚାହିଁବେ ତା’ ପାଇବେ ମୋ ମୌସୁମୀ ଭିତରୁ । ଯେପରି ଚଳେଇବେ ସେ ସେପରି ଚଳିବ । ମୁଁ କଥାଦେଉଛି ଆପଣ ତା’ଠାରୁ କେବେହେଲେ ଦୁଃଖ ପାଇବେନି ।

 

ଏତିକିବେଳେ ତନୁ ଆଉ ମୌସୁମୀ ଘରେ ପଶିଲେ ।

 

ଅପରାଜିତା ମୌସୁମୀକୁ ଦେଖି କୋଳକୁ ଟାଣିଆଣିଲେ । ଚିବୁକ ଧରି ଆଦର କଲେ । ତା’ପରେ ଅଳକାଙ୍କ ଡାକରେ ଖାଇବାକୁ ଚାଲିଗଲେ । ଖାଇ ପିଇ ସାରି, ଆଉ କିଛି ସମୟ ଗଳ୍ପକରି ସେମାନେ ବାହାରିଲେ ଯିବାକୁ ।

 

ଅଳକାଙ୍କ କଥାମତେ ମୌସୁମୀ ଦିବ୍ୟେନ୍ଦୁଙ୍କୁ ପ୍ରଣାମ କଲା । ଦିବ୍ୟେନ୍ଦୁ ସ୍ନେହଭରା ନୟନରେ ଦେଖିଲେ ତାଙ୍କ ଘରର ଲକ୍ଷ୍ମୀପ୍ରତିମାଙ୍କୁ । ମନେ ମନେ ଲିଙ୍ଗରାଜଙ୍କୁ ପ୍ରଣାମ କଲେ । ଆଉ ସେହିପରି ମନେ ମନେ ମୌସୁମୀକୁ କଲ୍ୟାଣକଲେ ।

 

ମୌସୁମୀ ପୁଣି ଅପରାଜିତାଙ୍କୁ ପ୍ରଣାମକଲା । ଅପରାଜିତା ବେକରୁ ଖୋଲିଲେ ଭାରି ଏବଂ ଦାମୀ ନେକଲେସ୍‌ । ପିନ୍ଧାଇ ଦେବାକୁ ଗଲେ ମୌସୁମୀ କଣ୍ଠରେ । ଆଉ ଆଶ୍ଚର୍ଯ୍ୟହୋଇ ମୌସୁମୀ ଚାହିଁଲା ପ୍ରଶ୍ନିଳ ଆଖିରେ ଭାଉଜଙ୍କୁ । ତା’ପରେ ଅପରାଜିତାଙ୍କ ହାତଦୁଇଟିକୁ ଧରିପକାଇଲା । କହିଲା–ଏ କ’ଣ ମାଉସୀ, ହାରଟା ମତେ କାହିଁକି ଦେଉଛନ୍ତି ?

 

ଅପରାଜିତା ହସି ହସି ଚାହିଁଲେ ଅଳକାଆଡ଼େ । ଅଳକା ବି ସିକ୍ତ ନୟନ ମେଲି ଚାହିଁଲେ ମାଉସୀଙ୍କୁ । କହିଲେ–ସେ ଏ ପର୍ଯ୍ୟନ୍ତ କିଛି ଶୁଣିନି ମାଉସୀ । ତା’ପରେ ମୌସୁମୀକୁ ଚାହିଁ କହିଲେ–ସେ ତୋର ଶାଶୂହେବେ । ସେ ଯାହା ଦେବେ ତାହା ତୋର ଆନନ୍ଦ ମନରେ ଗ୍ରହଣ କରିବା ଉଚିତ । ଏତକ କହିବାବେଳେ ଅଳକାଙ୍କ ଦେହ ମନ ଭାଙ୍ଗି ଭାଙ୍ଗି ପଡ଼ୁଥିଲା । କିନ୍ତୁ ଧୈର୍ଯ୍ୟର ପ୍ରତିମୂର୍ତ୍ତି ସେ । ସ୍ଥିରହୋଇ ଠିଆହୋଇ ଦେଖିଲେ ପ୍ରାଣପ୍ରତିମା ମୌସୁମୀ କଣ୍ଠରେ ହାର ବଦଳରେ ଫାସୀର ଦଉଡ଼ି ।

 

ନିର୍ବାକି ନିର୍ଜୀବ ହୋଇ ଚାହିଁରହିଥିଲା ମୌସୁମୀ ଭାଉଜଆଡ଼େ ଭାଷାହୀନ ଆଖି ମେଲି-। କାନ୍ଧ ଦୁଇଟି ତା’ର ଝୁଲିପଡ଼ି ତା’ର ଅସହାୟ ଭଙ୍ଗିଟି ଦେଖି ଅଳକାଙ୍କ ଲହୁଣି କୋମଳ ଅନ୍ତର ହାହାକାର କରିଉଠିଲା । ବାଣବିଦ୍ଧା ପକ୍ଷୀଣୀପରି କି ଏକ ମୌନ ଯନ୍ତ୍ରଣାରେ ଦେହମନ ତାଙ୍କର ଛଟପଟ ହୋଇଉଠିଲା ।

 

ନୀରବରେ ତନୁଶ୍ରୀ ସବୁକିଛି ନିରୀକ୍ଷଣ କରି ଦେଖିଲା । ତା’ର ବୋଉଙ୍କ ହାତଧରି କହିଲା–ବୋଉ, ଆଉ କିଛି କୁହନି । ଆସ ପଳାଇବା । ମୁଁ ଆଉ ସହିପାରୁନି ଏ ଦୃଶ୍ୟ ।

 

ସହିପାରୁନଥିଲେ ଅପରାଜିତା ମଧ୍ୟ । ବିନା ସମ୍ଭାଷଣରେ ଅପରାଧିପରି ଚାଲିଗଲେ ସେମାନେ ।

 

ତାଙ୍କୁ ନିଜେ ଯାଇ ଅଳକା କିଛିବାଟ ବଳାଇ ଦେଇ ଆସନ୍ତେ । କିନ୍ତୁ ସିଏ ସବୁ ସୌଜନ୍ୟ ଭୁଲିଗଲେ କନ୍ୟା–ସ୍ୱରୂପିଣୀ ନଣନ୍ଦଆଡ଼େ ଚାହିଁ ।

 

କୋଡ଼ିଏ

 

ଆଶ୍ୱିନର ସୁନାଝରା ସକାଳ । ଧଡ଼ପଡ଼ ହୋଇ ଉଠିପଡ଼ିଲେ ଅଳକା । ମୌସୁମୀ ଉଠିଲାଣି କି ନାହିଁ ? ଆହା କାଲି ରାତିସାରା କିଛି ଖାଇଲାନି । ଘରର ସମସ୍ତେ ଡାକି ଡାକି ହଇରାଣ ହୋଇଗଲେ । ସେଇ ଯେ ମୁଣ୍ଡ ପୋତି ଭାଉଜ ସାମନାରୁ ଚାଲିଆସି ଶୋଇଲା, ଘରେ ପଶି ଜଞ୍ଜିର ଦେଲା, ଆଉ ଖୋଲିଲାନି । ଅଳକା ତା’ ଦ୍ୱାରରେ କାନଡେରି ବହୁତ ରାତି ପର୍ଯ୍ୟନ୍ତ ଠିଆ ହୋଇ ରହିଲେ । କାନ୍ଦୁଛି କି ? ନା, କାନ୍ଦୁନି । ଲାଇଟ୍‌ ଲଗାଇନି । ନିବୁଜ ଅନ୍ଧକାରରେ କ’ଣ କରୁଛି ? ଶୋଇଲା କି ? ଖୁଡ଼ୀଙ୍କ କଥା ମନେପଡ଼ିଲା । ସେ କାନ୍ଦି ନଥିଲେ । ହେ ଭଗବାନ, ମୌସୁମୀ କାନ୍ଦୁନି କାହିଁକି ? ଏମିତି ଚୁପ୍‌ ରହିଛି କାହିଁକି ? ଅଳକାଙ୍କ ମନରେ ପ୍ରଶ୍ନର ପାହାଡ଼ । ଗଳାରେ ଆଞ୍ଚଳ ଗୁଡ଼ାଇ ସେଇଠି ଆଣ୍ଠୁମାଡ଼ି ବସି ପ୍ରଣତୀ ଜଣାଇଲେ ଲିଙ୍ଗରାଜ ଆଉ ପାର୍ବତୀଙ୍କ ଉଦ୍ଦେଶ୍ୟରେ । ବାର ବାର କରି ମନେ ମନେ ପ୍ରାର୍ଥନା କରି କହିଲେ–ହେ, ମାଆ ପାର୍ବତୀ, ମୋ ମୌସୁମୀକୁ ଭଲ ବୁଦ୍ଧି ଦିଅ, ଭଲ ବାଟରେ ନିଅ । କାଲି ସକାଳେ ଯେପରି ସୁସ୍ଥ ଦେଖେ ତାକୁ । ମୋ ପ୍ରାଣର ପ୍ରାଣକୁ ତୁମେ ଭଲରେ ରଖ । ତାପରେ ଚାଲିଗଲେ ଚାରିଆଡ଼େ ଭୀମ ତାଲା ଦେଲା କି ନ ଦେଲା ଦେଖିବାକୁ । ଅଧଘଣ୍ଟା ପରେ ପୁଣି ଫେରିଆସିଲେ । ଦେଖିଲେ ମୌସୁମୀ ଝରକା ଖୋଲିଦେଇଛି । ଚୁପ୍‌ ଚୁପ୍‌ ଯାଇ ଝରକା କଣରେ ଅଳ୍ପ ମୁଣ୍ଡ ନୁଆଇଁ ଦେଖିଲେ ମୌସୁମୀ ଖଟଉପରେ ଏପଟ ସେପଟ ହୋଇ ଛଟପଟ ହେଉଛି । କିଛିଟା ଆସ୍ୱସ୍ତ ହୋଇ ଲେଉଟି ଆସିଲେ ଅଳକା ତାଙ୍କ ଶୋଇବା ଘରକୁ । ସେ ବି ଖାଇନାହାନ୍ତି । ସମସ୍ତଙ୍କୁ ପରିବେଷଣ କଲାବେଳେ ଅପରାଜିତା ବହୁତ କରି ଡାକିଥିଲେ ନଣନ୍ଦ ଭାଉଜଙ୍କୁ ଏକାଠି ଖାଇବାକୁ । ଅଳକା କହିଥିଲେ–ଭୀମଟା ଅଲରା ମାଉସୀ । ସେ ଭଲ କରି ଦେଇ ନେଇ ପାରିବନି । କୌଣସି ସ୍ତ୍ରୀଲୋକ ପାଖରେ ଥିଲେ ସିନା ତାକୁ କାଇଦା କଟକଣା ଶିଖାଇଥାନ୍ତା । କିନ୍ତୁ ସେତ ହେଲା ଆପେ ମାଳୀ ଆପେ ପୂଜାରୀ । ମାଳ ବି ଗୁନ୍ଥି ପାରିଲାନି କି ପୂଜା ବି କରିପାରିଲାନି । ତୁମେ ଦୁଃଖ କରନି ମାଉସୀ । ସାଙ୍ଗ ହୋଇ ଖାଇବାର ବେଳ ତ ଚାଲିଯାଇନି । ବରଂ ସେପରି ସୁଯୋଗ ବହୁତ ଆସିବ ଆମ ଜୀବନରେ ଠାକୁର ଯେବେ ଦୟା କରନ୍ତି ।

 

ସମସ୍ତେ ଏକା ସାଙ୍ଗରେ କହିଉଠିଲେ–ତା’ ସତ, ତା’ ସତ । ଦିବ୍ୟେନ୍ଦୁ କନକନାରାୟଣଙ୍କ ଆଡ଼କୁ ଚାହିଁ କହିଲେ–ଚୌଧୁରୀ ମହାଶୟ, ଭାଗ୍ୟ କରିଥିଲେ ଆପଣ । ଆପଣଙ୍କ ଘରେ ସାକ୍ଷାତ ଅର୍ଣ୍ଣପୂର୍ଣ୍ଣା ଆସି କନ୍ୟା ରୂପରେ ବିଚରଣ କରୁଛନ୍ତି । କେତେ ଜନ୍ମ ତପସ୍ୟା କଲେ ଯାଇ ଏପରି କନ୍ୟାର ପିତା ମାତା ହୋଇପାରେ ମଣିଷ, ମୁଁ ଖାଲି ସେଇ କଥା ଭାବୁଛି ।

 

କନକନାରାୟଣଙ୍କ ସଜଳ ଆଖିପତାରେ ଗୌରବର ଗୋଲାପୀ ଆଭା । ପ୍ରଶଂସୀତା କନ୍ୟା ଆଡ଼େ ଚାହିଁ ବୁକୁ ତାଙ୍କର ଫୁଲି ଫୁଲି ଉଠୁଥାଏ । ଏଇ ତାଙ୍କର କନ୍ୟାଛାୟାର ଗର୍ଭ–ଜାତା, ଛାୟାର ପ୍ରତିମୂର୍ତ୍ତି, ଛାୟାର ଗୁଣାଶ୍ରୀତା । କିନ୍ତୁ ଏ ସବୁର ମୂଳରେ ସେ ନିଜେ । ତାଙ୍କର ସୁଚାରୁ ଓ ଶୃଙ୍ଖଳିତ ପରିଚାଳନାରେ ତିନୋଟିଯାକ ସନ୍ତାନ ପରିଚାଳିତ ହୋଇ ଆଜି ସରଳତା, ବିଦ୍ୟା, ବୁଦ୍ଧି ଓ ସଚେତନତାର ଯେଉଁ ଉଚ୍ଚ ଆସନରେ ସ୍ଥାନ ପାଇଛନ୍ତି ସେ ସବୁ ତାଙ୍କର କୃତୀତ୍ୱ । ସକଳ ଗୌରବର ଅଧିକାରୀ ସେ । ଛାୟାର ଅବଦାନ କୌଣସି ମୂଲ୍ୟ ନାହିଁ । ପିଲାଙ୍କର କୌଣସି ଗୌରବରେ ଛାୟାଙ୍କର ଭାଗ ରହିନପାରେ । ସେଥିପାଇଁ ତାଙ୍କୁ ବହୁତ ଆଗରୁ ଏଘରୁ ବିଦାୟ ଦେଇଛନ୍ତି । ଭାବନା ଶେଷରେ ହାଃ, ହାଃ, କରି ହସିଉଠିଲେ ବୃଦ୍ଧ ଚୌଧୁରୀ ।

 

ଦିବ୍ୟେନ୍ଦୁ କାହିଁକି, ସମସ୍ତେ ଭାବିଲେ କନ୍ୟାର ପ୍ରଶଂସାରେ କନକନାରାୟଣ ଏପରି ହସିଉଠିଲେ ।

 

କିନ୍ତୁ ବାପାଙ୍କର ଏ ହସ ଅଳକା ବୁଝନ୍ତି । ସେ ଠିକ୍‌ ଜାଣନ୍ତି, ଏ ତାଙ୍କ ଅନ୍ତରର ଅନ୍ତଃସ୍ଥଳର ଏକ କରୁଣ ହାହାକାର । ବୋଉ କଥା ନିଶ୍ଚୟ ବର୍ତ୍ତମାନ ତାଙ୍କର କୌଣସି କାରଣରୁ ମନେପଡ଼ିଛି । ସେଥିପାଇଁ ବାପାଙ୍କ ପାଖକୁ ତରତର ହୋଇ ଚାଲିଆସି ତାଙ୍କର କାନ୍ଧ ଦୁଇଟି ନିବିଡ଼ ସ୍ପର୍ଶରେ ଚାପିଧରିଲେ । ସେ ଜାଣିଛନ୍ତି ତାଙ୍କର ସ୍ପର୍ଶ ପାଇଲେ ବାପାଙ୍କର ହଜିଲା ମନ ବାଟ ପାଏ, ଶୂନ୍ୟ ମନ ପୂର୍ଣ୍ଣ ହୁଏ, ଧୁସର ମନରେ ଜାଗେ ସବୁଜିମାର ଲାବଣ୍ୟ । ସେଥିପାଇଁ କିଛି ସମୟ ବାପାଙ୍କୁ ଧରି ରହିଲେ ।

 

ଖାଇବା ପିଇବା ସରିଲା । ତାପରେ ସାମାନ୍ୟ ଗୋଟିଏ ହାର ଯେଉଁ ଝଡ଼ ସୃଷ୍ଟି କଲା ତା’ର ନିଃଶବ୍ଦ ବଜ୍ରପାତରେ ନଣନ୍ଦ ଭାଉଜ ବିଭ୍ରାନ୍ତ ହୋଇପଡ଼ିଲେ ।

 

ମୌସୁମୀ ଲଜ୍ଜା ମିଶା କଣ୍ଠରେ କହିଥିଲା–ମୁଁ ଭାଉଜଙ୍କ ସହିତ ପରେ ଖାଇବି । ସେ ଏକୁଟିଆ ଖାଇପାରିବେନି ।

 

ଭାଉଜ ସମ୍ପର୍କରେ ମୌସୁମୀ ମନକୁ ଜାଣିପାରିଥିଲା ତନୁ । ସେଥିପାଇଁ ସେ ତାକୁ ବଳାଇଲାନି । ବୋଉଙ୍କୁ ମଧ୍ୟ ବଳାଇବାକୁ ନିରସ୍ତ କଲା ।

 

ଆହା ତାପରେ ଆଉ ସେ ଖାଇନି । ଅଳକା ବି ଖାଇଲେନି ।

 

ଆଜି ସକାଳୁ ସେଥିପାଇଁ ଧାଇଁଆସିଛନ୍ତି ମୌସୁମୀର ଶୋଇବା ଘରକୁ । ନାଁ ଦ୍ୱାର ଖୋଲା ହୋଇନି କିନ୍ତୁ ଝରକା ଖୋଲାଅଛି । ଚାହିଁଲେ ଅଳକା ଉଦ୍‌ବିଗ୍ନ ହୋଇ । ଶୋଇଛି ମୌସୁମୀ । ଟୁଲୁ–ଟୁଲୁ ଗୋଡ଼ଦୁଇଟା ମୌସୁମୀର ବେକ ଉପରେ ମୁଣ୍ଡଟା ଆଣ୍ଠୁ ପାଖରେ । ସବୁଦିନିଆ ପରି ବାଲୁରୀ ମୌସୁମୀର ଶାଢ଼ିଟା ଅଧେ ଝୁଲୁଛି ଖଟତଳେ, ଆଉ ଅଧେ ମେଞ୍ଚାହୋଇ ରହିଛି ଟୁଲୁ ଗାଲ ଉପରେ । ସାୟା ବ୍ଳାଉଜ ନ ପିନ୍ଧି ଥିଲେ— ଭାବନା ତାଙ୍କର ଅଧା ରହିଲା । ଦେଖିଲେ କୋହଉଠି ମୌସୁମୀର ଛୋଟ ଛାତିଟା ଥରିଉଠୁଛି । ଆଉ ବେଳେ ବେଳେ ହିକ୍‌କା ପରି ଗୋଟାଏ ଶବ୍ଦ ଉଠୁଛି । ମନ ତାଙ୍କର ବିକଳ ହୋଇଉଠିଲା । ଆହା କାନ୍ଦିଥିଲାପରା କେତେବେଳେ । ବହୁତ ରାତି ଜାଗି ନିଶ୍ଚୟ ସେ ବହୁତ କାନ୍ଦିଛି । ଝାଉଁଳା ପଦ୍ମପରି ମୁହଁଟି ତା’ର ଶୁଖିଯାଇଛି । ଆଖି କୋଣରୁ କାନ ପର୍ଯ୍ୟନ୍ତ ଶୁଖିଲା ଲୁହର ଧାରଟି । ଅସ୍ଥିର ମନରେ ଡାକିଲେ–ମୌସୁମୀ, ଟୁଲୁ–

 

ଟୁଲୁ ଧଡ଼ପଡ଼ ଆଗ ଉଠି କବାଟ ଖୋଲିଦେଲା । ଅଳକା ତାକୁ ଭୀମପାଖକୁ ପଠାଇଦେଇ ଡାକିଲେ–ମୌସୁମୀ ଉଠ୍‌, ଦେଖ୍‌ କେତେବେଳ ହେଲାଣି । ମୌସୁମୀ ତରବର ହୋଇ ଉଠି ଲୁଗାଟା ପିନ୍ଧି ପକାଇଲା । ଭାଉଜଙ୍ଗୁ ସେ ଲାଜ କରେନି । ଲୁଗା ପିନ୍ଧି ବାହାରକୁ ଯିବାକୁ ପଡ଼ିବ ସେଥିପାଇଁ ପିନ୍ଧିବ । ଖଟରୁ ଓହ୍ଲାଇ ବାଟକାଟି ଚାଲିଗଲା । ଭାଉଜଙ୍କୁ କଥା କହିଲାନି, ସବୁଦିନ ପରି ହସିଲାନି । ମୁହଁରେ ଦୁଃଖର ଚିହ୍ନମାତ୍ର ନାଇଁ । ଅଭିମାନରେ ମୁହଁଟା ଥମ ଥମ ହେଉଛି । ପ୍ରବାଳ ଲାଲ ଓଠ ଦୁଇଟି କୁନ୍ଦଧବଳ ଦାନ୍ତରେ ଚାପି ଧରିଛି । ଭାଉଜଙ୍କୁ ନଚିହ୍ନିଲା ପରି ଚାଲିଗଲା ସିଧା ବଗିଚା ଆଡ଼କୁ । ଦୋଳି ? ନା, ଦୋଳି ପାଖକୁ ନୁହେଁ । ଉଦାସ ମନରେ ବସିଲା ଯାଇ ସେହି ସିମେଣ୍ଟ ବେଞ୍ଚରେ ।

 

ଅଳକା ମଧ୍ୟ ସେଠିକି ଗଲେ । ବହୁତ ନେହୁରା ହେଲେ, ବହୁତ କାକୁତୀ ମିନତୀ କଲେ-। ମୌସୁମୀ କିନ୍ତୁ ନିଶ୍ଚଳ ପାଷାଣ ମୂର୍ତ୍ତୀ ପରି ବସିରହିଲା । ଚାହିଁଲାନି ଭାଉଜ ଆଡ଼େ । କହିଲାନି କଥା, ପ୍ରତିବାଦ ବି କଲାନି । ଏଇ ସମୟରେ ପହଞ୍ଚିଲେ ସୂର୍ଯ୍ୟକାନ୍ତ । ସେପର୍ଯ୍ୟନ୍ତ ଦେହରେ ତାଙ୍କର ରାତି ପୋଷାକ । ଧୀରେ ଧୀରେ ଆସି ଭଉଣୀ ମଥାରେ ରଖିଲେ ସ୍ନେହବାଳା ହାତ-। କହିଲେ–ଉଠ୍‌ ମୋ ସୁନାଟି ପରା । ଏତେ ଅଭିମାନ କରନ୍ତି ? ଦେଖିଲୁ ତୋ ଭାଉଜ କିପରି କାନ୍ଦୁଛନ୍ତି । ଆଚ୍ଛା କହିଲୁ ତୋ ଭାଉଜଙ୍କୁ ତାଙ୍କ ବାପା କେତେ ଭଲପାଆନ୍ତି । ତଥାପି ସେ କ’ଣ ତାଙ୍କୁ ପାଖରେ ରଖିପାରିଲେ ? ପାରିଲେନି । ବିଦାୟ ଦେବାକୁ ପଡ଼ିଲା । ବିଦାୟ ଦେଇ ସେ କ’ଣ ତାଙ୍କ ଝିଅ ପାଇଁ କାନ୍ଦିନଥିଲେ ? ତାଙ୍କ ମନ କ’ଣ ହାହାକାର କରିନଥିଲା ? ସେହିପରି ତତେ ଛାଡ଼ି ଭାଉଜ କ’ଣ ସୁଖ ଶାନ୍ତିରେ ରହିପାରିବେ ? ଛାତି କ’ଣ ତାଙ୍କର ଫାଟିଯିବନି ? ଦୁନିଆଁ ଜାଣେ ତୁ ତା’ର ନଣନ୍ଦ । ସେ କିନ୍ତୁ ଜାଣନ୍ତି ତୁଇ ତାଙ୍କର ଝିଅ । ତୁ କ’ଣ ଏସବୁ ବୁଝିପାରୁନୁ । ଛି, ଅବୁଝା ହଅନା । କାଲିଠୁ ଖାଇନୁ, ଆଇଲୁ ଖାଇବୁ ।

 

ମୌସୁମୀର ନିରବତାର ମିନାର ଭାଙ୍ଗି ଗୁଣ୍ଡ ହୋଇଗଲା ଏଥର । ଲୁଟିପଡ଼ିଲା ସେ ସ୍ନେହମୟ ଭାଇଙ୍କ କୋଳରେ । ଏତେ ବୁଝାଇଲା ପରେ ବି ମୌସୁମୀ କାନ୍ଦିଉଠିଲା ବିକଳ ହୋଇ-। କହିଲା–ମୁଁ କି ଦୋଷ କରିଥିଲି ଭାଉଜଙ୍କ ପାଖରେ । ମୋର କେଉଁ ଅପରାଧ ଦେଖି ଭାଉଜ ମୋତେ ଏଠି ଏକୁଟିଆ ଫୋପାଡ଼ି ଦେଇ ଦିଲ୍ଲୀ ଫେରିଯିବାକୁ ମନକଲେ ? ସେ ପରା ମୋତେ ଛାଡ଼ି ଏକୁଟିଆ ରହିପାରନ୍ତିନି ! କେତେଥର ଏକଥା ସେ ମୋତେ ଶୁଣାଇଛନ୍ତି । ସେ ତାହାହେଲେ କାହିଁକି ମିଛ କହିଥିଲେ ? ସେ ମୋଟେ ଭଲ ନୁହଁନ୍ତି ଭାଇନା, ସେ ବହୁତ ମିଛ କହନ୍ତି । ମୁଁ ତମରି ସାଙ୍ଗରେ ଆସିଥିଲି, ପୁଣି ତମରି ସାଙ୍ଗରେ ଫେରିଯିବି । ତାଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ ।

 

ସୂର୍ଯ୍ୟକାନ୍ତ ଭୁଲିଗଲେ ସେ ପୁରୁଷ । ଭଉଣୀର ବିକଳ ଦେଖି ସେ ଆଉ ସହିପାରିଲେନି । କାନ୍ଦିଉଠିଲେ ଶବ୍ଦ କରି ।

 

ସ୍ୱାମୀଙ୍କ ପଛପଟେ ଠିଆ ହୋଇ କଇଁ କଇଁ ହୋଇ କାନ୍ଦୁଥିଲେ ଅଳକା ମଧ୍ୟ । କିନ୍ତୁ ଏ ଦୁହିଁଙ୍କୁ ଦେଖି ସେ ଧୈର୍ଯ୍ୟ ଧରିଲେ । ଅଞ୍ଚଳରେ ପୋଛିଦେଲେ ଦୁହିଁଙ୍କ ଅଶ୍ରୁ । ସ୍ୱାମୀଙ୍କୁ ଇଙ୍ଗିତ କରି କହିଲେ–ତାକୁ ଭିତରକୁ ନେଇଚାଲ ।

 

ସୂର୍ଯ୍ୟକାନ୍ତ ଉଠି ଠିଆହୋଇ ଭଉଣୀକୁ ହାତ ଧରି ଉଠାଇଲେ । କହିଲେ–ଆସେ, ମୋ ରାଣ ଖାଇବୁ ଆ ।

 

ସୂର୍ଯ୍ୟକାନ୍ତ ଏ ରାଣ ପକାପକି ଦେଖିଲେ ହସି ହସି ଗଡ଼ିଯାଆନ୍ତି । କହନ୍ତି ସ୍ତ୍ରୀଲୋକମାନଙ୍କର ଏଇ ମୂଢ଼ତା ଦେଖିଲେ ମୋତେ ହସମାଡ଼େ । ରାଣ ଗୋଟାଏ କ’ଣ ? ଆଜି କିନ୍ତୁ ସେ ଭୁଲିଯାଇଛନ୍ତି ସ୍ନେହ ମମତାବସରେ ସେ ସ୍ତ୍ରୀ ନା ପୁରୁଷ । ଝିଅମାନଙ୍କ ମନକୁ ରାଣ ଭାରି କାଟେ । ସେଥିପାଇଁ ସେ ରାଣର ସୁଯୋଗ ନେବାକୁ ବାଧ୍ୟହେଲେ କି ?

 

ମୌସୁମୀ ଚାଲିଲା ଭାଇନାଙ୍କ ହାତ ଧରି । ରାଣ ତାକୁ କାଟୁ କଲା । ଭାଉଜଙ୍କୁ କିନ୍ତୁ ଚାହିଁଲାନି । ଖାଇବସି କହିଲା–ଭୀମ ମୋତେ ଜଳଖିଆ ଦେଉ, ମୁଁ ଭାଉଜଙ୍କ ହାତରୁ ଖାଇବିନି ।

 

ଅଳକାଙ୍କ ଓଠରେ ଫୁଟିଉଠିଲା ଏକ କରୁଣ ମଲା ହସ । ଯେ ଯାହାକୁ ବେଶୀ ଭଲପାଏ ସେ ତା’ ଉପରେ ବେଶୀ ରାଗେ । ବେଶୀ ଅଭିମାନ କରେ । ଅଳକାଙ୍କ ଉପରେ ଆଜି ମୌସୁମୀର ବହୁତ ରାଗ, ଅଭିମାନ । ଅଳକା ବୁଝିଲେ । ତାଙ୍କ ମୌସୁମୀକୁ ସେ ବୁଝିବନି ତ ଆଉ କିଏ ବୁଝିବ ! କି ଏକ ସୁଖମିଶା ଦୁଃଖ ନେଇ ଚାଲିଗଲେ ସେ ରୋଷେଇଘରକୁ ।

 

ପରିସ୍ଥିତି ଦେଖି ଭୀମ ସବୁ କରି ରଖିଥିଲା ଅଳକାଙ୍କୁ ଅପେକ୍ଷା ନ କରି । ଅଳକା ପରିପାଟି କରି ଜଳଖିଆ ସଜାଡ଼ି ଭୀମ ହାତରେ ପଠାଇଦେଲେ ଡାଇନିଂ ହଲକୁ ।

 

ଭାଉଜ ଖାଇଲେ କି ନାହିଁ ଆଜି ଆଉ ପଚାରିଲାନି ମୌସୁମୀ । ଭାଉଜଙ୍କ ପ୍ରତି ବିଦ୍ରୋହୀ ହୋଇଉଠିଛି ମନ ତା’ର । ନ ଖାଆନ୍ତୁ ସିଏ । ମୌସୁମୀ ମନର ଉପର କବାଟ ସିନା ଆଜି ବନ୍ଦ, ଭାଉଜଙ୍କ ପାଖରେ କିନ୍ତୁ ତା’ର ମନର ଭିତର କବାଟ ଚିର ଉନ୍ମୁକ୍ତ ।

 

ତେଣେ ଅଳକା ମନଶ୍ଚକ୍ଷୁରେ ଦେଖିପାରୁଥିଲେ ଥାଳିରେ ଭାଉଜଙ୍କର ହାତ ନ ଦେଖି ଆଜି ମୌସୁମୀର ପେଟ ପୁରୁନି । ଦୀର୍ଘ ଅଠର ବର୍ଷ ଅଭ୍ୟାସ ମୌସୁମୀର, କାହାରି ନା କାହାରି ସହିତ ଖାଇଆସିଛି । ଅଠର ବର୍ଷରୁ ଶେଷ ଛଅ ବର୍ଷ ଭାଉଜଙ୍କ ସହିତ ଖାଇଛି । ଜ୍ଞାନ ପାଇବା ଦିନଠୁ ଦେଖିଆସୁଛି ଏଇ ମାତୃ ସ୍ୱରୂପିଣୀ ଭାଉଜଙ୍କୁ । ଖାଇଆସିଛି ତାଙ୍କରି ସହିତ । ଆଜି କିପରି ଏକୁଟିଆ ଖାଇବ ! ପେଟ ପୁରିବନି ତ । ଆହା, ରାଗୁ ପଛେ ଶାନ୍ତିରେ ଟିକେ ଖାଆନ୍ତା କି !

 

ଏକୋଇଶି

 

କନକ ନାରାୟଣ ଓ ସୂର୍ଯ୍ୟକାନ୍ତ ଦୁହେଁ ବସିଥିଲେ ବଗିଚାରେ । ସେମାନେ ଝିଅ ଦେଖିଯିବା ଦିନୁ ଡାକ୍ତର ଆଉ ଆସିନାହାନ୍ତି । ସୂର୍ଯ୍ୟକାନ୍ତ ତାଙ୍କୁ ଦେଖିବ ବୋଲି ବଡ଼ ଆଶା କରିଥିଲେ । କନକ ନାରାୟଣଙ୍କ ଆଖିରୁ ପାଣି ମଲାଣି ଡାକ୍ତରଙ୍କ ବାଟ ଚାହିଁ ଚାହିଁ । ସୂର୍ଯ୍ୟକାନ୍ତ ପଚାରିଲେ–ବାପା ଡାକ୍ତରବାବୁ ଲାଜ କରିଆସୁନାହାନ୍ତି ନା କ’ଣ ? ମୁଁ ତ ଶୁଣିଲି ତାଙ୍କର ବେଶ୍‌ ଆଧୁନିକ ଘର । ସେ ଏତେ ଲାଜ କରୁଛନ୍ତି କାହିଁକି ?

 

ବୃଦ୍ଧ ହସିଲେ । କହିଲେ–ତୁମେ ଡାକ୍ତରଙ୍କୁ ଜାଣନି କାନ୍ତ, ଭାରୀ ନୀତିଶୀଳ ପିଲା ସେ-। ନିୟମର ଚଳନ୍ତି ପ୍ରତିମୂର୍ତ୍ତୀ । ଏଇ କେତେ ମାସ ତାକୁ ଦେଖି ତ କଥା ଶୁଣି ତାକୁ ଚିହ୍ନିପାରିଛି-। ଯଦି ବିବାହ ପୂର୍ବରୁ ସେ ଏ ଘରକୁ ଆସେ ମୋରି ପାଇଁ ଆସିବାକୁ ବାଧ୍ୟହେବ, ନହେଲେ ମୋଟେ ଆସିବନି । ତାକୁ ନ ଦେଖିଲେ କାନ୍ତ ମୁଁ ତ ରହିପାରିବିନି । କାଲି ତୁମେ ଅଳକାକୁ ନେଇ ତାଙ୍କ ଘରକୁ ଯାଅ । ତୁମେ ବି ତାକୁ ଦେଖିପାରିବ, ଆଉ ମୋ ଦେହ କଥା କହି ଏଠାକୁ ଆସିବାକୁ ଅନୁରୋଧ କରିବ ।

 

ମୋ ଦେହ କଥା ଶୁଣିଲେ ସେ ନ ଆସି ରହିପାରିବନି । ଆଶ୍ଚର୍ଯ୍ୟ କାନ୍ତ, ତାକୁ ଦିନେ ନ ଦେଖିଲେ ମୋତେ ଯୁଗ ପରି ଲାଗୁଛି । ଏତିକି ସମୟ କଥା କହି ବୃଦ୍ଧ ହାଲିଆ ହୋଇପଡ଼ିଲେ କି କ’ଣ ଅନନ୍ତ ଆକାଶଆଡ଼େ ଚାହିଁ ଚୁପ୍‌ ଚାପ୍‌ ବସିରହିଲେ ।

 

ସୂର୍ଯ୍ୟକାନ୍ତ ଚାରିଆଡ଼େ ଆଖି ବୁଲାଇ ବୁଲାଇ ଚାହୁଁଥିଲେ । ଏଇଠାରେ ବସି ସବୁ କିଛି ଦେଖିବାକୁ ତାଙ୍କୁ ଭାରି ଭଲ ଲାଗେ । ପୂର୍ବ ଦିଗକୁ ଚାହିଁଲେ ଦେଖାଯାଏ ଆକାଶ ଛୁଆଁ ଖଣ୍ଡଗିରି ଚୂଡ଼ା । ସତେଅବା ଆକାଶ ଆସି ଶୁଣେ ଖଣ୍ଡଗିରିଠାରୁ ଅତୀତର ସୁଖ ଦୁଃଖର କାହାଣୀ, ଶୁଣେ ଖାରବେଳଙ୍କ କଥା, ଜୈନ ସନ୍ନ୍ୟାସୀଙ୍କ କଥା, ଶୁଣେ ଆହୁରି କେତେ କ’ଣ । ଆଉ ପଶ୍ଚିମକୁ ମୁଣ୍ଡ ବୁଲେଇ ଦେଖନ୍ତି ଛାୟା ଅନ୍ଧକାରରେ ରହସ୍ୟମୟୀ ମହଲ ସଦୃଶ ଛାୟାନୀଡ଼ । ହଁ ସତର ବର୍ଷ ବୟସରେ ଶୁଭେନ୍ଦୁ ଏଇ ଘରର ନାଁ ଦେଇଥିଲେ ‘‘ଛାୟାନୀଡ଼’’ । ଷ୍ଟେସନରୁ ରିକ୍‌ସାରେ ବସି ଯଦି ‘‘ଛାୟାନୀଡ଼’’ ଯିବ ବୋଲି କୁହ, ତେବେ ରିକ୍‌ସାବାଲା ଆଖିବୁଜି ଆଣି ଛାଡ଼ିଦେବ ଏହି ଗେଟ୍‌ ପାଖରେ । ପିଅନ ‘‘ଛାୟାନୀଡ଼’’ ଥିବା ଠିକଣାରେ ଚିଠି ଦେଇଯାଏ ବିନା ଆୟାସରେ । ଏଇ ‘‘ଛାୟାନୀଡ଼’’ ସୂର୍ଯ୍ୟକାନ୍ତ ଭାରି ଭଲପାଆନ୍ତି ଏଇଠାରେ ବସି ଘରଟି ଦେଖିବାକୁ ଠିକ୍‌ ଏହିପରି ଅନ୍ଧାର ମିଶା ଆଲୁଅରେ । ବାକି ଦୁଇପଟକୁ ଚାହିଁଲେ ବି ଆଖି ଅତୃପ୍ତ ରହେନି । ଉତ୍ତର ପଟେ ଜାମୁ, ଲୁଚି, ସେପେଟା, ଆମ୍ୱ, ପଣସ ଓ ଚାଉଳିଆର ମନଲୋଭା ଉଦ୍ୟାନ । ଦକ୍ଷିଣପଟେ ଦେଶୀ ବିଦେଶୀ ନାନା ଜାତିର କୁସୁମ ସମ୍ଭାର ।

 

ହଠାତ୍‌ ପଚାରିଲେ ସୂର୍ଯ୍ୟକାନ୍ତ–ଆଚ୍ଛା ବାପା, ତଳ ଉପର ହୋଇ ପ୍ରାୟ ଷୋହଳ ସତର ବଖରା ଘର ଅଛି ଆମର ଏଇ କୋଠାରେ । ଏତେଗୁଡ଼ାଏ ବଖରା କାହିଁକି ହୋଇଥିଲା ?

 

କନକ ନାରାୟଣ ହସିଲେ, କହିଲେ–

 

ଆମର ଆଦିବସତି ଘର ବର୍ତ୍ତମାନ ସୁଦ୍ଧା ନିମାପଡ଼ାରେ ଅଛି । ସେକଥା ତୁମେ ତ ଜାଣୁ । ବିରାଟ ଜମିଦାରୀରୁ ପ୍ରଚୁର ଆୟ ହେଉଥିଲା । ମୋର ପିତାମହ କୁଆଡ଼େ ଭାରି ସୌଖିନ୍‌ ଲୋକ ଥିଲେ । ଗ୍ରାମର ପଙ୍କ କାଦୁଅରୁ ସେ ପରିତ୍ରାଣ ପାଇବାକୁ ଏଇଠାରେ ଆସି ଘର ତୋଳି ରହିଗଲେ ।

 

ତୋଳିଲେ ଏଇ ମହଲ ସଦୃଶ ଭୂତ କୋଠିଟା । ହଁ, ମୁଁ ଏକୁ ସବୁବେଳେ ଏବେ ଭୂତକୋଠି ବୋଲି କହେ । ତୁମେମାନେ ସିନା ଅଛ ବୋଲି, ନହେଲେ–ରାତିହେଲେ ମତେ ଏଇ ନିର୍ଜନ ଘର ଲାଗେ ଠିକ୍‌ ଗୋଟାଏ ଭୂତକୋଠି ପରି । ସେତେବେଳେ ଏ ଘର ବୋହୂ, ଝିଅ, ଦାସୀ, ଚାକର ଛୁଆପିଲାଙ୍କ କଳି କୋଳାହଳରେ ମୁଖର ହୋଇଉଠୁଥିଲା । କି, ଯେ କୁଆଡ଼େ ଗଲେ ଭଗବାନ ଜାଣନ୍ତି । ମୁଁ, ମୋ ବାପାଙ୍କର ଗୋଟିଏ ପୁଅ । କଲିକତାରେ ରହି ପାଠ ପଢ଼ିଲି । ଏ ବଂଶର ଇତିହାସ ଜାଣିବାକୁ ଦିନେହେଲେ ମୋରି ଆଗ୍ରହ ହୋଇନି । ଆଜି ମନହୁଏ ଜାଣିବାକୁ, ସବୁ ଶୁଣିବାକୁ । କିଏ ଆଉ ଜଣାଇବ ! ମୁଁ ମାଟ୍ରିକ୍‌ ପାଶ୍‌ କଲାପରେ ବୋଉ ମୋର ଚାଲିଗଲେ ଆରପାରିକି । ମୁଁ ବି.ଏ. ପାଶ୍‌ କଲାପରେ ନନା ମଧ୍ୟ ଚାଲିଗଲେ । ସେତେବେଳକୁ ଛାୟା ଆସିସାରିଥିଲା । ଛାୟା ଆସି ଦୁଇବର୍ଷ ଘର କଲାପରେ ନନା ଗଲେ । ନନାଙ୍କର ଗୋଟିଏ କକେଇ ପୁଅ ଭାଇ ଏ ଘରେ ରହୁଥିଲେ । ତାଙ୍କର ବି ଗୋଟିଏ ପୁଅ ଥିଲା । ନାଁ ଥିଲା ତା’ର ‘‘ରାଜେଶ୍ୱର’’ । ଆମେ ସମସ୍ତେ ଡାକିଥିଲୁ ‘‘ରାଜା’’ । ରାଜାର ଛଅମାସ ବୟସ ବେଳେ ତା’ର ବୋଉ ମରିଯାଇଥିଲେ । ସେଇ ରାଜାକୁ ମୋ ବୋଉ ଜିଆଁଇ ରଖି ମଣିଷ କରିଥିଲେ । ତା’ର ବାର ବର୍ଷ ବୟସରେ ତା’ର ନନା ମଧ୍ୟ ମରିଗଲେ । ରାଜା ଆଉ ମୁଁ ରହିଲୁ ଏକା ମାଆ ପେଟରେ ଦୁଇ ଭାଇ ପରି । ଚଳ ପ୍ରଚଳ ହେଲୁ ଏଇ ଘରେ । ରାଜା ଥିଲା ମୋଠାରୁ ଆଠ ନଅ ବର୍ଷର ସାନ-। ମୁଁ ତାକୁ ଭାରି ଭଲପାଏ । ଛାୟା ଆସିଲେ ଏ ଘରକୁ ବୋହୂ ହୋଇ । ରାଜା ତାଙ୍କରି ବୟସର ହେବ । ସେଇ ରାଜା ଭାଉଜଙ୍କ ସ୍ନେହ ମମତା ସାଗରରେ ଆକଣ୍ଠ ବୁଡ଼ିଗଲା । ଆଉ ରାଜାର ହୃଦୟର ପବିତ୍ର ସିଂହାସନରେ ସ୍ଥାନ ପାଇଲେ ନମସ୍ୟା ଛାୟା ପାଖରେ ରାଜା ହେଲା ଏକାଧାରରେ ପୁଅ, ଭାଇ, ବନ୍ଧୁ । ଛାୟା ଗମ୍ଭୀର ହୋଇ ଉପଦେଶ ଦିଅନ୍ତି, ପୁଣି ଚଟୁଳ ହସି ପରିହାସ ବି କରନ୍ତି ।

 

ଛାୟା ଯେ ଏକମାତ୍ର ରାଜାକୁ ଭଲପାଆନ୍ତି ତା’ ନୁହେଁ–ଆଶ୍ରିତ ଅନାଶ୍ରିତଠାରୁ ଦାସୀ ଚାକରଙ୍କୁ ମଧ୍ୟ ସେ ଭଲପାଉଥିଲେ । ଚାକର ବା ଦାସୀଙ୍କ ଜ୍ୱର ହେଲେ ସେ ନିଜେ ତାଙ୍କର ସେବା କରୁଥିଲେ । ନିଜ ହାତରେ ବାର୍ଲି କରି ପିଆଇଦେବେ । ବିଛଣା ସଜାଡ଼ି ଶୁଆଇଦେବେ । ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ନହେଲେ ସେ ତାଙ୍କମାନଙ୍କୁ କାମ କରିବାକୁ ଦେଉନଥିଲେ । ଏକାଧାରରେ ସେ ଥିଲେ ସ୍ନେହମୟୀ କଲ୍ୟାଣମୟୀ ବଧୂ ଏବଂ ଜନନୀ । ଗ୍ରାମରୁ ନିରାଶ୍ରୟ, ଅସହାୟ ହୋଇ ଯେ ଆସିଲା ତାକୁ ସେ ସ୍ଥାନ ଦେଲେ । ସବୁବେଳେ ତୁଣ୍ଡରେ ତାଙ୍କର ବସା ବାନ୍ଧିଥିଲା ଆହାପଦ । ଅସହାୟ ବିଧବାମାନଙ୍କର ପ୍ରତ୍ୟେକଟି ଇଚ୍ଛା ସେ ପୂର୍ଣ୍ଣ କରୁଥିଲେ । କାହାକୁ ଗୟା ପଠାଇବେ, କାହାକୁ ବୃନ୍ଦାବନ ପଠାଇବେ, କାହା ପୁଅକୁ ପାଠ ପଢ଼ାଇବେ, କାହାଝିଅ ବିଭା ହୋଇପାରୁନି ଟଙ୍କା ଅଭାବରୁ ତାକୁ ଟଙ୍କା ଦେଇ ସାହାଯ୍ୟ କରିବେ । ତାଙ୍କ କାର୍ଯ୍ୟକଳାପରେ ମୁଁ କିନ୍ତୁ ବେଳେବେଳେ ଭୀଷଣ ଚିଡ଼ିଉଠେ । ସେ ନିର୍ବିକାର । ସେବା କରିବାର କ୍ଲାନ୍ତି ନାଇଁ, କି କାହାରି ଅଯଥା ଇତ୍‌ପୀଡ଼ନରେ ବିରକ୍ତି ନାଇଁ । ସବୁବେଳେ ହସ ହସ ମୁହଁ । ଏଇ ବଖରାଗୁଡ଼ିକ ସେଦିନ ଦିନକ ପାଇଁ ହେଲେ ଶୂନ୍ୟ ରହୁନଥିଲା । ମୁଁ ସେତେବେଳେ ହସି ହସି ଭାବୁଥିଲି ଏଇ ବଖରାଗୁଡ଼ିକ ଜେଜେବାପା ହୁଏତ ଛାୟା ଆସିବେ ଜାଣି ତୋଳାଇ ଦେଇଥିଲେ । ନହେଲେ ଏତେ ଲୋକଙ୍କୁ ଛାୟା ସ୍ଥାନ ଦିଅନ୍ତେ କେଉଁଠି ?

 

ସୂର୍ଯ୍ୟକାନ୍ତ ମନଦେଇ ଶୁଣି ଯାଉଥିଲେ ସବୁ କଥା–

 

ମାନସ ଚକ୍ଷୁରେ ଦେଖୁଥିଲେ ସିଏ ସେହି ମହିୟସୀ ମହିଳାଙ୍କ ସୂଚୀ ଶୁଭ୍ର ରୂପ । କଳ୍ପନାର ସେଇ ରୂପ ତଳେ ଫୁଟିଉଠିଲା ଅଳକାର କ୍ଳାନ୍ତିହୀନ କଲ୍ୟାଣମୟୀ ମୁଖଛବି । ଫଟୋରେ ଦେଖିଥିବା ଛାୟାଙ୍କର ଅବିକଳ ନକଲ ହେଲା ସେଇ ଅଳକା ନାମକ ଝିଅଟି । ଆଶ୍ଚର୍ଯ୍ୟ ! ଛାୟାଙ୍କର ରୂପଗୁଣ ସବୁକିଛି ଦେଇ ଛାୟା ସୃଷ୍ଟି କରି ଗଲେ ଅଳକାଙ୍କୁ ।

 

ଆଉ ସେଇ ଅଳକା ହେଲେ ମୋରି ସ୍ନେହମୟୀ, ପ୍ରେମମୟୀ ସ୍ତ୍ରୀ । ତାଙ୍କରି ସାହଚର୍ଯ୍ୟରେ ଧନ୍ୟ ହୋଇଛି ମୋର ଜୀବନ ।

 

ନିଜକୁ ଭାଗ୍ୟବାନ୍‌ ମଣୁଥାନ୍ତି ସୂର୍ଯ୍ୟକାନ୍ତ ।

 

ସୂର୍ଯ୍ୟକାନ୍ତ ପୁଣି ପଚାରିଲେ–

 

ବାପା, ରାଜା କକେଇଙ୍କି ମୁଁ ତ କେଉଁଦିନ ହେଲେ ଦେଖିଲନି । କେଉଁଠାରେ ଅଛନ୍ତି ସିଏ ? କ’ଣ ବା କରନ୍ତି ?

 

ସ୍ମୃତିମନ୍ଥନ କରୁଥିଲେ କନକନାରାୟଣ । ମନ ତାଙ୍କର ବୁଲୁଥିଲା ମହାଶୂନ୍ୟରେ । ସୂର୍ଯ୍ୟକାନ୍ତଙ୍କର ପ୍ରଶ୍ନରେ ସେଇ ମନ ଲେଉଟି ଆସିଲା ନିଜ ଭିତରକୁ । କହିଲେ–ଏଁ, କ’ଣ ପଚାରିଲ ବାପା ? ଗଳାରେ ଆଗ୍ରହ ଭରି ସୂର୍ଯ୍ୟକାନ୍ତ କହିଲେ–ପଚାରୁଥିଲି କି ରାଜା କକେଇ ବର୍ତ୍ତମାନ କେଉଁଠାରେ ଅଛନ୍ତି । ସୂର୍ଯ୍ୟକାନ୍ତ ମୁହଁରେ ଆଖି ରଖିଲେ କନକନାରାୟଣ । ସେ ଆଖିରେ ବିଷାଦର ଘନକାଳିମା ।

 

ସେ ରହି ରହି କହିଲେ–

 

ତା’ର ଭାଉଜ ମରିଯିବାର ତେରଦିନ–ସେ କେଉଁଆଡ଼େ ଚାଲିଗଲା । ଆଉ ଫେରିଲାନି-। ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ବୋଧହୁଏ ବାଧ୍ୟ ହୋଇଥିଲା ରହିବାକୁ । ଆଶ୍ଚର୍ଯ୍ୟ ! ସେଇ ତେରଦିନ ଭିତରେ ସେ ପିଲାଟା ତା’ର ଭାଉଜ ଲାଗି ଟିକିଏ ବି କାନ୍ଦିଲାନି । କ’ଣ ପାଇଁ ଯେ ଭିତରଟା ତା’ର ଏପରି ସ୍ତବ୍‌ଧ ହୋଇଗଲା ସେକଥା ସେଇ ବେଶି ଜାଣେ । ମୁଁ ଜାଣେ କମ୍‌, ଖୁବ୍‌ କମ୍‌-

 

ବାପା......,

 

ସ୍ୱରର ମୂର୍ଚ୍ଛନାରେ ମୁହଁ ଫେରାଇଲେ ପଛପଟକୁ ଶ୍ୱଶୁର ଜାମାତା ଦୁହେଁ । ପାଖରେ ଠିଆହୋଇଛି ମାତୃରୂପିଣୀ ଅଳକା ।

 

ଆଖିରେ ମମତା, କଣ୍ଠରେ ଶାସନ । ଅଳକା କହିଲେ–

 

ଏପର୍ଯ୍ୟନ୍ତ ଏଇ ଥଣ୍ଡାରେ ବସି ରହିଛନ୍ତି । ତୁମକୁ ଥଣ୍ଡାଲାଗିବ ଯେ ବାପା । ଚାଲ, ଘରକୁ ଚାଲ । ଶରତର ଶିଶିର ଭିଜା ଏଇ ସନ୍ଧ୍ୟା ଭାରି ସାଂଘାତିକ । ଏପର୍ଯ୍ୟନ୍ତ କିଏ ବସିଥାଏ ବାହାରେ !

 

ବାପାଙ୍କ ହାତଧରି ଅଳକା ଆଗେଇଗଲେ ଘର ଭିତରକୁ ।

 

ବାଇଶି

 

ଆଜିକୁ ଚାରିଦିନ ହୋଇଗଲା । ତଥାପି ମୌସୁମୀ ଭାଉଜଙ୍କୁ କଥା କହେନି କି ସାଥିରେ ଖାଏନି । ଆଜି ସକାଳୁ ଉଠି ଦେଖିଲା, ବେଳ ହୋଇଗଲାଣି । ସାରା ରାତି ବର୍ଷା ଯୋଗୁ ଶୀତ ଶୀତ ଲାଗୁଛି । ଅଳ୍ପ ଅଳ୍ପ ପବନରେ ଭାସିଆସୁଛି ଶିଉଳୀ ଫୁଲର ବାସନା । ବର୍ଷା ନାହିଁ । ଶେଷ ଆଶ୍ୱିନର ସୁନାଝରା ସକାଳ ।

 

ଭାଇନାଙ୍କ ଶୋଇଲା ଘର ବାରଣ୍ଡା ଦେଇ ଚାଲି ଯାଉ ଯାଉ ଶୁଣିଲା ଭାଉଜଙ୍କ ମଧୁବୋଳା କଣ୍ଠ । ଡାକୁଛନ୍ତି ଭାଇନାଙ୍କୁ–ଚାଲ ଏଥର ମୁହଁ ହାତ ଧୁଅ । ଚା ତ ଥଣ୍ଡା ହୋଇଗଲା । ତୁମର ଏଇ ଗୁଣ ଯୋଗୁଁ ମୁଁ ବାପାଙ୍କୁ ଆଗ ଚା ଜଳଖିଆ ଖୁଆଇ ଦିଏ । ସେ ତୁମକୁ ଖୋଜନ୍ତି । ଶୋଇଛନ୍ତି–କହିବାକୁ ମୋତେ ଯେ କି ଲାଜ ଲାଗେ କ’ଣ କହିବି । ଉଠ, ଏଥର ଚାଲ ।

 

ସୂର୍ଯ୍ୟକାନ୍ତ ଉଠିବାର କୌଣସି ଚେଷ୍ଟା ନକରି କହିଲେ–ଆଚ୍ଛା ଅଳକା, ତୁମେ ଏତେ ଶୁଖିଲା ଦିଶୁଛ କାହିଁକି ? ଏଇ କେତେଦିନ ହେଲା ଦେଖୁଛି ତୁମେ ଏକ୍‌ଦମ୍‌ ଭାଙ୍ଗିପଡ଼ିଛ । କ’ଣ ହୋଇଛି ତୁମର !

 

–କ’ଣ ଆଉ ହେବ । ମୌସୁମୀଟା ମୋତେ କଥା କହୁନି । ସେଥିପାଇଁ ମନ ଭଲ ନାହିଁ-। ତାପରେ ସେ ସାଙ୍ଗରେ ନ ଖାଇବାରୁ ମୋ ପେଟ ପୁରୁନି ।

 

ଲମ୍ୱା ବାରଣ୍ଡାଟା ପାରି ହେଉ ହେଉ ଏତକ ଶୁଣି ମୌସୁମୀ ମନ ଭିତରେ ଛି ଛି କରିଉଠିଲା । ତା‘ପରେ ଓଦା ଓଦା ଘାସର ଗାଲିଚା ମାଡ଼ି ଏଆଡ଼େ ସେଆଡ଼େ ବୁଲିବାକୁ ଲାଗିଲା-। ଚାଲୁ ଚାଲୁ ଚାଲିଗଲା ଭୀମ ଘରଆଡ଼େ । ଦେଖିଲା ଭୀମ ସ୍ତ୍ରୀ ରାଧା ଶାଗ ତୋଳୁଛି ମୌସୁମୀ ପଚାରିଲା–କ’ଣ କରୁଛୁ ରାଧା ?

କ’ଣ ଆଉ କରିବି ନାନୀ, ଶାଗ ଦିଟା ତୋଳୁଛି, ପଖାଳ ଦିଟା ଖାଇବି ବୋଲି ଗାଧୋଇସାରି ।

ବାବୁ ଘରେ ମାଂସ ଅଣ୍ଡା ହୁଏ ବୋଲି ରାଉତ ଘର ଝିଅ ଆଉ ସ୍ୱାଇଁ ଘର ବୋହୂ ରାଧା ଏ ଘର ତରକାରୀ ପତର ଖାଏନି ।

ମୌସୁମୀ ହାତଧରି ଘର ଭିତରକୁ ନେଇଗଲା ରାଧା ଶାଗ ତୋଳା ଛାଡ଼ି । ପିଣ୍ଡାରେ ପିଢ଼ା ପକାଇ ବସିବାକୁ ଅନୁରୋଧ କଲା । ମୌସୁମୀ ବସିଲା । ରାଧା ଶାଗ ବାଛି ବାଛି କାଟୁଥାଏ, ଆଉ ପଦେ ପଦେ ଏଆଡ଼ୁ ସେଆଡ଼ୁ ପଚାରୁଥାଏ । ମୌସୁମୀ ବି ଶାଗ ବଛାରେ ଲାଗିଗଲା ।

ରାଜକନ୍ୟାକୁ ଶାଗ ବାଛିବା ଦେଖି ରାଧା ମିଠାବୋଳା ହସ ଟିକିଏ ହସିଦେଲା । କହିଲା–ତୁମେ ଏତେ ଭଲ ନାନୀ କିନ୍ତୁ ଏତେ ଅବୁଝା କାହିଁକି ?

ମୌସୁମୀ ବିସ୍ମିତ ହୋଇ ପଚାରିଲା–ଅବୁଝା, ଅବୁଝା କ’ଣ ?

–ଅବୁଝା ନୁହେଁ ? ଦୁନିଆର ନିୟମ ନୀତିକୁ ତୁମେ ଯେତେ ଜାଣିଛ ମୁଁ ବା କ’ଣ ଜାଣିଛି । ସବୁ ଝିଅ ପର ଘରକୁ ଯାଆନ୍ତି । ମୋ ଜନମ ଥାନ ଗୋପ ଗାଁ ଛାଡ଼ି ତ ମୁଁ ଆସିଲି । ତୁମ ଭାଉଜ ତ ଏଇ ଗାଁ ଛାଡ଼ି କୋଉ ଗାଁରେ ଯାଇ ରହିଲେ । ଏମିତି ସବୁ ଝିଅ ଦିନେ କୁଆଡ଼ୁ କୁଆଡ଼େ ଚାଲିଯାଆନ୍ତି । କାଲି ତୁମ ଭାଉଜ ଖାଇ ବସିଥିଲେ ମୁଁ ଯାଇ ପହଞ୍ଚିଲି । ଲୁହ ସିଙ୍ଗାଣି ଏକାଠି କରି ଭାତ ଗଣ୍ଡାକ ଖାଉଥାନ୍ତି । ଟୁଲୁବାବୁଙ୍କ ବଣି ଚଢ଼େଇ ଯେତେ ଖାଉଛି ସେ ତା’ଠାରୁ ବି କମ୍‌ ଭାତ ଆଣିଥାନ୍ତି । କହିଲି ଆଉ ଦିଟା ଦିଏ । କାନ୍ଦିଲେ, ନାହିଁ କଲେ । କହିଲେ ଝିଅଟା ମୋ ସାଙ୍ଗରେ ନ ଖାଇଲେ ଯେତେ ଖାଇଲେ ବି ତ ମୋ ପେଟ ପୁରିବନି । ଆଉ କ’ଣ ହେବ । ସେତିକି ଥାଉ । ଆଜି ସିନା ଏଇଠି ଅଛି, କାଲି ତାକୁ ଏଠି ଛାଡ଼ି ଚାଲିଗଲେ ତ ମୋ ଖାଇବା ଏତିକି ।

–ଦେଖିଲ ନାନୀ ତୁମକୁ କେତେ ସେ ଭଲପାଆନ୍ତି, ଆଉ ତୁମେ ତାଙ୍କୁ ଦୁଃଖ ଦେଉଛ-?

ମୌସୁମୀ ଉଠିଲା, କହିଲା–ମୁଁ ଯାଉଛି ରାଧା, ତୁମେ ଥାଅ ।

ମୌସୁମୀ ଚାଲିଆସିଲା ଗୋଟିଏ ବିକଳ ମନନେଇ । ଭାବିଲା–ସତେ ମୋ ଭାଉଜଙ୍କୁ ମୁଁ କେତେ ଦୁଃଖ ଦେଲି ।

ବାରଟା ବାଜିଲା । ସମସ୍ତେ ଖାଇବସିଲେ । ଭୀମ ଡାକିବାରୁ ମୌସୁମୀ କହିଲା–ମୁଁ ଏଇନେ ଖାଇବିନି । ମତେ ଭୋକ ନାହିଁ, ପଛେ ଖାଇବି । ଭୀମ ଏ ବାୟାଣୀ ନାନୀଟିକୁ ଜାଣେ । ସେଥିପାଇଁ ଚୁପ୍‌ ହୋଇ ଚାଲିଗଲା ।

ସମସ୍ତେ ଖାଇସାରିଲେ ଅଳକା ଖାଇବସିଲେ । ଖାଇବସିଲେ ଏତେ ତାଙ୍କର ପାନପତ୍ର ପରି ଚନ୍ଦ୍ରମୁଖକୁ ଦୁଃଖର ରାହୁ ଗ୍ରାସ କରେ । ଭାତ ଗୋଳି ଗୁଣ୍ଡାଟିଏ ପାଟିକୁ ନେଉଛନ୍ତି ମୌସୁମୀ ଆସି ଅଣ୍ଟାରେ ହାତ ଦେଇ ଭାଉଜ ଭାତ ଥାଳିକି ଟିକିଏ ଚାହିଁ ଡାକ ଛାଡ଼ିଲା–ଏ ଭୀମ !

ଅଳକା ତା’ଆଡ଼କୁ ଆଖି ତୋଳି ଟିକିଏ ଚାହିଁଲେ । ତାପରେ ମୁଣ୍ଡ ନୁଆଁଇ ଖାଇବାକୁ ଲାଗିଲେ ।

ଭୀମ ଆସି ପଚାରିଲା–ମୋତେ ଡାକୁଥିଲେ ନାନୀ ?

–ହଁ, ମୋତେ ଭାତ ଦେ ।

ଭୀମ ହାତରେ ଥାଳି ଖଣ୍ଡେ ଧରି ହାଣ୍ଡି ପାଖକୁ ଯାଉଥିଲା, ମୌସୁମୀ ତା’ର ସ୍ୱଭାବ ବିରୁଦ୍ଧ କଣ୍ଠରେ ପାଟି କରିଉଠିଲା । କହିଲା–ଥାଳି କ’ଣ ହେବ ? ମୋତେ ଏଇ ଥାଳିରେ ଭାତ ଦେ । ବହୁତ ତରକାରୀ ଦେ କହି ଭାଉଜଙ୍କ ସାଙ୍ଗରେ ବସିପଡ଼ିଲା ।

ଭୀମ ସ୍ନେହଭରା ଆଖିରେ ଟିକିଏ ଚାହିଁ ଭାତ ତରକାରୀ ଦେଇ ଚାଲିଗଲା ।

ମୌସୁମୀ ଭାତ ଗୁଣ୍ଡାଟିଏ ବଳି ଭାଉଜଙ୍କ ମୁହଁ ପାଖରେ ଧରିଲା ।

ଭାଉଜ ଟିକିଏ ଚାହିଁ ରହିଲେ ।

ନିଅ, ଖାଅ ।

ଭାଉଜ ହାଁ କରି ଗୁଣ୍ଡାଟି ଖାଇଲେ । ଆଖିରେ ଆଖିଏ ପାଣି, ଓଠରେ ହସର ଝଲକ । ସେ ବି ମୌସୁମୀକୁ ଖୁଆଇଦେଲେ । ମୌସୁମୀର ମଧ୍ୟ ଆଖିରେ ପାଣି ମୁହଁରେ ହସ । ଦୁହେଁ ବେକ ଧରା ଧରି ହୋଇ କାନ୍ଦି ଉଠିଲେ ଏଡ଼େ ପାଟି କରି । କେତେ ସମୟ କାନ୍ଦିଲା ପରେ ନିଜକୁ ନିଜେ ପ୍ରବୋଧ ଦେଇ ଖାଇବା ଆରମ୍ଭ କଲେ ।

ଦୁହେଁ ଦ୍ୱାରଆଡ଼େ ଚାହିଁ ଦେଖନ୍ତି ତ ରାଧା ଆଖି ପୋଛୁ ପୋଛୁ ଚାଲିଯାଉଛି ।

ଅଳକା ଡାକ ଛାଡ଼ିଲେ–ରାଧା ଆସୁନୁ, ଚାଲିଯାଉଛୁ କାହିଁକି ?

–ନାଇଁ ନାନୀ, ତୁମକୁ ସିନା ଏତେବେଳକୁ ଖାଇବାକୁ ବେଳ ମିଳିଲା ମୋର କେତେ କାମ । ସଞ୍ଜ ସଳିତା କରିବି, ପାଣିପୁଣା ଟିକିଏ ବୋଲି ଘରେ ନାହିଁ ଆଣିବି । ନଣନ୍ଦ ଭାଉଜ ଏକାଠି ଖାଉଛ, କେତେ ଭଲନାଗୁଛି ଦେଖିବାକୁ । ଇଏ ଯାଇ ଯେମିତି କହିଛନ୍ତି ମୁଁ ତ ଦୌଡ଼ୁଛି ଦେଖିବାକୁ । ଏଥର ମୋ ମନ ଭାରି ଖୁସି, ମୁଁ ଯାଉଛି ।

 

ଦୁହେଁ ଖାଇସାରି କଳ ପାଖରେ ଯାଇ ହାତ ଧୋଇଲେ । ତାପରେ ଦୁହେଁ ଦୁହିଁଙ୍କୁ ଚାହିଁ ହସିଉଠିଲେ । ଭାଉଜ କପଟ ରାଗ ଦେଖାଇ ମୌସୁମୀ ମୁହଁକୁ ଆଞ୍ଜୁଳାଏ ପାଣି ଛାଟି କହିଲେ–ଏତେ ହସୁଛୁ କାହିଁକି ? ମୌସୁମୀ ଅଞ୍ଚଳରେ ମୁହଁ ପୋଛୁ ପୋଛୁ ହସି ହସି ଦଉଡ଼ି ପଳାଇଲା ।

 

ଚାରିଟାବେଳେ ମୌସୁମୀ ନିଦରୁ ଉଠି ଦେଖିଲା ଭାଇନା ଭାଉଜ କୁଆଡ଼େ ବାହାରିଛନ୍ତି-। ଧାଇଁଆସି ପଚାରିଲା–ତୁମେ କୁଆଡ଼େ ଯାଉଛ ଭାଉଜ,ମୁଁ ଯିବି ।

 

–ନାଇଁ ମା’ ତୁ ଆଜି ଯାଆନା, ମୁଁ ଜଣକ ଘରକୁ ଯାଉଛି । ତୁ ବରଂ ବାପାଙ୍କୁ ଟିକେ ଦେଖିବୁ, ମୋର ଡେରି ହୋଇଗଲେ ତାଙ୍କୁ ଖାଇବାକୁ ଦେବୁ । ଟୁଲୁ କଥା ବି ବୁଝିବୁ । ଆମେ ସମସ୍ତେ କାଲି ଖଣ୍ଡଗିରି ଯିବା, ହେଲା ।

 

ହଉ କହି ପ୍ରଜାପତି ପରି ଉଡ଼ିଗଲା ମୌସୁମୀ । ଭାଇନା ଭାଉଜ ସ୍ନହଭରା ଆଖିରେ ଚାହିଁ ରହିଲେ ତା’ ଯିବା ବାଟକୁ । ଏକା ସାଙ୍ଗରେ କହିଉଠିଲେ ବାୟାଣୀ । ତନୁଙ୍କ ଘରେ ପହଞ୍ଚିବା ବେଳକୁ ସୂର୍ଯ୍ୟ ଯାଇ ପଶ୍ଚିମ ସୀମାନ୍ତରେ ଆଉଜି ପଡ଼ିଥିଲେ । ସତେକି ଶୋଭାମୟ ପୃଥିବୀକୁ ଆଉଥରେ ମନଭରି ଦେଖିନେଉଥିଲେ କ୍ଷଣେ ରହି । ଯିବି ଯିବି କରି ଯାଇପାରିନାହାନ୍ତି । ସେହି ରକ୍ତରଙ୍ଗା ସନ୍ଧ୍ୟା ଅଳକାଙ୍କ ମନକୁ ଉଦାସ କରିଦେଲା । ବିଷନ୍ନ ଦୁଇ ଆଖି ମେଲି ଚାହିଁ ରହିଲେ ସେ ବିଦାୟୀ ସୂର୍ଯ୍ୟଆଡ଼େ । ସାରା ଦୁନିଆକୁ ଅନ୍ଧକାର କରି ସୂର୍ଯ୍ୟ ଅସ୍ତ ଯାଇଛନ୍ତି । ପୁଣି କାଲି ସକାଳେ ଯାଇ ଅନ୍ଧକାର ପୋଛିନେବେ ତାଙ୍କ ସୁନାଝରା କରରେ । ମୌସୁମୀ ଚନ୍ଦ୍ରମା ବି ଚାଲିଯିବ ମୋ ଘର ଅନ୍ଧକାର କରି । ଆସିବ ଯାଇ ଛମାସ ବରଷକେ କେବେ ଥରେ । ବୁଣିଦେବ ଆଲୋକ–କଣା ରାଶି ରାଶି । କିନ୍ତୁ ମାସେ ପନ୍ଦର ଦିନ ରହି ଚାଲିଗଲା ବେଳେ ଅଞ୍ଚଳରେ ତା’ର ଗୋଟାଇ ନେଇ ଯିବ ସେହି ଆଲୋକ–କଣା ସବୁ । ଘର ପୁଣି ଅନ୍ଧକାର ।

 

–ନାନୀ, ଏଠି ଠିଆ ହୋଇ ରହିଲ କାହିଁକି, ଆସ ଘରକୁ ଆସ । ସୂର୍ଯ୍ୟକାନ୍ତଙ୍କ ଆଡ଼େ ଆଖିପଡ଼ିବାରୁ କାନ୍ଧରେ ଲୁଗା ଟାଣିନେଲା ତନୁ । ଅଳକା ଗେଟ୍‌ ସାମନାକୁ ଠିଆ ହୋଇଗଲେ ବୋଲି ତାଙ୍କୁ ଦେଖି ଧାଇଁ ଆସିଥିଲା । ସୂର୍ଯ୍ୟକାନ୍ତ ପ୍ରାଚୀର ଆଢ଼ୁଆଳରେ ଠିଆ ହୋଇଥିଲେ, ସେଥିପାଇଁ ତାଙ୍କୁ ସିଏ ଦେଖିପାରିନଥିଲା ।

 

ଅଳକା ପଚାରିଲେ–ଭାଇନା ଘରେ ଅଛନ୍ତି ତ ।

 

–ହଁ, ଅଛନ୍ତି । ତାଙ୍କର ଆଜି ଭାରି ମୁଣ୍ଡ ବିନ୍ଧୁଛି ବୋଲି କୁଆଡ଼େ ଯାଇନାହାନ୍ତି ।

 

ଅଳକା, ଅପରାଜିତା, ଦିବ୍ୟେନ୍ଦୁ ବସି ବିଭାଘର ସମ୍ପର୍କରେ ବହୁତ କଥାହେଲେ । ଦିନ ବି ନିର୍ଦ୍ଦିଷ୍ଟ ହୋଇଗଲା । ଆହୁରି ଏଣୁତେଣୁ ବହୁତ କଥାବାର୍ତ୍ତା ହୋଇ ସେମାନେ ଖାଇ ପିଇ ବାହାରିଲେ ।

 

ଅଳକା ଡାକ୍ତରଙ୍କ ହାତଧରି କହିଲେ–ଆପଣ ଏପରି ରହିଯିବେନି । ବାପା ଆପଣଙ୍କ ପାଇଁ ବାୟା ହୋଇଯାଇଛନ୍ତି । ଆଉ ଆପଣ ତାଙ୍କୁ ନ ଦେଖି କିପରି ରହିପାରୁଛନ୍ତି ! କଣ୍ଠରେ ଅଭିମାନରେ ଅଭ୍ର ଚୂନା ଚୂନା ହୋଇ ଝରିପଡ଼ିଲା ।

 

ଡାକ୍ତର ଲଜ୍ଜିତ ହୋଇ କହିଲେ–ଯିବି, କାଲି ସକାଳୁ ଯିବି ।

 

କିଛି ବାଟ ଚାଲିଆସିଲା ପରେ ଅଳକା ସୁଁ ସୁଁ ହୋଇ କାନ୍ଦିଉଠିଲେ । ସୂର୍ଯ୍ୟକାନ୍ତ ଠିଆ ହୋଇପଡ଼ିଲେ, ଆଖି ବୁଲାଇ ଚାରିଆଡ଼କୁ ଥରେ ଚାହିଁଲେ । ରାସ୍ତା ନିର୍ଜନ । ସ୍ତ୍ରୀଙ୍କ ପିଠିରେ ହାତଦେଇ ଆଉଁସି ଦେଉ ଦେଉ କହିଲେ–ଛି କାନ୍ଦନି, ତୁମେ ଏମିତି ପିଲାଙ୍କ ପରି ହେଲେ ହେବ ? କ’ଣ ଆଉ କରିବା କୁହ ? ଦୁନିଆର ତ ନିୟମ ଏଇଆ । ଚାଲ ସୁନାଟି ପରା କାନ୍ଦନି ।

 

ଅଳକା କାନ୍ଦୁ କାନ୍ଦୁ କହିଲେ–ମୋ ବୋଉକୁ ରଜା କକେଇ ଛାଡ଼ି ଚାଲିଯାଇଥିଲେ, ଅବଶ୍ୟ ମୋ ବୋଉ ମଲା ପରେ । ଆଉ ମୁଁ ବଞ୍ଚି ଥାଉ ଥାଉ ମୋର ମୌସୁମୀ ମୋତେ ଛାଡ଼ି ଚାଲିଯିବ । ଚମକିପଡ଼ିଲେ ସୂର୍ଯ୍ୟକାନ୍ତ । କହିଲେ–ଛି ଛି, ଆଜିପରା ଦିନେ ଏପରି କଥା କହନ୍ତି । ଶୁଭ କାମ କରିବାକୁ ଯାଇ ଏମିତି କହନ୍ତିନି । ଅଳକା ଚୁପ୍‌ କରିଦେଲେ ।

 

ସୂର୍ଯ୍ୟକାନ୍ତ କହିଲେ–ବୁଝିଲ, ସେ ମୁଦିଟା ମନୁ ହାତକୁ ବେଶ୍ ଫିଟ୍ କଲା । ପଥରଟା ତା’ ହାତକୁ ଭାରି ମାନୁଛି । ତାକୁ ଦେଖି ମୋ ଆଖି ଭରିଯାଇଛି । ଯାହାକୁ ପୁରୁଷ କହନ୍ତି ସେଇ ପୁରୁଷ ସିଏ । କଥାବାର୍ତ୍ତା କି ସୁନ୍ଦର ! ବ୍ୟବହାର ମଧ୍ୟ ସେହିପରି । ଭାରି ଭଲ ଲାଗିଲା ତାକୁ ମୋତେ । ସତରେ ତୁମ ସିଲେକ୍‌ସନ ପାଇଁ ତୁମକୁ ପୁରସ୍କାର ଦେବା ଉଚିତ୍‌ ।

 

ସେହି ରାସ୍ତା ମଝିରେ ଠିଆ ହୋଇପଡ଼ିଲେ ଅଳକା । ନିଜର ଅଞ୍ଚଳଟି ସ୍ୱାମୀଙ୍କ ଆଗରେ ବଢ଼ାଇ କହିଲେ–ଦିଅ, ମୁହଁରେ ତାଙ୍କର ଆନନ୍ଦର ଝରଣା ।

 

ସୂର୍ଯ୍ୟକାନ୍ତ ନିଜର ଦକ୍ଷିଣ ହସ୍ତଟି ମଥାରେ ରଖିଲେ ଅଳକାଙ୍କର । ସ୍ୱାମୀଙ୍କର କଲ୍ୟାଣମୟ ରୂପଆଡ଼େ ଚାହିଁ ବିଭୋର ହୋଇପଡ଼ିଲେ ସ୍ନେହମୟୀ ପତ୍ନୀ । ତାପରେ ଆଗେଇ ଚାଲିଲେ ଦୁହେଁ ।

 

ତେଇଶି

Unknown

 

କପୋତୀ ବାହୁନା ଦ୍ୱିପହର ।

 

ଗୋଟିଏ ହାତରେ ଛତା ଅନ୍ୟ ହାତରେ ଡାକ୍ତରୀ ବ୍ୟାଗ୍‍ଟି ଧରି ରାଜାରାଣୀ ମନ୍ଦିର କଡ଼ଦେଇ ବିଲ ଭିତରେ ପଶି ତର ତର ହୋଇ ଆସୁଥିଲେ ଡାକ୍ତର ।

 

ଏଇ ବାଟରେ ଆସିଲେ ଘରେ ଶୀଘ୍ର ପହଞ୍ଚି ପାରନ୍ତି କି କ’ଣ ବୋଧହୁଏ ସେଥିପାଇଁ ସେପଟେ କଲ୍ ଥିଲେ ମନୋରଞ୍ଜନ ସେଇ ବାଟରେ ଆସନ୍ତି ।

 

ଆଜି ବି ଆସୁଥିଲେ ।

 

ଗଡ଼ାଣିଆ ଦେଇ ଲୁଇସ୍‌ ରୋଡ଼କୁ ଉଠିଲା ବେଳକୁ ଦେଖିଲେ ମସ୍ତ ଗୋଟିଏ କଳା ମିଚି ମିଚି ସାପ ସିମେଣ୍ଟ ବେଞ୍ଚ ଉପରୁ ତଳକୁ ଝୁଲିପଡ଼ିଛି, ମାଟି ଛୁଇଁବି ଛୁଇଁବି ହୋଇ ଛୁଇଁପାରିନି-। ଡାକ୍ତର ଆଉ ଟିକିଏ ଉପରକୁ ଉଠିଲେ । ବେଞ୍ଚଟାକୁ ଢାଙ୍କି ରଖିଥିବା ବିରାଟ କୁନ୍ଦଝାଡ଼ଟାର ଡାଳପତ୍ର ଫାଙ୍କରୁ ଗୋଟିଏ ଛୋଟ ମୁଣ୍ଡ ସହିତ ଗୋଲାପି ଗାଲଟିଏ କିଛି ଅଂଶ ଦେଖିବାକୁ ପାଇଲେ । କୌତୂହଳ ବଢ଼ିଲା । ପୁଣି ଟିକିଏ ଘୁଞ୍ଚିଗଲେ । ଯାହା ଭାବିଥିଲେ ସେଇଆ-। ଝିଅଟି ଏକା ନୁହେଁ, ଯୁବକଟିଏ ପାଖରେ ବସିଛି, ଝିଅଟିକୁ କ’ଣ ଖୁଆଇ ଦେଉଛି । ହସିଲେ-

 

ମନେ ମନେ କହିଲେ–ଯୌବନ ବି ଅଦ୍ଭୁତ । ଏତେ ବଡ଼ ଖରାରେ ମୁଣ୍ଡ ଫାଟିଯାଉଛି-। ଛତା ଥାଇ ସୁଦ୍ଧା ମୁଣ୍ଡର ଶିରା ପ୍ରଶିରା ଝିମ୍‌ ଝିମ୍‌ ହୋଇଉଠୁଛି । ଅଥଚ ଏମାନେ ନଜାଣେ କେତେ ଦୂରରୁ ଆସିଛନ୍ତି ଏଇ ନିର୍ଜନ ନିରୋଳା ସ୍ଥାନକୁ, ଟିକିଏ ଏକାନ୍ତ ସାହଚର୍ଯ୍ୟ ପାଇଁ । ଧନ୍ୟ ଧନ୍ୟ ।

 

ଆଗେଇ ଯାଉଥିଲେ ଡାକ୍ତର । କ’ଣ ଭାବି ଚମକିପଡ଼ିଲେ । ତନୁ ଛଡ଼ା ଏଡ଼େ ବଡ଼ ବେଣୀ ଏଠି ଆଉ କାହାର ଅଛି ? ହଁ, ଅଛି ଜଣକର । କିନ୍ତୁ ସେ ଗୋଟିଏ ବିଦେଶୀ ଝିଅ । ସେ ଥାଏ ତା’ର ଭାଉଜର ଅଞ୍ଚଳ ତଳେ । ଲାଜକୁଳି ଲତା । ନାଁ ତା’ର ମୌସୁମୀ । ତେବେ ଏ ବେଣୀ କାହାର ! ଯେଉଁ ପଟେ ଝିଅଟି ବସିଛି ସେଇକଡ଼କୁ ଅଳ୍ପ ଝୁଙ୍କି ମଥା ଭାଙ୍ଗି ଚାହିଁଲେ । ଫିକା ରଙ୍ଗର ସବୁଜ ଲାଇଲନ୍‌ । ଲମ୍ୱା ବେଣୀର ଅଧିକାରୀଣୀର ମୁହଁଟି ଏଥର ଦେଖିପାରିଲେ ଡାକ୍ତର ।

 

ସେଇ କଳା ବେଣୀଟି ଗୋଟିଏ କଳା ନାଗୁଣୀ ପାଲଟି ଗଲା । ଆଉ, ଆଉ ତା’ର ବିଷଦାନ୍ତ ବସାଇ ଦେଲା ଡାକ୍ତରଙ୍କ ଛାତି ଭିତରେ ଠିକ୍‌ କଲିଜାରେ । କଲିଜାଟା ଜଳିଉଠିଲା ହାଉ ହାଉ କରି । ଗୋଟିଏ ହାତରେ ଛତା ଅନ୍ୟ ହାତରେ ବ୍ୟାଗ୍‌ । ଆଉ ହାତ ନାହିଁ ଛାତିଟା ଆଉଁଷିବେ ଯେ । ଇସ୍‌ କି ଯନ୍ତ୍ରଣା !

 

ଟିକିଏ ସମ୍ଭାଳିନେଲେ ନିଜକୁ । ଘରର ମାନ୍‌ ଇଜ୍ଜତ୍ ସବୁକିଛି ଆସିଗଲା ସ୍ମରଣରେ । ତର୍‌ ତର୍‌ ହୋଇ ପଳାଇଗଲେ । ତନୁ ବେକଟା ତାଙ୍କ ହାତମୁଠାରେ ପଡ଼ିଯାଆନ୍ତା କି ତା’ର ସେ ଗ୍ରୀବା ବଙ୍କାଇ ହସିବା ଛଡ଼ାଇ ଦିଅନ୍ତେ । ଓଃ, କି କ୍ଳାନ୍ତ ଲାଗୁଛି ଡାକ୍ତରଙ୍କୁ ।

 

ସକାଳେ ଯାଇଥିଲେ ଚୌଧୁରୀଙ୍କ ଘରକୁ । ସେ ଏପଟୁ ଗଲାବେଳେ ସେପଟୁ ଦଉଡ଼ିଆସୁଥିଲା ମୌସୁମୀ । ଡାକ୍ତରଙ୍କୁ ଦେଖି ଲେଉଟି ପଳାଇଗଲା । ଦୁଇଘଣ୍ଟା ସେଠି ଥିଲେ ଡାକ୍ତର । ଆଉ ଦେଖିନାହାନ୍ତି । ହେଲେ ସେହି କ୍ଷଣଦେଖା ମୁହଁଟି ମନରେ ସ୍ୱପ୍ନ ସୃଷ୍ଟି କରିଥିଲା । ଆଉ ତାକୁଇ ଭାବି ବିଭୋର ହୋଇଆସୁଥିଲେ ଡାକ୍ତର । ପ୍ରବାଳ ଦ୍ୱୀପର ସାତମହଲା ନଅରରେ ସେ ଥିଲେ ରାଜା, ମୌସୁମୀ ରାଣୀ ।

 

ତନୁର ବିଷ ନିଃଶ୍ୱାସର ଝଡ଼ରେ ଚୁର୍‌ମାର ହୋଇଗଲା କଳ୍ପନାର ଆକାଶଚୁମ୍ୱୀ ସୌଧ ତାଙ୍କର ।

 

–ତନୁ ଦେଖ, ସେହି ଲୋକଟାକୁ ଯେ ପାଗଳ ପରି ଦୋହଲି ଦୋହଲି ଚାଲୁଛି । ଦେଖିଲ ନା । ସେ ଲୋକଟା ପ୍ରାୟ ଅଧଘଣ୍ଟେ ଧରି ଏଇ ସେ ପାଖରେ ଠିଆ ହୋଇ ଆମକୁ ଦେଖିଲା । କ’ଣ କହିବକି କ’ଣ କରିବକି ବୋଲି ଭାବୁଥିଲି । କିନ୍ତୁ ନିର୍ବୋଧ ଲୋକଟା, ବୋକାଙ୍କ ପରି ଚାହିଁଚାହିଁ ଚାଲିଗଲା ।

 

ତନୁ ଚେନାଚୁରରୁ କିଛି ପାଟିରେ ପୂରାଇ କିଛି ହାତରେ ଧରି ଠିଆହେଲା । ତା’ ପରେ ମୁଣ୍ଡ ଉଠାଇ ଚାଲିଯାଉଥିବା ଲୋକଟିକୁ ଚାହିଁଲା । ବେଶ୍‌ କିଛି ଦୂର ଚାଲିଯାଇଥିଲା ଲୋକଟି । କିନ୍ତୁ ଛଅଫୁଟ ଲମ୍ୱା ଲୋକଟିକୁ ଚିହ୍ନିବାରେ ତନୁର ଆଦୌ ଅସୁବିଧା ହେଲାନି । କାଗଜ ଫୁଲ ରଙ୍ଗର ପତଳା ଓଠ ଦୁଇଟି ଆସ୍ତେ ଆସ୍ତେ ଥରିଉଠିଲା । ଆଉ, ଝରିଆସିଲା ତା’ର ଘୁମନ୍ତ ଦୁଇଆଖି ପତାରୁ ଅଶ୍ରୁଧାରା । ହାତମୁଠା ଖୋଲିଗଲା । ଝରିପଡ଼ିଲା ଚେନାଚୁରଗୁଡ଼ିକ ଭୂଇଁ ଉପରେ । ତାପରେ ଆସ୍ତେ ଆସ୍ତେ କହିଲା–ଅଧଘଣ୍ଟା ଧରି ସେ ଏଠି ଠିଆ ହୋଇଥିଲେ ? ପ୍ରାଣହୀନ ପ୍ରତିମା ପରି ଠିଆହୋଇ ରହିଲା ସେ ।

 

ଚବିଶ

 

ଡାକ୍ତର ଘରେ ପହଞ୍ଚିଲେ । ଶ୍ରାନ୍ତ କ୍ଳାନ୍ତ ଦେହ, ଆଖିତଳେ ଅବସାଦର କାଳିମା । ଅଣ୍ଟାରେ ସତେଯେପରି କିଏ ପାହାରେ ଦେଇଛି । ସିଧା ହୋଇ ଠିଆହେବା ଶକ୍ତି ନାହିଁ । ଡ୍ରଇଂରୁମ୍‌ର ଗୋଟିଏ ଚେୟାରରେ ଦୁମ୍‌ କରି ବସିପଡ଼ିଲେ ଆଖିବୁଜି ମୁଣ୍ଡରେ ହାତଦେଇ । କେତେବେଳେ ବସିଥିଲେ କେଜାଣି ଅପରାଜିତାଙ୍କ ହାତର ମଧୁର ସ୍ପର୍ଶ ପାଇ ଆଖି ମେଲି ଚାହିଁଲେ ।

ଜବା ଫୁଲ ପରି ଆଖିର ରଙ୍ଗ ଦେଖି ବୋଉଙ୍କର ରକ୍ତ ଶୁଖିଗଲା । ବ୍ୟାକୁଳ ହୋଇ ପଚାରିଲେ–କ’ଣ ହେଲା ତୋର ମନୁ ? ଦେହ କ’ଣ ଭଲଲାଗୁନି ? କେତେବେଳୁ ବସିଲୁଣି ? ମତେ କାହିଁକି ଡାକିନୁ ? କହ ମତେ, କି କଷ୍ଟ ହେଉଛି ତୋର ?

ଡାକ୍ତର ସ୍ମିତ ହସି ଠିଆହୋଇ ବୋଉଙ୍କର ବେକ ଚାରିପଟେ ହାତ ଦୁଇଟି ଘେରାଇ ଦେଇ କହିଲେ–ବୋଉ, ମୁଁ ତୁମର ଗୋଟିଏ ପୁଅ ବୋଲି ତୁମେ ଏପରି ବ୍ୟସ୍ତ ହୋଇପଡ଼ । ମୋର ଆଉ ଗୋଟିଏ ଭାଇ ଥିଲେ ଭଲହୁଅନ୍ତା । ତୁମେ ଏତେ ଆଉ ବିକଳ ହୁଅନ୍ତନି ।

ଅପରାଜିତା ତେଜିଉଠିଲେ । କହିଲେ–ଆରେ ତୋ ପୁଅ ଝିଅ ହେଲେ ତୁ ବାପ ହେବୁ ସିନା, ମାଆ ତ ହେବୁନି । ତେଣୁ ତୁ ବା ମା’ ମନକଥା କ’ଣ ଜାଣିବୁ କହ ? ଦୁଇଟି ପୁଅ କାହିଁକି, ଦୁଇଶହ ପୁଅ ଲାଗି ବି ମାଆର ସମାନ ବ୍ୟାକୁଳତା, ସମାନ ମମତା । ତୁ ମୂର୍ଖ, ତେଣୁ ତୁ ଏପରି କଥା କହିଲୁ । ଏ ବିଷୟ ନେଇ ଆଉ କେବେ କିଛି ମାଆକୁ କହିବୁନି । ତୁ କହିଲୁ ଆଗ ତୋର କ’ଣ ହୋଇଛି ?

–କିଛି ନାଇଁ ବୋଉ । ଖରାରେ ଆସିଲି ବୋଲି କି କ’ଣ ମୁଣ୍ଡଟା ଭୀଷଣ ବିନ୍ଧୁଛି ।

ଅପରାଜିତା ରାଗିଲେ । କହିଲେ–ଘରେ ଗାଡ଼ି ଥାଉ ଥାଉ ତୁ ଏଇ ଖରାରେ ଚାଲି ଚାଲି ଯାଉ କାହିଁକି ? କ’ଣ ହେବ ସେ ଗାଡ଼ି ଥୁଆହୋଇ ? କେତେଥର ତୋତେ କହିଛି ତୁ ଖରାରେ ଚାଲି ଚାଲି ଯାଆନା । କାଲି ଯେବେ ସେ ଗାଡ଼ି ନ ବାହାର କରୁ ତାହାହେଲେ ମୁଁ ପିଟି ପିଟି ସେ ଗାଡ଼ି ଭାଙ୍ଗିଦେବି । ଚାଲ୍‌ କ’ଣ ଦିଇଟା ଖାଇଦେଇ ଶୋଇପଡ଼ିବୁ ।

–ଚାଲ । କ୍ଳାନ୍ତ ପାଦ ଯୋଡ଼ିକ ଘୋସାରି ଘୋସାରି ଡାକ୍ତର ଚାଲିଗଲେ । ଦିବ୍ୟେନ୍ଦୁ ପୁଅ ପାଇଁ ଭାରି ବ୍ୟସ୍ତ ହୋଇପଡ଼ିଲେ । ତାପରେ ପଚାରିଲେ ତନୁ...ଆସିନି ? ଭାରି ଭୋକ କଲାଣି ।

ମନୋରଞ୍ଜନ କହିଲେ–ବୋଉ ମୋତେ ଦିଇଟା ଦେଇଦିଅ । ମୁଁ ଖାଇନିଏ । ମୁଁ ଟିକେ ଶୋଇବି ।

ଦିବ୍ୟେନ୍ଦୁ କହିଲେ–ହଁ ହଁ, ତୁ ଖାଇନେଇ ଶୋଇପଡ଼ ।

ଡାକ୍ତର ଚାଲିଯିବାର ଅଧଘଣ୍ଟା ପରେ ତନୁ ଆସିଲା । ଜ୍ୟୋତିହୀନ ମୁହଁ, ଚାଲିରେ ଜଡ଼ତା, ଆଖିରେ ଭୟ, ଆଶଙ୍କା । ଲୁଗା ଛାଡ଼ି ବାପାଙ୍କ ପାଖରେ ବସିଲା । ତାକୁ ବି ଦେଖି ବୋଉ ଚମକିଉଠିଲେ । କହିଲେ ତୋର ପୁଣି କ’ଣ ହେଲା ?

 

ତନୁ ଚମକିପଡ଼ିଲା–କାହିଁ କିଛି ନାଇଁ ତ ।

 

ବାପା କହିଲେ–ହେବ ଆଉ କ’ଣ ? ସେ ଖରାରେ ଆସି ସେମିତି ଶୁଖିଲା ଦିଶୁଛି । ବର୍ଷାଧୁଆ ଆକାଶର ଖରାଟା ବଡ଼ କାଟେ ।

 

ତନୁ ବୁଝିଲା ବାପାଙ୍କ କଣ୍ଠରେ ସ୍ନେହ, ବୋଉଙ୍କ ପ୍ରଶ୍ନରେ ବ୍ୟାକୁଳତା । ନା, ଭାଇନା କିଛି କହିନାହାନ୍ତି ଘରେ । କହିଥିଲେ ଏଇ ସ୍ନେହ, ଏଇ ମମତା ଆଜିଠାରୁ ତା’ ପାଇଁ ଦୁର୍ଲ୍ଲଭ ହୋଇଥାନ୍ତା । ତାଙ୍କ ପାଖରୁ ଏଇ ଅମୂଲ୍ୟ ସମ୍ପଦ ଦୁଇଟି ମିଳିବ ତ ? ନ ମିଳିଲେ ସେ ବଞ୍ଚିବ ତ ! ଡାକ ଛାଡ଼ି କାନ୍ଦିବାକୁ ଇଚ୍ଛାହେଲା ତନୁର । କାହିଁକି ଘରର ମାନ୍ ଇଜ୍ଜତକୁ ସେ ଏପରି ଭାବରେ ଦାଣ୍ଡରେ ଗଡ଼ାଇଦେଲା ! ଆଉ ଦୁଇମାସ ପରେ ସେ ବି.ଏ. ପାଶ୍‌ କରିବ । ଏ ପିଲାଳିଆ ବୁଦ୍ଧି ତାକୁ କାହିଁକି ଗ୍ରାସିଲା ।

 

ଦିବ୍ୟେନ୍ଦୁ ପଚାରିଲେ–ଖାଉନୁ କାହିଁକି, କ’ଣ ହେଲା ?

 

–ବାପା, ଭାଇନା ?

 

–ତା’ର ଭାରି ମୁଣ୍ଡରେ ଯନ୍ତ୍ରଣା ହେଉଛି ମା’ । ସେ ଖାଇନେଇ ଶୋଇବାକୁ ଚାଲିଗଲା-। ତୁ ଖାଆ ।

 

ତନୁ ବୁଝିଲା, ତାରି ଲାଗି ଭାଇନା ଆଜି ପ୍ରଥମଥର ପାଇଁ ଖାଇବା ଟେବୁଲ ପାଖରେ ଅନୁପସ୍ଥିତ । ତାଙ୍କରି ଶୂନ୍ୟ ଚେୟାର ଆଡ଼କୁ ଚାହିଁ ମନ ତା’ର କାନ୍ଦିଉଠିଲା । ତଥାପି ଧୈର୍ଯ୍ୟ ଧରି ଖାଇନେଲା ।

 

ଚଞ୍ଚଳ ହାତ ଧୋଇ ଚାଲିଗଲା ଶୋଇବା ଘରକୁ । ଦେଖିଲା–ଦୁଆର ବନ୍ଦ ଥିଲେ ମଧ୍ୟ ଝରକା ଖୋଲା ଅଛି । ଝରକା ପାଖରେ ଠିଆହେଲା । ଘର ଭିତରେ ଛାଇ ପଡ଼ିଲା । ଡାକ୍ତର ରାଇଟିଂ ପ୍ୟାଡ୍‌ରେ କ’ଣ ଲେଖୁଥିଲେ ଛାତିରେ ତକିଆ ଦେଇ । ଛାଇ ପଡ଼ିବା ଦେଖି ମୁଣ୍ଡ ଉଠାଇ ଚାହିଁଲେ । ତନୁକୁ ଦେଖି ଗମ୍ଭୀର ହୋଇ ପୁଣି ମୁଣ୍ଡ ନୁଆଁଇ ଲେଖାରେ ମନୋନିବେଶ କଲେ । ସତେଅବା ତନୁ ବୋଲି କୌଣସି ଝିଅକୁ ସେ ଚିହ୍ନି ନାହାନ୍ତି ତନୁର ମନ ବିକଳି ଉଠିଲା । ଡାକିଲା ଏଥର ସାହସ କରି–ଭାଇନା, ମୁଁ ଏପରି କାମ ଆଉ ଦିନେ କରିବିନି । ମୋଠାରୁ ଆଉ କୌଣସି ଦିନ ତୁମେ ଦୁଃଖ ପାଇବନି । ଭାଇନା ମୋତେ କ୍ଷମା କର । ତୁମେ ଯେପରି ଭଲପାଅ, ମୁଁ ଏଥର ସେହିପରି ଚଳିବି । ତୁମେ ବିଶ୍ୱାସ କର ଭାଇନା, ମୁଁ ଅନୁତାପ କରୁଛି । ଭାଇନା ମୋତେ କଥା କୁହ, ମତେ ଚାହଁ, ମୁଁ ଆଉ କେବେହେଲେ ଏପରି ଭୁଲ୍‌ କରିବିନି ଭାଇନା ।

 

କିଏ ଯେପରି କାହାକୁ କହୁଛି । ଡାକ୍ତର ବର୍ତ୍ତମାନ ବଧିର । କାନରେ ପଶିଲେବି ଅନ୍ତରରେ ଭେଦୁନି ତନୁର ଏ ବ୍ୟାକୁଳତା । ତନୁ ମୁହଁରେ ଲୁଗା ଚାପି ଏଥର କାନ୍ଦିଉଠିଲା ।

 

ତା’ କାନ୍ଦ ଶୁଣି ଡାକ୍ତର ଏଥର ଜଳିଉଠିଲେ । କହିଲେ–ସେ ବୁଢ଼ା ବୁଢ଼ୀ ଦୁଇଟାଙ୍କୁ ତୋର ଏ କିର୍ତ୍ତୀଗାଥା ନ ଶୁଣାଇ ଶାନ୍ତି ପାଇନୁ କି । ଘରେ କୌଣସି ଅଶାନ୍ତି କରିବାର ଅଧିକାର ନାହିଁ ତୋର । କାନ୍ଦିବାକୁ ହେଲେ ନିଜର ଶୋଇବା ଘରେ କାନ୍ଦ୍‌ ଯା । ଯା ମୋ ଆଖିଆଗରୁ । ତତେ ପୁଣି ବିଶ୍ୱାସ !

 

ତନୁ ସ୍ତବ୍‌ଧ ହୋଇ କିଛି ସମୟ ଠିଆ ହୋଇ ରହିଲା । ତାପରେ ମୁଣ୍ଡ ପୋତି ଆସ୍ତେ ଆସ୍ତେ ଚାଲିଗଲା ।

 

ଡାକ୍ତର ଜଳନ୍ତା ଆଖିରେ ଚାହିଁ ରହିଲେ ଭଉଣୀର ଗଲା ବାଟକୁ ।

 

ପଚିଶି

 

ଅପରାଜିତା ସ୍ୱାମୀ ଆଉ ପୁତ୍ରକୁ ସକାଳର ଜଳଖିଆ ପରିବେଷଣ କରୁ କରୁ ମଳିନ ମୁହଁରେ କହିଲେ–କ’ଣ କରିବି କହିଲ, ଆଜିକୁ ଚାରିଦିନ ହୋଇଗଲା । ତନୁର ଜ୍ୱର ଛାଡ଼ୁନି । ଆଖି ବି ଟିକିଏ ଖୋଲୁନି । ଅଥଚ ଆଜି ନିର୍ବନ୍ଧ । ଭଲଥିଲେ କେଡ଼େ ଖୁସି ହେଉଥାନ୍ତା । ଆଶ୍ଚର୍ଯ୍ୟ, ମନୁଟା କି ପିଲା ଭଉଣୀଟାକୁ ଟିକିଏ ଦେଖିବାକୁ ବି ଆସୁନି । କ’ଣ ଯେ ତା’ର ହୋଇଛି ଭଗବାନ ଜାଣନ୍ତି । ଭଉଣୀ ଭଉଣୀ ବୋଲି ପାଣି ପିଏନି, ଅଥଚ ସେଇ ଭଉଣୀକୁ ଦେଖିବାକୁ ହେଲେ ଟିକିଏ ଆସୁନି ।

 

ମନୋରଞ୍ଜନ ଆଡ଼କୁ ମୁହଁ ଫେରାଇଲେ ଅପରାଜିତା ।

 

ରୁକ୍ଷ କଣ୍ଠରେ କହିଲେ–କ’ଣ ହୋଇଛି କିରେ ତୋର । ତୋ ପାଖରେ କି ଅପରାଧ କଲା ତନୁ ? ପଚାରିସାରି ଛୋଟ ଛୋଟ ଆଖିରେ ଚାହିଁଲେ ଅପରାଜିତା ପୁଅ ମୁହଁକୁ ।

 

ଆମ୍‌ଲେଟର କୋଣରୁ ଟିକିଏ ଭାଙ୍ଗି ମୁହଁରେ ଦେଉ ଦେଉ ମନୋରଞ୍ଜନ ଭାବହୀନ ମୁଣ୍ଡକୁ ବୁଲାଇ ନେଲେ ଅନ୍ୟଆଡ଼କୁ ।

 

ପୁଅର ସେହି ମୁହଁ ଦେଖି ସ୍ତବ୍‌ଧ ହୋଇଗଲେ ଅପରାଜିତା ।

 

ମା’ ପୁଅଙ୍କର କଥାବାର୍ତ୍ତା ଭାବଭଙ୍ଗୀକୁ ଲକ୍ଷ୍ୟ କରୁଥିଲେ ଦିବ୍ୟେନ୍ଦୁ ।

 

ବାପାଙ୍କ ମୁହଁକୁ ଚାହିଁ ସଚେତନ ହୋଇଉଠିଲା ମନୋରଞ୍ଜନ । ସାଙ୍ଗେ ସାଙ୍ଗେ ନିଜକୁ ସମ୍ଭାଳି ନେଇ କହିଲେ–ତୁମେ ଏମିତି କାହିଁକି ହେଇଛ ବୋଉ ? ଜ୍ୱର କ’ଣ କାହାକୁ ହୁଏନି ? ଜ୍ୱର କ’ଣ ତା’ର ଛାଡ଼ିଯିବନି । ଏତେ ସାମାନ୍ୟ କଥାରେ ବ୍ୟସ୍ତ ହୋଇପଡ଼ କାହିଁକି ?

 

ଡାକ୍ତର ମନୋରଞ୍ଜନଙ୍କ ମୁହଁରେ ଫୁଟିଉଠିଲା ଗମ୍ଭୀର ବିରକ୍ତି ।

 

ଅପରାଜିତା ମୂକ ଆଖିରେ ଚାହିଁଲେ ପୁଅର ମୁହଁକୁ । କହିଲେ–ଟିକିଏ ଜ୍ୱର ହୋଇଛି-? ତା’ର ଜ୍ୱର ତୁ ମାପିଥିଲୁ ? ପରୀକ୍ଷା କରି ଦେଖିଥିଲୁ ତା’ର କେତେ ଜ୍ୱର ରହୁଛି ଦେହରେ-। କ୍ରୋଧରେ କଣ୍ଠ ତାଙ୍କର ରୁଦ୍ଧ ହୋଇଆସିଲା । ସ୍ୱାମୀଙ୍କଆଡ଼େ ମୁହଁ ବୁଲାଇ କହିଲେ–ବୁଝିଲ-! ଝିଅଟା ମୋର ଭାଇନା, ଭାଉଜ ହୋଇ ବିକଳ ହେଉଛି, ଅଥଚ ଇଏ ଟିକିଏ ବୋଲି ଟିକିଏ ତା’ ପାଖ ମାଡ଼ୁନି । ଔଷଧ ବି କ’ଣ ଟିକିଏ ଦେଉଛି ଯେ ତା’ ପୁଣି ମୋରି ହାତରେ ପଠାଇଦେଇଛି-। ଏଇ ପିଲାଟା ଏମିତି ବଦଳିଯାଇଛି କାହିଁକି ? ମୁଁ ତ କିଛି କଥା ବୁଝିପାରୁନି !

 

ବସିବା ଭଙ୍ଗୀକୁ ବଦଳାଇଦେଲେ ମନୋରଞ୍ଜନ, କହିଲେ–

 

ମୁଁ ତାକୁ ଦେଖିବାକୁ ଆଦୌ ଯିବିନି, ମୋଟେ ଯିବିନି । ମୁଁ ତା’ ପାଇଁ କିଛି କରିପାରିବିନି-। ତାପାଇଁ ତୁମେ ଅନ୍ୟ ଡାକ୍ତର ଦେଖ ।

 

ମାଆ ମୁହଁ ଉପରେ ପୁଅର ଆଜି ଏଇ ପ୍ରଥମ ପ୍ରତିବାଦ ।

 

ଅବାକ୍‌ ଆଖିରେ ପୁଅର ମୁହଁକୁ ଚାହିଁଲେ ଅପରାଜିତା । ଅଶ୍ରୁରୁଦ୍ଧ କଣ୍ଠରେ କହିଲେ–ତାକୁ ତୁ ଦେଖିପାରିବୁନି ନାଁ–ହଇରେ–କ’ଣ କହିଲୁ–ଆଉ ଥରେ କହିଲୁ । ମୁଁ ଅନ୍ୟ ଡାକ୍ତର ଡାକିବି । ହଇରେ ଅଲକ୍ଷଣା, ତତେ ମୁଁ କାହିଁକି ଡାକ୍ତର କରିଥିଲି । ଏଁ–ମୋ ପଇସାରେ ପାଠପଢ଼ି, ପଇସା ଖାଇ ମଣିଷ ହୋଇଗଲୁ ବୋଲି, ଆଜି ମୋ ମୁହଁରେ କଥା କହୁଛୁ ନାଁ ? ବାହାର ମୋ ଘରୁ, ଏହିକ୍ଷଣି ବାହାରିଯା । ବାହାର ....

 

ପୁଅ ମୁହଁକୁ ଚାହିଁ ପଥର ପାଲଟି ଯାଇଥିଲେ ଦିବ୍ୟେନ୍ଦୁ ।

 

ମାଆ ମୁହଁରେ ପୁଅ ଏମିତି କି କଥା କହୁଛି ! ରାମଚନ୍ଦ୍ର ତୁଲ୍ୟ ପୁଅ ତାଙ୍କର ଆଜି ଏ କି ବ୍ୟବହାର ତା’ର ! ଅନ୍ତରଟା ତାଙ୍କର ହଠାତ୍‌ ବାହୁନିଉଠିଲା । ମୁହଁ ବୁଲାଇ ଥରେ ଚାହିଁଲେ ସିଏ ଅପରାଜିତାଙ୍କ ଅଶ୍ରୁଳମୁହଁ । ଦୁହିଁଙ୍କ ମୁହଁକୁ ଚାହିଁବା ଛଡ଼ା ତାଙ୍କର ଆଉ କରିବାର କିଛି ନଥିଲା । ଏପରି ଘଟଣା ଘଟିବା ଏ ଘରେ ଆଜି ପ୍ରଥମ । ତେଣୁ ସେ ମନରେ ବହୁତ ବ୍ୟଥା ପାଉଥିଲେ ।

 

ମନୋରଞ୍ଜନ ବୋଉଙ୍କର ବାଦନାୟୀତ ମୁହଁକୁ ଚାହିଁଲେ । ତାପରେ–କ୍ଷୁବ୍‌ଧ ମନନେଇ ସେ ସେଠାରୁ ଉଠି ଚାଲିଗଲେ ନିଜର ଶୋଇବା ଘରକୁ ।

 

ପୁଅ ଚାଲିଗଲା ପରେ ଦିବ୍ୟେନ୍ଦୁ କହିଲେ–ଶାନ୍ତ ହୁଅ ଜିତା, ଏପରି ଉତ୍ତେଜିତ ହେଲେ କୌଣସି ଦିନ ବୁଝିପାରିବନି ତୁମେ ତୁମ ପୁଅ ଝିଅଙ୍କୁ । କାହିଁକି ମନୁ ତା’ର ଗୋଟିଏ ବୋଲି ଭଉଣୀ ପ୍ରତି ଏପରି ବ୍ୟବହାର କରୁଛି–ସେଇ କଥାଟା ଭାବିବା ଆମେ । ସେ ନକହିଲେ ନାହିଁ । ହୁଏତ ନ କହିବା ପରି କିଛି ଘଟିଛି ନହେଲେ ତୁମେ ଭାବି ଦେଖ ମନୁ କେତେ ଭଲପାଏ ସେଇ ତନୁକୁ । ଆଉ ସେଇ ମନୁର ଆଜିକାର ଏଇ ନିଷ୍ଠୁରତା ପାଇଁ କିଛି କ’ଣ ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟି ନାହିଁ ! ମନୁ ତୁମର ସେପରି ପୁଅ ନୁହେଁ, ଏକଥା ମୋଠୁ ନିଶ୍ଚୟ ଅଧିକ ଜାଣ ।

 

ସାଧାରଣ ସ୍ତ୍ରୀଲୋକ ପରି ଗର୍ଜିଉଠିଲେ ଅପରାଜିତା ।

 

ଖତେଇ ହେଲାପରି କହିଲେ–ଆହା ହା ହା, ମୋ ପୁଅ ତ ସେପରି ପିଲା ନୁହେଁ । ହୁଁ–ହୁଁ ଆଉ, ତାହେଲେ କ’ଣ ମୋ ଝିଅଟା ଖରାପ ? ଭାରି ଭଦ୍ରଲୋକି ଆସିଲ ତୁମେ । ଝିଅ ମୋର ଏଡ଼େ ବଡ଼ ଜ୍ୱରରେ ବାପାକୁ ଖୋଜୁନି, କିମ୍ୱା କରିବାକୁ ତା’ ମାଆକୁ ବି ଖୋଜୁନି । ଚବିଶ ଘଣ୍ଟା ଭାଇନା, ଭାଇନା ହେଉଛି । ଅଥଚ...କଥା କହିପାରିଲେନି ଆଉ ଅପରାଜିତା । କାନ୍ଦିଉଠିଲେ ଠିକ୍‌ ଛୋଟ ପିଲାଙ୍କ ପରି ।

 

ଶୂନ୍ୟରେ ଆଖି ରଖି କ’ଣ ଯେପରି ଭାବୁଥିଲେ ଦିବ୍ୟନ୍ଦୁ ।

 

ହଠାତ୍‌ ଦିବ୍ୟେନ୍ଦୁଙ୍କର ଦୁଇ ଭ୍ରୂଲତା ମଝିରେ ସୃଷ୍ଟି ହେଲା ତ୍ରିକୋଣ ଗୋଟିଏ ସୂଷ୍ମରେଖା । ତାଙ୍କ ଭିତରେ ବିରକ୍ତିଭାବ କିମ୍ୱା ଚିନ୍ତାର ଭାବ ଉଦୟହେଲେ–ଏହିପରି ତାଙ୍କର ଭ୍ରୂଲତା ମଝିରେ ଗୋଟାଏ ତ୍ରିକୋଣ ଚିହ୍ନ ଦେଖିବାକୁ ମିଳେ ।

 

କ୍ରନ୍ଦନରତା ସ୍ତ୍ରୀଙ୍କୁ ସାନ୍ତ୍ୱନା ଦେବା କଥା ଭୁଲିଗଲେ ଦିବ୍ୟେନ୍ଦୁ ।

 

କ’ଣ ଯେ ଭାବୁଛନ୍ତି ସେ କିଛି ବୁଝାପଡ଼ୁନି ।

 

କିନ୍ତୁ ସେହି ରେଖାଙ୍କିତ ମୁହଁରେ ନିଶ୍ଚଳ ହୋଇ ବସି ରହିଲେ ଦିବ୍ୟେନ୍ଦୁ ।

 

ଅପରାଜିତା ବହୁ ସମୟଧରି କାନ୍ଦିବା ପରେ ଭାରାକ୍ରାନ୍ତ ହୃଦୟ ନେଇ ଉଠିଗଲେ ସେଠାରୁ । ଚାଲିଲେ ତାଙ୍କର ଯୁଗଯୁଗର କ୍ଳାନ୍ତି ।

 

ଦିବ୍ୟେନ୍ଦୁ କିନ୍ତୁ ଭାବି ଚାଲିଛନ୍ତି ।

 

ଭାଇ ଭଉଣୀ ଭିତରେ କ’ଣ ଏପରି ଘଟିପାରେ ! ମନୁ ପରି ପୁଅ, ମନୁପରି ଭାଇ, ଗୋଟିଏ ବୋଲି ଭଉଣୀ ସମ୍ପର୍କରେ କିପରି କହିଗଲା ସେଇ କଥାଗୁଡାକ ! ଇସ୍‌.....ମାଆ ମୁହଁରେ କେମିତି କବାବ୍‌ ଦେଉଥାଏ ପିଲାଟା ! କହୁଛି କଣନା–ତାକୁ ମୁଁ ଦେଖିପାରିବିନି, ଅନ୍ୟ ଡାକ୍ତର ଦେଖ ! ଆଶ୍ଚର୍ଯ୍ୟ...ମନୁ ମୁହଁର ସେଇ କେଇଟି କଥାକୁ ନିଜ ମନରେ ବିଶ୍ଳେଷଣ କରିଚାଲିଥିଲେ ରିଟାୟାଡ଼୍‌ ଜଜ୍ ଦିବ୍ୟେନ୍ଦୁ ମିଶ୍ର । ଶୁଖିଲା ମୁହଁ ଆଉ ଭାରାକ୍ରାନ୍ତ ମନ ନେଇ ଅପରାଜିତା ମନୋରଞ୍ଜନଙ୍କର ନିର୍ବନ୍ଦ ସାରିଲେ ।

 

ଛବିଶି

 

ତନୁ ଦେହ ଭଲ ଅଛି । ଦୁଇଦିନ ହେଲା ତାକୁ ଜ୍ୱର ଛାଡ଼ିଗଲାଣି । ପଥି କରୁଛି । ଏକା ଟେବୁଲ୍‌ରେ ସମସ୍ତେ ଏକାଠି ବସି ଖାଆନ୍ତି । ମନୋରଞ୍ଜନ କିନ୍ତୁ ଭଉଣୀ ସାଙ୍ଗରେ କଥା କହିବା ତେଣିକି ଥାଉ ଆଖି ତୋଳି ମୁହଁକୁ ତା’ର ଚାହେଁନି ସୁଦ୍ଧା । ଅପରାଜିତାଙ୍କ ଆଖିରେ ରାଗ, ବେଦନା, ଅଭିମାନ ଭରି ରହିଛି । ମନୋରଞ୍ଜନଙ୍କର ବ୍ୟବହାର ଖୁବ୍‌ ବାଧିଛି ତାଙ୍କୁ । ସେ ମଧ୍ୟ ପୁଅକୁ ଭଲକରି କଥା କୁହନ୍ତିନି । ଆଉ ଦିବ୍ୟେନ୍ଦୁ ତାଙ୍କର ଦୃଷ୍ଟିଭଙ୍ଗୀ ଭିନ୍ନ । ତାଙ୍କର ଭାବନାର ପଦ୍ଧତି ମଧ୍ୟ ଭିନ୍ନ । ସେ କେବଳ ଚାହିଁ ଚାହିଁ ଦେଖନ୍ତି ପୁଅ ଆଉ ଝିଅକୁ । ସେ ଭଲକରି ଲକ୍ଷ୍ୟ କରିଛନ୍ତି ଭଉଣୀ ଉପରେ ମନୋରଞ୍ଜନର ଆଖି ପଡ଼ିଗଲେ ସେଇ ଆଖିକୁ କିପରି ଅଦ୍ଭୁତ ଭଙ୍ଗୀରେ ବୁଲାଇନିଏ ମନୋରଞ୍ଜନ, ଆଖିରେ ତା’ର ଭରିଯାଏ ରାଶି ରାଶି ବିରକ୍ତି, ବିରାଗ, ଘୃଣା-

 

ଆଉ ଭଉଣୀର ଆଖି । ମନୋରଞ୍ଜନର ମୁହଁରେ କେତେଥର ତନୁଶ୍ରୀ ମେଲିଦେଇଛି ତା’ର ବିଷାଦ ଆଖି ଦିଓଟି । ସେହି ଆଖିରେ ତା’ର ଭରି ରହିଥାଏ ବେଦନା, ଅପରାଧ, ଲଜ୍ଜା । ସବୁ ସେ ଚାହିଁ ଚାହିଁ ଦେଖିଛନ୍ତି । ଦେଖିବା ତାଙ୍କର ବହୁକାଳର ଅଭ୍ୟାସ । ବିଚାର ବିଭାଗରେ ଥିଲେ କି ନା । ତେଣୁ ଶୁଣିବାଠୁ ଦେଖିବାହିଁ ହେଲା ତାଙ୍କର କାମ । ମୁହଁ ଦେଖି ସେ ମନର କଥା ବୁଝନ୍ତି । ଏଇ ଦୁଇଜଣଙ୍କୁ ଦେଖି ଦେଖି ସେ ଏତିକି ବୁଝିଥିଲେ ଯେ ତନୁଶ୍ରୀ ଏପରି କିଛି ଅପରାଧ କରିଛନ୍ତି ଯେଉଁଥିରେ କି ଭାଇସାହେବ ଆଦୌ ତାଙ୍କୁ କ୍ଷମା କରିପାରୁନାହାନ୍ତି । କି ସେ ଅପରାଧ-!!

 

ଗୋଟାଏ ଅସ୍ପଷ୍ଟ ସନ୍ଦେହରେ ମନ ତାଙ୍କର କୁହୁଳୁଥିଲା । ମନ ତାଙ୍କର ବାରବାର କହିଲା–ସନ୍ଦେହ ତାଙ୍କର କଦାପି ଅମୂଳକ ହୋଇପାରେନା । ତନୁକୁ ନେଇ କୌଣସି ଲଜ୍ଜାର କାରଣ ଘଟିଛି ଯାହା ନିଜ ଆଖିରେ ଦେଖିଛି ମନୋରଞ୍ଜନ । ଆଉ ଯାହା ଦେଖି ତିକ୍ତ ହୋଇଯାଇଛି ମନୁର ସ୍ନେହଶୀଳ ମନଟା । ଭାବନାରେ ତାଙ୍କର ପୂର୍ଣ୍ଣଛେଦ ଟାଣିଦେଲେ ଡାକ୍ତର ମନୋରଞ୍ଜନ ।

 

ହଠାତ୍‌ ମନୋରଞ୍ଜନ କହିଉଠିଲେ–

 

ବାପା, ତନୁ ଆଉ କାଲିଠୁ କଲେଜ ଯାଇପାରିବନି । କ’ଣ ହେବ ଏତେ ପଢ଼ି । ଚାକିରି ତ କରିବାକୁ ଯିବନି । ତୁମେ ଦିନେ ନାହିଁ କରିଥିଲ ତାକୁ କଲେଜ ପଠାଇବାକୁ । ମୁଁ କିନ୍ତୁ ଭାସିଯାଇଥିଲି ସମୟର ସୁଅରେ । ଛାଡ଼, ଝିଅ ହିସାବରେ ତା’ର ଯଥେଷ୍ଟ ପାଠ ହୋଇଗଲାଣି । ମୁଁ ତା’ର ପାତ୍ର ଖୋଜୁଛି ।

 

ଅସ୍ଫୁଟ କଣ୍ଠରେ ତନୁଶ୍ରୀ ଆର୍ତ୍ତନାଦ କରିଉଠିଲା–ଭାଇନା....

 

ତୀର୍ଯ୍ୟକ ଦୃଷ୍ଟି ହାଣି ଭଉଣୀର ମୁହଁକୁ ଚାହିଁଲେ ଡାକ୍ତର । ତାପରେ ମୁହଁ ବୁଲାଇନେଲେ । ଗଳାରେ ଅଶ୍ରୁଭରି ତନୁଶ୍ରୀ କହିଲା–ମାତ୍ର ଆଉଦୁଇଟି ମାସ ରହିଲା ମୋର ଫାଇନାଲ ପରୀକ୍ଷା । ମୁଁ ବି.ଏ ପାସ୍ କରିବି । ତୁମେ ଦୟାକରି ମତେ ସେଇ ସୁଯୋଗ ଟିକକ ଦିଅ ଭାଇନା । କଥା କହୁ କହୁ କାନ୍ଦିଉଠିଲା ତନୁଶ୍ରୀ । ଭାଙ୍ଗିପଡ଼ିଲା ସିଏ ସେଇ ଟେବୁଲ୍ ଉପରେ ।

 

ମନୋରଞ୍ଜନ ଗମ୍ଭୀର ଗଳାରେ କହିଲେ–

 

କ’ଣ ହେବ ପାଠ ପଢ଼ି ? ମୋ ବୋଉ ତ ପଢ଼ିନାହାନ୍ତି ? ତଥାପି ମୋ ବୋଉ ଏ ଘରର ଲକ୍ଷ୍ମୀ । ସ୍ନେହ ମମତାର ପ୍ରତିମୂର୍ତ୍ତି । ଏ ଘରର ମାନ, ଇଜ୍ଜତ, କେବେ କ’ଣ କ୍ଷୁଣ୍ଣ ହୋଇଛି ତାଙ୍କର ବିଦ୍ୟା ଅଭାବରୁ ? ଏ ଘରର ଆଲୋକ ମୋ ବୋଉ । ସେଇ ଆଲୋକର ରଶ୍ମି ନେଇ ଆମେ ଯେବେ ଉଜ୍ଜ୍ୱଳ ହୋଇପାରିବା, ମଣିଷ ହୋଇପାରିବା, ଧନ୍ୟପଦ ଶୁଣିପାରିବା, ତେବେ ସିନା–ନହେଲେ କ’ଣ ହେବ ପାଠ ? ସବୁ ଥାଇ ସବୁ ଗୁଣରେ ପରିପୂର୍ଣ୍ଣ ହୋଇ ଯଦି ପାଠ ପଢ଼ୁ ତେବେ ସିନା ପାଠର ମୂଲ୍ୟ, ନହେଲେ କ’ଣ ହେବ ପାଠ ? ମୋ ପରି ତୁ ତ ପୁଅ ନୋହୁ ଯେ ଚାକିରି କରି ଖାଇବାକୁ ପଡ଼ିବ । ବରଂ ଚେଷ୍ଟାକର ଶାଶୂଘରକୁ ଯାଇକରି କିପରି ସୁନାମ ପାଇବୁ । ହଁ–କାଲିଠୁ କଲେଜ ବନ୍ଦ, ବାହାରକୁ ବୁଲିଯିବା ମଧ୍ୟ ବନ୍ଦ । ଏ କେଇଟା ଦିନ ବୋଉ ପାଖେ ପାଖେ ବୁଲି କିଛି ଲକ୍ଷ୍ମୀପଣିଆ ଶିଖିନେ ।

 

ପୁଅର ମୁହଁକୁ ଚାହିଁ ରହିଥିଲେ ଦିବ୍ୟେନ୍ଦୁ । ଆଖିରେ ତାଙ୍କର ସ୍ଥିର ବିଶ୍ଳେଷଣୀ ଦୃଷ୍ଟି । ମନଦେଇ ସବୁ ସେ ଶୁଣିଲେ । ଶୁଣିଲା ପରେ ମଲା ମଣିଷ ପରି ଝିଅର ରକ୍ତଶୂନ୍ୟ ମୁହଁଟାକୁ ଫେରି ଚାହିଁଲେ । ଦୃଷ୍ଟିରେ ଏଥର ତାଙ୍କର ରାଶି ରାଶି ବିରକ୍ତି । ମଥା ନୁଆଁଇ ବସି ରହିଛି ଝିଅ । ବସିବା ଭଙ୍ଗୀରେ ତା’ର ଫୁଟିଉଠିଛି ଗୋଟିଏ ଅସହାୟ ଅପରାଧୀ ଭଙ୍ଗୀ । କୃଦ୍ଧ ବୋଧ କଲେ । ମନେ ମନେ କହିଲେ–ଯେଉଁ ଝିଅର ପାଟିରେ କଥା ଫୁଟେ ଠିକ୍‌ ଖଇପରି, ସେଇ ଝିଅ ପାଟିରେ ତାଲା ପଡ଼ିଗଲା କାହିଁକି ! କାହିଁକି ! କାହିଁକି ! ଝିଅର ମୌନତାରେ ଦିବ୍ୟେନ୍ଦୁ ଜଳୁଥିଲେ କୁହୁଳି କୁହୁଳି ।

 

ଘର ଛାଡ଼ି ଧୀରେ ଧୀରେ ଚାଲିଗଲା ତନୁଶ୍ରୀ ।

 

ସତେଇଶି

 

ବାପ ପୁଅ ଭିତରେ କି କଥା ହେଲା କେଜାଣି, ତନୁ ପୂର୍ବପରି କଲେଜ ଗଲା । ମାତ୍ର ଦୁଇଟିଦିନ ସେ କଲେଜ ବନ୍ଦ କରିଥିଲା । ଯେଉଁ ଟାଇମ୍‌ରେ ତା’ର ଯିବା କଥା ଦିବ୍ୟେନ୍ଦୁ ନିଜେ ଗାଡ଼ିରେ ନେଇ ଛାଡ଼ିଆସନ୍ତି, ଫେରିବା ଟାଇମ୍‍ରେ ନିଜେ ଯାଇ ପୁଣି ନେଇଆସନ୍ତି ।

 

କିନ୍ତୁ ମନୋରଞ୍ଜନ, ଭୁଲବଶତଃ ବି ଭଉଣୀ ସାଙ୍ଗରେ କଥା କୁହନ୍ତି ନାହିଁ ।

 

ତନୁ ତାଙ୍କର ଭଉଣୀ ନୁହେଁ ତ ସତେଯେପରି ଆଖିର ବାଲି । ଦେଖିଲା ମାତ୍ରେ ବାଟ ଭାଙ୍ଗି ଅନ୍ୟଆଡ଼କୁ ଚାଲିଯାଆନ୍ତି ।

 

ତନୁ ବି ଜାଣେ, ଭାଇନା ଆଉ ଏ ଜୀବନରେ ତାକୁ କଥା କହିବେନି । ତେଣୁ ଲଜ୍ଜା, ଅପମାନ, ଅଭିମାନରେ ତନୁ ମଧ୍ୟ ଆଡ଼େଇଯାଏ ସେଇ ଭାଇନାଙ୍କୁ ।

 

ଦିବ୍ୟେନ୍ଦୁ ମିଶ୍ର...

 

ସଦାନନ୍ଦ, ପରିହାସପ୍ରିୟ ଦିବ୍ୟେନ୍ଦୁ ଆଗପରି ପିଲାପିଲି ବା ସ୍ତ୍ରୀଙ୍କ ସହିତ ଆଉ ଥଟ୍ଟା ପରିହାସ କରନ୍ତି ନାହିଁ । ବିଶାଳ ଦେହର ପ୍ରତି ଲୋମକୁପରୁ ତାଙ୍କର ଫୁଟିଉଠେ ଏକ ଭୟାଭୟ ଗାମ୍ଭୀର୍ଯ୍ୟ । କୋହ ଚାପି ଲୁଚି ଲୁଚି ବୁଲେ ତନୁଶ୍ରୀ ।

 

ଡାକ୍ତର ମନୋରଞ୍ଜନ.......

 

ସେ ସବୁଦିନ କିଛି ଗମ୍ଭୀର । ତାଙ୍କର ସେଇ ପତଳା ଗାମ୍ଭୀର୍ଯ୍ୟ ଆହୁରି ବହଳିଆ ହୋଇଯାଇଛି ।

 

ସଦା ହାସ୍ୟମୟୀ, ପ୍ରଫୁଲ୍ଲମନା ଅପରାଜିତା......

 

ଘରର ଏଇ କଠିଣ ବାତାବରଣ ତଳେ ସେ ଯେପରି ପେଷି ହୋଇଯାଉଥିଲେ । ଏଇ ଅନଭ୍ୟାସ ଜୀବନଯାତ୍ରା ମନକୁ ତାଙ୍କର ଅତ୍ୟନ୍ତ ପିଡ଼ୀତ କରୁଥିଲା । କିଛି ସେ ବୁଝିପାରୁନଥିଲେ । କିଛି ସେ ଶୁଣିନାହାନ୍ତି । ସେଇଥିପାଇଁ ଏଇ ପରିବେଶ ତାଙ୍କୁ ବ୍ୟାକୁଳ କରେ । ଅବସର ପାଇଲେ ମୁଁହ ଶୁଖାଇ ବସନ୍ତି ଗୋଟିଏ ଜାଗାରେ ଗୁମ୍‌ ହୋଇ । କାହାକୁ କିଛି ପଚାରିଲେ–ମନଲାଖି ଉତ୍ତରଟିଏ ପାଆନ୍ତି ନାହିଁ । ନିଜକୁ ଭୀଷଣ ଅଲୋଡ଼ା, ଅଖୋଜା ମନେହୁଏ ଅପରାଜିତାଙ୍କର । ସେ କାନ୍ଦିପକାନ୍ତି । ଏବେ ବେଶ୍‌ କିଛି ରାତି ପର୍ଯ୍ୟନ୍ତ ପୁଅ ସାଥିରେ କଥା କହୁ କହୁ ସମୟ କଟାଇ ଦିଅନ୍ତି ସ୍ୱାମୀ । ତାପରେ ଶୋଇପଡ଼ନ୍ତି । ଅଭିମାନର ବାଷ୍ପରେ ଫୁଲିଉଠେ ଅପରାଜିତାଙ୍କର ମନର ବେଲୁନ୍‌ଟା ।

 

ସେଦିନ.....

 

ଅନେକ ରାତିରେ ଦିବ୍ୟେନ୍ଦୁ ଶୋଇବା ଘରେ ପାଦ ଦେବାକୁ ଯାଇ ଦେଖିଲେ ମଥାରେ ହାତଦେଇ ଶୂନ୍ୟକୁ ଚାହିଁ ବସି ରହିଛନ୍ତି ସ୍ତ୍ରୀ ଅପରାଜିତା । ଅନ୍ୟଦିନ ଏହି ସମୟଟା ଅପରାଜିତା ପ୍ରାୟ ବହି ପଢ଼ି କଟାନ୍ତି । ଏ ତାଙ୍କର ବହୁତଦିନର ଅଭ୍ୟାସ । ଆଜି ସେହି ଅଭ୍ୟାସର ବ୍ୟତିକ୍ରମ ଦେଖି ଦିବ୍ୟେନ୍ଧୁ ମନେ ମନେ ବ୍ୟସ୍ତ ହୋଇପଡ଼ିଲେ ସ୍ତ୍ରୀଙ୍କର ସ୍ୱଭାବ ତାଙ୍କୁ ଜଣା । ଆନନ୍ଦମୁଖର ସଂସାରଟି ତାଙ୍କର ଏପରି ସ୍ତବ୍‌ଧ ହୋଇଯାଇଥିବାରୁ ସ୍ତ୍ରୀ ମନରେ ବହୁତ କଷ୍ଟ ପାଉଛନ୍ତି ।

 

କଣ୍ଠରେ ସ୍ନେହ ଢାଳି ଦିବ୍ୟେନ୍ଦୁ ପଚାରିଲେ–

 

କ’ଣ ହେଲା ଜିତା ? ବହିଗୁଡାକ ସରିଗଲାଣି ନା କ’ଣ ? ମତେ କହିନ କାହିଁକି ? ମୁଁ ତ ଏହି ବହିଗୁଡ଼ିକ ଫେରାଇଦେଇ ନୂଆ ଆଣି ଦେଇଥାଆନ୍ତି । ଆଚ୍ଛା, କାଲି ନେଇଆସିବ ।

 

ବସିବାର ଭଙ୍ଗୀ ବଦଳାଇଲେ ଅପରାଜିତା ।

 

ଶୁଖିଲା କଣ୍ଠରେ କହିଲେ–

 

ନା–ବହି ମୋର ସରିନି, କିନ୍ତୁ ମନଟା ମୋଟେ ଭଲ ରହୁନି । ମୋର ଖାଲି ମନେହେଉଛି–ସତେଯେପରି ଏ ଘରଟା ମୋର ନୁହେଁ, ତୁମେମାନେ କେହି ମୋର ନୁହଁ । ମୁଁ ଯେମିତି ଆଉ କାହା ଘରେ ଆସି ପଡ଼ିଛି । କହିଲ–କାହିଁକି ମତେ ଏପରି ଲାଗୁଛି ? କାହିଁକି ତୁମେମାନେ ଏପରି ବଦଳିଯାଇଛ ? ଏ ଘରେ କ’ଣ ଅଲକ୍ଷ୍ମୀ ପଶିଲେ ? ତୁମେ ଯାହା କୁହ ପଛେ ସେ ବୋହୂଟା ଆଦୌ ସୂଲକ୍ଷଣୀ ନୁହେଁ । ନିର୍ବନ୍ଧ ସରିବା ପରଠୁ ମୋ ଘରେ ଆରମ୍ଭ ହୋଇଛି ଗୋଟେ ଅକାରଣ ଅଶାନ୍ତି ଯେଉଁ କାରଣର ସୂତାଖିଅକୁ ମୁଁ ଆଦୌ ଖୋଜିଖୋଜି ପାଉନି । ମୋ ମନ କହୁଛି ସେହି ବୋହୂ ସାକ୍ଷାତ ଅଲକ୍ଷ୍ମୀ । ନା–ଏ ବାହାଘର ମୁଁ କରାଇଦେବିନି । ଏଇ ନିର୍ବନ୍ଧ ମୁଁ ମାନିବିନି । ଯେଉଁ ଝିଅଟା ତା’ର ମାଆକୁ ଖାଇଲା ବାପକୁ ଖାଇଲା, ସେଇ ଝିଅ କେବେ ସୁଲକ୍ଷଣୀ ହୋଇପାରେନା । ଆଦୌ, ଆଦୌ ମୁଁ ତାକୁ ବୋହୂ କରି ଘରକୁ ଆଣିବିନି । ଦିବ୍ୟେନ୍ଦୁ ଚାହିଁ ରହିଥିଲେ ଅପରାଜିତାଙ୍କର ଅସ୍ଥିର, ଅବୁଝା ମୁହଁଟାକୁ ।

 

ଆଖିରୁ ତାଙ୍କର ଝରିପଡ଼ୁଥିଲା କ୍ରୋଧର ଅଗ୍ନି କଣିକା ।

 

କଣ୍ଠରେ ତାଙ୍କର ଗର୍ଜିଉଠିଲା ମେଘର ଗୁରୁ ଗୁରୁ ଶବ୍ଦ । ଚିତ୍କାର କରି କହିଉଠିଲେ–

 

ଖବର୍‌ଦାର୍‌, ଖବର୍‌ଦାର୍‌ ଜିତ, ଏଥର ମୁହଁ ସମ୍ଭାଳି କଥା କୁହ, ମୋ ଘରର ଲକ୍ଷ୍ମୀ ସମ୍ପର୍କରେ ଯେଉଁ ଭାଷା ଉଚ୍ଚାରଣ କଲ ସେଥିପାଇଁ ଅନୁତପ୍ତ ହୁଅ । ଭଗବାନଙ୍କ ପାଖରେ କ୍ଷମା ମାଗ । ଆଉଦିନେ ଯେପରି ତୁମ ପାଟିରୁ ମୋ ବୋହୂ ସମ୍ପର୍କରେ ଏପରି କଥା ନ ଶୁଣେ । ମୋ ଘରର ଲକ୍ଷ୍ମୀ ପ୍ରତିମା ଭିତରେ ତୁମେ ଅଲକ୍ଷ୍ମୀକୁ ଦେଖିଲ ! ଯାହାକୁ ତୁମେ ଥରେ ନୁହେଁ ଦୁଇଥର ଦେଖିଛ, ତା’ ଭିତରେ ତୁମେ ଅଲକ୍ଷ୍ମୀକୁ ଦେଖିଥିଲ ? ଆଉ ଯେଉଁ ଝିଅଟା ଅହୋରାତ୍ର ତୁମ ଆଖିଆଗରେ ବୁଲୁଛି–ତା’ ଭିତରେ ଯେ ସୈତାନ ବସା ବନ୍ଧିଲାଣି–ତା’ ତୁମ ଆଖିରେ ପଡ଼ୁଛି ନା ତାକୁ ତୁମେ ଜନ୍ମ କରିଛ ବୋଲି ତା’ର ସବୁ ଗୁଣ ତୁମକୁ ସୁନ୍ଦର ଦିଶେ । କ’ଣ ଭାବିଛ ତୁମେ ଏ ଘରଟାକୁ ମା’ ଝିଅ ଦୁହେଁ ମିଶି ? ମୁଁ କ’ଣ ଗୋଟେ ପଥର ଗଡ଼ୁଛି ଏ ଘରେ ? ଝିଅର ଯାହା ମନପାଇଲା ସେ ତାହା କରିଗଲା । ତୁମର ଯାହା ମନ ତୁମେ କହିଯାଉଛ । ଭାରି ସାହସ ବଢ଼ିଛି ତୁମମାନଙ୍କର ନା ? ଦୀପ ତଳଟା ସବୁବେଳେ ଅନ୍ଧାରିଆ ଦିଶେ । ହୁଁ......

 

ତୁମ ଝିଅ କଥା କାହିଁକି ତୁମ ମନରେ ଆସେନି ଜିତା ?

 

ଥରେ ଭାବି ଦେଖ ତ, କଥା କହିବାକୁ ଯାଇ କଥା କହିବା ନାଁରେ ତୁମ ଝିଅ ବାଟୁଳି ଛାଡ଼େ । ତେବେ–ସେ କାହିଁକି ଚୋରିଣୀ ପରି ଘୂରିବୁଲୁଛି । ସେ କାହିଁକି ତୁଣ୍ଡରେ ତୁଣ୍ଡି ବାନ୍ଧିଛି ।–ସେ କ’ଣ ଆଉ ଏ ଘରର ଝିଅ ନୁହେଁ । ସମ୍ପୂର୍ଣ୍ଣ ପର ପରି ସେ କାହିଁକି ଏ ଘରେ ରହିଛି । ଏ କଥା ତାକୁ ପଚାରିଥିଲ କେବେ ? ଶୁଣ, ଆଉଦିନେ ତୁମେ ମୋ ବୋହୂ ସମ୍ପର୍କରେ ଏପରି ମନ୍ଦ କଥା ଉଚ୍ଚାରଣ କରିବନି ।

 

ଅବାକ୍‌ ଆଖିରେ ସ୍ୱାମୀଙ୍କ ମୁହଁକୁ ଚାହିଁଲେ ଅପରାଜିତା ।

 

ଠିକ୍ କଥା...

 

ମାଆ ପାଖରେ–ତା’ ଛୁଆ ସବୁଦିନେ ଭଲ, ସବୁଦିନେ ନିର୍ଦ୍ଦୋଷ । ସେଇଥିପାଇଁ ପିଲାଙ୍କ ସମ୍ପର୍କରେ ମାଆ ତା’ର ସବୁଦିନେ ଅନ୍ଧ ପିଲାଙ୍କୁ ନେଇ କୌଣସି ମନ୍ଦ ଚିନ୍ତା ମାଆମାନଙ୍କ ମଥାରେ ପଶେନି । ଆଉ ଯେତେବେଳେ ପଶିଯାଏ ସେତେବେଳେ ତା’ର ଦଶ ଶୀର ଦୁହିଁ ହୋଇଯାଏ । ଲାଜରେ ମଥା ନୁଆଁଏ ମାଆ । ବିଶେଷ କରି ଝିଅର ଦୋଷଲାଗି ବା ଦୁର୍ଗୁଣ ଲାଗି ମାଆର ଲାଜ ବେଶୀ । ଆଜି ବିଷ୍ପାରିତ ନୟନରେ ଅପରାଜିତା ଚାହିଁଲେ ସ୍ୱାମୀଙ୍କର ବେଦନାୟୀତ ମୁହଁଟିକୁ । କିଛି ସେ ବୁଝିଲେ । ହଠାତ୍‌ ଲାଜରେ ତାଙ୍କର ମରିଯିବାକୁ ଇଚ୍ଛାହେଲା । ସେ ନିର୍ବାକ ହୋଇଗଲେ । ତାପରେ–ସେ ଭୀଷଣ ଜୋର୍‌ରେ କାନ୍ଦି ପକାଇଲେ ।

 

ସ୍ତ୍ରୀଙ୍କ ପାଖକୁ ଲାଗିଆସିଲେ ଦିବ୍ୟେନ୍ଦୁ ।

 

ମଥାରେ ତାଙ୍କର ହାତ ରଖି କହିଲେ–କାନ୍ଦନି ଜିତା, କାନ୍ଦନି ।

 

ତହିଁ ପରଦିନ ସକାଳେ.....

 

ଅପରାଜିତା ମୁହଁ ଶୁଖାଇ ବୁଲି ବୁଲି ଘରକାମ କଲେ ।

 

ହାତ ଘଡ଼ିକୁ ଚାହିଁ ତନୁ ବୋଉଙ୍କୁ କହିଲା–ଏଥର ମତେ ଦିଟା କିଛି ଖାଇବାକୁ ଦିଅ ବୋଉ । ମୋର କଲେଜ ବେଳ ହୋଇଗଲାଣି । ବାପା ବି ଯାଇ ଗାଡ଼ିରେ ବସିଲେଣି ।

 

ରାଗ ଆଉ ଘୃଣାରେ କୁଞ୍ଚିତ ହୋଇଉଠିଲା ଅପରାଜିତାଙ୍କର ମୁହଁଟା ।

 

ଆଜି ଯେ ଭଲକରି ବୁଝିପାରିଛନ୍ତି ଯେ–କାହିଁକି ବାପା ଗାଡ଼ିରେ ନବାଆଣିବା କରନ୍ତି ।

 

ସେ ଆଜିପର୍ଯ୍ୟନ୍ତ ଭାବିଥିଲେ ଖରାଯୋଗୁଁ ଗାଡ଼ିରେ ନବାଆଣିବା କରୁଛନ୍ତି । କିନ୍ତୁ ହାୟ ତା’ ନୁହେଁ, ସମ୍ପୂର୍ଣ୍ଣ ଅନ୍ୟକଥା–ଯେଉଁ କଥା କହିନପାରି ବାପପୁଅ ଅବ୍ୟକ୍ତ ଯନ୍ତ୍ରଣାରେ ଅସ୍ଥିର ହୋଇପଡ଼ୁଛନ୍ତି । ଛି ଛି–ନଯାଣେ କି ସେକଥା । ଘୃଣା ଆଉ ଲଜ୍ଜାର ମିଶ୍ରଣରେ ଅଦ୍‌ଭୂତ ଦିଶିଲା ଅପରାଜିତାଙ୍କର ମୁହଁଟି । ଗଳାରେ ବିଷ ଢାଳି ସେ କହିଉଠିଲେ–ଖାଇବାକୁ ଦେବି କ’ଣ, ହାତରେ ବାଢ଼ି ଖାଇପାରୁନୁ କି ? ସବୁ ତ ପାରୁଛୁ, ଅନେକ କିଛି ଶିଖିଲୁନି । ଆଉ ହାତରେ ବାଢ଼ି ଖାଇବାକୁ ଆସୁନି ? ମୂକ ଆଖିରେ ତନୁଶ୍ରୀ ଚାହିଁରହିଲା ବୋଉଙ୍କର ବ୍ୟଥା ବିରକ୍ତ ଭରା ମୁହଁଟିକୁ ।

 

ସଭିଙ୍କ ପାଖରୁ ସେ ଅନେକ ଆଘାତ ପାଉଚି । ଆଘାତ ପାଇ ପାଇ ମନର ପତଳା ପରଦାଟା ମୋଟା ହୋଇଆସିଲାଣି । ତଥାପି ତନୁଶ୍ରୀ ଭାଙ୍ଗିପଡ଼ି ନଥିଲା । କିନ୍ତୁ ବୋଉ ତା’ର ଏକମାତ୍ର ଆଶ୍ରୟର ସ୍ଥଳ । ଟାଣୁଆ ଆଉ ଶକ୍ତ ଭୂଇଁ ପରି ଥିଲେ ବୋଉ ! ସେଇ ବୋଉ, ସେ ବି ଆଜି ତନୁଆଡ଼ୁ ମୁହଁ ଫେରାଇନେଇଛନ୍ତି । ଶୁଣିଲେ ହୁଏତ ସବୁ କଥା ଆଜି ବାସ୍‌ କେହି ଆଉ ଆଖିରୁ ତା’ର ଲୁହ ପୋଛିଦେବେନି । କୋହ ଚାପି ନ ଖାଇ ନ ପିଇ ହଠାତ୍‌ ଦାଣ୍ଡ ଆଡ଼କୁ ଦଉଡ଼ି ଦଉଡ଼ି ପଳାଇଗଲା ତନୁଶ୍ରୀ ମିଶ୍ର ।

 

ତନୁର ଆଜିକାର ଏଇ ଲୁହ ଜିତାଙ୍କ ମନରେ ଗାର କାଟିଲାନି । ଓଲଟି ଚିଡ଼ିଯାଇ କହିଉଠିଲେ ଓହୋ ସୁନା ଲୁହ କାହିଁକି କେରା, କେରା ହୋଇ ଝରିପଡ଼ିଲା ମ ? ନିଜେ ଆଣି ନିଜେ ଖାଇଥାନ୍ତୁ, ମତେ ବାଢ଼ି ଦେବାକୁ କହିଲି କି; ନଖାଇ ଯାଉଛୁ ତ, ଯାଉଥା । ଆଉ କେଭେହେଲେ ତୋ ଲାଗି ମୋର ତଟିବନି ।

 

ତନୁ ବୁଝିଲା–ଯେପରି ହେଉ, ବୋଉ ମଧ୍ୟ ଶୁଣିଲେଣି ସବୁ କଥା । ସେଥିପାଇଁ ଆଜି ଏପରି କଡ଼ା କଥା କହୁଛନ୍ତି । କୁହନ୍ତୁ, କହିବେ ତ । ଆଖିର ଲୁହକୁ ଚାପୁ ଚାପୁ ପଳାଇଗଲା ତନୁଶ୍ରୀ ।

 

ସେ ଯିବାପରେ ଅପରାଜିତା ହାତରେ ଆଖି ଘୋଡ଼ାଇଲେ ।

 

ଦିନ ଦିନ ହୋଇ ଚାଲିଗଲା ଆହୁରି ଦୁଇଦିନ । ମାଆ ଝିଅର କଥା ବନ୍ଦ ହୋଇଯାଇଛି ଆଜିକୁ ଦୁଇଦିନ ହେଲା । ବାପା ଆଉ ଭାଇନା ତ ଅନେକଦିନ ଆଗରୁ କଥାବନ୍ଦ କରିଦେଇଛନ୍ତି, ବୋଉ ବି କଥା ବନ୍ଦ କଲେ । ସେଇଥିପାଇଁ ତନୁର ପତଳା ଓଠ ଦିଟା ବେଳେବେଳେ ଭୀଷଣ ଜୋର୍‌ରେ ଥରିଉଠେ । କୋହ ଚାପିବାକୁ ଯାଇ ତାକୁ ବହୁତ କଷ୍ଟ ହୁଏ । ସେ–ଏବେ କଲେଜରୁ ଫେରି ସାଙ୍ଗେ ସାଙ୍ଗେ ପଶିଯାଏ ନିଜର ଶୋଇବା ଘରେ । ଖାଇବା ଟାଇମ୍‌ ଛଡ଼ା ପ୍ରାୟ ସେ କାହାରି ସାମନାକୁ ଆସେନି ।

 

ତାକୁ ବି କେହି ଡାକନ୍ତିନି ।

 

ଦିବ୍ୟେନ୍ଦୁଙ୍କ ମନଟା ବେଳେବେଳେ ଘାଣ୍ଟିହୁଏ ସେଇ ଝିଅ ପାଇଁ । ଆହା ଗୋଟାଏ ବୋଲି ଝିଅ । ଭଗବାନ, ଦୁର୍ବୁଦ୍ଧି ନାମକ ବସ୍ତୁଟିକୁ ତୁମେ କାହିଁକି ଉଦ୍ଭାବନ କଲ । ରହିପାରନ୍ତିନି । ଡାକ ପକାନ୍ତି । କୁଆଡ଼େ ଗଲୁ ତନୁ, ଆମେ ସମସ୍ତେ ଏଇଠି ବସିଛୁ, ତୁ ସେଇଠି କ’ଣ କରୁଛ ? ଆଇଲୁ ମା’ ଏଇଠିକୁ ଆ ।

 

ଧୀର ପାଦରେ ତନୁ ଆସେ–ବସେ ସିଏ ସମସ୍ତଙ୍କ ପାଖରୁ ଦୂରେଇ । ବୋଉ ଆଉ ଭାଇନା ତାକୁ ଦେଖିଲେ ଗମ୍ଭୀର ହୋଇଯାଆନ୍ତି । ମୁହଁ ବୁଲାଇ ନିଅନ୍ତି । ତାକୁ ଦେଖି ମଧ୍ୟ ନ ଦେଖିଲା ପରି ଭାବ କରନ୍ତି । ନିଜ କଥାରେ ସେମାନେ ମସଗୁଲ ହୋଇଯାଆନ୍ତି । ବାପା ବି ଯୋଗଦିଅନ୍ତି ସେଇମାନଙ୍କ ସାଙ୍ଗରେ । ସମସ୍ତେ ଭୁଲିଯାଆନ୍ତି ତା’ର ଅସ୍ତିତ୍ୱ । ଆସ୍ୱସ୍ତି ଲାଗେ ତାକୁ-। କିଛି ସମୟ ପରେ ଉଠି ପଳାଇଆସେ ସିଏ । ପାରିଲେ ଖଣ୍ଡେ ବହି ଧରେ–ନ ହେଲେ–ଶୂନ୍ୟକୁ ଚାହିଁ ଚୁପ୍‌ଚାପ ଶୋଇରହେ ।

 

ଏହିପରି ଭାବରେ କଟିଗଲା ଆହୁରି କେତେଦିନ ।

 

ସେଦିନ...

 

ପ୍ରାୟ ଦିନ ବାରଟାରେ ମନୋରଞ୍ଜନ ହାତ ଦୁଇଟିକୁ ପଛପଟେ ଛନ୍ଦି, ହସ ହସ ମୁହଁରେ ଯାଇ ଠିଆହେଲେ ବୋଉଙ୍କ ପାଖରେ । କଣ୍ଠରେ ଉଚ୍ଛ୍ୱାସ ଭରି ଡାକିଲେ ବୋଉ...

 

ଅବାକ୍‌ ଆଖିରେ ଅପରାଜିତା ଚାହିଁଲେ ପୁଅର ମୁହଁକୁ ।

 

ଆଜିକୁ ଦୁଇମାସ ହେଲା ଏ ଘରୁ ଲିଭିଯାଇଛି ଆନନ୍ଦର ପ୍ରଦୀପ ଶିଖାଟି । ହଠାତ୍‌ ପୁଅକୁ ଏତେ ଆନନ୍ଦିତ ହେବାର ଦେଖି ଜିତା ବିସ୍ମୟରେ ସ୍ଥିର ହୋଇଗଲେ । କେତେଦିନ, କେତେଦିନ ଧରି ସେ ମୁହଁଟିକୁ ଚାହିଁପାରିନାହାନ୍ତି ସିଏ ପୁଅର ମୁହଁକୁ । କି ଅଘଟଣ ଘଟାଇଥିଲା ତନୁ, ସେକଥା ଆଜି ପର୍ଯ୍ୟନ୍ତ ସେ ଜାଣିପାରିଲେନି । ଜାଣିବାକୁ ଚାହାନ୍ତି ନାହିଁ ମଧ୍ୟ । ସ୍ୱାମୀ ଯେତିକି କହିଛନ୍ତି, ସେତିକି ଶୁଣି ସେ ମରିଯାଇଛନ୍ତି ଲାଜରେ । ଆଉ ସେଇ ଘଟଣା କୁଆଡ଼େ ପ୍ରଥମକରି ଜାଣିପାରିଥିଲା ଏଇ ମନୁ । ପୁଅ ତାଙ୍କର ଝାଉଁଳି ପଡ଼ିଥିଲା ସେଇଦିନୁ । ଆଉ ଆଜି ସେଇ ପୁଅ ହସୁଛି । କ’ଣ ଗୋଟିଏ ଲୁଚାଇ ଧରି ରହସ୍ୟ କରୁଛି । ଦୁଇମାସ ତଳର ମନୋରଞ୍ଜନ ପୁଣି ଲେଉଟି ଆସିଛି ଏତେଦିନ ପରେ । ହଜିଗଲା ଦିନଟିକୁ ହାତମୁଠାରେ ଫେରିପାଇ ଆନନ୍ଦରେ ଉଜ୍ଜଳିଉଠିଲେ ଅପରାଜିତା । ଓଠରେ ହସେ ମୁକ୍ତା ଝରାଇ ପଚାରିଲେ–କଣରେ–କାହିଁକି ଡାକୁଛୁ-? କିଛି କହିବୁ ?

 

ହସି ହସି ମନୋରଞ୍ଜନ କହିଲେ–

 

ବୋଉ ତୁମର ମନେଅଛି ନା ମୋର ସେଇ ଅତିପ୍ରିୟ ବନ୍ଧୁ କୁନ୍ତଳକୁ ?

 

ଆଖିରେ ବିସ୍ମୟ ଭରି ଅପରାଜିତା ଚାହିଁଲେ ମନୋରଞ୍ଜନର ହସିଲା ମୁହଁକୁ । ଗଳାରେ ବିସ୍ମୟଭରି ପଚାରିଲେ–କୁନ୍ତଳା, କୋଉ କୁନ୍ତଳ କହିଲୁ ?

 

ଆରେ, ମନେ ନାହିଁ ତୁମର ? ଆମେ ସେ ବର୍ଷ ଏକାସାଙ୍ଗରେ ଡାକ୍ତରୀ ପାସ କଲୁନି-? ସେ ପ୍ରଇଭେଟ୍‌ ଡାକ୍ତର ହେଲା । ତା’ ଦେଖାଦେଖି ମୁଁ ବି ତାରି ରାସ୍ତାରେ ପାଦଦେଲି । ମନେ ନାହିଁ ଏ ସବୁ କଥା ତୁମର ? ଜାଣିଛ ବୋଉ ସେଇ କୁନ୍ତଳାଟା ଖୁବ୍‌ ରୋଜଗାର କରୁଛି । ଖୁବ୍‌ ବଡ଼ଲୋକ ହୋଇଗଲାଣି ସେ ଏଇ କେଇଟାଦିନ ଭିତରେ । ମୋ ହାତରେ ତ ଖଡ଼ା ସିଝିବନି-। ସେ କିନ୍ତୁ ଭୁବନେଶ୍ୱରରେ ଜାଗା କିଣିବାକୁ ବସିଲାଣି । ସବୁଦିନେ ସେ ଭାରି ବୁଦ୍ଧିଆ ଥିଲା-। ଖେଳ କୁହ, ପାଠ କୁହ, ନଈ ପହଁରା କୁହ, ଦଉଡ଼ାଦଉଡ଼ି କୁହ, ମାରପିଟ୍‌ କୁହ–ସବୁଥିରେ ସେ ଥିଲା ଅଦ୍ୱିତୀୟ । ମନେପଡ଼ୁନି ତାକୁ ତୁମର । ଆଗେ ତ ସେ କେତେ ଆସୁଥିଲା ଆମ ଘରକୁ-। କେତେଥର ତୁମେ ଆମ ଦୁହିଁଙ୍କୁ ଖାଇବାକୁ ଦେଇ ପାଖରେ ବସି କେତେ ଗଳ୍ପ କରିଛ-। ମନେପଡ଼ୁନି ତୁମର ? ଅପରାଜିତା ଅଳ୍ପ ହସି କହିଲେ–

 

ଆରେ, ତୋର ତ ଦୁଇଟା ସାଙ୍ଗର ନାଁଥିଲା କୁନ୍ତଳା । ତୁ କାହା କଥା କହୁଛୁ ?

 

ମନୋରଞ୍ଜନ କହିଲେ–

 

ମୁଁ ଯାହାର ବଡ଼ ଭଉଣୀ ବିଭାଘରକୁ ପୁରୀ ଯାଇଥିଲି । ତୁମେ ସମ୍ୱଲପୁରୀ ଶାଢ଼ି କିଣି ମୋ ହାତରେ ଦେଲ । ଆଉ ନାକକୁ, ନା,–କାନକୁ ଗୋଟିଏ ଗହଣା ଦେଇ କହିଲ–ସାଙ୍ଗର ଭଉଣୀ ବାହାଘରକୁ ଖାଲି ହାତରେ ଯାଆନ୍ତି ନାହିଁ । ମନେ ନାହିଁ ? ତା’ପରେ ସେଇ ବିଭାଘରକୁ ଯାଇ ସିଆଡ଼େ ମୁଁ ରହିଗଲି ମାତ୍ର ଦୁଇଟାଦିନ । ଆଉ, ତୁମେ କୁଆଡ଼େ ଏଡ଼େବଡ଼ ପାଟିକରି କାନ୍ଦି କାନ୍ଦି କହିଲ–ଇଲୋ ମୋ ବୋଉଲୋ । ମୋ ପୁଅ କୁଆଡ଼େ ଗଲାଲୋ । ତା’ପରେ ବାପାଙ୍କୁ ଅସ୍ଥିର କରିପକାଇଲ ମତେ ଆଣିବାପାଇଁ; ମନେନାହିଁ ? କହୁ କହୁ ଛୋଟ ପିଲାଙ୍କ ପରି ହସି ହସି ଗଡ଼ିଗଲେ ଡାକ୍ତର ।

 

ପୁଅର କଥା କହିବା ଧରଣ ଦେଖି ଅପରରଜିତା ବି ହସି ହସି ଲୋଟିପଡ଼ିଲେ ଭୂଇଁଉପରେ । କହିଲେ–ମନେପଡ଼ୁଛି । ଠିକ୍‌ ମନେପଡ଼ୁଛି । ତା’ପରେ ପଚାରିଲେ–ଆଚ୍ଛା, ସେ ଆର କୁନ୍ତଳ କ’ଣ କରୁଛିରେ ?

 

ମନୋରଞ୍ଜ ହସ ରୋକୁରୋକୁ କହିଲେ–

 

ସେ, ସେ ଏଇନେ ସମ୍ୱଲପୁରରେ ବି.ଡି.ଓ. ଅଛି । ତା’ର ବାହାଘର କାର୍ଡ଼ ଆରବର୍ଷ ଆସିନଥିଲା ? ବାପା ତ ତାକୁ ଆଶୀର୍ବାଦ ଟଙ୍କା ପଠାଇଥିଲେ । ମନେ ନାହିଁ ? ବଡ଼ ବେଶୀ ଭୁଲିଯା ତ ସବୁ କଥା ଏବେ ତୁମେ ।

 

ଅପରାଜିତା ମୃଦୁ ହସି କହିଲେ–ମନେପଡ଼ୁଛିରେ, ସବୁ ଏଥର ମନେପଡ଼ୁଛି । ହଁ, ଡାକ୍ତର କୁନ୍ତଳ କଥା ତୁ କ’ଣ କହିବାକୁ ଯାଉଥିଲୁଟି ? କହ ।

 

ଡାକ୍ତର ଏଥର ରହି ରହି କହିଲେ–ଡାକ୍ତର କୁନ୍ତଳ ! ସେ ମତେ ଥରେ ମାସକ ତଳେ ଚିଠି ଦେଇଥିଲା–ଲେଖିଥିଲା–ଜାଣିଲୁ ଭାଇ ଯେତେ ଫୁଲ ଖଞ୍ଜା ହେଉନା କାହିଁକି ମାଳ ଭିତରେ ଯେଉଁ ପଟୁକାଟି ଥାଏ–ଅସଲରେ ସେଇଟା ହେଲା ଗୋଟାଏ ଦଉଡ଼ି । ସେଇ ଦଉଡ଼ିଟି ବେକରେ ଝୁଲାଇଦେଇ ଯିଏ ଶକ୍ତ ହାତରେ ବେକଟାକୁ ଟାଣି ଦେଇପାରିବ, ଆଉ ଅକାରଣରେ ବେକଟାକୁ ଲମ୍ୱା କରି ଦେଇପାରିବ, ସେଇ ମହାଶକ୍ତି ସମ୍ପନ୍ନା ନାରୀ କିମ୍ୱା କନ୍ୟାଟିଏ ଖୋଜି ବୁଲିଛନ୍ତି ମୋର ବାପା, ବୋଉ । କି ମୁସ୍କିଲ !

 

ଅପରାଧ କଣନା–କୁନ୍ତଳ କୁମାର କର ବାପା ବୋଉଙ୍କ କଥା ନମାନି ସାଙ୍ଗ ସାଥିରେ ପଡ଼ି ଖାଲି ଟଙ୍କା ପଇସା ଉଡ଼ାଉଛି । ଗୋଟିଏ ଶକ୍ତ ବୋହୂ ଆସିଲେ କୁଆଡ଼େ ମୋର ଖିଆଲ ବାଟରେ ଉହାଡ଼ ହୋଇ ଠିଆ ହେବ । ଉହାଡ଼ କ’ଣ କିରେ ମନୁ ? ପତଳା ଗୋରା ଝିଅଟେ ହୋଇଥିଲେ ତ ବାଟଟାକୁ ଏପରି ଉହାଡ଼ କରି ଠିଆହୋଇ ପାରନ୍ତାନି ? ସେମାନେ ଆଉ ପୋତନା ଫୋତନା ଖୋଜୁଛନ୍ତି କିରେ ? ଯାହାହେଉ, ସେମାନେ ତାଙ୍କର ମନୋନୀତ କନ୍ୟାଟିକୁ ଏ ପର୍ଯ୍ୟନ୍ତ ପାଇନାହାନ୍ତି । ଅତଏବ ତୁ ତୋ ଚିଠିର ଉତ୍ତର ମୋ ଚିଠିରୁ ଆଶାକରେ ପାଇଗଲୁ । ତୋ ଭଉଣୀକୁ ବିଭାହେବା ମୋ ଭାଗ୍ୟର କଥା । ଏତିକିବେଳେ ତୁ ଯଦି କଟକ ଆସି ବାପାଙ୍କୁ ଥରେ କହନ୍ତୁ, ତେବେ ସତ କହୁଛି ଭାଇ ଖୁବ୍‌ ଖୁସିହୁଅନ୍ତି । ଏଥର ତୋ କଥା କହ । ତୁ ସୁନା ପୁଅ, ତୋ ପାଇଁ ଏତେଦିନ ଭିତରେ ନିଶ୍ଚୟ ଗୋଟିଏ ରାଜକନ୍ୟା ଆସି ସାରିଥିବ, ନ ହେଲେ ଆସିବା ପାଇଁ ସଜ ହୋଇଥିବ । ନା ? ଲେଖିବୁ ତୋ କଥା ଚିଠିପଢ଼ା ବନ୍ଦ କଲେ ମନୋରଞ୍ଜନ ।

 

ଶେଷ ଦୁଇଧାଡ଼ି ପଢ଼ି ସେ ଆଉ ବୋଉଙ୍କୁ ଶୁଣାଇପାରିଲେନି ?

 

ଜିତା କିନ୍ତୁ ଯେତିକି ଶୁଣିଲେ–ସେତିକିରେ ସେ ହସି ହସି ବେଦମ ହୋଇଗଲେ । ପଚାରିଲେ–ତା’ପରେ ?

 

ସାଧାରଣ କଣ୍ଠରେ ଡାକ୍ତର କହିଲେ–

 

ତାପରେ ଆଉ କ’ଣ ? ମାନେ ମୁଁ ତାଙ୍କୁ ଖଣ୍ଡିଏ ଚିଠି ଲେଖିଥିଲି । ସେହି ଚିଠି ଭିତରେ ତନୁର ଖଣ୍ଡିଏ ଫଟୋ ପଠାଇଥିଲି, ଆଉ ତୁମମାନଙ୍କୁ ଦେଖାଇବା ପାଇଁ ତା’ର ଖଣ୍ଡିଏ ଫଟୋ ମଗାଇ ପଠାଇଥିଲି । ସେଇ ସାଙ୍ଗରେ ଲେଖିଥିଲି–ତନୁ ଫଟୋ ପଠାଇବୁନି । ତୁ ତୋ ଫଟୋ ପଠାଇଲେ ବୁଝିବି ଯେ–ତନୁକୁ ବିବାହ କରିବାରେ ତୋର ଆପତ୍ତି ନାହିଁ । ତା ବୋଲି–

 

ଦେଖ୍‌–ମୋ ମନ ରଖିବାକୁ ଯାଇ କିଛି କରିବାକୁ ଚେଷ୍ଟା କରିବୁନି । ମତେ ଯଦି ଖୁବ୍‌ ଆପଣାର ଭାବିଥାଉ ତେବେ ମୋ ପାଖରେ ମନଖୋଲି ଦେବାକୁ ତୁ କୁଣ୍ଠାବୋଧ କରିବୁନି । ତୋର–ହଁ–କିମ୍ୱା ନାଁରେ ମୁଁ ଆଦୌ ମନ ଦୁଃଖ କରିବିନି । ମ୍ୟାଟ୍ରିକ୍‌ ପଢ଼ିବା ବେଳଠୁଁ ତୋର ମୋର ପରିଚୟ । ପରସ୍ପର ଆମେ ଗଭୀର ଭାବରେ ଭଲପାଉଥିଲୁ । ସେଇଥିପାଇଁ ଅନୁରୋଧ କରୁଛି, ନିଶ୍ଚୟ ତୁ ଦ୍ୱିଧାହୀନ ମନରେ ମୋ ଚିଠିର ଉତ୍ତର ଦେବୁ । ତୋ ମତାମତ ପାଇଲେ ତୁମ ଘରକୁ ଯାଇ ତୋ ବାପା ବୋଉଙ୍କ ସହିତ କଥାବାର୍ତ୍ତା କରିବି ।

 

ଏଇଆ,ଆଉ କ’ଣ ? ଚୁପ୍‌ ହୋଇଗଲେ ଡାକ୍ତର ।

 

ଜିତାଙ୍କ ମୁହଁରୁ ହସ ଲିଭିଯାଇଥିଲା–

 

ତାଙ୍କର ଛୋଟ ଗୋଲ ମୁହଁଟିରେ ଆନନ୍ଦମିଶା ଏକ କାରୁଣ୍ୟର ସମାବେଶ । ପୁଅକୁ ରହିଯିବାର ଦେଖି ପଚାରିଲେ–ତା’ପରେ ? ତା’ପରେ ?

 

ବୋଉଙ୍କ ମୁହଁର ଭାବ ଦେଖି ହସିଉଠିଲେ ଡାକ୍ତର । କହିଲେ–ତା’ପରେ ପୁଣି କ’ଣ ? ତା’ର ଫଟୋ ସେ ପଠାଇଲା–ସେଇଥିରୁ ତା’ର ମନକଥା ମୁଁ ଜାଣିପାରିଲି । ଏ ବିଷୟରେ ତୁମମାନଙ୍କୁ କିଛି ନ କହି ଆଜି ମୁଁ କଟକ ଯାଇଥିଲି । ତାଙ୍କ ବାପା ବୋଉଙ୍କୁ ତନୁ କଥା କହିବାରୁ–ସେମାନେ ବହୁତ ଆନନ୍ଦ ପ୍ରକାଶକଲେ । କହିଲେ–ତୁମ ଘରେ ବନ୍ଧୁ ବାନ୍ଧିବା ଆମର ତ ଭାଗ୍ୟରକଥା ପୁଅ ! କୁନ୍ତଳର ବୋଉ ଆଖି ଛଳ ଛଳ କରି କହିଲେ–ଦେଖ ତ–ଆମ ପଡ଼ିଶାଘରେ ଝିଅ ଥାଉଥାଉ, ଆମେ କେତେଆଡ଼େ ଖୋଜି ବୁଲୁଛୁ । ଯେତେଦିନ ଯାଏଁ କିଛି ନ ହେବାର ଥାଏ ମଣିଷ ଏହିପରି ଭୁଆଁବୁଲି ହଇରାଣ ହୁଏ ସିନା । ସେ ଯାହାହେଉ, ଆମେ ଆସନ୍ତା ରବିବାର ଦିନ ଯାଇ ଟିକିଏ ମାଆକୁ ଆମର ଦେଖିଆସିବୁ । ସ୍ୱାମୀଙ୍କଆଡ଼େ ମୁହଁ ବୁଲାଇ ସେ ପଚାରିଲେ–ନାଁ କ’ଣ କହୁଛ ? ରବିବାର ଦିନକୁ ତୁମର ସୁବିଧା ହେବନା ? କୁନ୍ତଳର ବାପା ସୁମନ୍ତ କର କହିଲେ–ଅସୁବିଧା ହେବ କାହିଁକି ? ରବିବାର ତ ବେଶ୍‌ ଭଲହେବ । ଝିଅ ତ ସେଦିନ କଲେଜ ନ ଯାଇ ଘରେ ଥିବ ।

 

ଉଦ୍‌ବିଗ୍ନ ମନ ନେଇ ସବୁକଥା କାନପାରି ଶୁଣିଲେ ଅପରାଜିତା । ପଚାରିଲେ–ତା’ପରେ । ଶବ୍ଦକରି ଏଥର ହସିଉଠିଲେ ଡାକ୍ତର । କହିଲେ–ପୁଣି ତାପରେ ? ସେମାନେ ରବିବାରଦିନ ଆସିବେ ତନୁକୁ ଦେଖିବାକୁ । ଆଉ ରହିଲା ମଝିରେ ମାତ୍ର ଛଅଟି ଦିନ । ହେଲା ? ଗଳାରେ ଆଗ୍ରହ ଭରି ଅପରାଜିତା ପଚାରିଲେ–କୁନ୍ତଳର ଫଟୋ କ’ଣ ଅଛି ତୋ ପାଖରେ ? ଓଠ ଚିପି ହସିଲେ ମନୋରଞ୍ଜ–

 

ଏଥର ପିଠିପଟେ ଛନ୍ଦିଦେଇଥିବା ହାତଦୁଇଟିକୁ ସାମନାକୁ ଆଣିଲେ । ବାଁ ହାତରେ ଚିଠିଟି ଆଉ ଡାହାଣ ହାତରେ ଫଟୋଟି । ବୋଉଙ୍କ ଆଡ଼କୁ ବଢ଼ାଇଦେଲେ–କୁନ୍ତଳର ହସିଲା ମୁହଁର ସୁନ୍ଦର ଚ୍ଛବିଟି ନିର୍ନିମେଷ ନୟନରେ ଅପରାଜିତା ଦେଖିଲାଗିଲେ ସେଇ ଫଟୋ ଖଣ୍ଡିବ ।

 

ଅନେକ ସମୟ ଧରି ଦେଖିଲେ ସିଏ ସେଇ ଫଟୋଟି । ମନେ ମନେ କହିଲେ, ସତେ କ’ଣ ପାର୍ବତୀ କରିବେ–ଏଇ ପୁଅଟି ମୋର ଜ୍ୱାଇଁ ହୋଇ ଆସି–ମତେ ବୋଉ ବୋଲି ଡାକିବ !

 

ଅଭିମାନରେ ଫାଟିପଡ଼ିଲେ ମନୋରଞ୍ଜନ ।

 

ଗାଲ ଫୁଲାଇ ଗଳାରେ ଅଭିମାନ ଭରି କହିଲେ–ମୁଁ ବୋଉ ବୋଲି ଡାକିଲେ ତୁମ ମନ ଭରୁନି, ନା ? କହି–ମୁହଁ ବୁଲାଇ ବସିପଡ଼ିଲେ ସିଏ ଗୋଟିଏ ଚେୟାର ଉପରେ ।

 

ଅପରାଜିତା ଚାହିଁଲେ ପୁଅ ମୁହଁକୁ ।

 

ପୁଅର ଅଭିମାନ–କ୍ଷୁବ୍‌ଧ କଣ୍ଠସ୍ୱର ଶୁଣି ହସିପକାଇଲେ । ଦୁଇ ହାତରେ ପୁଅକୁ ଜଡ଼ାଇ ଧରି ପୁଅ ମୁଣ୍ଡରେ ନିଜର ଗାଲ ରଖି ସ୍ନେହଝରା କଣ୍ଠରେ କହିଲେ–ବାଇଆଟା ।

 

ଅଠେଇଶି

 

ଆଶ୍ୱିନ ତା’ର ଦଶରଙ୍ଗ ନେଇ ବହୁଦିନରୁ ବିଦାୟ ନେଇଛି ଏଇ ଧୂଳିମାଟିର ଧରଣୀ ପାଖରୁ । କାର୍ତ୍ତିକ ବି ଯିବାକୁ ବସିଲାଣି । କାହାକୁ କାହାକୁ ଲାଗେ–ଦିନଗୁଡ଼ିକ କେଡ଼େ ଛୋଟ । କେତେ ଶୀଘ୍ର ସମୟ ସୁଅ ବହିଚାଲିଛି । ପୁଣି କାହାକୁ ଲାଗେ–ଦିନଗୁଡ଼ିକ ବି ଦୀର୍ଘ । ଓଃ, ବିତିବାକୁ ମୋଟେ ଚାହେଁନି । ଡାକ୍ତର ମନୋରଞ୍ଜନ–ବର୍ତ୍ତମାନ ଦିନର ଦୀର୍ଘତାକୁ ହାଡ଼େ, ହାଡ଼େ ଅନୁଭବ କରୁଛନ୍ତି । ବ୍ୟାକୁଳ ମନରେ ଅପେକ୍ଷା କରିଛନ୍ତି ମାର୍ଗଶିରର ଗୋଟିଏ ରଙ୍କବୋଳା ବିଶେଷ ତିଥିକୁ । ସେଇ ତିଥି ଆସୁଛି ଠିକ୍‌ । କିନ୍ତୁ ଗତି ତା’ର ଭୀଷଣ ମନ୍ଥର । ଉଃ, ସମୟଟା ଆଦୌ ବିତୁନି । ଆଜି ଯଦି ତୁମେ ଯାଇ ଡାକ୍ତରଙ୍କ ଛାତିରେ କାନପାରି ବସ, ତାହାହେଲେ–ସେଠି ଶୁଣିବାକୁ ହେବ ‘ମଉସୁମୀ’ ନାମକ ଝିଅଟିର ପାଦ ନୂପୁରର ରୁଣୁଝୁଣୁ ଶବ୍ଦ । ମଝିରେ ଆଉ କେତୋଟି ବା ଦିନ ! –ଅତିନିକଟ ହୋଇଆସିଲାଣି ସେଇ ଆକାଙ୍‌କ୍ଷିତ ଦିନଟି । ଆଉ ଯେତେଶୀଘ୍ର ସେ ଆସୁଛି ସେତିକି ଜୋର୍‌ରେ ଡାକ୍ତରଙ୍କର ଛବିଶ୍‌ ବର୍ଷ ବୟସର ରକ୍ତ ମୃଦଙ୍ଗରେ ବେସୁରା ତାଳ ବାଜିଉଠୁଛି । କିନ୍ତୁ ଡାକ୍ତରଙ୍କ ସଂଯତ ସ୍ୱଭାବ ଯୋଗୁଁ ତାଙ୍କ ମନର କୌଣସି ପରିବର୍ତ୍ତନ ବାହାରକୁ ଜଣାପଡ଼େନି । ଡାକ୍ତର ତନୁ ପାଇଁ ମନୋନୀତ ଘର ବର କରିଦେଇଛନ୍ତି-। କଟକରୁ ସେମାନେ ଆସି ତନୁକୁ ଦେଖିଯାଇଛନ୍ତି । ଖାଲି ଦେଖିଯାଇନାହାନ୍ତି, ତନୁଶ୍ରୀ ଆଉ କୁନ୍ତଳର ନିର୍ବନ୍ଧ ମଧ୍ୟ ସରିଯାଇଛି ।

 

ସୁମନ୍ତ କର ଭାରି ଲୋଭୀ । ଡିମାଣ୍ଡ କରିଛନ୍ତି ପ୍ରଚୁର । ଏମାନେ ବି ପଛାଇ ଯାଉନାହାନ୍ତି । ଗୋଟିଏ ବୋଲି ଝିଅ ତନୁ । ନୟନ ପିତୁଳି । ସବୁ ଦେବେ ଏମାନେ, ସବୁ ଦେବେ-। ସୁମନ୍ତଙ୍କ ଛୋଟଲୋକିରେ ଏମାନଙ୍କର ଦୁଃଖ ନାହିଁ । କୁନ୍ତଳ ଭଲପିଲା । କୁନ୍ତଳ ଭଦ୍ର ଏବଂ ସ୍ନେହ ଶୀଳ । ମିଶ୍ର ପରିବାର ଯେଉଁ ଯେଉଁ ଗୁଣ ପସନ୍ଦ କରନ୍ତି, ସବୁ ଅଛି ଏଇ କୁନ୍ତଳ ଭିତରେ । ବେଶ୍‌, ଆଉ କି ଦୁଃଖ ।

 

ତନୁ ମନୋନୀତ ଘରବର ପାଇ ମଧ୍ୟ ଅସୁଖୀ । ଗୋଟିଏ ଦୁଃଖୀ ମନ ନେଇ ସେ ଦିନ କଟାଏ । ବାପା, ଆଗପରି ପୁଣି ସ୍ନେହ ଆଦର କରନ୍ତି, ପରିହାସ କରନ୍ତି । ବୋଉଙ୍କର ସ୍ନେହ ସୋହାଗର ଅନ୍ତ ନାହିଁ । ନିର୍ବନ୍ଧର ଆନନ୍ଦମୟ ସ୍ପର୍ଶରେ ବାପା, ବୋଉଙ୍କର ମନର ଦୁଃଖ ଧୂଳିମଳି ସବୁ ଉଡ଼ିଯାଇଛି ।

 

ଖରାବେଳ ଅବସରରେ–ଜିତା ଦିନେ, ଦିନେ ଚୁପ୍‌ ଚୁପ୍‌ କରି କାନ୍ଦନ୍ତି । ବାହୁନି ବାହୁନି କୁହନ୍ତି–ମୋ ଧନମାଳି, ମୋ ଗଳାମାଳି, ମୋ ଚନ୍ଦ୍ରମା କୁଆଡ଼େ ଯିବ ଲୋ ଘରଛାଡ଼ି । ଏଘର ତ ଅନ୍ଧାର ଦିଶିବ ଲୋ ! ଆହୁରି କେତେ କ’ଣ କହି ବାହୁନି ହୁଅନ୍ତି । ସେଇ କାନ୍ଦଣା–ତନୁ କାନରେପଡ଼ିଲେ ସେ କୋହ ଚାପି ଦଉଡ଼ି ଦଉଡ଼ି ଅନ୍ୟଆଡ଼କୁ ପଳାଏ ପାଟିରେ ଲୁଗାଦେଇ ଖଟଉପରେ ମୁହଁମାଡ଼ି ଶୋଇ ଫୁଲି ଫୁଲି କାନ୍ଦେ ।

 

ଦିବ୍ୟେନ୍ଦୁଙ୍କ କାନରେ ଜିତାଙ୍କ କାନ୍ଦଣା ବାଜିଲେ ପ୍ରବୋଧ ସେ ଦିଅନ୍ତିନି । କି ପ୍ରବୋଧ ସେ ଦେବେ ? ପୁରୁଷ ପୁଅ ସେ, ଜିତାଙ୍କ ପରି ବାହୁନିପାରନ୍ତି ନାହିଁ; କିନ୍ତୁ–ଜିତାଙ୍କର ସରବ ବେଦନା ସହିତ କ’ଣ ତାଙ୍କର ମଉନ ବେଦନା ମିଶି ଏକାକାର ହୋଇଯାଏନି ? ଯାଏ ।–ତେବେ କ’ଣ ବୋଲି ସେ ସାନ୍ତ୍ୱନା ଦେବେ ? ସେ ଜିତାଙ୍କ ପାଖକୁ ଆସନ୍ତି । ଅବ୍ୟକ୍ତ ବେଦନାରେ ହୃଦୟ ତାଙ୍କର ମନ୍ଥି ହୋଇଯାଏ । ସେ ବସିପଡ଼ନ୍ତି ସ୍ତ୍ରୀଙ୍କ ମଥା ପାଖରେ । ଧୀରେ ଧୀରେ ଆଉଁସି ଦିଅନ୍ତି ସେଇ ମଥାଟି । ସ୍ୱାମୀଙ୍କର ସ୍ନେହ ସ୍ପର୍ଶରେ ଜିତା ଆସ୍ତେ ଆସ୍ତେ କୋହ ସମ୍ଭାଳି ନିଅନ୍ତି ।

 

ଗତ କେଇମାସ ଧରି ତନୁର ଜୀବନ ଆକାଶରେ ଦିଗ ଦିଗନ୍ତ ଧରି ଯେଉଁ କୁହୁଡ଼ିର ସମାବେଶ ହୋଇଥିଲା ବାପାଙ୍କର ସ୍ନେହ–ସୂର୍ଯ୍ୟ, ଆଉ ବୋଉଙ୍କର ମମତା ରଶ୍ମିରେ ସେଇ କୁହୁଡ଼ି ଧୀରେ ଧୀରେ କ୍ଷୀଣରୁ କ୍ଷୀଣତର ହୋଇଆସିଲା । ତିନିଭାଗ କୁହୁଡ଼ି କଟିଗଲେ ମଧ୍ୟ ଭାଗେ ରହିଗଲା । ରହିବ ମଧ୍ୟ । ହୁଏତ ବା, ମୃତ୍ୟୁ ପର୍ଯ୍ୟନ୍ତ ସେ କୁହୁଡ଼ି ରହିବ । ଭାଇନାଙ୍କର ତା’ ପ୍ରତି ଉଦାସୀନତା ଏପର୍ଯ୍ୟନ୍ତ କଟିଲାନି । ନିର୍ବନ୍ଧ ସରିବା ପରେ ତନୁ ଆସିଥିଲା ଭାଇନାଙ୍କୁ ମୁଣ୍ଡିଆ ମାରିବାକୁ । ଭାଇନା କିନ୍ତୁ ଅଟଳ, ନିଶ୍ଚଳ, ନିର୍ବାକ । ଅଳ୍ପଟିକିଏ ଚାହିଁ ମୁହଁବୁଲାଇ ନେଇଥିଲେ । ତନୁ ମୁଣ୍ଡପୋତି ଚାଲିଆସିଥିଲା । ତା’ର କୃତକର୍ମ ଯୋଗୁଁ–ସେ ତା’ର ଭାଗ୍ୟ ପାଖକୁ ଏହିପରି ପାଉଣା ପାଇଆସୁଛି ବହୁଦିନ ଧରି । ତଥାପି–ଆଜି ପରା ଦିନରେ ପାଉଣାର ପରିବର୍ତ୍ତନ ଲୋଡ଼ିଥିଲା ମନେ ମନେ । ଭାବିଥିଲା–ଭାଇନା କଥା ନକହିଲେ ମଧ୍ୟ ଆଶୀର୍ବାଦ ଭଙ୍ଗୀରେ ସେ ତାଙ୍କର ସ୍ନେହ ଶୀତଳ କର ଦୁଇଟି ପ୍ରସାରି ଦେବେ ତା’ର ନମିତ ଶିର ଉଦ୍ଦେଶ୍ୟରେ । କିନ୍ତୁ ନା–ଭାଇନା ସେ ସବୁ କିଛି କଲେନି । ମୁହଁ ବୁଲାଇ ଚାଲିଗଲେ ସିଏ । ଯାଆନ୍ତୁ । ସେ ବି ତ ଚାଲିଯିବ ଏଇ ଆସନ୍ତା ମାଘ ମାସରେ । ଭାଇନାଙ୍କ ବିଭାଘର ପରେ ପରେ ତନୁର ବି.ଏ. ପରୀକ୍ଷା ।–ନହେଲେ–ଏକା ତିଥିରେ ତନୁର ବି ବିଭାଘର ହୋଇଯାଇଥାଆନ୍ତା । ଭଲ ହୋଇଥାଆନ୍ତା–ଭାଇନାଙ୍କ ପାଖରୁ ଯେତେଶୀଘ୍ର ସେ ଚାଲିଯିବ ସେତେ ତା’ର ଭଲ–ସେତେ ତା’ର ଶାନ୍ତି । ଭାଇଭଉଣୀଙ୍କ ମଧ୍ୟରେ କଥା ନାହିଁ ଦେଖିଲେ କ’ଣ କହିବେ ମୌସୁମୀ ଭାଉଜ । କଥା କାହିଁକି ନାହିଁ ବୋଲି ସେ ଯଦି ମତେ ପଚାରିଦିଅନ୍ତି, କି ଉତ୍ତର ଦେବି ତେବେ ? ଛି, ଛି, ଛି । ମରମରେ ମରିଯାଉଥିଲା ତନୁ । ଆଖିଆଗର ତା’ର ଭାସିଯାଉଥିଲା ସେଇ ଅଭୁଲା କାଳରାତ୍ରି କଥା । ଯେଉଁ ରାତ୍ରୀ ବହନ କରିଆଣିଲା ତନୁ ଜୀବନରେ ଅକଲ୍ୟାଣ ।

 

ସେଦିନ...

 

କଲେଜରେ ଡ୍ରାମା ହେଉଥିଲା । ସେ ହୋଇଥିଲା ଶକୁନ୍ତଳା, ଆଉ ରାଜେନ୍‌ ହୋଇଥିଲା ଦୁଷ୍ମନ୍ତ । ଦୁହିଁଙ୍କର ନିପୁଣ ପ୍ରାଣ ମତାଣିଆ ଅଭିନୟରେ ମୁଗ୍‌ଧ ହୋଇଉଠିଥିଲା ସେଇ ସ୍ଥାନଟି । ହାତ ତାଳିର ପୁଷ୍ପ ବୃଷ୍ଟିରେ ଆତ୍ମହରା ହୋଇଯାଇଥିଲା ତନୁଶ୍ରୀ ମିଶ୍ର, ବିଭୋର ହୋଇଯାଇଥିଲା । ଦେଖଣାହାରୀଙ୍କ ମନରେ କି ଭାବ ସୃଷ୍ଟି ହୋଇଥିଲା କେଜାଣି–ତା’ ନିଜ ମନରେ କିନ୍ତୁ ସୃଷ୍ଟି ହୋଇଥିଲା ସାତରଙ୍ଗର ଇନ୍ଦ୍ରଧନୁ ।

 

ଗୋରା ତକ୍‌ ତକ୍‌ ଲମ୍ୱା ଚଉଡ଼ା ରାଜେନ୍‌ ଦେହରେ ରାଜପୋଷାକ ବିଦଗ୍‌ଧ ଦୁଷ୍ମନ୍ତ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନତୁ ମନରେ ଭ୍ରମ । ସେଇ ଏକାଭାବ ରାଜେନ୍‌ ମନରେ ବି । ସିନ୍ ପଡ଼ିବା ପରେ ବି ବିଗ୍‌ଧ ଆଖିରେ ଦୁହେଁ ଚାହିଁ ରହିଥିଲେ ଦୁହିଁଙ୍କ ଆଡ଼କୁ । ଦୁହିଁଙ୍କ ଆଖିରେ ଫୁଟିଉଠିଥିଲା ନିଜ ନିଜକୁ ସମର୍ପଣ କରିଦେବାର ବିଭ୍ରାନ୍ତ ଦୃଷ୍ଟି ।

 

–ରେ ବର୍ବର ବାଳିକା ! ଏହି ସଭ୍ୟ ସମାଜରେ ରହି ତୁ କ’ଣ କାଣିଚାଏ ହେଲେ ସଭ୍ୟତା ଶଖିନାହୁଁ ? ନତ କର, ନତ କର ତୋର ସେହି ସ୍ୱାପ୍ନାତୁର ନୟନପତା । ସଂଶୋଧନ କରିନେ ତୋର ଏଇ ସର୍ବନାଶା ଭ୍ରମକୁ । ମୂଢ଼ ବାଳିକା ସମ୍ୱରଣ କର ନିଜକୁ–କହୁଅଛି ସଖୀ ମୁହିଁ ତୋର–ଏଇ ପ୍ରିୟମ୍ୱଦା ।

 

ସୁନୀଳ ଅଞ୍ଚଳରେ ନିଜର ଲଜ୍ଜାରୁଣ ମୁହଁଟିକୁ ଢାଙ୍କି ଏକପ୍ରକାର ଦଉଡ଼ି ଦଉଡ଼ି ପଳାଇଥିଲା ଶକୁନ୍ତଳା ରୁପିଣୀ ତନୁଶ୍ରୀ । ଆଉ–ସେଇଦିନୁଁ ତା’ର ଦୁର୍ବଳତା ଆସିଥିଲା ରାଜେନ୍‌ ପ୍ରତି । ରାଜେନ୍‌ର ମଧ୍ୟ । ତନୁଶ୍ରୀ ମନଭାବକୁ ତୀକ୍ଷ୍‌ଣ ଦୃଷ୍ଟିରେ ଲକ୍ଷ୍ୟ କରିଥିଲା ରାଜେନ୍ଦ୍ର କୁମାର ମହାନ୍ତି । ସମୟ ଅସମୟରେ ଯାଚିହୋଇ କଥା କୁହେ ରାଜେନ୍‌ ତନୁ ସହିତ । କଥା ତ ନୁହେଁ ଗୁଡ଼ାଏ ଅବାନ୍ତର ପ୍ରଳାପ । ସେଇ ପ୍ରଳାପ ଆଳାପରେ ବୋକା ତନୁଶ୍ରୀ ଯୋଗଦେଲା ନିର୍ବିଚାରରେ ।

 

ନିର୍ଜନ ଜାଗାମାନ ଦେଖି ଡାକିନେଇଯାଏ ରାଜେନ୍‌ ତନୁଶ୍ରୀକୁ । ନାହିଁ କରିପାରେନାହିଁ ତନୁ । ରାଜେନ୍‌ର ଅବାନ୍ତର ପ୍ରଶ୍ନର ଉତ୍ତର ଦିଏ । ଦେହରେ ଦେହ ଲଗାଇ ବସିଗଲେ ଅସ୍ୱସ୍ତି ଅନୁଭବ କରେ ତନୁଶ୍ରୀ । ତଥାପି ସେ ରାଜେନ୍‌କୁ କିଛି କହିପାରେନା ।

 

ଦୁଇଥର ରାଜେନ୍‌ ବି.ଏ ଫେଲ୍ କଲାଣି । ଝିଅମାନେ ଶୁଣନ୍ତି, ଜାଣନ୍ତି–ତଥାପି ରାଜେନ୍‌ର ନୟନଭୁଲା ରୂପ ମନରେ ତାଙ୍କର ମୋହ ସୃଷ୍ଟି କରେ । ଝିଅମାନେ ଭୁଲିଯାଆନ୍ତି ତାଙ୍କ କ୍ଲାସର ପୁରାତନ ଛାତ୍ର ରାଜେନ୍‌ ସହିତ କେତେ ଝିଅ ପଢ଼ି କିଏ କେଉଁଆଡ଼େ ଚାଲି ଗଲେଣି, କେହିବା ବିଭା ହୋଇ–କେହିବା ଚାକିରି ନେଇ । ସେମାନେ ବି ହୁଏତ ଚାଲିଯିବେ, କିନ୍ତୁ–ଏହି କ୍ଲାସଟିକୁ ଅଳଙ୍କୃତ କରି ଆହୁରି ହୁଏତ ବହୁଦିନ ଧରି ରାଜେନ୍‌ ମହାନ୍ତିକୁ ବସିବାକୁ ପଡ଼ିବ । ହେଲେ–ସେ ଖିଆଲ ନବାଗତା । ଝିଅମାନଙ୍କର ନ ଥାଏ । ରାଜେନ୍‌ ମହାନ୍ତି ଯାହା ସହିତ କଥା ହୁଏ ।

 

ସେ ନିଜକୁ କୃତ୍ୟକୃତ୍ୟ ମଣେ ।

 

ଯେପରି ମଣିଛି ଆଜି ତନୁ । ଭୁବନେଶ୍ୱରର ପୁରୁଣା ଟାଉନରେ ରାଜେନ୍‌ର ମଧ୍ୟ ଘର-। କଲେଜ ଯିବା ବାଟରେ ସେଦିନ ଦୁହିଁଙ୍କର ଦେଖା । ରାଜେନ୍‌ ଅନୁନୟ କରିଥିଲା, କହିଥିଲା–କଲେଜ ଆଜି ଯିବାନି ତନୁ । ଆସ, କୁନ୍ଦଝାଡ଼ଘେରା ସିମେଣ୍ଟ ବେଞ୍ଚ ଉପରେ ଦୁହେଁଯାଇ ବସିଥିଲେ । ରାଜେନ୍‌ ପକେଟରୁ କାଢ଼ିଲା ଯୋଡ଼ିଏ ଚାନାଚୂର ପ୍ୟାକେଟ୍‌ । ଖାଉ ଖାଉ ସେମାନେ ଦୁହେଁ ଗପ କରୁଥିଲେ ସେଦିନ ।

 

ଆବେଗଭରା କଣ୍ଠରେ ରାଜେନ୍‌ କହିଥିଲା–

 

ଜାଣିଛ ତନୁ, ଚେନାଚୁର୍‌ ମୁଁ ଭୀଷଣ ଭଲପାଏ ।

 

ଓଠରେ ହସର ଫୁଲଝର ଜାଳି ତନୁ କହିଥିଲା–ସତେ !

 

ଏଆଡ଼ୁ ସେଆଡ଼ୁ ବହୁତ ଗପ କଲେ ସେମାନେ । ତା’ପରେ–ରାଜେନ୍‌ ରହି ରହି କହିଥିଲା–ମୁଁ ତୁମକୁ ବିବାହ କରିବାକୁ ଇଚ୍ଛାକରେ ତନୁ । ମୋର ପାଠନାହିଁ ସତ, କିନ୍ତୁ ବାପାଙ୍କର ପଇସା ଅଛି ପ୍ରଚୁର । ବାପୁଜୀ ନଗରରେ ଆମର ବହୁତ ନାଁ ଅଛି । ଆଶାକରେ ତୁମେ କଦାପି ହେଲେ ଅରାଜି ହେବନି । କ’ଣ କହୁଛ ?

 

ଚମକିଉଠିଥିଲା ତନୁଶ୍ରୀ ।

 

ବ୍ରାହ୍ମଣ ଘରର ଝିଅ ସେ ! ଆଉ ରାଜେନ୍‌ ହେଲା ମହାନ୍ତି ଘରର ପୁଅ । ବାହାହେବେ ସେମାନେ ! କିଏ ବିଭା ଦେବ ତାଙ୍କୁ ? ଅନେକ ଭାବିଚିନ୍ତି ସେଇଆ ସେ କହିଲା ରାଜେନ୍‌କୁ ।

 

ବଦଳି ଯାଇଥିଲା ରାଜେନ୍‌ ମୁହଁର ରଙ୍ଗ.....

 

ଅସହିଷ୍ଣୁ କଣ୍ଠରେ କହିଥିଲା–କେହି ଯଦି ବିବାହ ନ ଦିଅନ୍ତି ଆମର, ତେବେ କ’ଣ ଆମେ ପଛେଇଯିବା ? ନିଜର ଇଚ୍ଛାକୁ ଆମେ କ’ଣ ସେଇ ପୁରୁଣା କୁସଂସ୍କାର ତଳେ ଚାପିଦେବା-? ଶୁଣ, କୌଣସି ଉପାୟ ଯଦି ଆମେ ନପାଉ ତେବେ–। ରାଜେନ୍‌ ତୀର୍ଯ୍ୟକ ଦୃଷ୍ଟିରେ ଚାହିଁଲା ଥରେ ତନୁଶ୍ରୀର ଭୟାର୍ତ୍ତ ମୁହଁଟାକୁ । ତନୁଶ୍ରୀ କଣ୍ଠ ଥରାଇ ପଚାରିଥିଲା କ’ଣ ତେବେ ରାଜେନ୍‌ ?

 

ରାଜେନ୍‌ ରହି ରହି କହିଥିଲା–ଶୁଣ ତନୁ, ଏଇ ଦୁନିଆରେ ଆମେ କାହା ମୁହଁକୁ ଚାହିଁବାନି । ଆମେ ପଳାଇବା । ଆମେ ପଳାଇବା ଅନେକ ଦୂରକୁ । ଯେଉଁଠି ନଥିବେ ଆତ୍ମୀୟସ୍ୱଜନ କିମ୍ୱା କେହିହେଲେ ଜଣାଶୁଣା । ହାତରେ ନେବି ବହୁତ ପଇସା । ବ୍ୟବସାୟ କରି ସୁଖରେ ରହିବା । କ’ଣ ହେବ ଜାତି, କି ଲାଭ ସମାଜର ମୁହଁକୁ ଚାହିଁ । କିଛି ଲୋଡ଼ାନାହିଁ । କିଛି ମୁଁ ଚାହେଁନି । ତୁମ ଛଡ଼ା ଏଇ ପୃଥିବୀର କୌଣସି ପଦାର୍ଥ ମୋର କାମ୍ୟ ନୁହେଁ । ଶୁଣିବ ମୋ କଥା ତନୁ ? ରଖିବ ମୋ ଅଳି ?

 

ରାଜେନ୍‌ କଣ୍ଠରେ ବ୍ୟାକୁଳ ଆମନ୍ତ୍ରଣ ।

 

କିନ୍ତୁ ତନୁ ?

 

ତନୁ ବି କ’ଣ କିଛି ଚାହେଁନି ? ସେ କ’ଣ ତା’ର ବାପା, ମାଆ. ଭାଇଙ୍କୁ ତ୍ୟାଗକରି ରହିପାରିବ ? ତା’ ଜୀବନର ଶେଷଦିନ ପର୍ଯ୍ୟନ୍ତ ସେ କ’ଣ ବିତାଇ ଦେଇପାରିବ ତା’ର ସେଇ ଅତି ପ୍ରିୟଜନମାନଙ୍କୁ ନ ଦେଖି ?

 

ପୁଣି ରାଜେନ୍‌ କଣ୍ଠରୁ ଝରିପଡ଼ିଲା ଆକୁଳ ଆବେଦନ । ପଚାରିଲା–

 

ଚୁପ୍‌ ହେଲ କାହିଁକି ତନୁ ? କିଛିହେଲେ ପଦେ କୁହ । ତୁମରି ଜବାବ୍‌କୁ ମୁଁ ଅପେକ୍ଷା କରୁଛି । ମୋ ଭିତରର ଏଇ ଆକୁଳ ଆଗ୍ରହକୁ ନିଶ୍ଚୟ ତୁମେ ଅନୁଭବ କରିପାରୁଥିବ । କୁହ–କିଛି ହେଲେ ପଦେ କୁହ !

 

ବିଷନ୍ନ ଆଖି ମେଲି ତନୁଶ୍ରୀ ଚାହିଁ ରହିଛି ରାଜେନ୍‌ର ଆବେଗଭରା ମୁହଁକୁ ।

 

ସେ ଆଦୌ ସହିପାରୁନି ରାଜେନ୍‌ର ବ୍ୟାକୁଳତାକୁ । ମନ ତା’ର ଦୁର୍ବଳ ହୋଇଆସୁଛି । ତା’ର କ୍ଷୀଣ ଦେହ ତଳେ ଯେଉଁ ମନ ଥିଲା ସେ ମନ ଦୁଇଭାଗ ହୋଇ ଚିରି ହୋଇଯାଇଛି । ଅଧେ ମନ କହେ–ଯିବି, ଯିବି, ଯିବି, ଚାଲିଯିବି ରାଜେନ୍‌ ସାଙ୍ଗରେ । ଆଉ ଅଧେ ମନ କହେ ନାଁ, ନାଁ, ନାଁ, କଦାପି ଯାଇପାରିବିନି । ମୋଟେ ଯାଇପାରିବିନି । ମୋର ବାପା, ଭାଇନା, ବୋଉ, ଏମାନଙ୍କୁ ଛାଡ଼ି ମୁଁ କଦାପି ହେଲେ ଯାଇପାରବିନି । କିନ୍ତୁ ରାଜେନ୍‌, ରାଜେନ୍‌କୁ ଛାଡ଼ି ରହିବା ତ ଅସମ୍ଭବ ।

 

ଠିକ୍‌ ସେତିକିବେଳେ......ହଠାତ୍‌ ରାଜେନ୍‌ କହିଉଠିଲା–

 

ଦେଖ ତନୁ, ସେ ଯେଉଁ ଲୋକଟା ଝୁଲି ଝୁଲି ଯାଉଛି–ସେ ଲୋକଟା ଆମକୁ ବହୁତ ସମୟ ଧରି ଚାହିଁ ଚାହିଁ ଦେଖୁଥିଲା । ହେଇ ସେଇ ରାସ୍ତା କଡ଼ରେ ଠିଆହୋଇ ରହିଥିଲା ବହୁ ସମୟ ଧରି ସେହି ଲୋକଟି ।

 

ଉଠିପଡ଼ିଥିଲା ତନୁ.......

 

ଦୃଷ୍ଟି ପ୍ରସାରି ଚାହିଁଥିଲା ଚାଲିଗଲା ଲୋକଟିଆଡ଼େ । ଉଃ–ବୋଲି ଆର୍ତ୍ତନାଦ କରିଉଠିଥିଲା ତନୁଶ୍ରୀ ମିଶ୍ର । ସେଇ ଉଃ ଶବ୍ଦଟା ତନୁର ପ୍ରତିଟି ତନ୍ତ୍ରୀକୁ ଛିଣ୍ଡାଇ ଟିକି ଟିକି କରିଦେଇଥିଲା । ଚାଲିଯାଉଛନ୍ତି ଭାଇନା । ଚାଲିଯାଉଛନ୍ତି ଓଡ଼ିଶାର ବିଖ୍ୟାତ ଡାକ୍ତର ମନୋରଞ୍ଜନ ମିଶ୍ର । ଚାଲିରେ ତାଙ୍କର ଫୁଟିଉଠିଛି ଗୋଟାଏ ଅସହାୟ ଭଙ୍ଗୀ । ପାଦ ଘୋସାରି ଘୋସାରି ଚାଲିଛନ୍ତି ଗୋଟିଏ ଛଅଫୁଟ ଦୀର୍ଘ ବଳିଷ୍ଠ ମଣିଷ । ହାହାକାର କରିଉଠିଲା ତନୁଶ୍ରୀର ଅନ୍ତରର ଅନ୍ତଃସ୍ଥଳ ।

 

ଦୃପ୍ତ ଭଙ୍ଗୀରେ ଘୂରି ପଡ଼ିଥିଲା ସେ ରାଜେନ୍‍ଆଡ଼କୁ ।

 

ହାତଯୋଡ଼ି କହିଥିଲା, କ୍ଷମାକର ରାଜେନ୍‌, ମତେ କ୍ଷମା କରିଦିଅ । ମୋ କଥା ଆଉ ବ୍ୟବହାରରେ ଦିନେ ହେଲେ ତୁମେ ବାଚାଳତା ଦେଖିନଥିବ । ମୁଁ ତମକୁ କେବେ ଭଲପାଇବାର କଥା କହିନି ଯାହାଦ୍ୱାରା ତୁମେ ଏପରି କଥା ଆଜି ମତେ କହିପାର । ସବୁଦିନେ ମୁଁ ତୁମକୁ ବନ୍ଧୁ ବୋଲି ଭାବିଆସିଛି । ବିଭା ହେବା କଥା ସ୍ୱପ୍ନରେ ସୁଦ୍ଧା ଭାବିନି । ଅବ୍ରାହ୍ମଣ ସହିତ ବ୍ରାହ୍ମଣ କନ୍ୟାର ବିବାହ କଦାପି ହେଲେ ହୋଇପାରେନା । ମୁଁ ମୋର ବଂଶ ଗୌରବ ନଷ୍ଟ କରିପାରିବିନି । ତା’ ଛଡ଼ା ଦେଖ–ସତରେ ଆମେ ପରସ୍ପରକୁ ବିବାହ କରିପାରିବାନି । କେହି ଆମର ବିବାହ ଦେବେନି-। ତୁମେ କହୁଛ ଆମେ ପଳାଇବା । ନା ରାଜେନ୍‌–ପଳାଇ ଆମେ ପାରିବାନି । ଅନ୍ତତଃ ପଳାଇଯିବାର ମନୋବୃତ୍ତି ମୋର ନାହିଁ । ମୁଁ ପଳାଇ ପାରିବିନି । ଆଚ୍ଛା, ନମସ୍କାର ।

 

ସ୍ଥାନ ଛାଡ଼ି ତରତର ହୋଇ ପଳାଇଯାଇଛି ତନୁ ।

 

ଆକୁଳ କଣ୍ଠରେ ଡାକିଉଠିଲା ରାଜେନ୍‌–ତନୁ, ତନୁଶ୍ରୀ......

 

ଯାଅନି ଶୁଣିଯାଅ,ମୋର ପଦେ କଥା ଶୁଣିଯାଅ । ଖାଲି ମୋର ଗୋଟିଏ କଥାର ଉତ୍ତର ଦେଇଁଯାଅ ତନୁଶ୍ରୀ ।

 

ପୁଣି ଘୂରିପଡ଼ିଲା ତନୁ । ଚାହିଁଲା ସିଏ ରାଜେନ୍‌ର ବ୍ୟଥାତୁର ମୁହଁଆଡ଼କୁ ଆଖିରେ ତା’ର ଓହ୍ଲାଇଆସିଲା ଶ୍ରାବଣର କୃଷ୍ଣଛାୟା । ସେଇ ଆଖିରେ ପ୍ରଶ୍ନଭରି ଖାଲି ଚାହିଁରହିଲା ରାଜେନ୍‌ ମୁହଁକୁ ।

 

ପାଖେଇ ଆସଲା ରାଜେନ୍‌ । ରୁଦ୍ଧ ଗଳାରେ ପଚାରିଲା–ତନୁ ମୋ କଥାର ଉତ୍ତର ଦିଅ-

 

ଖାଲି ଥରେ କହିଯାଅ, ତୁମେ କ’ଣ ସତରେ ମତେ ଭଲପାଇନଥିଲ ? ମତେ ନେଇ କ’ଣ କେବେ ତୁମେ ସ୍ୱପ୍ନ ଦେଖିନଥିଲ । ଏଇ ଆମ ଦୁଇଟି ଜୀବନକୁ ନେଇ ସତେ କ’ଣ ତୁମେ କୌଣସି ଦିନ କାମନା କିମ୍ୱା କଳ୍ପନାର ସୁଅରେ ଭାସିଯାଇନଥିଲ ?

 

ଚାଲି ଯାଉ ଯାଉ ଝୁଣ୍ଟିପଡ଼ିଲା ତନୁଶ୍ରୀ ।

 

ଅବିଚଳିତ କଣ୍ଠରେ କହିଲା–ନାଁ, ନାଁ, ନାଁ ।

 

X X X

 

ଅନେକ ଦିନ ପରେ...

 

କମନ୍‌ରୁମରେ ବସିଥିଲା ଝିଅମାନଙ୍କ ମେଳା ।

 

ଅନେକ କଥା ହେବା ଭିତରେ ସମସ୍ତିଙ୍କ ଅଜାଣତରେ କେତେବେଳେ ସେମାନେ ଆଲୋଚନା କରି ବସିଥିଲେ ରାଜେନ୍‌ କଥା । ମୀନାକ୍ଷୀ ହସିହସି କହିଥିଲା ....ବାଜେ ପିଲା ସେଇ ରାଜେନ୍‍ଟା । ଦେଖା ସୁନ୍ଦର କଖାରୁ ଭଳି । ଛତରାଟା ।

 

ଚେନାଚୂର ଦିଟା ପାଟିରେ ପକାଇଦେଇ କାନ ଡେରିଲା ତନୁଶ୍ରୀ ।

 

ରସେଇ ରସେଇ ମୀନାକ୍ଷୀ କହିଚାଲିଛି–ବଦମାସଟାର ରୂପ ଟିକିଏ ଅଛି ବୋଲି ଅନେକ ଝିଅଙ୍କୁ ଟାଣିନେଇଛି ନିଜଆଡ଼କୁ । କେତେ ଯେ ଝିଅ ଆସିଲେ ତା’ ଜୀବନରେ ତା’ର ଆଉ ହିସାବ କେହି ଦେଇପାରିବେନି ଆଜି । ହେଲେ କ’ଣ ହେଲା, ଛତରାଟା ଭାରି ବୋକା । ଝିଅଗୁଡାକ କିନ୍ତୁ ଭାରି ଚାଲାକ୍‌ । ରାଜେନ୍‌ ମାହାନ୍ତି ସତ ସତ ଭଲପାଇବା ସୁଅରେ ଭାସିଯାଏ । ଝିଅଗୁଡାକ କିନ୍ତୁ ତା’ ସହିତ ଖାଲି ଅଭିନୟ କରନ୍ତି । ଅଭିନୟ କରି ସେଇ ମୂର୍ଖ ରାଜେନ୍‌ଟା ପାଖରୁ ବହୁତ ଉପହାର ସଂଗ୍ରହ କରି ଚାଲିଯାଆନ୍ତି । ଗଲାବେଳକୁ ଆଖିରୁ ପାଣି ନିଗାଡ଼ି କୁହନ୍ତି–କ୍ଷମାକର ରାଜେନ୍‌, ମୁଁ ବଡ଼ ହତଭାଗୀ, ମୁଁ ବଡ଼ ନିରୁପାୟ । ବୋକା ଆଖିରେ କୁଆଡ଼େ ରାଜେନ ମହାନ୍ତିଟା ସେଇମାନଙ୍କ ଯିବା ବାଟକୁ ଚାହିଁରହେ । ଆହା କି ବୋକା ପିଲାଟା ସିଏ, କହିଲ ସବୁ । ପ୍ରକୃତରେ ମତେ ଭାରି ଦୁଃଖ ଲାଗେ । ଗଲା ଦୁଇବର୍ଷ ତଳେ ସୁଦୀପ୍ତା ବୋଲି ଝିଅଟିଏ ତା’ଠାରୁ ଅନେକ ଆଦାୟ କରି ଚାଲିଯାଇଛି । କହୁକହୁ ଆଖି ବଙ୍କାଇ ଚାହିଁଲା ମୀନାକ୍ଷୀ, ତନୁଶ୍ରୀର ନଇଁଲା ମୁହଁକୁ । ତା’ପରେ ଦାନ୍ତ ଚିପି ଚିପି କହିଲା,ଏବେ ରାଜେନ୍‌ ଖୁବ୍‌ ଘୂରିବୁଲେ ତନୁଶ୍ରୀ ପଛରେ । ତନୁ ତା’ର ଶକୁନ୍ତଳା, ତନୁ ତା’ର ମାନସୀ, ଶେଷକୁ ପ୍ରିୟା ହୋଇପାରେ । ହା–ଆ–ଏ । କେଜାଣେ କ’ଣ ହେଉଛି ।

 

ଆଖିରେ ନିଆଁ ଜଳିଲା ତନୁଶ୍ରୀର ।

 

ଚେନଚୂର୍‌ ପ୍ୟାକେଟ୍‌ ଫୋପାଡ଼ିଦେଲା ମୀନାକ୍ଷୀର ମୁଣ୍ଡକୁ ଲକ୍ଷ୍ୟକରି । ତା’ପରେ–ଦଉଡ଼ି ଦଉଡ଼ି ପଳାଇଲା ସେଠୁ । କ୍ଲାସକୁ ଚାଲିଆସି କହୁଣୀ ସଦ୍ଧିରେ ମୁହଁ ଲୁଚାଇ ଚୁପ୍‌ଚାପ୍‌ ବସିରହଲା ତନୁଶ୍ରୀ । ମୁଦିଲା ଆଖିରେ ତା’ର ଭାସିଗଲା ରାଜେନ୍‌ର ଗୋରା ତକ୍‌ ତକ୍‌ ସୁନ୍ଦର ମୁହଁଟା । ସେ କିନ୍ତୁ ତା’ଠାରୁ କେବେହେଲେ କିଛି ନେଇନି ।

 

ନିଜର ମନକୁ ପଚାରି ହେଲା ତନୁଶ୍ରୀ–ଆଚ୍ଛା, ସତରେ କ’ଣ ସେ ରାଜେନ୍‌କୁ ଭଲପାଇଥିଲା ? ମନ ତା’ର ଉତ୍ତର ଦେଲା–ନା–ରାଜେନ୍‌କୁ କେଉଁଦିନ ହେଲେ ତୁ ଭଲପାଇନୁ । ଅଭିନୟ ରାତିରେ ତୋ ମନରେ ଯେଉଁ ସାମାନ୍ୟ ଦୁର୍ବଳତାର ଅଗହିରା ଦାଗ ପଡ଼ିଥିଲା, ତାହା ଏତେଦିନ ମଝିରେ ପୋଛି ହୋଇଯିବା କଥା, ହେଲେ–ସେଇ ରାଜେନ୍‌ର, ହଠକାରିତା ଯୋଗୁଁ ତା’ ସମ୍ଭବ ହୋଇପାରିଲାନି । ନାଁ ତନୁ ଭଲପାଇନି ରାଜେନ୍‌କୁ, ଆଦୌ ଭଲପାଇନି । ତାଙ୍କର କେତେ ବଡ଼ ଶିକ୍ଷିତ ବଂଶ । ଆଉ ରାଜେନ୍‌ଟା ହେଲା ନିପଟ ମୂର୍ଖ । ନାଁ, ନାଁ, ସେ ଆଦୌ ରାଜେନ୍‌କୁ ଭଲପାଇନି ।

 

ଭାଇନା ତା’ର ଦେବଦୂତ ।

 

ରାଗନ୍ତୁ, ମାରନ୍ତୁ, ହାଣନ୍ତୁ, କାଟନ୍ତୁ । ତନୁ ରାଗିବନି । ମୋଟେ ସେ ରାଗିବନି । ତା’ ଜୀବନ ଚନ୍ଦ୍ରମାକୁ ଯେଉଁ ସର୍ବନାଶ ରାହୁ ଗ୍ରାସିବାକୁ ଆସିଥିଲା, ସେଇ ଗ୍ରାସରୁ ତନୁ ନିଜକୁ କେଉଁଦିନ ହେଲେ ମୁକୁଳାଇ ପାରନ୍ତା ନାହିଁ । ଭାଇନା ଠିକ୍‌ ସମୟରେ ସେଠାରେ ଆସି ପହଞ୍ଚି ଯାଇନଥିଲେ ତା’ର ସର୍ବନାଶ ହୋଇଯାଇଥାଆନ୍ତା । ସେଇ କଥା ଭାବିଲା ବେଳକୁ ତନୁର ଆଜିପର୍ଯ୍ୟନ୍ତ ଦେହ, ମନ ଭୟରେ ଥରିଉଠେ । ଭାଇନାଙ୍କର ସେଇ ପାଦ ଘୋସରା ଚାଲି ତନୁର ମୋହଭଙ୍ଗ କରିଛି । ଅବାଟରୁ ବାଟକୁ ଫେରିଆସିଛି ତନୁ । ଭାଇନାଙ୍କ ଅଚାନକ ଉପସ୍ଥିତି, ତା’ ଜୀବନ ଗତିରେ ଆଣିଛି ସ୍ଥିରତା ।

 

ଭାଇନା ଦେବଦୂତ ।

 

ଭାଇନାଙ୍କ ଯୋଗୁଁ କୁନ୍ତଳବାବୁଙ୍କ ହାତରୁ ସେ ପାଇବ ସମ୍ମାନର ସୋହାଗଭରା ବୈଜୟନ୍ତୀମାଳା । ଯେଉଁ ମାଳା ନାରୀ ଜୀବନର ପରମ କାମ୍ୟ ।

 

ଭାଇନା ଦେବଦୂତ ।

 

ରାଜେନ୍‌ର କଥାର ଆବର୍ତ୍ତରେ ସେ ବୁଡ଼ିଯାଇନି । ଜୀବନସାରା ଢୋକ ଢୋକ ପାଣି ପିଇ ମରିଯିବାର ରାସ୍ତାରୁ ସେ ଲେଉଟିଆସିଛି । ଭାଇନା ତାକୁ ବଞ୍ଚାଇଦେଲେ ।

 

କିନ୍ତୁ–କିନ୍ତୁ ସତେ କ’ଣ ସେ ରାଜେନ୍‌କୁ ଭଲପାଇନଥିଲା ?

 

ବଂଶ ଗୌରବ ରଖିବାକୁ ଯାଇ, ସୁନା ଝିଅ ହେବାକୁଯାଇ, ସେ ଆଜି ଯାହା କରିବାକୁ ଯାଉଛି, ସେଇଥିରେ ମନ କ’ଣ ତା’ର ମାନିବ ? ତା’ ଚଲାବାଟରେ କେବେ କ’ଣ ଆସି ରାଜେନ୍‌ର ସୁନ୍ଦର ମୁହଁଟା ଉଙ୍କିମାରି ଯିବନି ? ରାଜପୋଷାକ ପିନ୍ଧା ଦୁଷ୍ମନ୍ତରୂପୀ ରାଜେନ୍‌କୁ ସତରେ କ’ଣ ସେ ଭୁଲିଯିବ ? ହଁ ଭୁଲିଯିବ । ନିଶ୍ଚୟ ଭୁଲିଯିବ । ଆଖିର ଅଶ୍ରୁଧାରାକୁ ଜରିଦାର୍‌ ଅଞ୍ଚଳରେ ପୋଛିନେଲା ତନୁଶ୍ରୀ ।

 

ଅଣତିରିଶି

 

ସମୟର ଗତି ଅବିକଳ ନଦୀର ଗତି ସାଥିରେ ସମାନ । ମଣିଷର ମନର ଗତି, ସେ ବି କ’ଣ କମ୍ ? ମିଶ୍ର ପରିବାର ସବୁ ଦୁଃଖ ପାସୋରି ଦେଇ ଭାସିଯାଉଛନ୍ତି ଆନନ୍ଦର ସୁଅରେ । ଗୋଟିଏ ବୋଲି ପୁଅ । ତା’ର ବିବାହ । ଆନନ୍ଦ କରିବାର କଥା ତ !

 

ମାର୍ଗଶିରର ଶୀତୁଆ ସକାଳ ।

 

ଦିବ୍ୟେନ୍ଦୁଙ୍କ ଘରଟା ଲୋକାରଣ୍ୟ । ସାନ ଆଉ ବଡ଼ମାନଙ୍କର କଣ୍ଠ–କାକଳିରେ ସେ ଘର ଆଜି ମୁଖର ହୋଇଉଠିଛି । ହଁ, ବିବାହ ଉତ୍ସବଲାଗି ବନ୍ଧୁ କୁଣିଆରେ ପରିପୂର୍ଣ୍ଣ ହୋଇଯାଇଛି ଦିବ୍ୟେନ୍ଦୁଙ୍କର ସେଇ ଘରଟା । ଆଜି ମଙ୍ଗନ, କାଲି ବିଭା । ସାଜସଜ୍ଜାରେ ଘରଟି ଇନ୍ଦ୍ରଭୁବନ ତୁଲ୍ୟ ଶୋଭାପାଉଛି । ଦୁଆରେ ଆଜିକୁ ତିନିଦିନ ଧରି ବାଜା ବାଜିଚାଲିଛି । ଅପରାଜିତାଙ୍କ ପାଦ ତଳେ ଲାଗୁନି । ଘରସାରା ବୋହୂ, ଝିଅ, ପିଲାଛୁଆ, ଯୁବକ, ପୌଢ଼ । ଜିତା କାହାର ଖୁଡ଼ି, କାହାର ମାଇଁ, କାହାର ଭାଉଜ । ସମସ୍ତିଙ୍କ ଡାକରେ ଓ କରୁଛନ୍ତି ଜିତା । ରିଶ୍ରମ କରି କରି ହାଲିଆ ହୋଇପଡ଼ୁଛନ୍ତି–ତଥାପି ଉଦ୍ଦାମ ଉତ୍ସାହ ଯୋଗୁଁ, ସେ କ୍ଳାନ୍ତି ଅନୁଭବ କରୁନାହାନ୍ତି ।

 

ପାହିଗଲା ମଙ୍ଗନର ମଙ୍ଗଳମୟ ରାତି....

 

X X X

 

ଆଜି ବିବାହ ।

 

ଆଲୋକମାଳାରେ ଘରଦ୍ୱାର ଝଲମଲ ଦିଶୁଛି । ଆଜି ତନୁର ଆନନ୍ଦର ସୀମା ନାହିଁ । ଭାଇନାଙ୍କୁ ନିଜ ହାତରେ ସେ ଆଜି ସଜାଇଦେଇଛି । କପାଳରେ ଆଙ୍କିଦେଇଛି ଚନ୍ଦନର କମକୂଟୀ-। ଶ୍ୟାମଳ ରଙ୍ଗର ଭାଇନା ତା’ର ଦିଶୁଛନ୍ତି ରାମାୟଣରେ ଥିବା ଛବିର ରାମଚନ୍ଦ୍ରଙ୍କ ପରି-। ଭାଉଜଙ୍କ ରୂପଟା ଭାସିଉଠିଲା ତନୁର ମନନୟନରେ । ହଁ, ଭାଉଜ ତା’ର ଠିକ୍‌ ସୀତାଙ୍କ ପରି ଦେଖିବାକୁ । ସୁନାର ପ୍ରତିମା । ବାଣ ରୋଷଣୀରେ ଚାରିଆଡ଼ ଗୁମ୍‌ଗୁମ୍‌ ହୋଇଉଠିଲା-। ଆନନ୍ଦରେ ଉଜ୍ଜ୍ୱଳହୋଇଉଠିଲା ତନୁଶ୍ରୀର ଆଖିମଣି ଦୁଇଟି । ଏଇମୁହୂର୍ତ୍ତ ପର୍ଯ୍ୟନ୍ତ ବି ଭାଇନା ତା’ ସାଥିରେ କଥା କହିଲେନି । ସେ ଭାଇନାଙ୍କ ମୁହଁଟାକୁ ହାତରେ ଧରି ଯେତେ ରକମର କରି ଘୂରାଇଛି ଚନ୍ଦନ ଟୋପି ଦେଲାବେଳକୁ, କଳ କୁଣ୍ଢେଇ ପରି ସେତେ ରକମର ମୁହଁ ଘୂରାଇଛନ୍ତି ଭାଇନା । କିନ୍ତୁ ତଥାପି କଥା ସେ କହିନାହାନ୍ତି । ହଉ ନ କୁହନ୍ତୁ, ଦୁଃଖକରି ଲାଭନାହିଁ-

 

ମଟରଟା ସଜା ହୋଇଛି ମୟୂରପକ୍ଷୀ ନଉକାପରି ।

 

ସେଇଥିରେ ବସି ଚାଲିଗଲେ ଡାକ୍ତର ମନୋରଞ୍ଜନ ।

 

ମୁଗ୍‌ଧ ଆଖିରେ ଚାହିଁ ରହିଲା ତନୁଶ୍ରୀ ଭାଇନାଙ୍କର ବରବେଶଆଡ଼େ ।

 

ପୁଅର ଯିବାବାଟକୁ ଚାହିଁ ରହିଥିଲେ ଅପରାଜିତା ।

 

ଆଖିରେ ତାଙ୍କର ଆନନ୍ଦର ଅଶ୍ରୁଧାରା, ଆଉ ଓଠରେ କ୍ଷୀଣ ହସ ଗାରେ ।

 

ଲଳିତାବୋଉ ଲେଖାରେ ତାଙ୍କର ଝିଆରୀ ହେବେ । କହିଲେ, ଆଜିପରା ଦିନେ ଆଖିରେ ତୁମେ ଲୁହ ଝରାଉଛ ଖୁଡ଼ୀ ? ପୋଛିଦିଅ, ପୋଛିଦିଅ, ପୋଛିଦିଅ ସେହି ଲୁହ । ଶୁଭଦିନରେ ଏ କି କଥା ତୁମର ? ଏଇ କଥା କହି ନିଜ ହାତରେ ଖୁଡ଼ୀଙ୍କ ଅଶ୍ରୁ ପୋଛିଦେଲେ ଲଳିତାବୋଉ । ଲଳିତାବୋଉଙ୍କର ସ୍ନେହ ସ୍ପର୍ଶରେ କୋହଟା ଦୁଇଗୁଣ ହୋଇଉଠିଲା ଅପରାଜିତାଙ୍କର । ରୁଦ୍ଧଗଳାରେ କହିଲେ–ଝିଅଲୋ–ମନୁ ମୁଣ୍ଡରେ ମକୁଟ ଦେଖିବି ଏ ଆଶା ମୋର ନଥିଲା । ମୋର ଆଶା ଆକାଙ୍‌କ୍ଷାର ସେଇ ମକୁଟ ଆଜି ତା’ ମଥାରେ ଦେଖି କୋହ ସମ୍ଭାଳିପାରୁନି । କହୁ କହୁ ପୁଣି କାନ୍ଦିଉଠିଲେ ଅପରାଜିତା ।

 

ଲଳିତା ବୋଉଙ୍କ ସହିତ ଆହୁରି କେତେ ବୋହୂଝିଅ ପାଖରେ ଥିଲେ । ସମସ୍ତେ ହସିଉଠିଲେ । କହିଲେ–ଏମିତି ନିରାଶ ତୁମେ କାହିଁକି ହୋଇଥିଲ ମ ? କନ୍ୟା ପାଇବାର ଯୋଗ୍ୟତା ତା’ର ନାହିଁ–ନାଁ–ସେ ବୁଢ଼ା ହୋଇଗଲାଣି । ତା’ପରି ପୁଅପାଇଁ ତୁମର ଏତେ ଚିନ୍ତା !

 

ଲଳିତାବୋଉ କହିଲେ–

 

ଖୁଡ଼ୀ ସବୁଦିନେ ଏହିପରି ବାୟାଣୀ । କକେଇ ଯେତେବେଳେ ମୁନ୍‌ସଫ୍‌ ହୋଇଥିଲେ, ସେଦିନ କଥା ଛାଡ଼ । ଯେଉଁଦିନ ହଠାତ୍‌ ସବ୍‌ଜଜ୍‌ ହୋଇଗଲେ ସେଦିନ ଖୁଡ଼ୀ କାନ୍ଦି ପକାଇଥିଲେ-। ପୁଣି କକେଇ ଯେଉଁଦିନ ଜଜ୍‌ହେଲେ ସେଦିନ ବି ଖୁଡ଼ୀ କାନ୍ଦିଥିଲେ । ଖୁଡ଼ୀଙ୍କର ସବୁକଥା ମୋ ବୋଉ ମତେ କୁହନ୍ତି । ତାପରେ ମନୁ ଭାଇନା ଯେଉଁଦିନ ଡାକ୍ତରୀ ପାଶ୍‌କଲେ ସେଦିନ ମୁଁ ଏହିଠାରେ ଥିଲି । ସେଦିନ ବି ଭାଇଁନାଙ୍କୁ କୁଣ୍ଢାଇଁଧରି ଖୁଡ଼ୀ ବହେ କାନ୍ଦିଥିଲେ । ଖୁଡ଼ୀ ତୁଚ୍ଛା ବାୟାଣୀ । ଯେତେ ଯାହା ତାଙ୍କ ଜୀବନରେ ଭଲ ଘଟେ, ସେଇ ଭଲକୁ ସେ ଡରିଲା ମନରେ ଗ୍ରହଣ କରନ୍ତି । ଏହା ତାଙ୍କର ସ୍ୱଭାବ ।

 

ଘରେ ପଶିଲେ କୁସୁମିତା–

 

ଅପରାଜିତାଙ୍କର ସାନ ଭଉଣୀ ।

 

ତାଙ୍କୁଇ ଲକ୍ଷ୍ୟକରି, ଲଳିତାବୋଉ କହିଲେ–ଜାଣିଲ ମାଉସୀ, କକେଇ ଯେତେବେଳେ ଚାକିରି କରି ବୁଲି ବୁଲି ବୁଲୁଥିଲେ, ସେତେବେଳେ ଘରେ ରହି ତାଙ୍କରି ଦୁଇଭାଇ ସବୁ ଜମିବାଡ଼ି ବିକି ଭାଙ୍ଗି ଖାଇଗଲେ । ଏ କକେଇଙ୍କୁ ଫାଙ୍କିଦେବାକୁ ଯାଇ ସେମାନେ ସେମିତି କଲେ । ଅସୁମାରୀ ସମ୍ପତ୍ତିକୁ ଛିନ୍ନ ଭିନ୍ନ କରିଦେଲେ ସେମାନେ । ଛଟାଙ୍କିଏ ବି ରଖିଲେନି ସେମାନେ ଏଇ ଦିବୁ କକେଇଙ୍କ ପାଇଁ । ଏମାନେ ବି ଜଣକୁ ଦୁଇଜଣ ଭଲ ମଣିଷ–କାହାକୁ କିଛି କହିଲେନି । ଏଇ ଭୁବନେଶ୍ୱରରେ ଶେଷକୁ ଘରଦ୍ୱାର କରି ରହିଗଲେ । ଦୁହେଁ ମିଶି ଛି କରିଦେଲେ ସମ୍ପତ୍ତି ସହିତ ଦେଶମାଟିକୁ ମଧ୍ୟ । ଆଉ ଦିନକ ପାଇଁ ହେଲେ ଏମାନେ ଗଲେନି ବାଲେଶ୍ୱରକୁ । ଏମାନେ ସିନା ସହିଲେ–ଧର୍ମ କ’ଣ ଅନ୍ୟାୟ କିଛି ସହେ ? ଛାଡ଼, ଯାହାହେଉ ଦିବୁ କକେଇ ମୋର ଦଶଜଣରେ ଜଣେ ହୋଇ ଠିଆ ହୋଇଗଲେ ।

 

କୁସୁମିତା ସ୍ମିତହସି କହିଲେ–

 

ଆଉ ଭଗବାନଙ୍କର ଏଇ କରୁଣାର ଦାନକୁ ନାନୀ ଆଖିପାଣିରେ ଧୋଇ ମନେ ମନେ ଗ୍ରହଣ କରି ହୃଦୟରେ ସାଇତିଲେ । ଏକୋଇ କହନ୍ତି ନିରହଙ୍କାରୀ ଧର୍ମଭୀରୁ । ନାନୀ ଯେମିତି–ଜୋଇଁ ବି ହେଲେ ସେମିତି । ପୁଣି ପିଲାଏ ବି ଅଦ୍‌ଭୁତ । ଆଶ୍ଚର୍ଯ୍ୟ ରକମର ଭଲ ହୋଇଛନ୍ତି ପିଲାଗୁଡାକ ।

 

ଲଳିତାବୋଉ କହିଲେ–

 

ମାଉସୀ ମ.....ସେ ଦୁଇଭାଇଙ୍କ ଦଶା କଥା ଶୁଣିଲେ ତୁମେ କାଠ ହୋଇଯିବ ଯେ !

 

ମଳିନ ହସିଲେ କୁସୁମିତା । କହିଲେ–

 

ଲୋଡ଼ାନାହିଁ ମାଆ ତାଙ୍କ କଥା ଶୁଣିବାକୁ । କାହାକଥା ଶୁଣି କି ଲାଭ ? କଥାରେ ଅଛି–ମନ ଗୁଣେ ଫଳ, ତୀର୍ଥ ଗୁଣେ ଜଳ । ସବୁ ଦୁଃଖକୁ ନାନୀ ମୋର ଯେତେବେଳେ ହସିଲା ମୁହଁରେ ମାନିନେଲେ–ସେତେବେଳେ ଆମେ ଆଉ କାହିଁକି ସେଇ ପୁରୁଣା ଦିନର ପୁରୁଣା କଥାକୁ ମନେପକାଇବା । ଯେ ଯେମିତି କରିବ ସେ ସେମିତି ପାଇବ ।

 

କୁସୁମିତା.......ଡାକ ପକାଇଲେ ଅପରାଜିତା ।

 

ସେଇଆଡ଼େ ରହି ପାଟିକରି ପୁଣି କହିଉଠିଲେ–ଏ, ମିତା....ଚାଉଳ କେଉଁଠି ରଖିଲୁ ?

 

ଉଠିପଡ଼ିଲେ କୁସୁମିତା ।

 

ଚଞ୍ଚଳ ପାଦରେ ଆଗେଇଗଲେ ଅନ୍ୟଘରକୁ । ଆସ୍ତେ ଆସ୍ତେ ଭାଙ୍ଗିଗଲା ଛୋଟିଆ ସଭାଟି । ଆଉ ଅଳ୍ପଦିନ ରହିଲା ତନୁଶ୍ରୀର ପରୀକ୍ଷା ।

 

କେତେଦିନ ହୋଇଗଲାଣି ପଢ଼ା ପଢ଼ି ହୋଇପାରୁନି । ସେଥିପାଇଁ ରାଜଜେମା ତନୁଶ୍ରୀ ମନରେ ତିଳେ ହେଲେ ବ୍ୟସ୍ତତା ନାହିଁ । ପାନଖାଇ ଓଠ ନାଲି କରି ଏ ଘର ସେ ଘର ହେଉଛି ରୂପର ରୋଷଣୀ ଜାଳି । ତା’ର ପ୍ରିୟ ସାଙ୍ଗ ପ୍ରୀତି, ଆଜିକୁ ତିନିଦିନ ହେଲା ଆସି ଏଇଠି ରହିଛି । ହାତରେ ହାତ ଛନ୍ଦି ଦୁହେଁ ଘୂରିବୁଲୁଛନ୍ତି ଏପଟ ସେପଟ ହୋଇ ।

 

ଅଶ୍ରୁକୁ ଏଇ ବିବାହରେ ନିମନ୍ତ୍ରଣ କରିଥିଲା ତନୁଶ୍ରୀ ।

 

ମୁହଁ ଫୁଲାଇ ଅଶ୍ରୁ ନାହିଁ କରିଥିଲା । ତାପରେ କହିଥିଲା–ସେଇ ମୂର୍ଖ ଝିଅଟାକୁ ଭାଇନା ତୋର କେମିତି ପସନ୍ଦ କଲେ ମ ? ତନୁ ତା’ କଥାର ଉତ୍ତର ଦେବା ଆଗରୁ ପ୍ରୀତି କହିଥିଲା–ମଲା ମୂର୍ଖ କ’ଣ ମ ? ସେ ଚାକିରି କରିବାକୁ ଆସିଥାନ୍ତା କି ? ତୁ ଯାହା କହ ପଛେ ଅଶ୍ରୁ ଝିଅଟି ଏକା ମନୁ ଭାଇନାଙ୍କ ଲାଖି । ଆମ ଭୁବନେଶ୍ୱର ଗାଁଟା ଯାକରେ ସେପରି ରୂପ କାହାରି ଦେଖିନି । ଗୁଣର ବି ସୀମା ନାହିଁ । ସେଦିନ–ତନୁ, ଆଉ ମୁଁ ଯାଇଥିଲୁ ତାଙ୍କ ଘରକୁ । ପୂରା ଦୁଇଘଣ୍ଟା ରହିଲୁ ତାଙ୍କରି ପାଖରେ । କି ସୁନ୍ଦର ବ୍ୟବହାର ତାଙ୍କର । ଶାଢ଼ିଟାଏ ସର୍ବାଙ୍ଗ ଘୋଡ଼ାଇ ହୋଇ ଏପରି ଚାଲବୁଲ କରୁଥାନ୍ତି ଯେ ଦେଖିଲେ ଖୁସି ଲାଗୁଥାଏ । ପ୍ରୀତି କଥା ଶୁଣି ହସିହସି ଗଡ଼ିଗଲା ଅଶ୍ରୁ । କହିଲା–

 

ଘୋଡ଼ାଗାଡ଼ି କାହିଁକି ହୋଇଥିଲେ କିଲୋ ? ଏଇ ଗରମ ଦିନଟାରେ ତାକୁ କ’ଣ ଗରମ ଲାଗୁନଥାଏ । ଦେଖ୍‌ ଯା ଭଲ କରି–ତାଙ୍କ ଦେହରେ ରୋଗ ଫୋଗ ଅଛି କି ନାହିଁ । ମୁଁ ମନେକରୁଛି, ଖୁବ୍‌ କମରେ ଦେହରେ ଛଉ ଫଉ ଅଛି । ଛାଡ଼ ଆମକୁ କ’ଣ ମିଳିବ ସେଥିରୁ । ହଁ, ଆଚ୍ଛା ପ୍ରୀତି, ସେ ଯେ ଖୁବ୍‌ ଗୁଣର ସେକଥା ମାତ୍ର ଦୁଇଟା ଘଣ୍ଟା ଭିତରୁ ତୁ କେମିତି ଜାଣିପକାଇଲୁ-?

 

ରକ୍ତିମ ହୋଇଉଠିଲା ପ୍ରୀତିର ଚନ୍ଦନରଙ୍ଗା ମୁହଁଟା । କହିଲା–ମୁଁ ଆଗ ତୋର ପ୍ରଥମ ପ୍ରଶ୍ନର ଉତ୍ତର ଦେଇସାରେ; ପରେଯାଇ ଅନ୍ୟ କଥା । ତୁ ଆଗ କହିଲୁ–ତୋ ଦେହରେ ରୋଗ ନାହିଁ ସେଇଆ ସମସ୍ତିଙ୍କୁ ଜଣାଇ ଦେବାପାଇଁ ତୁ କ’ଣ ଲଙ୍ଗଳା ମୁକୁଳା ହୋଇ କଲେଜ ଯାଉ ?

 

ମୁହଁ ଲାଲ୍ କରି ଅଶ୍ରୁ କହିଲା–

 

ଲଙ୍ଗଳା ମୁକୁଳା ! ତୁ କ’ଣ କହିବାକୁ ଚାହୁଁଛୁ ? ତୋର ଏଇ ପ୍ରଶ୍ନର ମାନେ କ’ଣ ?

 

ଦାନ୍ତରେ ଦାନ୍ତ ଚାପି ହସିଲା ପ୍ରୀତି । କହିଲା–

 

ମାନେଟାକୁ ତୁ ଡିକ୍‌ସନାରୀ ଖୋଜି ବାହାରକରୁଥା ଅଶ୍ରୁ । ଆମକୁ ବହୁ ଜାଗାକୁ ଡାକିବାକୁ ଯିବାକୁ ପଡ଼ିବ । ତତେ ମାନେ ବୁଝାଇବାକୁ ବେଳ ନାହିଁ ମୋର । ଆଉ ନୂଆ ଭାଉଜଙ୍କର ଗୁଣ କଥା ? ସେକଥା ତୁ ବି ଦିନେ ଶୁଣିବୁ । ମୁଁ ଯେଉଁ ଦୁଇଘଣ୍ଟା ମୋ ପାଇଁ ଯଥେଷ୍ଟ-। ମିଶ୍ର ଘରର ବୋହୂ ହେବାପାଇଁ ତାଙ୍କର ଯଥେଷ୍ଟ ଯୋଗ୍ୟତା ଅଛି । ଆସୁନୁ ଯିବା–ଆ–ବେଳ ହୋଇଯାଉଛି ।

 

ତନୁଶ୍ରୀକୁ ଭିଡ଼ି ଭିଡ଼ି ନେଇଗଲା ପ୍ରୀତି ।

 

ତଥାପି ତନୁ ମୁହଁ ବୁଲାଇ କହିଲା–ଯିବୁ ଅଶ୍ରୁ ଆମ ଘରକୁ । ତତେ ମୋ ରାଣ ରହିଲା-। ଅନ୍ତତଃ ବୋହୂ ଯାଇ ଥରେ ଦେଖିବୁ । ବୋହୂ ତୋର ନିଶ୍ଚୟ ମନକୁ ପାଇବ । ଯିବୁ, ଯିବୁଟି ?

 

ଅଶ୍ରୁ ଗମ୍ଭୀରହୋଇ କହିଲା–

 

ଯିବି । କାରଣ ତୋ ନୂଆବୋଉଙ୍କୁ ଦେଖିବାକୁ ଏଇକ୍ଷଣି ମୋର ଭୀଷଣ ଇଚ୍ଛା ହେଲାଣି । ତା’ପରେ–

 

ପ୍ରୀତିର ଅଭାବ ଅନାଟନ ସଂସାରକୁ ଚିହ୍ନିଥିଲା ଅଶ୍ରୁ । ତେଣୁ ଦାନ୍ତ ଚିପି ଚିପି ପ୍ରୀତିକୁ ଲକ୍ଷ୍ୟକରି କହିଲା–ପ୍ରୀତି...କାଲି ତୁ ନୂଆ ଭାଉଜଙ୍କୁ କି ଉପହାର ଦେଇଛୁ ଲୋ ?

 

ଖିଲି ଖିଲି କଣ୍ଠରେ ହସିଉଠିଲା ପ୍ରୀତି । କହିଲା–କ’ଣ ଆଉ ଦେବି । ଭାବିଛି ନିଜ ହାତରେ ତିଆରିକରି ଦେବି ଦୁଇଜଣଙ୍କୁ ଦୁଇଖଣ୍ଡି ରୁମାଲ୍‌ ।

 

ଅଶ୍ରୁର ଇଚ୍ଛାହେଉଥିଲା ତାକୁ ବି ପ୍ରୀତି ପଚାରୁ ସେଇପରି ପ୍ରଶ୍ନଟିଏ । କିନ୍ତୁ ନାଁ, ମୁହଁବୁଲାଇ ଚାଲିଗଲେ ସେମାନେ । ଚାଲିରେ ସେମାନଙ୍କର ନାଚର ଗୋଟିଏ ସୁଚାରୁଛନ୍ଦ ।

 

ମୁହଁ ଛାଟି ମୁହଁ ବୁଲାଇନେଲା ଅଶ୍ରୁ ।

 

ବାଟରେ ଯାଉ ଯାଉ ତନୁ କହିଲା–

 

ବୁଝିଲୁ ପ୍ରୀତି, ଅଶ୍ରୁଟାର କଥା କହିବାର ଗୋଟେ ବାଗସାଗ ନାହିଁ । କିପରି କହିଲା ଦେଖିଲୁ, ମୋ ନୁଆଭାଉଜଙ୍କ ଦେହରେ ରୋଗ ଅଛି ବୋଲି । ଛି, ଛି ଏପରି କଥା କୁହନ୍ତି ।

 

ହସିଉଠିଲା ପ୍ରୀତି । ହସି ହସି କହିଲା–

 

କହିବନି କେମିତି କହିଲୁ ? ତା’ ମନ ତ ଏଇକ୍ଷଣି ଜଳୁଛି ପୋଡ଼ୁଛି । ସେପରି କଥା ସେ କହିବନି ତ ଆଉ କିଏ କହିବ ? ଜାଣିଛୁ, ମନୁ ଭାଇନାଙ୍କଠି ତା’ର ଲୋଭ ରହିଗଲା । ତେଣୁ ସେ ହିଂସାରେ ଜଳିପୋଡ଼ି ମରୁଛି ଏଇନେ । ଆଜିକାଲିକା ପିଲା ହେଲେ ମଧ୍ୟ ମନୁ ଭାଇନାଙ୍କ ମନ ଦୁନିଆଁ ବାହାର । ଅଶ୍ରୁ ରଥ କୁଆଡ଼େ ତାଙ୍କ ମନକୁ ପାଇବ ? ଯାହା ଭାବୁ ପଛେ ଅଶ୍ରୁ, ଦେଇଛି ମୁଁ ଆଜି ତା’ ମୁହେଁ ମୁହେଁ ବତାଇ ।

 

ତନୁଶ୍ରୀ କଣ୍ଠରେ କୃତ୍ରିମ କୋପଭରି କହିଲା–

 

ସତରେ ତୁ ଭାରି ମୁହଁ ଖୋରଣୀ । କେମିତି ତୁ ଏମିତି କଡ଼ା କଡ଼ି କଥା କହିପାରୁଚୁ ଲୋ ? ମୁଁ ଗୋଟେ କାହାରି ମୁହଁରେ ଏପରି କଥା କହିପାରିବିନି । ମନକୁ ବାଧିଲେ କାନ୍ଦିପକାଇବି ସିନା, ହେଲେ–କଥା ? ନା–କଥା ମୁଁ କାହାକୁ କହିପାରିବିନି । ତୁ କହିଲାବେଳେ ମୁଁ ଅବାକ୍‌ ହୋଇ ତୋ ମୁହଁକୁ ଚାହିଁ ରହିଥିଲି ।

 

ଗମ୍ଭୀର ହୋଇଗଲା ପ୍ରୀତି, କହିଲା–

 

ତୁ ଜାଣିନୁ ତନୁ, ଏପରି କହିନପାରିଲେ ଦୁନିଆଁରେ ତୁ ଚାଲିପାରିବୁନି । କେହି ତତେ ମଥାଟେକି ଚଲେଇ ଦେବେନି । ତୋ ପାଖରେ ଯଦି କଥାର ଠେଙ୍ଗା ନ ଥାଏ, ତାହେଲେ ତାଙ୍କରି କଥାର ଠେଙ୍ଗା ତୋ ମୁଣ୍ଡରେ ଥରକୁ ଥର ପଡ଼ୁଥିବ । ତୁ ଆଉ ଭୂଇଁରୁ ଉଠିପାରିବୁନି । ବୁଝିଲୁ ?

 

ଅନ୍ୟମନସ୍କ ଗଳାରେ ତନୁଶ୍ରୀ କହିଲା–

 

ହଁ ଲୋ, ତୁ ଯାହା କହୁଛୁ ସେଇଆ ହୁଏତ ଠିକ୍‌ । ହେଇଟି ଲୋ ପ୍ରୀତି, ଡାକ୍ତର ମଉସାଙ୍କ ଘର ଦୁଶିଲାଣି । ଦୁହେଁ ଯାଇ ପଶିଗଲେ ତାଙ୍କର ସେଇ ଡାକ୍ତର ମଉସାଙ୍କ ଘରେ ।

 

ତିରିଶି

 

କନକନାରାୟଣ ଚୌଧୁରୀଙ୍କ ଘର ।

 

ହୁଳହୁଳି ଆଉ ଶଙ୍ଖ ମହୁରୀରେ କମ୍ପିଉଠୁଛି ଚୌଧୁରୀଙ୍କର ତ୍ରି ତଳ ପ୍ରାସାଦ । ବେଦୀ ଉପରେ ବରକନ୍ୟାଙ୍କ ହାତଗଣ୍ଠି ପଡ଼ିଲା, ମୌସୁମୀଙ୍କ ପିତା କନ୍ୟାଦାନ କଲେ । କର୍ମବ୍ୟସ୍ତ ଅଳକାଙ୍କ କାନରେ ଯେପରି ଏ କଥା ପଡ଼ିଛି, ସେଇ ସାଙ୍ଗେ ସାଙ୍ଗେ ଭୂଇଁ ଉପରେ ଲୋଟିପଡ଼ିଲେ ସିଏ । ତାପରେ ଅଜ୍ଞାନ ହୋଇଗଲେ । ଯେତେ ବୋହୂ ଝିଅ ଜମା ହୋଇଥିଲେ ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ । ଅଳକାଙ୍କ ଚେତା ଫେରାଇ ଆଣିବାର ଚେଷ୍ଟାରେ ଲାଗିପଡ଼ିଲେ ସେମାନେ ।

 

ଆଉ–ଅଳକାଙ୍କର ଅଜ୍ଞାନ ହେବା କଥା ତୁଣ୍ଡରୁ ତୁଣ୍ଡ ହୋଇ ଅନ୍ଦର ମହଲା ଭିତରୁ ବାହାରିଆସିଲା ବିବାହ ମଣ୍ଡପ । ସେଇ କଥା ଶୁଣି ଚମକିପଡ଼ିଲା ମୌସୁମୀ । ଗୋଟିଏ ହାତରେ ହାତେ ଲମ୍ୱର ଓଢ଼ଣାକୁ ଟେକିଦେଇ ଘରଆଡ଼କୁ ଚାହିଁଦେଲା ସିଏ ।

 

ପଛପଟେ ଗଦା ହୋଇଥିଲେ କେତେଗୁଡ଼ିଏ ବୋହୂ ଝିଅ । ସମସ୍ତେ ଘେରି ବସିଥିଲେ ମୌସୁମୀକୁ । ସେଇମାନଙ୍କ ଭିତରୁ କିଏ ଜଣେ ଚଞ୍ଚଳ ହାତରେ ସାଙ୍ଗେ ସାଙ୍ଗେ ପୁଣି ଟାଣିଦେଲେ ମୌସୁମୀର ମଥାର ଓଢ଼ଣାଟା । ବ୍ୟସ୍ତଗଳାରେ କହିଉଠିଲେ–ଛି, ଛି, ସଭାମଣ୍ଡପରେ ବସି ମୁଣ୍ଡରୁ କିଏ ଲୁଗା କାଢ଼େ ?

 

ନିରୁପାୟା ମୌସୁମୀ ମଥା ପୋତିଲା । ଆଖିରୁ ତା’ର ଝରିଆସିଲା ଧାର ଧାର ଅଶ୍ରୁ । ସେ ସିନା ଧାଇଁଯାଇ ଦେଖିପାରିଲାନି ତା’ର ପ୍ରାଣର ଭାଉଜକୁ; ହେଲେ ଆଖିର ଅଶ୍ରୁ, ବୁକୁର ବ୍ୟଥାକୁ ରୋକିବ କିଏ ? ତୀର ବିନ୍ଧା କପୋତୀ ପରି ଛଟପଟ ହେବାକୁ ଲାଗିଲା ମୌସୁମୀ । ତା’ର ସେଇ କାନ୍ଦ ଦେଖି କାହାରି ଆଖି ଶୁଖିଲା ରହିଲାନି । ପୁରୁଷଠୁ, ସ୍ତ୍ରୀ ଲୋକଯାଏ ସମସ୍ତେ ମୌସୁମୀର ଯନ୍ତ୍ରଣାକୁ ଅନୁଭବ କଲେ ନିଜ ଛାତିରେ ।

 

କାନ୍ଦୁଥିଲା ମୌସୁମୀ ।

 

ଫୁଲିଫୁଲି କାନ୍ଦୁଥିଲା ସିଏ । ତା’ର ସେହି କୋହ ଲାଗି ସାରା ଦେହ ତା’ର ଦୋହଲୁ ଥିଲା । ସେଇ ଦୋଳନରେ ମଥାର ମୁକୁଟ ମଧ୍ୟ ଝୁଲି ଲାଗିଥିଲା ଅଦ୍‌ଭୂତ ଏକ ଭଙ୍ଗୀରେ ।

 

କ୍ଷଣକ ଲାଗି ଯେତେବେଳେ ମୌସୁମୀ ଓଢ଼ଣାଟି ତୋଳି ଧରିଥିଲା, ଠିକ୍‌ ସେତିକିବେଳେ ମନୋରଞ୍ଜନ ଦେଖିପକାଇଥିଲେ ମୌସୁମୀର ଚନ୍ଦନଚର୍ଚ୍ଚିତ ମୁଖମଣ୍ଡଳଟି । ସେଇ ଛୋଟ ମୁହଁଟି ଭୀଷଣ କରୁଣ ଦିଶୁଥିଲା । ତାପରେ–ତା’ର କାନ୍ଦଣା ଦେଖି, ବିଳପିଉଠିଲା ମନୋରଞ୍ଜନଙ୍କର ନରମ ମନଟି ।

 

ଅଳକାଙ୍କ ଚେତା ଆସିବା ପରେ ପରେ ସେ ଖାଲି କାନ୍ଦି ଲାଗିଛନ୍ତି । ଯିଏ ଯେତେ ବୁଝାଇଲେ ମଧ୍ୟ ମନ ତାଙ୍କର ବୁଝୁନି । ଅଧିକରୁ ଅଧିକ କୋହଉଠାଇ ସେ ଖାଲି କାନ୍ଦି ଲାଗିଛନ୍ତି । ରାଧା ତ ବୁଝାଇ ଥକି ଗଲାଣି । ତଥାପି ଅଳକା କିଛି ବୁଝିବାକୁ ନାରାଜ୍‌ । ତାଙ୍କର ଶାଶୂଘରର ଆଉ ବାପଘରର ସବୁ ଲୋକ ମିଶି ଏଇ ଘରଟାରେ ଏକାଠି ହୋଇଛନ୍ତି । ଘରଟା ଗମ୍‌ ଗମ୍‌ ହୋଇଉଠୁଛି । ଶୁଭେନ୍ଦୁ ଆଉ ନୀଳେନ୍ଦୁ ଆସିଛନ୍ତି । ଦୁଇ ବୋହୂ ବି ଆସିଛନ୍ତି । ଶୁଭେନ୍ଦୁଙ୍କ ପୁଅ ଟୁଟୁ, ନୀଳନ୍ଦୁଙ୍କ ଝିଅ ରୀତା, ଅଳତାଙ୍କ ପୁଅ ଟୁଲୁ–ଏମାନଙ୍କୁ ପାଖରେ ପାଇ କନକନାରାୟଣଙ୍କର ଆନନ୍ଦର ସୀମା ନାହିଁ । ଦେହ ତାଙ୍କର ସଂପୂର୍ଣ୍ଣ ସୁସ୍ଥ ଅଛି । ଯେଉଁ ଟିକକ ଦୁର୍ବଳତା ତାଙ୍କ ଭିତରେ ଅଛି, ସେତକ ଟୁଲୁ, ଟୁଟୁ, ରୀତା ଏମାନଙ୍କର ମନର ସବୁଜିମା ତଳେ ଚାପି ହୋଇଯାଇଛି ।

 

ସୂର୍ଯ୍ୟକାନ୍ତ ଏକମାତ୍ର ଭଉଣୀର ବିଚ୍ଛେଦରେ ମ୍ରିୟମାଣ ହୋଇପଡ଼ିଥିଲେ । ବିଷନ୍ନ ମନରେ ସେ ଘୂରିବୁଲୁଥିଲେ ବଗିଚାର ଅନ୍ଧାରିଆ ଜାଗାମାନ ଦେଖି । ଆଖିଆଗରେ ବାର ବାର ଭାସି ବୁଲୁଥିଲା ମୌସୁମୀର ଅଶ୍ରୁଳ ଛୋଟ ମୁହଁଟି । ହୃଦୟ ତାଙ୍କର ବାହୁନିଉଠୁଥିଲା ।

 

ଜୋଇଁବାବୁ...

 

ଚମକିପଡ଼ିଲେ ସୂର୍ଯ୍ୟକାନ୍ତ । ଆପଣା ଭୁଲା କଣ୍ଠରେ ପଚାରି ଦେଲେ–କିଏ ସେ–ଭୀମ-?

 

ହଁ ବାବୁ, ମୁଁ । ସିଆଡ଼େ ବାବୁମାନେ ଖୋଜୁଛନ୍ତି ଆପଣଙ୍କୁ । ଖାଇବା ପିଇବା ଆରମ୍ଭ ହୋଇଗଲାଣି ଆସନ୍ତୁ । ଏଇ ଥଣ୍ଡାରେ କାହିଁକି ବୁଲୁଛନ୍ତି ?

 

ଅଳ୍ପ ହସିଲେ ସୂର୍ଯ୍ୟକାନ୍ତ । ପଚାରିଲେ–

 

ତୁମେ କିପରି ଜାଣିଲ ଭୀମ ଯେ ମୁଁ ଏହିଠାରେ ବୁଲୁଥିବି ବୋଲି ?

 

ଭୀମ ବି ଅଳ୍ପ ହସିଲା ।

 

ମଥା ନୁଆଁଇ କହିଲା–ମୁଁ ଜାଣେ ଆପଣ ଯେବେ ଆସନ୍ତି, ଏହିପରି ଅନ୍ଧାରିଆ ଜାଗାମାନଙ୍କରେ ଘୂରିବୁଲନ୍ତି ।

 

ତା’ କଥା ଶୁଣି ଏଥର ଶବ୍ଦ କରି ହସିଉଠିଲେ ସୂର୍ଯ୍ୟକାନ୍ତ ।

 

ସବୁକିଛି ସରୁ ସରୁ ବହୁତ ରାତି ହୋଇଗଲା । ପାହିଗଲା ବିବାହର ରାତି ।

 

X X X

 

ପରଦିନ ସକାଳେ...

 

ଦାନ ସାମଗ୍ରୀ ସଜଡ଼ା ସଜଡ଼ି ଲାଗିଛି । କାହାକୁ ଠିଆହୋଇ ନିଃଶ୍ୱାସ ନେବାକୁ ମଧ୍ୟ ସମୟ ନାହିଁ । ସମୟ ଧାଇଁଚାଲିଛି, ସତେଅବା ବେଗବତୀ ନଦୀ ।

 

କନ୍ୟାର ବି ସାଜସଜ୍ଜା ସରିଲା । ଗୋଧୂଳି ଲଗ୍ନରେ ବିଦାୟ ନେବେ ବର କନ୍ୟା । ନଣନ୍ଦ ଭାଉଜ ଆଜି ଦିନଭରି ଭିତରେ କେତେଥର ଯେ ମୂର୍ଚ୍ଛାଗଲେ ତା’ର ଆଉ ହିସାବ ନାହିଁ । ମୌସୁମୀର ବିଦାୟ ମୁହୂର୍ତ୍ତଟି ଅଳକାଙ୍କ ଆଖିରେ ପଡ଼ିଲାନି । ସେତେବେଳେ ସେ ମୂର୍ଚ୍ଛା ଯାଇଥିଲେ । ବହୁ କଷ୍ଟରେ ପୁରନାରୀମାନେ ଅଳକାଙ୍କ ଅଞ୍ଚଳଟି ମୌସୁମୀ ହାତରୁ ଛଡ଼ାଇ ଦେଇଥିଲେ । କହିବାକୁ ଗଲେ ଏକରକମ ଠେଲିପେଲି ତାକୁ ଗାଡ଼ିପାଖକୁ ନେଇଆସିଥିଲେ ।

 

ମୌସୁମୀ ବିକଳ କାନ୍ଦଣାରେ କାନ୍ଦିଉଠୁଥିଲେ ଗଗନ ପବନ । ଦୁଆରେ ବାଜୁଥିଲା ବ୍ୟାଣ୍ଡପାର୍ଟିର ବିଭିନ୍ନ ରକମର ବାଜା । ସେହି ବାଦ୍ୟରେ ସେମାନେ ତୋଳିଥିଲେ ଏକ କରୁଣ ମୂର୍ଚ୍ଛନା ।

 

–ଛୋଡ଼େ ବାବୁଲ୍‌କା ଘର... ।

 

ସ୍ତ୍ରୀ ଆଉ ପୁରୁଷଙ୍କର ମିଳିତ ରୋଦନରେ ଚୌଧୁରୀଙ୍କ ଘରେ ବହିଗଲା ଏକ ଦୁଃଖର ବାତ୍ୟା । ସେପର୍ଯ୍ୟନ୍ତ ଅଳକାଙ୍କ ମୂର୍ଚ୍ଛା ଭାଙ୍ଗିନି ।

 

ଏକତିରିଶି

 

ଗାଡ଼ି ଆସି ଲାଗିଲା ମିଶ୍ରଙ୍କର ସାଜସଜ୍ଜା ଭରା ତୋରଣ ପାଖରେ । ହୁଳହୁଳି ଆଉ ଶଙ୍ଖ ନାଦରେ କମ୍ପିଉଠିଲା ମିଶ୍ରଙ୍କର ଆନନ୍ଦଭରା ନିକେତନ । ହାତରେ ବରଣ ଥାଳି ଧରି ପୁଅ ବୋହୂଙ୍କୁ ଘରକୁ ନେଇଗଲେ ଆନନ୍ଦମୟୀ ଅପରାଜିତା । ଆଖିରେ ତାଙ୍କର ଚିକ୍‌ଚିକ୍‌ କରୁଥିଲା ଦୁଇଟୋପା ଲୁହ । ଓଠରେ ହସର ଗାର । ପାଦରେ ତାଙ୍କର ଶୈଶବର ଛନ୍ଦହୀନତା ।

 

ଅପଲକ ଆଖିରେ ସମସ୍ତେ ଚାହିଁ ରହିଛନ୍ତି ମୌସୁମୀର ସୁନ୍ଦର ମୁହଁଟିକୁ ।

 

ଶତ୍ରୁଠାରୁ ମିତ୍ର ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରୁଛନ୍ତି ମୌସୁମୀ ରୂପର ।

 

ଗର୍ବ ଆଉ ଅହଙ୍କାରରେ ଫାଟିପଡ଼ୁଛି ତନୁ ।

 

ପ୍ରତ୍ୟେକଟି ସାଙ୍ଗସାଥିକୁ ଆଣି ବୋହୂ ଦେଖାଉଛି । ଅଶ୍ରୁ କିନ୍ତୁ ଆସିନି । ନ ଆସୁ, କଲେଜର ସବୁ ଝିଅ ଆସି ତା’ ଭାଉଜର କେତେ ପ୍ରଶଂସା କରିଗଲେ । ଆଉ ଗୋଟେ ଝିଅ ଅଶ୍ରୁ, ସେ ଆସିଲାନି–ନ ଆସୁ । ପ୍ରୀତି କହିଲା–ଭାସିଗଲା ସେଇଠୁ । ମୌସୁମୀର ହସ ଦେଖିବାକୁ ସମସ୍ତିଙ୍କର ଭୀଷଣ ଆଗ୍ରହ । ହସଟା ନୂଆବୋଉ ମୁହଁରେ କିପରି ମାନୁଛି ସେଇ କଥାଟା ଦେଖିବାର ସଭିଙ୍କର ମନ । ପ୍ରୀତି ଥରକୁଥର ଆସି ଅନୁନୟ କରି କହୁଛି–ଟିକେ ହସ ଭାଉଜ । ଏପରି ପଥରପରି ମୁହଁକୁ କରି ବସିଛ କାହିଁକି ? କେତେ ମଣିଷ ଅପେକ୍ଷା କରିଛନ୍ତି ତୁମ ମୁହଁର ହସ ଦେଖିବାକୁ, ଅଥଚ ତୁମେ ଟିକେ ବୋଲି ଟିକେ ବି ହସୁନା । ଅଭିମାନରେ ପ୍ରୀତିର ଗଳାଟା ଭାରି ହୋଇଉଠିଲା ।

 

ମୌସୁମୀ କିନ୍ତୁ ନିଶ୍ଚଳ ପ୍ରତିମା ।

 

କାଲି ସେ କନ୍ଦାଇ ଆସିଛି ଅତି ଆପଣାର ଲୋକଙ୍କୁ । ଅତି ପ୍ରିୟଜନଙ୍କୁ । ଆଉ ଆଜି ସେ ପରଲାଗି ହସିବ ? ଲଗାଇଥାନ୍ତୁ ସେମାନେ, ସେ ହସିପାରିବନି । ଆଦୌ ସେ ହସିପାରିବନି-। ଆଖିରେ ତା’ର ଭାସିଗଲା ଭାଉଜଙ୍କର ମୂର୍ଚ୍ଛିତ ଦେହବଲ୍ଲରୀ । ଅବ୍ୟକ୍ତ ଯନ୍ତ୍ରଣାରେ ବିବର୍ଣ୍ଣ ହୋଇଗଲା ମୌସୁମୀର ଚନ୍ଦ୍ରତୋରା ମୁହଁଟି ।

 

ବ୍ୟସ୍ତହୋଇ ପାଖକୁ ଧାଇଁଆସିଲା ପ୍ରୀତି । ଆକୁଳ କଣ୍ଠରେ ପଚାରିଲା–

 

କାହିଁକି କାନ୍ଦୁଛ ଭାଉଜ ? କାନ୍ଦନି । ନହସ ପଛେ–କିନ୍ତୁ କାନ୍ଦନି ।

 

ମୌସୁମୀ ପିଠିରେ ହାତବୁଲାଇ ତନୁଶ୍ରୀ କହିଲା–

 

ଏଠାରେ ତ କେହିନାହାନ୍ତି ଭାଉଜ–ମୁଣ୍ଡରୁ ଲୁଗାଟା ଟିକିଏ କାଢ଼ିଦିଅ । ଦେଖିଲ, ଦେହଟା କିପରି ଝାଳରେ ଭାସିଗଲାଣି । ଓଢ଼ଣା ଖୋଲିବା କଥା ତେଣିକି ଥାଉ, ସେହି ଓଢ଼ଣାକୁ ଶକ୍ତ ହାତରେ ଜାବୁଡ଼ି ଧରିଲା ମୌସୁମୀ । କାନ୍ଦଣାରେ ତା’ର ସୁଁ ସୁଁ ଶବ୍ଦ । ଖାଲି ତା’ର ମନେପଡ଼ୁଛି ଭାଉଜଙ୍କ ମୁହଁଟା ।

 

ପ୍ରୀତି ଯାଇ ଖୋଲିଦେଲା ଫ୍ୟାନ୍‌ଟା ।

 

ଦିନ ଦିନ କରି ପାହିଗଲା ଚାରୋଟି ଦିନ ।

 

ଆଜି ଚଉଠି ।

 

କୁମାର କୁମାରୀ ଜୀବନର ସ୍ୱପ୍ନଭରା ଆକାଙ୍‌କ୍ଷିତ ରାତ୍ରୀ ।

 

ଶୋଇବା ଘର ଆଉ ପଲଙ୍କର ସାଜସଜ୍ଜାକୁ ତୁଳନା ଦେବାକୁ ମନେହେଉଛି ଏ ପୃଥିବୀରେ କିଛି ଆଉ ନାହିଁ । ମଧୁଶଯ୍ୟାର ସେହି ଘରଟି ସଜାଇବାକୁ ଯାଇ ବହୁତ ସମୟ ଲାଗିଥିଲା, ଏଠିକାର କେତୋଟି ଭାଉଜଙ୍କର । ଫୁଲ ଆଉ ଅତରର ବାସନାରେ ମହକିଉଠୁଥିଲା ଘରଟି । ନୀଳ ଆଲୋକରେ ମାୟାମୟ ହୋଇଉଠିଥିଲା । ମୌସୁମୀ ବି ସାଜସଜ୍ଜା ଲାଗି ଦେଖାଯାଉଥିଲା ଇନ୍ଦ୍ରାଣୀ ପରି । ତା’ର ସେଇ ରୂପ ଦେଖି କାହାର ମନ ଭରୁନି । ଫେରି ଫେରି ସମସ୍ତେ ଚାହୁଁଛନ୍ତି ମୌସୁମୀର ରାଜେନ୍ଦ୍ରାଣୀ ରୂପକୁ ।

 

କିନ୍ତୁ ମୌସୁମୀ । ସତେଯେପରି ହଜିଗଲା ଦିନର ବା ଅନେକ ଯୁଗ ତଳର ଗୋଟିଏ ଝିଅ । ମୁହଁରେ ବା ଆଖିରେ ତା’ର କୌଣସି ଆନନ୍ଦ ଅଥବା ଆବେଗ ପ୍ରକାଶ ପାଉନି । ଖାଲି ସକାଳୁ ଆଜି କିନ୍ତୁ ସେ କାନ୍ଦୁନି । ଭାଉଜ ଦିନେ କହିଥିଲେ–

 

ମୌସୁମୀ ଲୋ...

 

ଯେତେ ଖୁସି ଯେତେ ପାରୁ ସେତେ କାନ୍ଦିବୁ । କିନ୍ତୁ ଚଉଠିଦିନ ମୋଟେ କାନ୍ଦିବୁନି । ତତେ ମୋ ରାଣ ରହିଲା । ମନେଅଛି ଭାଉଜଙ୍କର ସେହି କଥା ପଦକ । ଭାଉଜଙ୍କର କୌଣସି କଥା କେବେହେଲେ ସେ ଭୁଲିଯାଏନି । ଆଜି ବି ସେ ଭୁଲିନି ।

 

ପ୍ରୀତି ଥଟ୍ଟାକରି କହିଲା–

 

କ’ଣ, ଆଜି କ’ଣ ଭାଉଜ କାନ୍ଦିବନି କି ? ଦିନଟା ସାରା ପାହିଗଲା, ଅଥଚ ତୁମେ ତ କାନ୍ଦିଲନି ?

 

ସେକଥାର ଉତ୍ତର ମୌସୁମୀ ଦେଲାନି, କି ଲାଜରେ ସଢ଼ିଗଲାନି ।

 

ଖୁବ୍‌ ବେଶି ପ୍ରୟୋଜନ ନ ହେଲେ ଏ ଘରେ ସେ କାହାକୁ କଥା କହିନି । ଆଉ ପ୍ରୟୋଜନ ହେଲେ–ସେଇ ପ୍ରୀତି ଆଉ ତନୁକୁ ଯାହା ପଦେଅଧେ କୁହେ ।

 

ଆଜି ଗୋଟାଏ ମସ୍ତବଡ଼ ଭୋଜି ।

 

ସେଇ ଭୋଜି ସରିଲା ଅନେକ ରାତିରେ ।

 

ବହୁତ ରାତିରେ ।

 

ଯା’ମାନେ ମୌସୁମୀକୁ ଆଣି ଛାଡ଼ିଦେଇଗଲେ ଶୋଇବା ଘରେ । ଖଟବାଡ଼କୁ ଧରି ଚୁପ୍‍ଚାପ୍‌ ଠିଆହୋଇ ରହିଲା ମୌସୁମୀ । ଆଖିରେ ତା’ର ମୁଠା ମୁଠା ଶୂନ୍ୟତା । ରକ୍ତିମ ମୁହଁରେ ତା’ର ଅକାରଣ ଉଦ୍‌ବେଗ । ପ୍ରାୟ ଘଣ୍ଟେ ଦେଢ଼ଘଣ୍ଟା ପରେ ସେଇ ଘରେ ପାଦଦେଲେ ମନୋରଞ୍ଜନ ।

 

ମସ୍‌ଲିନ୍‌ ଓଢ଼ଣାତଳେ ଫୁଟି ଦିଶୁଛି ମୌସୁମୀର ନମିତ ଭଙ୍ଗୀଟି । ଅପୂର୍ବ ସେହି ଭଙ୍ଗୀ-। ଆକାଶୀରଙ୍ଗ ମସଲିନ୍‌ ଭିତରୁ ଫୁଟି ଦିଶୁଛି ମୌସୁମୀର ପଦ୍ମରାଗ ରଞ୍ଜିତ ସୁବର୍ଣ୍ଣ ଅଙ୍ଗଲତା-। ମୁଗ୍‌ଧ ଆଖିରେ ଚାହିଁ କିଛିକ୍ଷଣ ଠିଆହୋଇ ରହିଲେ ମନୋରଞ୍ଜନ । ତା’ପରେ ନିଭାଇଦେଲେ ଉଜ୍ଜ୍ୱଳ ସେହି ନୀଳ ଆଲୋକଟିକୁ । ମଙ୍ଗଳ ପ୍ରଦୀପର ସ୍ନିଗ୍‌ଧ ଆଲୋକରେ ମୋହମୟ ହୋଇଉଠିଲା ଘର । ମୌସୁମୀର ହାତଧରି ଆସ୍ତେ ଆସ୍ତେ ନେଇଆସିଲେ ସେଇ ପ୍ରଦୀପ ପାଖକୁ-। ତାପରେ ଖୋଲିଦେଲେ ମସ୍‌ଲିନ୍‌ ଓଢ଼ଣାଟି । ଆଖିରେ ତାଙ୍କର ଫୁଟିଉଠିଲା ପ୍ରେମର ପଞ୍ଚପ୍ରଦୀପ ।

 

ସ୍ୱାମୀଙ୍କ ପାଦରେ ମଥା ଲଗାଇ ପ୍ରଣାମ କଲା ମୌସୁମୀ । ପ୍ରଣାମ ତ ନୁହେଁ, ସତେଯେପରି ନିଜକୁ ନିବେଦନ କଲା ମୌସୁମୀ ।

 

ତା’ର ମସୃଣ କ୍ଷୀଣ ବାହୁ ଦିଓଟିକୁ ଧରି ତଳୁ ଉଠାଇଦେଲେ ମନୋରଞ୍ଜନ ।

 

ପ୍ରଦୀପ ପଟକୁ ଫେରାଇଦେଲେ ମୌସୁମୀର ମୁହଁଟି । ସେଇ ମୁହଁକୁ ଅଞ୍ଜଳିବଦ୍ଧ ହାତରେ ତୋଳି ଧରିଲେ ସିଏ । ଆଖିଭରି ଦେଖିଲେ ମୌସୁମୀର ଅନିନ୍ଦ୍ୟସୁନ୍ଦର ମୁହଁଟିକୁ । ମୁଦ୍ରିତ ନୟନ । ବିକଶିତ ବଦନ ।

 

ମନୋରଞ୍ଜନଙ୍କର ପଦ୍ମପଳାଶ କ୍ଷେତ୍ରରେ ଓହ୍ଲାଇଆସିଲା ଗଭୀର ଆବେଗ ।

 

ବହୁ ସମୟ ଧରି ଦେଖିଲେ ସେ ସେହି ମୁହଁକୁ, ସତେଯେପରି ଦେଖା ତାଙ୍କର ସରିବନି-

 

ନିଶ୍ଚଳହୋଇ ଠିଆହୋଇ ରହିଛି ମୌସୁମୀ । ମନ ତା’ର କାହିଁରେ ବାଧା ଦେଉନି । ଭାଇନାଙ୍କର ରାଣ ମନେ ଅଛି ତା’ର । ଆଜି ବି ଭାଉଜଙ୍କ କଥାଗୁଡ଼ିକ କାନରେ ତା’ର ବାଜିଯାଉଛି-। ‘‘ସ୍ୱାମୀଙ୍କର କୌଣସି କଥାରେ ବାଧା ଦେବୁନି ମୌସୁମୀ । ଚଉଠି ହେଲା ସ୍ୱାମୀ ସ୍ତ୍ରୀ ଜୀବନର ଶୁଭରାତ୍ରୀ । ସେ ରାତିକୁ ଅକାରଣ ବିରକ୍ତିରେ ଭରିଦେବୁନି । ସେ ରାତିକୁ ଅକାରଣରେ ଛୋଟକରି ଦେବୁନି ।’’

 

ପ୍ରତିମାପରି ଠିଆହୋଇ ରହିଛି ମୌସୁମୀ ।

 

ବିଭୋର ଆଖିରେ ସେପର୍ଯ୍ୟନ୍ତ ମୁହଁକୁ ତା’ର ଚାହିଁ ରହିଛନ୍ତି ମନୋରଞ୍ଜନ ।

 

ବାହାର ବରଣ୍ଡାରେ ଉଠିଲା ମିଳିତ ହସର ଅଦ୍‌ଭୁତ ସ୍ୱର ଝଙ୍କାରର ।

 

କିଏ ସବୁ ହସିଉଠିଲେ କେଜାଣି । ମନୋରଞ୍ଜନଙ୍କର ଭାଉଜମାନେ ହୁଏତ ! ସେଇମାନେ, ନିଶ୍ଚୟ ସେମାନେ । ତାଙ୍କରି ଭିତରୁ କିଏ ଜଣେ କହିଉଠିଲା–କ’ଣ, ଆଜି ଖାଲି ତାକୁ ଦେଖୁଥିବ କି ମନୁ ?

 

ଧ୍ୟାନ ଭାଙ୍ଗିଲା । ଚମକିପଡ଼ିଲେ ମନୋରଞ୍ଜନ ।

 

ଘୁଞ୍ଚିଆସିଲେ ଗୋଟାଏ କୋଣକୁ । ଘୁଞ୍ଚିଗଲା ମୌସୁମୀ ମଧ୍ୟ ।

 

ସକାଳୁ ।

 

ଅବାକ୍‌ ଆଖିରେ ଡାକ୍ତର ଦେଖିଲେ–

 

ତାଙ୍କରି ଶୋଇଲା ଘରର ନୂଆ ରଙ୍ଗକରା ଦୁଆରଟାରେ ପଇସା ଆକାରର ମସ୍ତବଡ଼ ଗୋଟାଏ ଛବି ।

 

ହସିଲେ ଡାକ୍ତର । ଭାବିଲେ–ଆକାଶପରି, ସମୁଦ୍ରପରି, କୌତୂହଳ ମଧ୍ୟ ଅନନ୍ତ । ଅସୀମ, ଅଦିମ୍ୟ ।

 

ଯୁଗ ଯୁଗର ପୁରୁଣା କଥା ପ୍ରତିଥର ନୂଆ ଲାଗେ ।

 

ବତିଶି

 

–ମାମି, ଦେଖ କିଏ ଆସିଛନ୍ତି ।

 

ଅବାକ୍‌ ଆଖିରେ ଚାହିଁଲେ ଅଳକା ଟୁଲୁର ମୁହଁକୁ ।

 

ତା’ପରେ–ଲୁଗା ଅଞ୍ଚଳରେ ହାତ ପୋଛୁ ପୋଛୁ ରୋଷେଇ ଘରୁ ବାହାରିଆସିଲେ ଅଳକା । ପଚାରିଲେ–କିଏ ଆସିଲେରେ ? ଆଖି ଉଠାଇ ଚାହିଁଲା ବେଳକୁ ଦେଖିଲେ–ଟୁଲୁ ଦିବ୍ୟେନ୍ଦୁଙ୍କର କୋଳରେ ଥାଇ ହସୁଛି । ମୁଣ୍ଡରେ ଲୁଗାଟା ଟାଣିଦେଇ ସ୍ମିତହସିଲେ ଅଳକା । ତାଙ୍କରି ରୋଷେଇ ଘର ଦୁଆର ମୁହଁରେ ପକାଇଦେଲେ ଗୋଟାଏ ଚେୟାର । ଦିବ୍ୟେନ୍ଦୁଙ୍କୁ ଅନୁରୋଧ କଲେ ସେଇଠି ବସିବାପାଇଁ ।

 

ବଡ଼ବୋହୂ ଝରଣା, ଆଉ ସାନବୋହୂ ଅତସୀ, ଦୁହେଁ ଆସି ପ୍ରଣାମ କଲେ ଦିବ୍ୟେନ୍ଦୁଙ୍କୁ-। ତାପରେ ଆଡ଼େଇଗଲେ ସେମାନେ । ଏ ଘରର ବୋହୂ ଆଜି ବି ଆଡ଼ ହୁଅନ୍ତି ।

 

ଦିବ୍ୟେନ୍ଦୁଙ୍କ ମୁଖମଣ୍ଡଳରେ ଫୁଟିଉଠିଲା କଲ୍ୟାଣମୟ ଅଭିବ୍ୟକ୍ତି । ତାପରେ କହିଲେ–

 

ଆଚ୍ଛା ଅଳକା ମା’, ତୁମେ ଆଜିଯାଏଁ କାହିଁକି ଏହି ବୋହୂମାନଙ୍କୁ ଆମ ଘରକୁ ନେଲନି-। ଏମାନଙ୍କୁ ନେଇ କେବେ ଯିବ ? ‘‘କାଲି ଯିବୁ ମଉସା ।’’ ଅଳକାଙ୍କ ଗଳାରେ କଥାର ଯାଦୁ-। ତାପରେ କହିଲେ–

 

କାହିଁକିନା ଆମେ ତ ସମସ୍ତେ ପହରଦିନ ଦିଲ୍ଲୀ ଚାଲିଯିବୁ । ଯିବାଆଗରୁ ଆପଣମାନଙ୍କୁ ନ ଦେଖି ଗଲେ ଆମ ମନ ଘାଣ୍ଟିହେବନି କି ?

 

ଧୀରପାଦରେ ଆଗେଇଆସିଲେ କନକନାରାୟଣ । କଳ କଳ କଣ୍ଠରେ କହିଉଠିଲେ–

 

ସକାଳୁ ଆମେ କାହା ମୁହଁ ଚାହିଁ ଉଠିଥିଲୁ, ମିଶ୍ରେ ସକାଳୁ ଆମ ଘରେ ଗୋଡ଼ ଧୂଳିଦେଇ ଆମକୁ ଦର୍ଶନଦେଲେ । ମନେହେଉଛି ଆଜି ଦିନମାନ ବଡ଼ ଭଲରେ କଟିବ ଆମର ।

 

ମୁଣ୍ଡବୁଲାଇ ପଛକୁ ଚାହିଁଲେ ଦିବ୍ୟେନ୍ଦୁ । ଦେଖିଲେ–ଚୌଧୁରୀଏ ଆଉ ମହାପାତ୍ରେ ଦୁହେଁ ଦୁଇଖଣ୍ଡି ପତ୍ରିକାଧରି ହସହସ ବଦନରେ ଆଗେଇ ଆସୁଛନ୍ତି ।

 

ଭୀମ ତରତରରେ ଯାଇ ଆଉ ଦୁଇଖଣ୍ଡ ଚେୟାର ଆଣି ସେଇଠାରେ ପକାଇଦେଲା ।

 

ସେମାନେ ଦୁହେଁ ବସିଲେ । କନକନାରାୟଣ କହିଲେ–କ’ଣ ଖବର ମିଶ୍ରେ ? ଘରେ ସମସ୍ତେ ଭଲ ତ ? ଆସିଲେ ଟିକିଏ ଭଲ କଲେ । ଆମେ ସମସ୍ତେ କାଲି ଟିକିଏ ଆପଣଙ୍କ ଘରକୁ ଯାଇ ଆପଣମାନଙ୍କୁ ବିରକ୍ତ କରି ଆସିବୁ ।

 

ଦିବ୍ୟେନ୍ଦୁ, ରୂପାର ହରିଣ ମୁଣ୍ଡଦିଆ କଳା ମିଚିମିଚି ବେତ ବାଡ଼ଟି ଚେୟାର୍‌ ବାଡ଼ିରୁ ଉଠାଇଆଣି ହାତରେ ଧରି ଠିଆହେଲେ କହିଲେ–ଅଳକା ମା’, ମୁଁ ଯାଉଛି ଏଥର । ଆସ, ମତେ ଟିକିଏ ଗେଟ୍‌ ପର୍ଯ୍ୟନ୍ତ ଯାଇ ପହଞ୍ଚାଇ ଦେଇଆସିବ ।

 

ଚମକିଉଠିଲେ ଅଳକା ।

 

ଚମକିଉଠିଲେ ଦୁଇ ବୃଦ୍ଧ ମଧ୍ୟ ।

 

ନିର୍ବାକ ଆଖିରେ ସମସ୍ତେ ଚାହିଁରହିଲେ ଦିବ୍ୟେନ୍ଦୁଙ୍କ ମୁହଁକୁ ।

 

ଅଳକା ମନରେ ବି ଏକ ଅଜଣା ଭୟ । ହଁ, ମୌସୁମୀକୁ ନେଇ ମନରେ ତା’ର ଭୟ ପଶିଗଲା । ମୌସୁମୀର କୌଣସି ମନ୍ଦ ବ୍ୟବହାର ଯୋଗୁଁ ଦିବ୍ୟେନ୍ଦୁ କ’ଣ ତାଙ୍କମାନଙ୍କ ସହିତ ଏପରି ବ୍ୟବହାର କଲେ । ଦିବ୍ୟେନ୍ଦୁଙ୍କ ପରି ସ୍ନେହଶୀଳ, ଉଦାର ଭଦ୍ରବ୍ୟକ୍ତି ଅଳକା ଖୁବ୍‌ କମ୍‌ ଦେଖିଛନ୍ତି । ତେବେ ସେ କାହିଁକି ଏପରି ବ୍ୟବହାର କରୁଛନ୍ତି ଆଜି ! ଅଳକା ମନରେ ଗୋଟିଏ ପ୍ରଶ୍ନର ଧୁମାଳିଆ ଝଡ଼ ବହିଗଲା । ତଥାପି ନିଜ ମନକୁ ଶକ୍ତ କରିନେଇ ଓଠ ଥରାଇ ପଚାରିଲା–ଏତେଶୀଘ୍ର ଉଠିଲେ କାହିଁକି ମଉସା ? ଏଇକ୍ଷଣି ତ ଆସିଛନ୍ତି । ମୋ ହାତର ମାଂସ ଚପ୍‌ ଦିଟା ନ ଖାଇ ଗଲେ ମୁଁ ତ ବଡ଼ ଦୁଃଖ ପାଇବି । ଏତିକି କହି ଦିବ୍ୟେନ୍ଦୁଙ୍କ ହାତ ଧରି ପୁଣି ବସାଇଦେଲେ ଅଳକା ।

 

କନକ ନାରାୟଣ, ଆଉ ମହାପାତ୍ରେ ସେ ପର୍ଯ୍ୟନ୍ତ ନିର୍ବାକ ହୋଇ ରହିଛନ୍ତି ।

 

ଦିବ୍ୟେନ୍ଦୁ ବସିପଡ଼ିଲେ–

 

କହିଉଠିଲେ–ନା, ନା, ନା । ମାଆ ଏ କି କଥା–ତତେ ମୁଁ ଦୁଃଖ ଦେବି ? ତତେ ଦୁଃଖ ଦେବା ମାନେ ମୋର ସ୍ୱର୍ଗତଃ ବୋଉକୁ ମଧ୍ୟ ଦୁଃଖ ଦେବା । ତାହା ହେବନି । ତୋ ହାତର ଚପ୍‌ ମୁଁ ନିଶ୍ଚୟ ଖାଇବି । ଏଇ ବସି ରହିଲି ମୁଁ । ତୁ ଶୀଘ୍ର ଆଣେ ମାଆ । ବେଶୀ ସମୟ ବସିବା ବି ଏଠି ଠିକ୍‌ ହେବନି । କାହିଁକି ନା–ଦେଖୁନୁ ତୋ ଶ୍ୱଶୁର ଆଉ ତୋ ନନା ଦୁହେଁ ମିଶି ମତେ ମିଠାମିଠା କଥାରେ ବେଶ୍‌ ବୁଝାଇ ଦେଲେଣି ଯେ, କାହାଘରକୁ ଗଲେ କୁଆଡ଼େ ତାକୁ ବିରକ୍ତ କରିବା ହୁଏ । ସେମାନେ ଯାଇ କୁଆଡ଼େ ମତେ ବିରକ୍ତ କରିବେ । ତାହାହେଲେ ମୁଁ ବର୍ତ୍ତମାନ ଆସି ନିଶ୍ଚୟ ତାଙ୍କମାନଙ୍କୁ ବିରକ୍ତ କରୁଛୁ । ନା, ନା–ଏଇ ସବୁ ମୁଁ ପସନ୍ଦ କରେନି । କିଏ କାହାକୁ ବିରକ୍ତ କରିବ କାହିଁକି ? ଏ କଥାଟା ଆଦୌ ମତେ ଭଲଲାଗେନି । ତୁ ଦେଲୁ ମା’, ମତେ ଶୀଘ୍ର କ’ଣ ଟିକେ ଖାଇବାକୁ । ମୁଁ ଶୀଘ୍ର ଯାଏ ଏ ଘରୁ ।

 

ଝାଳ ଦେଇ ଅଳକା ମନରୁ ଜ୍ୱର ଛାଡ଼ିଲା ।

 

ହସିହସି ଚାଲିଗଲା ସିଏ ରନ୍ଧା ଘରକୁ ।

 

ବୃଦ୍ଧ ଦୁହେଁ ଚେୟାରରୁ ଉଠିଆସି କୁଣ୍ଢାଇ ପକାଇଲେ ଦିବ୍ୟେନ୍ଦୁଙ୍କୁ । ହସିହସି କହିଲେ–ହଇଏ ସମୁଦି, ତୁମେ ଏପରି ଜଣେ ? ଆମ ଛାତିର ରକ୍ତ ଶୁଖାଇ ସାରିଲଣି ।

 

ଆଖିରେ କପଟ ବିସ୍ମୟ ଭରି ଚାହିଁଲେ ଦିବ୍ୟେନ୍ଦୁ ମହାପାତ୍ରଙ୍କ ମୁହଁଙ୍କୁ । କହିଲେ–

 

କି ଆଶ୍ଚର୍ଯ୍ୟ, ତୁମ ଦେହରେ ଏପର୍ଯ୍ୟନ୍ତ ରକ୍ତ ଆହୁରି ଅଛି ସମୁଦି ?

 

କନକନାରାୟଣ ମୁହଁ ଶୁଖାଇ କହିଲେ–ଅଛି ସମୁଦି, ଅଛି ଟୋପେ ଦୁଇଟୋପା ପାଣିଚିଆ ରକ୍ତ ଏବେ ବି ଅଛି । ନ ହେଲେ ବଞ୍ଚନ୍ତୁ କିପରି । ଯାହାହେଉ, ତୁମେ କିନ୍ତୁ ଖୁବ୍‌ ପ୍ରାଣବନ୍ତ ପୁରୁଷ ମିଶ୍ରେ । ତୁମ ବୟସରେ ତୁମରି ପରି ପୁରୁଷ ଆଉ ଗୋଟିଏ ମୁଁ ଦେଖିଲିନି । ତୁମକୁ ଦେଖିଲେ ମନ ମୋର ପରିପୂର୍ଣ୍ଣ ହୋଇଉଠେ-। ଚୁପ୍‌ କରିଗଲେ କନକନାରାୟଣ । ମନେମନେ କହିହେଲେ–‘ଧୀର ପାଣି ପଥର କାଟେ’-। ବେଗବତୀ ପାଣିଧରା ମାଟି ଟିକିଏ ବି ଧୋଇନେବାର କ୍ଷମତା ରଖେନି । ସୁସ୍ଥ ଆଉ ସଂଯତ ଜୀବନର ନାରୀ ବା ପୁରୁଷକୁ ମହାକାଳ ବି ଡରେ । ସେ ପାରେନି ସେଇମାନଙ୍କ ଉପରେ ତା’ର ପ୍ରଭାବ ବିସ୍ତାରିବାକୁ । ତାକୁ ଅପେକ୍ଷର କରିବାକୁ ପଡ଼େ ଦୀର୍ଘଦିନ ଧରି । ଦିବ୍ୟେନ୍ଦୁ ହେଲେ ସେହି କଥାର ପ୍ରତ୍ୟକ୍ଷ ପ୍ରମାଣ । ତାଙ୍କର ବଳିଷ୍ଠ ଆଉ ଦୀର୍ଘ ଦେହକୁ ମୁଗ୍‌ଧ ଆଖିରେ ଚାହିଁରହିଲେ କନକନାରାୟଣ । କଥା ବାଆଁରେଇ ଦିବ୍ୟେନ୍ଦୁ ପଚାରିଲେ–

 

କାଲି କେତେବେଳେ ସବୁ ଯାଉଛନ୍ତି ଆମ ଘରକୁ ।

 

ମହାପାତ୍ରେ କହିଲେ–କାଲି ସନ୍ଧ୍ୟା ଛଅଟା ବେଳେ ଆମେ ସମସ୍ତେ ଯିବୁ ଆପଣଙ୍କୁ ଘରକୁ । ପହରିଦିନ ଆମେ ଚାଲିଯିବୁ ସମୁଦି । ଆପଣମାନଙ୍କ ପାଇଁ ମନ ଏକା ବଡ଼ ଖରାପ ହେବ । ଆଉ ଏ ହେଲା, ମାନେ କହୁଥିଲି କି–ଏଇ ଆମ ମୌସୁମୀ, କିପରି ଘରକରଣା କରୁଛି, ଆପଣମାନେ ଖୁସି ଅଛନ୍ତି ତ ? ଥଙ୍ଗେଇ, ଥଙ୍ଗେଇ ଏତିକି ପଚାରି ଡରିଲା ଆଖିରେ ଚାହିଁ ରହିଲେ ମହାପାତ୍ରେ ମିଶ୍ରଙ୍କ ମୁହଁକୁ ।

 

କଥାରେ ଅଛି–

 

‘‘ଝିଅ ଦେଇଥିବୁ ଯାହାକୁ ।

ନଇଁ ପଡ଼ିଥିବ ତାହାକୁ ।’’

 

ମୌସୁମୀ ନାଁ ଶୁଣି ଉଜ୍ଜ୍ୱଳ ହୋଇଉଠିଲା ଦିବ୍ୟେନ୍ଦୁଙ୍କର ସ୍ନେହସିକ୍ତ ଆଖିଦୁଇଟି । କହିଲେ–ହୀରା କାହାକୁ ସହେ ସମୁଦି–କାହାକୁ ପୁଣି ସହେନି । ମତେ କିନ୍ତୁ ସହିଲା । ସ୍ୱାଧୀନ ଭାରତ ଚିତ୍କାର କରୁଛି, କୋହିନୁରଟା କୁଆଡ଼େ ବ୍ରିଟିଶ ନେଇଗଲେ । ଭୁଲ, ଭୁଲ୍‌ ଦିଲ୍ଲୀରୁ ସେହି କୋହିନୁର ଆସି ମୋ ଘର ଉଜ୍ଜ୍ୱଳକରି ରହିଲା । ଯେଉଁ ମାଆ ଘର ଉଜ୍ଜ୍ୱଳ କରେ ସେଇ ମାଆର ରୂପ ଗୁଣ ନେଇ ତ କୋହିନୁରର ସୃଷ୍ଟି । ଆଉ ଗୋଟେ କୋହିନୁର କ’ଣ ଅଲଗା ?

 

ଅଳକା ମୌସୁମୀ ନାଁ ଶୁଣିବା ବେଳଠାରୁ ଏହିଆଡ଼େ କାନ ଦେଇଥିଲେ । ଦିବ୍ୟେନ୍ଦୁଙ୍କ କଥା ଶୁଣି ମନ ତାଙ୍କର ପରିପୂର୍ଣ୍ଣ ହୋଇଗଲା ।

 

ମାଂସ ଚପ୍‌ ଭରା ପ୍ଲେଟ ଗୁଡାକ ଟେବୁଲ୍‌ ଉପରେ ସଜାଡ଼ି ଦେଇଗଲା ଭୀମ । ତିନୋଟି ସମବୟସ୍କ ବୃଦ୍ଧ ଖାଉ ଖାଉ ନାନା କଥାବାର୍ତ୍ତାରେ କିଛି ସମୟ କଟାଇଦେଲେ । ତାପରେ–ଦିବ୍ୟେନ୍ଦୁ କହିଲେ ମହାପାତ୍ରଙ୍କ ଆଡ଼େ ଚାହିଁ–ସମୁଦି କହୁଥିଲି କି...

 

ମଝିରେ ତ ଆଉ ଗୋଟିଏ ମାସ । ତୁମେ ସବୁ ରହିଗଲେ ହୁଅନ୍ତାନି ? ମୋ ଝିଅର ବାହାଘର ମାଘ ମାସରେ । ତୁମେମାନେ ନ ରହିଲେ ତ ହେବନି । କ’ଣ କହୁଛ ? ଚୌଧୁରୀଏ ବୋଧହୁଏ ତାଙ୍କ ବୋହୂମାନଙ୍କ ସହିତ ଏଥର ଚାଲିଯିବେ । ତାଙ୍କୁ ବି ଅନୁରୋଧ କରୁଛି । ସେ ବି ଏ ମାସଟା ରହିଯାଆନ୍ତୁ ।

 

ମହାପାତ୍ରେ କହିଲେ–

 

ଆପଣ ଜାଣିନାହାନ୍ତି କି ? ସେ ତ ଯାଉନାହାନ୍ତି । ଏ ଘର ଛାଡ଼ି ସେ ପରା କେଉଁଆଡ଼କୁ ଯିବେନି ବୋଲି ପଣ କରିଛନ୍ତି । ହଁ ଅଇଁଠା ହାତ ଦୁଇଟା ଯୋଡ଼ିପାରୁ ନାହିଁ, ତଥାପି ମିନତି କରୁଛି କି ମତେ ସେପରି ଦୟନୀୟ ଭଙ୍ଗୀରେ ଅନୁରୋଧ ଜଣାନ୍ତୁ ନାହିଁ । ତନୁ ମା’ର ବାହାଘରରେ ମୁଁ ନ ରହିବି ତ କିଏ ରହିବ ? ଆହୁରି ମାସେ ଏଠାରେ ରହିବାରେ ମୋର କି ଅସୁବିଧା । ଅଳକା ମା’ ଯେଉଁଠି ଥିବ ସେଇଟାହିଁ ମୋର ସ୍ୱର୍ଗ । ହେଲେ–ମୋ, ପୁଅଟା ମୋରି ଗୁଣ ପାଇଛି । ମୋଟେ ଚାକର ବାକର ହାତରେ ଖାଇବାକୁ ଭଲପାଏନି । ବିଚରା ଖୁବ୍‌ ହଇରାଣ ହେଉଥିବ । ସେଇଥିପାଇଁ ଯିବା କଥା । ଆମକୁ ପଅରଦିନ ଛାଡ଼ିଦିଅନ୍ତୁ, ଆମେ ଚାଲିଯାଉ । ବିବାହବେଳକୁ ଆମେ ସମସ୍ତେ ପୁଣି ଆସିଯିବୁ । କିଛି ଚିନ୍ତା କରନ୍ତୁ ନାହିଁ । ହଁ, ଅବଶ୍ୟ ମୋର କହିବାକୁ ନିଶ୍ଚୟ ଆପଣ ଅପେକ୍ଷା କରିବେନି, ତଥାପି କହୁଛି ଚୌଧୁରୀଙ୍କୁ ବେଳେ ବେଳେ ଆସି ଦେଖିଯିବାକୁ ଭୁଲିବେନି । ଦେଖନ୍ତୁ ତ କି ଏକ ଅଦ୍‌ଭୁତ ଖିଆଲରେ ଦୁଃଖକୁ ବରଣ କରୁଛନ୍ତି । ପୁଅ, ବୋହୂ, ନାତି, ନାତୁଣୀ ସେଇମାନଙ୍କ ଗହଣରେ ରହିଲେ ମନରେ କେତେ ଶାନ୍ତି ଆସନ୍ତା । ଅଥଚ ସେ ଗୋଟେ ଅକାରଣ ଜିଦ୍‌ ଧରିଛନ୍ତି ଇମିତି ଏକୁଟିଆରେ ରହି ମନସ୍ତାପରେ ଘାଣ୍ଟି ହେବାକୁ । ଯାହାକୁ କହନ୍ତି ଦୁଃଖ–ବିଳାସ ।

 

ମଥା ପୋତି ଚୁପ୍‌ଚାପ୍‌ ବସି ରହିଥାଆନ୍ତି କନକ ନାରାୟଣ ।

 

ଦିବ୍ୟେନ୍ଦୁ କନକ ନାରାୟଣଙ୍କ ମୁହଁକୁ ଚାହିଁ କହିଲେ–

 

ସତରେ କ’ଣ ଆପଣ ଯାଉନାହାନ୍ତି । କାହିଁକି ଯାଉନାହାନ୍ତି ମ ? ପିଲାଙ୍କୁ ଛାଡ଼ି ଏଠାରେ ଏକୁଟିଆ ରହି କେତେ କଷ୍ଟ ପାଉଛନ୍ତି ! ଏତେ ବଡ଼ ଘରେ ଏକୁଟିଆ ରହିବା କ’ଣ ସହଜ କଥା ହେଇଛି । କିପରି ଯେ ଆପଣ ରହିପାରୁଛନ୍ତି ସେଇକଥା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି-। ଯାଆନ୍ତୁ ବାହାରି ଏଥର, ଟିକିଏ ବୁଲିଆସନ୍ତୁ । ସବୁବେଳେ ଏକା ଏକା ରହିବାକୁ ଆଉ ମନ ବଳାନ୍ତୁ ନାହିଁ ।

 

ଗଳାରେ ଅସୀମ କ୍ଲାନ୍ତି ଭରି କନକ ନାରାୟଣ କହିଲେ–

 

ଆଉ କେତୋଟି ଦିନ ପାଇଁ କାହିଁକି ଭିଟାମାଟି ଛାଡ଼ିଯିବି କହିଲେ । ଯଦି ହଠାତ୍‌ ମରିଯାଏ ତେବେ କ’ଣ ଯାଇ ସେଇ ବିଭୁଇଁରେ ମରିବି ? ସେକଥା ହେଲେ ଆତ୍ମା ମୋର ଭୀଷଣ ବାହୁନିବ । ଯେ କେତେଟା ଦିନ ବଞ୍ଚିଛି ସେଇ କେତେଟା ଦିନ ଏଇ ମାଟିରେ ମୁଁ ପଡ଼ିରହିବି ।

 

ପିତା, ପିତାମହ, ଆଉ, ଆଉ–ଛାୟାର ମଧ୍ୟ ଶେଷ ନିଃଶ୍ୱାସ ଏଇଠାରେ, ଏଇ ଆକାଶ ବତାସରେ ମିଶି ରହିଛି । ମୋର ଇଚ୍ଛା ଯେ–ମୋର ବି ନିଃଶ୍ୱାସ ସେଇ ଆକାଶ ବତାସରେ ମିଶିଯାଉ । ତାହାହେଲେ, ଆତ୍ମା ମୋର ଶାନ୍ତିପାଇବ । ଆଉ ପୁଅ ହାତର ନିଆଁ, ଭାଗ୍ୟରେ ଥିଲେ ପାଇବି । ନ ଥିଲେ ନାହିଁ । ସମସ୍ତେ କ’ଣ ସବୁ ପାଇପାରନ୍ତି ? ସେ ଜଗନ୍ନାଥଙ୍କ ଅଞ୍ଚଳ ସୁନା ତ ଭାଗ୍ୟଦୋଷରୁ ବେଙ୍ଗୀ ପାଲଟିଗଲା । ମୁଁ ତ ଛାର ମଣିଷଟେ । ମଣିଷ ଭିତରେ ବି ହୀନଟେ । ମୋ ପାଇଁ ମୋର ଆଉ କୌଣସି ଶୋଚନା ନାହିଁ । ଯିବାଦିନଟିକୁ ଖାଲି ଚାହିଁ ରହିଛି । କଣ୍ଠସ୍ୱର ତାଙ୍କର ସଜଳ ହୋଇଆସିଲା ।

 

ସଜଳ ହୋଇଆସିଲା ସମସ୍ତଙ୍କର ନୟନପତା ।

 

ଦିବ୍ୟେନ୍ଦୁ ଦୀର୍ଘଶ୍ୱାସ ତ୍ୟାଗକରି ଚାଲି ଯାଉ ଯାଉ କହିଲେ–ମୁଁ କହୁଥିଲି କି କିଛିଦିନ ଯାଇ ଟିକିଏ ବୁଲିଆସିଲେ ଭଲହୁଅନ୍ତା । ଚାଲଯିବାକୁ ମନ ଯେବେ ନ ଚାହୁଁଛି ତେବେ ନ ଯାଆନ୍ତୁ-। ହଉ ଏଥର ମୁଁ ଯାଏ । ଧୀରେ ଧୀରେ ଘରଛାଡ଼ି ଚାଲିଗଲେ ଦିବ୍ୟେନ୍ଦୁ ।

 

ତେତିଶି

 

ଖାଇବା ଟେବୁଲରେ ବସି ମନୋରଞ୍ଜନ କହିଲେ–ଜାଣିଲେ ବାପା, ଚୌଧୁରୀ ସାହେବଙ୍କ ଘରୁ ସମସ୍ତେ ଚାଲିଯିବା ପରେ ସେ ପୁଣି ଅସୁସ୍ଥ ବୋଧ କରୁଛନ୍ତି । ସେମାନେ ଗଲା ଦିନଠାରୁ ତ ମୁଁ ପୁଣି ପ୍ରତିଦିନ ଯିବାଆସିବା କରୁଛି । ମଝିରେ ସେମାନେ ଥିଲାତକ ସେ ବେଶ୍‌ ଆନନ୍ଦରେ ଥିଲେ । ପୁଣି କିପରି ଉଦାସ ହୋଇଗଲେଣି ।

 

ଦିବ୍ୟେନ୍ଦୁ ଭାତ ଗୁଣ୍ଡାଟି ଗିଳୁଗିଳୁ କହିଲେ–ହେବେନି ?

 

ଏତେବଡ଼ ଘରଟାରେ ଏକା ଏକା ଗୋଟେ ମଣିଷ ରହିପାରେ ? ମୁଁ କେତେକରି କହିଲି ସେଦିନ–କିଛି ଦିନ ଯାଇ ପିଲାମାନଙ୍କ ପାଖରେ ରହିଆସନ୍ତୁ । ଶୁଣିଲେନି ସେ ମୋ କଥା । ମନରେ ତାଙ୍କର ପଶିଛି ଗୋଟାଏ ଅହେତୁକ ଡର । ‘ମୁଁ ସିଆଡ଼େ ଯାଇ ଯଦି ମରିଯାଏ’ । ଏମିତି କଥାକୁ ଉପାୟ କ’ଣ କହ । ମୁଁ ଯିବି ଟିକେ ଚାରିଟା ବେଳେ ତାଙ୍କୁ ଦେଖିଆସିବ ।

 

ଡାକ୍ତର ରହି ରହି କହିଲେ–

 

ଅହେତୁକ ନୁହେଁ ବାପା, ସତରେ ସେ ଆଉ ବେଶୀଦିନ ବଞ୍ଚିବେନି ।

 

ପାଖରେ ଠିଆ ହୋଇଥିଲେ ଜିତା, ମନରେ ଦୁଃଖଭରି କହିଲେ–

 

ତୁମେମାନେ ସମସ୍ତେ ସମୟ ପାଇଲେ ସେଇଠିକି ଟିକିଏ ଚାଲିଯାଉଥିବ । ବୁଢ଼ା ତତେ ଖୁବ୍‌ ଭଲପାଆନ୍ତିରେ ମନୁ । ଆହା, କେଡ଼େ ଏକୁଟିଆ ହୋଇ ରହୁଛନ୍ତି ସିଏ । ଯଦି ସେ ଟିକିଏ ଭଲଥାନ୍ତି ତାଙ୍କୁ ବି କହିବୁ ଆମ ଘରଆଡ଼େ ଆସି ଟିକିଏ ଟିକିଏ ବୁଲିଯିବେ ।

 

ବୋଉ.......

 

ମୁଣ୍ଡ ବୁଲାଇ ପଛକୁ ଚାହିଁଲେ ଜିତା ।

 

ଦୁଆର ମୁହଁରେ ଠିଆ ହୋଇଛି ତନୁଶ୍ରୀ ।

 

ଗମ୍ଭୀର ଗଳାରେ ତନୁ କହିଲା–

 

Unknown

ଭାଉଜ କହିଲେ–ତରକାରୀଟା ସିଝିଗଲାଣି, ବଘାରି ଦେବେନା ?

 

ଜିତା କହିଲେ–

 

ହଁ ଦେଉ । ହେଲେ ତୁ କାହିଁକି ପଢ଼ାଛାଡ଼ି ଚାଲିଆସିଲୁ କି ?

 

ମୁହଁ ଛିଞ୍ଚାଡ଼ି ତନୁ କହିଲା–

 

କ’ଣ ଆଉ କରିଥାନ୍ତି କି ? ଭାଉଜ ତ କହିଲେ ଯେ–ଭାଇନା ତୁମର ସେଠି ଅଛନ୍ତି, ଶ୍ରୀ ତୁମେ ଟିକେ ଯାଇ ପଚାରିଆସ । ମୁଁ ତାଙ୍କୁ କହିଲି–ତୁମେ ଯାଉନ ପଚାରିଆସିବ ? ସେ ମୋ ଓଠ ହାତ ଧରି ଚେୟାରରୁ ଉଠାଇଦେଲେ । ମୁଁ ବାଧ୍ୟହେଲି ଉଠି ଆସିବାକୁ । ଆଉ ନ ହେଲେ କ’ଣ ମତେ ଖୁସି ଲାଗୁଥିଲା ଉଠିଆସିବାକୁ । ମୁହଁ ଫଣ ଫଣ କରି ସେଠୁ ଚାଲିଗଲା ତନୁ ।

 

ମନୋରଞ୍ଜନ ନୋଇଁଲା ମୁଣ୍ଡକୁ ଅଧିକ ନୁଆଁଇ ଖାଇଲାଗିଥାନ୍ତି ।

 

ତନୁ କଥାରେ ହସିଉଠିଥିଲେ–ଜିତା ଆଉ ଦିବ୍ୟେନ୍ଦୁ ।

 

ହସୁ ହସୁ ଅପରାଜିତା କହିଲେ–

 

ଜାଣିଲ, ଆସି ଦୁଇମାସର ବୋହୂ ହେବାକୁ ବସିଲାଣି ତଥାପି ଲାଜ ତା’ର କମୁନି ।

 

ଦିବ୍ୟେନ୍ଦୁଙ୍କ ଓଠରେ ପରିତୁଷ୍ଟିର ହସ ।

 

ମନୋରଞ୍ଜନ ଆଡ଼େ ଚାହିଁ ଜିତା ପଚାରିଲେ–

 

ଅଳକା ଆଉ ଚିଠି ଦେଇନି କିରେ ?

 

ମଥା ନୁଆଁଇ ମନୋରଞ୍ଜନ କହିଲେ–ଦେଇଛନ୍ତି ।

 

ସେ ତ ପ୍ରତି ଦୁଇଦିନ ଚାରିଦିନ ଛାଡ଼ି ଚିଠି ଲେଖନ୍ତି । ଆଜିକା ଚିଠିରେ ଲେଖିଛନ୍ତି–ତନୁ ବାହାଘର ଆଉ କେତେଦିନ ରହିଲା ? ତନୁର ପରୀକ୍ଷା ସରିଲାଣି କି ନାହିଁ ? ତୁମେ ଆଉ ବାପା କିପରି ଅଛନ୍ତି ? ଏମିତି କେତେ କଥା ପଚାରି ପଚାରି ଲେଖିଛନ୍ତି । ଆଉ ଲେଖିଛନ୍ତି–ତନୁ ବାହାଘରକୁ ଆସିବାପାଇଁ ଦାଣ୍ଡଦୁଆରେ ଗୋଟିଏ ପାଦକୁ ରଖି ଠିଆ ହୋଇଛନ୍ତି ।

 

ଜିତା ହସ ହସ ମୁହଁରେ କହିଲେ–

 

ହଁ, ଆଉ କେତେଟା ଦିନ କି । ଓ ହୋ, ଗଲାବେଳକୁ କି କାନ୍ଦ ନଣନ୍ଦ ଭାଉଜଙ୍କର । ପଥର ବି ତରଳି ଯିବ । କିଏ କହିବ ସେମାନେ ନଣନ୍ଦ ଭାଉଜ ? ସତେଯେପରି ମାଆ ଆଉ ଝିଅ-। ଅଳକା ପରି ଝିଅ ଆଉ ମୋର ଏଇ ଆଖି ଦେଖିବନି ।

 

ହସିଲେ ଦିବ୍ୟେନ୍ଦୁ । କହିଲେ–

 

ଦେଖିବ, ଦେଖିବ, ଆଉ ଗୋଟିଏ ଝିଅକୁ ମଧ୍ୟ ତୁମେ ଦେଖିବ । ସେଇ ଝିଅ ଠିକ୍‌ ହେବ ଅଳକାର ଜମଜ ପରି । ଅଳକା ହାତ ତିଆରି ଝିଅ ସିଏ । ଆଚ୍ଛା ଆଜିକା ତରକାରୀଗୁଡ଼ାଏ କିଏ ରାନ୍ଧିଛି ?

 

ଅପରାଜିତା ଓଠରେ ହସ ଆଙ୍କି କହିଲେ–

 

କିଏ ଆଉ ରାନ୍ଧିବ ? ବୋହୂ ରାନ୍ଧୁଛି । ସେ ତ ମାସେ ହେଲା ରାନ୍ଧିଲାଣି । ବେଶ୍‌ ଭଲ ରାନ୍ଧୁଛି ନାଁ ? ଦିବ୍ୟେନ୍ଦୁଙ୍କ ଆଖିରେ ଫୁଟିଉଠିଲା ପ୍ରତିବାଦର ଚିହ୍ନ । କହିଲେ–ଏତେଶୀଘ୍ର ତୁମେ କାହିଁକି ତାକୁ ରୋଷେଇ ଘରକୁ ଛାଡ଼ିଦେଲ, କହିଲ ? ଉଁ, ହୁଁ; ମୋଟେ ଭଲହେଲାନି ।

 

ଅପରାଜିତା ଗଳାରେ ଲାଜ ଭରି କହିଲେ–

 

ଆରେ, ମୁଁ ତ କେତେ କରି ତାକୁ ନାହିଁ କଲି । ସେ ତ କିଛି ଶୁଣୁନି । ମୁଁ ଆଉ କ’ଣ କରିଥାନ୍ତି ଯେ ।

 

ମନଦେଇ ସବୁ ଶୁଣିଲେ ଦିବ୍ୟେନ୍ଦୁ । କହିଲେ–

 

ଆଚ୍ଛା ଜିତା, ସବୁ ଛୋଟମାନଙ୍କୁ ବଡ଼ମାନଙ୍କର ଗଢ଼ିବା ଉଚିତ, ନା–ଯିଏ ଯାହା ସିଏ ସେଇଆ ?

 

ଅଳ୍ପ ହସି ଜିତା କହିଲେ–

 

ପିଲାଙ୍କ ପରି ଭଲ ପ୍ରଶ୍ନଟିଏ ପଚାରିଲ । ଦେଖେ, ସବୁ ଛୋଟମାନଙ୍କୁ ସବୁ ବଡ଼ମାନଙ୍କର ଗଢ଼ିବା କଥା, ଠିକ୍‌ କୁମ୍ଭାରମାନଙ୍କ ପରି କଞ୍ଚା ମାଟିରେ ହାଣ୍ଡି କଳସି ଗଢ଼ିବା ପରି । କିନ୍ତୁ ଗଢ଼ୁ ଗଢ଼ୁ ସେଇ ହାଣ୍ଡି କଳସିରୁ କିଛି କିଛି ହୁଏ ବଙ୍କା ଟଙ୍କା, ଆବୁଡ଼ା ଖାବୁଡ଼ା । ବଡ଼ମାନଙ୍କ ହାତରେ କଅଁଳିଆ ମନର ଛୋଟିଆ ପିଲା ଗଢ଼ା ହେଉ ହେଉ ମଧ୍ୟ ବିଗିଡ଼ିଯାଏ, ସେତେବେଳେ ଭାଗ୍ୟକୁ ନିନ୍ଦା କରୁ । ତଥାପି ଛୋଟମାନଙ୍କୁ ବଡ଼ମାନଙ୍କର ଗଢ଼ିବା ଉଚିତ୍‌ । ଆଉ ଏଇଆ ସତ, ଯାହା ଭିତରେ ଯାହା ଅଛି ତାହା ଦିନେ ନା ଦିନେ ଫୁଟି ବାହାରକୁ ବାହାରିବ । କେଉଁଦିନ ନା କେଉଁଦିନ ଜଣାପଡ଼ିଯିବ ତା’ର ଭଲମନ୍ଦ । ତେବେ ସେଇଆକୁ ଚାହିଁ ବଡ଼ର ଉଚିତ୍‌ ନୁହେଁ ନିଷ୍କ୍ରିୟ ହୋଇ ରହିବା । ଏ ଦୁନିଆଁରେ ଗଢ଼ିବାର ମୂଲ୍ୟ କିଛି କମ୍‌ ନୁହେଁ ବୋଉ.....

 

ମୁହଁ ବୁଲାଇଲେ ପଛକୁ ଜିତା ।

 

ଚିଡ଼ିଉଠି କହିଲେ–ଫେର୍‌ ତୁ ଉଠିଆସିଲୁ ତନୁ ?

 

ତନୁ ବି ଏଥର ଚିଡ଼ିଉଠିଲା । କହିଲା–

 

ତୁମକୁ କ’ଣ ଭୋକ ନାହିଁ ? ବାପା ତ ପେଟେ ଖାଇସାରିଲେଣି । ଏଇଆ ବୋଲି କ’ଣ–ସେ ପିଲାଲୋକ ବୋହୂଟା ତୁମକୁ ବା ତୁମରି ପ୍ରସାଦ ପାଇବାକୁ ଅଖିଆ, ଅପିଆ ଚାହିଁ ବସି ରହିଥିବ ? ପାଣି ପିଇବାକୁ ରୋଷେଇ ଘରକୁ ଗଲି ଯେ ଭାଉଜ ଚୁପ୍‌ ଚାପ୍‌ ମୁହଁ ଶୁଖାଇ ବସି ରହିଛନ୍ତି । ସେଇଆ କହିବାକୁ ଆସିଲି । କିଏ କାହାକୁ କେତେ ଚାହିଁ ରହି ଭୋକ ଓପାସରେ ରହିପାରୁଚି ରହୁ । ମୋର କି ଥାଏ, ମୁଁ ଚାଲିଲି । ପାଦରେ ଶବ୍ଦ ତୋଳି ସେଠୁ ଚାଲିଗଲା ତନୁ ।

 

ଲାଜରେ ମୁହଁ ଶୁଖିଗଲା ଅପରାଜିତାଙ୍କର ।

 

ତର ତର ପାଦରେ ସେ ବି ଘର ଛାଡ଼ିଲେ ।

 

ଚଉତିରିଶି

 

ବ୍ୟାକୁଳ ଆଖିରେ ଚାହିଁ ରହିଛନ୍ତି ଦିବ୍ୟେନ୍ଦୁ ଗେଟ୍‍ଆଡ଼କୁ । ତନୁର ଆଜି ରେଜ୍‌ଲଟ୍‌ ବାହାରିବ । ସକାଳୁ ଝିଅଟା ଯାଇଛି ଯେ ଆସି ଗୋଟେ ବାଜିଲା, ଏପର୍ଯ୍ୟନ୍ତ ଫେରିଲାନି । ଭଗବାନ ଜାଣନ୍ତି ଆଜି ସେଇ ଝିଅ କି ଖବର ନେଇ ଆସିବ ।

 

ସମାନ ବ୍ୟାକୁଳତା ନେଇ ଜିତା କି ଛଟପଟ ହେଉଛନ୍ତି । ଆକୁଳ ଆଖିରେ ବାର ବାର ଚାହୁଁଛନ୍ତି ସିଏ ସେହି ଗେଟଆଡ଼କୁ ।

 

ରୋଷେଇ ଘର ଭିତରୁ ମଧ୍ୟ ଦୁଇଟି ପଦ୍ମପଳାଶ ଆଖି ବ୍ୟଗ୍ର ବ୍ୟାକୁଳ ହୋଇ ଚାହିଁ ରହିଛି ତା’ର ଅତି ଆଦରର ନଣନ୍ଦର ବାଟକୁ ।

 

ଆଉ ମନୋରଞ୍ଜନ, ମୁହଁରେ ତାଙ୍କର ଏକ ନିର୍ଲିପ୍ତ ଭାବ । ଆଖିରେ ତାଙ୍କର ଆକାଶର ଶୂନ୍ୟତା ।

 

ନାଚି ନାଚି ଘରେ ପଶିଲା ତନୁଶ୍ରୀ ମିଶ୍ର ।

 

ଦୁଇ ହାତରେ ବାପା ବୋଉଙ୍କୁ ଧରି କୁଣ୍ଢାଇ ପକାଇଲା । ଆନନ୍ଦ ଗଦ ଗଦ ହୋଇ କହିଲା–ମୁଁ ପାସ୍‌ କରିଛି ବାପା । ଜାଣିଛ ବୋଉ, ସମସ୍ତେ କହୁଛନ୍ତି ମୁଁ କୁଆଡ଼େ ଅନର୍ସ ନେଇଥିଲେ ଭଲ କରିଥାନ୍ତି । କାହିଁକି ନ ନେଲି ବୋଲି ଏଇକ୍ଷଣି ମନରେ ମୋର ଖୁବ୍‌ ଦୁଃଖ ହେଉଛି ।

 

ମଧୁର ହସି ଜିତା କହିଲେ–

 

ହଉ, ନ ହେଲା ନାହିଁ । ଆମର ଯେତିକି ହେଲା, ସେତିକି ଢେର୍‌ । ମାଇକିନିଆଁ ଝିଅର ଏତେ ପାଠ କ’ଣ ହେବ ।

 

ଦିବ୍ୟେନ୍ଦୁ ଗମ୍ଭୀର କଣ୍ଠରେ କହିଲେ–

 

ଯାହା କହିଲ ସତ ଜିତା । ଯାହାର ବାହାଘର ରହିଲା ଆଉ ଆଠଦିନ, ଯିଏ ହୁଏତ ଆଉ ପନ୍ଦରଟା ଦିନପରେ ଚୁଲି ପାଖରେ ବସି ଝାଳ ନାଳରେ ଏକାଠି ହେବ, ତା’ର ପୁଣି ପାଠ, କ’ଣ ହେବ ପାଠ ।

 

ଦିବ୍ୟେନ୍ଦୁଙ୍କ ଆଖିରେ ଦୁଇଟୋପା ଲୁହ ଚିକ୍‌ ଚିକ୍‌ କରିଉଠିଲା । ଅପରାଜିତା ଆଖି ବି ଶୁଖିଲା ରହିଲାନି । ମନୋରଞ୍ଜନ ଥରେ କର ଲେଉଟାଇଲେ ।

 

X X X

 

ଆସ୍ତେ ଆସ୍ତେ କୁଣିଆ କୁଟୁମ୍ୱରେ ମିଶ୍ରଙ୍କ ଘରଟା ଭର୍ତ୍ତି ହୋଇଗଲାଣି ।

 

ଆଉ ଚାରିଦିନ ରହିଲା ତନୁର ବାହାଘର ।

 

ଅଳକା ଆଉ ତାଙ୍କର ଦୁଇ ଭାଉଜ ବି ଆସି ସାରିଲେଣି ।

 

ଅନୁରୋଧ ସହିତ ମିନତି ମିଶାଇ ଦିବ୍ୟେନ୍ଦୁ ଆଠଦିନ ହେଲା କନକ ନାରାୟଣଙ୍କୁ ତାଙ୍କୁ ଘରୁ ଯାଇ ନେଇଆସିଛନ୍ତି ।

 

ଅଳକା ଆଉ ମୌସୁମୀଙ୍କର ଯେତେବେଳେ ଦେଖାହେଲା, ସେତେବେଳେ ସେମାନେ ଦୁହେଁ ମିଶି ଏକ ଲୁହର ବନ୍ୟା ବୁହାଇଦେଲେ । ତାପରେ–ଅଳକା ଯାଇ କନକନାରାୟଣଙ୍କୁ କୁଣ୍ଢାଇ ଧରି ଘଣ୍ଟେ କାନ୍ଦିଥିଲେ । ଗଳାରେ ଅନୁଯୋଗ ଭରି କହିଥିଲେ, ବାପା ! ମୁଁ ଦୁଇଟା ମାସ ତୁମକୁ ଛାଡ଼ି ଚାଲିଯାଇଛି–ଆଉ ଏହାରି ଭିତରେ ତୁମେ ଏତେ ଝଡ଼ିଗଲା ! ଏଥର ମୁଁ ତୁମର ଆଉ କୌଣସି କଥା ଶୁଣିବିନି । ଗଲାବେଳେ ନିଶ୍ଚୟ ସାଙ୍ଗରେ ନେଇ ଚାଲିଯିବି । ଏତେ ତୁମେ କାହିଁକି ଝଡ଼ିଗଲ ବାପା ? ଦେହ କ’ଣ ତୁମର ଭଲନଥିଲା ? ଭଲନଥିଲା ତ ମତେ ଲେଖିଲନି ? ତୁମେ କ’ଣ ମତେ ଭଲପାଅନି ? ତୁମର କିଛି ହେଲେ–ମୁଁ ଯେ କାନ୍ଦି କାନ୍ଦି ମରିଯିବି–ଏ କଥା କ’ଣ ତୁମେ ଜାଣିନ ? କନକନାରାୟଣଙ୍କ ପିଠିରେ ମୁହଁ ଗୁଞ୍ଜି କାନ୍ଦୁଥିଲେ ଅଳକା । ପିଠିପଟ ସାର୍ଟଟା ତାଙ୍କର ଏକଦ୍‌ମ ଓଦା ହୋଇଯାଇଥିଲା ।

 

କନକନାରାୟଣ ହାତ ବୁଲାଇ ପଛପଟୁ ଝିଅକୁ ଟାଣିଆଣିଲେ ତାଙ୍କର ସ୍ନେହ ବିଜଡ଼ିତ; କୋଳଆଡ଼କୁ । ଝିଅର ମୁଣ୍ଡ ଆଉଁସି ଦେଉ ଦେଉ କହିଲେ, ତୋର ବିରାମହୀନ ପ୍ରଶ୍ନର କି ଉତ୍ତର ଦେବି ମା’ କହିଲୁ ? ମୋର ତ ଆଦୌ ମନେହେଉନି ମୁଁ ଝଡ଼ିଯାଇଛି ବୋଲି । ଆଉ ତୁ ଯଦି କହୁଛୁ ମୁଁ ଝଡ଼ିଯାଇଛି ବୋଲି, ତେବେ ମୁଁ ନିଶ୍ଚୟ ଟିକେ ଝଡ଼ିଯାଇଛି । ତୋ ହାତର ସେବା, ଯତ୍ନ, ଖାଦ୍ୟ ନ ପାଇଲେ କିଏ ଆଉ ସୁସ୍ଥ ରହିବ କହ ? ଏଇ କେତେଦିନ ପାଇଁ ତୁ ତୋ ଶ୍ୱଶୁରଙ୍କୁ ଛାଡ଼ି ଆସିଛୁ ନା ? ଫେରିଯାଇ ଦେଖିବୁ ସେ ବି ଝଡ଼ିଯାଇଛନ୍ତି । ମୋ ମାଆର ସେବା ଯତ୍ନ ନ ପାଇଲେ ସମସ୍ତେ ତ ଝଡ଼ିଯିବେ । ମୋ ଦେହ ବ୍ୟସ୍ତ ହେଲେ ତତେ ମୁଁ ଡକାଇ ପଠାଇଲିନି କାହିଁକି ସେଥିପାଇଁ ତୁ ଅନୁଯୋଗ କରୁଛୁ । କିନ୍ତୁ ମାଆ ଜଣକ ପାଇଁ କ’ଣ ଅନ୍ୟ ସମସ୍ତଙ୍କୁ ଛାଡ଼ିବା ଉଚିତ-? ତୁ ସେଠି ଥାଇ ଅନେକଙ୍କର ସେବା କରିପାରୁଛୁ, ଅନେକେ ତୋ ଉପରେ ନିର୍ଭର କରନ୍ତି-। ସେଇମାନଙ୍କର ପାଇଁ ତୋର ଚିନ୍ତା ଭାବନାର ଅନ୍ତ ନାହିଁ । ଆଉ ତୋର ସେଇ ସେମାନଙ୍କ ପାଇଁ ଚିନ୍ତା ଭାବନା ଟିକକ ହେଲା ମୋର ଶାନ୍ତି, ମୋର ଗୌରବ, ମୋର ଯଶ । ମୁଁ ମରିଯାଏ ବା ହଜିଯାଏ–କି ଯାଏ ଆସେ ତହିଁରେ । ମୋ ଜୀବନର ମୂଲ୍ୟ ମୋ ପାଖରେ କାଣି କଉଡ଼ିଠୁ ବି ହୀନ-। କିନ୍ତୁ ବଡ଼ ଇଚ୍ଛା ମୋର, ବଡ଼ ଆଶା ମୋର ମରିବାଯାଏ ମୁଁ ଯେପରି ଶୁଣେ କି ମୋ ପୁଅ ଝିଅଙ୍କୁ ସମସ୍ତେ ଭଲ କହନ୍ତି, ଆଉ ଭଲପାଆନ୍ତି । ଖାଲି ଏତିକି । ଆଉ କିଛି ମୋର କାମନା ନାହିଁ-। କନକନାରାୟଣଙ୍କର ନିଷ୍ପ୍ରଭ ଆଖିଦୁଇଟି ନୋଇଁଆସିଲା ପାଣି ଭାରରେ ।

 

ସମୁଦି...

 

ଆରେ, ଏଇ ଝିଅଟା ସବୁବେଳେ ଏତେ କାନ୍ଦେ କାହିଁକି ! ଦିବ୍ୟେନ୍ଦୁ ଅଳକାଙ୍କ ପିଠିରେ ହାତ ରଖିଲେ । ଆଖିରେ ସ୍ନେହ ଭରି ଚାହିଁଲେ ସିଏ ଅଳକାଙ୍କର ମେଘ ମେଦୁର ମୁହଁଟିକୁ । କହିଲେ–ତୁ ଖାଲି ସବୁବେଳେ କାନ୍ଦୁଥିବୁ ? ସଭିଙ୍କ ପାଇଁ ହୃଦୟରେ ତୋର ମମତା, ଆଉ ସଭିଙ୍କ ପାଇଁ ଆଖିରେ ତୋର ଲୁହ । ନାଁ,–ଗଲୁ ମା’, ଗଲୁ, ମୋ ପାଇଁ ପାନ ଦୁଇ ଚାରିଖଣ୍ଡ ନେଇଆସିବୁ-

 

ମଥା ପୋତି ଧୀରେ ଧୀରେ ଚାଲିଗଲେ ଅଳକା ।

 

ଦିବ୍ୟେନ୍ଦୁ ତାଙ୍କର ସ୍ୱଭାବ ସୁଲଭ ଗୁଣରେ ପରିସ୍ଥିତିକୁ ଏକବାରେ ହାଲୁକା କରିଦେଲେ-। କହିଲେ–ଆସିଲ ସମୁଦି, ଆସିବଟି ଟିକିଏ । ସେଇ ଯେଉଁ ବଡ଼ ଚାନ୍ଦୁଆଟା ନୁହେଁ ସେଇଟା କେଉଁଠି ଟାଙ୍ଗିଲେ ସୁବିଧା ହେବ କହିଦେବଟି ଆସି । ଏଡ଼େ ବଡ଼ କାମ ଦିନଟାରେ କିଛି ଗୋଟେ ଦାୟିତ୍ୱ ନ ନେଇ ଏଠି ଗୋଟେ ଚୁପ୍‍ଚାପ୍ ହୋଇ ବସିଛନା ? ଆଉ ଝିଅଟା ଏତେଦିନ ପରେ ଆସିଲା ଯେ ତାକୁ ଗୋଟେ କନ୍ଦାଇଦେଲା । ଯେତେ ଯେତେ ବୁଢ଼ା ହେଉଛି ସେତେ ସେତେ ବୁଦ୍ଧି ହେଉଛି, ନା ?

 

କରୁଣ ହସିଲେ କନକନାରାୟଣ । କହିଲେ–

 

ସମୁଦି, ମୋ ସ୍ୱଭାବର ସ୍ତ୍ରୀଲୋକ ପେଟରୁ ସେ ଯଦି ଜନ୍ମ ହୋଇଥାନ୍ତା, ତାହେଲେ କ’ଣ ଏପରି ସେ କାନ୍ଦିଜାଣନ୍ତା ? ସେ ଆସିଛି ଛାୟା ପେଟରୁ । ଛାୟାର ସବୁ ଗୁଣ ନେଇ । ଛାୟା ଥିଲା ଠିକ୍‌ ଏମିତି ସ୍ୱଭାବର । ଏମିତି ନରମ, ଏମିତି ସ୍ନେହଶୀଳା, ଆଉ କରୁଣମୟୀ । କଥା ସାରି ଧୀରେ ଧୀରେ ଉଠିପଡ଼ିଲେ କନକନାରାୟଣ । ପାଦ ପାଦ କରି ଆଗେଇ ଗଲେ ସିଏ ଦିବ୍ୟେନ୍ଦୁଙ୍କ ସାଥିରେ ଦିବ୍ୟେନ୍ଦୁଙ୍କ ହାତ ଧରି ।

 

ପଞ୍ଚତିରିଷ

 

ସରିଗଲା ତନୁଶ୍ରୀର ବିବାହ ।

 

ସ୍ତବ୍‌ଧ ହୋଇଆସିଲା ଆନନ୍ଦପୂର୍ଣ୍ଣ କୋଳାହଳମୟ ଘରଟି ।

 

ଏଥର ବିଦାୟର ପାଲା ।

 

ଘରଛାଡ଼ି ଆଜି ଚାଲିଯିବ ତନୁ ।

 

ଯେମିତି ଦିନେ ଏ ଘରକୁ ଚାଲିଆସିଥିଲା ମୌସୁମୀ ।

 

ପ୍ରତିଟି ମୁହଁରେ ଛାଇଯାଇଛି କାରୁଣ୍ୟର କୁହୁଡ଼ି ।

 

ମଉଳିଗଲେ ଘରର ଆଲୋକ, ଆଉ ଝାଉଁଳିଗଲେ ସାଜସଜ୍ଜା । ଇନ୍ଦ୍ରଭୁବନ ତୁଲ୍ୟ ଦିଶୁଥିଲା ଯେଉଁ ଘର, ସେ ଘର ନିଷ୍ପ୍ରଭ ହୋଇଗଲା କେଉଁ ମାୟାବୀର ମନ୍ତ୍ର ବଳରେ ।

 

ଜଣେ ଖାଲି ନିର୍ବିକାର ।

 

ସେ ହେଲେ ତନୁର ସ୍ନେହହୀନ, ନିଷ୍ଠୁର ଭାଇନା–ମନୋରଞ୍ଜନ ।

 

ସେଇ ମନୋରଞ୍ଜନ ଯେତେବେଳେ ନାନାପ୍ରକାର କାମରେ ଅକ୍ଳାନ୍ତ ପରିଶ୍ରମ କରି ଘୂରି ବୁଲୁଥିଲେ ଘର ସାରା, ଠିକ୍‌ ସେତିକିବେଳେ ଭଉଣୀର ଶୁଖିଲା ମୁହଁର ଅଶ୍ରୁ ଢଳ ଢଳ ଆଖି ଯୋଡ଼ିକି ଭାସି ବୁଲୁଥିଲା ତାଙ୍କରି ପଛେ ପଛେ । ବିବ୍ରତ ବୋଧ–କରୁଥିଲେ ମନୋରଞ୍ଜନ ନିଜର ଅଜାଣତରେ । ହାତ ଯୋଡ଼ିକ ତାଙ୍କର ବେଳେବେଳେ ଅଟକି ଯାଉଥାଏ ପ୍ରୟୋଜନୀୟ କାର୍ଯ୍ୟରୁ । ସେ କିପରି ଅନ୍ୟମନସ୍କ ହୋଇପଡ଼ୁଥାନ୍ତି । କେହି ଜଣେ ତାଙ୍କ ଉପରେ ବିରକ୍ତ ହୋଇଉଠିଲେ ସେ ଚେତନା ଲିଭି ପୁଣି କାମରେ ମନ ଦିଅନ୍ତି ।

 

ପୁଅର ସେଇ ଭାବକୁ ମନଯୋଗ ଦେଇ ଲକ୍ଷ୍ୟ କରୁଥାନ୍ତି ଦିବ୍ୟେନ୍ଦୁ ।

 

ପରିପୂର୍ଣ୍ଣ ହୋଇଯାଏ ହୃଦୟ ତାଙ୍କର । ଝଲମଲ ହୋଇଉଠେ ବ୍ୟଥାୟୀତ ଦୁଇଟି ଆଖି । ହାଲୁକା ହୋଇଯାଏ ତାଙ୍କର ଓଜନିଆ ମନଟା । କାରଣ, ହୃଦୟ ତାଙ୍କର ଆଦୌ ଚାହୁଁନଥିଲା–ଯେ–ଗୋଟିଏ ବୋଲି ଭଉଣୀ ପ୍ରତି ଭାଇ ତା’ର ଆଜିପରା ଦିନରେ ଏହିପରି ନିଷ୍ଠୁର ହୋଇ ରହୁ ବୋଲି । ପୁଅ ଆଖିରେ ବେଳେବେଳେ ସେ ଲୁହ ବି ଦେଖିଛନ୍ତି । ଯେତେବେଳେ ବେଦୀ ଉପରେ ବସି ସେ କନ୍ୟା ସମର୍ପଣ କଲେ, ସେତିକିବେଳେ ସେ ଭଲକରି ଦେଖିଛନ୍ତି ଯେ, ମନୁ ତା’ର ଦୁଇଆଖିରେ ପାଣି ଭରି ଘୁଞ୍ଜିଗଲା–ହେଇ ସେ ଖୁଣ୍ଟ ଆଢ଼ୁଆଳକୁ । ଆଉ ହାତର ଓଲଟା ପିଠିରେ ସେ ଆଖିପୋଛିଲା । କାହିଁକି ସେ ଅନ୍ଧାରିଆ ଜାଗାକୁ ଯାଇଥିଲା ସିଏ । କାହିଁକି ସେ ଲୁଚିଥିଲା ସେଠି । ନିଶ୍ଚୟ ସେ କାନ୍ଦୁଥିଲା ।

 

ଏଇ କଥା ଭାବି ଆଜି ପରା ଏଇ ଦୁଃଖରେ ଦିନରେ ବି ଦିବ୍ୟେନ୍ଦୁଙ୍କ ମନ ପରମ ଆନନ୍ଦରେ ପରିପୂର୍ଣ୍ଣ ହୋଇଗଲା । ଆଖିରୁ ତାଙ୍କର ଝରିଆସିଲା ଆନନ୍ଦର ଅଶ୍ରୁଧାରା ।

 

କାନ୍ଦୁଛନ୍ତି ଅପରାଜିତା ।

 

ନିଜ ଛାତି କଲିଜାରୁ ନିଜ ହାତରେ ସେ ଓପାଡ଼ି ଦେବାକୁ ଯାଉଛନ୍ତି ।

 

କାନ୍ଦି କାନ୍ଦି ବହୁତ ଥର ସେ ମୂର୍ଚ୍ଛା ଗଲେଣି ।

 

ସମସ୍ତେ କାନ୍ଦୁଛନ୍ତି ।

 

ଖାଲି କାନ୍ଦୁନାହାନ୍ତି ଦିବ୍ୟେନ୍ଦୁ । ସେ ଚାହିଁଥିଲେ ମନୋରଞ୍ଜନଙ୍କ ଆଖିରେ ଲୁହ ଦେଖିବେ ବୋଲି । ସେ ଲୁହ ସେ ଦେଖିଛନ୍ତି । ଆତ୍ମା ତାଙ୍କର ଆନନ୍ଦରେ ବିଭୋର ହୋଇ ରହିଛି-। ତେଣୁ ଲୁହ ପରିବର୍ତ୍ତେ ଆଖିର ତାଙ୍କର ଆନନ୍ଦର ଜୁଆର ।

 

ପାଖେଇଆସିଲା ବିଦାୟର ସମୟ ।

 

ମୌସୁମୀ ଆଉ ଅଳକା ଖୁବ୍‌ ଚେଷ୍ଟା କରୁଛନ୍ତି ତନୁଶ୍ରୀକୁ ସଜାଇ ଦେବାକୁ । କିନ୍ତୁ ପାରୁନାହାନ୍ତି । ତନୁ ଆଖିର ଲୋତକ ସୁଅରେ ଥରଥର କରି ଭାସିଯାଉଛି କଜ୍ଜଳର ସୁକ୍ଷ୍ମଗାର । ଇଆ ପିଠିରେ, ତା’ ଛାତିରେ ମୁହଁ ଘସି ଘସି ଥର ଥର କରି ଲିଭିଯାଉଛି କପାଳର ଚନ୍ଦନ ଲେଖା । ଲିଭିଯାଉଛି କୁଙ୍କୁମ ବିନ୍ଦୁ । ବହୁତ ଯତ୍ନକରି ତନୁର କେଶ ବିନ୍ୟାସ କରିଥିଲେ ଅଳକା । ସବୁ ହେଲାଣି ଅଲରା, ଅସଜଡ଼ା । ଜଣ ଜଣକରି ସଭିଙ୍କ ପାଖରୁ ଆକୁଳ କଣ୍ଠରେ ବିଦାୟ ମାଗୁଛି ତନୁଶ୍ରୀ ।

 

ଅପରାଜିତାଙ୍କ ଛାତିରେ ମଥାରଖି ଅନୁନୟ କରି କହୁଛି–

 

ଶୀଘ୍ର ମୋତେ ବୋଉ ଫେରାଇଆଣିବ । ମୋଟେ ମୋ କଥା ଭୁଲିଯିବନି ।

 

ଏହିପରି ପ୍ରତି ପ୍ରିୟଜନଙ୍କଠାରୁ ବିଦାୟ ନେଲା ତନୁ । ବାକି ରହିଲେ ଭାଇନା । କୁଆଡ଼େ ଗଲେ, ଚାରିଆଡ଼କୁ ଚାହୁଁଛି ତନୁ ବାଷ୍ପାକୁଳ ଦୁଇଟି କରୁଣ ନୟନ ମେଲି ଲୁହରେ ଲୁହରେ ଆଖିଯୋଡ଼ିକି ଅନ୍ଧ ହୋଇଯାଉଛି ତା’ର । ତଥାପି ସେ ମୁଣ୍ଡ ଘୂରାଇ ଚାହୁଁଛି ଚାରିଆଡ଼କୁ-। ଖୋଜି ହେଉଛି ଭାଇନାଙ୍କୁ ତା’ର ।

 

ଆଖିରେ ପଡ଼ିଲେ ଭାଇନା ।

 

ନିଜର ଶୋଇଲା ଘରେ ଅଛନ୍ତି ସିଏ । ଝରକାର ଲୁହା ରଡ଼୍‍ରେ ମୁଣ୍ଡଟାକୁ ଚାପି ମୁହଁପୋତି ଠିଆ ହୋଇଛନ୍ତି । ତାଙ୍କର ସେଇ ଅଦ୍‌ଭୁତ ସୁନ୍ଦର ବାଳ ଗୁଡ଼ିକର କିଛି ଅଂଶ ଦେଖାଯାଉଛି । ବହୁ କଷ୍ଟରେ ତନୁ କୋହ ଚାପି ଫିସ୍‌ ଫିସ୍‌ କରି ବାପାଙ୍କୁ କହିଲା, ବାପା ! ଡାକିଦେଲା ପରେ ବି ଭୟ ସଂକୋଚ ଭରା ଆଖିରେ ଥରେ ଚାହିଁଲା ଚାରିଆଡ଼କୁ । ପୁଣି ଡାକିଲା ବାପା.. ପୂର୍ଣ୍ଣ ଆଖିମେଲି ଝିଅ ମୁହଁକୁ ଚାହିଁଲେ ଦିବ୍ୟେନ୍ଦୁ ।

 

ସସ୍ନେହ କଣ୍ଠରେ ପଚାରିଲେ–ମତେ କ’ଣ କିଛି କହିବୁ ମାଆ ?

 

କୁଣ୍ଠିତ ଆଖିଯୋଡ଼ିକ ତଳକୁ ନୁଆଁଇ ତନୁଶ୍ରୀ କହିଲା–

 

ତୁମେ ତ ଜାଣିଛ ବାପା ଭାଇନା ମୋତେ କଥା କହୁନାହାନ୍ତି । ଯେତେଥର ତାଙ୍କ ପାଖକୁ ଯାଇଛି ସେତେଥର ସେ ନୀରବ ଅପମାନରେ ମତେ ଫେରାଇଦେଇଛନ୍ତି । ଆଜି ଗଲାବେଳେ ତାଙ୍କ ପାଖରୁ ବିଦାୟ ନ ମାଗି ଗଲେ ମନ ମୋର ଅହୋରାତ୍ର ବାହୁନି ହେବ । ଆଶୀର୍ବାଦ ସେ କରିବେନି । ମୁଁ ବି ତାଙ୍କର ଆଶୀଷ ପାଇବାକୁ ହୁଏତ ଯୋଗ୍ୟ ନୁହେଁ । ତଥାପି ମନେହେଉଛି ତାଙ୍କ ପାଦର ପବିତ୍ର ଧୂଳିନେଇ ବିଦାୟନେଲେ ମୋର କଲ୍ୟାଣ ହେବ । କିନ୍ତୁ ମୁଁ ଠିକ୍ ଜାଣେ ସେ ମୁହଁ ବୁଲାଇ ମତେ ପଛକରି ଠିଆହେବେ । ପାଦଘୁଞ୍ଚାଇ ନେବେ । ହଉ ନିଅନ୍ତୁ । ତଥାପି ମୁଁ ଯିବି ତାଙ୍କ ପାଖକୁ । ତାଙ୍କର ବହୁତ ର୍ଦୁବ୍ୟବହାର ମୁଁ ସହିଆସିଛି । ଆଜି ବି ସହିବି । କିନ୍ତୁ ଏଇ ଏତେ ଲୋକଙ୍କ ସାମନାରେ ସେ ଯଦି ମତେ ସେହିପରି ଅବହେଳାର ଭାବ ଦେଖାନ୍ତି ତେବେ ମତେ ଖୁବ୍‌ କଷ୍ଟହେବ । ତେଣୁ ତୁମକୁ ମୁଁ ଅନୁରୋଧ କରୁଛି ଯେ–ତୁମେ ଏଇ ପାହାଚ ପାଖରେ ଠିଆ ହୋଇଥାଅ । ମୁଁ ଉପରକୁ ଯିବି । ମୁଁ ଯିବି ଏକା । ମୋ ପଛେ ପଛେ ଆଉ ତୁମେ କାହାକୁ ଯିବାକୁ ଦେବନି । କାହାରି ସାମନାରେ ଭାଇନା ମୋତେ ଅପମାନ କଲେ–ମୁଁ ଭାରି କଷ୍ଟପାଇବି, ବାପା ।

 

ଦିବ୍ୟେନ୍ଦୁ ଦୀର୍ଘଶ୍ୱାସ ତ୍ୟାଗକରି କହିଲେ–

 

ତୁ ଯା ମାଆ, ତୁ ଏକା ଯାଆ । ଆଉ କେହି ଯାଇପାରିବେନି । ଏଇଠି ମୁଁ ଠିଆହୋଇ ରହିଲି ।

 

କ୍ଳାନ୍ତପାଦରେ ଉପରକୁ ଉଠିଗଲା ତନୁଶ୍ରୀ ।

 

ତା’ର ଚାଲିବା ଧରଣ ଯୋଗୁଁ ତା’ ପାଦ ନୂପୁରରେ ଏପରି ଗୋଟିଏ ଶବ୍ଦକୁ କାନପାରି ଶୁଣିଲେ ମନେହେବ ସତେଯେପରି କିଏ କାନ୍ଦୁଛି ବାହୁନି ବାହୁନି ।

 

ଦିବ୍ୟେନ୍ଦୁ ଭାବୁଥିଲେ–ଝିଅ ମୁହଁରୁ ଶୁଣିଥିବା କଥାଗୁଡ଼ିକ । ମନେ ମନେ ଗୁଣି ହେଲେ, ଚିରନ୍ତନୀ ନାରୀ ଶତ ଦୁଃଖ, ଶତ ଦୁର୍ଯ୍ୟୋଗରେ ମଧ୍ୟ ଭୁଲିପାରନ୍ତି ନାହିଁ ନିଜର ମାନସମ୍ମାନକୁ । ଅନ୍ୟପାଖରେ ଛୋଟ ନହୋଇ ଯିବାକୁ କେତେ ତାଙ୍କର ଇଚ୍ଛା, କେତେ ତାଙ୍କର କାମନା । ନିଜର ସବୁ ଦୁଃଖକୁ ଘୋଡ଼ାଇ ରଖିବାର କି ଆପ୍ରାଣ ଚେଷ୍ଟା ! କିନ୍ତୁ ଆଶ୍ଚର୍ଯ୍ୟ ! ମୋର ଏଇ ଛୋଟ ଝିଅଟା । କାଲିକାର ତନୁ–ତା’ ବୁକୁତଳେ ବି କେତେବେଳେ ଆସି ବସା ବାନ୍ଧିଲା ସେହି ଚିରନ୍ତନୀ ନାରୀ ।

 

X X X

 

ଭାଇନା... ଭାଇନା । ଅଶ୍ରୁଭିଜା କଣ୍ଠରେ ତନୁର ବ୍ୟଥାୟିତ ସ୍ୱର ।

 

ଏଁ......ଚମକିପଡ଼ି ମଥା ବୁଲାଇ ଚାହିଁଲେ ମନୋରଞ୍ଜନ । ଭାବହୀନ ମୁହଁରେ ତାଙ୍କର ଭାଷାହୀନ ଦୁଇଟି ଗଭୀର ଆଖି । ତନୁଶ୍ରୀର କଳ୍ପନାକୁ ବ୍ୟର୍ଥକରି ମୁହଁକୁ ତା’ର ଚାହିଁରହିଲେ ମନୋରଞ୍ଜନ । ବହୁଦିନ ପରେ ତନୁଶ୍ରୀ ଦେଖିଲା ଭାଇନାଙ୍କ ମୁହଁରେ ଉଦାସୀନତା ପରିବର୍ତ୍ତେ କାରୁଣ୍ୟର କାରୁକାର୍ଯ୍ୟ । ହଁ ଏବେ ପ୍ରାୟ ସେ ଦେଖିଆସୁଛି ତା’ ସମ୍ପର୍କରେ ଭାଇନା ଉଦାସ ରହନ୍ତି-। ଆଜି ତାଙ୍କର ସେଇ ଉଦାସୀନ–ତା’ର ମିନାରଟି ଭାଙ୍ଗିଯାଇ ଧୀରେ ଧୀରେ ଗୁଣ୍ଡ ହୋଇଯାଉଛି-। ଭାଇନାଙ୍କ ଭିତରେ ସେଇ ପରିବର୍ତ୍ତନକୁ ଅନୁଭବ କରି ତନୁଶ୍ରୀର ହୃଦୟ ଆନନ୍ଦ, ଆଉ ଅବସାଦରେ ଶାତଖଣ୍ଡ ହୋଇଯାଉଛି । ଆସ୍ତେ ଆସ୍ତେ ତନୁଶ୍ରୀ ବସିପଡ଼ିଲା ଭାଇନାଙ୍କ ପାଦପାଖରେ । ଦୁଇହାତରେ ସେଇ ପାଦଦୁଇଟି ଜାବୁଡ଼ିଧରି ମଥା ନୁଆଁଇଲା ତନୁଶ୍ରୀ । ଅଶ୍ରୁ ସଜଳ କଣ୍ଠରେ ଡାକିଉଠିଲା, ‘ଭାଇନା’......ମତେ ’କ୍ଷମା କରିବ । ମୁଁ ତ ସବୁଦିନପାଇଁ ଚାଲିଯାଉଛି ଏଘରୁ । ଆଉ ତ ତୁମ ଆଖିଆଗରେ ଘୂରିବୁଲି ତୁମ ମନକୁ ଅଶାନ୍ତ କରିବିନି, ତେବେ ଆଉ କାହିଁକି ମୋ ଉପରେ ରାଗ ରଖିବ ଭାଇନା, ମତେ ତୁମେ କ୍ଷମା କରିଦିଅ । ତୁମେ ନିଶ୍ଚୟ ଶୁଣିବ ମୁଁ କେତେ ଭଲ ବୋହୂ ହୋଇପାରିଛି । ଯେତିକି ଦୁଃଖ ମୁଁ ତୁମକୁ ଦେଇଛି....ତା’ଠାରୁ ସହସ୍ର ଗୁଣ ଦୁଃଖ ମୁଁ ନିଜେ ପାଇଛି । କେତେ ଅନୁତାପ କରିଛି । ତୁମେ କିନ୍ତୁ ମୋ ପ୍ରତି ଅତ୍ୟନ୍ତ ନିଷ୍ଠୁର ହୋଇଗଲ ଭାଇନା । ମୋର ବିଶ୍ୱାସ ମୁଁ ଏ ଘରୁ ଚାଲିଯାଇ ନିଶ୍ଚୟ ଦିନେ ତୁମର ହଜିଲା ଆନନ୍ଦକୁ ଖୋଜିଆଣି ଦେବି । ତୁମ ମନର ଦୁଃଖ ଧୂଳିମଳିକୁ ସବୁ ମୁଁ ପୋଛିଦେବି ମୋର ପଣର ବିନିମୟରେ । ଭଲ ବୋହୂ ହେବି ମୁଁ । ଏ ଘରର ମାନ ଇଜ୍ଜତ ରଖିବାକୁ ଯାଇ ସବୁ ମୁଁ କରିପାରିବି । ସବୁ ମୁଁ ସହିପାରିବି । ତୁମ ପାଖରୁ କଲ୍ୟାଣ ଆଜି ମୁଁ ମାଗୁନି । ସେ ଅମୂଲ୍ୟ ସମ୍ପଦ ପାଇବାର ଯୋଗ୍ୟତା ନାହିଁ ମୋର । ଖାଲି ମୋର ଅନୁରୋଧ ମତେ ତୁମେ ଥରେ ଦୟାକରି କ୍ଷମା କରିଦେବ । ଗୋଟିଏ ନାଡ଼ିର ଦୁଇଟି ରକ୍ତଧାରା ମିଶେଇଦେଲେ ତ ମିଶିଯିବ । ତନୁଶ୍ରୀ ଆଖିରୁ ଝରୁଛି କେରା କେରା ଅଶ୍ରୁ ।

 

ଆଉ ମନୋରଞ୍ଜନ....

 

ଛଅଫୁଟ ଲମ୍ୱା ଏତେବଡ଼ ମଣିଷଟିର ଚଉଡ଼ା ଛାତିଟା ଥରିଉଠିଲା । ନଇଁପଡ଼ିଲେ ମନୋରଞ୍ଜନ । ତନୁଶ୍ରୀର ଦୁଇହାତଧରି ଉଠାଇଦେଲେ ତଳୁ । ତା’ର ଛୋଟିଆ ମଥାଟି ଛାତିରେ ଯାକି ଝିଅଙ୍କ ପରି କାନ୍ଦିଉଠିଲେ ସିଏ । ହଁ, କାନ୍ଦୁଛନ୍ତି ଆଜି ମନୋରଞ୍ଜନ । କାନ୍ଦଣାରେ ଶବ୍ଦ ତୋଳିଛନ୍ତି କୋହଉଠାଇ । ଶ୍ୟାମଳ ରଙ୍ଗର ଓସାରିଆ ନିଟୋଳ ପିଠିଟା ଥରୁଛି ତାଙ୍କର କୋହର କମ୍ପନ ଯୋଗୁଁ । ତାଙ୍କର ସେଇ ପଥର ଆଖିରୁ ଝରୁଛି ଆଜି ଅଶ୍ରୁର ଝରଣା । ସେଇ ଝରଣା ଦେଖିଲେ ମନେପଡ଼ିବ ରବୀନ୍ଦ୍ରନାଥଙ୍କର ‘ନିର୍ଝରର ସ୍ୱପ୍ନଭଙ୍ଗ’ କବିତାଟି । ସତରେ, ପାହାଡ଼ର ବୁକୁଫଟାଇ ସତେଅବା ଜନ୍ମନେଲା ଆଜି ଅଶ୍ରୁର ରୂପେଲି ଝରଣା ।

ପାଦ, ପାଦ କରି ଆଗେଇଆସିଲେ ଦିବ୍ୟେନ୍ଦୁ ।

ଆଖିରେ ତାଙ୍କର ରାଶିରାଶି ଉତ୍କଣ୍ଠା । ବହୁତ ଡେରି କରୁଛି ତନୁଶ୍ରୀ । ତଳେ ଅପେକ୍ଷା କରିଛନ୍ତି ସମସ୍ତେ । ଘରର ମଝି ଚଟାଣରେ ଛିଡ଼ା ହୋଇଛନ୍ତି ଭାଇ ଭଉଣୀ । ଭଉଣୀର ଆଖି ଲୁହରେ ଭାଇର ଛାତିଟି ସିକ୍ତ, ଆଉ ଭାଇର ଆଖି ଲୁହରେ ଭଉଣୀର ଟିକି ମଥାଟି ବି ।

ଦିବ୍ୟେନ୍ଦୁଙ୍କର ଆକାଂକ୍ଷିତ ମୁହୂର୍ତ୍ତ ଏଇଟି ।

ଅପରାଜିତାଙ୍କର ମଧ୍ୟ ।

ସେ କିନ୍ତୁ ଦେଖିପାରିଲେନି । ଭାଇ ଭଉଣୀଙ୍କର ଏଇ ସ୍ୱର୍ଗୀୟ ମିଳନକୁ । ଝିଅର ଯିବା ସମୟ ଘନାଇଆସିଲା ଦେଖି ସେ ମୂର୍ଚ୍ଛାଗଲେ ।

ଦିବ୍ୟେନ୍ଦୁ ଟିକିଏ ଚାହିଁଲେ ଏଇ ଦୁଇ ଭାଇଭଉଣୀ ଆଡ଼କୁ । ଏଥର ସିଏ ବି କାନ୍ଦିଉଠିଲେ କୋହ ଉଠାଇ । ଭାଇ ଭଉଣୀଙ୍କର ବିରାମହୀନ କାନ୍ଦଣାରେ ତାଙ୍କର ନିଃଶବ୍ଦ କାନ୍ଦଣା ମିଶି ଏକାକାର ହୋଇଗଲା । ତଳୁ ଡାକରା ଆସୁଛି ଘନଘନ ।

ବିଦାୟର ଶୁଭଲଗ୍ନ ଗଡ଼ିଯାଉଛି । ଆଖିରୁ ଲୁହପୋଛି ଦିବ୍ୟେନ୍ଦୁ ତନୁଶ୍ରୀର ହାତଧରି ନେଇଆସିଲେ ତଳକୁ । ହଁ ଭଲ ବେଳା । .....ତନୁ ଜୀବନରେ ଏପରି ବେଳା ଫେରିବ ବୋଲି ଆଦୌ ମନରେ ତା’ର ଆଶାନଥିଲା । ଭାଇନାଙ୍କ ଆଖି ଲୁହ ଶିରରେ ତା’ର ଝରିପଡ଼ିଛି ବିନ୍ଦୁ ବିନ୍ଦୁ କଲ୍ୟାଣପରି । ଆଉ କିଛି ଲୋଡ଼ାନାହିଁ ତା’ର ଆଉ କିଛି ଲୋଡ଼ାନାହିଁ ।

ଦିବ୍ୟେନ୍ଦୁ କହିଲେ–ଚଞ୍ଚଳ ଚାଲେ ମାଆ ।

ହୁଁ ଚାଲ ।

ଚଞ୍ଚଳ ପାଦରେ ତଳକୁ ଓହ୍ଳାଇଆସିଲେ ସେମାନେ ।

ଓହ୍ଳାଇ ଆସୁ ଆସୁ ତନୁଶ୍ରୀ ଶୁଣିଲା ଭାଇନାଙ୍କର କାନ୍ଦର କରୁଣ ଶବ୍ଦ ।

ଲୁହରେ ଲୁହରେ ପୁଣି ଅନ୍ଧ ହୋଇଗଲା ତା’ର ଆଖିଦୁଇଟି ।

ଧୀରେ ଧୀରେ ତନୁଶ୍ରୀ ବସିଲା ଯାଇ ଗାଡ଼ିରେ । ଗାଡ଼ିଟା ସଜାହୋଇ ଦିଶୁଛି ସତେଅବା ଗୋଟିଏ ମସ୍ତବଡ଼ ମୟୂରର ବୋଇତ । ସେଇ ବୋଇତ ଭାସିଯିବ ଆଜି ଦୁନିଆଁ ସାଗରରେ ଏପାରି ସଂସାରରୁ ଆରପାରି ସଂସାରକୁ ।

ଧୀରା ଧୀରେ ଲୁଚିଗଲା ଗାଡ଼ିଟି ।

ଏ ଘରର ପର ହୋଇଗଲା ଆଜିଠୁଁ ସେଇ ଅଶ୍ରୁମୁଖୀ ଝିଅଟି–

ଏ ଘରର ଅଲିଅଳି ଜେମା ତନୁଶ୍ରୀ ।

 

ଛତିଶି

 

ଦ୍ୱିପ୍ରହରର ନିସ୍ତବ୍‌ଧତା ଭୀଷଣ ମ୍ରିୟମାଣ କରି ତୋଳେ ଅପରାଜିତାଙ୍କୁ । ଖୁବ୍‌ କାନ୍ଦମାଡ଼ୁଛି ତାଙ୍କୁ । ଏଇ ଘର ଖାଲି କରି ଗୋଟି ଗୋଟି ହୋଇ ସମସ୍ତେ ଚାଲିଗଲେ । ବୋହୂଟା ଥିଲେ ହୁଏତ ଭଲଲାଗନ୍ତା । ତାକୁ ବି ଦିଲ୍ଲୀ ନେଇଗଲା ଅଳକା । ଚୌଧୁରୀଙ୍କ ଘରୁ ଡାକ ଉପରେ ଡାକ ଆସେ । ମନୁକୁ ପ୍ରାୟ ରହିବାକୁ ହୁଏ ସେହି ଚୌଧୁରୀଙ୍କ ଘରେ । ଏତେଦିନ ଧରି ପୁଣି କନକନାରାୟଣଙ୍କୁ ଜ୍ୱର ହେଉଛି । ବେଳେବେଳେ ବାଉଳି ହେଉଛନ୍ତି ସିଏ ।

 

ତେଣୁ,...ଦିବ୍ୟେନ୍ଦୁ ପ୍ରାୟ ଥାଆନ୍ତି ସ୍ତ୍ରୀଙ୍କ ପାଖେ ପାଖେ ।

 

ପ୍ରାୟ ସେ ଚେଷ୍ଟା କରନ୍ତି ସ୍ତ୍ରୀଙ୍କର ଏହି ଅସହାୟ ନିର୍ଜନତାକୁ ପ୍ରାଣବନ୍ତ କରି ତୋଳିବାକୁ । ତା’ ବୋଲି ସେ କ’ଣ ତନୁ ନଥିବା ସ୍ଥାନଟି ପୂର୍ଣ୍ଣ କରିପାରିବେ । ଯେତେ ଚେଷ୍ଟା କଲେ ମଧ୍ୟ ସେ ପାରନ୍ତି ନାହିଁ–ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖାଇ । ମନରେ ତାଙ୍କର ଦୁଃଖ ହୁଏ । ପ୍ରୀତି ଆସେ ବେଳେବେଳେ । ତାକୁଇ ଦେଖିଲେ ଜିତାଙ୍କର ମନରେ ଶାନ୍ତ ଆସେ । କିଛିକ୍ଷଣ ପାଇଁ ଆଖିରୁ ତାଙ୍କର ଲୁହ ଶୁଖେ । ସେ ହସନ୍ତି । ଝିଅର ଅନୁପସ୍ଥିତିକୁ କିଛି ସମୟ ଲାଗି ଭୁଲାଇଦିଏ ପ୍ରୀତି । ସେଥିପାଇଁ ଦିବ୍ୟେନ୍ଦୁ ନିଜେ ଯାଇ ପ୍ରୀତିକୁ ଡାକିଆଣନ୍ତି । କହନ୍ତି–କହିବୁନି ମାଆ ମାଉସୀଙ୍କୁ ତୋର, ମୁଁ ତତେ ଡାକିଆଣିଛି ବୋଲି । ସେ ଶୁଣିଲେ ରାଗ କରିବେ । କହିବେ–ତା’ର ପଢ଼ା ପଢ଼ି ତୁମେ କାହିଁକି ନଷ୍ଟ କରୁଛ । କିନ୍ତୁ ମୁଁ ତ ଜାଣିଛି ମାଆ ତତେ ଦେଖିଲେ ମାଉସୀ ତୋର କେତେ ଖୁସି ହୋଇଉଠନ୍ତି । ତେଣୁ–ତତେ ଡାକି ନ ଆଣି ମୁଁ ରହିପାରେନି । ତାଙ୍କ ମନରେ ଆନନ୍ଦ ଦେବାକୁ ମୁଁ ଯେତେ ଚେଷ୍ଟାକଲେ ମଧ୍ୟ ସେ ଚାହିଁ ରହନ୍ତି ତୋର ଆସିବା ବାଟକୁ । କଥା ବନ୍ଦ କରି ମନେ ମନେ ହସିଲେ ଦିବ୍ୟେନ୍ଦୁ । ଜିତାଙ୍କର ପ୍ରୀତି ପାଖରେ ବସିଥିବାବେଳେ ମୁହଁରେ ଯେଉଁ ଭାବ ଉଦୟ ହୁଏ ସେହି ଆନନ୍ଦ ଉଜ୍ଜ୍ୱଳ ମୁହଁଟି ମନେପଡ଼ିଗଲା ତାଙ୍କର । ସେ ଜାଣନ୍ତି–ଅପରାଜିତା ପ୍ରୀତିକୁ ଦେଖିଲେ କାହିଁକି ଏତେ ଖୁସିହୁଅନ୍ତି । ତନୁ ଯେ ସେଇ ପ୍ରୀତିକୁଇ ବେଶୀ ଭଲପାଉଥିଲା । ପ୍ରୀତି ଆଉ ତନୁ । ଗୋଟିଏ ଡାଳର ସତେଅବା ଦୁଇଗୋଟି ଫୁଲ । ସନ୍ତାନର ସବୁଠୁ ପ୍ରିୟ ବନ୍ଧୁ ଯିଏ ସେଇ ବନ୍ଧୁ ମାଆ ଆଖିରେ ସନ୍ତାନ ତୁଲ୍ୟ । ସନ୍ତାନ ଆଉ ସନ୍ତାନର ବନ୍ଧୁ ଭିତରେ ମାଆ ଆଉ ଦେଖିପାରନ୍ତି ନାହିଁ କିଛି ମାତ୍ର ପ୍ରଭେଦ । ଏଇ ହେଲା ମାଆର ମନ । ତେଣୁ ଅପରାଜିତାଙ୍କର ମୁହଁ ଶୁଖିଲା ଦେଖିଲେ ସେ ଧାଇଁଯାଆନ୍ତି ପ୍ରୀତି ପାଖକୁ ।

 

ଅଳସ ମଧ୍ୟାହ୍ନରେ ଜିତା ଭାବନ୍ତି କେତେ କଥା । ଗୁରୁଣ୍ଡିଲା ତନୁ ଆଖିରେ ଭାସେ । ଠୁକୁଠୁକୁ ହୋଇ ଆଖିଆଗରେ ଚାଲିଯାଏ କୁନି ତନୁ । ଶାଢ଼ି ପିନ୍ଧା କଲେଜ ପଢ଼ୁଆ ଝିଅ ତନୁ ବି ଆସି ଚକାଭଉଁରୀ ସୃଷ୍ଟି କରେ ମନରେ ତାଙ୍କର । କେତେ ରୂପରେ ତନୁ ଆସି ଦେଖାଦିଏ । ତନୁ କଥା ଭାବୁ ଭାବୁ ଚମକିଉଠନ୍ତି ଜିତା । କ’ଣ ଘଟିଥିଲା ! ଗୋଟିଏ ବୋଲି ଭଉଣୀକୁ ମନୁପରି ପୁଅ ଛି କରିଦେଇ ଆଡ଼େଇଗଲା । ସ୍ୱାମୀଙ୍କ ପାଖରୁ ଶୁଣିଥିଲେ ବିଦାୟ ଦିନର ସବୁ କଥା । ଭଉଣୀ ଲାଗି ସେଦିନ ଶବ୍ଦକରି କାନ୍ଦିଥିଲା ମନୁ । ସେଦିନ ଜିତାଙ୍କ ଛାତିଟା ତାଙ୍କୁ ଖୁବ୍‌ ହାଲୁକା ଲାଗିଥିଲା-। ଆଉ ଗୋଟିଏ ଦିନର କଥା ମନେପଡ଼େ । ସେକଥାଟି ବହୁ ଜଞ୍ଜାଳ ମଧ୍ୟରେ ବି ବେଳେବେଳେ ମନେପଡ଼େ । ଏଇ ଅଳ୍ପଦିନ ତଳର କଥା । ସ୍ୱାମୀ ପଚାରିଥିଲେ–ପିଲାମାନଙ୍କୁ ଭଲକରି ଗଢ଼ିପାରିଲେ ସେମାନେ ଭଲହୁଅନ୍ତି ନା ଯିଏ ଯେପରି ଭବିଷ୍ୟତରେ ସେ ସେପରି ହୁଅନ୍ତି-?

 

ଏଇ କଥା ମନେପକାଇ ଥମକି ଯାଆନ୍ତି ଅପରାଜିତା ।

 

କପାଳରେ ଅସଂଖ୍ୟ ରେଖା ସୃଷ୍ଟି କରି ଭାବନ୍ତି–କାହିଁକି ଏ ପ୍ରଶ୍ନ ତାଙ୍କ ମନକୁ ଆସିଥିଲା ସେଦିନ । ତା’ ବୁଝିବାକୁ ଜିତାଙ୍କୁ ସମୟ ଲାଗିଥିଲା । ସେ ବୁଝିପାରିଥିଲେ ବୋହୂ ସାଙ୍ଗରେ ସେ ତନୁକୁ ତୁଳନା କରୁଛନ୍ତି । କରିବା କଥା । ତନୁ ଯେକୌଣସି କାରଣରୁ ହେଉ ବାପ ଭାଇଙ୍କ ମନରେ କଷ୍ଟ ଦେଇଛି । ଏ ଘରର ନିୟମ ଶୃଙ୍ଖଳାରୁ କେଉଁ କାଇଦାରେ କେଜାଣି ତନୁ ନିଶ୍ଚୟ ଦିନେ ତାହାର ହାତଗୋଡ଼ ଖସାଇ ଦେଇଥିଲା । କିନ୍ତୁ ୟା ବି ସତ ପୁଣି ସିଏ ନିଜେ ନିଜେ ସେଇ ଶୃଙ୍ଖଳକୁ ହାତ ଗୋଡ଼ରେ ଗଳାଇ ନେଇଥିଲା । ସେକଥା କେହି ନ ଜାଣନ୍ତୁ ସେ ତ ଜାଣନ୍ତି-। ଝାଉଁଳା ଫୁଲ ପରି ତନୁର ସୁନ୍ଦର ସତେଜ ମୁହଁଟି ଘରୁ ବିଦାୟ ନେଲା ପର୍ଯ୍ୟନ୍ତ ଝାଉଁଳି ରହିଥିଲା-। ସେଇ ଝାଉଁଳା ମୁହଁ ଦେଖି ସେ ବୁଝିପାରିଥିଲେ–ତନୁ ଯାହା କରିଥାଉନା କାହିଁକି, ସେ ଅନୁତପ୍ତା-। ହଉ ଭଗବାନଙ୍କ ଇଚ୍ଛାପୂର୍ଣ୍ଣ ହେଉ ।

 

ଜିତା....

 

ଏଁ, ମତେ ଡାକୁଛ ?

 

ହଁ, ଏଇ ଦେଖ–ତନୁ ଚିଠି ଦେଇଛି, ବୋହୂ ବି ଚିଠି ଦେଇଛି !

 

ଅପରାଜିତାଙ୍କ ଭାବବିଭୋର ଆଖିଯୋଡ଼ିକି ଲାଖିଗଲା ଗୋଟିଏ ଫିକାନୀଳ ଖାମ୍ ଉପରେ । ପଚାରିଲେ–ସେଇ, ସେଇ ନୀଳ ଚିଠିଟା କାହାର । କାହାପାଖରୁ ଆସିଛି ସେଇଟି ।

 

ଦିବ୍ୟେନ୍ଦୁ କ’ଣ ଭାବିଲା ପରି ଟିକିଏ ରହିଗଲେ । ତାପରେ କହିଲେ, ଏଇଟି ବୋଧହୁଏ ଆସିଛି ବୋହୂ ପାଖରୁ । ମାନେ ଏଟା ମନୁର ।’

 

ଓ...କହି, ତନୁ ଚିଠିଆଡ଼େ ହାତ ବଢ଼ାଇଲେ ଅପରାଜିତା ।

 

ଯିଏ ଯେଉଁଠି ଅଛନ୍ତି, ସମସ୍ତେ ଭଲ ଅଛନ୍ତି ।

 

ସମସ୍ତେ ଭଲ ଥାଆନ୍ତୁ ।

 

ବୋଉ... !

 

ଏଁ...

 

ଚମକିଉଠିଲେ ଅପରାଜିତା । ଭାବନାରେ ତାଙ୍କର ଛେଦ ପଡ଼ିଲା । ପୁଅର ମୁହଁକୁ ଚାହିଁ ମନ ତାଙ୍କର ବିକଳି ଉଠିଲା । କହିଲେ–କ’ଣ କିରେ ! ତୋ ମୁହଁ ଏତେ ଶୁଖିଲା ଦିଶୁଛି କାହିଁକି ? ଦେହ କ’ଣ ତୋର ଭଲ ନାହିଁ ? ନା,ତତେ କ’ଣ ଭୋକ କଲାଣି ।

 

କରୁଣ ହସିଲେ ମନୋରଞ୍ଜନ, କହିଲେ–

 

ଟିକକରେ ତୁମେ ଏତେ ବ୍ୟସ୍ତ ହୋଇପଡ଼ୁଛ କାହିଁକି ବୋଉ । ହଁ, ମତେ ଖୁବ୍‌ ଭୋକ ଲାଗୁଛି । ବାପା କୁଆଡ଼େ ଗଲେ, ମତେ ଭାତ ଦିଅ ।

 

ତରତର ହୋଇ ଉଠିଗଲେ ଜିତା ରୋଷେଇ ଘରକୁ । ଖାଇବସିଲେ ବାପ, ପୁଅ ।

 

ଜିତା ଖାଇବା ପାଇଁ ରୋଷେଇ ଘରେ ପଶିଲାବେଳକୁ ପୁଅ ଡାକରେ ଫେରି ଚାହିଁ ଠିଆହେଲେ । ପଚାରିଲା ଆଖିରେ ଚାହିଁଲେ ସେ ପୁଅର ମୁହଁକୁ ।

 

ହାତ ଘଡ଼ିକୁ ଚାହିଁଲେ ମନୋରଞ୍ଜନ । କହିଲେ–

 

ବୋଉ...ଏଇକ୍ଷଣି ଠିକ୍‌ ଗୋଟେ ବାଜିଛି । ମୁଁ ଯାଉଛି ଟିକେ ଶୋଇପଡ଼ିବି । ତୁମେ ମତେ ଠିକ୍‌ ତିନିଟାରେ ଉଠାଇଦେବ । ଚୌଧୁରୀ ମଉସାଙ୍କୁ ଭାରି ଜ୍ୱର । ଠିକ୍‌ ସମୟରେ ଯାଇ ତାଙ୍କୁ ଟିକିଏ ଔଷଧ ଖୁଆଇବାକୁ ପଡ଼ିବ । ବେଦନାଯିତ କଣ୍ଠରେ ଅପରାଜିତା କହିଲେ–ଆହା !

 

ପଛପଟେ ଚେୟାରରେ ବସି ଦିବ୍ୟେନ୍ଦୁ ତଉଲିଆରେ ହାତ ପୋଛୁଥିଲେ, କହିଲେ–ଜ୍ୱର ପୁଣି କାହିଁକି ହେଲାରେ ? ବଡ଼ କଷ୍ଟ ପାଇଲେ ସିଏ । ଏତେ କରି କହିଲି, ମୋ କଥାରେ ଆଦୌ କାନ ଦେଲେନି । ଏତେ ତାଙ୍କର ଆପଣାର ଜନ ଥାଉ ଥାଉ ଆଜି ସିଏ କେଡ଼େ ନିଃସହାୟ ହୋଇପଡ଼ିଛନ୍ତି । ଛାଡ଼ ତାଙ୍କ ଭାଗ୍ୟ । ଆଚ୍ଛା ଜିତା ଚାଲ ତାହେଲେ ଆଜି ଯାଇ ତାଙ୍କୁ ଟିକିଏ ଦେଖିଆସିବା । ଜିତା ସମ୍ମତି ଜଣାଇ ଚାଲିଗଲେ ରୋଷେଇ ଘରଆଡ଼େ ।

 

ଦିବ୍ୟେନ୍ଦୁ ଗଳାରେ ଉଦ୍‌ବେଗ ଭରି ପଚାରିଲେ–ଚୌଧୁରୀଙ୍କୁ ଖୁବ୍‌ ବେଶୀ ହୋଇଛି ଜ୍ୱରଟା ନୁହେଁରେ ? ତୁ ତାଙ୍କ ଘରୁ ଆସିଲାବେଳେ ସେ କ’ଣ କରୁଥିଲେ ?

 

ଉଦାସ କଣ୍ଠରେ ମନୋରଞ୍ଜନ କହିଲେ–

 

କ’ଣ ଆଉ କରିବେ–ଜ୍ୱରରେ ତ ଆଖିଫିଟୁନି । ଆଉ କେତେଟା ଦିନ ଯେ, ଏଥର ନିଶ୍ଚୟ ସେ ଚାଲିଯିବେ । କାଲି ସନ୍ଧ୍ୟାରେ ଯେତେବେଳେ ସେଠାରେ ଯାଇ ପହଞ୍ଚିଲି ସେତେବେଳେ ସେ ଶୋଇ ରହିଥିଲେ । ଦେହରେ ହାତ ଦେଇ ଡାକିଲି । ସେ ସାଙ୍ଗେ ସାଙ୍ଗେ ଉଠି ବସି କ୍ରୋଧରେ କମ୍ପିବାକୁ ଲାଗିଲେ । କହିଲେ କିଏ, ଯେ ତୁମେ ? କାହିଁକି ଆସିଛ ଏ ଘରକୁ ? ତୁମେ ଆସିଲାରୁ ମୋ ପାଖରୁ ଛାୟା ଉଠିଯିବାକୁ ବାଧ୍ୟହେଲା । ଗଲାବେଳେ, ହେଇ ଦେଖ ତାଙ୍କ ଜୁଡ଼ରୁ ଖସିପଡ଼ିଛି ସେଇ ଶୁଖିଲା ମଲ୍ଲୀମାଳଟା । ମୁଣ୍ଡରେ ଟିକିଏ ତେଲ ଦେଉନାହାନ୍ତି କି, ତଟକା ମାଳିଟାଏ ପିନ୍ଧୁନାହାନ୍ତି । କେତେ କରି କହୁଛି, ସେ ମୋଟେ ମୋ କଥା ଶୁଣୁନାହାନ୍ତି । ସେ କହୁଛନ୍ତି ମୁଁ ତାଙ୍କ ପାଖକୁ ଗଲେ ସେ ମୋ କଥା ରଖିବେ । ମୁଁ ତ ଏଇକ୍ଷଣି ତାଙ୍କ ସାଙ୍ଗରେ ଯାଇଥାନ୍ତି । ତୁମେ କାହିଁକି ଏତେବେଳେ ଏ ଘରେ ପଶିଲ ? କିଏ ସେ ତୁମେ ? ସେ ତ ଚାଲିଗଲେ, ମୁଁ କାହା ସାଙ୍ଗରେ ଯିବି ?

 

ଦେହରେ ଅଫୁରନ୍ତ ତାତି ତାଙ୍କୁ ବାଉଳା ବକାଉଛି । ସେତିକିବେଳେ ମୁଁ କହିଉଠିଥିଲି–ମଉସା, ମୁଁ ପରା ବୁଲୁ ।

 

ନିଦରୁ ଉଠିଲାପରି ମଉସା ଚମକିଉଠିଥିଲେ । ସେ ତାଙ୍କର ନିଷ୍ପ୍ରଭ ଆଖିଦୁଇଟି ତୋଳି କ୍ଷଣେ ଚାହିଁଥିଲେ ମୋ ମୁହଁକୁ । କହିଥିଲେ–ତୁମେ, ବୁଲୁ, ବୁଲୁ ନା ତୁମେ ? ଦେଖ ତ ଜ୍ୱରଟା କାହିଁକି ଛାଡ଼ୁନି ମତେ ? ମତେ କିନ୍ତୁ ଖୁବ୍‌ କଷ୍ଟ ହେଉଛି । କେତେଟା ବାଜିଲା ? ଭୀମ କୁଆଡ଼େ ଗଲା ? ଅଳକା କ’ଣ ଚିଠି ଦେଇଛି ?

 

ମନରେ ଅଜସ୍ର ପ୍ରଶ୍ନ ନେଇ ତାଙ୍କର ହୋସ୍ ଫେରିଲା ।

 

ସେ ଆଉ ବଞ୍ଚିବେନି । ତାଙ୍କ ଜୀବନ ଦୀପର ଜ୍ୱଳନ୍ତ ଶିଖାଟା ଆସ୍ତେ ଆସ୍ତେ ଲିଭିଆସିଲାଣି । ନାଁ–ଆଉ ସେ ବଞ୍ଚିବେନି । ଆଖିରୁ ଲୁହ ପୋଛି ଅନ୍ୟଆଡ଼େ ଚାଲିଗଲେ ଡାକ୍ତର ମନୋରଞ୍ଜନ ।

 

ସ୍ତବ୍‌ଧ ହୋଇ କିଛି ସମୟ ବସିରହିଲେ ଦିବ୍ୟେନ୍ଦୁ ।

 

ତା’ପରେ...

 

ସେମାନେ ସମସ୍ତେ ମିଳି ସେଇଦିନ ଦିନ ତିନିଟାରେ ଯାଇଥିଲେ ଚୌଧୁରୀଙ୍କୁ ଦେଖିବାକୁ । ଜ୍ୱର ତାଙ୍କର କମିଥିଲା ସାମାନ୍ୟ ଟିକିଏ । ହସି ହସି ସମ୍ଭାଷଣ ଜଣାଇଥିଲେ ଚୌଧୁରୀ ସାହେବ । ଭୀମକୁ ବରାଦ ଦେଇ ସେଇମାନଙ୍କୁ ବହୁତ ଚା, ଜଳଖିଆ ଖୁଆଇଥିଲେ । ହସିଲା ଓଠରେ ପଚାରିଲେ–ତନୁ କିପରି ଅଛି ? ତନୁ କେବେ ଆସିବ ? ମୌସୁମୀ କିପରି ଅଛି-? ମୌସୁମୀ କେବେ ଆସିବ ?

 

ଦିବ୍ୟେନ୍ଦୁ ହସି ହସି ସବୁ କଥାର ଉତ୍ତର ଦେଇଥିଲେ । କହିଥିଲେ–

 

ବୋହୂ ଆସିବ ଆଉ ମାସକ ପରେ । ଆଉ ତନୁକୁ ତା’ ଶ୍ୱଶୁର ଶାଶୂ ଏଇକ୍ଷଣି ଛାଡ଼ିବେନି । ଆଜି ତନୁର ଶାଶୂ ତନୁର କେତେ ପ୍ରଶଂସା କରି ଚିଠି ଲେଖିଛନ୍ତି । ଲେଖିଛନ୍ତି ଯେ ସମୁଦି, ଆଉ ଯାହା କୁହ ପଛେ ବୋହୂକୁ ନେବା କଥା କୁହନି । ସେ ଚାଲିଗଲେ ଆମ ଘର ଅନ୍ଧାର ହୋଇଯିବ ।

 

ଅବାକ ଆଖିରେ ଜିତା ଦିବ୍ୟେନ୍ଦୁଙ୍କ ମୁହଁକୁ ଚାହିଁ ରହିଥିଲି । ଆନନ୍ଦ ବିଭୋର କଣ୍ଠରେ ପଚାରିଲେ–ତନୁ ଶାଶୂଘରୁ ଚିଠିଆସିଛି ! କାଇଁ, ତୁମେ ତ ଏ କଥା କହିନ ମତେ ! କେତେବେଳେ ଆସିଲା ଚିଠି ?

 

ଏଁ, କହିନି ! ଆଶ୍ଚର୍ଯ୍ୟ ! ଆରେ ଆଜି ବାରଟାରେ ଚିଠି ଆସିଛି ଯେ ।

 

ମୁଁ ଲେଖିଥିଲି ତନୁକୁ ମୋର ଯାଇ ଦୋଳବେଳକୁ ନେଇଆସିବ ବୋଲି । ଆଉ ତ ଦୁଇ, ଚାରିଟା ଦିନ ମାତ୍ର ରହିଲା ଦୋଳପୂର୍ଣ୍ଣିମା । ରଙ୍ଗ ଖେଳିବାକୁ ମାଆ ମୋର ଖୁବ୍‌ ଭଲପାଏ । ତେଣୁ ଲେଖିଥିଲି ନେଇଆସିବା କଥା । ଆଉ ସେଇ ଚିଠିର ଏଇ ଉତ୍ତର ଦେଲେ ତା’ ଶାଶୂ ।

 

ବାପାଙ୍କ କଥାଗୁଡ଼ିକ ମନଦେଇ ଶୁଣୁଥିଲେ ମନୋରଞ୍ଜନ ।

 

ଆଖିରେ ତାଙ୍କର ଭାସିଉଠିଲା ତନୁର ବିଦାୟ ବେଳର ଲୁହଧୁଆ ମୁହଁଟି । କାନରେ ତାଙ୍କର ଶୁଭିଗଲା–ଭାଇନା, ମୁଁ ଭଲ ବୋହୂ ହେବି । ସବୁ ଦୁଃଖ ତୁମର ମୁଁ ପୋଛିନେବି ମୋରି ଲୁଗା କାନିରେ । ହୁଁ ଭଲ ବୋହୂ ସେ ହୋଇପାରିଛି । କଥା ରଖିଛି ତନୁ । ଭଗବାନ ତା’ର ମଙ୍ଗଳ କରନ୍ତୁ, ସୁଖୀ କରନ୍ତୁ ଠାକୁର ତାକୁ ।

 

ତା’ପରେ......

 

ଫେରିଆସିଥିଲେ ଚୌଧୁରୀଙ୍କ ଘରୁ ଦିବ୍ୟେନ୍ଦୁ ଆଉ ଅପରାଜିତା ।

 

ସେଇଠାରେ ରହିଯାଇଥିଲେ ଡାକ୍ତର ମନୋରଞ୍ଜନ । ଅପରାଜିତାଙ୍କ ପଛେ ପଛେ ଧାଇଁଆସିଥିଲା ଭୀମ । ଗଳାରେ ଅନୁନୟ ଭରି କହିଥିଲା–ମାଆ, ବାବୁଙ୍କୁ ନେଇ ବେଳେ ବେଳେ ଆସୁଥିବେ । କଥାବାର୍ତ୍ତା କଲେ ବାବୁ ମୋର ବହୁତ ଭଲପାଆନ୍ତି । ଆସିବେ ଆପଣମାନେ । କହୁ କହୁ ଭୀମ ଆଖିରୁ ଝରିଆସିଲା ଅଶ୍ରୁର ଶ୍ରାବଣଧାରା । ତା’ପରେ ରହି ରହି କହିଲା, କେତେଦିନ ପରେ ଆଜି ଟିକିଏ ବାବୁ ଆମର ହସିଲେ । ନହେଲେ–ଆଖିବୁଜି ସବୁବେଳେ ପଡ଼ି ରହିଛନ୍ତି । କେତେ କରି କହିଲି–ସାନବାବୁ କି ବଡ଼ବାବୁଙ୍କୁ ଆସିବାକୁ ଲେଖିଦିଅନ୍ତୁ; ରାଗିଗଲେ । କହିଲେ–ତାଙ୍କୁ ଯଦି ବ୍ୟସ୍ତ କରିବୁ, ଘରଛାଡ଼ି ଏଇକ୍ଷଣି ମୁଁ ଚାଲିଯିବି । ପିଲାଗୁଡ଼ାକ କେତେ ଏକଡ଼ ସେକଡ଼ ହେଉଥିବେ ।

 

କରୁଣ ଆଖିରେ ସ୍ୱାମୀ ସ୍ତ୍ରୀ ଦୁହେଁ ଚାହିଁଲେ ଭୀମର ଅଶ୍ରୁଳ ମୁହଁକୁ ।

 

ରହି ରହି ଭୀମ ପୁଣି କହିଲା–

 

ରାତିଯାକ ଯେପରି, ଦିନଯାକ ବି ସେଇପରି । ସବୁବେଳେ ମାଆଙ୍କ ନାଁ ଧରି କଅଣ ସବୁ ଗପୁଛନ୍ତି । ଡାକ୍ତର ବାବୁ ଆସିଗଲା ପରେ ଟିକିଏ ଭଲ ରହୁଛନ୍ତି । ଦିନଟା ଯେପରି ସେପରି କଟୁଛି । କିନ୍ତୁ ରାତି ଆମର କଟୁନି ମାଆ । ମତେ କିନ୍ତୁ କାନ୍ଦମାଡ଼ୁଛି ।

 

ସ୍ୱାମୀ ସ୍ତ୍ରୀ ଦୁହେଁଯାକ ଦୀର୍ଘଶ୍ୱାସ ତ୍ୟାଗକରି କହିଲେ–

 

ମନଦୁଃଖ କରନା ଭୀମ । ଆମେ ଆସିବୁ । ତୁ ଘରକୁ ଯାଆ ।

 

ମଥା ନୁଆଁଇ ଲେଉଟିଗଲା ଭୀମ ।

 

ଜିତା କହିଲେ–

 

ପିଲାଟି ଦିନୁଁ ଏଇଠି ଅଛି ନା । ସେଇଥିପାଇଁ ଏମାନଙ୍କ ଲାଗି ତା’ର ଏତେ ମାୟା, ଏତେ ମମତା ।

 

ସଇଁତିରିଷ

 

ଜିତା ଲୁଗା କାନିରେ ହାତ ପୋଛି ଡାଇନିଙ୍ଗ୍‌ ହଲ୍‌ରେ ପଶି ଦେଖିଲେ–ଖାଇସାରିବା ପରେ ଦେଢ଼ଘଣ୍ଟା ହେଲାଣି–ବାପ, ପୁଅ ଗପ କରିବାରେ ଲାଗିଛନ୍ତି । ଗଳାରେ ବିରକ୍ତିଭରି କହିଲେ ମନୁ ତୁ ଶୋଇବାକୁ ଯାଇନୁ ଆଜି ? ଆଉ ଟିକିଏ ଗଲେ ମୋ ଜୀବନ ଖାଇବୁ । ମୁଣ୍ଡ, ମୁଣ୍ଡ ବୋଲି ଅଥୟ ହେବୁ । ଆଉ ଅଦାଦିଆ ଚାହା କରୁ କରୁ ମୋ ଜୀବନ ଯିବ । ବାପ, ପୁଅ କଥାକହି ବସିଲେ, ତୁମର ସବୁ ଆଉ ହୋସ ରହେନି ।

 

ସ୍ୱାମୀଙ୍କଆଡ଼କୁ ମୁହଁ ଫେରାଇଲେ ଅପରାଜିତା । କହିଲେ–ତୁମେ କିପରି ମଣିଷ କହିଲ । ତୁମେ ଜାଣୁଛ ସେ ଖାଇସାରି ଟିକିଏ ନ ଶୋଇଲେ ତା’ର ମୁଣ୍ଡ ବିନ୍ଧେ । ଅଥଚ ତାକୁ ତୁମେ ଏପର୍ଯ୍ୟନ୍ତ ଅଟକାଇ ରଖିଛ ।

 

ଦିବ୍ୟେନ୍ଦୁ ଅପରାଧୀ ପରି ମୁହଁକରି କହିଲେ–ହୁଁ, ହୁଁ । ଯାଅ, ବାପା ଟିକିଏ ଶୋଇପଡ଼-। ବଡ଼ ଡେରି ହୋଇଗଲା । ହେଲେ, ଡାକ୍ତରର ଏତେ ଶୋଇବା ଭଲ ନୁହେଁ । ଏହି ସମୟରେ ଯଦି ରୋଗୀ ଆସେ ? ମନୁର ଏ ଗୋଟେ ବଦ ଅଭ୍ୟାସ । ହଉ, ହଉ–ଯାଅ ବାପା, ଶୋ ଯା । ତୋ ବୋଉ ଏଇନେ କଜିଆ କରି ମୋର ଏଡ଼େ ସୁନ୍ଦର ଖାଇବା ଆନନ୍ଦଟାକୁ ମାଟି କରିଦେବେ ।

 

ଅଭିମାନ କଲେ ଜିତା, କହିଲେ–ତୁମ ସାଙ୍ଗରେ କେବେ ମୁଁ କଜିଆ କରୁଥିଲି ମ ? ଏମିତି କରି କଥାକୁହ, ସତେଯେପରି ତୁମ ସାଙ୍ଗରେ କଜିଆ ନ କଲେ ମତେ ଭାତ ରୁଚେନି ।

 

ମନୋରଞ୍ଜନ ଦେଖିଲେ ଗୋଟିଏ ସଙ୍କଟମୟ ମୁହୂର୍ତ୍ତ ଉପସ୍ଥିତ ହେବାକୁ ଯାଉଛି । ତେଣୁ ସେ ତରତର ହୋଇ ଘରଛାଡ଼ି ପଳାଇଯାଉଥିଲେ । ଉପରକୁ ଯିବା ପାହାଚରେ ସେ ପାଦ ଦେଇଛନ୍ତି କି ନାହିଁ, ପଛପଟେ ଭୀମର ପାଟି ଶୁଣି ଲେଉଟିପଡ଼ି ଚାହିଁଲେ । ଆଶ୍ଚର୍ଯ୍ୟ ହେଲେ ! ଭୀମ ଆଖିରୁ ଗଡ଼ୁଛି ଧାର ଧାର ଲୁହ । ପାଖକୁ ଆସି ଭୀମ କାନ୍ଧରେ ହାତ ରଖି ଠିଆହୋଇ ପଚାରିଲେ–କାନ୍ଦୁଛୁ କାହିଁକି ? କ’ଣ ହେଲା ? ମଉସାଙ୍କ ଦେହ କ’ଣ ବେଶୀ ଖରାପ ହେଲା ? ମୁଁ ତ ବାରଟା ବେଳେ ତାଙ୍କୁ ଦେଖିଆସିଲି । ସେ ତ ବେଶ୍‌ ଭଲଥିଲେ ତେବେ ହେଲା କ’ଣ ? ଆରେ କିଛି ହେଲେ ତ କହ ? ଖାଲି ଖାଲି କାନ୍ଦୁଛୁ କାହିଁକି ?

 

ଭୀମ ଆଖିରୁ ଲୁହପୋଛି କହିଲା–ଆପଣ ଆସିଲାପରେ ମୁଁ ବାବୁଙ୍କୁ ଖୁଆଇ, ପିଆଇ, ଶୁଆଇ ଦେଲି । ତା’ପରେ ରୋଷେଇ ଘରର ସବୁ କାମ ସାରି, ସଜଡ଼ା ସଜାଡ଼ି କରି ଭାତବାଢ଼ି ଖାଇବାକୁ ଯାଉଛି, ବାବୁଙ୍କ ଘରୁ କାନ୍ଦଣାର ଶବ୍ଦ ଶୁଣିଲି । ଭାତକଂସା ଥୋଇଦେଇ ଦଉଡ଼ିଯାଇ ଦେଖିଲା ବେଳକୁ କାନ୍ଥଆଡ଼କୁ ମୁହଁକରି ବାବୁ କାନ୍ଦୁଛନ୍ତି । ଦେହରେ ହାତଦେଇ ଯେତେ ଡାକିଲି ବି ଶୁଣିଲେନି । ଗୋଟିଏ କଥା ଖାଲି ବାହୁନି ବାହୁନି କହୁଛନ୍ତି–କେତେ ଅପରାଧ କଲି, କେତେ ଅପରାଧ କଲି । ସେ କି ବିକଳ କାନ୍ଦଣା ବାବୁ । ଆପଣ ଆଖିରେ ନ ଦେଖିଲେ ମୋ କଥା ବିଶ୍ୱାସ କରିପାରିବେନି । ଯେତେ ଚେଷ୍ଟା କଲେ ସୁଦ୍ଧା ତାଙ୍କ କାନ୍ଦ ମୁଁ ବନ୍ଦ କରିପାରିଲିନି । ତାକୁ ତାଙ୍କ ପାଖରେ ବସାଇଦେଇ ଆପଣଙ୍କୁ ଡାକିବାକୁ ଧାଇଁଆସିଲି । ଆପଣ ଟିକିଏ ଚଞ୍ଚଳ ଆସନ୍ତୁ ବାବୁ । ମୁଁ ଯାଏ ବାହାରି....ଘରଛାଡ଼ି ଝଡ଼ ବେଗରେ ଚାଲିଗଲା ଭୀମ ।

 

ତାକୁ ଜଗାଇଦେଇ ଆସିଛି ଅର୍ଥ, ରାଧାକୁ ଜଗାଇ ଦେଇଆସିଛି ଭୀମ । ଏ କଥା ବୁଝିବାକୁ କାହାକୁ ସମୟ ଲାଗିଲାନି । ଦିବ୍ୟେନ୍ଦୁ ଆଉ ଅପରାଜିତା ମନଦେଇ ଶୁଣୁଥିଲେ ଭୀମର କଥାଗୁଡ଼ିକ । ଭୀମ ଚାଲିଯିବା ପରେ ଦିବ୍ୟେନ୍ଦୁ କହିଲେ–ମନୁ ଚାଲ, ତୋ ସାଙ୍ଗରେ ମୁଁ ଟିକିଏ ଯାଇ ତାଙ୍କୁ ଦେଖିଆସେ । ବଡ଼ ମୁସ୍କିଲ କଥା ହେଲା । ପିଲାମାନେ କେହିହେଲେ ଜଣେ ପାଖରେ ନାହାନ୍ତି । କ’ଣ ଯେ କରାଯିବ କିଛି ବୁଝିପାରୁନି । ଲୁଗାପଟା ପିନ୍ଧି ବାପ ପୁଅ ଦୁହେଁ ବାହାରିଗଲେ ବାହାରକୁ ।

 

କିଛି ବାଟ ଆଗେଇ ଗଲାପରେ ମନୋରଞ୍ଜନ କହିଲେ–ବାପା, ଆପଣ ଆଗେଇଯାଆନ୍ତୁ । ମୁଁ ଟିକିଏ ପୋଷ୍ଟ ଅଫିସ୍ ଆଡ଼େ ଯାଏ । ଶୁଭେନ୍ଦୁ ବାବୁଙ୍କୁ ଗୋଟେ ଟେଲିଗ୍ରାମ କରିଦିଏ । ଡେରି କରିବା ଠିକ୍‌ ହେବନି । ଆମ୍ଭେମାନେ ଥାଉ ଥାଉ ଯଦି ଏ କାମଟା ନକରି ରଖୁ, ତେବେ ହୁଏତ ପରେ ବହୁତ ଖରାପ ହେବ । ଆପଣ କ’ଣ କହୁଛନ୍ତି-? ମୁଁ କ’ଣ ଠିକ୍ କହୁନି ?

 

ସସ୍ନେହ ଦୃଷ୍ଟିରେ ଦିବ୍ୟେନ୍ଦୁ ଚାହିଁଲେ ପୁଅର ମୁହଁକୁ । କହିଲେ–ଭଲ କଥାଟିଏ ମନେକରି କରିବାକୁ ଯାଉଛୁ ବାପା । କେତେବେଳେ କେଉଁ କଥା । ପିଲାଗୁଡ଼ିକ ଆମରି ଉପରେ ଚୌଧୁରୀଙ୍କ ଭାର ଅର୍ପଣ କରିଛନ୍ତି ଯେତେବେଳେ, ସେତେବେଳେ ଆମର ଏତେ ଟିକିଏ ତୃଟି ଆମ ନିଜ ମନକୁ କାଳକାଳ ଧରି ପିଡ଼ା ଦେବ । ଯାଅ, ବାପା ଜଲ୍‌ଦି ।

 

ପ୍ରାୟ ଅଧଘଣ୍ଟାକ ପରେ ମନୋରଞ୍ଜନ ପହଞ୍ଚିଲେ ଯାଇ ଛାୟାନୀଡ଼ରେ । ଦେଖିଲେ କନକନାରାୟଣଙ୍କ ଖଟ ଦେହକୁ ଚେୟାର ଲଗାଇ ବସିଛନ୍ତି ବାପା । ଆଉ, ଅନେକ କରି କ’ଣ ସେ ବୁଝାଇବାରେ ଲାଗିଛନ୍ତି । ଆଉ, ମଉସା ଆଖିବୁଜି ଶୋଇ ରହିଛନ୍ତି ।

 

ଗଳାରେ ଆଗ୍ରହ ଭରି ମନୋରଞ୍ଜନ ପଚାରିଲେ, ମଉସା କିପରି ଅଛନ୍ତି ବାପା ?

 

ଆଖିରେ ବେଦନାଭରି ଚାହିଁଲେ ଦିବ୍ୟେନ୍ଦୁ ପୁଅର ମୁହଁକୁ । କହିଲେ–କ’ଣ ଆଉ କହିବି ବାପ । କେତେ ବୁଝାଇ ବୁଝାଇ ଏଇ ଦୁଇ ତିନି ମିନିଟ ହେଲା ସେ କାନ୍ଦ ବନ୍ଦ କରିଛନ୍ତି । ଆଉ, ଯେତେ କହିଲେ ମଧ୍ୟ କିମ୍ୱା ଯେତେ ଯାହା ପଚାରିଲେ ମଧ୍ୟ ମଉସା ତୋର କୌଣସି କଥାର ଉତ୍ତର ଦେଉନାହାନ୍ତି । ମୁହଁକୁ ଥରେ ମୋର ଆଖିଖୋଲି ଚାହୁଁ ବି ନାହାନ୍ତି-

 

ମନୋରଞ୍ଜନ ଆଗେଇ ବସିଲେ ଖଟଉପରେ ।

 

କୋମଳ କଣ୍ଠରେ ଡାକିଲେ, ମଉସା ! ....ଦୁଇ ତିନିଥର ଡାକିବା ପରେ କନକନାରାୟଣ ରକ୍ତଲାଲ ଆଖିମେଲି ଟିକିଏ ଚାହିଁଲେ ଡାକ୍ତରଙ୍କ ମୁହଁକୁ । ସେ ଚାହିଁବା କେବଳ ମୁହୂର୍ତ୍ତକ ଲାଗି । ପୁଣି ଆଖି ବନ୍ଦ କଲେ କନକନାରାୟଣ । ଡାକ୍ତର ବୁଝିପାରିଲେ, ଆଖିମେଲି ଚାହିଁ ରହିବାକୁ ମଉସା କଷ୍ଟବୋଧ କରୁଛନ୍ତି । ତାଙ୍କର ରୋଗ–ଶୀର୍ଣ୍ଣ ହାତଟିକୁ ହାତରେ ତୋଳିନେଇ ନାଡ଼ି ଦେଖିବାକୁ ଆରମ୍ଭ କରିଦେଲେ ।

 

ମୁହଁଟା କଳାପଡ଼ିଗଲା ମନୋରଞ୍ଜନଙ୍କର ।

 

ଜ୍ୱର ଭର୍ତ୍ତିହୋଇ ରହିଛି ଦେହରେ । ବ୍ୟାଗ୍‌ ଖୋଲି ଔଷଧ ବାହାରକରି ଖୁଆଇ ଦେବାକୁ ଚେଷ୍ଟା କରେ । କନକନାରାୟଣ ମୁହଁ ପାଖରେ ଔଷଧର ଗନ୍ଧଟାକୁ ଅନୁଭବ କରି ବିରକ୍ତିରେ ମୁହଁ ବୁଲାଇନେଲେ । ନଖାଇବାର ଇଚ୍ଛାଟାକୁ ମୁହଁର ରେଖା କୁଞ୍ଚନରେ ପ୍ରକାଶ କଲେ-

 

ଡାକ୍ତରଙ୍କ ଚେଷ୍ଟା ବିଫଳ ହେଉଛି ।

 

ଏଥର ଡାକ୍ତର ଗଳାରେ ମିନତି ଭରି ଅନେକ ଅନୁରୋଧ କଲେ । ତଥାପି ସେ କନକନାରାୟଣଙ୍କ ମୁହଁରୁ ପ୍ରତିବାଦର ଚିହ୍ନଟିକକ ପୋଛି ଦେଇପାରିଲେନି । ଶେଷକୁ, ଭୀମକୁ ଶୁଣାଇ ଶୁଣାଇ କହିଲେ, ଭୀମ ! ମଉସା ତ ଔଷଧ ଖାଇବେନି । ମୁଁ ତେବେ ଖାଲିଟାରେ ଏଠି ବସିବି କାହିଁକି ? ଚାଲ, ମୁଁ ଚାଲିଗଲା ପରେ ଗେଟ୍‌ଟା ବନ୍ଦ କରି ଚାଲିଆସିବ ।

 

ମମତା ଜୟଲାଭ କଲା ।

 

ଡାକ୍ତରଙ୍କ କୌଶଳ ତୁଣୀରର ଶେଷ ଅସ୍ତ୍ର ଯାଇ ଏଥର ଲକ୍ଷ୍ୟଭେଦ କଲା, ଠିକ୍‌ କନକନାରାୟଣଙ୍କ କଲିଜା ଛୁଇଁ ।

 

ତୀର୍ଯ୍ୟକ ଆଖିରେ ଡାକ୍ତର ଚାହିଁଲେ କନକନାରାୟଣଙ୍କ ମୁହଁକୁ । ଦେଖିଲେ, କଥା କହିବାର ଶକ୍ତି ନ ଥିଲେ ମଧ୍ୟ ସବୁ କିଛି ଶୁଣିବାର ବା ଜାଣିବାର ଶକ୍ତି ଏ ପର୍ଯ୍ୟନ୍ତ ଲୋପ ପାଇନାହିଁ । ତେଣୁ ଡାକ୍ତରଙ୍କର ଶେଷକଥା ପଦିକରେ କନକନାରାୟଣ କର ଲେଉଟାଇ ଚାହିଁଲେ ଡାକ୍ତରଙ୍କ ମୁହଁକୁ ।

 

ଡାକ୍ତର ଔଷଧ ନେଇ ମୁହଁ ପାଖରେ ଧରିଲେ । ଏଥର ବିନା ଦ୍ୱିଧାରେ ଔଷଧ ଟିକକ ଖାଇନେଇ ନିଝୁମ ହୋଇ ପଡ଼ିରହିଲେ କନକନାରାୟଣ ।

 

ଦିବ୍ୟେନ୍ଦୁ ଚୁପ୍‌ଚାପ ବସି ରହି ସବୁ ଦେଖୁଥିଲେ ।

 

ଆଉ ଭାବୁଥିଲେ–ଏଇ କନକନାରାୟଣ କଥା କହିବସିଲେ ସମୟ ଜ୍ଞାନ ହରାନ୍ତି । ଗୋଟେ ସେକେଣ୍ଡ ଚୁପ୍‌ ହୋଇ ରହିପାରନ୍ତିନି । ମନୁ ତାଙ୍କ ପାଖରେ ଥିଲେ ଧରାକୁ ସେ ସ୍ୱର୍ଗ ମଣନ୍ତି । ଅସମବୟସୀର ବନ୍ଧୁତାରେ ଉଦ୍ଦେଳ ହୋଇପଡ଼ନ୍ତି କନକନାରାୟଣ । ଆଜି ସେ ବି ଅଛନ୍ତି–ଆଉ ଏଇ ମନୁ ବି ଅଛି । ଅଥଚ ସେ ଦୁହିଁଙ୍କର ବାକ୍ୟ ସ୍ରୋତ ଆଜି ଯେମିତି କେଉଁଠି ଗତି ହରାଇ ଅଟକିଯାଉଛି । କିଏ ଅଟକାଇଲା ? କନକନାରାୟଣଙ୍କର ଉତ୍ସଳ, ଉତ୍ତାଳ କଥା–ସ୍ରୋତରେ କିଏ କଲା ବାଧା ସୃଷ୍ଟି ? ଏଥର ସେ ଶୋଇଯିବେ । ବାକ୍ୟ ହରାଇଲେ, ଶକ୍ତି ହରାଇଲେ, ଏଥର ହଜିଯିବ ତାଙ୍କର ଜ୍ଞାନ । ତାପରେ, ତାପରେ–ପ୍ରାଣ । ନିଜକୁ ତାଙ୍କରି ଶଯ୍ୟାରେ କଳ୍ପନା କରୁ କରୁ ଦିବ୍ୟେନ୍ଦୁ ଉଠି ଠିଆହେଲେ । କହିଲେ–ମନୁ...ସମୁଦି ବୋଧହୁଏ ଟିକିଏ ଶୋଇଲେ । ମୁଁ ଏଥର ଯାଏ ? ତୁ କ’ଣ ଯିବୁ ?

 

ବାପାଙ୍କ ମୁହଁକୁ ଚାହିଁଲେ ମନୋରଞ୍ଜନ ଦୁଇଟି ଉଦାସ ଆଖି ମେଲି । କହିଲେ–ନାଇଁ ବାପା, ଆପଣ ଯାଆନ୍ତୁ । ସଞ୍ଜ ତ ହୋଇଆସିଲା । ବୋଉ ଏକୁଟିଆ ଅଛନ୍ତି । ସେ ଆମକୁ ଖୋଜୁଥିବେ, ସେ ଭାବୁଥିବେ । ମଉସାଙ୍କର ନିଦ ଭାଙ୍ଗୁ । ତାପରେ...ତାଙ୍କର ଦେହର ଗତି ଦେଖି ମୁଁ ଘରକୁ ଯିବି । ଆଉ ଯଦି ନ ଯାଇପାରେ, ତାହାହେଲେ ବୋଉଙ୍କୁ କହିବେ, ମୋ ଲାଗି ଭାବିବେନି । ତାପରେ...ଫିସ୍‌ ଫିସ୍‌ କଣ୍ଠରେ କହିଲେ, ଆଜି ରାତିଟା ପାହିଲେ ମଉସାଙ୍କ ସମ୍ପର୍କରେ ଆଶା କରିବା କଥା । ମୋର ମନେହେଉଛି ସେ ଆଉ ରହିବେନି । ହେଲେ, ବୋଉଙ୍କୁ କିଛି କହିବେନି । ଜଣଙ୍କର ମୃତ୍ୟୁଶଯ୍ୟା ପାଖରେ ମୁଁ ରାତି କଟାଇବି–ଏ କଥା ଶୁଣିଲେ ବୋଉ ଅସ୍ଥିର ହୋଇପଡ଼ିବେ । ସାରାରାତି ଆଉ ଶୋଇବେନି ।

 

ହସିଲେ ଦିବ୍ୟେନ୍ଦୁ । କହିଲେ, ହଁ ଠିକ୍‌ କଥା କହୁଛୁ । ନା, ମୁଁ କିଛି କହିବିନି ତୋ ବୋଉଙ୍କୁ । ହେଲେ ରଘୁକୁ ପଠାଇବି କି ?

 

କନକନାରାୟଣଙ୍କ ଉପରେ ଆଖିରଖି ମନୋରଞ୍ଜନ କହିଲେ–

 

ନାଁ, ନାଁ, କିଛି ଦରକାର ନାହିଁ । ଭୀମକୁ କହିବି ଏଇ ପାଖଘରେ ଶୋଇବାକୁ ।

 

ଠିଆହୋଇ କ’ଣ ଟିକେ ଭାବିଲେ ଦିବ୍ୟେନ୍ଦୁ ।

 

ତା’ପରେ...ବେଦନାପୂର୍ଣ୍ଣ ହୃଦୟ ନେଇ ମୁଣ୍ଡ ତଳକୁ ନୁଆଁଇ ଚାଲିଗଲେ ।

 

ମନୋରଞ୍ଜନଙ୍କ ଡାକରେ ଭୀମ ଆସି ପାଖରେ ଠିଆହେଲା । ପଚାରିଲା ଆଖିରେ ଚାହିଁଲା ସିଏ ଡାକ୍ତରଙ୍କ ମୁହଁକୁ ।

 

ଭୀମର ସକରୁଣ ମୁହଁକୁ ଚାହିଁ ଗମ୍ଭୀର ହୋଇଗଲେ ଡାକ୍ତର । କହିଲେ–କିଛି ଯଦି ଅସୁବିଧା ନ ହୁଏ ତେବେ ମୋ ପାଇଁ କିଛି ଜଳଖିଆ ତିଆରି କର ଭୀମ । ମୁଁ ଭାବୁଛି, ଆଜି ରାତିରେ ଏଇଠାରେ ଶୋଇଯିବି ।

 

ଭୀମର ଆଖିଯୋଡ଼ିକ ଆନନ୍ଦରେ ଉଜ୍ଜ୍ୱଳ ହୋଇଉଠିଲା । କହିଲା, ଅସୁବିଧା କାହିଁକି ହେବ ବାବୁ । ମୁଁ ଏଇକ୍ଷଣି ଯାଇ ସବୁ ତିଆରି କରିଦେବି । ଚାଲିଯାଉଥିଲା ଭୀମ, ମନୋରଞ୍ଜନ ପଛରୁ ଡାକି କହିଲେ–ଶୁଣ ଭୀମ !

 

ଏଇ ଯେଉଁ ପାଖଘରଟା ଦେଖୁଛି, ସେଇ ଘରେ ତୁମେ ଆଜି ଶୁଅ । ସାମାନ୍ୟ କ୍ଷଣପାଇଁ ଇତସ୍ତତଃ ହୋଇ ପୁଣି କହିଲେ–ବୋହୂକୁ ମଧ୍ୟ ସେଇ ଘରେ ଶୋଇବାକୁ କୁହ ।

 

ଅନ୍ୟମନସ୍କ ହେଲାପରି କହିଲେ–ପିଲାଲୋକ କି ନା । ଏଇ କଥା ଟିକକ ପାଟିରୁ ବାହାରିବା ସଙ୍ଗେ ସଙ୍ଗେ ସମ୍ୱିତ ଫେରିଲା ଡାକ୍ତରଙ୍କର । ସାଙ୍ଗେ ସାଙ୍ଗେ ମୁହଁ ବୁଲାଇ ଲେଉଟିଆସିଲେ ସିଏ ରୋଗୀ ପାଖକୁ ।

 

ଆଉ ତାଙ୍କର ସେଇଁ କଥାଶୁଣି ଚମକିଉଠିଲା ଭୀମ ।

 

କେଜାଣି କାହିଁକି ମନ ତା’ର ହଠାତ୍‌ ବାହୁନିଉଠିଲା । ଆଖିରେ ତା’ର ଓହ୍ଳାଇଆସିଲା ସନ୍ଦେହର ଏକ କୃଷ୍ଣଛାୟା । କ୍ଷଣକଲାଗି ସ୍ତବ୍‌ଧ ହୋଇଗଲା ଭୀମ । ତା’ପରେ...ପାଦ ଗଣି ଗଣି ଆଗେଇଗଲା ସିଏ ରୋଷେଇ ଘରଆଡ଼କୁ ।

 

ଅଠତିରିଶି

 

ନିଝୁମ ହୋଇ ଶୋଇରହିଛନ୍ତି କନକନାରାୟଣ ଚୌଧୁରୀ ।

 

କିଛି ଜଳଖିଆ ଖାଇ ଗୋଟିଏ ଆରାମ ଚେୟାରରେ ବସି ରହିଛନ୍ତି ଡାକ୍ତର ମନୋରଞ୍ଜନ ।

 

କି ଗୋଟେ ମ୍ୟାଗାଜିନ୍‌ରେ ଆଖି ବୁଲାଉଛନ୍ତି ସିଏ ।

 

ବୁଲୁ, ବୁଲୁଉ......

 

ଚମକିପଡ଼ିଲେ ଡାକ୍ତର ।

 

ମୁହଁଫେରାଇ ଚାହିଁଲେ ସିଏ କନକନାରାୟଣଙ୍କ ମୁହଁକୁ । କ୍ଳାନ୍ତି ଯୋଡ଼ିଏ ବିପନ୍ନ ଆଖିମେଲି ତାଙ୍କରି ଆଡ଼େ ଚାହିଁ ରହିଛନ୍ତି ମଉସା ମନୋରଞ୍ଜନଙ୍କ ମୁହଁକୁ । ମନୋରଞ୍ଜନ ବି କ୍ଷଣେ ଚାହିଁଲେ ତାଙ୍କର ମୁହଁକୁ । ସାଙ୍ଗେ ସାଙ୍ଗେ ପୁଣି ସେ ଆଖିଫେରାଇ ନେଇ ଚାହିଁଲେ ହାତ ଘଡ଼ିକୁ । ସାଢ଼େ ବାରଟା । ମଉସା ସାଢ଼େ ପାଞ୍ଚଟାରୁ ଶୋଇଥିଲେ । ଏତେବେଳକୁ ନିଦ ତାଙ୍କର ଭାଙ୍ଗିଲା । ଘଡ଼ିରୁ ଆଖି ଫେରାଇନେଇ ଚାହିଁଲେ ଡାକ୍ତର କନକନାରାୟଣଙ୍କର କ୍ଳାନ୍ତ ଶୀର୍ଣ୍ଣ ମୁହଁଆଡ଼କୁ । ପୁଣି ଆଖିବୁଜି ଦେଇଥିଲେ କନକ–ନାରାୟଣ । ଡାକ୍ତର ଦେହରେ ତାଙ୍କର ହାତମାରି ଦେଖିଲେ ଜ୍ୱର କମିଛି, ଅନେକ କମିଛି ।

 

ପୁଣି ଡାକିଉଠିଲେ କନକନାରାୟଣ । –ବୁଲୁ.....

 

ଆଖିରେ ମମତାର ପ୍ରଦୀପ ଜାଳି ଚାହିଁଲେ ଡାକ୍ତର କନକନାରାୟଣଙ୍କ ମୁହଁକୁ ।

 

ପ୍ରାୟ ସେ ଝୁଙ୍କିପଡ଼ିଲେ ତାଙ୍କର ଛାତିପାଖକୁ । ଗଳାରେ ଆଗ୍ରହଭରି ପଚାରିଲେ–କିଛି ମତେ କହିବ ମଉସା ?

 

ରହି ରହି ରିଟାୟାର୍ଡ଼ ଏସ୍‌.ପି.ଚୌଧୁରୀ ସାହେବ କହିଲେ–

 

କହିବି, ବହୁତ କିଛି କହିବି । ତା’ ଆଗରୁ ଗୋଟେ କଥା ପଚାରିବି ।–ଆଚ୍ଛା, କୁହତ ବୁଲୁ, ଦୋଷର କ’ଣ କ୍ଷମାନାହିଁ ?

 

ଅଛି ମଉସା, ନିଶ୍ଚୟ ଅଛି । ମନୋରଞ୍ଜନଙ୍କ ଗଳାରେ ଅସୀମ ଆଶ୍ୱାସ ।

 

ଆଖି ବୁଜିରଖି ଚୌଧୁରୀ ସାହେବ କହିଲେ–

 

ତେବେ–ଛାୟା କାହିଁକି ମତେ କ୍ଷମାକଲେନି କୁହତ ? ଯେତେ କ୍ଷମା ମାଗିଲେ ବି ସେ ଖାଲି କାନ୍ଦୁଛନ୍ତି । କ୍ଷମାକଲେ ସେ ତ ହସନ୍ତେ–ଆଉ କାନ୍ଦୁଛନ୍ତି କାହିଁକି ? ତା’ମାନେ କ’ଣ ଏଇଆ ନୁହେଁ ଯେ–ସେ ମତେ କ୍ଷମା କରିପାରୁନାହାନ୍ତି ।

 

ବିପନ୍ନ ହସିଲେ ଡାକ୍ତର...

 

ଡାକ୍ତର ବୁଝିଲେ–ନିଭିଲା ଦୀପ ତେଜି ହୋଇ ଜଳିଉଠିଛି । ଗପନ୍ତୁ, ଯେତେ ଗପିବେ ଆଜି ଗପନ୍ତୁ । ସେ ଆଜି ଆଦୌ ବାଧା ଦେବେନି । ହୃଦୟ ପେଡ଼ିରେ ଯେତେ ଦୁଃଖ, ଯେତେ ବେଦନା, ଯେତେ ଗୋପନତାରେ ଯନ୍ତ୍ରଣା ଆଜି ପର୍ଯ୍ୟନ୍ତ ଜମା ହୋଇ ରହିଛି । ସବୁ ସେ ନିଜ ହାତରେ କାଢ଼ି ଗୋଟି ଗୋଟି କରି ବୁଣିଦିଅନ୍ତି କାହାରି ନା କାହାରି ଆଗରେ ।

 

ତହିଁରେ ବିକ୍ଷୁବ୍‌ଧ ଆତ୍ମା ତାଙ୍କର ବିଶ୍ଚୟ ସାନ୍ତ୍ୱନା ଲଭି ମୁକ୍ତି ପାଇବ । ନାଁ–ବାଧା ସେ ଦେବନି । କାରଣ–ସେଇ ଓଜନିଆ ପେଡ଼ି ଧରି ବୃଦ୍ଧ କନକନାରାୟଣ ଆଦୌ ଚାଲିପାରିବେନି ପରପାରିର ଯାତ୍ରାପଥରେ । ମହାଯାତ୍ରୀ ଆଜି ଝାଡ଼ିପକାନ୍ତୁ ତାଙ୍କର ମନର ବୋଝକୁ ।

 

ବୁଲୁ....

 

ଆଜ୍ଞା ।

 

କଡ଼ି କାଠରେ ଆଖିରଖି କନକନାରାୟଣ କହିଲେ–

 

ମୋ ଅପରାଧର କଳନା ନାହିଁ । ମଣିଷ ଉପରେ ମଣିଷ ଏତେ ଦୁଃଖ ଲଦିପାରେ ? ଛାୟାର ଟିକି ଦେହ ମନ ଉପରେ କେଡ଼େ ଦୁଃଖ ଯନ୍ତ୍ରଣାର ବୋଝ ମୁଁ ନ ଲଦିଦେଲି କହିଲ । ହେଇ, ସେଦିନ–ସେଦିନ ମାନେ ଅନେକ ଦିନ ତଳର କଥା, କେଜାଣି କେବେକା କଥା ମନେପଡ଼ୁନି । ଯାହାହେଉ ତଥାପି ସେଦିନ ଏଇ ଘରେ ଜମା ହୋଇଥିଲେ ଅନେକ ଲୋକ । କେହି କିନ୍ତୁ କିଛି ଜାଣିପାରିଲେନି । କେହି ତାକୁ ଚିହ୍ନିପାରିଲେନି । ହଁ, ହଁ, ମନେପଡ଼ିଛି । ଦେଢ଼ବର୍ଷ ତଳର କଥା । ଏ ଘରକୁ ଆସିଥିଲା ଗୋଟିଏ ସନ୍ନ୍ୟାସୀ । ମଥା ଉପରେ ତା’ର ଏତେ ବଡ଼ ଜଟା ଭାର, ବିଶାଳ ଛାତିଟା ତା’ର ଘୋଡ଼ାଇ ହୋଇଯାଇଥିଲା ମସ୍ତ ବଡ଼ ବଡ଼ ଦାଢ଼ି ତଳେ । ସୁନା ରଙ୍ଗ ତା’ର ସେଦିନ କଳା ଦିଶୁଥିଲା । ଝଡ଼ିଯାଇଥିଲା ସିଏ । ହଁ ଅନେକ ଝଡ଼ିଯାଇଥିଲା ।

 

ତଥାପି ତାକୁ ମୁଁ ଚିହ୍ନିପକାଇଲି । ଧାଇଁଯାଇ ତାକୁ ଛାତିରେ ଜାକି ଆକୁଳ କଣ୍ଠରେ କହିଲି, ମୋରି ଉପରେ ରାଗି ଏତେ ଧନ ସମ୍ପତ୍ତି ଛାଡ଼ି ଏଇଆ ହୋଇ ବୁଲିଲୁ ତୁ ରାଜା ? ମୋ ସୁନା ଭାଇଟି ପରା, ଆଉ ତୁ ଯାଆନା କୁଆଡ଼କୁ । ତୋରି ଲାଗି ଆଜି ବି ଛାୟାର ଆତ୍ମା ବାହୁନିବାହୁନି ଘୂରି ବୁଲୁଥିବ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ–ତିନିପୁର । ଭଣ୍ଡାରୀ ଡାକି ଓହ୍ଳାଇପକା ମୁଣ୍ଡରୁ ତୋର ଏଇ ଅବାଞ୍ଛିତ ଜଟାଭାର । କାଟିପକା ତୋର ଏଇ ଦାଢ଼ିର ଅରଣ୍ୟ । ସୁନା ପ୍ରତିମାପରି ବୋହୂ ଆଣିଦେବି । ଘର କର, ଘରେ ରହ । ଛାୟା ଯାଇଛି, ତୁ ଥା ମୋ ପାଖରେ । ତୁ ମତେ ଛାଡ଼ି ଯାଆନା ।

 

ଆଶ୍ଚର୍ଯ୍ୟ ଆଖିରେ ଚାହିଁଲେ ଡାକ୍ତର ଚୌଧୁରୀଙ୍କ ମୁହଁକୁ । କହିଲେ–

 

ଆସିଥିଲେ ରାଜା କକେଇ । ରାଜା କକେଇ ଆସିଥିଲେ ! ମାତ୍ର ଏଇ ଦେଢ଼ବର୍ଷ ତଳେ-! ଆପଣଙ୍କ କଥାର କି ଉତ୍ତର ଦେଲେ ସେ ?

 

ହସିଲେ କନକନାରାୟଣ । କହିଲେ–

 

ମୋ କଥା ଶୁଣି ସେ ସେଦିନ ମଉଳା ହସିଥିଲା । କହିଥିଲା–ମୋ ଦୁଃଖୀନୀ ଭାଉଜ ଆମରି ଘରେ ଆମର ବଂଶର କାହାରି ଜଣକ ପାଖରୁ ବହୁତ ଦୁଃଖ ପାଇ, ବହୁତ ଯନ୍ତ୍ରଣା ପାଇ ଅଭିମାନ କରି ହେଲେ ଆରପାରିର ଯାତ୍ରୀ; ଆଉ ତାଙ୍କରି ଦୀର୍ଘଶ୍ୱାସରେ ଭରିଗଲା ଏଇ ମହଲର ପ୍ରତ୍ୟେକଟି କୋଣ, ଅନୁକୋଣ । ଏତେ ଧନ, ଏତେ ମାନ, ଚନ୍ଦ୍ରମା ପରି ପୁଅ ଝିଅ ସବୁ ଛାଡ଼ି–ଗୋଟିଏ ଦୁଃଖୀ ମନ ନେଇ ଚାଲିଗଲେ ପତିପରାୟଣ ଭାଉଜ ମୋର । ତାଙ୍କୁ ବିଦାୟ ଦେଇ ମହାପାପରେ ବୁଡ଼ିଗଲା ଏଇ ସୁନା ସଂସାର । କେହି ନ କରନ୍ତୁ ସେହି ପାପର ପ୍ରାୟଶ୍ଚିତ, ମୁଁ କରିବି । ସୁଖ ଛାଡ଼ିବି, ସମ୍ଭୋଗ ଛାଡ଼ିବି, ସବୁ ଛାଡ଼ିବି । ତାଙ୍କ ଆତ୍ମାର ଶାନ୍ତି ଲାଗି ମୁଁ ବୁଲିବି ଭଗବାନଙ୍କୁ ଡାକି, ତାରି ସାଙ୍ଗରେ ମାଗୁଣି ରହିବ ମୋର ଏତିକି ଯେ–ଭଗବାନ ତୁମକୁ କ୍ଷମା କରନ୍ତୁ । ଆଉ, ଭାଉଜଙ୍କର ପିଲାଙ୍କର ମଙ୍ଗଳ କରନ୍ତୁ ।

 

ବିସ୍ମୟାହତ କଣ୍ଠରେ ମନୋରଞ୍ଜନ ପଚାରିଲେ–ତାପରେ !

 

ମଳିନ ହସିଲେ କନକନାରାୟଣ ! କହିଲେ–ତାପରେ !

 

ଅଦ୍‌ଭୁତ ଖିଆଲ ପିଲାଟା ସେଦିନ ରାତିରେ ଶୋଇଲା ସମ୍ପୂର୍ଣ୍ଣ ନିରାହାରରେ, ହେଇ ସେପାଖ ଘରେ ।

 

ସାରା ରାତି ସେଦିନ ମୁଁ ଶୋଇପାରିନଥିଲି । ସକାଳୁ ଉଠି ଖୋଜିଲି ତାକୁ । ପୁଣି ସେ କୁଆଡ଼େ ଚାଲିଯାଇଥିଲା । କଥା ସାରି କ୍ଳାନ୍ତି ହୋଇପଡ଼ିଲେ କନକନାରାୟଣ ।

 

କିଛିକ୍ଷଣ ଚୁପ୍‌ଚାପ୍‌ ହୋଇ ଶୋଇରହିଲେ । ପୁଣି ଡାକିଉଠିଲେ–ବୁଲୁ...

 

ଆତ୍ମହରା କଣ୍ଠରେ ମନୋରଞ୍ଜନ କହିଲେ–ଆଜ୍ଞା ।

 

ଆଖିବୁଜି କନକନାରାୟଣ ପୁଣି ଆରମ୍ଭ କଲେ–ବୁଝିଲ–

 

ଛାୟା ଯେତେବେଳେ ରୂପର ରୋଷଣୀ କାଳି ଆମ ଘରକୁ ବୋହୂ ହୋଇ ଆସିଲା, ସେତେବେଳେ ରାଜା ତାରି ସାଙ୍ଗର ହେବ କିମ୍ୱା ଟିକିଏ ବଡ଼, ଅଥବା ଟିକିଏ ସାନ ହେବ । ଯାହା ହେଉ, ସେମାନେ ଥିଲେ ପ୍ରାୟ ସମବୟସୀ । ରାଜାର ହାତ ଧରି ନେଇଗଲି ଛାୟା ପାଖକୁ । ପରିଚୟ କରାଇଦେଲି । କହିଲି–ଦେଖ୍ ଛାୟା, ଏ ହେଲା ମାଆ ବାପ ମଲା ପିଲାଟିଏ । କହିବାକୁ ଗଲେ କୋଳରେ କାଖରେ ମୁଇଁ ତାକୁ ମଣିଷ କରିଛି । ଚାକିରି ନେଇ ହୁଏତ କାହିଁ କେତେ ଦୂରକୁ ଚାଲିଯିବ । ତାରି ପଢ଼ା ଯୋଗୁଁ ଆଉ ଏ ଘରର ଅନେକଙ୍କ ପାଇଁ ତୁମେ ରହିଯିବ ଘରେ । ରାଜାକୁ ଦେଖିବ ତୁମେ । ମୁଁ ହେବି ନିଶ୍ଚିନ୍ତ ।

 

ପତଳା ଓଢ଼ଣା ଭେଦି ଫାଳେ ମୁହଁ ଦେଖାଯାଉଥିଲା ଛାୟାର । ବସିବା ଭଙ୍ଗୀଟି ତା’ର କି ଅପରୂପ । କି ଶାନ୍ତ । ମାଆ ବାପ ମଲା ପିଲାଟେ କହିବାରୁ–ସେହି ଓଢ଼ଣା ଭିତରୁ ଅଳ୍ପ ମୁହଁ ବୁଲାଇ ଚାହିଁଲା ଛାୟା । ଗୋଟିଏ ଆଖି ତା’ର ସମ୍ପୂର୍ଣ୍ଣ ଦେଖାଗଲା । ତାରି ସେଇ ଛାୟାଘନ ଆଖିଟି ପାଣିରେ ଢଳଢଳ । ଚାହିଁ ରହିଥିଲା ସେ ରାଜାଆଡ଼େ । ବୁଝିଲି ସେ ଖାଲି ରୂପବତୀ ନୁହେଁ-। ଗୁଣବତୀ ମଧ୍ୟ । ସ୍ନେହ କରୁଣାର ସତେଅବା ଜୀବନ୍ତ ପ୍ରତିମା ସେ । ରାଜା ମଥା ନୁଆଁଇ ଠିଆ ହୋଇଥିଲା । ତା’ର ସେଇ ବିନମ୍ର ମୁଖ ମୁଣ୍ଡଳଟି ହାତରେ ଉଠାଇ ଧରି କହିଲି–ଏଇ ତୋର ଭାଉଜ ରାଜା । ଏଇ ତୋର ମରୁ ଜୀବନର ହେବା ସ୍ୱଚ୍ଛ ଗୋଟିଏ ଜଳର ଧାରା । ସେମାନେ ଠିଆ ହୋଇ ରହିଥିଲେ । ମୁଁ ଚାଲିଯାଇଥିଲି ଅନ୍ୟଆଡ଼କୁ । ମୁଁ ଜାଣେନା ସେଦିନ ସେମାନେ ପରସ୍ପରକୁ କଥା କହିଥିଲେ କି ନାହିଁ । ଆଉ ସେଦିନର କଥା କେବେ ଯଦି କଥା ଛଳରେ ଛାୟା ମତେ କହିଥାଏ–ତେବେ ବି ସେସବୁ କଥା ଆଜି ମୋର ମନେ ନାହିଁ ।

 

ମନେ ନାହିଁ ।

 

କ୍ଷଣେ ଚୁପରହି ପୁଣି କହିଲେ–

 

ଜାଣ, ବେଶୀ ମୋର ମନେପଡ଼େ କ’ଣ ?

 

ସେ ହେଲା ଛାୟାର ଦୁଇଟି ପାଦ । ସେଇ ପାଦ ଯୋଡ଼ିକ ଦେଖିବାକୁ ଠିକ୍‌ ଗୋଲାପୀ ମଖମଲପରି । ସେଇ ପାଦରେ ସବୁବେଳେ ଶୋଭାପାଉଥାଏ ଚଉଡ଼ା ଚଉଡ଼ା ଅଳତା । ଘରସାରା ଯେତେବେଳେ କାମ କରି କରି ସେ ବୁଲୁଥାଏ ପାଦ ଯୋଡ଼ିକି ତା’ର ଘରର ଚଟାଣ ଉପରେ ସତେଯେପରି ଲକ୍ଷ ପଦ୍ମ ଫୁଟାଉଆଏ ।

 

ଜୀବନସାରା ବହୁତ ପାଦ ଦେଖିଲି; କିନ୍ତୁ ସେପରି ପାଦ ଯୋଡ଼ିଏ ଆଖି ଆଉ ମୋର ଦେଖିଲାନି । ଦିନସାରା ତଳ ଉପର ହୋଇ କାମ କରୁଥିବ । ଦିନେହେଲେ ଦେଖିଲିନି କାହିଁରେ ତା’ର ଅସୋନ୍ତଷ । ଦିନେହେଲେ ଶୁଣିଲିନି–ଆଉ ପାରୁନି । ସଦା ହାସ୍ୟମୟୀ ଥିଲା ସେ । ବାପା ମୋର ଚାଲିଗଲେ ଛାୟାକୁ ତାଙ୍କର କଲ୍ୟାଣ ସରୋବରରେ ଆକଣ୍ଠ ବୁଡ଼ାଇଦେଇ । ସୁଗୋଲ, ସୁଢ଼ଳ ବାହୁ ଦୁଇଟିରେ କେତେ ତା’ର ବଳ । ଆଶ୍ଚର୍ଯ୍ୟ ! ଦେଖୁଛ ବୁଲୁ... ତଳ ଉପର ହୋଇ ଯେତେ କୋଠରି ଦେଖୁଛ । ସବୁ ଗୁଡ଼ିକରେ କେତେ ଯେ ଅସହାୟ ନରନାରୀଙ୍କୁ ଆଶ୍ରୟ ଦେଇଥିଲେ–ତା’ର ହିସାବ କଲେ ପ୍ରାୟ ପଚିଶ ତିରିଶ ଜଣ ହେବେ । ସମସ୍ତିଙ୍କର ଡାକକୁ କାନପାରିଥାଏ ଛାୟା । କାହାକୁ କାହିଁରେ ଦୁଃଖ ହେବ, ସେପରି କଥା ସେ ଭୁଲରେ ଦିନେ କହିବେନି କି କରିବେନି । ସଭିଙ୍କ ଦୁଃଖରେ ତା’ର କରୁଣଙ୍ଗନ ଆଖିଯୋଡ଼ିକ ସର୍ବଦା ଢଳ ଢଳ ଛଳ ଛଳ । କାହାରି ଟିକିଏ ଆନନ୍ଦ ଦେଖିଲେ, ସେ ବହୁତ ଆନନ୍ଦ ଲଭୁଥିଲା । ହଁ, ଆଉ ଗୋଟିଏ କଥା । ତା’ର ସଉକ ଭିତରେ ଗୋଟିଏ ବଡ଼ ସଉକ ଥିଲା ଖୋସାରେ ବିଭିନ୍ନ ଜାତିର ଫୁଲମାଳ ଜଡ଼ାଇବା, ଆଉ ପାଦରେ ଅଳତା ଦେବା । ଏଇ ଯୋଡ଼ିଏ କଥା । ଅନେକ ଦିନ ଧରି ମୁଁ ଯେଉଁଆଡ଼କୁ ଗଲେ ମଧ୍ୟ ତା’ ପାଇଁ ନେଇଆସେ ସୁଗନ୍ଧଭରା ସୁନ୍ଦର ଗୋଟିଏ ମାଳା । ଆଉ ସେଇ ମାଳାପାଇ ପିଲାଙ୍କ ପରି ଏତେ ଖୁସିପ୍ରକାଶ କରେ ଯେ, କେହି ସୁନା ରୁପା ପାଇଲେ ବି ସେମିତି ହେବନି । ଏଇ ଥିଲା ମୋର ପ୍ରାଣ–ପ୍ରତିମା ଛାୟା ।

 

ତା’ର ଅନ୍ତର ନିଗାଡ଼ି ସବୁ ସୁଧା ସେ ଅଜାଡ଼ି ଦେଇଥିଲା ମୋର ଜୀବନ ପାତ୍ରରେ । ସେଇ ସୁଧାପାତ୍ର ଭରି ଉଛୁଳିପଡ଼ିଲା । ଘରର ଅଳି କନ୍ଦି ଚାରିଆଡ଼େ ସେଇ ଅମୃତ ସୁଧାଧାରାରେ ପ୍ଳାବିତ ହୋଇଗଲା । କଲ୍ୟାଣମୟୀ, ପ୍ରେମମୟୀ, ସ୍ନେହମୟୀ, କରୁଣାମୟୀ ଛାୟା ମୋର ସଭିଙ୍କ ହୃଦୟ ସିଂହାସନରେ ଲକ୍ଷ୍ମୀରୂପେ ବିରାଜ କଲା । ଜୀବନକୁ ଧନ୍ୟମଣିଲି । ଦିନେ–କୋଳକୁ ତା’ର ଆଲୋକିତ କରି ଆସିଲା ଶୁଭେନ୍ଦୁ । ଦୁହିଁଙ୍କ ହୃଦୟରେ ବହିଗଲା ଆନନ୍ଦରେ ଫଲ୍‌ଗୁ ଧାରା ।

 

ତାପରେ ଆସିଲା ନୀଳେନ୍ଦୁ । ଭାଙ୍ଗିଗଲା ଛାୟାର ଦେହ । ଶୀର୍ଣ୍ଣ ହୋଇଗଲା ଛାୟା; ଆସ୍ତେ ଆସ୍ତେ ଝାଉଁଳିପଡ଼ିଲା । ସେଇଥିରେ ବି ଚାଲିଥାଏ ଦୁଇଓଳି ଧରି ପଚାଶ ଲୋକର ସେବା-। କହିଲେ ହସିଦିଏ । କହେ–ତୁମେ ମୋର ବଳ; ତୁମର ସ୍ନେହ, ମମତା ମୋର ଧୈର୍ଯ୍ୟ-। ଯେତେଦିନ ତୁମର ସ୍ନେହ କରୁଣା ପାଉଥିବି ସେତେଦିନ ପର୍ଯ୍ୟନ୍ତ ମୋ ଦେହ ମନର ସବୁ ଶକ୍ତି ଅକ୍ଷୟ ହୋଇ ରହିବ । ଭାବିନି ତୁମେ ମୋ ପାଇଁ ଆଦୌ ତୁମେ ଭାବନି । ଯେଉଁମାନେ ମତେ ଭରସା କରି ଏ ଘରେ ପଡ଼ି ରହିଛନ୍ତି କେଡ଼େ ଅସହାୟ ସେମାନେ ! ସେମାନଙ୍କୁ ନ ଦେଖି ଯଦି ବିଶ୍ରାମ ନିଏ–ତାହାହେଲେ କିଏ ଦେଖିବ ତାଙ୍କୁ । ଏନ୍ତୁଡ଼ି ଘରେ ଯାଇ ଯେ କେଇଦିନ ରହିବାକୁ ପଡ଼େ, ସେ ସେତିକିରେ କେତେ ବିଶୃଙ୍ଖଳା ଘଟିଯାଏ ଏ ଘରେ । ଉଜୁଡ଼ିଯାଏ ଏଇ ସଂସାର । ଇଏ କହେ ମୁଁ ଖାଇନି, ସେ କହେ ମୁଁ ଶୋଇନି, କେହି ଅବା କୁହନ୍ତି ମୁଁ ଲଗେଇନି ଆଉ ବିଶ୍ରାମ ନେବି କ’ଣ ? ଶୁଖିଲା ମୁହଁରେ ମୁକ୍ତାଝରା ହସ ଗାରେ ହସି ଚାଲିଯାଏ ଛାୟା ।

 

ସେ ଥିଲା ଧରିତ୍ରୀ ପରି ସହନଶୀଳା । ସେଇ ମୋର ଛାୟା ।

 

ରାତିରେ ଶୋଇବାକୁ ଆସିଲାବେଳକୁ ପାଦ ଯୋଡ଼ିକ ତା’ର ଘୋସାରି ହେଉଥାଏ । ଭୀଷଣ କ୍ଳାନ୍ତ ଦେଖାଯାଏ ତାକୁ । ତାରି ଆସିବା ବାଟକୁ ଅପେକ୍ଷା କରି ଚାହିଁ ରହିଥାଏ ମୁଁ ଦୁଆର ଆଡ଼କୁ । ତାକୁ ଦେଖିଦେଲେ ପ୍ରତୀକ୍ଷାକୁ ବିଫଳ ମନେହୁଏ ମୋର । ଗୋଟିଏ ଅଶାନ୍ତ ମନ ନେଇ ମୁଁ ଶୋଇପଡ଼େ କର ଲେଉଟାଇ । ଟିକିଏ କଥା କହିବା ବା ଶୁଣିବା ଆଶାରେ ସେ ଏକର ସେକର ହୋଇ ଛଟପଟ ହେଉଥାଏ । ମୁଁ ଜାଣେ, ସେ ଯେତେ କ୍ଳାନ୍ତ ହେଉନା କାହିଁକି ଗପ କରିବାରେ ତା’ର କ୍ଳାନ୍ତି ନଥାଏ । ଅଜସ୍ର ଧାରାରେ ସେ କଥା କହିପାରେ । କିନ୍ତୁ ପାଷାଣ୍ତ ମୁଁ । ଭୀଷଣ ହୀନ ମୋର ମନ । ଦେହର କ୍ଷୁଧା ନିବୃତିଟାକୁ ହିଁ ବଡ଼ ମନେକରେ ମୁଁ । ନିଜେ ଷୋଳଅଣା ଆନନ୍ଦ ପାଇବା ପାଇଁ ତା’ ସହିତ ବୋଧହୁଏ କିଛି ସମୟ ତା’ର ମନରଖି ଅଥବା କରୁଣା କରି କିଛି କଥା କହିଥିଲି । ଠିକ୍ ସେଇଆ । ନହେଲେ ସତରେ ଯଦି ତା’ ସାଙ୍ଗରେ ମୁଁ ମନର ସରାଗ ମିଶାଇ କେଭେ ପଦେ କଥା କହିଥାନ୍ତି, ତାହାହେଲେ ଗୋଟିଏ ଲଜ୍ଜାକର ଇଚ୍ଛା ଅପୂରଣ ରହିବା ଯୋଗୁଁ ମୁଁ ମନ ଭାରିକରି କର ଲେଉଟାଇ ଶୋଇଲି କିପରି ? ନିଜ ଇଚ୍ଛାର ତୃପ୍ତିରେ ବାଧାପଡ଼ିବା ସଙ୍ଗେ ସଙ୍ଗେ ତା’ ସହିତ କଥା କହିବାର ସ୍ପୃହା ହରାଇଲି କିପରି ?

 

ତା’ର ଛଟପଟ କାରଣ ଜାଣି ସୁଦ୍ଧା–ଶୋଇବା ଅଭିନୟ କଲି କିପରି ? ଆଜି ମୁଁ ନିଜକୁ ନିଜେ ବୁଝିପାରିଛି, କେଡ଼େ ଉତ୍ସୃଙ୍ଖଳ ପାଷାଣ୍ତ ଥିଲି ମୁଁ । ଲଜ୍ଜା ଆଉ ଘୃଣାରେ ଏଇ କେଇଟା ବର୍ଷ କିପରି ଯେ ମୁଁ ଜାଣେ ଆଉ ଜଣେ ମୋର ଆତ୍ମା । ସେ କିନ୍ତୁ ଥିଲା କ୍ଷମାମୟୀ । ମୁଁ ତାଙ୍କୁ ଅବହେଳା କରି ସେପରି ମୁହଁଘୂରାଇ ଶୁଏବୋଲି; ସେ କିନ୍ତୁ ଦିନେ ମୋ ବିରୁଦ୍ଧରେ ଅଭିଯୋଗ ବାଢ଼ିବସିନି । ସେ ସକାଳୁ ଉଠେ । ବଲ ବଲ କରି ମୁହଁକୁ ମୋର ଚାହେଁ । ତା’ପରେ ଅଧୀର କଣ୍ଠରେ ପଚାରେ–ତୁମ ଅଫିସରେ ଏବେ ବହୁତ କାମ ପଡ଼ୁଛି ନା ? ବହୁତ ଖଟୁଛ ତୁମେ–ସେଥିପାଇଁ ଝଡ଼ିଗଲଣି, ସେଇଥିପାଇଁ ହୁଏତ ହାଲିଆହୋଇ ଶୋଇପଡ଼ୁଛ । ମୁଁ କିନ୍ତୁ ଭଲ ଜାତିର ଅଭିନେତା । କହେ–ହଁ ଛାୟା, ବହୁତ ଖଟିବାକୁ ପଡ଼ୁଛି । ମଥାରେ ମୋର ହାତବୁଲାଇ ଦିଏ ଛାୟା, ସ୍ନେହମୟୀ, ସମଦୁଃଖିନୀ ଏଇ ମୋର ଛାୟା ।

 

ଅଧୀନସ୍ଥ କର୍ମଚାରୀ ଇନ୍‌ସ୍‌ପେକ୍‌ଟର ସୁରେଶ ମହାନ୍ତି ।

 

ଭାରି ସେ ଅନୁଗତ ମୋର । ସ୍ତ୍ରୀ ଆଉ ବିଧବା ଗୋଟିଏ ଭଉଣୀ । ଏଇ ତା’ର ସଂସାର । ବିଧବା ଭଉଣୀ ପ୍ରତିମା ବି.ଏ ପାଶ୍ କରିଥାଏ । ବିଧବା ହେବା ପରଠୁ ସେ ଆସି ରହିଯାଇଥାଏ ଭାଇପାଖରେ । ସୁରେଶ ମହାନ୍ତି କି କାରଣରେ କେଜାଣି ସେଦିନ ଦେଲେ ଗୋଟିଏ ଟି.ପାର୍ଟି । ସେଇଥିରେ ମୁଁ ବି ନିମନ୍ତ୍ରିତ ହୋଇଥିଲି । ସେଇଠି ଦେଖାହେଲା ପ୍ରତିମା ସହିତ । ମୁଗୁଧ୍ ହେଲି । ସୁରେଶ ବା ତା’ର ସ୍ତ୍ରୀର କୌଣସି ଆକଟ ନ ଥିଲା । ସବୁଦେଖି ଆଖିବୁଜିବା ଲୋକ ସେମାନେ । ସମୟ ଅସମୟରେ ଯଥା ଅଯଥାରେ–ପ୍ରାୟ ଯାଇ ତାଙ୍କରି ଘରେ ପହଞ୍ଚିଯାଏ । ବସିପଡ଼େ ଯାଇ କଣିକିଆ ଡ୍ରଇଂରୁମ୍‌ରେ । ଘଣ୍ଟାପରେ ଘଣ୍ଟା ବିତାଇଦେଉ, ପ୍ରତିମା ଆଉ ମୁଁ । ଡ୍ରଇଂରୁମ୍‌ରେ ଧାରପାଖ କେହି ମାଡ଼ନ୍ତିନି । ସୁରେଶ ମହାନ୍ତି ଲୋଭୀ, ସ୍ୱାର୍ଥପର-। ମୋରି ହାତଦେଇ ଚାକିରିର ପାହାଚ ପରେ ପାହାଚ ପାରିହୋଇ ଉଠିଗଲା କାହିଁ କେତେ ଉପରକୁ । ଯଶ ଆଉ ଖ୍ୟାତିର ଶୀର୍ଷଦେଶକୁ । ପ୍ରତିମାର ସାଜସଜ୍ଜା ଦେଖିଲେ ଆଦୌ ତାକୁ ବିଧବା ବୋଲି ମନେହେବନି । କୁମାରୀ ଝିଅଟିପରି ଦେଖାଯାଏ । ବହୁସ୍ଥାନରେ ଥିବା ବହୁତ ଡାକବଙ୍ଗଳା–ଛି, ଛି–ଇଟା ପଥରମାନଙ୍କର, କଥା କହିବାର ଶକ୍ତିଥିଲେ ସେଇମାନେ ଆଜି ଅନ୍ୟମାନଙ୍କୁ କହନ୍ତେ–ପ୍ରତିମାକୁ ନେଇ ମୋର ଜୀବନଯାପନର ବିଭତ୍ସ ଗୋପନ ଇତିହାସ ।

 

ବହୁତ, ବହୁତ ରାତିରେ ଘରକୁ ଫେରେ ।

 

ମୋରି ବାଟକୁ ଅପଲକ ଆଖିରେ ଚାହିଁ ରହିଥାଏ ଛାୟା । ତା’ର ଘନକୃଷ୍ଣ କଳାଆଖି ଦୁଇଟିରେ ଭୟ ସହିତ କି ଏକ ଅବିଶ୍ୱାସର ଛାୟା ଘନାଇଆସେ ।

 

ଅପରାଧୀ ମନ ମୋର । ଲଜ୍ଜା ଆଉ ସଂକୋଚରେ ମଥା ନୁଆଁଏ ।

 

ଆଉ ସେଇ ଲଜ୍ଜା ସଂକୋଚକୁ ଘାଣ୍ଟିବାକୁ ଯାଇ ଏଆଡ଼ୁ ସେଆଡ଼ୁ ଗୁଡ଼େ ଅସଙ୍ଗତ ଅବାନ୍ତର ପ୍ରଳାପ କରିଚାଲେ । ମୋର ଆଜି ମନେହୁଏ ମୋରି କଥାକହିବା ଧରଣରୁ–ସେ ମୋର ଅପରାଧୀ ମନକୁ ଚିହ୍ନି ପକାଇଥିଲା । ସେ ମତେ ବୁଝିପାରିଥିଲା । ତା’ପରେ ମୁଁ ବାହାରୁଆସି ଆଦୌ, ଆଦୌ ମୁହଁକୁ ତା’ର ଚାହିଁପାରେନି । ତଳକୁ ମଥା ନୁଆଁଇ କଇଫିୟତ ଦେଲାପରି କହିଯାଏ ମୋର ଡେରିରେ ଫେରିବାର କାରଣ । ମୁଁ ତା’ ମୁହଁକୁ ଚାହିଁ ନ ପାରିଲେ ମଧ୍ୟ ଖୁବ୍ ବୁଝିପାରେ ଯେ–ଛାୟାର ଆଖିର ଅଗ୍ନିଫଳକ ଦୁଇଟି ଆସ୍ତେ ଆସ୍ତେ ମୋର ଅନ୍ତରର ଅନ୍ତସ୍ଥଳକୁ ଭେଦିଯାଉଛି । ଭୀଷଣ ଅଶ୍ୱସ୍ତି ଲାଗେ ।

 

ଖୁବ୍‍ଶୀଘ୍ର ଉଠିପଡ଼େ । କହେ–ଭୀଷଣ ନିଦ ଲାଗୁଛି ଛାୟା । ମୁଁ ଯାଉଛି ଟିକେ ଶୋଇପଡ଼େ । ହଁ, ହଁ–ମୁଁ, ମୁଁ–ଖାଇଆସିଛି । ତୁମେ ଯାଅ ଖାଇନେବ । ତାପରେ ଖୁବ୍ ଚଞ୍ଚଳ ପାଦରେ ମୁଁ ଚାଲିଯାଏ ତା’ର ସେଇ ତୀକ୍ଷ୍‌ଣ ଦୃଷ୍ଟି ସାମନାରୁ ।

 

ମୁଁ ନଖାଇଥିଲା ପର୍ଯ୍ୟନ୍ତ ଛାୟା ମୋର ଖାଏନି । ରାତି ବାରଟା, ଗୋଟେ ପ୍ରାୟ ଏହି ସମୟରେ ମୁଁ ଫେରେ ଘରକୁ । ମୁଁ ଜାଣେ ମୋର ଡେରିହେବ ଆସିବାକୁ । ତଥାପି ମୁଁ ସାହସ ପାଏନି କହିବାକୁ ଯେ–ମୋର ଡେରିହେବ ଛାୟା ତୁମେ ଖାଇନେବ । ଅଥଚ–ଫେରିଲା ପରେ ମୁଁ ଖାଇଛିବୋଲି କହିବାକୁ ବାଧ୍ୟହୁଏ । ଛାୟାର ଦୀର୍ଘ ପଲ୍ଲବଘେରା ଆଖିତଳେ ଧିକିଧିକି ହୋଇ ଜଳିଉଠେ ଘୃଣାର ଅଗ୍ନି କଣିକା ।

 

ମୁଁ କିନ୍ତୁ ତା’ର ସେହି ଚାଁହାଣୀକୁ ସେଦିନ ଆଦୌ ମୂଲ୍ୟ ଦେଇନି ।

 

ପ୍ରତିମା ଦେହର ଖାଣ୍ତବ ବନକୁ ମୋରି କାମନାର ଅଗ୍ନିରେ ଜାଳିପୋଡ଼ି ଫେରେ ବହୁତ ରାତିରେ । ଛାୟା ମୋର ଶବରୀର ପ୍ରତୀକ୍ଷାନେଇ ଚାହିଁ ବସିଥାଏ ସେଇ ସେ ପର୍ଯ୍ୟନ୍ତ, ଯେପର୍ଯ୍ୟନ୍ତ ମୁଁ ନଫେରିଛି । ଦାଣ୍ତପଟର ଝରକାର ରେଲିଂ ଦୁଇଟିକୁ ଧରି ଠିଆହୋଇଥାଏ ଛାୟା । ଆଉ ଗାଲରେ ହାତଦେଇ ଡ୍ରଇଂରୁମ୍‌ରେ ଚୁପ୍‌ଚାପ୍ ହୋଇ ବସିଥାଏ ରାଜା । ବାକି ସମସ୍ତେ ଶୋଇପଡ଼ିଥାଆନ୍ତି । ଏଡ଼େ ବଡ଼ ମହଲାଟା ମୁଁ ଆସିଲା ବେଳକୁ କିପରି ନୁଝୁମ ହୋଇଯାଇଥାଏ ।

 

କିଛିକ୍ଷଣ ଚୁପ୍‌ହୋଇ ଶୋଇରହିଲେ କନକନାରାୟଣ ।

 

ରାତ୍ରୀ ହେଲା ଦୁଇଟା ।

 

ଉଦ୍‌ବିଗ୍ନ କଣ୍ଠରେ ଡାକ୍ତର ପଚାରିଲେ–ତାପରେ, ତାପରେ କ’ଣ ହେଲା ମଉସା ଅତୀତର ସ୍ମୃତି ସାଗରରେ ସେତେବେଳକୁ ବୁଡ଼ିଯାଇଥିଲେ କନକନାରାୟଣ ।

 

ବିଚକ୍ଷଣ ସନ୍ଧାନୀ ଡାକ୍ତର ମନୋରଞ୍ଜନ ।

 

ସେଇ ସାଗରର ଅତଳ ଗର୍ଭରୁ ଛାଣିଆଣିଲେ ସିଏ ଚୌଧୁରୀଙ୍କର ହଜିଯାଇଥିବା ମନଟି । ଦଶ ମିନିଟ୍ ଯଦି କଥା ବନ୍ଦ ହୋଇଯାଏ ତେବେ ଚିରଦିନ ଲାଗି ହୁଏତ ଡାକ୍ତର ଆଉ ତାଙ୍କୁ କଥା କୁହାଇପାରିବେନି । ଡାକ୍ତର ପଣ କରିଛନ୍ତି ଏକ ଅସହଣୀୟ ଓଜନିଆ ବୋଝକୁ ଛାତିରେ ନେଇ କନକନାରାୟଣଙ୍କୁ ସେ ଯିବାକୁ ଦେବେନି । ତେଣୁ–ଉଦ୍‌ବେଗ ଭରା କଣ୍ଠରେ ଡାକିଉଠିଲେ–ମଉସା...

 

ଉଁ–ଆଖିପତା ଯୋଡ଼ି ହୋଇଆସୁଛି କନକନାରାୟଣଙ୍କର ।

 

ଚଞ୍ଚଳ କଣ୍ଠରେ ଡାକ୍ତର ପଚାରିଲେ–ତାପରେ ।

 

କ୍ଳାନ୍ତ କଣ୍ଠରେ କନକନାରାୟଣ କହିଲେ–

 

ମୋତେ ଭୀଷଣ ଶୋଷ ଲାଗୁଛି, ପାଣି ଗିଲାସେ ଦିଅ ।

 

ଡାକ୍ତର ପାଣି ପିଆଇ ଅତିଯତ୍ନରେ ପୋଛିଦେଲେ ବୃଦ୍ଧଙ୍କର ମୁହଁଟିକୁ । ତାପରେ......ଆକୁଳ କଣ୍ଠରେ ପୁଣି ପଚାରିଲେ–ତାପରେ...ତାପରେ କ’ଣ ହେଲା ମଉସା ?

 

ହଁ ଶୁଣ, କହିବି, ଆଜି ମୁଁ ସବୁ କହିବି ।

 

ମୁହଁ ଗୋରା, ଲାଜକୁରା ରାଜା–ଛାତି ଚିତାଇ ସେ ଦିନେ ମାଡ଼ିଆସିଲା ସାମନାକୁ ମୋର । କ୍ରୋଧଭରା ମୁହଁଟା ତା’ର ଭୀଷଣ ଲାଲ ଦେଖାଯାଉଥାଏ । କହିଲା–ଭାଇନା, ଏଥର ଭାଉଜଙ୍କୁ ଖାଇବା ପାଇଁ ଅନୁମତି ଦେଇ ତୁମେ ଯେଉଁଆଡ଼େ ପାର ସେଇଆଡ଼େ ଯିବ । ବହୁତ ରାତିରେ ଖାଇଲା ବେଳକୁ ସେ ଆଦୌ ଖାଇପାରୁନାହାନ୍ତି । କହୁଛନ୍ତି–ବହୁତ ରାତି ହେଲାଣି ରାଜା, ବଡ଼ ହାଲିଆ ଲାଗୁଛି, ଖାଇପାରିବିନି । ଦିନର ବି ଖାଦ୍ୟ ତାଙ୍କର ସେହିପରି । କାହିଁକି ତାଙ୍କର ମନ ନାହିଁ, ଆଗ୍ରହ ନାହିଁ, କି ଉତ୍ସାହ ନାହିଁ । ସତେଜ, ସବୁଜ ମନ ତାଙ୍କର ଝାଉଁଳିପଡ଼ି ଆସ୍ତେ ଆସ୍ତେ ପ୍ରାଣଶକ୍ତି ହରାଇଦେଉଛି । ତା’ ଛଡ଼ା, ଆଚ୍ଛା...ତୁମର ତ ଆଗେ ଏତେ ଡେରି ହେଉନଥିଲା ! ଏବେ କାହିଁକି ଏତେ ଡେରିହେଉଛି ? କାହିଁକି ଏତେ ରାତିରେ ତୁମେ ଘରକୁ ଫେର ? କି କାମ ତୁମର ପଡ଼ିଗଲା ଶୁଣେ ? ମୁଁ ଜାଣେ, ମୋ ମନ କହୁଛି–ତୁମେ ଖୁବ୍ ଖରାପ ହୋଇଯାଉଛ ଭାଇନା ।

 

ରାଜା ଆ ଆ...ଚିତ୍କାର କରିଉଠିଲା ତା’ର ଭାଉଜ । ଧାଇଁଆସି ଠୋ କରି ଚଟକଣି କଷିଦେଲେ ରାଜାର କୋମଳ ଗାଲରେ । ଆଖିରୁ ଛାୟାର ଲୁହ ଗଡ଼ି ପଡ଼ୁଥାଏ, ବଡ଼ ବଡ଼ ନିଃଶ୍ୱାସ ବହିବାରୁ ଦୁର୍ବଳିଆ ଛାତିଟା ଉଠୁଥାଏ ପଡ଼ୁଥାଏ । ରାଗିଯାଇ ଲାଲ୍ ରଙ୍ଗ ତା’ର ଆହୁରି ଲାଲ ପଡ଼ି ଯାଇଥାଏ । ରୁଦ୍ଧ କଣ୍ଠରେ ଧିରେ ଧିରେ ସେ କହିଉଠିଲା, କେଡ଼େ ସାହସ ତୁମର ରାଜା ! ତାଙ୍କରି କୋଳରେ କାଖରେ ମଣିଷ ହୋଇ ତୁମେ ତାଙ୍କୁ ମାଗୁଛ ଆଜି କୈଫିୟତ । କେବେ, କେବେ, ତୁମେ ଏପରି ମଣିଷ ହୋଇଗଲ । ମୋ ଲାଗି ତୁମର ବା ଏତେ କଥା କାହିଁକି ? କିଏ ତୁମେ ମୋର ? ତାପରେ ଆସ୍ତେ ଆସ୍ତେ ଅଜ୍ଞାନ ହୋଇ ଭୁଇଁ ଉପରେ ଲୋଟିପଡ଼ିଥିଲା ସେଦିନ ମୋର ପ୍ରାଣପ୍ରତିମା ଛାୟା ।

 

ରାଜା ଆଉ ମୁଁ–ଦୁହେଁ ମିଶି ବହୁତ ଯତ୍ନ କରି ତା’ର ଜ୍ଞାନ ଫେରାଇଆଣିଥିଲୁ । ଛାୟାର ଦୃଷ୍ଟି ପ୍ରଥମେ ପଡ଼ିଲା ରାଜା ଉପରେ । ସେ ଆଖିରେ ଘୃଣା ସହିତ ଝରିଆସିଲା ଅଗ୍ନିର ଝଲକ । ରାଜା ଆସ୍ତେ ଆସ୍ତେ ମଥା ନୁଆଁଇ ଭାଉଜର ସେହି ଅଦ୍‌ଭୂତ ଭେଲଭେଟ୍ ସଦୃଶ ପାଦ ଦୁଇଟିରେ ମୁହଁ ଗୁଞ୍ଜିଲା । ଆଖି ଲୁହରେ ପାଦ ଯୋଡ଼ିକ ଧୋଇଦେଇ କହିଲା–କ୍ଷମା କର ଭାଉଜ ମତେ, କ୍ଷମା କର । ଏଥର ଥରିଉଠିଲା ଛାୟାର ନିଟୋଳପୁଷ୍ଟ ଓଠ ଦୁଇଟି । ରାଜାର ମଥାଟା ଆଣି ଛାତିରେ ଜାକିଧରି ଛୋଟ ପିଲାଙ୍କ ପରି କାନ୍ଦିଉଠିଲା ଛାୟା ! ସେଦିନ ସେମାନଙ୍କର କାନ୍ଦଣାକୁ ମୁଁ ବନ୍ଦ କରିପାରିନି । ସେମାନଙ୍କ ଦୁଇଜଣଙ୍କ ମଝିରେ ନିଜକୁ ମତେ ଖୁବ୍ ଛୋଟ ଲାଗୁଥାଏ । ଖୁବ୍ ହୀନ ଲାଗୁଥାଏ । କେଜାଣି କାହିଁକି ରାଜାପ୍ରତି ଛାୟାର ସେଇ ଅଖଣ୍ତ ମମତାକୁ ମୁଁ ଚାହିଁ ରହିଲି ହିଂସାଭରା ଆଖିନେଇ । ଖୁବ୍‍ଶୀଘ୍ର ଖାଇନେଇ ସେମାନଙ୍କ ପାଖରୁ ମୁଁ ଚାଲିଯିବାକୁ ଚାହୁଁଥିଲି । କିନ୍ତୁ ଏମିତିରେ ତ ମୋର ଅପରାଧର ଅନ୍ତନାହିଁ–ସେଥିରେ ପୁଣି ଏ ଦୁହିଁଙ୍କୁ ଆଜି ଖୁଆଇଦେଇ ନ ଗଲେ କଥାଟା ଯେ ଖୁବ୍ ଅସୁନ୍ଦର ହୋଇପଡ଼ିବ । ତାପରେ ସେ ଦୁହିଁଙ୍କୁ ବହୁତ ବୁଝାଇ ଖାଇବା ଥାଳି ପାଖରେ ବସାଇଦେଲି । ସେମାନଙ୍କ ପାଖରେ ବସି ମୋର ଅନିଚ୍ଛା ସତ୍ତ୍ୱେ ମତେ ବହୁତ ଗପ କରିବାକୁ ପଡ଼ିଲା । ଏଆଡ଼ୁ ସେଆଡ଼ୁ ବହୁତ କଥା କହି ସେମାନଙ୍କୁ ହସାଇବାର ଚେଷ୍ଟା କଲି-। କିନ୍ତୁ ନାଁ–ଛାୟା ହସିଲାନି । ବରଂ ରାଜାର ହସହସ ମୁହଁକୁ ଚାହିଁ ତା’ ଆଖିରେ କିପରି ଗୋଟିଏ ବିରକ୍ତି ଭରି ଯାଉଥାଏ । ଯାହାର ଅର୍ଥ ମୋ ପାଖରେ ଅତି ସ୍ପଷ୍ଟ । ମାନେ ଛାୟାର ଚାହାଣୀରୁ ମୁଁ ଠିକ୍ ବୁଝିପାରୁଥାଏ ଯେ ସେ କହିବାକୁ ଚାହୁଁଛି–କି ଅବାନ୍ତର ଅସଙ୍ଗତ କଥାରେ ହସିପାର ତୁମେ ରାଜା ।

 

ତାପରି ଝିଅକୁ ଭୁଲାଇଦେବା ବା ଠକାଇବା ସହଜ କଥା ନୁହେଁ ।

 

ଏହିପରି ଆହୁରି ବହୁତ ଦିନ ଚାଲିଗଲା । ମୋ ସହିତ କଥା କହିବା ବା ହସିବା ଛାୟା ଛାଡ଼ିଦେଲା । ସଭିଙ୍କ ସହିତ ହସେ, ସଭିଙ୍କର ସେବା କରେ, ତା’ ମନରେ ଯେ କିଛି ମାତ୍ର ଦୁଃଖ ଅଛି ସେକଥା ଜଣାଇବାକୁ କାହାରି ଆଗରେ ସେ ଆଦୌ ପସନ୍ଦ କରେନି । କାରଣ ସେଇ କଥାକୁ ମୁଇଁ ବେଶୀ କରି ଅନୁଭବ କରିପାରେ । ଆଉ ଚାହିଁ ଚାହିଁ ଦେଖେ–ତା’ ପାଦରେ ଅଳତାକୁ ଆଉ ତା’ ଖୋସାର ମଲ୍ଲୀମାଳକୁ । ମୁଁ ଜାଣେ ନିଜର ଅର୍ନ୍ତଜ୍ୱାଳାକୁ ଲୁଚାଇ ରଖିବାପାଇଁ ଏବେ ବି ସେ ବ୍ୟବହାର କରେ ସେହି ଦରବଗୁଡ଼ିକ । ସମସ୍ତିଙ୍କୁ ଠକିବାପାଇଁ ସବୁକିଛିକୁ ସେ ବଜାଏରଖି ଚାଲେ-। ତା’ର ମୌନତାକୁ ଉପେକ୍ଷାକରି ପୁଣିଦିନେ ଅଳକା ଆସିଲା ତା’ ଗର୍ଭକୁ । ସ୍କୁଲରେ ପୁଅମାନଙ୍କର ନାଁ ଲେଖାଇବାର ସମୟ ହେଲା । ସାଙ୍ଗରେ ନେଇଯିବାକୁ ବସିଲି । ଛାୟା ଠାକୁର ଘରୁ ପାଦକୁ ଆଣି ପିଲାମାନଙ୍କ ମଥାରେ ଛୁଆଇଁ ସେଇ ପାଦକୁ ସେମାନଙ୍କ ପକେଟରେ ରଖୁରଖୁ କହିଲା–ଶୁଣ ।

 

ପଚାରିଲା ଆଖିରେ ଚାହିଁଲା ତା’ର ଅଚଞ୍ଚଳ ମୁହଁଆଡ଼କୁ ।

 

ଅସୁସ୍ଥ, ବିବର୍ଣ୍ଣ ମୁହଁରେ ତା’ର ବୃଢ଼ତାର ଛାପ ପରିସ୍ଫୁଟ । କହିଲା–

 

ମୋର ଇଚ୍ଛାନୁହେଁ ଯେ ତୁମ ବଂଶର ନାମ ଧାରାରେ ମୋ ପିଲାଙ୍କର ନାଁଆ ରହୁ ବୋଲି । ତାଙ୍କ ମାନଙ୍କର ନାଁଆ ବଦାଳାଇଦେବ । ମୋର ବିଶ୍ୱାସ, ନାଁ ବଦଳାଇଦେଲେ ତୁମ ବଂଶର ଗୁଣ, ବା ମନରୁ କିଛିଟା ହେଲେ ବି ତାଙ୍କ ମନରୁ ପୋଛି ହୋଇଯାଇପାରେ । ସେ ପ୍ରମୋଦ ନାରାୟଣ ବା ପ୍ରଦୀପ୍ତ ନାରାୟଣ ନାଁଆ ତାଙ୍କର ଆଦୌ ରଖିବନି, ସେମିତି ନାଁ ନ ଦେଇ ସେମାନଙ୍କର ନାମ ରଖିବ–ଶୁଭେନ୍ଦୁ ଆଉ ନୀଳେନ୍ଦୁ ।

 

ଛାୟା ମୁହଁରେ ପ୍ରତିବାଦ କରିବାର ସାହସ ମୋର କେବେ ନଥିଲା । କହିଲି–

 

ବେଶ୍‌ତ ତୁମର ପୁଅ, ତୁମରି ଦିଆ ନାଁ ରହିବ ତାଙ୍କର । ସେ ତ ମୋର ଆନନ୍ଦର କଥା-। ମୋ କଥା ଶୁଣି ଓଠଚିପି ହସିଲା ଛାୟା । ତା’ର ମୁଦିଲା ଓଠର ହସର ସେ ଦୃଶ୍ୟ ମୋର କେଉଁଦିନ ହେଲେ ଭୁଲିବାର ନୁହେଁ । ମୋ ଜେଜେବାପା, ମୋର ବାପା ଏମାନଙ୍କର ଉତ୍ସୃଙ୍ଖଳତା ସମ୍ପର୍କରେ ଛାୟା ତା’ର ଆଶ୍ରିତାମାନଙ୍କଠାରୁ ବହୁତ ଶୁଣିଥିଲା । ମୋ ସମ୍ପର୍କରେ ସନ୍ଦେହ ତା’ର ଅମୂଳକ ନଥିଲା । ମୁଁ ଜାଣେ, ସେ ଆଦୌ ମତେ ଶ୍ରଦ୍ଧା କରୁନଥିଲା । କିମ୍ବା ସେହି ପୁରାଣ ଯୁଗର ନାରୀମାନଙ୍କ ପରି ସ୍ୱାମୀକୁ ଦେବତା ମଣି ଆଦୌ ଭକ୍ତି କରୁନଥିଲା । ସତ୍ୟ ପ୍ରତି ନିଷ୍ଠା ଥିଲା ତା’ର ଅଗାଧ । ପିଲାମାନଙ୍କର ନାଁ ବଦଳାଇ ସେ ଯଦି ଶାନ୍ତି ପାଇଥାଏ ତେବେ ପାଉ-

 

ସେଦିନ....

 

ସେକେଣ୍ତ–ସୋ ସିନେମା ଦେଖି ଫେରୁଥିଲୁ ପ୍ରତିମା ଓ ମୁଁ । ଆମେ ଦୁହେଁ ଜୀପ୍‌ରେ ବସିବାର ପୂର୍ବ ମୁହୂର୍ତ୍ତରେ ଆମ ସାମନାରେ ଠିଆହେଲା ଆସି ମସ୍ତବଡ଼ ଗୋଟିଏ କାର୍ । ସେଥିରୁ ଦୁମ୍ କରି ଓହ୍ଲାଇପଡ଼ିଲା ରାଜା । ଭୂତ ଦେଖିଲା ପରି ଚମକିପଡ଼ି ପଛାଇ ଗଲି ମୁଁ ଦୁଇହାତ । ରାଜା ବି ବୋକାଙ୍କ ପରି ଆମକୁ ଚାହିଁ ଦୁଇ ମିନିଟ୍ ଠିଆ ହୋଇଗଲା । ଆଖିରେ ତା’ର ନିର୍ବାକ ଚାହାଣୀ, ତାପରେ–ନିଜକୁ ସମ୍ଭାଳିନେଇ ପଚାରିଲି–

 

କିରେ, ଏତେ ରାତିରେ କାହାକୁ ଧରି କୁଆଡ଼େ ଯାଉଛୁ ! ଆଖିରେ ଘୃଣା ଆଉ କ୍ରୋଧ ମିଶାଇ ଥରେ ଦେଖିଲା ରାଜା ପ୍ରତିମା ମୁହଁକୁ ।

 

ଅବସ୍ଥାକୁ ସହଜ କରିବାକୁ ଯାଇ ଦୁହିଁଙ୍କ ଭିତରେ ପରିଚୟ କରାଇଦେବାକୁ ଗଲି । ପ୍ରତିମା ହାତଯୋଡ଼ି ନମସ୍କାର କଲା । ରାଜା କିନ୍ତୁ ସେ ନମସ୍କାରର ପ୍ରତିଦାନ ଦେଲାନି । ମତେ କହିଲା–ଚଞ୍ଚଳ ଆସ ଭାଇନା । ଭାଉଜ କଷ୍ଟ ପାଉଛନ୍ତି । ମୁଁ ଡାକ୍ତର ଡାକିବାକୁ ଆସିଥିଲି । ତୁମେ ଜଲ୍‌ଦି ଆସ । ଚାଲିଗଲା ରାଜା ।

 

ଲଜ୍ଜା ଆଉ ଦୁଃଖରେ ମନ ମୋର ଭାଙ୍ଗି ଭାଙ୍ଗି ପଡ଼ୁଥାଏ । ରାଜା ତା’ର ଭାଉଜକୁ ବର୍ତ୍ତମାନର କଥାଯାଇ କହିଲେ–ମୁଁ ମୁହଁ ଦେଖାଇବି କିପରି । ମୋର ପ୍ରତିଦିନର ମିଥ୍ୟା କୈଫିୟତ ଲାଗି ଆଜି ମୁଁ କି କୈଫିୟତ ଦେବି ଛାୟାକୁ !

 

ବହୁତ ଭାବିଲାପରେ ହଠାତ୍ କଥାଟିଏ ମନରେ ଆସିଲା ।

 

ଏ କଥା କ’ଣ ରାଜା କହିପାରିବ ତା’ର ଭାଉଜ ପାଖରେ ! ତା’ର ସେହି ମାତୃସମା ଭାଉଜ ଏକଥା ଯଦି ଛୋଟ ଦିଅରଠାରୁ ଶୁଣେ ନିଶ୍ଚୟ ସେ ଆଉ ବଞ୍ଚିବନି, ଏ କଥା ଖୁବ୍ ଭଲକରି ଜାଣେ ରାଜା । ନାଁ–ସେ କଦାପି କିଛି କହିବନି ଛାୟାକୁ । ସେ ଆଦୌ କହିପାରିବନି । ସ୍ୱସ୍ତିର ନିଶ୍ୱାସ ଛାଡ଼ି ଆଗେଇଗଲି ଘରଆଡ଼କୁ । ମୋରି ଧାରଣା ସତ ହୋଇଛି । ରାଜା କୌଣସି କଥା ତା’ ଭାଉଜ ଆଗରେ କହିନି କି ଶେଷ ପର୍ଯ୍ୟନ୍ତ ମଧ୍ୟ କହିନଥିଲା । ଛାୟାର ଝିଅ ହେଲା । ସେଇ ଝିଅ ଆଜିକାର ଏଇ ମୋର ଅଳକା ।

 

କ୍ଷଣକଲାଗି ଚୁପ୍ ହୋଇଗଲେ କନକନାରାୟଣ ।

 

ରହି ରହି ମାଗିଲେ ପାଣି ଗିଲାସେ ।

 

ପାଣି ପିଇସାରି କହିଲେ–ହଁ, ଶୁଣ ।

 

ଅଳକା ସେତେବେଳକୁ ବର୍ଷକର । କହିଲି–ଆଜି ରାତିରେ ଆଉ ଆସିବିନି ଟିକିଏ କଟକ ଯିବି ।

 

ଆଶ୍ଚର୍ଯ୍ୟ । ମୁହଁକୁ ମୋର ଚାହିଁ ହସିଦେଲା ଛାୟା । ଓଠ କୋଣରୁ ଝରିପଡ଼ିଲା ବିଦ୍ରୂପଭରା ହସର କଣିକା । ଝିକିମିକି ଆଖିରେ ତା’ର ଝରିପଡ଼ୁଥିଲା ଉଷ୍ମଧାରା । ମୁଁ କିନ୍ତୁ ସବୁକିଛିକୁ ତା’ର ଉପେକ୍ଷାକରି ଠିକ୍ ପାଞ୍ଚଟାବେଳେ ଘର ଛାଡ଼ିଲି । ମୁଁ ଯେତେବେଳେ କଟକ ଯିବି କହିଥିଲି, ସେତେବେଳେ ନିଶ୍ଚୟ ପଛରେ ଥାଇ ମୋର ନିୟତି ହସିଥିଲେ । ନହେଲେ–ଠିକ୍ ସେଇଦିନ ମୁଁ ଘରଛାଡ଼ି ବାହାରି ଆସିବାର ଅଧଘଣ୍ଟା ଭିତରେ ଛାୟାର ବଡ଼ଭାଇ ଅନନ୍ତ ଆଚାର୍ଯ୍ୟ ଆସି ଯାଜପୁରରୁ ପହଞ୍ଚିଲେ କାହିଁକି ?

 

ପରେ ସବୁ ଶୁଣିଥିଲି ରାଜା ମୁହଁରୁ ଅବଶ୍ୟ । ଭଲଭାବରେ ଲକ୍ଷ୍ୟକଲେ ଯେ କେହି ହେଉ ବୁଝିପାରିବ, ଛାୟାର ଗୋଲାପୀରଙ୍ଗ ଉପରେ ପଡ଼ିଲାଣି ମଳିନତାର ଆସ୍ତରଣ । ଗୋଲ ଗୋଲ ହାତଗୋଡ଼ ଗୁଡ଼ିକ, ଶୁଖି ସଳିତା ହୋଇଯାଉଛି । ଫୁଲା ଫୁଲା ମଖ ସଦୃଶ ପାଦଯୋଡ଼ିକରେ ଶିରାପ୍ରଶିରାର ପ୍ରାଦୁର୍ଭାବ । ତାକୁ ଦେଖିଲେ ମତେ ଭାରି ଲାଜଲାଗେ ।

 

ସେଇ ଲାଜକୁ ଘୋଡ଼ାଇବାକୁ ଯାଇ ମୁଁ ବିରକ୍ତି ପ୍ରକାଶ କରେ । କହେ–ଦେଖ ଛାୟା, ତୁମେ ଟିକିଏ ପରିଶ୍ରମ କମାଅ । ଏତେ ଖଟିବା ଠିକ୍ ନୁହେଁ । ତୁମେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଲଣି । ଆଉ କ’ଣ କେହି ନାହାନ୍ତି ଏ ଘରେ କାମ କରିବାକୁ । ତୁମର ଏକା ଏକା ଏତେ ଖଟିବା କି ଦରକାର ? ତୁମର ଖୁବ୍ ବେଶୀ ବିଶ୍ରାମର ପ୍ରୟୋଜନ ହେଉଛି ବୁଝିପାରୁନା କାହିଁକି ?

 

ଛାୟା ତା’ର ବଙ୍କିମ ଭ୍ରୂଲତାକୁ ଆହୁରି ବଙ୍କାଇ ଦିଏ । ତାପରେ.....ରକ୍ତଲାଲ ଓଠରେ ତୀର୍ଯ୍ୟକ୍ ହସଗାରେ ଟାଣିଦେଇ ଶଙ୍ଖଧବଳ ଗ୍ରୀବାରେ ଗୋଟାଏ ଅପରୂପ ଭଙ୍ଗିଫୁଟାଇ ଚାଲିଯାଏ ସିଏ । ଚାଲିବା ଭଙ୍ଗିରେ ତା’ର ଫୁଟିଉଠେ ଗୋଟାଏ ବେପରୁଆ ବିଦ୍ରୂପ ଭାବ । ଅପଲକ ଆଖିରେ ଚାହିଁରହେ ମୁଁ ତା’ର ଯିବାବାଟକୁ । ଲଜ୍ଜା ଆଉ ଘୃଣାରେ ମନଟା ମୋର କିପରି ଝାଉଁଳିପଡ଼େ । ତାଦେହର ଅବନତିକୁ ମୁଁ କେବଳ ଚାହିଁ ଚାହିଁ ଦେଖେ । ତଥାପି ମୁଁ ପାରେନି ସାତତାଳ ପଙ୍କଭିତରୁ ଉଠିଆସି ତା’ଦେହର ଏବଂ ମନର କ୍ଳାନ୍ତକୁ ପୋଛିଦେବାପାଇଁ । ମୋରି ଆଗରେ ଧିରେ ଧିରେ ନିଃଶେଷ ହୋଇଯାଏ ମୋର ଛାୟା । ଆଶ୍ଚର୍ଯ୍ୟ ! ତା’ର ସବୁ କିଛି ମଉଳି ଯିବା ସତ୍ତ୍ୱେ, ହଜିଯିବା ସତ୍ତ୍ୱେ ବି ଜିଇଁରହେ ତା’ର ମୁଦିଲା ଓଠର ହସଗାରଟି । ଆଖିର ଚାଁହାଣୀ ଆଉ ଓଠର ହସରେ ଫୁଟିଉଠେ ତା’ ମନର ସକଳ ଭାବନା । ତା’ର ସେଇ ହସ ଆଉ ଚାଁହାଣୀ ସହିତ ମୋର ଥିଲା ଏକମାତ୍ର ପରିଚୟ ! ତେଣୁ ମୁଁ ତାକୁ ବୁଝିପାରେ ସେଦିନ.....

 

ତା’ର ଚାଲିଯିବା ଧରଣରେ ବେଳେବେଳେ ମୁଁ ଅପମାନିତ ବୋଧକରେ । ଆଉ ଠିକ୍ ସେତିକିବେଳେ ଗଳାରେ ବିଦ୍ରୂପଭରି ରାଜା କହିଉଠେ, ଭାଉଜ କାମ ନକଲେ ବଞ୍ଚିବେନି ତ ? ଆଉ, ତାଛଡ଼ା ତୁମେ କ’ଣ ଭାବିଚ ଭାଇନା ଯେ, ସେ କାମକରି ଝଡ଼ି ଯାଉଚନ୍ତି ? ନା । ତୁମେ ଯାହା ଜାଣିବାର ଠିକ୍ ଜାଣିଛ । ଛାଡ଼.....ତେବେ କାମ ତାଙ୍କୁ କରିବାକୁ ପଡ଼ିବ । କିଛି ନା କିଛି କାମ ସେ କରିବାକୁ ନପାଇଲେ; ପ୍ରାଣଶକ୍ତି ତାଙ୍କର ଆହୁରି ଶୀଘ୍ର କମିଯିବ । ମୁହଁ ବୁଲାଇ ହସ ଲୁଚାଏ ରାଜା । ତା’ର ସେଇ ହସଗାରକ ଘୃଣାରେ କିପରି କଳା ଦିଶୁଥାଏ । ସେଇକଥା ଲକ୍ଷ୍ୟକରି ମୁଁ ଗର୍ଜିଉଠେ । କହେ–କ’ଣ ପାଇଁ ତେବେ ଭାଉଜରାଣୀ ତୁମର ଅସୁସ୍ଥ ହୋଇପଡ଼ୁଛନ୍ତି ଶୁଣେ ? କାମ ନ କଲେ କ’ଣ ପାଇଁ ସେ ବଞ୍ଚିବେନି ଶୁଣେ ?

 

ମୋ କଥା ଉତ୍ତର ନଦେଇ ମୁହଁ ବୁଲାଇ ଚାଲିଯାଏ ରାଜା । ତା’ ଚାଲିବା ଧରଣରେ ବି ପ୍ରକାଶପାଏ ମୋ ପ୍ରତି କିପରି ଏକ ତାଚ୍ଛଲ୍ୟ ଭାବ । ମୋର ବଳିଷ୍ଠ ମୁଠାରେ ରାଜାର କଅଁଳିଆ ବେକଟିକୁ ଚିପିଦେବାକୁ ଭୀଷଣ ଇଚ୍ଛାହୁଏ । କିନ୍ତୁ କିଛି ମୁଁ ପାରେନି । ମନେ ମନେ ମୁଁ ଖାଲି ହାତ କାମୁଡ଼େ । ମୁଁ ଭଲକରି ଜାଣେ–ରାଜା ଛାୟାର ଦିଅର ସତ କିନ୍ତୁ ଛାୟା ଆଖିରେ ସେଇ ରାଜା ହିଁ ଛାୟାର ବଡ଼ପୁଅ । ମା’ ଲାଗି ସବୁଦିନ ପୁଅର ପକ୍ଷପାତିତ୍ୱ । ମା’ର ଅପମାନ, ମା’ର ଦୁଃଖ, କେବେହେଲେ କେଉଁ ପୁଅ କୌଣସି ଦିନ ସହିପାରେନି । ଆଉ, ତା’ର ସେଇ ମା’କୁ ଯିଏ ଦୁଃଖ ଦିଏ, ଅପମାନ ଦିଏ, ସିଏ ଯେଡ଼େ ଗୁରୁଜନ ହେଉନା କାହିଁକି–ସେଇ ଗୁରୁଜନର ସେଇ ପୁଅ ଆଦୌ ଶ୍ରଦ୍ଧା ବା ଭକ୍ତି କରିପାରିବନି ।

 

ଧିରେ ଧିରେ ସବୁ ରାଗ ମୋ ପାଣି ହୋଇଆସେ । ମୁଁ ଶାନ୍ତ ହୋଇଯାଏ ।

 

ସେଦିନ...

 

ଯେଉଁଦିନ, କଟକ ଯିବା ନାଁ କହି ପାଞ୍ଚଟାରେ ଘରୁ ବାହାରିଗଲି–

 

ସେଇଦିନ ଆସିଲେ ଅନନ୍ତ ଭାଇନା ।

 

ଶୁଖିଲା, ଅସଜଡ଼ା, ଅଲରା ରୂପ ନେଇ ଛାୟା ଯାଇ ପ୍ରଣାମ କଲା ଅନନ୍ତ ଭାଇନାଙ୍କୁ । ଶୁଖିଲା ମୁହଁରେ ଛାୟାର ମଉଳା ହସ ! ସେଇ ହସ ଦେଖି, ଭାଇନା ମନରେ ବହୁତ ଦୁଃଖ ପାଇଲେ । ଆଦର କରି କହିଲେ–କି ଘରକରଣା କରୁଛୁ ରାଣୀ ଯେ ନିଜପ୍ରତି ଟିକିଏ ଯତ୍ନ ନେଇପାରୁନୁ ? ଗଲୁ, ମୁଣ୍ତ ବାନ୍ଧି ଲୁଗାପଟା ପିନ୍ଧିଲୁ, ମୁଁ ଟିକିଏ ସିନେମା ଯିବି ଆଜି । ତୁ ବି ଚାଲେ-। ଚାଲ ରାଜାବାବୁ, ଚାଲ ଯିବା ଚାଲ ।

 

କଣ୍ଠରେ ପ୍ରତିବାଦ ଭରି ଛାୟା କହିଲେ–

 

ମୋର ତ କେତେ କାମ, କୁଆଡ଼େ ଯିବି ମୁଁ । ତୁମେ ମଫସଲରୁ ଆସିଚ । ତୁମେ ବରଂ ଯାଇ ଦେଖିଆସ । ଛାୟାଙ୍କ ଓଠରେ ପରିହାସ ବୋଳା ହସ ।

 

ଗାଲ ଫୁଲାଇଲେ ଅନନ୍ତ ଆଚାର୍ଯ୍ୟ । କହିଲେ–

 

ଉଃ, ଭାରି ତ ସହରିଆଣୀ ତୁ । କେତେ ଯେ ଭଲମନ୍ଦ ଦେଖୁ ସେକଥା ତତେ ଦେଖିଲେ ଖୁବ୍ ଜାଣିପାରେ । କାମ, କାମ, ଆଉ କାମ । ଏଇତ ହେଲା ତୋ ଜୀବନର ସର୍ବସ । କିଛି ମୁଁ ଶୁଣିବିନି । ଆଉ ଅଳ୍ପ ସମୟ ଅଛି । ଖୁବ୍ ଭଲ ଛବି । ମୋ ସାଙ୍ଗରେ ନିଶ୍ଚୟ ତତେ ଯିବାକୁ ପଡ଼ିବ ।

 

ଆଉ ବେଶୀ ପ୍ରତିବାଦ କରିପାରିଲେନି ଛାୟା ।

 

ଚଞ୍ଚଳ ପାଦରେ ଚାଲିଗଲେ ସିଏ ଅନ୍ୟଘରକୁ । ଅଧଘଣ୍ଟା ଭିତରେ ପୁଣି ଲେଉଟିଆସିଲେ । ଆକାଶ ନୀଳ ବନରାସୀରେ ଖୁବ୍ ସୁନ୍ଦର ଦିଶୁଥିଲେ ଛାୟା । ଘରୁ ବାହାରିପଡ଼ିଲେ–ରାଜା, ଅନନ୍ତ ଭାଇନା ଆଉ ଛାୟା ।

 

ଘରର ବଡ଼ କଳାରଙ୍ଗର କାରଟା–ରାଜା ଅଳ୍ପ ସମୟ ଆଗରୁ ବାହାରକୁ ଆଣି ଝଡ଼ାପୋଛା କରି ରଖିଦେଇଥିଲା । ଆଜିକାର ଏଇ ଭୀମ–ସେତେବେଳକୁ ସେ ଆମ ଘରେ ଆସି ଛମାସ ରହିଲାଣି । ଅଳକାକୁ ଧରିବା ପାଇଁ ସେ ଆସିଥିଲା । ଛାୟା ଭୀମକୁ ଭାରି ଭଲପାଏ । ଶୁଭେନ୍ଦୁ ନୀଳେନ୍ଦୁଙ୍କ ପରି ସମାନ ସ୍ନେହ ପାଏ ଭୀମ ଛାୟାଙ୍କଠାରୁ । ସେଇ ଭୀମ ପାଖରେ ଅଳକାକୁ ରଖି ଛାୟା ଏମାନେ ଆସିଲେ ସବୁ ସିନେମା ଦେଖି । ସେମାନେ ହଲରେ ପହଞ୍ଚିଲା ବେଳକୁ ହଲଟା ଅନ୍ଧାର ହୋଇଯାଇଥିଲା । ଛାୟା ଯେଉଁଠି ବସିଥାଏ ତା’ର ଗୋଟିଏ ପଟେ ରାଜା ଓ ଅନ୍ୟ ପାଖେ ଅନନ୍ତ ଭାଇନା ।

 

କିଛି ସମୟ ପରେ...

 

କର ଲେଉଟାଇ ଘୂରି ବସିଲେ ରାଜା । ମୁହଁରେ ତା’ର ଫୁଟିଉଠିଲା ବିରକ୍ତିର ସୁସ୍ପଷ୍ଟ ରେଖା ।

 

ରାଜାଙ୍କର ଅସ୍ୱସ୍ତିକୁ ଛାୟା କିନ୍ତୁ ଅନୁଭବ କରିପାରିଲେ । ମୁଁହ ଫେରାଇ ଚାହିଁଲେ ସିଏ ରାଜାର ମୁହଁକୁ ।

 

ଅଧିର କଣ୍ଠରେ ରାଜା କହିଉଠିଲେ–ମୋ ମୁଣ୍ତ ଖୁବ୍ ବିନ୍ଧୁଛି ଭାଉଜ । ମତେ କିଛି ଭଲଲାଗୁନି । ମୁଁ ଘରକୁ ଯିବି । ରାଜାଙ୍କ କଥା ଶୁଣି ସାମାନ୍ୟ ଶବ୍ଦ କରି ହସିଦେଲେ ଛାୟା । ବାଁ ହାତରେ ରାଜାଙ୍କର ଗୋଟିଏ ହାତକୁ ଚାପିଧରି ବସାଇ ରଖିଲେ । ତାପରେ–ତୀର୍ଯ୍ୟକ ଦୃଷ୍ଟି ହାଣି–କହିଲେ–ହଁ ଖୁବ୍ ସହଜ ଗଳାରେ କହିଲେ–ଅଶାନ୍ତ ହୁଅନି ରାଜା । ବସ । ଆଚ୍ଛା ରାଜା କୁହତ, ସାମନା ଚେୟାରରେ ତୁମ ଭାଇନାଙ୍କ ପାଖରେ ଯେଉଁ ଝିଅଟି ବସିଚି ସେ କିଏ ? କିଏ ସେ ?

 

ଏଁ, ଭାଇନା–ଭାଇନା କାହାନ୍ତି ମ ? ଚାଲିଯିବା ଭାଉଜ, ଅଳକା କାନ୍ଦୁଥିବ । ଏଥର କୁଆଡ଼େ ଆହୁରି ଶବ୍ଦ ତୋଳି ହସିଉଠିଥିଲେ ଛାୟା । କହିଥିଲେ–ପାଗଳାମି କରନି ରାଜା । ମୁଁ ଭଲକରି ଜାଣେ, ମୁଁ ତୁମ ଭାଇନାଙ୍କୁ ଦେଖିବାର ବହୁ ପୂର୍ବରୁ ତୁମେ ତାଙ୍କୁ ଦେଖିନେଇଛ । ଆଉ ସେଇଥିପାଇଁ ମୁଣ୍ତ ତୁମର ବିନ୍ଧିଉଠିଲା । ଅଧୀର ନ ହୋଇ ବସ ତୁମେ ।

 

ସିନେମା ସରିବା ପରେ ହଲ୍‍ଟା ଭାସିଗଲା ଆଲୋକ ବନ୍ୟାରେ । ଦର୍ଶକ ସମାବେଶ ଭାଙ୍ଗିଲା । କିଛିକ୍ଷଣ ପରେ ଛାୟା ଏମାନେ ମଧ୍ୟ ଚେୟାର ଛାଡ଼ି ଉଠିଲେ ।

 

ଫିସ୍ ଫିସ୍ କଣ୍ଠରେ ଛାୟା ରାଜାଙ୍କ କାନରେ କହିଲେ–

 

ରାଜା–ମୋ ଭାଇନାଙ୍କୁ ମୁଁ କହିଥିଲି ତୁମ ଭାଇନା କଟକ ଯାଇଛନ୍ତି ବୋଲି; କିନ୍ତୁ ଏଇକ୍ଷଣି ଦେଖାହୋଇଯିବ ସେ ଦୁହିଁଙ୍କର । ପୁରୁଷ ପ୍ରଳୟ କରେ, ନାରୀ ଆଣେ ସ୍ଥିତି । ଅନେକ କିଛି କୈଫିୟତ ଦେବାକୁ ପଡ଼ିବ ମତେ, ଯେହେତୁ ପ୍ରଳୟକୁ ମୁଁ ଭଲପାଏନି । ତା’ ଆଗରୁ ମତେ ଥରେ କୁହ କିଏ ସେ ଝିଅଟି ।

 

ରାଜା ସେଦିନ କ୍ରୁଦ୍ଧ କଣ୍ଠରେ କହିଥିଲା–

 

ପୋଲିସ ଇନ୍‌ସ୍‌ପେକଟର ସୁରେଶ ମହାନ୍ତିଙ୍କ ବିଧବା ଭଉଣୀ–ପ୍ରତିମା ।

 

ତାପରେ...ଆମେ ସମସ୍ତେ ଏକତ୍ର ହୋଇଗଲୁ ହଲ୍‌ ବାରଣ୍ତାରେ । ମୁଁ ଅବାକ୍ ଆଖିରେ ଚାହିଁଲି ଛାୟାର ମୁଁହକୁ । ସେପର୍ଯ୍ୟନ୍ତ ଧରି ରହିଚି ପ୍ରତିମା ମୋର ଗୋଟିଏ ହାତକୁ । ଛାୟାର ଆଖିରୁ ଝରୁଥିଲା ଘୃଣାର ରାଣି ରାଣି ଅଗ୍ନି କଣିକା । ସେଇ ଆଖିରେ ମିଶିଗଲା ମୋର ଲଜ୍ଜାନତ ଆଖିଦୁଇଟି । ତାପରେ ଗୋଟି ଗୋଟି କରି ସମସ୍ତଙ୍କ ମୁହଁରେ ମୋର ଆଖିପଡ଼ିଲା । ଏସବୁ ରାଜାର କାରସାଦି ଭାବି ଦେହ ମନ ମୋର ଜଳିବାକୁ ଲାଗିଲା । ସେଇ ଜଳନ୍ତା ମନ ନେଇ ଆଗେଇଗଲି ଭୋଳା ମହେଶ୍ୱର ସଦୃଶ ଅନନ୍ତ ଭାଇନାଙ୍କ ପାଖକୁ । ସେ ଦୁଇହାତ ବଢ଼େଇ ମତେ ଛାତିରେ ଯାକିଧରିଲେ । ପ୍ରତିମାର ଉପସ୍ଥିତି ଠିକ୍ ସେତିକିବେଳେ ବିଷପରି ଲାଗିଲା ମତେ । ଭାଇନା ହସି ହସି କହିଲେ–

 

ଛାୟା, ତୁ ପରା କହୁଥିଲୁ କନକ କଟକ ଯାଇଛି ବୋଲି ? ଆରେ...ଏଇ ଝିଅଟି କିଏ ସେ ? ସ୍ନେହ ସରଳତାର ପ୍ରତିମୂର୍ତ୍ତି ସେଇ ଅନନ୍ତ ଭାଇନା ।

 

ବୁଦ୍ଧିମତୀ ଛାୟା ଆଖିରୁ ସେତେବେଳକୁ ଲିଭି ଯାଇଥିଲା ଅଗ୍ନିଶିଖା । ଫୁଟିଉଠିଥିଲା ସେଠି ହରିଣୀର ଚଳଚଞ୍ଚଳ ଅସ୍ଥିର ଦୃଷ୍ଟି । ଛାୟା ନିଜର ସମ୍ମାନକୁ ନିଜେ ରକ୍ଷାକରେ ସର୍ବଦା । କାହାରି ପାଖରେ ନିଜକୁ ସେ ଛୋଟ କରିବାକୁ ଚାହେଁନି । ତେଣୁ...ସେଇ ମୁହୂର୍ତ୍ତରେ ସେ ଖିଲିଖିଲି କରି ହସିଉଠି କହିଲା–କହିବାକୁ ଭୁଲିଯାଇଥିଲି ଭାଇନା । ସେ କଟକ ଯିବାକଥା କହିଲାବେଳେ ଆହୁରି ମଧ୍ୟ କହିଥିଲେ ଯେ–କଟକ ଯଦି ନ ଯାଏ ତେବେ ମୋର ଜଣେ ବନ୍ଧୁଙ୍କ ଭଉଣୀକୁ ନେଇ ଆଜି ସିନେମା ଯିବି । ଏଇ ଶେଷକଥା ପଦକ ମୁଁ ତୁମକୁ ଏକଦମ ଭୁଲିଯାଇଥିଲି କହିବାକୁ । ଭାଇନା ସେଦିନ ହସିଉଠି କହିଥିଲେ–

 

ଏଇ ସାମାନ୍ୟ କଥା ପଦକ ମତେ ତୁ କହିବାକୁ ଭୁଲିଗଲୁ ! ଅଥଚ...ତୋର ସ୍ମରଣଶକ୍ତି କଥା ଭାବି ଏବେଯାଏ ମଧ୍ୟ ଘରେ ଆମେ ସମସ୍ତେ ଗୁଣୀ ହେଉ, ଝୁରିହେଉ । ଆଶ୍ଚର୍ଯ୍ୟ !

 

ଆକାଶର ମହାଶୂନ୍ୟରେ ଆଖି ଭସାଇଦେଲେ ଅନନ୍ତ ଭାଇନା ।

 

ହୁଏତ ତାଙ୍କର ଅତି ଆଦରର ଭଉଣୀ ଭିତରେ ଅନେକ କିଛି ପରିବର୍ତ୍ତନ ଦେଖି ସେ ମନରେ ଦୁଃଖ ପାଉଥିଲେ ।

 

ଛାୟା ବି ହସିଲା । କହିଲା–

 

ଦୁଃଖ କରୁଚ ଭାଇନା ? କେଡ଼େ ବଡ଼ କୁଟୁମ୍ବରେ ଦେଇଚ ମତେ କହିଲ । ସେଥିରେ ପୁଣି ତିନୋଟି ପିଲା । ମୋର ମୁଣ୍ତ ଖରାପ କରିଦିଅନ୍ତି ସେମାନେ ।

 

ହସର ଫୁଲ ଫୁଟିଲା ଅନନ୍ତ ଭାଇନାଙ୍କ ମୁହଁରେ ।

 

କହିଲେ–ଏ କୁଟୁମ୍ବଟାକୁ ତୁଇ ତ ବଡ଼ କରିଚୁ ରାଣୀ । ମୋର କି ଦୋଷ କହିଲୁ । ଶାନ୍ତିରେ ରହିବୁ ବୋଲି ତ ଏଇ ନିଜୁମ୍ ସଂସାରରେ ତତେ ଦିନେ ଆଣି ଛାଡ଼ି ଦେଇଥିଲି । ଚୁପ୍ ହୋଇଗଲେ ଅନନ୍ତ ଭାଇନା ।

 

ମୁଁ କିନ୍ତୁ ଅପଲକ ଆଖିରେ ଚାହିଁ ରହିଥିଲି ଛାୟାର ଉଚ୍ଛ୍ୱସିତ ମୁହଁକୁ କୃତଜ୍ଞତାରେ ମଥା ମୋର ନଇଁ ଆସୁଥିଲା । ହେଲେ–ମୋର ବନ୍ଧୁର ଭଉଣୀ ବୋଲି ଛାୟା କିପରି ଜାଣିଲା । ଅନ୍ଦାଜ ତା’ର ଏତେ ନିର୍ଭୁଲ ହେଲା କିପରି ? ମହାରାଣୀର ଭଙ୍ଗି ନେଇ ମୋଆଡ଼କୁ ଘୂରିପଡ଼ିଲା ଛାୟା । କହିଲା–ଶୁଣ, ପ୍ରତିମାକୁ ତାଙ୍କ ଘରେ ଛାଡ଼ିଦେଇ ଶୀଘ୍ର ଆସ । ତୁମେ ଆସିଲେ ଆମେ ଏକାଠି ଖାଇବୁ । ମୁହଁରେ ମୋର ଗୋଟିଏ ବିଦ୍ରୂପଭରା ଦୃଷ୍ଟି ହାଣି ସେଠାରୁ ଚାଲିଗଲା ଛାୟା ।

 

ଅନେକ ସମୟ ସ୍ଥାଣୁ ପାଲଟି ଠିଆ ହୋଇ ରହିଲି ମୁଁ । ନିର୍ବାକ ହୋଇ ଠିଆ ହୋଇଥିଲା ପ୍ରତିମା ମଧ୍ୟ । ଛାୟାକୁ ଦେଖୁଥିଲା ସେ ମୁଗ୍‌ଧ ବିସ୍ମୟରେ ।

 

ଜଡ଼ିତ କଣ୍ଠରେ କହିଲା ପ୍ରତିମା–ଆପଣଙ୍କ ସ୍ତ୍ରୀ ସିଏ ନା ?

 

କହିଲି–ହଁ ।

 

କଣ୍ଠରୁ ମୋର ଝରିପଡ଼ିଲା ରାଶି ରାଶି ବିରକ୍ତି । ସେଇ ବିରକ୍ତିକୁ ଉପଲବ୍‌ଧି କଲା ପ୍ରତିମା । ଅହଙ୍କାରରେ ତା’ର ଆଘାତ ଲାଗିଲା । ମୋର ହାତ ଛାଡ଼ିଦେଇ ଗୁମ୍ ହୋଇ ସେ ବାହାରିଆସିଲା ପଦାକୁ ।

 

ତାକୁ ନେଇ ଛାଡ଼ିଦେଇ ଆସିଲି ତାଙ୍କ ଘରେ । ତାପରେ...

 

ଫେରି ଚାଲିଲି ଛାୟା ନୀଡ଼କୁ ।

 

ଘରେ ପହଞ୍ଚି ଦେଖିଲି ଖାଇବାପାଇଁ ବ୍ୟବସ୍ଥା କରିବାରେ ଲାଗିପଡ଼ିଛି ଛାୟା । ସମସ୍ତେ ଏକା ସାଙ୍ଗରେ ଖାଇଲୁ । କେତେ ଯେ ଆନନ୍ଦରେ ମୁହୂର୍ତ୍ତଗୁଡ଼ିକ କଟିଯାଉଥାଏ ସେଇ କଥା ମନେପଡ଼ିଲେ ମନ ମୋର ଏବେବି ଉଦାସ ହୋଇଯାଏ । ସେଦିନ ବହୁତ ରାତି ପର୍ଯ୍ୟନ୍ତ ଅନନ୍ତ ଭାଇନାଙ୍କ ସହିତ ଗପକଲି । ଛାୟା ଏକଦମ ହସ ଖୁସିର ପ୍ରତିମା । ମନର କେଉଁ କୋଣରେ ଟିକିଏ ହେଲେ ଦୁଃଖ ଅଛି ବୋଲି କେହି ଜାଣିପାରିବେ ନାହିଁ । ତା’ର ସେଇ ହସ ତଳେ ତଳେ ଯେ କାନ୍ଦ ଆସି ଲହଡ଼ି ଭାଙ୍ଗୁଚି ସେକଥା ମୋ ଛଡ଼ା ଆଉ ଜଣେ ଜାଣିପରିଥିଲା । ସେ ହେଉଚି ଛାୟାର ପ୍ରାଣପ୍ରତିମ ରାଜା । ଦୁଇ ହାତରେ ମୁହଁ ଘୋଡ଼ାଇ ବସିଥାଏ ରାଜା ଗୋଟିଏ ଆରାମଚେୟାରରେ । ନୀରବ ହୋଇଯାଇଥାଏ ଉଚ୍ଛଳ ଚଞ୍ଚଳ ସ୍ୱଭାବର ରାଜା । ତା’ର ଏଇ ନୀରବତା ମତେ ବଡ଼ ଲଜ୍ଜା ଦେଉଥାଏ । ତା’ର ସେଇ ଭାବ ଦେଖି ହଠାତ୍ ଅନନ୍ତ ଭାଇନା ପଚାରିଦେଲେ–କ’ଣ ଯେ ଏତେ ଭାବୁଚ ରାଜାବାବୁ ?

 

ଶୁଷ୍କ ଗଳାରେ ରାଜା କହିଲା–ମୋର ମୁଣ୍ତ ବିନ୍ଧୁଛି ।

 

ହଠାତ୍ କାହିଁକି ଚିଡ଼ିଉଠିଲା ଛାୟା । କହିଲା–

 

ମୁଣ୍ତ ବିନ୍ଧୁଛି ତ ଏଠି ବସିଛି କାହିଁକି ? ଯାଅ, ଶୁଅ ଯାଇ । ଏଠାରେ ଏପରି ବସିରହି ମତେ ବିରକ୍ତ କରନାହିଁ । ଏମିତି ଆନନ୍ଦମୟ ପରିବେଶ ମଧ୍ୟରେ ତୁମର ସେଇ ଗୁମ୍‌ସୁମ ଭାବଟା ଅତ୍ୟନ୍ତ ଅସହ୍ୟ ଲାଗୁଚି । ଏଠୁ ଉଠ ତ, ଉଠିଯାଅ ।

 

ମୁଁ କିନ୍ତୁ ବୁଝିପାରିଲି ଛାୟାର ବିରକ୍ତି ହେବାର କାରଣ ।

 

ସିନେମା ହଲରେ ରାଜା ସାମନାରେ ଯେଉଁ ଘଟଣା ଘଟିଲା ସେଇଟା ଛାୟାକୁ କରିଚି ଅଶାନ୍ତ ଅସ୍ଥିର । ଛାୟା ହୋଇଚି ଅସହିଷ୍ଣୁ । ସେଇ ଅସହିଷ୍ଣୁତା ତା’ର ଫୁଟିଉଠୁଚି ସାମାନ୍ୟ କାରଣରେ, ସାମାନ୍ୟ କଥାରେ । ଆଉ ରାଜା ତା’ର ଅତି ଆପଣାର । ରାଜା ତା’ର ଅତ୍ୟନ୍ତ ନିଜର-। ତେଣୁ ସେଇ କ୍ରୋଧଟା ପ୍ରକାଶ ପାଉଚି ରାଜା ଉପରେ । ସବୁ ମୁଁ ବୁଝେ, କିନ୍ତୁ କିଛି ମୋର କରିବାର ନ ଥାଏ । ମୁଁ ତ ଘୁଞ୍ଚିଗଲି ତା’ର ଜୀବନରୁ ଅନେକ ଦୂରକୁ । ଏକଦମ ପର ହୋଇଗଲି-। ତେଣୁ ଛାୟା ଅଜାଡ଼ି ଦେଲା ତା’ର ସମସ୍ତ ସ୍ନେହ ସୋହାଗ ରାଜା ଉପରେ ।

 

ବାଧ୍ୟ ପିଲାଟି ପରି ସେଠାରୁ ଧିରେ ଚାଲିଗଲା ରାଜା ।

 

କିଛିସମୟ ପରେ ଆମେ ବି ଚାଲିଗଲୁ ।

 

ମୁଁ ଶୋଇବା ଘରେ କେତେ ମିଥ୍ୟାର ଜାଲ ବୁଣିଚାଲିଲି । ସେ ଜାଲରେ ଛାୟାର ମନଟାକୁ ଛନ୍ଦିଛାନ୍ଦି ଦେଇ ପୁଣି ମୋର ଅକ୍ତିଆରରେ ବନ୍ଦି କରିବାର ବହୁତ ଫନ୍ଦି ମନକୁ ଆଣିଲି । କିନ୍ତୁ ହାୟ, ମୋର କଳ୍ପନାର ମୀନାରକୁ ଧୂଳିସାତ କରି କାନ୍ଥ ଘଣ୍ଟାରେ ବାଜିଉଠିଲା ଦୁଇଟା । ସ୍ତବ୍‌ଧ ମଉନ ରାତ୍ରିର ବୁକୁ ଚିରି ଡାକିଚାଲିଚି ରାତ୍ରିର ଝିଙ୍କାରୀ । ଝଙ୍କାରୀର କଣ୍ଠ ଶବ୍ଦରେ ଶତ ଶତ ନୂପୁରର ରୁଣୁଝୁଣୁ ଶବ୍ଦ । ଯେଉଁ ଶବ୍ଦ ଛାୟାର ପାଦର ନୂପୁର ଶବ୍ଦ ବୋଲି ମନରେ ମୋର ଭ୍ରମ ସୃଷ୍ଟି କରୁଥିଲା ଏ ପର୍ଯ୍ୟନ୍ତ । ନିମିଷକେ ଅନ୍ତଃର୍ହିତ ହେଲା ସେଇ ଭ୍ରମ । ମୁଁ ହେଲି ସଚେତନ-। ‘‘ଛାୟାନୀଡ଼’’ର ନିଝୁମତା ନିଃଶେଷ କରିଦେଲା ମୋରି ଏଇ ଜୀବନ ପାତ୍ରକୁ ।

 

ଉଠିଗଲି ବାହାରକୁ ।

 

ମୋ ଶୋଇବା ଘରକୁ ଲାଗି ଆଉ ଗୋଟିଏ ଘର ଥିଲା । ସେଇ ଘରର ଝରକାରେ ଯାଇ ଆଖି ରଖିଲି । ଖଟଉପରେ ଶୋଇରହିଛି ଛାୟା କୋଳରେ ଅଳକାକୁ ନେଇ । ଚଟାଣରେ ଜାକିଜୁକି ଶୋଇ ରହିଚି ଭୀମ । ଅନୁଭବ କଲି ଶୋଇନି ଛାୟା ।

 

ଛୋଟିଆ ଦେହଟି ତା’ର ଥରୁଚି, ଫୁଲି ଫୁଲି କାନ୍ଦୁଚି ଛାୟା । ତା’ର ନିରନ୍ଧ୍ର ପାଦାଡ଼ି ମନ ଭେଦି ଝରିଆସୁଚି ଗଙ୍ଗାଯମୁନାର ଅବିରାମ ଧାରା । ତିନି ଚାରି ଘଣ୍ଟାଧରି ଛାତିତଳେ ଯେଉଁ କୋହଟାକୁ ଅଟକାଇ ରଖିଥିଲା, ବର୍ତ୍ତମାନ ଛାତିଫାଟି ତାହା ପଦାକୁ ବାହାରିଆସିଚି ।

 

ଆସ୍ତେକରି ଦୁଆର ଠେଲି ଘରଭିତରେ ପାଦଦେଲି ।

 

ପାଦ ପାଦ କରି ଆଗେଇ ଗଲି ଛାୟାର ଶର୍ଯ୍ୟାଧାର ନିକଟକୁ ।

 

ଛାୟାପାଖରୁ ବେଶ କିଛି ବ୍ୟବଧାନ ରଖି ବସିପଡ଼ିଲି ତାରି ଖଟଉପରେ । କେଜାଣି କାହିଁକି ଆଜି ତା’ର ଦେହଟାକୁ ଛୁଇଁ ଦେବାକୁ ସାହସ ପାଇଲି ନାହିଁ । ମନରେ ମୋର ଭୀଷଣ ଭୟ ଜାତହେଲା । ମୋର ଖାଲି ମନହେଲା ମୋରି ସ୍ପର୍ଶରେ ସାଙ୍ଗେ ସାଙ୍ଗେ ଉଭାଇଯିବ ଛାୟାର ନରମ ପବିତ୍ର ଦେହଟା ।

 

କଣ୍ଠରେ ଅନୁନୟ ଭରି, ରହି ରହି କହିଲି–ମତେ କ୍ଷମାକର ଛାୟା । ଛାୟା କିନ୍ତୁ ଅନଡ଼, ଅଚଳ ।

 

ସବୁ କାକୁତି, ସବୁ ମିନତି ମୋର ବ୍ୟର୍ଥହେଲା । ଛାୟା ଜାତିର ସ୍ତ୍ରୀମାନେ ସବୁ ସହିପାରନ୍ତି; କିନ୍ତୁ ଏହି ଅପରାଧକୁ ସେମାନେ ସହିପାରିବେନି । ସେମାନେ କ୍ଷମା ଦେବେନି । ଅସହାୟ ହୋଇପଡ଼ିଲା ମୋର ମନର ଅଶାର ବ୍ୟାଘ୍ର । କିନ୍ତୁ ସେକଥା ସେଇ କ୍ଷଣକଲାଗି । ତଟକା ରକ୍ତର ସ୍ୱାଦରଖି ଯେଉଁ ବ୍ୟାଘ୍ର ଉନ୍ମାଦ, ଉନ୍‌ମତ୍ତ, ସେଇ ବ୍ୟାଘ୍ର ଘୂରିବୁଲିଲା ପୁଣି ଏଇ ମନର ସୁନ୍ଦରବନରେ । ତଥାପି ବେଳେବେଳେ ମନର ବ୍ୟାଘ୍ର ମୋର ଚାହେଁ ବନ୍ଦି ହେବାକୁ, ଚାହେଁ ଟିକିଏ ନିରାପଦ ଆଶ୍ରୟ ।

 

ଡାକ୍ତର, ଏଇ ଗୋଟିଏ ଦେହ ତଳେ ଦୁଇଟି ଦେହ ନେଇ, ଦୁଇଟି ମନ ନେଇ ମୁଁ ଅସ୍ଥିର ହୋଇଉଠିଛି । ମୁଁ ବିବ୍ରତ ବୋଧ କରିଛି, ମୁଁ ଅଶାନ୍ତ ହୋଇଯାଇଚି । ତଥାପି ସରଳ ମସୃଣ ପଥର ସନ୍ଧାନ ପାଇନି ।

 

ମୋ ପାଖରୁ ଦୂରେଇଗଲା ଛାୟା, ହଜିଗଲା ଛାୟା !

 

ସେଇ ଦିନଠାରୁ ସେ ତା’ର ଶେଷଦିନ ପର୍ଯ୍ୟନ୍ତ ଅଲଗା ଘରେ ଶୋଇ କଟାଇଦେଲା । ହଁ......ହଁ, ମଝିରେ ଗୋଟିଏ ଦିନ ପଚାରିଥିଲା ଛାୟା......ଯେ ଏମିତି କାହିଁକି କଲ ? ଏପରି କାହିଁକି ହେଲ ?

 

ତା’ଠାରୁ ଘୃଣା ପାଇ ପାଇ ମନ ମୋର ବିଷାକ୍ତ ହୋଇଯାଇଥିଲା । ତା’ର ସେଇ ପ୍ରଶ୍ନ ଶୁଣି ମଥାରେ ମୋର ଶଇତାନ ଚାପିଲା । କହିଲି–ଯାହାକଲି ବେଶ୍‌କଲି, ଯାହା ହେଲି–ତାହା ହେବା ଉଚିତ ବୋଲି ହେଲି । କାହାର ବାପଧନ ଖାଇ ମୁଁ ସେପରି କରିନି । ମୋ ଧନଖାଇ ମୋର ଯାହା ଇଚ୍ଛା ହେଲା ତାହା କଲି । ମୁଁ କେଳା ନୁହେଁ ଯେ, ବିଷଝଡ଼ା ନାଗୁଣୀକି ବି ବେକରେ ଗୁଡ଼ାଇ ରଖିବି । ଜୀବନ ପାତ୍ରରେ ମୋର ଯିଏ ଭରିପାରିବ ଅମୃତ ତାରି ପାଇଁ ମୁଁ ହଜିଯିବି ଏଇ ଦୁନିଆର ଅନ୍ଧାର ତଳେ ।

 

ନିଷ୍ପଲକ ଆଖିରେ ମୁହଁକୁ ମୋର ଚାହିଁରହିଲା ଛାୟା ।

 

ଆଖିରେ ତା’ର ଭରିଗଲା ଶ୍ରାବଣ ଆକାଶର ବିଷନ୍ନତା ।

 

ଓଠ ଦିଶିଲା ଅପରାଜିତା ପରି ନୀଳ ।

 

ମନ ଭିତରେ ଭୟଙ୍କର ଆକ୍ରୋଶ ନେଇ ମୁଁ ବି ଚାହିଁରହିଲି ମୁହଁକୁ ତା’ର । କିଛିକ୍ଷଣ ପରେ ବେକଭାଙ୍ଗି ସେଠାରୁ ଚାଲିଗଲା ଛାୟା । ଅଯତ୍ନ ଖୋସାରେ ଥିଲା ତା’ର ଗୋଟିଏ ଶୁଖିଲା ମଲ୍ଲୀମାଳ ।

 

ଡାକ୍ତର, ମହାରାଣୀ ଛାୟାର ସେଇ ବିଷାଦମୟ ଭଙ୍ଗୀଟି କେଉଁଦିନ ହେଲେ ମୁଁ ଭୁଲିପାରିନି । କାରଣ......ତା’ର ସେପରି ଚାଲି ମୁଁ କେଉଁଦିନ ଦେଖିନଥିଲି । ପରାଜୟର ଗ୍ଳାନିରେ ସେଇ ଚାଲି ତା’ର ଅତ୍ୟନ୍ତ କରୁଣ ହୋଇଉଠିଥିଲା । ଦୀର୍ଘ ଏଇ କେତେବର୍ଷ ଧରି ପ୍ରତି ମୁହୂର୍ତ୍ତରେ ମୁଁ କେବଳ ଦେଖିଯାଇଚି ତା’ର ସେଦିନର ସେଇ ଚାଲିଟିକକ । ଲୋକଦେଖାଣିଆକୁ କେବେ କେମିତି ପଦେଅଧେ କଥା ସିଏ ମତେ କହୁଥିଲା । କିନ୍ତୁ ଯେଉଁଦିନଠାରୁ ସିଧାସଳଖ ଆଖିରେ ତା’ର ଆଖିରଖି ତାକୁ ମୁଁ ଅପମାନକଲି, ସେଇଦିନଠାରୁ ସେ ଆଉ ମୋ ସାଙ୍ଗରେ ବେଶୀ କଥା କହିନି । କିନ୍ତୁ ସବୁ କାମ ଭିତରେ ମୃତ୍ୟୁକୁ ଆହାନ କରିବା ହେଲା ତା’ର ବଡ଼ କାମ । ମୁଁ ଜାଣେ.....

 

ମୁଁ ଯେବେ ଚୋରପରି ତାଠୁ କିଛିଦିନ ଲୁଚି ଲୁଚି ବୁଲିଥାଆନ୍ତି ତାହେଲେ–ସେ ମତେ କଥା ନକହୁ ପଛେ ଏତେଶୀଘ୍ର ଅନ୍ତତଃ ଚାଲିଯିବାପାଇଁ ଆକୁଳହୋଇ ଉଠିନଥାନ୍ତ । କିନ୍ତୁ ଚୋର ମୁହଁ ସବୁଦିନ ଟାଣ ।

ଟିକି ଛାତିରେ ତା’ର ବହୁତ ଅଭିମାନ ଭରି ଚାଲିଗଲା ସିଏ । ଚାଲିଗଲା–ଶୁଭେନ୍ଦୁ, ନୀଳେନ୍ଦୁ, ଆଉ ଅଳକା ଆଉ ତା’ର ଏତେ ପ୍ରିୟ ସଂସାର–ସବୁକିଛିକୁ ଛାଡ଼ି । ଛାଡ଼ିଗଲା ସିଏ ତା’ର ରାଜାକୁ ବି । ସେଦିନ–ମୁଁ ଯଦି ତା’ପ୍ରଶ୍ନର ଉତ୍ତର ନମ୍ର ଭାବରେ ଦେଇଥାଆନ୍ତି–ତେବେ ସେ ସେମିତି ଭାବରେ ଚାଲି ଯାଇନଥାଆନ୍ତା ।

ଡାକ୍ତର, ମୁଁ ତାକୁ ତା’ର ପ୍ରିୟ ସଂସାରରୁ ତଡ଼ିଦେଲି । ମୁଁ ତାକୁ ଯିବାକୁ ବାଧ୍ୟକଲି । ସତରେ କ’ଣ ତା’ର ଚାଲିଯିବାକୁ ଇଚ୍ଛାଥିଲା ଏଇ ପ୍ରିୟ ସଂସାରକୁ ଛାଡ଼ି ! ନାଁ ଡାକ୍ତର, ନାଁ ମୋଟେ ନୁହେଁ । ମୁଁ ତାକୁ ବାଧ୍ୟକଲି । ନିଜପ୍ରତି ବହୁତ ଅବହେଳା କରି କରି ଦିନେ ଶଯ୍ୟାନେଲା ଛାୟା । କର୍ମ ଚଞ୍ଚଳ ହାତ ଦୁଇଟି ତା’ର ଥକିପଡ଼ିଲା ତକିଆ ଉପରେ । ଗୋଲାପୀ ବର୍ଣ୍ଣଟା ତା’ର ବିବର୍ଣ୍ଣ ହୋଇଯାଇଥିଲା । କାଗଜପରି ଧଳା ଦିଶୁଥିଲା ତା’ର ସେଇ ବର୍ଣ୍ଣ । ବିଛଣା ଉପରେ ଶୋଇଥାଏ ଛାୟା ବିଛଣା ସହିତ ମିଶିଯାଇ । ବ୍ଲୁରଙ୍ଗର ଭେଲ୍‌ଭେଟ୍ ତକିଆ ଉପରେ ରକ୍ତଶୂନ୍ୟ ମୁହଁଟି ତା’ର ଦିଶୁଥାଏ ଆଞ୍ଜୁଳାଏ ଜୁଇଫୁଲପରି ।

ଯେଉଁଦିନ ସଂସାରକୁ ଅବସର ନେଇ ବିଛଣାରେ ଲୋଟିପଡ଼ିଲା ଛାୟା, ସେଦିନ ରାଜାକୁ ପାଖକୁ ଡାକି କହିଥିଲା......ରାଜା ତୁମକୁ କେବେ କିଛି ମାଗିନି । କେବେ କିଛି ଅଳି କରିନି ତୁମ ପାଖରେ । ପ୍ରଥମ ଆଉ ଶେଷଥରକ ଲାଗି ଆଜି ମୁଁ କରିବି ତୁମ ପାଖରେ ଗୋଟିଏ ଅଳି । ରଖିବି ମୋର ସେଇ ଅଳି ତୁମେ ?

କାନ୍ଦିପକାଇଥିଲା ରାଜା । କହୁଥିଲା–

ରଖିବି ଭାଉଜ । ଜୀବନ ଦେଇଦେବି ତୁମରି ଶାନ୍ତି ଲାଗି, ସୁଖ ଲାଗି, ତୁମର ଆନନ୍ଦ ଲାଗି । କୁହ, କ’ଣ ତୁମର ହୁକୁମ ।

ଆକୁଳ ମନନେଇ ମୁଁ ମଧ୍ୟ ଠିଆ ହୋଇଥିଲି ତା’ର ଶଯ୍ୟାର ଗୋଟିଏ କଡ଼କୁ ମତେ ଦେଖିବି ନ ଦେଖିଲାପରି ମୁହଁ ବୁଲାଇନେଲା ଛାୟା ।

ରାଜାର ହାତଧରି ଛାୟା କହିଲା–ପାଖକୁ ଆସ ।

କ୍ଳାନ୍ତ କଣ୍ଠରେ ପୁଣି କହିଲା–କଥାଦିଅ ମତେ ରାଜା । ଆଜି ମୁଁ ତୁମକୁ ଯାହା କହିବି ତାହା ତୁମେ ସଜାଗ ମନନେଇ ମାନିବ ।

ଲକ୍ଷ୍ମଣର ମନନେଇ ମଥା ନୁଆଁଇ ରାଜା ସେଦିନ କହିଥିଲା–

ପ୍ରତିଟି ଆଦେଶ ତୁମର ମାନିବି ଭାଉଜ ।

କ୍ଳାନ୍ତ କଣ୍ଠରେ ଛାୟା କହିଥିଲା–ରାଜା ! ଏଇ ମୋର ଅନ୍ତିମ ଶଯ୍ୟା । ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ଭାଇନାଙ୍କୁ ମୋର ଏଇ ଶଯ୍ୟା ଛୁଆଁଇ ଦେବନି । କାରଣ ମୁଁ ତାଙ୍କର ଅଯୋଗ୍ୟ । ମୁଁ ତାଙ୍କୁ କିଛି ଦେଇପାରିନି–ସେଥିପାଇଁ ତାଙ୍କ ପାଖରୁ କିଛି ନେଇ ବି ପାରିବି ନାହିଁ । ସେବା ଛଳରେ ସେ ମତେ ଋଣୀ କରିବେ–ଏକଥା ଆଦୌ ମୁଁ ସହିପାରିବିନି । ତାଙ୍କ ହାତର ସେବା ପାଇଲେ ଆତ୍ମା ମୋର ବାହୁନି ବୁଲିବ । ତାଙ୍କର ହାତର ପରଶ ମୋର କାମ୍ୟ ନୁହେଁ ।

ପିଲାଙ୍କ ପରି କାନ୍ଦିଉଠିଲା ରାଜା ।

ଅଳ୍ପ ସମୟ ଆଗରୁ ଛାୟା ମୂର୍ଚ୍ଛା ଯାଇଚି ଶୁଣି ଧାଇଁଆସିଥିଲି ସେଇ ଘରକୁ । ମୂର୍ଚ୍ଛା ଭଙ୍ଗପରେ ଛାୟା ଯେଉଁ ନିର୍ଦ୍ଦେଶ ଦେଲା ରାଜାକୁ, ସେ ନିର୍ଦ୍ଦେଶ ଶୁଣି ଗଲି ପଥରର ଛାତି ନେଇ । ରକ୍ତ ମାଂସର କାନରେ ମୋର ଛାୟା ଢାଳୁଥିଲା କଥାର ଗରମ ଶୀସ । ତଥାପି ସେଇ ମୁହୂର୍ତ୍ତରେ ମୋର ଭୀଷଣ ଇଚ୍ଛା ହେଉଥାଏ ଛାୟାର ପାରା ପରି ନରମ ଆଉ ଛୋଟ ଦେହଟିରେ ହାତ ବୁଲାଇ ଦେବାକୁ । କିନ୍ତୁ ନିଷ୍ଠା ପାଖରେ ମଥା ନୋଇଁଲା ଅପରାଧି ମନ ମୋର । ତାକୁ ଛୁଇଁବାର ସାହସ ମୁଁ ହରାଇଥିଲି । ସାହସହୀନ ମନ ମୋର ପଛେଇଗଲା ଅନେକ ଦୂରକୁ ।

ଆଶ୍ଚର୍ଯ୍ୟ...କି ଅଦ୍‌ଭୂତ ଥିଲା ଏଇ ମନ ମୋର । ସେଦିନ କିଛି ସମୟ ପରେ କ୍ରୋଧ ଆଉ ଦମ୍ଭରେ ଅସ୍ଥିର ହୋଇଉଠିଲା ମୋର ମନ । ଛାୟା ଆଡ଼ୁ ମୁହଁ ଫେରାଇ ଚାଲିଆସିଲି ବାହାରକୁ । ଆଖିଆଗରେ ନାଚିଗଲା ପ୍ରତିମାର ସରସ ସତେଜ ମୁହଁଟି । ଯିଏ ଯାଉଚି ଯାଉ, ପ୍ରତିମା ତ ଅଛି । ଆଉ ଅଛି ମୋ ଦେହର ରକ୍ତ କଣିକାରେ ଭୀଷଣ ଉଷ୍ଣତା । ଦୁମ୍‌ଦାମ୍ ପାଦ ପକାଇ ଚାଲିଆସିଲି ସେଠାରୁ । ପୁଣି ହରାଇଛି ମନର ଦୃଢ଼ତା । ଅପରାଧି ମନ ମୋର ବାର ବାର ଟାଣିହୋଇଛି ଛାୟାର ଶୋଇଥିବା ଘରକୁ ।

ଛାୟା ଆଉଦିନେ ହେଲେ ମତେ ସ୍ମରଣ କରିନି । ଲଜ୍ଜା, ଦୁଃଖ, ଅଭିମାନକୁ ସାଥିରେ ନେଇ ଚାଲିଯାଇଚି ଛାୟା, ଚାଲିଯାଇଚି ମତେ ମୁକ୍ତି ଦେଇ ।

ଭଲହେଲା; ଖୁବ୍ ଭଲ ହେଲା ।

ପାଇଲି ଅବାଧ ସ୍ୱାଧୀନତା ।

ଦୁର୍ବାର ଗତିରେ ଆଗେଇଗଲି ଅମଡ଼ା ମାଡ଼ି । ଅନାଚର ଆଉ ବ୍ୟଭିଚାରର ସିଂହଦ୍ୱାର ପାରିହୋଇଗଲି ବିନା ଆୟାସରେ । ପାପର ଫଗୁ ନେଇ ଖେଳିଲି ହୋଲି ।

ଦୁଇପୁଅ ପାଖରେ ରହିଲେ । ବଡ଼ ଭାଇ ପରି ଭୀମ ମଣିଷ କଲା ତାଙ୍କୁ । ମୁଁ ମାତ୍ର ଉପଲକ୍ଷ୍ୟ । ଅଳକାକୁ ନେଇ ଚାଲିଗଲେ ତା’ର ମାମୁଁ, ମାଇଁ । ବିଭା ହେବା ପର୍ଯ୍ୟନ୍ତ ସେ ରହିଗଲା ସେହିଠାରେ । ମଝିରେ ମଝିରେ ତାକୁ ଯାଇ ମୁଁ ନେଇଆସେ ଅଳ୍ପଦିନ ପାଇଁ । ତାକୁ ଦେଖିଲେ ଛାୟା କଥା ମୋର ବଡ଼ ବେଶୀ ମନେପଡ଼େ । ଅଳକା, ସତେଅବା କିଶୋରୀ ଛାୟାର ପ୍ରତିମୂର୍ତ୍ତି । ବିବେକ ଦଂଶନ କରି ମନଟାକୁ ମୋର କ୍ଷତ ବିକ୍ଷତ କରେ । ଇନ୍‌ସ୍‌ପେକ୍‌ଟର ମହାନ୍ତି ପ୍ରମୋସନ ପାଇଲେ । ବେଶ୍ କିଛିଦିନ ଚାଲିଗଲା ।

ବଦଳିଗଲା ଦୁନିଆଁ ।

ବଦଳିଗଲା ମଧ୍ୟ ସେଇ ପ୍ରତିମା ଆସ୍ତେ ଆସ୍ତେ ।

ଆଶ୍ଚର୍ଯ୍ୟ ହେଲି, ବିସ୍ମିତ ହେଲି । ମୁହଁକୁ ତା’ର ଚାହିଁରହିଲି ପଥରର ଆଖିମେଲି । ଯେତେବେଳେ ଯୁଆଡ଼କୁ ଯିବାକୁ ଡାକିଲେ କହିଲା–ଦେହ ଭଲନାହିଁ । କେତେବେଳେ ଅବା କହିଲା–ମନ ଭଲନାହିଁ ।

ଏ ପ୍ରହସନ ବି ଚାଲିଲା ବେଶ୍ କିଛିଦିନ ଧରି ।

ହଠାତ୍ ଦିନେ ଗୋଟିଏ ବିଭାଘର ନିମନ୍ତ୍ରଣ କାର୍ଡ଼ ପାଇଲି ।

ନୂଆ ହୋଇ ଆସିଥିବା ସବ୍–ଇନ୍‌ସପେକ୍‌ଟର ଜୟନ୍ତ ଦାସଙ୍କ ସହିତ ପ୍ରତିମା ମହାନ୍ତିଙ୍କ ଶୁଭ ପରିଣୟ ଉପଲକ୍ଷେ ଇତ୍ୟାଦି, ଇତ୍ୟାଦି । ହଁ, ପ୍ରତିମା ପଟ୍ଟନାୟକ ପୁଣି ମହାନ୍ତି–ମିସ୍ ମହାନ୍ତି ହୋଇଯାଇଥିଲେ ବିଧବା ହେବା ପରେ । ଏଥର ବିଦ୍ୟାସାଗରଙ୍କ ମହତ୍ ଉଦ୍ଦେଶ୍ୟକୁ କାର୍ଯ୍ୟରେ ପରିଣତ କରିବାକୁ ଯାଉଛି ଅଭାଗା ଜୟନ୍ତ ଦାସ ।

କ୍ରୋଧରେ ଭିତରଟା ମୋର ଜଳି ପୋଡ଼ି ଯିବାକୁ ଆରମ୍ଭ କଲା ।

ଥରଥର କରି ବହୁତଥର ନିଜ ଗାଲରେ ନିଜେ ଚାପୁଡ଼ା ମାରିହେଲି ।

କି ସଇତାନି ସେ ପ୍ରତିମା ନାମର ଝିଅଟା । ତା’ ସହିତ କେବେ ମୋର ସମ୍ପର୍କ ଥିଲା ବୋଲି ତା’ର କିଛିମାତ୍ର ଚିହ୍ନବର୍ଣ୍ଣ ରହିଲାନି କି, କୌଣସି ନିଦର୍ଶନ ବି ନ ଥିଲା–ଯାହା ଦେଖାଇ ବୋକା ହତଭାଗା ଜୟନ୍ତ ଦାସକୁ ତା’ର କଳ୍ପିତ କାର୍ଯ୍ୟରୁ ନିବୃତ କରିବି । ସଇତାନି ଝିଅଟା କେବେ କେମିତି ଚିଠି ମତେ ଦେଇଥିଲା । ପୁଣି ନାନାରକମ ଆଳ ଦେଖାଇ ଅଙ୍ଗରେ ଗୋଟାଏ ବିଚିତ୍ର ଭଙ୍ଗୀ କରି, ନାନା ରକମ କଥା କହି ସେ, ସେ ଚିଠିଗୁଡ଼ିକ ମୋଠାରୁ ମାଗିନେଇଥିଲା ଏବଂ ସେଗୁଡ଼ିକ ହାତରେ ନେଇ ଟିକିଟିକି କରି ଚିରି ଉଡ଼ାଇ ଦେଇଥିଲା ସେକଥା ମୁଁ ବୁଝିପାରିନି ସେଦିନ । ମୁଁ ଛାୟାକୁ ଠକାଇଥିଲି ଯାହାଲାଗି–ସେଇ ଆଜି ମତେ ଠକାଇଲା ।

ନିୟତିର କି ନିର୍ମମ ପରିହାସ !

ଦେହ ମନରେ ଜଳିଉଠିଲା ମୋର ଅଗ୍ନିର ତାଣ୍ତବ ଦୃଶ୍ୟ ।

ପଥରପାଲ୍‍ଟି ଠିଆ ହୋଇଯାଇଥିଲି ସେଇ ବଗିଚା ଭିତରେ । ଆଖିରେ ପଡ଼ିଲେ ଦୁଇପୁଅ । ସେମାନେ ସ୍କୁଲରୁ ଫେରୁଛନ୍ତି । ମତେ ଦେଖି ପୁଅମାନେ ହସହସ ମୁହଁ କରି ମତେ କୁଣ୍ଢାଇ ପକାଇଲେ । କହିଲେ–ବାପା, କେତେଦିନ ଧରି ତୁମକୁ ଦେଖିନାହୁଁ । ରାତିରେ କେତେବେଳେ ଆସି ଶୁଅ, ସକାଳେ ଉଠି କେତେବେଳେ ପୁଣି କୁଆଡ଼େ ଚାଲିଯାଅ, କିଛି ଆମେ ଜାଣିପାରୁନା । ତୁମକୁ ଟିକିଏ ଦେଖିବାପାଇଁ ମନ ଗୋଳେଇ ଘାଣ୍ଟି ହୁଏ । ଆଜି ଏତେବେଳେ ତୁମକୁ ଦେଖି ଖୁବ୍ ଖୁସି ଲାଗୁଛି ବାପା ।

ଦୁଇଟି ଛୁଆର ଚାରୋଟି ହାତର ନିବୀଡ଼ ସ୍ପର୍ଶରେ ଦେହ ମନ ମୋର ଶୀତଳ ହୋଇଗଲା । କେଜାଣି କାହିଁକି ଭାରି କାନ୍ଦମାଡ଼ିଲା । ଠିକ୍ ପିଲାଙ୍କ ପରି ବିକଳ ହୋଇ ମୁଁ କାନ୍ଦିପକାଇଲି । କହିଲି–ଏଥର ସବୁଦିନେ ମତେ ଦେଖିବାକୁ ପାଇବ ।

ହଁ...ଦୁର୍ଦ୍ଦାନ୍ତ କନକନାରାୟଣ ଚୌଧୂରୀ ସେଇ ଗୋଟିଏ ଦିନ ହାଉ ହାଉ କରି କାନ୍ଦିଥିଲା । ତାପରେ ସେଇ କାନ୍ଦ ଯାଇ ରୁଦ୍ଧ ହୋଇଗଲା ଅନ୍ତରର ଅନ୍ତର୍ଦ୍ଦେଶରେ । ଲୋକଲୋଚନ ଆଗୋଚରରେ ରହି ପ୍ରତିଦିନ, ପ୍ରତିକ୍ଷଣ, ପ୍ରତି ମୁହୂର୍ତ୍ତରେ ସେ ଗୁମୁରି ଗୁମୁରି ବାହୁନିଲା ଆଜିକାର ଏଇଦିନଟି ପର୍ଯ୍ୟନ୍ତ ।

 

ପାଣି ଟିକିଏ ଦିଅ ଡାକ୍ତର...

 

ଡାକ୍ତର ପାଣି ପାଇଁ ଉଠି ଯାଉ ଯାଉ ଶୁଣିଲେ କନକନାରାୟଣ ଅତଳ ଗହରରେ ତଳେଇ ଯାଉ ଯାଉ କହୁଚନ୍ତି–ଭ୍ରମରେ ପଡ଼ି ଶାନ୍ତ ଶୀତଳ ନଦୀ ବକ୍ଷ ଛାଡ଼ି ଧାଇଁଗଲି ଅଗ୍ନିଝରା ତପ୍ତ ମରୁଭୂମି ଆଡ଼କୁ ।

 

ଡାକ୍ତର ପାଣି ପିଆଇଦେଲେ ।

 

କନକନାରାୟଣ କଡ଼ ଲେଉଟାଇ ଶୋଇଲେ । କହିଲେ–ମୁଁ ଟିକିଏ ଶୋଇବି ଡାକ୍ତର, ମତେ ଭୀଷଣ, ଭୀଷଣ ନିଦ ଲାଗୁଛି । ଓଃ, କେତେ କ୍ଳାନ୍ତି, କେତେ ବ୍ୟଥା ଜମି ରହିଛି ଏଇ ମୋର ଛାତି ତଳେ । କହୁ କହୁ ଆଖି ମୁଦିଲେ କନକନାରାୟଣ ଚୌଧୁରୀ ।

 

ହାତଘଡ଼ିକୁ ଚାହିଁଲେ ଡାକ୍ତର । ସାଢ଼େ ଚାରିଟା ବାଜିଗଲାଣି । ବେଶ୍‌ କିଛି ସମୟ ଚୁପ୍‌ଚାପ ବସି ରହିଲେ ସିଏ । ଅଳ୍ପ ଅଳ୍ପ ହୋଇ ଆଖିପତାରେ ତାଙ୍କର ନିଦ ଜମି ଆସୁଛି । ତାଙ୍କୁ ବି କ୍ଳାନ୍ତ ଲାଗୁଛି । ତଥାପି ସବୁ କ୍ଳାନ୍ତି, ସବୁ ଅବସାଦକୁ ଝାଡ଼ିଝୁଡ଼ି ଦେଇ ମଉସାଙ୍କ ମୁହଁକୁ ଚାହିଁ ରହିଲେ ସିଏ ଏକାଗ୍ର ଦୃଷ୍ଟିରେ ।

 

ସୂର୍ଯ୍ୟଙ୍କର ସିନ୍ଦୁରବୋଳା ପ୍ରଥମ ରଶ୍ମିଟି ପଡ଼ିଲା ଆସି ମଉସାଙ୍କ ବାଡ଼ିରେ ଥିବା ଚମ୍ପା ଗଛର ଶୀର୍ଷ ଦେଶରେ । ମଉସାଙ୍କର ନିଃଶ୍ୱାସ ପ୍ରଶ୍ୱାସ ସ୍ୱାଭାବିକ ଭାବରେ ଗତି କରୁଛି ।

 

ବାଥ୍‌ରୁମ୍ ଆଡ଼େ ଚାଲିଗଲେ ଡାକ୍ତର ।

 

ଫେରିଆସିଲେ ସେ ଅଧଘଣ୍ଟା ଭିତରେ । ଭୀମ ଆସି ପଚାରି ବୁଝିଯାଇଛି ଚା ଆସିବା କଥା । ଡାକ୍ତର ହାତମୁହଁ ପୋଛୁ ପୋଛୁ ଆଉଥରେ ମଉସାଙ୍କ ଆଡ଼େ ଚାହିଁଲେ ।

 

ସୁନେଲି ରଙ୍ଗର ଆଲୋକ ବନ୍ୟାରେ ସେତେବେଳେ ଭାସି ଯାଉଥିଲା ଘରଟା ।

 

ହଠାତ୍ ଭ୍ରୂକୁଞ୍ଚିତ କରି ଚାହିଁଲେ ଡାକ୍ତର କନକନାରାୟଣଙ୍କର ଘୁମନ୍ତ ମୁହଁକୁ । ହାତରୁ ତାଙ୍କର ଖସିପଡ଼ିଲା ତଉଲିଆଟା ।

 

କ୍ଷିପ୍ର ହାତରେ ଯାଇ ମଉସାଙ୍କ ନାଡ଼ି ଦେଖିଲେ । ବିକଳ ହୋଇ ଚାହିଁ ରହିଲେ ସିଏ ବୃଦ୍ଧଙ୍କର ବେଦନାହତ ନିଥର, ନିର୍ବାକ ମୁହଁ ଆଡ଼କୁ । ଆଲୋକର ସ୍ପଷ୍ଟତାରେ ଦେଖିଲେ–ବୃଦ୍ଧଙ୍କର ମୁଦ୍ରିତ ଦୁଇଟି ନୟନ କୋଣରେ ଦୁଇଧାର ଶୁଖିଲା ଲୁହ ।

 

ସାରାରାତି ଜଗି ରହିଥିଲେ ଡାକ୍ତର ।

 

ଅଥଚ ତାଙ୍କର...

 

ଅତ୍ୟନ୍ତ ଅଳ୍ପ ସମୟ ଅନୁପସ୍ଥିତିର ସୁଯୋଗ ନେଇ ଚାଲିଗଲେ କନକନାରାୟଣ ଚୌଧୂରୀ ସେଇ ଦେଶକୁ ଯେଉଁଠି ଅଛନ୍ତି ତାଙ୍କର ପ୍ରାଣପ୍ରିୟା ଛାୟା–ଯେଉଁ ଦେଶରୁ କେହି କେବେ ଫେରିନି ।

 

ସ୍ତବ୍‌ଧ ହୋଇ ଠିଆହୋଇ ରହିଲେ ଡାକ୍ତର ।

 

କି ଏକ ମଉନ ବେଦନାରେ ଭାଙ୍ଗିପଡ଼ିଲେ ସିଏ । ଠିଆ ହୋଇ ରହିଲେ ଗୋଟିଏ ପ୍ରାଣହୀନ ମୂର୍ତ୍ତି ପରି ।

 

ଭୀମ ଚା ନେଇ ଘରେ ପଶିଲା ।

 

ତିନି ଚାରିଥର ଡାକିବା ପରେ ବି ଡାକ୍ତରଙ୍କଠାରୁ କୌଣସି ପ୍ରତିଉତ୍ତର ପାଇଲାନାହିଁ । ଥରେ ବାବୁଙ୍କୁ, ଆଉଥରେ ଡାକ୍ତରଙ୍କ ମୁହଁକୁ ଚାହିଁ କ’ଣ ସିଏ ବୁଝିଲା କେଜାଣି ଦିହହାତ ତା’ର ଅବଶ ହୋଇଆସିଲା । ହାତରୁ ତା’ର ଖସିପଡ଼ିଲା କପ୍ ପିଆଲା ସମେତ୍ ଟ୍ରେଟା । ଧାଇଁଆସି କନକ ନାରାୟଣଙ୍କ ପାଦଦୁଇଟିରେ ମଥା ରଖି କାନ୍ଦିଉଠିଲା ସିଏ ଆକୁଳ ହୋଇ । କଣ୍ଠରୁ ତା’ର ବାହାରିଆସିଲା ଗୋଟିଏ ଶବ୍ଦ–ବାଆବୁଉଉ...

 

କାନ୍ଥ କଡ଼ରେ ଠିଆହୋଇ କାନ୍ଦିଉଠିଲା ରାଧା ।

 

ଡାକ୍ତର କିନ୍ତୁ ମଉସାଙ୍କ ମୁହଁକୁ ଚାହିଁଥାନ୍ତି ସ୍ଥିର ଦୁଇଟି କାଚର ଆଖିମେଲି କୌଣସି ଶବ୍ଦ କାନରେ ତାଙ୍କର ପଶୁଚି ବୋଲି ମନେହେଉନି । ପରିସ୍ଥିତିର ପରିବର୍ତ୍ତନ ଆଦୌ ବିଚଳିତ କରୁନି ତାଙ୍କ ମନକୁ ।

 

ସେ ସ୍ଥିର ଅକମ୍ପିତ ଦେହନେଇ ଠିଆହୋଇ ରହିଛନ୍ତି ପୂର୍ବପରି ।

 

ସମୟ କେତେ ହେଲାଣି କେଜାଣି ।

 

ଘର ଭିତରକୁ ପଶିଆସିଲେ–ପୁଅ, ବୋହୂ, ଝିଅ, ଜୋଇଁ, ନାତୀ, ନାତୁଣୀ ସମସ୍ତେ । ଦିବ୍ୟେନ୍ଦୁ ମଧ୍ୟ ।

 

ଦିବ୍ୟେନ୍ଦୁଙ୍କ କୋମଳ ସ୍ପର୍ଶରେ ଡାକ୍ତର ଚେତନା ଲଭିଲେ । ପଚାରିଲେ–ଏମାନେ ଏତେଶୀଘ୍ର ଆସିଲେ କିପରି ?

 

ଉଦାସ କଣ୍ଠରେ ଦିବ୍ୟେନ୍ଦୁ କହିଲେ–ପ୍ଳେନ୍‌ରେ ।

 

କାନ୍ଦଣାର କରୁଣ ସ୍ୱରରେ ମଥି ହୋଇଗଲା ଆକାଶ ବତାସ ।

 

ଶବ ବାହାରୁ ବାହାରୁ ବାଜିଗଲା ଦିନ ଦୁଇଟା । ସଭିଙ୍କ ସାଙ୍ଗରେ ଡାକ୍ତର ବି ଯାଇଥିଲେ ଶ୍ମଶାନ ତୀର୍ଥକୁ । କନକ ନାରାୟଣଙ୍କର ନଶ୍ୱର ଦେହଟି ପୋଡ଼ି ପୋଡ଼ି ପାଉଁଶ ହୋଇଯାଉଛି । ସୂର୍ଯ୍ୟଙ୍କର ଅସ୍ତ ଲାଲ୍ ରଙ୍ଗ ସହିତ ଜୁଇର ଅଗ୍ନି ଲାଲ୍ ମିଶି ଏକାକାର ହୋଇଯାଇଛି । ନିଷ୍କଲକ ଆଖିରେ ଡାକ୍ତର ଚାହିଁ ରହିଛନ୍ତି ଜୁଇର ଜଳନ୍ତା ଅଗ୍ନିଆଡ଼କୁ ।

Image